ଏ ଅନ୍ଧ ଦୌଡ଼ର ଅନ୍ତ କେବେ ?

ଏ ଅନ୍ଧ ଦୌଡ଼ର ଅନ୍ତ କେବେ ?

Share :

ଡକ୍ଟର ବିବୁଧ ରଂଜନ   ଆଜିର ଦୁନିଆରେ ଦୃଷ୍ଟି ମୋର ଯେଉଁଠାରେ ପଡ଼ୁଛି - ମୁଁ ଦେଖୁଛି ପ୍ରତିଟି ମଣିଷ କେବଳ ଧଇଁସଇଁ ହୋଇ ଧାଇଁବାରେ ଲାଗିଛି । ସେ କୁଆଡ଼େ ଧାଉଁଛି, କଣ ପାଇଁ ଧାଉଁଛି ଆଉ ଏ ଅନ୍ଧ ଧାଁଧପଡ଼ରେ ସେ କେଉଁଠାରେ ପହଞ୍ଚୁଛି ତା ସେ ନିଜେ ମଧ୍ୟ ଜାଣେ ନାହିଁ । କିନ୍ତୁ ଧାଉଁଛି । ସତରେ ଏ ବଡ଼ ଅଜବ ଘଟଣା । ପ୍ରାୟ ଦଶବର୍ଷ ପରେ ମୋର ଜଣେ ପିଲାବେଳ ପାଠପଢ଼ା ବନ୍ଧୁ ଭୁବନେଶ୍ବରରୁ ଫୋନ୍ କଲା । ମାତ୍ର ଗୋଟାଏ ମିନିଟ୍ ମୁଁ ତା ସହ କଥାବାର୍ତ୍ତା ହୋଇଛି କି ନାହିଁ ସେ କହିଲା - ବିବୁଧ ମୁଁ ତରତରରେ ଅଛି । ପରେ ତୋ ସହ କଥା ହେବି । ମୁଁ ଏପଟେ କିଛି ପଚାରିବା ପୂର୍ବରୁ ସେପଟୁ ଫୋନ୍ କଟିଗଲା । ଏବେ ଦିନେ ମୁଁ ମୋ ପୁତୁରାକୁ ଫୋନ୍ ଲଗାଇଲା ବେଳେ ସେ କହିଲା - ଦାଦା, ମୁଁ ବିମାନ ବନ୍ଦରରେ ଅଛି । ବମ୍ବେ ଯାଉଛି । ସେଠାରେ ପହଞ୍ଚିଲା ପରେ ରିଙ୍ଗ୍ କରିବି । ଫୋନ୍ କାଟି ଦେଲା । ବାଟଘାଟରେ ପରିବା ମାର୍କେଟରେ କେହି ଦେଖା ହୋଇଗଲେ ମୁଁ ଲକ୍ଷ୍ୟ କରିଛି ପ୍ରତ୍ୟେକ ବ୍ୟସ୍ତ । ଭଲରେ ମନ ଖୋଲି ଦୁଇପଦ କଥା ହେବାକୁ କାହାରି ପାଖରେ ଆଉ ସମୟ ନାହିଁ । ସେ ଆତ୍ମୀୟତା ଆଉ ନାହିଁ । ସବୁକିଛି ଔପଚାରିକତା । ଆନ୍ତରିକତା ଶୂନ୍ୟ । କ’ଣ ହୋଇ ଯାଇଛି ଏ ମଣିଷ ସତରେ ! କେଉଁଥିପାଇଁ ଏ ଧାଁଧପଡ଼ ? ଗୋଟିଏ ଦିନ ମୁଲ୍ଲା ନସିରୁଦ୍ଦିନ୍ ନିଜ ଗଧ ଉପରେ ବସି ବଡ଼ ବେଗରେ ରାସ୍ତାରେ ଯାଉଥିଲା । ଲୋକମାନେ ଚିଲ୍ଲେଇ କରି ପଚାରିଲେ - ମୁଲ୍ଲା, ଏତେ ବେଗରେ କୁଆଡ଼େ ଯାଉଛୁ ? ନସିରୁଦ୍ଦିନ୍ କହିଲା ମଝି ରାସ୍ତାରେ ମୋତେ ରୋକ ନାହିଁ । ମୋ ଗଧ ହଜି ଯାଇଛି । କିନ୍ତୁ ମୁଲ୍ଲା ଏତେ ବେଗରେ ଗଧ ଉପରେ ଧାଉଁଥିଲା ଯେ - ଲୋକମାନେ କହୁ ଥାଆନ୍ତି - ମୁଲ୍ଲା ତୁ ତୋ ନିଜ ଗଧ ଉପରେ ବସିଛୁ । ଗଧ ଆଉ ହଜିଲା କେତେବେଳେ? ଲୋକଙ୍କ କଥା କିନ୍ତୁ ମୁଲ୍ଲା କାନରେ ପଡ଼ୁ ନଥିଲା । ସନ୍ଧ୍ୟା ବେଳକୁ ଥକାମାରି ନସିରୁଦ୍ଦିନ୍ ଘରକୁ ଫେରିଲା । ଆଉ ଦୌଡ଼ିବାର ତାକତ ନଥାଏ । ଗଧ ବି ଧାଇଁ ଧାଇଁ ହାଲିଆ ହୋଇ ଯାଇଥାଏ । ଘର ମୁହଁରେ ଯେବେ ଆସି ଗଧ ଛିଡ଼ା ହୋଇଗଲା, ମୁଲ୍ଲା ଗଧ ଉପରୁ ହାଲିଆ ହେଇ ତଳକୁ ଓହ୍ଲାଇଲା ମାତ୍ରେ ତାର ଖିଆଲ ଆସିଲା ଯେ - ମୁଁ କେମିତିକା ପାଗଳ ସତରେ ! ମୁଁ ଯାହାକୁ ଖୋଜୁ ଥିଲି - ତାରି ଉପରେ ବସିଥିଲି ଏତେବଳ ଯାଏଁ ! ଗାଁକୁ ଫେରି ମୁଲ୍ଲା ଲୋକମାନଙ୍କୁ କହିଲା - ତୁମେ ସବୁ କେମିତି ବୋକା ମଣିଷ ! ମୁଁ ଗଧ ଉପରେ ବସିଛି ବୋଲି ମୋତେ କହିଲ ନାହିଁ କାହିଁକି ? ହଁ, ମୁଁ ତ ନିଶ୍ଚୟ ଜଲଦିରେ ଥିଲି ତେଣୁ ତଳକୁ ଚାହିଁ ପାରୁ ନଥିଲି । କିନ୍ତୁ ତୁମେମାନେ ତ ଆଦୌ ଜଲଦିରେ ନଥିଲ । ଗାଁ ଲୋକେ କହିଲେ – ଆମେ ତ ଚିଲ୍ଲେଇ ଥିଲୁ । କିନ୍ତୁ ତୁ ଏତେ ବେଗରେ ଧାଉଁଥିଲୁ ତୋତେ ତୋ ନିଜ ଗଧ ଦେଖା ଯାଉ ନଥିଲା । ଆଉ ଆମ ପାଟି ତୋତେ କିପରି ଶୁଭି ଥାଆନ୍ତା ? ହଁ, ମୁଲ୍ଲା ନସିରୁଦ୍ଦିନ୍ ଉପରେ ଆମକୁ ହସ ମାଡ଼ିପାରେ । କିନ୍ତୁ ଆମେ ଆମ ନିଜ ଅବସ୍ଥାକୁ କେବେ ଦେଖୁଛେ କି ? ଆମେ ପ୍ରତ୍ୟେକ କେଉଁଆଡ଼େ ଧାଉଁଛେ ? କଣ ପାଇବାକୁ ଧାଉଁଛେ ? କାହାକୁ ଖୋଜିବାକୁ ବାହାରିଛେ ? ଏଠି ତ ପ୍ରତ୍ୟେକ ଧାଇଁବାରେ ଲାଗିଛନ୍ତି । ଅନ୍ଧ ଦୌଡ଼ରେ ମାତି ଯାଇଛନ୍ତି ସମସ୍ତେ । ଧନ ପଛରେ, ନାରୀ ପଛରେ, ମାନ ସମ୍ମାନ ଯଶ ପଛରେ, ପଦ ପ୍ରତିଷ୍ଠା ପଛରେ, କ୍ଷମତା ପଛରେ ଏଇମିତି ନାନା ରକମର ପ୍ରଲୋଭନ ପଛରେ ମଣିଷ ଧଇଁସଇଁ ହୋଇ ବଡ଼ ବେଗରେ ଧାଇଁବାରେ ଲାଗିଛି । ଆଉ ଶେଷରେ ସେ ନିଜକୁ ମଶାଣି ଭୁଇଁରେ ପାଇଥାଏ । ଆଉ ସେତିକିବେଳେ ତାର ହୃଦବୋଧ ହୋଇଥାଏ ଯେ - ଯାହାକୁ ପାଇବାକୁ ସେ ଧାଉଁଥିଲା ତା’ର ପ୍ରାପ୍ତିରେ ମଧ୍ୟ ସେ ହତାଶରେ ମରିବାକୁ ବସିଛି । ସେ କେଜାଣି କାହିଁକି ସେହି ତୃପ୍ତି - ସନ୍ତୋଷ ପାଇ ପାରିନାହିଁ । ଅଥଚ ଯାହା ପାଇ ଯାଇ ଥିଲେ ଆଉ କିଛି ପାଇବାର ମୋହ ରହି ନଥାନ୍ତା ସେ ପ୍ରତି ତାର ଦୃଷ୍ଟି ନଥାଏ ବା ଅନ୍ୟ ଅର୍ଥରେ ତାର ଅଜାଣତରେ ମଣିଷ ବାସ୍ତବରେ ସାରା ଜୀବନ ନିଜକୁ ହିଁ ଖୋଜୁଥାଏ । ଆମେ ନିଜକୁ ହିଁ ପାଇବାକୁ ଚାହିଁଥାଉ । ଆମେ ଜାଣି ନାହୁଁ - ମୁଁ କିଏ ସେ ? ମୁଁ କଅଣ ? ମୁଁ କାହିଁକି ଆସିଛି ? ଏହାହିଁ ଆମର ବାସ୍ତବ ଅନ୍ବେଷଣ । କିନ୍ତୁ ଆମେ ଦୌଡ଼ିବାରେ ଲାଗିଛୁ । ବଡ଼ ବେଗରେ । ଆଉ ଯେତେବେଳ ଯାଏଁ ଏ ଦୌଡ଼ ବନ୍ଦ ହୋଇ ଯାଇନାହିଁ - ଆମେ ଥକି ଯାଇନାହୁଁ ସେତେବେଳ ଯାଏଁ ଆମେ ଆମ ନିଜକୁ ପାଇ ପାରି ନାହୁଁ । ଦିନକୁ ଦିନ ଆମ ଦୌଡ଼ିବାର ବେଗ ବଢ଼ିବାରେ ଲାଗିଛି । ଦିନ ଥିଲା ଆମେ ପାଦରେ ଚାଲି ଚାଲି ଯାଉଥିଲୁ । ପାଞ୍ଚଶହ ବର୍ଷ ତଳେ ତ ଯାତ୍ରୀମାନେ ପାଦରେ ଚାଲି ଚାଲି ଶ୍ରୀକ୍ଷେତ୍ର ପୁରୀ ଆସୁଥିଲେ ଜଗନ୍ନାଥ ଦର୍ଶନ ପାଇଁ । ତା ପରେ ମଣିଷ ମୋଟର ଗାଡ଼ିରେ ଧାଇଁଲା । ତା ପରେ ଉଡ଼ାଜାହାଜରେ, ହେଲିକପ୍ଟରରେ । ଏବେ ତ ଅନ୍ତରୀକ୍ଷ ଯାନରେ ମଣିଷ ମଙ୍ଗଳକୁ ଧାଇଁଲାଣି । ଆମର ଦୌଡ଼ିବାର ଗତି ଦିନ ପ୍ରତିଦିନ ବଢ଼ି ଯିବାରେ ଲାଗିଛି । କେବେ ଆପଣମାନେ ଖିଆଲ କରିଛନ୍ତି - ମଣିଷର ଗତି ଯେତିକି ବଢ଼ି ଯିବାରେ ଲାଗିଛି - ମଣିଷର ଆତ୍ମନ ସେହି ପରିମାଣରେ କମି ଯିବାରେ ଲାଗିଛି । ହୁଏତ କାହାରି ଖିଆଲ ନଥିବ ଏ ଦିଗରେ । କିନ୍ତୁ ଗୋଟିଏ କଥା ସତ୍ୟ, ଏ ଜୀବନ ଯେତିକି ସ୍ପିଡରେ ଧାଉଁଛି ସେତିକି ସ୍ପିଡରେ ମଣିଷର ନିଜ ସହ, ନିଜ ପଡ଼ୋଶୀ ସହ, ନିଜ ସଂସାର ସହ ସମ୍ବନ୍ଧ କ୍ଷୀଣ ହେବାରେ ଲାଗିଛି । ଅନ୍ୟ ପାଖରେ ପହଞ୍ଚିବାରେ ମଣିଷ କୁଶଳ ହୋଉଛି ଅଥଚ ନିଜ ପାଖରେ ପହଞ୍ଚିବାରେ ସେତିକି ଅକୁଶଳ ହେଉଛି । ତେଣୁ ବଡ଼ ମଜାର କଥା ହେଲା - ଯେତିକି ଗତିବାଲା ସମାଜ ହୋଇପଡ଼େ ସେତିକି ଅଧାର୍ମିକ ହୋଇପଡ଼େ । ଯେତେ କମ୍ ଗତିବାଲା ସମାଜ ସେତିକି ଧାର୍ମିକ ହୋଇଥାଏ । କମ୍ ଗତିରେ ନିଜ ଭିତରେ ପହଞ୍ଚିବାର ସମ୍ଭାବନା ରହିଥାଏ । ଜୀବନର ଗତି ଯେତେ ତୀବ୍ର ହେବ - ବାହାରକୁ ଯିବାର ସମ୍ଭାବନା ବଢ଼ିଯାଏ କିନ୍ତୁ ନିଜ ଭିତରକୁ ଫେରିବାର ଦ୍ବାର ପୁରାପୁରି ବନ୍ଦ ହୋଇପଡ଼େ । ଜୀବନ ଧାଉଁଛି ହେଲେ ମଣିଷ ହଜୁଛି ଦିନକୁ ଦିନ । କିନ୍ତୁ ଆଉ ଏପରି କେତେଦିନ ??? ପ୍ରଜ୍ଞାଲୋକ, ତଳମାଳି ସାହି, ପୁରୀ-୨, ମୋ-୯୯୩୭୬୪୯୮୯୪

Share :