୧୫ ବର୍ଷ ଗଲାଣି, କାମ କରିନି ଘରୋଇ ହିଂସା ଆଇନ

୧୫ ବର୍ଷ ଗଲାଣି, କାମ କରିନି ଘରୋଇ ହିଂସା ଆଇନ

Share :

ଘରୋଇ ହିଂସାରୁ ମହିଳାଙ୍କୁ ସୁରକ୍ଷା ଆଇନ ଉପରେ ଅକ୍ସଫାମର ଆଲୋଚନାଚକ୍ର   ମହିଳାଙ୍କୁ ଘରୋଇ ହିଂସାରୁ ସୁରକ୍ଷା ଦେବା ପାଇଁ ଥିବା ଆଇନ କିଭଳି କାର୍ଯ୍ୟକାରୀ ହେଉଛି ଓ ତାହାର ସ୍ଥିତି କଣ ସେ ସଂକ୍ରାନ୍ତରେ ଆଜି ଏଠାରେ ଦିନିକିଆ ଆଲୋଚନାଚକ୍ର ଆୟୋଜିତ ହୋଇଯାଇଛି । ଅକ୍ସଫାମ ଇଣ୍ଡିଆ ପକ୍ଷରୁ ଆୟୋଜିତ ଏହି ଆଲୋଚନା ଚକ୍ରରେ ଓଡିଶା ସମେତ ଛତିଶଗଡ, ତେଲେଙ୍ଗାନା, ତାମିଲନାଡୁ, କର୍ଣ୍ଣାଟକ ଓ କେରଳ ରାଜର ପ୍ରତିନିଧିମାନେ ଯୋଗ ଦେଇଥିଲେ । ଅକ୍ସଫାମ ଇଣ୍ଡିଆ ଓ କ୍ଲାପ ପକ୍ଷରୁ ମିଳିତ ଭାବେ ଏହି ଆଇନ କିଭଳି ଓଡିଶାରେ କାର୍ଯ୍ୟକାରୀ ହେଉଛି ତାହା ଉପରେ ପ୍ରସ୍ତୁତ ସଦ୍ୟତମ ରିପୋର୍ଟ ଉପସ୍ଥାପିତ କରାଯାଇଥିଲା । ପ୍ରାରମ୍ଭରେ ଅକ୍ସଫାମ ଇଣ୍ଡିଆର ଓଡିଶା ଓ ଦକ୍ଷିଣ ଭାରତ ଦାୟିତ୍ବରେ ଥିବା ଆଞ୍ଚଳିକ ପରିଚାଳକ ଶ୍ରୀ ଅକ୍ଷୟ କୁମାର ବିଶ୍ବାଳ ଏ ସଂକ୍ରାନ୍ତରେ ସୂଚନା ଦେଇଥିଲେ । ଅକ୍ସଫାମ ଇଣ୍ଡିଆ ମହିଳା ହିଂସାର ବିଲୋପ ପାଇଁ କାର୍ଯ୍ୟ କରୁଥିବାବେଳେ ଓଡିଶାରେ ମହିଳାମାନଙ୍କ ଉପରେ ହେଉଥିବା ଘରୋଇ ହିଂସା ପ୍ରତିହତ କ୍ଷେତ୍ରରେ ବିଶେଷ ଗୁରୁତ୍ବ ଆରୋପ କରୁଛି । ଏଥିପାଇଁ ଭୁବନେଶ୍ବର, ଢେଙ୍କାନାଳ ଓ କନ୍ଧମାଳ ଠାରେ ତିନୋଟି ସହାୟତା କେନ୍ଦ୍ର ଅକ୍ସଫାମ ପକ୍ଷରୁ ଚଳାଯାଉଛି । ଘରୋଇ ହିଂସା ନିରାକରଣ ଆଇନ କିଭଳି ଠିକଣା ଭାବେ କାର୍ଯ୍ୟକାରୀ ହେବ ସେଥିପାଇଁ ଅକ୍ସଫାମ ବିଭିନ୍ନ   ସଂସ୍ଥା ସହ ମିଳିତ ଭାବେ ଦୀର୍ଘ ଦିନ ଧରି ତାହାର ପ୍ରଚେଷ୍ଟା ଜାରି ରଖିଛି । ମହିଳା ଅଧିକାର ପାଇଁ କାର୍ଯ୍ୟ କରୁଥିବା ସଂସ୍ଥାଙ୍କ ସହ ମିଳିତ ଭାବେ ଜିଲ୍ଲା ଓ ରାଜ୍ୟ ସ୍ତରରୁ ବିଭିନ୍ନ ହିଂସା ଘଟଣାର ତଥ୍ୟ ସଂଗ୍ରହ ସହିତ ତାହାକୁ ସରକାରଙ୍କ ନିକଟରେ ଉପସ୍ଥାପିତ କରୁଛି । ଅକ୍ସଫାମ ପକ୍ଷରୁ ପ୍ରଥମଥର ପାଇଁ ଏଭଳି ନୂତନ ଆଲୋଚନାଚକ୍ର ଆୟୋଜିତ ହୋଇଥିବାବେଳେ ଏଥିରେ ବିଭିନ୍ନ ରାଜର ପ୍ରତିନିଧି ଉପସ୍ଥିତ ରହି ସେମାନଙ୍କ ରାଜ୍ୟରେ ଏହି ଆଇନ କିଭଳି କାର୍ଯ୍ୟକାରୀ ହେଉଛି ତାହାର ସୂଚନା ଦେଇଥିଲେ । ଏଥିରେ ଓଡିଶା ଏସଆରସିଡବ୍ଲୁର ଡକ୍ଟର ଅମୃତା ପଟେଲ, ତେଲେଙ୍ଗାନାର ମହିଳା ଓ ଶିଶୁ ବିକାଶ ସହନିର୍ଦ୍ଦେଶିକା ଶ୍ରୀମତୀ ଲଳିତା