ଓଡ଼ିଆ ଭାଷା ପାଇଁ ଅନୁଚିନ୍ତା

ଓଡ଼ିଆ ଭାଷା ପାଇଁ ଅନୁଚିନ୍ତା

Share :

ଶୁଭାଶିଷ ପାଣିଗ୍ରାହୀ   ୨୦୧୩ ମସିହାରେ ଭୁବନେଶ୍ବର ସ୍ଥିତ କିସର ମିଳିତ ସହଯୋଗରେ ଊଇକିପିଡ଼ିଆର ବୈଷୟିକ ସୁବିଧା ପରିଚାଳନା କରୁଥିବା ସଙ୍ଗଠନ ଉଇକିମିଡିଆ ଫାଉଣ୍ଡେସନରୁ କିଛି ପାଣ୍ଠି ଅନୁଦାନରେ ସାନ୍ତାଳୀ ଭାଷାର ଲିପି ଅଲଚିକିକୁ କମ୍ପୁଟର ଓ ଇରନେଟରେ ଉପଲବଧ କରିବାର ଏକ ପ୍ରକଳ୍ପ ଆରମ୍ଭ ହେଲା । ବେଙ୍ଗାଲୁରୁ ସ୍ଥିତ ସେଣ୍ଟର ଫର ଇଣ୍ଟରନେଟ ଆଣ୍ଡ ସୋସାଇଟିରେ ଏହି ପ୍ରକଳ୍ପର ରୂପରେଖ ତିଆରି କରାଗଲା । ପ୍ରକଳ୍ପ ଆରମ୍ଭ ହେବାବେଳକୁ ଆମେ ବିଭିନ୍ନ ବକ୍ତିବିଶେଷ ଓ ସଙ୍ଗଠନମାନଙ୍କ ସଙ୍ଗେ ଯୋଗାଯୋଗ କରି ଜାଣିବାକୁ ପାଇଲୁ ଯେ ଚାରିଟି ଦେଶ ଓ କେବଳ ଭାରତର ସାତଟି ରାଜ୍ୟର ୬୩ ଲକ୍ଷରୁ ଅଧିକ ଲୋକଙ୍କ ଦ୍ବାରା କଥିତ ସାନ୍ତାଳୀ ଭାଷା ପାଇଁ ୟୁନିକୋଡ ଫଣ୍ଟ ଖଣ୍ଡିଏ ମଧ୍ୟ ନାହିଁ । ବହି ଛପା ପାଇଁ ଯାହା ବ୍ୟବହାର ହେଉଛି ତାହା ଆନ୍ତର୍ଜାତିକ ମାନକ ୟୁନିକୋଡରେ ହୋଇନଥିବାରୁ ଇଣ୍ଟରନେଟରେ ବ୍ୟବହାର କରିବା ଦୁରୂହ । ଏହାର କିଛି ସମୟ ପରେ ଗୁଗୁଲ ତିଆରି ନୋଟୋ ଫଣ୍ଟ ଆସିଲା । ହେଲେ ସେଇଟି ତିଆରିରେ ନା ସାନ୍ତାଳୀ କହୁଥିବା ଲୋକଙ୍କୁ ପଚରା ଉଚୁରା କରାଗଲା ନା ତିଆରି ପରେ ତାଙ୍କ ସହ ଆଲୋଚନା କରି ଭୁଲ ସୁଧରାଗଲା । ଆଦରରେ ଗୁରୁ ଗୋମକେ ବା ରଘୁନାଥ ମୁର୍ମୁଙ୍କ ତିଆରି ଅଲଚିକି ଲିପିରେ ଲେଖିବା ପାଇଁ ଏବେ ନୂଆ ଫଣ୍ଟଟିଏ ସଜବାଜ ହେଉଛି ରାତି ଦିନ ଧରି ସାନ୍ତାଳୀ ଭାଷାକୁ ଜାବୁଡି ଧରିଥିବା ଅଗଣିତ ଲୋକଙ୍କ ପାଇଁ । ଏହା ସାନ୍ତାଳୀ ଭାଷାରେ ବିଶାରଦ ଓ ସାହିତ୍ୟ ଏକାଡେମୀ ସଦସ୍ୟ ଡ. ଦମୟନ୍ତୀ ବେସରାଙ୍କ ଠାରୁ ସାନ୍ତାଳୀ ପତ୍ରିକା ‘ଫଗୁଣ’ର ଜନ୍ମଦାତା-ଜନ୍ମଦାତ୍ରୀଙ୍କ ମତାମତର ଫଳ । ୟୁନିକୋଡରେ ଫଣ୍ଟ ହେଲେ ଇଣ୍ଟରନେଟରେ ଜ୍ଞାନ ବାଣ୍ଟିବା ଆଉ ଆହରଣ କରିବାର ବାଟ ଖୋଲିବ । ପର ସଂସ୍କରଣକୁ ଅପେକ୍ଷା ନକରି ଆବଶ୍ୟକ ପଡିବା କ୍ଷଣି ନୂଆ ନୂଆ ବିଷୟ ଓ ଘଟଣା ବାବଦରେ ଜାଣିହେବ । ଏ ବିଷୟ ଅବତାରଣାର ଉଦ୍ଦେଶ୍ୟ ଏକ ଭାଷାରେ କେବଳ ସାହିତ୍ୟ ନୁହେଁ କି କଥନ ନୁହେଁ ବରଂ ସେ ଭାଷା କହୁଥିବା ଲୋକେ କିପରି ନିଜ ନିଜ ଭିତରେ ସୁବିଧାରେ ସହଜରେ ଭାବ ଦିଆନିଆ କରିପାରିବେ । ଯଦି ଭାଷାଟିଏ କେବଳ ସାହିତ୍ୟ ଚାଷର ମାଧ୍ୟମ ହୋଇ ଲେଖକ ଓ ପାଠକଙ୍କ ଭିତରେ ବାନ୍ଧି ହୋଇ ରହିଗଲା ତେବେ ସେ ଭାଷା ନୁହେଁ । ଆଉ ଭାଷାକୁ ଜ୍ଞାନ ଓ ଶାସନର ଭାଷା କରିବା ଲାଗି ଲୋଡ଼ା ଆଧୁନିକ ବୈଷୟିକ ଜ୍ଞାନକୌଶଳ । ତେବେ ପ୍ରତିଟି ଭାଷା ପାଇଁ ଆଜିର ଦିନ ହେଉଛି ଜ୍ଞାନ କୌଶଳର ମାପକାଠିରେ ନିଜ ଭାଷାକୁ ମାପିବା ଓ ବାକି ଭାଷା ସଙ୍ଗେ ତଉଲିବାର ଦିନ । ସାନ୍ତାଳୀର ସ୍ଥିତି ତ ଗୋଟେ ପ୍ରକାର । ହେଲେ ଏ ଦେଶରେ ଆହୁରି ୧୯୬ ଗୋଟି ଭାରତୀୟ ଭାଷା ମରଣମୁଖୀ । ଏ ଭାଷା କହୁଥିବା କିଛି ଲୋକ କହିଛନ୍ତି ଆଉ ସେମାନେ ଦିହୁଡି ଆଗରେ ଦିକି ଦିକି ଜଳୁଥିବା ତାଙ୍କ ଭାଷାକୁ ଦେଖି ଭାବୁଥିବେ ଯେ ଆମେ ସେ ଦିହୁଡି ସଙ୍ଗେରେ ମିଶି ଗଲେ ବରଂ ଭଲ । ଉତ୍ତର ଭାରତରେ କିଛି କାଳ ରହଣି କାଳରେ କେବେ ଅଙ୍ଗିକା ତ କେବେ ଦେହାତି ପୁଣି କେବେ ଆଠଟି ଆଦିଭାଷା କହୁଥିବା ଅନେକ ଲୋକଙ୍କୁ ଭେଟିବାର ସୁଯୋଗ ମିଳିଥିଲା । ତାଙ୍କୁ ବହଲେଇ ଫୁସୁଲେଇ  ପଚାରିଲେ ସେମାନେ ଲାଜେଇ କହନ୍ତି ନିଜ ଭାଷାର ନାଁ । ହେଲେ ପୁଣି ବୁଲିବାଲି କରି କହନ୍ତି, ଆମ ଭାଷା ହିନ୍ଦୀ, ହେଲେ ଘରେ ଆମେ ଅମୁକ ଭାଷାରେ କହୁ । ପୁରୁଣା ପିଢି ସରିସରି ଆସୁଛନ୍ତି । ଆଉ ନୂଆ ପିଢିଠାରୁ ଭାଷାର ବ୍ୟବହାର ବି ସରିସରି ଆସୁଛି । ଏମିତି ମରି ମରି ଆସୁଥିବା ଭାଷା କହୁଥିବା ଜଣେ ପାଠୋଇଙ୍କ ମତରେ ଯଦି ଜଣେ ନିଜ ଭାଷା ପାଇଁ ନିଜେ ଚିନ୍ତୁନି ତାହେଲେ ବାକିମାନେ ଚିନ୍ତା କରିବେ କଣ ? ତାଙ୍କ କଥା ବି ସତ । ହେଲେ ପେଟର ଭୋକ ଆଗେ । ଭୋକ ମାରିବା ପାଇଁ ମଣିଷ ବାର ବେପାର ତେର ଧନ୍ଦା କରେ । ତେଣୁ ଭାଷାର ବିକାଶରେ ସାଧାରଣ ମଣିଷଟିଏର ଭୂମିକା କେତେ ଏକଥାଟି ଭାବିବା ନିହାତି ଜରୁରି । ମରୁ ମରୁ ବଂଚୁଥିବା ଏକ ଭାଷାର ଉଦାହରଣ ନିଆଯାଉ । ପୃଥିବୀର ଏକ ପୁରୁଣା ଭାଷା ଭିତରୁ ଗୋଟିଏ ଭାଷା ହେଲା ହିବ୍ରୁ । ହେଲେ ଏ ଭାଷାଟି ୧୫୦୦ ବର୍ଷରୁ ଅଧିକ କାଳ ଦରମଲା ରହି ଫିନିକ୍ସ ଚଢେଇ ଭଳି ପାଉଁଶ ତଳୁ ଉଠିଲା । ଏବେ ଏ ଭାଷାଟି ପାଖାପାଖି ୯୦ ଲକ୍ଷ ଲୋକଙ୍କ ଦ୍ବାରା କଥିତ । କିନ୍ତୁ ଏ ଭାଷାରେ ଦେଶର ଶାସନ ଚଳେ ଆଉ କମ୍ପୁଟର ଅପରେଟିଂ ସିଷ୍ଟମ ଓ ମୋବାଇଲ ଇଣ୍ଟରଫେସରେ ଦିଶେ । ଏସବୁ ପଛରେ ରହିଛି ବିଜ୍ଞାନ ଓ କାରିଗରୀର କରାମତି । ଯଦି ଦେଶର ଶାସନ ନିଜ ଭାଷାରେ ହୁଏ ତେବେ ଶାସନ ପାଇଁ ଦରକାରୀ ସବୁ ଉପାଦାନ ନିଜ ଭାଷାରେ ତିଆରି ହୁଏ । ଆଉ ଏ ଉପାଦାନମାନ ତିଆରି କରିବା ଲାଗି ବ୍ୟବସ୍ଥା ଗଢାହୁଏ । ପିଲେ ଚାକିରି କରିଛନ୍ତି । ଆମ ଭାଷା ଶାସନର ଭାଷା ହେଲେ ଶିକ୍ଷା ଓ ଜ୍ଞାନର ଭାଷା ହୋଇ ଭାଷା ଭାତ ଦିଏ । ନିଜ ନିଜ ସଙ୍ଗରେ ଯୋଡା ଏ ରଥ ଚକର ଗୋଟେ ଅର ହୁଗୁଳା ହେଲେ ଆରଟି ଭୁଶୁଡି ପଡିବ । ଆଉ ଓଡ଼ିଆ ପାଇଁ ଏ ଅର ଭିତରୁ କେଉଁ ଅର କେମିତି ରହିଛି ଆଉ କ’ଣ ମରାମତି ହେବ ଆମକୁ ବେଳ ହୁଁ ଭାବିବାକୁ ପଡିବ । ଅପ୍ରିୟ ସତ କଥା ହେଲା ଶାସ୍ତ୍ରୀୟ ମାନ୍ୟତା ମିଳିବାର ଦୁଇ ବର୍ଷ ବିତିଗଲା ପରେ ବି ଓଡ଼ିଆ ଏବେ ଯାଏ କୋର୍ଟ କଚେରିର ଭାଷା ହୋଇପାରିଲା ନାହିଁ । ସରକାରୀ ସ୍ତରରେ ଓଡ଼ିଆର ବ୍ୟାପକ ବ୍ୟବହାର ବଦଳରେ ହିନ୍ଦୀରୁ ଉଧାରି ଆଣି ପାଳିତ ହେଉଛି ‘ରାହାଗିରି ଦିବସ’ । ସିନେମାରେ ବି ସେଇଆ । ଆଉ କାହା ସଙ୍ଗେ ମିତ ବସିବାରେ ଆପତ୍ତି ନାହିଁ ବୋଲି ନିଜ ପରିଚୟ ହାରି ସେ ମିତ ବସିବାରେ କି ସୁଖ ? ସରକାରୀ ସୂତ୍ରରେ ବିଭିନ୍ନ ରାଜ୍ୟର ଯେଉଁଭଳି ତାଙ୍କ ଉଏବସାଇଟରୁ ତାଙ୍କ ରାଜସ୍ବ ଭାଷାରେ ତିଆରି ଆମର ସେମିତି ହୋଇନାହିଁ । ନିକଟରେ ଓଡ଼ିଆ.ଓଡ଼ିଶା.ଗଭ.ଇନ ନାମରେ ସାଇଟ୍ଟିଏ ସରକାର ତିଆରି କଲାବେଳେ ଲେଖକକୁ ସେଥିରେ ଓଡ଼ିଆ ଭାଷାର କମ୍ପୁଟର ଓ ଇଣ୍ଟରନେଟରେ ଥିବା ବିଭିନ୍ନ ସରଞ୍ଜାମ ବାବଦରେ ପରାମର୍ଶ ଦେବାର ସୁଯୋଗ ମିଳିଥିଲା । ଏସବୁ ଖୋଜିବା ବେଳେ ଓଡ଼ିଆରେ ଉପଲବଧ ଥିବା ଉଏବସାଇଟ ବାବଦରେ କିଛି ତଥ୍ୟ ଆଖି ସାମନାକୁ ଆସିଥିଲା । ଗୁଗୁଲ ସର୍ଚ୍ଚରେ ଓଡ଼ିଆ ଆସୁନଥିବାର ମୁଖ୍ୟ କାରଣ ହେଲା ଇଣ୍ଟରନେଟରେ ଓଡ଼ିଆ ଲେଖାର ଅଭାବ । ଓଡ଼ିଆରେ କେଇ ଶହ ଖବରକାଗଜ ଦୈନିକ ଛପାଯାଉଥିଲେ ହେଁ ମୁଖିଆ କାଗଜମାନଙ୍କ ଉଏବସାଇଟରେ ୟୁନିକୋଡ ମାନକରେ ଓଡ଼ିଆ ଲେଖା ନାହିଁ । ଲେଖାସବୁ ଅଣମାନକ ଲିପି ଏନକୋଡିଂରେ ରହିଛି କିମ୍ବା ଛବି ଭାବେ ରହିଛି । ଫଳରେ ଇରନେଟରେ ଖୋଜିଲେ ଲେଖାଯାକ ମିଳିବ ନାହିଁ । ସେମିତି ଭୁଲେଖ.ଓରି.ଏନଆଇସି.ଇନ ଭଳି ଓଡ଼ିଶା ସରକାରଙ୍କ ସୋସାଇଟିରେ ଅଣମାନକ ଫଣ୍ଟରେ ତିଆରି ହୋଇଥିବାରୁ ସାଧାରଣ ଲୋକେ ସରକାରୀ ନଥିପତ୍ର ଖୋଜି ପାଇପାରୁନାହାନ୍ତି । ଓଡ଼ିଆ ପାଇଁ ଯେତେକ ଆନ୍ଦୋଳନ ଏବେ ଚାଲିଛି ସବୁ କେବଳ ସାହିତ୍ୟ ଓ ଶାସନକୁ ନେଇ। କିନ୍ତୁ କେଉଁ କେଉଁ ଉପାଦାନକୁ ନେଇ ବାକି ଜାଗତିକ ଭାଷାଏ ଆଗକୁ ବଢିଛନ୍ତି ଆଉ ଓଡିଆରେ କି