ଗଣତନ୍ତ୍ର ଓ ସମ୍ବିଧାନ

ଗଣତନ୍ତ୍ର ଓ ସମ୍ବିଧାନ

Share :

୧୯୪୭ ମସିହା, ଅଗଷ୍ଟ ୧୫ ତାରିଖ । ଯାବତୀୟ କଷ୍ଟ ଓ ପ୍ରାଣବଳୀ ପରେ ଭାରତ ସ୍ବାଧିନତା ପ୍ରାପ୍ତ କରିଥିଲା । ଶ୍ରମ ସାର୍ଥକ ହୋଇଥିଲା । ବିଦେଶୀଙ୍କ କବଳରୁ ମୁକ୍ତି ପାଇଥିଲେ ଭାରତ ମାତା । ପୃଥିବୀର ବୃହତ ଗଣତନ୍ତ୍ର ରାଷ୍ଟ୍ର ହିସାବରେ ଭାରତ ମୁଣ୍ତ ଟେକି ଚାଲିଲା । ସର୍ବ ବୃହତ ଲିଖିତ ସମ୍ବିଧାନ ସହ ଆତ୍ମ ପ୍ରକାଶ କଲା ନବ ଭାରତ । ୧୯୪୯ ମସିହାରେ ସମ୍ବିଧାନ ପ୍ରସ୍ତୁତି କରାଯାଇଥିଲା । ପ୍ରଥମେ ୧୬ ଟି ଅନୁଚ୍ଛେଦ ସହ ସମ୍ବିଧାନ ଆରମ୍ଭ ହୋଇଥିବା ବେଳେ ବର୍ତ୍ତମାନ ଏଥିରେ ୪୫୦ ରୁ ଉର୍ଦ୍ଧ୍ବ ଅନୁଚ୍ଛେଦକୁ ସାମିଲ କରାଯାଇଛି । ସମ୍ବିଧାନର ସମ୍ମାନ ଭାରତ ପ୍ରତ୍ୟେକ କ୍ଷେତ୍ରରେ ରଖିଥାଏ । ଏଠାରେ ପ୍ରତ୍ୟେକ କାର୍ଯ୍ୟ ସମ୍ବିଧାନରେ ଦିଆଯାଇଥିବା ନିର୍ଦ୍ଦେଶାବଳୀ ଓ ନିୟମାବଳୀ ଅନୁଯାୟୀ କରାଯାଇଥାଏ । ଏଥିମଧ୍ୟରୁ କେତେକ ଏମିତି ଯେ ସରକାର ସେମାନଙ୍କୁ ନିଜ ଅନୁଯାୟୀ, ପ୍ରସ୍ତୁତ କରିଛନ୍ତି ଏବଂ ରାଜନୈତିକ ସମିକରଣ ଅନୁଯାୟୀ ମଧ୍ୟ ସଂଶୋଧନ କରିଛନ୍ତି । ଆଜି ହେଉଛି ସମ୍ବିଧାନ ଦିବସ । ପ୍ରତି ବର୍ଷ ନଭେମ୍ବର ୨୬ ତାରିଖରେ ସମ୍ବିଧାନ ଦିବସ ଭାବରେ ପାଳନ କରାଯାଏ । ୧୯୪୯ ମସିହା ନଭେମ୍ବର ୨୬ ରେ ଭାରତ ସମ୍ବିଧାନକୁ ଗ୍ରହଣ କରିଥିଲା । ୧୯୫୦ ମସିହା ଜାନୁଆରୀ ୨୬ ରେ ଏହା ଲାଗୁ ହୋଇଥିଲା । ତେବେ ସମ୍ବିଧାନ ଦିବସ ୨୦୧୫ ମସିହାଠାରୁ କେନ୍ଦ୍ର ସାମାଜିକ ନ୍ୟାୟ ମନ୍ତ୍ରଣାଳୟ ପକ୍ଷରୁ ନଭେମ୍ବର ୨୬ ରେ ପାଳିତ ହୋଇ ଆସୁଅଛି । ସମ୍ବିଧାନର ଇତିହାସ ଏବଂ ମହତ୍ତ୍ବ କଥା କହିଲେ, ଭାରତର ପ୍ରଥମ ଆଇନ ମନ୍ତ୍ରୀ ଭୀମରାଓ ରାମଜୀ ଆମ୍ବେଦକର ୧୯୪୭ ମସିହାରରେ ସମ୍ବିଧାନ ଡ୍ରାଫ୍ଟ କମିଟିର ସଭାପତି ଭାବରେ ନିଯୁକ୍ତି ହୋଇଥିଲେ । ତାଙ୍କୁ ଭାରତର ସମ୍ବିଧାନ ଲେଖିବାର ଦାୟିତ୍ବ ଦିଆଯାଇଥିଲା । ଭାରତ ଏକ ବିବିଧତାର ଦେଶ । କାଶ୍ମୀରଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ବ୍ୟାପିଥିବା ଏହି ବିଶାଳ ଦେଶରେ ବିଭିନ୍ନ ପ୍ରକାର ଭାଷା, ଉପଭାଷା, ପୋଷାକ, ଖାଦ୍ୟ ପାନୀୟ ଏବଂ ଅନ୍ୟାୟ ପରିବର୍ତ୍ତନ ଦେଖିବାକୁ ମିଳିଥାଏ । ଏପରି ସ୍ଥିତିରେ ସମ୍ବିଧାନ ହେଉଛି ଏମିତି ଏକ ବିଚାରଧାରା ଯାହା ପ୍ରତ୍ୟେକ ଭାରତୀୟ ନାଗରିକଙ୍କୁ ଏକତ୍ର ବାନ୍ଧି ରଖିଥାଏ । ସମ୍ବିଧାନ ଦ୍ବାରା ଦେଶର ପ୍ରତ୍ୟେକ ନାଗରିକଙ୍କୁ ସମାନ ଅଧିକାର ପ୍ରଦାନ କରେ ଏବଂ ସେମାନଙ୍କୁ ସମାନ ନିୟମରେ ବାନ୍ଧି ରଖିଥାଏ । ନଭେମ୍ବର ୨୬ ତାରିଖକୁ ଭାରତୀୟ ସମ୍ବିଧାନର ଜନ୍ମ ଦିବସ ରୂପେ ଗ୍ରହଣ କରାଯାଇପାରେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବିଧାନ ପ୍ରଣେତା ଡଃ. ଆମ୍ବେଦକରଙ୍କର ୧୨୫ ତମ ଜନ୍ମ ବର୍ଷରେ ଇନ୍ଦୋରଠାରେ ଷ୍ଟାଚ୍ୟୁ ଅଫ୍ ଇକ୍ୱାଆଲିଟିର ଶିଳାନ୍ୟାସ କରିବା ଅବସରରେ ୧୯ ଅକ୍ଟୋବର ୨୦୧୫ ରେ, ନଭେମ୍ବର ୨୬ କୁ ସମ୍ବିଧାନ ଦିବସ ରୂପେ ପାଳନ କରିବା ପାଇଁ ଘୋଷଣା କରିଥିଲେ । ଅକ୍ଟୋବର ୨୯ ରେ ଭାରତ ସରକାରଙ୍କର ଗେଜେଟରେ ଏହା ପ୍ରକାଶ ପାଇଥିଲା । ଏକଥା କହିବା ନିଷ୍ପ୍ରୟୋଜନ ଯେ ଭାରତ ବିଭିନ୍ନତା ମଧ୍ୟରେ ଏକତା ସୂତ୍ରରେ ବନ୍ଧା । ଧର୍ମ, ଜାତି, ସଂପ୍ରଦାୟ, ଭାଷା, ସଂସ୍କୃତିକୁ ନେଇ ଅନେକ ବିବିଧତା ଥିବା ସତ୍ତ୍ବେ ସମ୍ବିଧାନ ଆମକୁ ଏକତା ସୂତ୍ରରେ ବାନ୍ଧି ରଖିଛି । ଗଣତନ୍ତ୍ରର ସମ୍ବିଧାନକୁ ବୁଝିବାକୁ ହେଲେ ପ୍ରଥମେ ଆମକୁ ବୁଝିବାକୁ ପଡ଼ିବ ଗଣତନ୍ତ୍ର କଣ ? ଏହାର ଉତ୍ତର ଆମେରିକା ରାଷ୍ଟ୍ରପତି ଆବ୍ରହମ ଲିଙ୍କନ ବଡ଼ ସରଳରେ ଦେଇ ଦେଇଛନ୍ତି । ଲିଙ୍କନଙ୍କ ହିସାବରେ, ଗଣତନ୍ତ୍ର ଏପରି ଏକ ଶାସନ ବ୍ୟବସ୍ଥା, ଯାହା ଲୋକମାନଙ୍କ ଦ୍ୱାରା, ଲୋକମାନଙ୍କ ନିମିତ୍ତ ଏବଂ ଲୋକମାନଙ୍କର ହିତରେ ପ୍ରସ୍ତୁତ କରା ଯାଇଥାଏ । ତେବେ ଆଜିର ତାରିଖରେ, ଭାରତକୁ ବାଦ ଦେଇ ପୃଥିବୀର ଦୁଇ ସଫଳ ଗଣତନ୍ତ୍ର କହିଲେ, ଲିଖିତ ସମ୍ବିଧାନ ଶୂନ୍ୟ ବ୍ରିଟେନ ଓ ସବୁଠାରୁ ସଂକ୍ଷିପ୍ତ ଲିଖିତ ସମ୍ବିଧାନ ଗ୍ରହଣ କରିଥିବା ଯୁକ୍ତରାଷ୍ଟ୍ର ଆମେରିକାକୁ ବୁଝାଇଥାଏ । ବ୍ରିଟେନରେ ସଂସଦ ଦୁଇଟି ଗୃହରେ ବିଭକ୍ତ ଓ ଯୁକ୍ତରାଷ୍ଟ୍ର ଆମେରିକାରେ ମଧ୍ୟ ଅନୁରୂପ ବ୍ୟବସ୍ଥା ପ୍ରଚଳିତ । ବ୍ରିଟେନରେ ପ୍ରଧାନମନ୍ତ୍ରୀ ଓ ଆମେରିକାରେ ରାଷ୍ଟ୍ରପତି ଶାସନମୁଖ୍ୟ ଅଟନ୍ତି । କିନ୍ତୁ ଆମ ଦେଶରେ ପ୍ରଥମ ନାଗରିକ, ମହାମହିମ ରାଷ୍ଟ୍ରପତି ଲୋକମାନଙ୍କ ଦ୍ୱାରା ପରୋକ୍ଷ ପଦ୍ଧତିରେ ନିର୍ବାଚିତ ହୋଇଥା’ନ୍ତି । ଗଣତନ୍ତ୍ର ହେଉଛି ଇଂରାଜୀ ଶବ୍ଦ “ ଡେମୋକ୍ରାସି "ର ଓଡିଆ ଭାଷାନ୍ତର । ଡେମୋକ୍ରାସି ଶବ୍ଦଟି ଗ୍ରୀକ ଶବ୍ଦରୁ ଆସିଅଛି । 'ଡେମୋସ'ର ଅର୍ଥ ଲୋକ ବା ଜନସାଧାରଣ ଓ 'କ୍ରାଟୋସ'ର ଅର୍ଥ ଶାସନ ବ୍ୟବସ୍ଥା । ତେଣୁ ଡେମୋକ୍ରାସିର ଅର୍ଥ ହେଉଛି ‘ଲୋକମାନଙ୍କର ଶାସନ ବା ସରକାର' । ଗଣତନ୍ତ୍ର ଏକ ଲୋକପ୍ରିୟ ଶାସନ ବ୍ୟବସ୍ଥା । ଭାରତ ସ୍ୱାଧୀନତା ପ୍ରାପ୍ତି ପରେ ୧୯୪୯ ନଭେମ୍ବର ୨୬ ରେ ସମ୍ବିଧାନ ପ୍ରଣୟନ ସଭା ଦ୍ୱାରା ଗୃହୀତ ହୋଇଥିଲେ ମଧ୍ୟ ପୂର୍ଣ୍ଣ ସ୍ୱରାଜ୍ୟ ଘୋଷଣାର ଦିନ ଜାନୁଆରୀ ୨୬ କୁ ସ୍ମରଣୀୟ କରି ରଖିବା ପାଇଁ ଭାରତ ସରକାର ଆନୁଷ୍ଠାନିକ ଭାବେ 1950 ଜାନୁଆରୀ ୨୪ ରେ ସମ୍ବିଧାନର ଉଭୟ ହିନ୍ଦୀ ଓ ଇଂରେଜୀରେ ଦେବାକୁ କହିଥିଲେ । ଏହି ଦିନ ‘ଜନ ଗଣ ମନ ଅଧିନାୟକ’ କୁ ମଧ୍ୟ ଜାତୀୟ ସଂଗୀତର ମାନ୍ୟତା ଦିଆଯାଇଥିଲା । ସେଦିନରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଅନୁଯାୟୀ “ସଂବିଧାନ ପ୍ରଣୟନ ସଭା” ୧୯୫୦, ଜାନୁଆରୀ ୨୬ରୁ “ପ୍ରୋଭିଜନାଲ ପାର୍ଲିଆମେଣ୍ଟ” ବା ପ୍ରୋଭିଜନାଲ ଲୋକସଭା ନାମରେ କ୍ଷମତାସୀନ ହେଲା । କଣ ପାଇଁ ସ୍ବତନ୍ତ୍ର ଆମର ସମ୍ବିଧାନ ୧. ବୃହତ୍ତମ ଲିଖିତ ସମ୍ବିଧାନ ସମ୍ବିଧାନ ତିଆରି ବେଳେ ସର୍ବମୋଟ ୩୯୫ ଧାରା ଓ ୮ ତାଲିକା ଥିଲା । କିନ୍ତୁ ବର୍ତ୍ତମାନ ସୁଦ୍ଧା ଏହା ୪୪୮ ଧାରାରେ ପହଞ୍ଚିଛି । ଏତେ ବଡ଼ ସମ୍ବିଧାନ ବିଶ୍ବର ଅନ୍ୟ କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ । ୨. ନମନୀୟତା-ଅନମନୀୟତାର ସମାହାର ଭାରତର ସମ୍ବିଧାନ ଏକ ଲିଖିତ ସମ୍ବିଧାନ । ଏହାର କେତେକ ଅଂଶ ନମନୀୟ ବା ପରିବର୍ତ୍ତନୀୟ ଓ ଆଉ କେତେ ଅଂଶ ଅନମନୀୟ । ସଂଘଶାସନ ସମ୍ବନ୍ଧୀୟ ଧାରାମାନ, କେନ୍ଦ୍ର ଓ ରାଜ୍ୟ ସରକାର, ବିଧାନମଣ୍ଡଳ ଓ ବିଚାର ସଂସ୍ଥା, କ୍ଷମତା ବିତରଣ ତାଲିକା ଏବଂ ସମ୍ବିଧାନ ସଂଶୋଧନ ପ୍ରଣାଳୀ ଇତ୍ୟାଦି ଅନମନୀୟ । ଏହାକୁ ସଂଶୋଧନ କରିବାକୁ ହେଲେ ୩୬୮ ଧାରା ଅନୁସାରେ ଏକ କଷ୍ଟକର ବିସ୍ତୃତ ପ୍ରଣାଳୀର ଆଶ୍ରୟ ନେବାକୁ ହୁଏ । ନାଗରିକତା ବିଷୟରେ ୧୯୫୬ ମସିହାରେ ଆଇନ ପ୍ରଣୀତ ହୋଇଥିଲା । ମିସା ଆଇନ, ଅସ୍ପୃଶ୍ୟତା ନିବାରଣ ଆଇନ, ରାଷ୍ଟ୍ରପତି ନିର୍ବାଚନ, ଲୋକପ୍ରତିନିଧି ଆଇନଦ୍ୱାରା ସମ୍ବିଧାନର କେତେକ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଯାଇଛି । ୩. କେନ୍ଦ୍ର ଓ ରାଜ୍ୟ ସ୍ତରରେ ସରକାର ଭାରତର ସମ୍ବିଧାନରେ ଉଭୟ କେନ୍ଦ୍ର ଓ ରାଜ୍ୟକପ କ୍ଷମତା ପ୍ରଦାନ କରା ଯାଇଛି । କ୍ଷମତାର