କୁମାରୀ, ଛତିଶଗଡ ରାଜ୍ୟ ମହିଳା କମିଶନର ଅଧ୍ୟକ୍ଷା ଶ୍ରୀମତୀ ହର୍ଷିତା ପାଣ୍ଡେ ପ୍ରମୁଖ ଯୋଗ ଦେଇଥିଲେ । ମହିଳାଙ୍କ କ୍ଷେତ୍ରରେ ଘଟୁଥିବା ଘରୋଇ ହିଂସାର ନିରାକରଣ ଆଇନ କାର୍ଯ୍ୟକାରୀ କ୍ଷେତ୍ରରେ ଏହି ଆଲୋଚନାରୁ ନୂତନ ସମ୍ଭାବନା ସୃଷ୍ଟିହେବ ବୋଲି ଅକ୍ସଫାମ ଇଣ୍ଡିଆ ଆଶା ରଖିଛି । ଯାହା ଫଳରେ ସମଗ୍ର ଦେଶର ମହିଳା ହିଂସାରୁ ରକ୍ଷା ପାଇପାରିବେ ବୋଲି ଅକ୍ଟଫାମର ଆଞ୍ଚଳିକ ପରିଚାଳକ ଶ୍ରୀ ବିଶ୍ବାଳ କହିଥିଲେ । ମହିଳା ଅଧିକାର କ୍ଷେତ୍ରରେ କାର୍ଯ୍ୟ କରୁଥିବା ସଂଗଠନ ଗୁଡିକ ଏଥିରେ ଅଂଶଗ୍ରହଣ କରି ଆଇନର ସ୍ଥିତି ଓ କାର୍ଯ୍ୟକାରିତା ଘେନି ସେମାନଙ୍କର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ । ଏସଆରସିଡବ୍ଲୁର ପ୍ରକଳ୍ପ ସଂଯୋଜିକା ଡକ୍ଟର ଅମୃତା ପଟେଲ ଏବଂ  ତେଲେଙ୍ଗାନାର ଶ୍ରୀମତୀ  ଲଳିତା କୁମାରୀ ଉଭୟ ରାଜ୍ୟରେ ଏହି ଆଇନର ସ୍ଥିତି ସଂକ୍ରାନ୍ତରେ ସୂଚନା ଦେଇଥିଲେ । ଛତିଶଗଡକୁ ପ୍ରତିନିଧିତ୍ବ କରୁଥିବା ଶ୍ରୀମତୀ ପାଣ୍ଡେ ମଧ୍ୟ ସେହି ରାଜ୍ୟରେ ଆଇନର କାର୍ଯ୍ୟକାରିତା ନେଇ ମତ ରଖିଥିଲେ । ଏଠାରେ ଉଲ୍ଲେଖ କରାଯାଇପାରେ ଯେ ଘରୋଇ କ୍ଷେତ୍ରରେ ମହିଳା ହିଂସା ରୋକିବା ପାଇଁ ୨୦୦୫ ମସିହାରୁ ପ୍ରଣୟନ ହୋଇଥିବା ଏହି ଆଇନ ଆଜି ପର୍ଯନ୍ତ ପୂର୍ଣ୍ଣଭାବେ କକାର୍ଯ୍ୟକାରୀ ହୋଇପାରି ନାହିଁ । ବିଶେଷକରି ଅର୍ଥାଭାବ ଓ ମାନବ ସମ୍ବଳର ଅଭାବ ଏ କ୍ଷେତ୍ରରେ ପ୍ରତିବନ୍ଧକ ସାଜିଛି । କେତେକ ରାଜ୍ୟରେ ଏଥିପାଇଁ ସୁରକ୍ଷା ଅଧିକାରୀ ବା ପିଓମାନଙ୍କୁ ଏଥିପାଇଁ  ଅତିରିକ୍ତ ଦାୟିତ୍ବରେ ରଖାଯାଇଥିବାବେଳେ ଆଉ କେତେକ ରାଜ୍ୟରେ ଅର୍ଥାଭାବ ଯୋଗୁଁ ଏହା କାର୍ଯ୍ୟକାରୀ ହୋଇପାରୁ ନାହିଁ । ଘରୋଇ ହିଂସା ବିଶେଷକରି ଶାରୀରିକ, ଆର୍ଥିକ ଓ ଯୌନ ଶୋଷଣର ଶିକାର ହେଉଥିବା ଦେଶର ସଂଖାଧିକ ମହିଳାଙ୍କ ପାଇଁ ଏହି ଆଇନର ବିଶେଷ ଗୁରୁତ୍ବ ଥିବାବେଳେ ଠିକଣା ଭାବେ ଏହା କାର୍ଯ୍ୟକାରୀ ହୋଇପାରୁ ନଥିବାରୁ ସେମାନେ ଏହି ଆଇନରୁ ସହାୟତା ପାଇପାରୁ ନାହାନ୍ତି । ତେଣୁ ସାଧାରଣ ଲୋକେ ବିଶେଷକରି ସାମାଜିକ କର୍ମକର୍ତ୍ତାମାନେ ଏହି ସମସ୍ୟାକୁ ଆଗକୁ ଆଣିବା ସହିତ ସରକାର କିଭଳି ଏହି ଆଇନକୁ ଠିକଣା ଭାବେ କାର୍ଯ୍ୟକାରୀ କରିବେ ଓ ମହିଳାମାନେ ଏଥିରୁ ଉପକୃତ ହେବେ ସେ ଦିଗରେ କାର୍ଯ୍ୟ କରିବାକୁ ବୈଠକରେ ମତପ୍ରକାଶ ପାଇଥିଲା ।

Share :