କି ଚିଜ ନିହାତି ଲୋଡ଼ା ତା’ ଲାଗି ଆକଳନ ଲୋଡା । ଭାରତରେ ୧୯୫୫ ଆଗର ପ୍ରାୟ ବହି କପିରାଇଟ ବାହାରେ । ଏବର୍ଗରେ ଥିବା ଓଡ଼ିଆ ବହିସବୁ ଧୀରେ ଧୀରେ ଉଇଙ୍କ ଆହାର ହେବା ଉପରେ । ଭୁବନେଶ୍ବରର ସୃଜନିକା ଅନୁଷ୍ଠାନ, ରାଉରକେଲା ଏନଆଇଟି ଓ ପ୍ରଗତି ଉତ୍କଳ ସଂଘର ଉଦ୍ୟମ ଫଳରେ ଦେଢ ଲକ୍ଷରୁ ଅଧିକ ପୃଷ୍ଠା ସ୍କାନ କରାଯାଇଛି । ଏଥିରୁ କିଛି ଏବେ ଓଡ଼ିଆ ଉଇକିପାଠାଗାର ପ୍ରକଳ୍ପରେ ଓଆର.ଉଇକିସୋର୍ସ.ଅର୍ଗ ଉଏବସାଇଟିରେ ଉପଲବଧ । ଏଥିରେ ସ୍ବଇଛାରେ ଓଡ଼ିଆ ପାଠକମାନେ ନିଜ ପସନ୍ଦର ବହି ସବୁକୁ ଡିଜିଟାଇଜ କରି ସ୍କାନ ଛବିରୁ ଲେଖାରେ ରୂପାନ୍ତର କାମ ଆରମ୍ଭ ହୋଇଛି । ଏଥି ସହିତ ସମ୍ପୂର୍ଣ୍ଣ ଓଡ଼ିଆ ଭାଗବତ ଭଳି ଆମ ଭାଷାର ସଂପତ୍ତି ଧୀରେ ଧୀରେ ଏଥିରେ ଆସିବାକୁ ଲାଗିଲାଣି । ଏଥିସହିତ ଜଗତ ଜାକର ଜ୍ଞାନକୁ ଓଡ଼ିଆର ଲେଖିବାର ଉଦ୍ୟମ କରିଥିବା ଗୋପାଳ ପ୍ରହରାଜଙ୍କ ଭାଷାକୋଷ ତିଆରି କାମକୁ ଏବର ଉଇକିପିଡିଆ ମାଧ୍ୟମରେ ଆଗକୁ ନେବାରେ ଉଦ୍ୟମ ହେଲାଣି । ଏଯାବତ ୧୧ହଜାରରୁ ଅଧିକ ଲେଖା ଓଡ଼ିଆ ଉଇକିପିଡିଆରେ ଓଆର.ଉଇକିପିଡିଆ.ଅର୍ଗ ଉଏବସାଇଟରେ ଉପଲବ୍ଧ । ସାମୂହିକ ଉଦ୍ୟମ ଛଡା କିଛି ବକ୍ତିବିଶେଷ ଓ ସଙ୍ଗଠନ ମଧ୍ୟ ଓଡ଼ିଆରେ କିଛି ଉଏବସାଇଟ ଆଗରୁ ଛଡ଼ା ଯାଇଥିବା ଫାଙ୍କା ସ୍ଥାନ ପୂରଣ କରିବା କାମରେ ଲାଗିଛନ୍ତି । ତେବେ ଆଉ ଭାଷା ସଙ୍ଗେ ଓଡ଼ିଆକୁ ସମାସ୍କନ୍ଧ କରିବା ଲାଗି ଆହୁରି ଅନେକ ଉଦ୍ୟମ ଲୋଡା । ବିଶେଷ କରି ସରକାରଙ୍କ ପାଖରେ ସଚେତନତା ଲୋଡା । କେବଳ କୋଟି କୋଟି ଟଙ୍କାର ପ୍ରକଳ୍ପ ନୁହେଁ ବରଂ ଘରର ମୂଳଦୁଆ ଗଢା କାମ ପାଇଁ ଅଧିକ ଉଦ୍ୟମ ନିହାତି ଲୋଡାପଡିଛି । (ସେଣ୍ଟର ଫର ଇଣ୍ଟର୍ନେଟ ଆଣ୍ଡ ସୋସାଇଟି, ବେଙ୍ଗାଲୁରୁ)

Share :