ବେଦାନ୍ତର ଏଜେଣ୍ଟ ସାଜିଲେ ସରକାର !

ବେଦାନ୍ତର ଏଜେଣ୍ଟ ସାଜିଲେ ସରକାର !

Share :

ନିୟମଗିରି ଲୋଭ ଛାଡ଼ୁନି !   ବିଦେଶୀ ବେଦାନ୍ତ କମ୍ପାନୀଠାରୁ ଓଡ଼ିଶା ସରକାରଙ୍କର କିଏ କେତେ ଟଙ୍କା ଖାଇଛନ୍ତି କେଜାଣି ପ୍ରାଚୀନ ଆଦିବାସୀ ଡଙ୍ଗରିଆ କନ୍ଧମାନଙ୍କୁ ବିଲୋପ କରିବା ପାଇଁ ସମଗ୍ର ସରକାରକୁ ବାଜିରେ ଲଗାଇ ଦେଇଛନ୍ତି ।  ନିୟମଗିରିର ସମୃଦ୍ଧ ଜୈବ ବିବିଧତା, ନିର୍ମଳ ତଥା ଚିରସ୍ରୋତା ଜଳଉତ୍ସ ଏବଂ ଓଡ଼ିଶାର ମାନବିକ ଐତିହ୍ୟ ଡଙ୍ଗରିଆ କନ୍ଧମାନଙ୍କୁ ଧ୍ବଂସ ଓ ବିଲୋପ କରିବା ପାଇଁ ବେଦାନ୍ତ କମ୍ପାନୀର ଏଜେଣ୍ଟ ଭାବେ କାର୍ଯ୍ୟ କରିବାକୁ ବି ନବୀନ ସରକାର ପଛାଇ ନାହାନ୍ତି ।  ସେଥିପାଇଁ ସାମ୍ବିଧାନିକ ବ୍ୟବସ୍ଥାକୁ ଉଲ୍ଲଙ୍ଘନ କରିବାକୁ ସୁପ୍ରିମ କୋର୍ଟରେ ପୁଣି ଥରେ ଆବେଦନ କରିଛନ୍ତି, ନିୟମଗିରିରେ ଆଉ ଥରେ ଜନସଭା ହେଉ ।  ଆଉ ସୁପ୍ରିମ କୋର୍ଟଙ୍କ ନୂଆ ରାୟ ମିଳିବା ଆଶାରେ ନିୟମଗିରିରେ ସିଆରପିଏଫ ଲଗାଇ କନ୍ଧମାନଙ୍କୁ ନକ୍ସଲ ନାମରେ ଗିରଫ କରାଯାଉଛି, ସେମାନଙ୍କୁ ଜାଗା ଛାଡ଼ି ଚାଲିଯିବାକୁ ଧମକ୍ ଦିଆଯାଉଛି । ରାୟଗଡ଼ା ଓ କଳାହାଣ୍ଡି ସୀମାରେ ଥିବା ନିୟମଗିରି ଇଲାକା ସମ୍ବିଧାନର ପଂଚମ ପରିଚ୍ଛଦ ଅନ୍ତର୍ଗତ ତଫସିଲଭୁକ୍ତ ଅଂଚଳ ।  ଏହି ଅଂଚଳରେ ପଂଚାୟତିରାଜ ଏକ୍ସେଟେନସନ ଇନ୍ ସିଡିଲ ଏରିଆ ଆଇନ ବା ପେସା କାର୍ଯ୍ୟକାରୀ ହେଉଛି ।  ଏହି ଆଇନ ଅନୁସାରେ ତଫସିଲଭୁକ୍ତ ଆଦିବାସୀ ଅଂଚଳର ଜମି ଅଧିଗ୍ରହଣ, ଶିଳ୍ପ ଓ ବିକାଶ ପ୍ରକଳ୍ପ, ଜଙ୍ଗଲ ଜମି ଅଧିକାର ଆଇନର କାର୍ଯ୍ୟକାରିତା ସମେତ ରାଜ୍ୟ ସରକାରଙ୍କର ସମସ୍ତ ନିଷ୍ପତ୍ତି, ଆଇନ ଓ ଅଧ୍ୟାଦେଶ ପାଇଁ ସଂପୃକ୍ତ ଅଂଚଳରେ ବସବାସ କରୁଥିବା ଆଦିବାସୀମାନଙ୍କର ଗ୍ରାମସଭାର ଅନୁମୋଦନ ଆବଶ୍ୟକ ।  