ବେଦାନ୍ତ ପାଇଁ ଦାନ୍ତ ଭାଙ୍ଗିବେ ସରକାର!

ବେଦାନ୍ତ ପାଇଁ ଦାନ୍ତ ଭାଙ୍ଗିବେ ସରକାର!

Share :

ନକ୍ସଲ ନାମରେ ବିରଳ ଆଦିବାସୀଙ୍କୁ ହତ୍ୟାକରି ନିୟମଗିରି ଦଖଲ କରିବାକୁ ଚାଲିଛି ଚକ୍ରାନ୍ତ !   ମାଣ୍ଡା କାଡ୍ରାକା ଓ ତା’ର ଜଣେ ସାଥୀ ଡମ୍ବୁ କାର୍ସିକା ଜଙ୍ଗଲକୁ ଯାଇଥିଲେ ସଳପ ରସ ଆଣିବାକୁ । ଡମ୍ବୁ ଗୋଟେ ସଳପ ଗଛରେ ଚଢ଼ିଲା । ମାଣ୍ଡା ଆଉ ଗୋଟେ ସଳପ ଗଛ ଆଡ଼କୁ ଗଲା । ହଠାତ ଜଙ୍ଗଲ ଭିତରେ ମାଣ୍ଡାର ଚିତ୍କାର ଶୁବିଲା, ମତେ ପୁଲିସ ନେଇଗଲା! ତା’ ପରେ ଖବର ମିଳିଲା, ପୁଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ମାଓବାଦୀ ମାଣ୍ଡାର ମୃତୁ ହୋଇଛି ! ରାୟଗଡ଼ା ଜିଲ୍ଲା କଲାଣସିଂହପୁର ଥାନା ଅଂଚଳରେ ଫେବୃଆରୀ ୨୭ ତାରିଖରେ ଘଟିଥିଲା ଏଇ ଘଟଣା । ପୁଲିସ ଏହାକୁ ଏନକାଉର ରୂପ ଦେଇଛି କିନ୍ତୁ ମାନିବାକୁ ପ୍ରସ୍ତୁତ ନୁହନ୍ତି ନିୟମଗିରିର ଡଙ୍ଗରିଆ କନ୍ଧ ଆଉ ତାଙ୍କ ସହିତ ସ୍ବର ମିଳାଇଛି ନିୟମଗିରି ସୁରକ୍ଷା ସମିତି । ସମିତିର ଲଦୋ ସିକାକା ଏବଂ ସମାଜବାଦୀ ଜନ ପରିଷଦର ଲିଙ୍ଗରାଜ ଆଜାଦ ଏହାକୁ ମିଥ୍ୟା ଏନକାଉଣ୍ଟର ଭାବେ ବର୍ଣ୍ଣନା କରିଛନ୍ତି । ମାଣ୍ଡାର ଘର ଡାଙ୍ଗମାଟି ଗାଁରେ । ଫେବୃଆରୀ ୨୭ ତାରିଖରେ ତାଙ୍କ ଅଂଚଳରେ ଘାଟି ପରବ ପାଳିତ ହେଉଥିଲା । ଅନ୍ୟ ବହୁ ଆଦିବାସୀଙ୍କ ପରି ଡଙ୍ଗରିଆ କନ୍ଧମାନେ ମଧ୍ୟ ସଳପ ପ୍ରିୟ । ସଳପ ଗଛର ରସକୁ ଆଦିବାସୀମାନେ ପାନୀୟ ଭାବେ ବ୍ୟବହାର କରନ୍ତି । ସୂର୍ଯୋଦୟ ପୂର୍ବରୁ ସଳପ ରସ ତୋଳିଲେ ତାହା ଉତ୍ତମ ସ୍ବାସ୍ଥ୍ୟପ୍ରଦ ରସ ଭାବେ କାମ ଦେଇଥାଏ । ଖରା ପଡ଼ିବା ପରେ ସଳପ ରସ ମଦରେ ପରିଣତ ହୁଏ, ଠିକ ଖଜୁରୀ ତାଡ଼ି ପରି । ତେଣୁ ସେଦିନ ଭୋର ପ୍ରାୟ ୪ଟା ସମୟରେ ଡମ୍ବୁ କାର୍ସିକା ଓ ମାଣ୍ଡା କାଡ୍ରାକା ସଳପ ରସ ଆଣିବାକୁ ଜଙ୍ଗଲକୁ ଯାଇଥିଲେ । ମାଣ୍ଡାକୁ ୨୦ ବର୍ଷ ବୟସ ହୋଇଥିଲା । ୨୦୧୩-୧୪ ଯାଏଁ ସେ କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ବୁଢ଼ାଗୁଡ଼ା ଆଶ୍ରମ ସ୍କୁଲରେ ଅଷ୍ଟମ ଶ୍ରେଣୀରେ ପଢ଼ୁଥିଲା । କିନ୍ତୁ ୨୦୧୪-୧୫ ବର୍ଷ ବେଳକୁ ସେହି ଅଂଚଳରେ ମାଓବାଦୀ ସଂଗଠନ ଗଢ଼ିଉଠିବା ପରେ ସେମାନେ ଆଦିବାସୀମାନଙ୍କୁ ପାଠ ପଢ଼ିବାକୁ ବାରଣ କଲେ । ଡରରେ ମାଣ୍ଡା ଆଉ ସ୍କୁଲ ଯାଇ ନଥିଲା । ମାର୍ଚ୍ଚ ୩ ତାରିଖରେ ମାଣ୍ଡାର ବଡ଼ ଭାଇ ଦ୍ରିକା କାଡ୍ରାକା ଏବଂ ତା’ର ସ୍କୁଲ ସହପାଠୀମାନେ ମୃତଦେହ ଚିହ୍ନଟ କଲା ପରେ ପୁଲିସ ତାଙ୍କ ପରିବାରକୁ ଏହା ହସ୍ତାନ୍ତର କରିଥିଲା । ରାୟଗଡ଼ା ଏସପି କେ. ଶିବ ସୁବ୍ରମଣିଙ୍କ କହିବା ଅନୁସାରେ ଏହା ଏକ ଏନକାଉଣ୍ଟର ଥିଲା ଓ ସେଥିରେ ପ୍ରାୟ ୪୫୦ ରାଉଣ୍ଡ ଗୁଳି ଚଳାଯାଇଥିଲା । ଜଣେ ‘ମାଓବାଦୀ’କୁ ମାରିବା ପାଇଁ ଏତେ ଗୁଳି ଫୁଟାଇବା ଦରକାର ଥିଲା କି ବୋଲି ପ୍ରଶ୍ନ କରିଛନ୍ତି ଲିଙ୍ଗରାଜ ଆଜାଦ ଓ ପ୍ରଗତିଶୀଳ ପତ୍ର୍ରିକା ସମଦୃଷ୍ଟିର ସଂପାଦକ ସୁଧୀର ପଟ୍ଟନାୟକ । ଏକ ମିଥ୍ୟା ଏନକାଉଣ୍ଟରକୁ ସତ ଏନକାଉଣ୍ଟର ଦର୍ଶାଇବା ପାଇଁ ଏତେ ଅଧିକ ଗୁଳିଚାଳନା କରାଯାଇଥିଲା ବୋଲି ସେମାନେ ସନ୍ଦେହ ପ୍ରକଟ କରିଛନ୍ତି । ମାଣ୍ଡାର ବଡ଼ଭାଇ ଦ୍ରିକା କାଡ୍ରାକା ଗଣମାଧ୍ୟମକୁ କହିଛନ୍ତି ଯେ ତାଙ୍କ ସାନ ଭାଇ ମାଓବାଦୀ ନଥିଲା । କିନ୍ତୁ ସ୍ଥାନୀୟ ମାଓବାଦୀ ସଂଗଠନର ସୁଖଦେବ ନାମକ ଜଣେ କର୍ମକର୍ତ୍ତା ସ୍ଥାନୀୟ ଗଣମାଧ୍ୟମକୁ ପଠାଇଥିବା ଏକ ଅଡ଼ିଓ ସିଡି ଅନୁସାରେ ମାଣ୍ଡା ଉଭୟ ପୁଲିସ ଓ ମାଓବାଦୀଙ୍କ ପାଇଁ କାମ କରୁଥିଲା । ତା’ର ହତ୍ୟା ପ୍ରତିବାଦରେ ମାଓବାଦୀ ସଂଗଠନ ମାର୍ଚ୍ଚ ୧୫ ତାରିଖରେ ରାୟଗଡ଼ା ବନ୍ଦ ଡାକରା ଦେଇଛି । ସେହିପରି ମାଣ୍ଡା ପରିବାର