ଏପରି ଆବଣ୍ଟନ କରାଯାଇଛି ଯେ, ଉଭୟ କେନ୍ଦ୍ର ଓ ରାଜ୍ୟ ପରସ୍ପର ଉପରେ ନିର୍ଭର କରିବାକୁ ବାଧ୍ୟ ହେବେ । ୪. କେନ୍ଦ୍ର ଓ ରାଜ୍ୟମାନଙ୍କ ମଧ୍ୟରେ କ୍ଷମତା ବଣ୍ଟନ ଉଭୟ କେନ୍ଦ୍ର ଓ ରାଜ୍ୟକୁ କ୍ଷମତା ପ୍ରଦାନ କରିଛି ସମ୍ବିଧାନ । କିଛି କ୍ଷମତା ଉପରେ କେନ୍ଦ୍ରର ଅଧିକାର ଥିବାବେଳେ କିଛି କ୍ଷମତା ଉପରେ ରାଜ୍ୟର ଅଧିକାର ରହିଛି । ୫. ସ୍ୱାଧୀନ ଓ ନିରପେକ୍ଷ ସର୍ବୋଚ୍ଚ ନ୍ୟାୟାଳୟ ଅନ୍ୟ ଏକ ସ୍ବତନ୍ତ୍ର କଥା ହେଉଛି, ଭାରତର ନ୍ୟାୟ ପାଳିକା । କେନ୍ଦ୍ର ହେଉ କିମ୍ବା ରାଜ୍ୟ, ଯକୌଣସି ସରକାର କିଛି ଭୁଲ ନିଷ୍ପତ୍ତି ନେଲେ ଏହା ଉପରେ ରୋକ ଲଗାଇବା କାମ କରିବେ ସୁପ୍ରିମ କୋର୍ଟ । ଏଥିପାଇଁ ସୁପ୍ରିମ କୋର୍ଟଙ୍କୁ ସ୍ବାଧିନ ତଥା ନିରପେକ୍ଷ ରଖା ଯାଇଛି । ୬. ସଂଘ ଶାସନ ଓ ଐକିକ ପ୍ରବୃତ୍ତି ଭାରତ ସମ୍ବିଧାନରେ ସଂଘ ଶାସନ ପ୍ରବର୍ତ୍ତିତ ହୋଇଛି । ସଂଘଶାସନରେ ଯେଉଁ ଯେଉଁ ଉପାଦାନ ଦରକାର, ତାହା ଭାରତ ସମ୍ବିଧାନରେ ଉଲ୍ଲେଖ ରହିଛି । ସଂଘଶାସନର ୪ଟି ଉପାଦାନ ଥାଏ । ୭. ସାର୍ବଜନୀନ ଭୋଟ କ୍ଷମତା ସମ୍ବିଧାନର ୩୨୬ ଧାରା ଅନୁସାରେ ପ୍ରତ୍ୟେକ ସାବାଳକ ଭୋଟ କ୍ଷମତା ପାଇଛନ୍ତି । ଧନ, ଶିକ୍ଷା, ଲିଙ୍ଗ, ଧର୍ମ, ଜନ୍ମସ୍ଥାନ, ଜାତି ନିର୍ବିଶେଷରେ ପ୍ରତ୍ୟେକ ସାବାଳକ ଭୋଟ କ୍ଷମତା ପାଇଛନ୍ତି । ୮. ଧର୍ମନିରପେକ୍ଷ ରାଷ୍ଟ୍ର ସମ୍ବିଧାନର ୨୫ ଧାରାରେ ସମସ୍ତ ନାଗରିକଙ୍କୁ ଧର୍ମ ସ୍ୱାଧୀନତା ଦିଆଯାଇଛି । ରାଷ୍ଟ୍ରର କୌଣସି ସରକାରୀ ଧର୍ମ ନାହିଁ । ନିଜ ନିଜ ଧର୍ମ, ଧର୍ମାନୁଷ୍ଠାନ, ଶିକ୍ଷାନୁଷ୍ଠାନ, ଧର୍ମପ୍ରଚାର ଓ ପ୍ରସାର ପାଇଁ ପ୍ରତ୍ୟେକ ବ୍ୟକ୍ତିର ମୌଳିକ ଅଧିକାର ରହିଛି । ୯. ମୌଳିକ କର୍ତ୍ତବ୍ୟ ସମ୍ବିଧାନର ୪୨ ତମ ସଂଶୋଧନଦ୍ୱାରା "ମୌଳିକ କର୍ତ୍ତବ୍ୟ" ଲାଗି ଏକ ସ୍ୱତନ୍ତ୍ର ଅଧ୍ୟାୟ ସନ୍ନିବେଶିତ ହୋଇଛି । ୪୨ ତମ ସଂଶୋଧନ ଦ୍ୱାରା ୧୦ ଟି ମୌଳିକ କର୍ତ୍ତବ୍ୟ ଥିଲା; କିନ୍ତୁ ୨୦୦୨ ମସିହାରେ ହୋଇଥିବା ୮୬ ତମ ସଂଶୋଧନଦ୍ୱାରା ଆଉ ଏକ କର୍ତ୍ତବ୍ୟ ଯୋଗ କରାଯାଇଥିଲା । ଅନ୍ୟାନ୍ୟ ବୈଶିଷ୍ଟ୍ୟ ସମ୍ବିଧାନର ଅନେକ ଛୋଟ ଛୋଟ ଉପାଦାନ ମଧ୍ୟ ରହିଛି । ଯଥା - ଏକ ନାଗରିକତା, ଦ୍ୱିସଦନତା, ଜରୁରୀକାଳୀନ ବ୍ୟବସ୍ଥା, ସର୍ବଭାରତୀୟ ସେବା ସଂସ୍ଥା, କ୍ଷମତା ସ୍ୱତନ୍ତ୍ରୀକରଣ, ସଂଖ୍ୟାଲଘୁ ଗୋଷ୍ଠୀର ଭାଷା ଓ ସଂସ୍କୃତିର ସଂରକ୍ଷଣ, ଜାତୀୟ ଭାଷା ନିର୍ଦ୍ଧାରଣ, ସାମ୍ବିଧାନିକ ଆଚରଣ ପଦ୍ଧତି, ବୈଦେଶିକ ନୀତି ନିର୍ଦ୍ଧାରଣ, ସମ୍ବିଧାନ ସଂଶୋଧନ ବ୍ୟବସ୍ଥା, ତଫସିଲ ଜାତି ଓ ଉପଜାତିର ମଙ୍ଗଳ ବିଧାନ, ପ୍ରତ୍ୟେକ ରାଜ୍ୟର ଅଞ୍ଚଳ ନିର୍ଦ୍ଧାରଣ, ଅର୍ଥନୈତିକ କ୍ଷମତା ବିସ୍ତୃତିକରଣ, ବାଣିଜ୍ୟ ବ୍ୟବସାୟ ବ୍ୟବସ୍ଥା, ଜାମ୍ମୁ- କାଶ୍ମୀର, ଆନ୍ଧ୍ର ପ୍ରଦେଶ, ଗୁଜୁରାତ, ନାଗାଲାଣ୍ଡ, ସିକିମ, ମଣିପୁର, ଆସାମ ପ୍ରଭୃତି ରାଜ୍ୟଗୁଡ଼ିକ ବିଷୟରେ ବିଶେଷ ବ୍ୟବସ୍ଥା ମାନ ରହିଛି । ସର୍ବୋପରି ୪୨ ତମ ସମ୍ବିଧାନ ସଂଶୋଧନରେ ଭାରତକୁ ସମାଜବାଦୀ ରାଷ୍ଟ୍ର ରୂପେ ଘୋଷଣା କରାଯାଇ ମୁଖବନ୍ଧର ସଂଶୋଧନ କରାଯାଇଛି । ୬୪ ତମ ସମ୍ବିଧାନ ସଂଶୋଧନଦ୍ୱାରା ପଞ୍ଚାୟର ରାଜ୍ୟକୁ ସ୍ୱାତନ୍ତ୍ର୍ୟ, ମାନ୍ୟତା ଓ ଅର୍ଥନୈତିକ କ୍ଷମତା ଦିଆଯାଇଛି । ଭାରତୀୟ ସମ୍ବିଧାନ ହେଉଛି ଭାରତର ସର୍ବୋଚ୍ଚ ବିଧି । ଏହି ନଥିପତ୍ରଟି ଭାରତରେ ପ୍ରଶାସନର ସଂରଚନା, ଗଠନ, କାର୍ଯ୍ୟଶୈଳୀ, ନୀତିନିୟମ, ଅଧିକାର, କର୍ତ୍ତବ୍ୟ ଆଦି ବିଷୟରେ ମୂଳଦୁଆ ସ୍ଥାପିତ କରିଅଛି । ଏହା ବିଶ୍ୱର ଦୀର୍ଘତମ ଲିଖିତ ସମ୍ବିଧାନ ଅଟେ ।

Share :