ଆଦିବାସୀମାନଙ୍କର ବିନା ଅନୁମତିରେ ତଫସିଲଭୁକ୍ତ ଅଂଚଳର ଜମି, ଜଳ, ଜଙ୍ଗଲ, ଜୀବିକା, ସଂସ୍କୃତି ଆଦି ନେଇ ରାଜ୍ୟ ସରକାର କୌଣସି ଆଇନ ପ୍ରଣୟନ କରିପାରିବେ ନାହିଁ ।  ଓଡ଼ିଶାର ନବୀନ ପଟ୍ଟନାୟକ ସରକାର କିନ୍ତୁ ରାଜ୍ୟ କ୍ଷମତାର ଅପବ୍ୟବହାର କରି ଏହି ଆଇନର ଖିଲାଫ କରି ନିୟମଗିରି ପାହାଡ଼କୁ ବେଦାନ୍ତ ପାଇଁ ଓଏମସିର ଖଣି ପ୍ରକଳ୍ପରେ ଏବଂ ଲାଂଜିଗଡ଼ରେ ବେଦାନ୍ତ ଆଲୁମିନା କାରଖାନା ନିର୍ମାଣ କରିଥିଲେ ।  ଲାଂଜିଗଡ଼ର ଜଙ୍ଗଲାଂଚଳରେ ବେଦାନ୍ତ କାରଖାନା ତିଆରି ସରିବା ପରେ ଯାଇଁ ଜଗତ ଜାଣିଲା ।  ତା’ପୂର୍ବରୁ ସରକାର ଏ ବିଷୟରେ କାହାକୁ କିଛି ଜଣେଇ ନଥିଲେ ।  ଲୋକମାନଙ୍କୁ ଅନ୍ଧାରରେ ରଖି ଚୋରଡକାୟତ ପରି ରାଜ୍ୟ ସରକାର ତତ୍କାଳୀନ ଜିଲ୍ଲାପାଳଙ୍କୁ ବେଦାନ୍ତ ଏଜେଣ୍ଟ ଭାବେ ନିଯୁକ୍ତ କରି ଏହି କାର୍ଯ୍ୟ କରାଇ ନେଇଥିଲେ ।  ଏହି କାରଖାନାକୁ ସଂପୃକ୍ତ ଅଂଚଳର ସଂଖ୍ୟାଧିକ ଆଦିବାସୀ ଏବେ ବି ବିରୋଧ କରୁଛନ୍ତି ।  ଏଯାଏଁ ପେସା ଆଇନ ଅନୁସାରେ କୌଣସି ଗ୍ରାମସଭା ବେଦାନ୍ତର ଲାଂଜିଗଡ଼ କାରଖାନାକୁ ଅନୁମତି ପ୍ରଦାନ କରିନାହିଁ । ସେହିପରି ଏହି ଆଇନ ଓ ସାମ୍ବିଧାନିକ ବ୍ୟବସ୍ଥା ଉଲ୍ଲଙ୍ଘନ କରି ନବୀନ ସରକାର ଲଣ୍ଡନସ୍ଥିତ ଅନୀଲ ଅଗ୍ରବାଲଙ୍କ ବେଦାନ୍ତ କମ୍ପାନୀ ପାଇଁ ନିୟମଗିରିରେ ବକ୍ସାଇଟ୍ ଖଣି ପ୍ରକଳ୍ପ ଆରମ୍ଭ କରିଥିଲେ ।  ପ୍ରଥମେ ଓଡ଼ିଶା ଖଣି ନିଗମକୁ ଏହି ଖଣି ଦିଆଯାଇଥିଲା ।  ପରେ ବେଦାନ୍ତର ସ୍ବାର୍ଥ ପାଇଁ ଏହାକୁ ଦିଆଗଲା ।  ତାହାକୁ ହାଇକୋର୍ଟ ବିରୋଧ କରିବାକୁ ପୁଣ ବେଦାନ୍ତର ସହଯୋଗୀ କମ୍ପାନୀ ଷ୍ଟେର୍ଲାଇଟ୍ ସହିତ ମିଶି ଓଡ଼ିଶା ସରକାରଙ୍କ ଓଡ଼ିଶା ଖଣି ନିଗମ ଏକ ଯୌଥ ଉଦ୍ୟୋଗ ଗଠନ କଲେ ।  