ପାଇଁ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ମଧ୍ୟ ଦାବି କରିଛି ମାଓବାଦୀ ସଂଗଠନ । ଏହିପରି ଭାବେ ନିୟମଗିରିରେ ବଢ଼ି ଚାଲିଛି ‘ମାଓବାଦୀ’ ଉପଦ୍ରବ । ୨୦୧୩-୧୪ ଯାଏଁ ନିୟମଗିରିର ମାଓବାଦୀ ସଂଗଠନ କାର୍ଯ୍ୟ କରୁଥିବା ନେଇ କେହି କେବେ ଅଭିଯୋଗ କରି ନଥିଲେ । ପୁଲିସ ବି ତାହା ଜାଣି ନଥିଲା । କିନ୍ତୁ ୨୦୧୩ ମସିହାରେ ଡଙ୍ଗରିଆ କନ୍ଧମାନେ ଗ୍ରାମସଭାରେ ବେଦାନ୍ତର ବକ୍ସାଇଟ୍ ଖଣି ବିରୋଧରେ ମତ ଦେବା ପରଠାରୁ ସେଠାରେ ମାଓବାଦୀ ମାତିଛନ୍ତି ବୋଲି ରାଜ୍ୟ ପୁଲିସ ପ୍ରଚାର ଆରମ୍ଭ କରିଛି । ପୁଲିସ ନିୟମଗିରିର ଡଙ୍ଗରିଆ କନ୍ଧମାନଙ୍କୁ ‘ମାଓବାଦୀ’ ସଜାଇ ସେହି ଅଂଚଳରେ ଘନଘନ କୁମ୍ବିଂ ଅପରେସନ ଚଳାଇଛି । ମଝିରେ ମଝିରେ ନିୟମଗିରି ସୁରକ୍ଷା ସମିତିର ସଭ୍ୟମାନଙ୍କୁ ଅଟକ କରି ଧମକଚମକ ଦେଉଛନ୍ତି । ସେମାନେ ମାଓବାଦୀ ସଂଗଠନରେ ସାମିଲ ହୋଇଥିବାରୁ ସେମାନଙ୍କୁ ଗିରଫ କରାଯିବ ନହେଲେ ଏନକାଉଣ୍ଟରରେ ହତ୍ୟା କରାଯିବ ବୋଲି କହୁଛନ୍ତି । ଏଣେ ନିୟମଗିରିରେ ପୁଣି ଥରେ ବକ୍ସାଇଟ ଖଣି ପ୍ରକଳ୍ପ ଆରମ୍ଭ କରିବାକୁ ଓଡ଼ିଶା ସରକାରଙ୍କ ଅଧୀନସ୍ଥ ଓଡ଼ିଶା ଖଣି ନିଗମ ତରଫରୁ ଆରମ୍ଭ ହୋଇଛି ପଛଦ୍ବାର କସରତ । ନିୟମଗିରି ଖଣି ପ୍ରକଳ୍ପ ପାଇଁ ଆଉ ଥରେ ଗ୍ରାମ ସଭା କରାଇବାକୁ ଓଡ଼ିଶା ସରକାରଙ୍କ ଅନୁମୋଦନକ୍ରମେ ଓଡ଼ିଶା ଖଣି ନିଗମ ସୁପ୍ରିମ କୋର୍ଟରେ ଆବେଦନ କରିଛି । ଯୁକ୍ତି କରିଛି, ଗ୍ରାମ ସଭାରେ ନୂଆ ଭୋଟର ସାମିଲ ହେଲେଣି, ପୁରୁଣା ଭୋଟରଙ୍କ ଭିତରୁ କେତେକ ମରିହଜି ଗଲେଣି । ତା’ଛଡ଼ା ସୁପ୍ରିମ କୋର୍ଟଙ୍କ ୨୦୧୩ ମସିହାର ରାୟ ସବୁଦିନ ପାଇଁ କାଏମ ନୁହେଁ । ସହି ରାୟ ବେଦାନ୍ତ-ଓଡ଼ିଶା ଖଣି ନିଗମ ଯୌଥ ଉଦ୍ୟୋଗ ପାଇଁ ଉଦ୍ଦିଷ୍ଟ ଥିଲା । ଏବ ଖଣି ନିଗମ ଏକାକୀ ଖଣି ଖୋଳିବାକୁ ଚାହୁଁଛି । ଏଥିପାଇଁ ଆଉ ଥରେ ଗ୍ରାମ ସଭା ଡକାଯାଇ ଖଣି ପ୍ରକଳ୍ପ ସଂପର୍କରେ ଲୋକମାନଙ୍କର ମତାମତ ନିଆଯାଉ ବୋଲି ଖଣି ନିଗମ ସୁପ୍ରିମ କୋର୍ଟରେ ଦରଖାସ୍ତ କରିଛି । ନିଗମର ଏହି ଆବେଦନକୁ କୋର୍ଟ ବିଚାର ପାଇଁ ଗ୍ରହଣ କରିଛନ୍ତି । ଏକ ତିନି ଜଣିଆ ଖଣ୍ଡପୀଠ ଏହି ଆବେଦନର ଶୁଣାଣୀ କରିବାକୁ ସ୍ଥିର ହୋଇଛି । ସୂଚନାଯୋଗ୍ୟ ଯେ ଜଙ୍ଗଲ ଅଧିକାର ଆଇନ ଓ ପେସା ଆଇନ ଅନୁସାରେ ଆଦିବାସୀ ଅଧ୍ୟୁସିତ ତଫସିଲଭୁକ୍ତ ଅଞ୍ଚଳଳରେ ଥିବା ଜମି ଓ ଜଙ୍ଗଲର କି ପ୍ରକାର ବ୍ୟବହାର କରାଯିବ ତାହା ସ୍ଥିର କରିବାର ଚୂଡ଼ାନ୍ତ ଅଧିକାର ସମ୍ବିଧାନ ଅନୁସାରେ ଆଦିବାସୀମାନଙ୍କ ଗ୍ରାମ ସଭାକୁ ଦିଆଯାଇଛି । ଏହି ଆଇନ ଭିତ୍ତିରେ ନିୟମଗିରି ବକ୍ସାଇଟ ପ୍ରକଳ୍ପ ନେଇ ସେମାନଙ୍କର ମତାମତ ଗ୍ରହଣ କରିବାକୁ ସୁପ୍ରିମ କୋର୍ଟ ୨୦୧୩ ମସିହାରେ କେନ୍ଦ୍ର ଓ ଓଡ଼ିଶା ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସେଥିପାଇଁ ଓଡ଼ିଶା ସରକାର ନିୟମଗିରି ଇଲାକାର ୧୧୨ ଗ୍ରାମ ମଧ୍ୟରୁ ମାତ୍ର ୧୨ଟି ଗାଁ ବାଛିଥିଲେ । ଏସବୁ ଗାଁର ଭୋଟର ସଂଖ୍ୟା ବହୁତ କମ ଥିଲା । କେଉଁ ଗାଁରେ ଜଣେ ଭୋଟର ଥିଲା ତ କେଉଁ ଗାଁରେ ଥିଲେ ୮-୧୦ ଜଣ । ସରକାର ଭାବିଥିଲେ ଅଳ୍ପ ଲୋକଙ୍କୁ ବୁଝେଇଶୁଝେଇ ବା ଡରେଇମରେଇ ଖଣି ପାଇଁ ସହମତି ହାସଲ କରିହେବ । କେନ୍ଦୁଝର ଓ ସୁନ୍ଦରଗଡ଼ର ଅନେକ ଖଣି ପ୍ରକଳ୍ପ କ୍ଷେତ୍ରରେ ଓଡ଼ିଶା ସରକାର ଏଇ କୌଶଳ ଅବଲମ୍ବନ କରି ଆସିଛନ୍ତି । ତେବେ ନିୟମଗିରିର ୧୨ଟି ଯାକ ଗାଁର ସମସ୍ତ ସାବାଳକ ଖଣି ପ୍ରକଳ୍ପ ବିରୋଧରେ ମତ ଦେଇଥିଲେ । ଫଳରେ ଏହି ପ୍ରକଳ୍ପ ବାତିଲ ହୋଇଥିଲା । ଏହି ଖଣି ଉପରେ ଲାଂଜିଗଡ଼ରେ ଜଙ୍ଗଲ ଓ ପରିବେଶ ଆଇନ ଉଲ୍ଲଙ୍ଘନ କରି ନିର୍ମିତ ହୋଇଥିବା ବେଦାନ୍ତ ଆଲୁମିନା କାରଖାନାର ନଜର ଅଛି । କମ୍ପାନୀକୁ ବକ୍ସାଇଟ କିମ୍ବା ବକ୍ସାଇଟ ଖଣି ଦେବାକୁ ଖଣି ନିଗମ ଓ ଓଡ଼ିଶା ସରକାର ପୂର୍ବରୁ ପ୍ରତିଶ୍ରୁତିବଦ୍ଧ । ସେଥିପାଇଁ ବେଦାନ୍ତ କମ୍ପାନୀ ଓଡ଼ିଶା ସରକାରଙ୍କ ଉପରେ ଚାପ ପକାଇ ଚାଲିଛି । ଏହି ଚାପର ବଶବର୍ତ୍ତୀ ହୋଇ ଓଡ଼ିଶା ସରକାର କମ୍ପାନୀକୁ କୋରାପୁଟର ତିନିଟି ଲାଟେରାଇଟ ଖଣି ଦେଇଥିବାବେଳେ ଏହାର ସହଯୋଗୀ ଏଲ ଆଣ୍ଡ ଟି କମ୍ପାନୀକୁ କଳାହାଣ୍ଡିର କର୍ଲାପାଟ ଅଂଚଳରେ ଗୋଟିଏ ବକ୍ସାଇଟ ଖଣି ପ୍ରଦାନ କରିଛି । ତଥାପି ନିୟମଗିରି ଲୋଭ ସମ୍ବରଣ କରି ହେଉନି । ବିରୋଧୀ କଂଗ୍ରସ ଓ ବିଜେପି ନେତାମାନଙ୍କର ଅଭିଯୋଗ ଅନୁସାରେ ଲଣ୍ଡନ ସ୍ଥିତ ଅନୀଲ ଅଗ୍ରବାଲଙ୍କ ବେଦାନ୍ତ କମ୍ପାନୀଠାରୁ ବିଜୁ ଜନତା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ବିଭିନ୍ନ ବାଟରେ ପ୍ରାୟ ୫ ହଜାର କୋଟି ଟଙ୍କାର ଚାନ୍ଦା ବା ଅନ୍ୟାର୍ଥରେ ଲାଞ୍ଚ ନେଇଥିବାରୁ କାହାକୁ କିଛି ନଜଣାଇ ଲାଞ୍ଜିଗଡ଼ ଜଙ୍ଗଲ ଭିତରେ ବେଦାନ୍ତ କମ୍ପାନୀକୁ କାରଖାନା ନିର୍ମାଣ ପାଇଁ ଜାଗା ଦେଇଥିଲେ । ସରକାରଙ୍କ ସହଯୋଗରେ ସମସ୍ତ ପ୍ରକାର ଆଇନକାନୁନ ଉଲ୍ଲଙ୍ଘନ କରାଯାଇ ସେଠାରେ କାରଖାନା ନିର୍ମାଣ କରାଯାଇଥିଲା । ୨୦୦୪ ବିଧାନସଭା ନିର୍ବାଚନର ଅଳ୍ପ କିଛି ଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାହାକୁ ଉଦଘାଟନ କରିବାରୁ ସେଠାରେ ଏମିତି କାରଖାନା ନିର୍ମାଣ ହୋଇଛି ବୋଲି ରାଜ୍ୟବାସୀ ଜାଣିବାକୁ ପାଇଲେ । ପରେ ସେହି କାରଖାନାର ପରିବେଶ ଓ ଜଙ୍ଗଲ ମଂଜୁରୀକୁ ମଧ୍ୟ କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟ ରଦ୍ଦ କରିଛି । ଏହା ସତ୍ତ୍ବେ ଓଡ଼ିଶା ସରକାର ଏହି କାରଖାନା ପାଇଁ କୋର୍ଟକଚେରୀରେ ଇଜ୍ଜତ ମହତ ହରାଇବାକୁ ବି ପଛଉ ନାହାନ୍ତି ।

Share :