ବିଜୁବାବୁଙ୍କ କର୍ପୁର କନା ଆଉ ବୀର ଭାଇ

ବିଜୁବାବୁଙ୍କ କର୍ପୁର କନା ଆଉ ବୀର ଭାଇ

Share :

ପଦ୍ମନାଭ ଦାଶ (ଟୁକୁ)   ଏହି ଶିରୋନାମାଟା ସେମିତି କୋଉ ବଡ ମଣିଷଙ୍କ ନାଁକୁ ଯୋଡି ମୁଁ ଲେଖିନାଇଁ । ହେଲେ ମଣିଷ ଭଳିଆ ମଣିଷ ତିନିଜଣଙ୍କ ନାଁକୁ ନେଇ ଶତବାର୍ଷିକୀରେ ଦି ଧାଡି କଲମ ମୁନରେ ଲେଖିବାକୁ ଉଚିତ ମନେକଲି । ଏଇଥିପାଇଁ ଯେ ଯୋଉ ଅମୃତ ଆଲୋକ ମଣିଷ ଯାହାଙ୍କ ପାଇଁ ଆଜି ରାଇଜସାରା ଏତେ ଉତ୍ସବ ସମାରୋହ, ଟଣାଓଟରା ପ୍ରତିପତ୍ତିର ଟିକିଏ ଝଲକ ପାଇଁ ଗଣମାଧ୍ୟମ ଟିଭି, ଖବରକାଗଜ ଆଦିରେ ଅପାଂକ୍ତେୟ ବକ୍ତୃତା ଦିଆନିଆ ଚାଲିଛି ତା ଭିତରେ ମୁଁ ଯଦି ଏ ନିଚ୍ଛକ ନିରଳସ, ଆଜ୍ଞାବହ, ସରଳ ମଣିଷ ଦି ତିନିଜଣଙ୍କ କଥା ଦି ଧାଡି ପାଠକ ପାଖରେ ଗାରେଇ ନ ଥୋଇଦେବି ତେବେ ମୋ ଭିତରର ଭାବନାଟା ଟିକିଏ ସ୍ବସ୍ଥି ଅନୁଭବ କରିବ ନାହିଁ । ବୀର ଭାଇ, ବନ୍ଧୁ, ଖଇରାତି, ବିଦେଶୀ ଏଇମିତିଆ କେତେ ଗୁଡାଏ ନିଇତି ଡକା ନାଁକୁ ସେଇ ପ୍ରବାଦ ପୁରୁଷ ଦିବଂଗତ ଅମୃତ ଆଲୋକର ମଣିଷ ବିଜୁବାବୁ ତାଙ୍କ ଶେଷ ସମୟ ପୂର୍ବରୁ ତନ୍ନ ତନ୍ନ କରି ଆପଣେଇ ନେଇ ଥିଲେ । ଦିନଚର୍ଯ୍ୟାରେ ଆବଶ୍ୟକ ଅନୁଭବକୁ ଯୋଗାଡି ଦେବାରେ ସିଦ୍ଧ ଦକ୍ଷତାକୁ ସମୟ ଚକ୍ରରେ ହାସଲ କରି ଯିଏ ଯିଏ ଯେଝା କ୍ଷେତ୍ରରେ ଏମିତି ପାରଙ୍ଗମ ଥିଲେ ଯେ ସେମାନଙ୍କ ସେଇ ମହାନ ଦୁରଦ୍ରଷ୍ଟା ବିଜୁବାବୁଙ୍କର ନିତ୍ୟ ନୈମିତିକ ଚଳଣି ସେବା ଟିକକ ଅତ୍ୟାବଶ୍ୟକ ହେଇ ପଡିଥାଏ । ସେଇଥିନେଇ ୰ବିଜୁ ପଟ୍ଟନାୟକଙ୍କ ସଂସ୍ପର୍ଶରେ ଆସୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ସହ ଆତ୍ମୀୟତା ଓ ଆବଶ୍ୟକତାକୁ ମଧ୍ୟ ଅନୁଭବ କରୁଥିଲେ । ଏହି କର୍ମଚାରୀମାନେ ଅବକ୍ଷୟ ମୁଖି ସାମାଜିକ ବ୍ୟବସ୍ଥାରେ ରାଜ୍ୟର ପ୍ରଗତି ସାଙ୍ଗକୁ  ଓଡିଆ ଜାତିର ପ୍ରଗତି ପାଇଁ ଅହରହ ବ୍ୟଥିତ ଓ ବ୍ୟସ୍ତ ଥିବା ବିଜୁବାବୁଙ୍କ ଶୋଇବା, ଖାଇବା ବସିବା ଉଠିବା ସବୁଥିରେ ସେବାକାରୀ ଭାବେ ସେବା ଯୋଗାଇଥିବା ଏଇମାନଙ୍କୁ ଆଉ ଭୁବନେଶ୍ବରରେ ଦେଖିବା ଏବେ ସମ୍ଭବ ନଥିଲେ ବି ବହୁ ସମୟରେ ସେଇମାନଙ୍କର ସ୍ମୃତି ଆଉ କଥା ମନ ଭିତରେ ବାରମ୍ବାର ଆସିଯାଏ । ନବେ ମସିହାରେ ଭୁବନେଶ୍ବରକୁ ନିଜର ନିର୍ବାଚନ ମଣ୍ଡଳୀ ଭାବେ ବାଛି ନେବା ପରେ ଭୁବନେଶ୍ବର ଗାଁ ଗହଳିଠାରୁ ରାଜଧାନୀ ଗୋଟା ଯାକ ଲୋକଙ୍କର ଆଦରର ମଣିଷ ପାଲଟି ଯାଇଥିଲେ ବିଜୁବାବୁ । କି ଦୃଢମନା ବଳିଷ୍ଠ ବ୍ୟକ୍ତିତ୍ବ ସେ କଥା ଭାବିଲା ବେଳେଏବେ ତୁଣ୍ଡରୁ ବାହାରିଯାଏ କଣ ଥିଲା ସେ ବେଳର ରାଜନେତାଙ୍କର ବିଚାର ବ୍ୟବହାର ଓ ଭାବଗତ ପ୍ରତିଷ୍ଠା, ଆଉ ଆଜି ସେ ସବୁ କଅଣ ହୋଇଯାଇଛି? ସେ ଯା ହେଉନା କାହିଁକି ରାଜଧାନୀର ଫରେଷ୍ଟପାର୍କ ପାଖ ଜନତାଦଳ ଅଫିସ ଆଉ ଏରୋଡ୍ରମ ଗେଟ ସାମନା ନବୀନ ନିବାସ ଏଇ ଦୁଇ ଘରେ ଏ ସେବାକାରୀଙ୍କର ଆତଯାତ ଥିଲା ସକାଳ ପ୍ରହରୁ ରାତ୍ରୀର ମଧ୍ୟଭାଗ ଯାଏ । ନିରବଚ୍ଛିନ୍ନ ଭାବେ ନିଜକୁ ସଜାଡି ସେବା କରି ଚାଲିଥିବା ସେଇ ମଣିଷମାନଙ୍କ ସାଙ୍ଗରେ ଥିଲା ମୋର ଅତ୍ୟନ୍ତ ଆନ୍ତରିକ ଭାବ, କେତେବେଳେ ବି ପାଣିଗିଲାସେ ଚା କପେ ବଢେଇ ଦେଇ ଯେତିକି ଭଲ ମନ୍ଦ ପଚାରି ବସୁଥିଲେ ସେଇଥିରେ ପେଟ ପୂରି ଯାଉଥିଲା । ଠିକ ମନେ ପଡୁଛି ସେଇ ବଡ ମଣିଷ ପ୍ରବାଦ ପୁରୁଷ ଦେହ ଛାଡି ଚାଲିଗଲା ପରେ ଗୋଟିଏ ଦିନର କଥା । ଅମୃତ ଆଲୋକରେ ଆଲୋକିତ ହୋଇଥିବା ରାଜନେତାଙ୍କର ଦଳଅଫିସ ଆସିବା ବିଜୁବାବୁଙ୍କ ଯିବା ପରେ ଆଗଭଳି ସେମିତି ନଥାଏ । କିଛି ବରିଷ୍ଠ କର୍ମକର୍ତ୍ତା ସକାଳ ସଂଧ୍ୟାରେ ମିଳିତ ହେବାକୁ ଯାହା ସମୟ ମିଳିଲେ ଦଳ ଅଫିସ ପାଖକୁ ଆସନ୍ତି । ନଚେତ୍ ଦଳର କାର୍ଯ୍ୟକ୍ରମ କିମ୍ବା ଡକରା ହକରା ଥିଲେ ଆସନ୍ତି । ଦଳ ଅଫିସ ଭିତରେ ଖୁବ୍ ଭାଙ୍ଗି ପଡିଥାନ୍ତି ସେଇ ବଡ ମଣିଷ ପାଖରେ ଥିବା ସେବାକାରୀ ମଣିଷ ବୀର ଭାଇ, ବନ୍ଧୁ, ଇତ୍ୟାଦି କାନ୍ଧ ପକା ତଉଲିଆ, ଗାଭୁଛାଟାରେ ଧୂଳିଲଗା ଚଉକି ଝାଡି ଦେଇ ବସିବାକୁ କହନ୍ତି । ସବୁ କହି ପକାନ୍ତି ଆମ ପେଟ ଏବେ ଚିହ୍ନିବ କିଏ ? ସତକୁ ସତ ସେଇଆ ହେଲା । ବିଜୁବାବୁ ଯିବା ବରଷେ ହେଇନି ଦଳ ଅଫିସର ଏଇ ସେବାକାରୀ ମଣିଷଙ୍କର ଛୁଆ ଗୁଡାକଙ୍କର ପାଠ ପଢିବା ବନ୍ଦ ହେଇଗଲା । ସହର ବଜାରରେ ଖାଇବା ନଥିଲେ କି ରୋଜଗାର ନଥିଲେ କୋଉଠୁ ବା କାହାକୁ ହାତ ପତେଇ ମାଗିବେ ? କିଏ ବା ଦବ ! ଦବା ଲୋକ ବୁଝିବା ଲୋକ ଚାଲି ଗଲାପରେ ଏମାନଙ୍କ ଉପରେ ଯୋଉ ଚଡକ ପଡିଲା ଏମାନଙ୍କ ଉପରେ କେହି ଦିନେ ଏମାନଙ୍କ କଥା ବୁଝିଲେ ନାଇଁ । ଯିଏ ସବୁଠାରୁ ବେଶି ନିୟତକାରୀ ସେ ଥିଲା ସିଏ କହୁ କହୁ ଦିନେ କାନ୍ଦି ପକେଇଲା, ମୋ ହାତ ଧରି ଦିନେ ଟାଣି ନେଲା ସେହି ଜନତା ଦଳ ଅଫିସ ପଛ କଡ ଆଉଟ ହାଉସରେ ରହୁଥିବା ତା ବଖରା ଭିତରକୁ । ଗୋଟାଏ ବଡ, ଗଣ୍ଠିଲିଟାଏ ସିଏ ବାନ୍ଧି ରଖିଥିଲା । ତାକୁ ମୋ ଆଗରେ ଖୋଲି ପକେଇଲା । ମୁଁ ପଚାରି ଚାଲିଥାଏ ବୀରଭାଇ ଇଏ କଅଣ ! ସେ ମତେ ଟିକିଏ ଗୁମମାରି ଉତ୍ତର ଦେଲା, ମୋ ଜୀବନର ଇଏ ସବୁ କିଛି । ଇଏ କର୍ପୁର ବନ୍ଧା ପୁଟୁଳି, ସତକୁ ସତ ତା ଭିତରେ ଥିଲା ବିଜୁବାବୁଙ୍କ ଦି ତିନି ହଳ କୁର୍ତ୍ତା, ବିଜୁବାବୁ ପାଇଥିବା କିଛି ଉପହାର, ଫଳକ ଆଉ ବ୍ୟବହାର କଲମ ଦାନୀ, ପ୍ଲେଟ, ଆଉ କିଛି ବିଜୁବାବୁଙ୍କୁ ସେଇ ଅଫିସ ଦପ୍ତରରେ ମିଳିଥିବା ସ୍ମାରକୀ ମୋମେଣ୍ଟୋ । ସେଇ ଭିତରୁ କିଛି କିଛିକୁ ଧରି ଚିହ୍ନେଇ ଦେଇ ଦେଖଉଥାଏ ଏଇତକ ଏ ଘର ମୁଁ ବାନ୍ଧିକରି ଏ ପୁଟୁଳିରେ ରଖିଛି । ସବୁ ବହି ଆଉ ଯାହା ବଡ ବଡ ଉପହାର ସବୁ ଥିଲା ଏ ଦୁଃଖ ସମୟରେ ଦଳ ଅଫିସରୁ କିଏ କୁଆଡେ ସବୁ ନେଇଗଲେ । ମୋର ବା କଅଣ ହେଇଥାଆନ୍ତା । ହେଲେ ସ୍ମାରକୀ ଭଳିଆ ରହିଥିଲେ କଅଣ ବା କ୍ଷତି ହେଇଥାଆନ୍ତା । କେହି କିଛି ବୁଝିଲେ ନାହିଁ କି କିଛି ରଖିଲେ ନାହିଁ । ଏଇତକ ମୁଁ ବାନ୍ଧି କରି ରଖିଛି । ମୁଁ ଭାବି ଯାଉଥାଏ ସତରେ କି ଭଲ ପାଇବା ! ସେ ବୀରଭାଇ ଆଉ ବନ୍ଧୁ ଆଦିଙ୍କର ସେ ଜିନିଷ ବା ତାଙ୍କର କଅଣ ହେବ ? ହେଲେ ସ୍ମୃତିର ସିନ୍ଧୁକରେ ତାଙ୍କ ପାଖରେ କର୍ପୁରଭିଡା କପଡାର ମୂଲ୍ୟ ଯେ କେତେ ଅଧିକ ତାକୁ ମୁଁ ତନ୍ନେ ତନ୍ନେ ତା ଭିତରେ ଅନୁଭବ କରୁଥିଲି । ଇଂରାଜୀରେ ପିଲାଙ୍କ ରାମାୟଣ ମୋଟା ବହିଟିଏ କିଏ ବିଜୁ ବାବୁଙ୍କୁ ଦେଇଥିଲା । ତାକୁ ମୋ ହାତକୁ ବଢେଇ ଦେଇ ବୀରଭାଇ କହିଲା ଟୁକୁବାବୁ ଏଇଟା ନେଇଯାଅ, ତୁମେ ହେଲେ ପଢିବ ବୁଝିବ ଆମର ଇଠି କଅଣ ହେବ ! ସେ ଦିନ ସେ ବହିଟି ଧରି ଛଳ ଛଳ ଆଖିରେ କପଡା ଗଣ୍ଠିଲିଟା ପୁଣି ସାଇତିକରି ବୀରଭାଇ ବାନ୍ଧିବାକୁ ଗଲାବେଳେ ମୁଁ ଲକ୍ଷ କରି ଭାବୁଥାଏ ସତରେ ଗୋଟାଏ ବରିଷ୍ଠ ଲୋକପାଖରେ ରହି ଏତେ ସରଳ ହୋଇ ଜନ୍ମ ହୋଇଥିବା ଏ ମଣିଷଙ୍କୁ ଆଉ କିଏ ବଂଚିବାର ରାହା ହେବ ? ସତକୁ ସତ ତାହା ହିଁ ହେଲା । ୟା ଭିତରେ ଅନେକ କିଛି ବଦଳି ଗଲା । ବିଜୁବାବୁଙ୍କ ଅନ୍ତେ ତାଙ୍କ ପୁଅ ଆସିଲେ । ତାଙ୍କ ନାଁରେ ଆଉ ଗୋଟାଏ ରାଜନୈତିକ ଦଳ ଗଢା ହେଲା । ବଢିଆ । ମୁଖ୍ୟମନ୍ତ୍ରୀ ହେଲେ । କିନ୍ତୁ ସେଇ ସରଳ ମଣିଷ କେଇଟାଙ୍କର ଏ ବଢିଆ ଦଳ କି ଦଳପତିଙ୍କ ପାଖରେ ପଶିବାର ରାସ୍ତା ନଥିଲା କି, ଏମାନଙ୍କୁ ପୁରୁଣା ବିଶ୍ବସ୍ଥ ବୋଲି କେହି ଚିହ୍ନିବାର ମଣିଷ ମଧ୍ୟ ସେତେବେଳକୁ ବୀରଭାଇ କି ବନ୍ଧୁ ଆଦିଙ୍କ ଭାଗ୍ୟରେ ଜୁଟିଲେ ନାହିଁ । କିଛି ଦିନ ପରେ ବଂଚିବାର ସଂଗ୍ରାମରେ ହାରିଯାଇ ଯିଏ ଯେଝାର ଗାଁକୁ ଫେରିଗଲେ । ବୋଧହୁଏ ଆଉ ଏବେ ଏମିତିକି ରାସ୍ତା ଘାଟରେ ବି ସେମାନଙ୍କୁ ଦେଖିବାର ସୁଯୋଗ ମୋ ଭାଗ୍ୟରେ ଜୁଟି ନାହିଁ । ଯାହାକୁ ପଚାରିଲେ ସିଏ ମତେ କହି ଦେବ ବିଦେଶୀ, ବୀର, ବନ୍ଧୁ ଆଦିଙ୍କ ଠିକଣା । ପରିବର୍ତ୍ତନଶୀଳ ବ୍ୟବସ୍ଥାରେ ବିଜୁବାବୁଙ୍କ ଅତ୍ୟନ୍ତ ଆତ୍ମିକ ମଣିଷମାନଙ୍କ ସହ ଯେତେ ଦେଖା ହେଲେ ବି ବେଶୀ ମନେ ପଡନ୍ତି ସେବାକାରୀ ପରିଣତ ବୟସର ବୀରଭାଇ, ବନ୍ଧୁ କଥା । ବିଜୁବାବୁଙ୍କ ଯିବାର ବର୍ଷେ ଦି ବର୍ଷ ପରେ ହେବ ବୋଧ ହୁଏ । ଗୋଟାଏ ଦିନ ସୌଭାଗ୍ୟ ଜୁଟିଥିଲା ଆଉ ଜଣେ ମହାତ୍ମା ଯିଏ ନିଜ ହାତରେ ପରଶମଣୀ ସ୍ପର୍ଶରେ ବିଜୁବାବୁଙ୍କ ପ୍ରିୟ ଖାଦ୍ୟ ପ୍ରସ୍ତୁତ କରି ବାଢି ଦେଇ ଆସୁଥିଲେ ଜୀବନର ଶେଷଯାଏ, ସେଇ ଖଇରାତି ଚାଚାଙ୍କ ଘରେ ଆତିଥ୍ୟ ପାଇବାକୁ । ସାଲେପୁର ଅଂଚଳ ଖଇରାତି ଚାଚା ନିଜ ଘରକୁ ବାହୁଡି ଗଲା ପରେ ଗୋଟାଏ ଦିନ ସିଏ ତାଙ୍କ ଘରେ ଗୋଟାଏ ନିଜ ହାତ ରନ୍ଧା ଭୋଜି ଆୟୋଜନ କରି ନିମନ୍ତ୍ରିତ କରିଥିଲେ । ସେଦିନ ବିଜୁବାବୁଙ୍କ ସହକର୍ମୀ ସୁରବାବୁ, ପ୍ରଫୁଲ୍ଲବାବୁ, ନଳିନୀବାବୁଙ୍କ ଠାରୁ ଦାମବାବୁଙ୍କ ପର୍ଯ୍ୟନ୍ତ ସମସ୍ତେ ନିମନ୍ତ୍ରିତ ହେଇ ପହଞ୍ଚିଥିଲେ । ବୋଧହୁଏ ସେଦିନ ଖଇରାତି ଚାଚା ଘର ଛାତ ଉପରେ ସେମିତି ଅଳପ କାନକୁ ଶୁଭୁଥିବା ରୋଷେଇ କରି ଖାଇବାକୁ ଡାକିଥିବା ସ୍ନେହି ମଣିଷ ପାଖରୁ ପାଇଥିବା ଭାବ ଏବଂ ଆତ୍ମୀୟତା ରାତି ଘଡିଏ ପର୍ଯ୍ୟନ୍ତ ମୋତେ ଓ ଅନ୍ୟମାନଙ୍କୁ ବାନ୍ଧି ରଖିଥିଲା ସେଠାରେ । ୟା ଭିତରେ ବିଜୁ ବାବୁଙ୍କ ପାଖରେ ଚଳିଥିବା ମଣିଷ ନ ଚଳିଥିବା ମଣିଷ ତାଙ୍କ ପୁଅ ସମସ୍ତେ ମିଶି ସରକାରକୁ ଆସିଲେ । ପ୍ରବାଦ ପୁରୁଷ ଜନନାୟକ ଫଟୋ ମୂର୍ତ୍ତି ସହରଠାରୁ ଜନ ଗହଳି ସବୁ ଠେଇଁ ଠିଆ କରେଇ ରଖିଛନ୍ତି । ଜନ୍ମ ଦିବସ ଶ୍ରାଦ୍ଧଦିବସ ସବୁ ଚାଲିଛି, ବିଜୁବାବୁଙ୍କ ନାଁରେ ଅନେକ ଯୋଜନା, ଅନୁଷ୍ଠାନ ଗୋଟାଏ ପରେ ଗୋଟାଏ ନାମିତ ହେଇ ଚାଲିଛି । ସେ ବେଳର ଅବସ୍ଥା ନାଇଁ, ନିର୍ବାଚନ କି ଦଳର ଉତ୍ସବ ମହୋତ୍ସବ ଆଦି