ଗୁଡ଼ି

ଗୁଡ଼ି

Share :

ରବି କାନୁନଗୋ   ‘ଉଡ଼ି ଉଡ଼ି ଉଡ଼ି ଉଡି / ଯା’ରେ ଉଡ଼ି / ହେ ମୋର ଗୁଡ଼ି ଖାଆନା ଖାଆନା ତୁ କାନି / ହେ ମୋ ଲଚକମାଣି କଲିକତୀ ଲଟେଇ ମୋର / ନମ୍ବରୀ ସୂତାରେ ମାଞ୍ଜା ପଟାଦାର ବନିଯା’ ରାଣୀ / ମୋ ଠିକିରି ହେବ ତୋ ରାଜା ଟିକିଏ ସୁର୍କି ଦେଲେ / ନେଇ ଯା’ ଯା’ ଯା’ ଲୋଟଣୀ ହେ ମୋ ଲଚକମାଣି  ଆହାଲୋ ଗଙ୍ଗା ଯମୁନା / ମୋ ଠିକିରି ତୋହରି ବାବା ଆକାଶେ ବୁରୁନ୍ଦୁ ହୋଇ / ତତେ ସେ କରିବ କାବା ପଡ଼ିବୁ ପେଏଣ୍ଟ ସାଥେ / ସାରିଦେବ ତୋର ରଙ୍ଗ ଯବାନୀ ହେ ମୋ ଲଚକମାଣି‘ (ଓଡ଼ିଆ ଚଳଚ୍ଚିତ୍ର ’କିଏ କାହାର’, ୧୯୬୮, ଗୀତିକାର : ଅକ୍ଷୟ ମହାନ୍ତି) ଭାବିଲେ ବିସ୍ମିତ ଲାଗେ, କେତେକ ଅନୁମାନ କାଳ ଟପି କିଳା ସମ ଏତେ ଆକ୍ୟୁରେଟ୍ ହୋଇପାରେ ନା! ମଣିଷ ଜୀବନରେ ଅନିଶ୍ଚିତତାର ତାଲିକା ତିଆରି ସମ୍ଭବ ନୁହେଁ । ଗୁଡ଼ି ଉଡ଼େଇବା ହେଉଛି ଏ ତାଲିକାରେ ଏକନମ୍ବର । ‘ ତାହା ଦେଖଣାହାରିଙ୍କ ମନକୁ ଆକାଶ ଆଡ଼କୁ ଟାଣିପାରେ । ପ୍ରତିଯୋଗୀଙ୍କ ଭିତରେ ସୁଯୋଗର ପାତରଅ‘ର କରିବା ବା କରାଇବା ସୁଯୋଗ ଗୁଡ଼ି-ଉଡ଼ାରେ ନ ଥାଏ । ଜମିଦାରଙ୍କ ଛାତରୁ ଉଡ଼ୁଥିବାରୁ ସେ ଗୁଡ଼ି ଯେ ବେଶି ଉପରକୁ ଯିବ - ୟା’ର ଗ୍ୟାରେଣ୍ଟି ନାହିଁ । କାରଣ, ପବନ କ’ଣ ପକ୍ଷପାତ କରେ?  ଇଏ ଏମିତି ଗୋଟେ ଖେଳ ଯେଉଁଥିରେ ଖେଳାଳିଙ୍କୁ କେହି ଅନାନ୍ତିନି, ଲୋକ ଅନେଇଥାନ୍ତି ଆକାଶକୁ ! ଦେଖଣାହାରି - ଏ ବର୍ଗର ଲୋକ ସବୁ ସମାଜ ଏବଂ ସମୟରେ ଥାନ୍ତି । ମନ ବିକିବାକୁ ସଦା ରେଡ୍ଡି । ସେମାନେ ଦଣ୍ଡାରେ ଷଣ୍ଢ-ଲଢ଼େଇ ଦେଖନ୍ତି । ବାବାଙ୍କ ପ୍ରବଚନ ଶୁଣନ୍ତି । ଟିଭିରେ ସିରିଏଲ୍ ଦେଖନ୍ତି । ଖଟିରେ ଦେଶ, ବିଦେଶ, ଧର୍ମ, ଶାସ୍ତ୍ର, ସାହିତ୍ୟ, ନବୀନ ପଟ୍ଟନାୟକ, ପିଆଜ ଦାମ୍, ମୋଦିଙ୍କ ବିଦେଶ ଗସ୍ତର ଚର୍ଚ୍ଚା କରନ୍ତି । ଆହୁରି ବେଳ ମିଳିଲେ - ଫେସ୍-ବୁକ୍ କରନ୍ତି । ଚିତ୍ତ ବିନୋଦନ ନିମନ୍ତେ ଏମାନେ ଗୁଡ଼ି ଉଡ଼ା ଦେଖିବାକୁ ଅଧିକ ପସନ୍ଦ କରନ୍ତି ।  ପରମ ଆଦରଣୀୟ ଗଜାନାନ ମିଶ୍ର ଓ ’ଓଡ଼ିଆ ଭାଷା ସଂଗ୍ରାମ ସମିତି’ ମିଶି ଏବେ ଗୋଟେ ସାଂଘାତିକ ଉଦ୍ୟମରେ ହାତ ମାରିଛନ୍ତି । ତାହା ହେଲା - ଓଡ଼ିଶାରେ ଓଡ଼ିଆ ସରକାରୀ ଭାଷା ହେବ ଏଥିପାଇଁ ସମିତି ସଂଗ୍ରାମ ଜାରି ରଖିଛି ଗଜାନନ । ବାବୁ ସାରା ରାଜ୍ୟରୁ ଅସଂଖ୍ୟ ଭାଷାପ୍ରେମୀ ବନ୍ଧୁ ଓ ଅନୁଷ୍ଠାନ ସହଯୋଗରେ ଆମରଣ ଅନଶନ କରିଥିଲେ । ସେତେବେଳେ ଆମକୁ ଭୟ ଲାଗିଥିଲା । ଭାବୁଥିଲୁ - ଏ ସରକାର ହୁଙ୍କିବ ନାହିଁ । ନବୀନ ପଟ୍ଟନାୟକ କ’ଣ ଲୋକ-ଗପରେ ଶୁଣି ନ ଥିବେ - ଟିପଚିହ୍ନ ହରଣଚାଳ ଡରରେ ମହିମାମୟ ବୀର ଓଡ଼ିଆ ଜାତିର ଲୋକେ ରାତିରେ ଶୋଇଲାବେଳେ ବାଁ ହାତ ବୁଢ଼ା ଆଙ୍ଗୁଠିରେ ପଟି ଗୁଡ଼େଇ ଶୁଅନ୍ତି ? ୟେଥିକୁ ସରକାର ଓଡ଼ିଆରେ ଚାଲିବ? ଚରଣ ପଟ୍ଟନାୟକ ରାଜ୍ୟ ମୁଖ୍ୟମନ୍ତ୍ରୀ ଓଡ଼ିଆରେ ନୋଟିଂ ପଢ଼ି ଫାଇଲ୍ ସାଇନ୍ କରିବେ ! ଇଲୋ ମା’ - ଇଏ ତ ସାଇନାଇଡ୍ କ୍ୟାପ୍ସୁଲ୍ ପକେଟରେ ଧରି ବୁଲିବା ସାଙ୍ଗରେ ସମାନ ! ନିଜ ଦସ୍ତଖତରେ ନିଜ ଗାଦି ସ୍ବାହା ହୋଇପାରେ ! ପ୍ରାଦେଶିକ ଦଳ ଭାବେ, କେବଳ ବିଜୁବାବୁଙ୍କ ନାଁ ଛଡ଼ା ବିଜଦର ଆଭିମୁଖ୍ୟ କିଛି ନ ଥିଲା କି ଏବେ ବି ନାହିଁ । ପରେ ସେ ସ୍ଥାନ ପୂରଣ କଲା - ବିଜୁ-’ସ୍ବପ୍ନ’ । ଏ ସ୍ବପ୍ନର ସଘନ ଚାଷ କରିଥିଲେ ଦଳର ପୂର୍ବ ମାର୍ଗଗଦର୍ଶକ ସାଂସଦ ପ୍ୟାରୀମୋହନ ମହାପାତ୍ର । କାଳ ଓ ଅବସ୍ଥା ବଦଳିଯିବା ପରେ ଦଳର ବରିଷ୍ଠ ନେତା ଏବଂ ବର୍ତ୍ତମାନର ମନ୍ତ୍ରୀ ଡକ୍ଟର ଦାମୋଦର ରାଉତ ଆଉ ପ୍ରକାରେ ’ବିଜୁ-ସ୍ବପ୍ନ ବାଣ’ ଉତ୍ପାଦନ କଲେ । ତା’ପରେ ’ବିଜୁ-ସ୍ବପ୍ନ’ ସାର୍ବଜନୀନ ହୋଇଗଲା- ଯିଏ ଯାହା କଳ୍ପନା କଲା କହିଲା - ବିଜୁବାବୁ ପରା ଏଇ ସ୍ବପ୍ନ ଦେଖିଥିଲେ । ପାଠକଙ୍କର ମନେ ଥିବ, ୨୦୧୩ ବେଳକୁ ଅତିଷ୍ଠ ହୋଇ ନବୀନ ପଟ୍ଟନାୟକ ସମସ୍ତଙ୍କ ଉପରେ ଆକଟ ଜାରି କଲେ ସତ ମିଛ ଯୋଡ଼ି ଫେଡ଼ି ବାପାଙ୍କ ନାଁରେ ୟାଡ଼ୁସ୍ୟାଡ଼ୁ ସ୍ବପ୍ନ ଦେଖନି । ଯାହାହେଉ, ବିଜୁ-ସ୍ବପ୍ନ ସଂପର୍କରେ ବିଜଦ ନେତାମାନଙ୍କ ଦ୍ବାରା ନିର୍ମିତ ବିଶ୍ବକୋଷ ସଂକଳନ ଦେଖିଲେ ସେଥିରେ ଓଡ଼ିଆ ଭାଷାର ନାଁ ଉଲ୍ଲେଖ ମିଳେ ନାହିଁ ।   ଓଡ଼ିଶାରେ ଓଡ଼ିଆ କାହିଁକି ସରକାରୀ ଭାଷା ନ ହେବ? କଥାଟା ଏକଦମ୍ ଉଆଜିବ୍ । କିନ୍ତୁ ଭାଷା ନାଁରେ ଏ ଦାବି ନୂଆ ନୁହେଁ । ପ୍ରସଙ୍ଗ କେବଳ ନବୀକରଣ ହୋଇଛି ଓ ଅଧିକ ଜନାଭିମୁଖୀ ହୋଇଛି । ମାତ୍ର ସର୍କସର ଝୁଲା ଦୋଳିରେ ଇଏ ତାକୁ ସିଏ ୟାକୁ ଧରିବା ଖେଳ ରହିଛି ଅସମାପ୍ତ । ସବୁ ଦଳର ନେତା ବ୍ୟକ୍ତିଗତ ଭାବେ ’ସଂଗ୍ରାମ ସମିତି’ର ଆନ୍ଦୋଳନକୁ ସମର୍ଥନ ଜଣାଉଥିଲେ ବି ଭାଷା ଯେ ପ୍ରଦେଶର ଆଭିମୁଖ୍ୟ - ଏହାର ରାଜନୈତିକ ଉଚ୍ଚାରଣ କାହାରି ତୁଣ୍ଡରେ ପଶୁ ନାହିଁ । ପ୍ରାୟ ଚାରି ଶହ ବର୍ଷର ଅଳିଆ ଗଦାରେ ପୋତି ହୋଇଥିବା ଗୋଟିଏ ଜାତି କେବଳ ଭାଷାକୁ ଭରସା କରି ଇଂରେଜ ଶାସନରେ ମଥା ଟେକିଲା ତା’ ଦମ୍ଭରେ । ଯଥାତଥା ଭୂଇଁ ସବୁ ମିଶି ’ଓଡ଼ିଶା’ ଏକ ’ପ୍ରଭିନ୍ସ’ ଭାବେ ତିଆରି ହେଲା । ତା’ପରେ ସବୁ ରାଜନୈତିକ ଦଳ ଦ୍ବାରା ଓଡ଼ିଆ ଭାଷା ଅବହେଳିତ ହୋଇଛି । ଏପର୍ଯ୍ୟନ୍ତ ଭାଷାକୁ ନେଇ ଥରକ ପାଇଁ କାହା ମନରେ ବି ନିର୍ବାଚନୀ ଝୁଙ୍କ ପଶିନାହିଁ ।

Share :