ବଞ୍ଚିବା ଏବଂ ସମ୍ମାନର ସହ ବଞ୍ଚିବା

ବଞ୍ଚିବା ଏବଂ ସମ୍ମାନର ସହ ବଞ୍ଚିବା

Share :

ରତ୍ନେଶ୍ବର ସାହୁ ଅନ୍ୟର ଦୟାରେ ବଞ୍ଚିବାପାଇଁ ଚାହୁଁଥିବା ଲୋକଗୁଡିକ କେବେ ବି କାହାର ନୁହଁନ୍ତି । ଆଜି ଆପଣଙ୍କଠାରୁ ସାହାଯ୍ୟ ପାଉଛନ୍ତି ବୋଲି ଆପଣଙ୍କୁ ବଡ ବୋଲି କହୁଛନ୍ତି । କାଲି ଯଦି ଆପଣଙ୍କଠାରୁ କିଛି ପାଇବେ ନାହିଁ ତାହାହେଲେ ଆପଣଙ୍କ ସହ ବିଶ୍ବାସଘାତକତା କରିବାରେ କେବେ ବି ପଛଘୁଞ୍ଚା ଦେବେ ନାହିଁ । ଆଗରେ ଭାଇ ଭାଇ ବୋଲି କହୁଥିଲା ବେଳେ ପଛପଟୁ କେତେବେଳେ ତୁମକୁ ଅସୁବିଧାରେ ନ ପକାଇବେ କେବେ ବି କହିହେବ ନାହିଁ । କାରଣ ସେହି ସମୟରେ ସେମାନେ ଅନ୍ୟଠାରୁ ଆହୁରି ଅଧିକା କିଛି ପାଇବାପାଇଁ ଆଶାରଖନ୍ତି । ତେଣୁ ଯେଉଁମାନେ ଭାବନ୍ତି ଯେ କାହାକୁ କିଛି ସାହାଯ୍ୟକରି ନିଜର ବ୍ୟକ୍ତିଗତ ସ୍ବାର୍ଥହାସଲ କରିବା ପାଇଁ ତାହାହେଲେ ସେମାନେ ଏହିଭଳି କାର୍ଯ୍ୟରୁ ନିଜକୁ ଦୁରେଇ ରଖିବା ଉଚିତ । ଏହିଭଳି କାର୍ଯ୍ୟଦ୍ବାରା ହୁଏତ କିଛି ସମୟ ବା ଦିନ ପାଇଁ ଅନ୍ୟକୁ ବ୍ୟବହାର କରି ହୁଏ କିନ୍ତୁ ଯେତେବେଳେ ସତକଥା ଜଣାପଡେ ସେହି ସମୟରେ ନିଜର ଭୁଲକୁ ଲୁଚାଇବା ପାଇଁ ପୁଣିଥରେ ଅନ୍ୟକୁ ଦୋଷଦିଆଯାଏ । ସେମାନେ ତଥାପି ନିଜେ ଭୁଲ୍ କରିଛନ୍ତି ବୋଲି ମାନିବାକୁ ରାଜି ନୁହଁନ୍ତି  । ଏହା ହେଉଛି କେବଳ ବଞ୍ଚିବାପାଇଁ ଇଚ୍ଛାର ଏକ ଏକ ନାଟକ ମାତ୍ର । ସମ୍ମାନର ସହ ବଞ୍ଚିବାପାଇଁ ଇଚ୍ଛା କରୁଥିବା ଲୋକମାନେ, ଆମେ କିଛି କରିବୁ ଏବଂ ସେହି ଅନୁସାରେ ନିଜର ପାରିଶ୍ରମିକ ନେବୁ ବୋଲି ଭାବନ୍ତି । ଏହାଦ୍ବାରା ସେମାନେ ଆଜି ଏହିଟା କଲୁ କାଲିକୁ ଆଉ ଏକ କାମ କରିବୁ ଫଳରେ ନିଜର କ୍ରୟ କରିବାର କ୍ଷମତା ବଢିବ ବୋଲି ଭାବନ୍ତି । ସେମାନେ ଚିରନ୍ତନ ଆତ୍ମନିର୍ଭରଶୀଳ ବିକାଶ ଉପରେ ବିଶ୍ବାସ ରଖନ୍ତି । ସେମାନେ କାର୍ଯ୍ୟର ସୁଦୁରପ୍ରସାରୀ ଲାଭ ଉପରେ ଭରସା ରଖନ୍ତି । ଏହାଦ୍ବାରା ସେମାନେ ନିଜେ ବଂଚୁଥିବା ସମାଜକୁ ଏକ ଆତ୍ମନିର୍ଭରଶୀଳ ସମାଜ ହେଉ ବୋଲି ଆଶା ରଖନ୍ତି । ପ୍ରତ୍ୟେକ ବ୍ୟକ୍ତିର ପ୍ରଥମ ଆବଶ୍ୟକତା ହେଲା ଖାଦ୍ୟ, ବସ୍ତ୍ର, ବାସଗୃହ ଯାହାର ଏହିଗୁଡିକ ହୋଇଗଲା ତା’ପରେ ସେ ଚିନ୍ତା କରେ ଏହିଗୁଡିକ କିପରି ସବୁଦିନେ ମିଳିବ, ପରବର୍ତ୍ତୀ ସମୟରେ ସେ ନିଜର ପ୍ରତିଛବି ତିଆରି କରିବା ପାଇଁ ଇଚ୍ଛା ରଖେ, ଏହା ପରେ ସେ ଚାହେଁ ନିଜେ ଆତ୍ମନିର୍ଭରଶୀଳ ହେବା ପାଇଁ ସମୟକ୍ରମେ ସେ ନିଜେ ମୋକ୍ଷ ପ୍ରାପ୍ତିର ଆଶା ରଖେ । କିନ୍ତୁ ଯଦି ଅନ୍ୟର ଦୟାରେ ବଞ୍ଚିବାପାଇଁ ଇଚ୍ଛା ରଖିବା ତେବେ ଆମେ ଆମପାଇଁ ସବୁଦିନେ ଗଣ୍ଡେ ଖାଦ୍ୟ, ପିନ୍ଧିବା ପାଇଁ ଲୁଗା ଏବଂ ରହିବା ପାଇଁ ବାସଗୃହଟିଏ ଯୋଗାଡ  କରିପାରିବା ତ ? ତାହାହେଲେ ଆମର ପରବର୍ତ୍ତୀ ପିଢି ପାଇଁ ଆମେ କ’ଣ ସୁରକ୍ଷିତ ରଖିପାରିବା ? ଏମିତିକା ସ୍ଥିତିରେ ଆତ୍ମନିର୍ଭରଶୀଳ କଥା କିଏ ପଚାରେ ? ଆମେ ଆମର ଭବିଷ୍ୟତ ପିଢିଙ୍କୁ କ’ଣ ଉତ୍ତର ଦେବା? ଆମେ କହିପାରିବା କି ଆମେ ଜଣେ ଜଣେ ସ୍ବାର୍ଥବାଦୀ ଥିଲୁ ବୋଲି ? ଯଦି ଅନ୍ୟଜଣେ ଆମ ପ୍ରତି ଦୟା ଦେଖାଉଛି ଏହାର କାରଣ କ’ଣ? କାହିଁକି ସେହି ଲୋକଟି ମୋ ପ୍ରତି ଏତେ ସଦୟ? ମୁଁ ତାହା ପାଇଁ କଣ କରିଛି ବା କରିପାରିବି ବୋଲି ସେହି ଲୋକଟି ମୋ ଠାରୁ ଆଶା ରଖୁଛି ? ଏହା ଦ୍ବାରା ମୋର ଆତ୍ମସମ୍ମାନ ଉପରେ ଆଞ୍ଚ ଆସିବ ନାହିଁ ତ ? ଆଜି ସମୟ ମୋର ଅଛି ତେଣୁ ହୁଏତ ମୁଁ ବଞ୍ଚିଯାଇପାରେ କିନ୍ତୁ ସବୁବେଳେ ମୋର ପାଖରେ ବଳ, ଶକ୍ତି ଏବଂ କ୍ଷମତା ରହିବ ନାହିଁ ମୋର ସମୟ ଅନୁସାରେ ସ୍ଥାନ ଏବଂ ପରିଚୟ ବଦଳିଯିବ । ଯଦି ମୁଁ କାହାକୁ ବ୍ୟବହାର କରୁଛି କିମ୍ବା ନିଜେ ବ୍ୟବହାର ହେଉଛି ତେବେ ଭବିଷ୍ୟତରେ ମୋର ଆତ୍ମସମ୍ମାନ କ୍ଷୁଣ୍ଣ ହେବନି ତ ? ସେହି ସମୟରେ ମୁଁ କ’ଣ ଜଣେ ପଳାୟନପନ୍ଥୀର ରାସ୍ତାକୁ ନିଜର କରିବି ? କେତେଦିନ ଏହିପରି ପଳାତକ ହେବି ଏହିଭଳି ପ୍ରଶ୍ନ ନିଜ ମନକୁ ଆଣିବାକୁ ପଡିବ । ସେହି ଲୋକଟିର ଏବଂ ମୋର ସମ୍ପର୍କ କ’ଣ? ଯେଉଁମାନେ ଏହିଭଳି ପ୍ରଶ୍ନ ନିଜ ମନକୁ ଆଣନ୍ତି ନାହିଁ ସେମାନେ ଅନ୍ୟର ବ୍ୟକ୍ତିଗତ ସ୍ବାର୍ଥପାଇଁ ବ୍ୟବହାର ହୁଅନ୍ତି । କଥା ହେଉଛି ଆମେ ସମ୍ମାନର ସହ ବଞ୍ଚିବା ଏବଂ ନିରବଛିନ୍ନ ଭାବେ ଆଗକୁ ଯିବାକୁ ପଡିବ । ଆମକୁ ମନେରଖିବାକୁ ପଡିବ ଯେ, ଆମେ ଯଦି ଆଗକୁ ଯିବାକୁ ଚାହୁଁଛେ ତେବେ ଆମେ ନିଜେ ଆଗଭର ହେବାକୁ ପଡିବ । ଯଦି କେବଳ ଅନ୍ୟକୁ ଦେଖି ସେହିଭଳି ହେଲେ ଆମକୁ କେହି ମଧ୍ୟ ପଚାରିବେ ନାହିଁ । କାରଣ ସେହି ଏକା ଜିନିଷ କିଏ ଦେଖିବ ବା ଶୁଣିବ? ତେଣୁ ନିଜେ ଭିନ୍ନହୋଇ (ଭିନ୍ନ ପରିଚୟ ସୃଷ୍ଟି କରି ) ଅନ୍ୟପାଇଁ ଆଉ ଏକ ମାଇଲଖୁଣ୍ଟ ହେବାକୁ ପଡିବ । ସେହି ଏକା ଜିନିଷ ମଧ୍ୟ ଭିନ୍ନ ଧରଣର ହୋଇ ପାରିବ କିନ୍ତୁ ଏଥିପାଇଁ ଦରକାର ନିଜର ନିରବଛିନ୍ନ ପ୍ରୟାସ ।

Share :