ବହୁ ଆଡମ୍ବରରେ ପାଳନ କରା ଚାଲିଛି ସେଇ ଆଦର୍ଶ ପୁରୁଷଙ୍କ ନାଁକୁ ପ୍ରତୀକ କରି । ହେଲେ ବୀରଭାଇ ବନ୍ଧୁ ଏ ଜନଗହଳି ଭିତରେ ନିରୁଦ୍ଦିଷ୍ଟ ହୋଇ ଥିଲାବେଳେ ଜନତା ଦଳର ପୁରୁଣା ମଣିଷ ଯେଉଁମାନେ ବିଜୁବାବୁଙ୍କ ପାଖରେ ଚଳି ଆସିଥିଲେ ସେମାନେ ବିଜୁବାବୁଙ୍କ ପୁଅ ପାଖରେ ଆଜି ଅନାବଶ୍ୟକ ମଣିଷ ହୋଇ ପଡିଛନ୍ତି । ବେଳେ ବେଳେ ବୀରଭାଇ, ମୁହଁଟା ଆଖି ଆଗରେ ଝଲସି ଯାଏ । ବିଜୁବାବୁ ନିର୍ବାଚନ ସମୟ ହେଉ କି ଦଳର କାର୍ଯ୍ୟକ୍ରମ ସମୟ ହେଉ ନିର୍ବିଘ୍ନରେ ନିଶ୍ଚିନ୍ତରେ ଶାରଦା ବାବୁ, ବୀରଭାଇ ହାତରେ ସମସ୍ତ ଖର୍ଚ୍ଚ ଅର୍ଥ ବାଣ୍ଟିବାକୁ ଦେଇ ଚାଲିଯାଆନ୍ତି । ସରଳ ନିର୍ଲୋଭୀ ମଣିଷ । ନିଷ୍ପପଟ ହୃଦୟ ଧରି ଶେଷ ଜୀବନ ପର୍ଯ୍ୟନ୍ତ ଗୋଟାଏ ଦିନ ବି ସେ ସମୟରେ ନିଜ ପାଇଁ କୋଉ ନେତା ମନ୍ତ୍ରୀଙ୍କୁ ହାତ ପତେଇ ନଥିଲେ । ଆଜି ଏ ଶେଷ ଜୀବନରେ ସେଇ ସଂସ୍କାର ନେଇ ଦିବଂଗତ ଦେବୋପମ ପ୍ରବାଦ ପୁରୁଷ ପାଖରୁ ଯେଉଁ ଆଲୋକ ଟିକକ ବାହାରି ଯେଉଁମାନଙ୍କୁ ସ୍ବାଭିମାନ, ନିର୍ଭୀକତା ଦାମ୍ଭୀକତାରେ ବଂଚିବାର ରାହା ଦେଖେଇଥିଲା ସେମାନେ ଆଜି ଯେଉଁଠି ଥିଲେ ବି ସେଇ ପ୍ରବାଦ ପୁରୁଷଙ୍କୁ ଏବେ ବି ହୃଦୟରୁ ଛାଡିପାରି ନାହାନ୍ତି । ବିଡମ୍ବନା, ଅବକ୍ଷୟ ମୁଖି ବିଚାରଧାରାରେ ବୀରଭାଇ ଭଳି ଆମତ୍ିକ ମଣିଷକୁ ଟିକେ ଦେଖିବାପାଇଁ ବେଳେ ବେଳେ ମୋର ମନ ହୁଏ, ଆଉ ଭାବୁଥାଏ ସେଇଦିନ ମୋତେ ଦେଖେଇଥିବା କର୍ପୁର ପୁଟୁଳି ଯାହା ସିଏ ବାନ୍ଧି ରଖି ସମ୍ମାନ ଓ ଭକ୍ତି ଢାଳି ଚାଲିଥିବା ମାନବ ଧର୍ମୀ ଭାବନା କଥା । ବୀର ଭାଇ ! ସତରେ ତୁହିଁ ସେଇ ଜନନାୟକଙ୍କର ଆତ୍ମାର ଦରଦୀ ନିଚ୍ଛକ ପ୍ରତିକ ମଣିଷ । ଆଜି ଏ ଦିନରେ ସେଇ ଦିବଂଗତ ଜନନାୟକ ପ୍ରବାଦ ପୁରୁଷ ବିଜୁବାବୁଙ୍କ ଶତ ବାର୍ଷିକୀରେ ପ୍ରଣାମ । ୪୪୫, ଶହୀଦ ନଗର, ମୋ. : ୯୮୬୧୧୦୨୫୩୨

Share :