ଟ୍ରେନରେ ବାୟୋ ଟଏଲେଟ୍ ଲକ୍ଷ୍ୟ ପୂରଣ ହେବ ?

ଟ୍ରେନରେ ବାୟୋ ଟଏଲେଟ୍ ଲକ୍ଷ୍ୟ ପୂରଣ ହେବ ?

Share :

    ୨୦୧୬-୧୭ ସୁଦ୍ଧା ସବୁ ନୂଆ ଯାତ୍ରୀବାହୀ ରେଳଡବାଗୁଡିକରେ ପୁରୁଣାକାଳିଆ ତଥା ଖୋଲା ପାଇଖାନାକୁ ବନ୍ଦ କରିଦିଆଯିବ ଓ ୨୦୨୧ ସୁଦ୍ଧା ସବୁ ଟ୍ରେନରେ ବାୟୋ ଟଏଲେଟ୍ ବ୍ୟବସ୍ଥା ହୋଇଯିବ ବୋଲି ରେଳ ମନ୍ତ୍ରାଳୟ ପକ୍ଷରୁ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ କୁହାଯାଇଥିଲା । ଏହି ପ୍ରତିଶ୍ରୁତି ପରେ ଏହାକୁ ନେଇ ରେଳବାଇ ବିରୋଧରେ ଚାଲିଥିବା ମାମଲାକୁ କମିଶନ ବନ୍ଦ କରିଥିଲେ । କିନ୍ତୁ ରେଳବାଇ ପାଖରେ ଏହି ପ୍ରତିଶ୍ରୁତି ପାଳନ କରିବା ଲାଗି ନିର୍ଦ୍ଦିଷ୍ଟ ଯୋଜନା ନଥିବା ସୂଚନା ଅଧିକାର ଆଇନ ବଳରେ ମଗାଯାଇଥିବା ତଥ୍ୟରୁ ଜଣାପଡିଛି । ଆସନ୍ତା ଦୁଇ ବର୍ଷ ମଧ୍ୟରେ କେତେ ରେଳ ବଗିରେ ବାୟୋ-ଟଏଲେଟ୍ ଲଗାଯିବାର ଲକ୍ଷ୍ୟ ରଖାଯାଇଛି ବୋଲି ପଚାରାଯିବାରେ ରେଳବାଇ ସୂଚନା ଅଧିକାରୀ କହିଛନ୍ତି ଯେ ଏ ସମ୍ପର୍କିତ ସୂଚନା ଉପଲବ୍ଧ ନୁହେଁ । ଡିସେମ୍ବର ୨୦୧୩ରେ ମାନବାଧିକାର କର୍ମୀ ଅଖଣ୍ଡ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ଦର୍ଶାଇଥିଲେ ଯେ ଦେଶରେ ଦୈନିକ ୮୭୦୦ ଟ୍ରେନରେ କୋଟିଏରୁ ଅଧିକ ଯାତ୍ରୀ ଯିବା ଆସିବା କରନ୍ତି । ଏହି ଟ୍ରେନ୍ ଗୁଡିକ ପାଖାପାଖି ୭୦୦୦ ଷ୍ଟେସନ ଦେଇ ଯାଇଥାଏ । ଆଉ ଯାତ୍ରୀମାନଙ୍କର ମଳମୂତ୍ର ସବୁଆଡେ ପଡି ସାରା ଦେଶର ପରିବେଶକୁ ନଷ୍ଟ କରିଥାଏ । ଖୋଲା ପଡିଆରେ ମଳମୂତ୍ର ପଡୁଥିବାରୁ ଜଳବାହିତ ଓ ପରିମଳ ସମ୍ପର୍କିତ ରୋଗ ହେବାର ଆଶଙ୍କା ଅଧିକ । କମିଶନ ଏହାକୁ ବିଚାର କରି ରେଳ ବୋର୍ଡର ଅଧ୍ୟକ୍ଷଙ୍କୁ ନୋଟିସ୍ ଜାରି କରିଥିଲେ । ରେଳ ବୋର୍ଡ ପକ୍ଷରୁ ଦିଆଯାଇଥିବ ଜବାବରେ କୁହାଯାଇଥିଲା ୨୦୧୬-୧୭ ସୁଦ୍ଧା ଖୋଲା ପାଇଖାନା ଥିବା ରେଳ ବଗିଗୁଡୁକର ଉତ୍ପାଦଦନକୁ ବନ୍ଦ କରିଦିଆଯିବାକୁ ନିଷ୍ପତି ନିଆଯାଇଛି । ସେହିପରି ୨୦୨୧-୨୨ ସୁଦ୍ଧା ଖୋଲା ପାଇଖାନା ବଦଳରେ ସବୁ ବଗିରେ ବାୟୋ ଟଏଲେଟ୍ ବ୍ୟବସ୍ଥା କରିବାକୁ ଯୋଜନା କରାଯାଇଛି । ରେଳବାଇ ଏ ଦିଗରେ କି ପଦକ୍ଷେପ ନେଇଛି ତାହା ଜାଣିବା ଲାଗି ଆବେଦନକାରୀ ଅଖଣ୍ଡ ଗତମାସ ଜାନୁୟାରୀ ୫ ତାରିଖରେ ରେଳ ମନ୍ତ୍ରାଳୟକୁ ସୂଚନା ଅଧିକାର ବଳରେ କେତେକ ପ୍ରଶ୍ନ ପଚାରିଥିଲେ ।  ସେ ପଚାରିଥିଲେ ୨୦୧୬ ଓ ୨୦୧୭ରେ କେତୋଟି ରେଳ ବଗିରେ ବାୟୋ-ଟଏଲେଟ୍ ଲଗାଇବାକୁ ରେଳବିଭାଗ ଲକ୍ଷ୍ୟ ରଖିଛି । ଏ ସମ୍ପର୍କରେ କିଛି ନିଷ୍ପତି ହୋଇଛି କି ? ଏହାର ଉତ୍ତରରେ ରେଳବାଇର କେନ୍ଦ୍ରୀୟ ସୂଚନା ଅଧିକାରୀ ତଥା ମେକାନିକାଲ ଇଂଜିନିୟରିଂ ବିଭାଗର ନିର୍ଦ୍ଦେଶକ ବିନୟ କୁମାର ଝା ଉତରରେ ଜଣାଇଛନ୍ତି ଯେ ଏସମ୍ପର୍କିତ ତଥ୍ୟ ଉପଲବ୍ଧ ନୁହେଁ । ତେବେ ୨୦୧୫-୧୬ରେ କେବଳ ୨୭୦୦ ବଗିରେ ବାୟୋ-ଟଏଲେଟ୍ ବ୍ୟବସ୍ଥା କରାଯାଇଛି ବୋଲି ସେ ଦର୍ଶାଇଛନ୍ତି । ଏପରି ଗତିରେ ଗଲେ ୨୦୨୧-୨୨ ସୁଦ୍ଧା ମୋଟ୍ ୫୦ ହଜାର ବଗିରେ ଏହି ବ୍ୟବସ୍ଥା କରିବାରେ ରେଳବାଇ ସଫଳ ହେବା ନେଇ ଅଖଣ୍ଡ ଆଶଙ୍କା ପ୍ରକାଶ କରିଛନ୍ତି । ପୁଣି ରେଳ ମନ୍ତ୍ରାଳୟ ନିକଟରେ ଏହାକୁ ନେଇ ବର୍ଷ ଉଆରି ଯୋଜନା ପ୍ରସ୍ତୁତ ନହେବାରୁ ଜଣାପଡୁଛି ଯେ ଅଧିକାରୀମାନଙ୍କର ଏନେଇ ଆନ୍ତରିକତାର ଅଭାବ ରହିଛି । ଏହି ପ୍ରସଙ୍ଗରେ ସେ ପୁଣି ଥରେ ମାନବାଧିକାର କମିଶନଙ୍କ ନିକଟରେ ମାମଲା କରିବେ ବୋଲି ସୂଚନା ଦେଇଛନ୍ତି ।

Share :