ଏହି ଯୌଥ ଉଦ୍ୟୋଗ ଲୋକମାନଙ୍କର ସହମତି ନନେଇ, ଅଧିକନ୍ତୁ ସଂଖ୍ୟାଧିକ ଲୋକଙ୍କ ବିରୋଧ ସତ୍ତ୍ବେ ନିୟମଗିରିରେ ଖଣି ଖନନ ଆରମ୍ଭ କରିଦେଇଥିଲେ । ତେବେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ଅନେକ ବୁଦ୍ଧିଜୀବୀ, ମାନବାଧିକାର କର୍ମୀ, ଆଦିବାସୀ ସମାଜ ଓ ସଂସ୍କୃତି କ୍ଷତ୍ରରେ କାର୍ଯ୍ୟ କରୁଥିବା ଗବେଷକ, ଜଙ୍ଗଲ ଓ ପରିବେଶ ସୁରକ୍ଷା କରୁଥିବା ସ୍ବେଚ୍ଛାସେବୀ ଏବଂ ପରିବେଶବିଦଙ୍କ ମିଳିତ ଉଦ୍ୟମରେ ଏହି ମାମଲା ସୁପ୍ରିମ କୋର୍ଟରେ ଉଠିଥିଲା ଏବଂ ସୁପ୍ରିମ କୋର୍ଟ ୨୦୧୩ ଏପ୍ରିଲ ୧୮ ତାରିଖରେ ନିୟମଗିରିରେ ଖଣି ପ୍ରକଳ୍ପ ପାଇଁ ଗ୍ରାମସଭା କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ।  ଏହି ନିଦ୍ଦେର୍ଶ ଅନୁସାରେ ରାଜ୍ୟ ସରକାର ଲୋକ ଦେଖାଣିଆ ସହମତି ଆଦାୟ କରିବାକୁ ୧୨ଟି ଗାଁ ବାଛିଥିଲେ ।  ରାଜ୍ୟ ସରକାରଙ୍କ ଯେଉଁ ଗାଁଗୁଡ଼ିକୁ ବାଛିଥିଲେ ସେହି ଗାଁ ସବୁ ହେଲା ରାୟଗଡ଼ା ଜିଲ୍ଲାର ସର୍କାପାଡ଼ି, କେଶରପାଡ଼ି, ଖମ୍ବେସି, ଜରପା, ବାଥୁଡ଼ି ଓ ଲଖପଦର ଏବଂ କଳାହାଣ୍ଡି ଜିଲ୍ଲାର ତାଡ଼ିଝୋଲା, ପାଲବେରି, ଫୁଲଡୁମର, ଇଜୁରୁପା ଏବଂ କୁନାକୁଡ଼ା ।  ଏସବୁ ଗାଁର ମୋଟ ଭୋଟର ସଂଖ୍ୟା ସେତେବେଳେ ମାତ୍ର ୯୮୫ ଥିଲା ।  ରାଜ୍ୟ ସରକାର ଭାବିଥିଲେ ଏତିକି ଅଳ୍ପ ଲୋକଙ୍କୁ ବୁଝେଇ ବା ଧମକେଇ ସହମତି ହାସଲ କରିହେବ ।  କିନ୍ତୁ ତାହା ହୋଇ ନଥିଲା ।  ୨୦୧୩ ଅଗଷ୍ଟ ୧୯ ତାରିଖ ମଧ୍ୟରେ ସମସ୍ତ ଗ୍ରାମସଭା ଶେଷ ହୋଇଥିଲା ଏବଂ ସମସ୍ତ ଗ୍ରାମସଭାର ଶତ ପ୍ରତିଶତ ଭୋଟର ବକ୍ସାଇଟ୍ ଖଣି ପ୍ରକଳ୍ପ ବିରୋଧରେ ମତ ଦେଇଥିଲେ ।  ଫଳରେ ପ୍ରକଳ୍ପ ବାତିଲ ହୋଇଥିଲା ।   କିନ୍ତୁ ଲୋଭ ମଲା ନାହିଁ ।  ବେଦାନ୍ତ ଓ ଓଡ଼ିଶା ସରକାର କଳେବଳେ କୌଶଳେ ନିୟମଗିରି ଓ ଡଙ୍ଗରିଆ କନ୍ଧଙ୍କୁ ଧ୍ବଂସ କରିବା ପାଇଁ ଯେମିତି ବଦ୍ଧ ପରିକର ।  ଏ ଘଟଣାର ତିନି ବର୍ଷ ପରେ ପୁଣି ଥରେ ନିୟମଗିରି ଲୁଟ୍ କରିବାକୁ ଆରମ୍ଭ ହୋଇଛି ସରକାରୀ ଷଡ଼ଯନ୍ତ୍ର ।  ଖଣି ପ୍ରକଳ୍ପ ପାଇଁ ନିୟମଗିରିରେ ଆଉ ଥରେ ଗ୍ରାମ ସଭା କରାଇବାକୁ ଓଡ଼ିଶା ଖଣି ନିଗମ ସୁପ୍ରିମ କୋର୍ଟରେ ଆବେଦନ କରିଛି ।  ରାଜ୍ୟ ସରକାରଙ୍କ  ଆଇନ ବିଭାଗ ଏଥିପାଇଁ କ୍ଷେତ୍ର ପ୍ରସ୍ତୁତ କରିବା ସହିତ ଓକିଲ ଚୟନ କରିଛି ।  ଏହି ଆବେଦନ ଉପରେ ସୁପ୍ରିମ କୋର୍ଟଙ୍କ ସକାରାତ୍ମକ ରାୟ ଆଶା କରି ଇତିମଧ୍ୟରେ ରାଜ୍ୟ ସରକାରଙ୍କ ପୁଲିସ ବଳ ନିୟମଗିରି ସୁରକ୍ଷା ସମିତିର ଲଦୋ ସିକୋକାଙ୍କ ସମେତ ପ୍ରାୟ ଅଧ ଡଜନ କର୍ମୀଙ୍କୁ ଲୁଚାଇ ଦେଇଛି ।  ସେମାନଙ୍କୁ ଅପହରଣ କରାଯାଇଛି କିମ୍ବା ଗିରଫ କରାଯାଇଛି ।  ଏ ନେଇ ସମାନଙ୍କ ସାଙ୍ଗସାଥୀ ଓ ପରିବାରଙ୍କୁ କିଛି ସୂଚନା ଦିଆଯାଉ ନାହିଁ ।  ସେହିପରି ନିୟମଗିରିରେ ନକ୍ସଲ ମାତିଛନ୍ତି ବୋଲି ଗୋଟେ ହାବା କରି ସେଠାରେ ସିଆରପିଏଫ ମୁତୟନ କରାଯାଇଛି ।  ସେମାନଙ୍କ ସହଯୋଗରେ ବେଦାନ୍ତ ଓ ରାଜ୍ୟ ସରକାର ନିୟମଗିରି କନ୍ଧ ଗାଁଗୁଡ଼ିକରେ ଦମନଲୀଳା ଚଳାଇଛନ୍ତି ।  ସରକାର ଆଶା କରୁଛନ୍ତି ଏପରି ଧମକରେ ଆଦିବାସୀମାନେ ଡରିଯିବେ ଓ ଆଉ ଥରେ ଗ୍ରାମ ସଭା ହେଲେ ଖଣି କାର୍ଯ୍ୟ ସପକ୍ଷରେ ମତ ଦେଇ ଗାଁ ଛାଡ଼ି ପଳାଇବେ । ସରକାରଙ୍କର ଏପରି ଉଦ୍ୟମ ପଛରେ ଅସାଧୁ ଉଦ୍ଦେଶ୍ୟ ରହିଥିବା ସ୍ପଷ୍ଟ ।  ନହେଲେ ଆଇନ ଅନୁଯାୟୀ ପ୍ରକଳ୍ପ ବାତିଲ ହେବାର ତିନି ବର୍ଷ ପରେ ପୁଣି କାହିଁକି ଖଣି ପାଇଁ ଚିନ୍ତା ? ଏହା କାହାର ସ୍ବାର୍ଥ ପାଇଁ ଉଦ୍ଦିଷ୍ଟ ? ସଂପୃକ୍ତ ଅଂଚଳର ଆଦିବାସୀମାନେ ଯଦି ଖଣି ଚାହୁଁ ନାହାନ୍ତି ତେବେ ରାଜ୍ୟ ସରକାର କାହିଁକି ଜିଦ୍ଦି ଧରି ବସିଛନ୍ତି ? ବିକାଶ କାହାର ଦରକାର ? ଲୋକଙ୍କର ନା କମ୍ପାନୀର? ଲୋକେ ଯଦି ମନା କରୁଛନ୍ତି ତାଙ୍କ ଉପରେ ଜବରଦସ୍ତିଆ ବିକାଶ ଲଦିବାରେ ଲାଭ କାହାର ?

Share :