ଶୈଶବରୁ ଆରମ୍ଭ ଭବିଷ୍ୟତ

ଶୈଶବରୁ ଆରମ୍ଭ ଭବିଷ୍ୟତ

Share :

ସ୍ବଦେଶୀ ମେଘ ମହ୍ଲାର ପୃଷ୍ଟି ଆଜିର ଶିଶୁ ଆସନ୍ତାକାଲିର ନାଗରିକ । ଦେଶର ଭବିଷତ ହେଉଛନ୍ତି ଆଜିର ଛୋଟ ଶିଶୁ । ଆମ ଦେଶରେ ପ୍ରତିବର୍ଷ ନଭେମ୍ବର ୧୪ ତାରିଖକୁ ଶିଶୁ ଦିବସ ଭାବରେ ପାଳନ କରାଯାଏ । ଦେଶ ନିର୍ମାଣରେ ଶିଶୁମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହି କଥାକୁ ମର୍ମେ ମର୍ମେ ହୃଦୟଙ୍ଗମ କରିଥିଲେ ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ତଥା ବିଚକ୍ଷଣ ରାଷ୍ଟ୍ରନୀତିଜ୍ଞ ପଣ୍ଡିତ ଜବାହରଲାଲ ନେହେରୁ । କୁନି କୁନି ପିଲାଙ୍କୁ ସେ ଅଜସ୍ର ସ୍ନେହ କରୁଥିଲେ । ସେଥିପାଇଁ ପିଲାମାନେ ତାଙ୍କୁ ସ୍ନେହରେ ‘ଚାଚା ନେହେରୁ’ ବୋଲି ଡାକୁଥିଲେ । ତାଙ୍କ ମତରେ ‘ଶିକ୍ଷା ହିଁ ପ୍ରଗତିର ମୂଳପିଣ୍ଡ’ । ତେଣୁ ଭବିଷ୍ୟତର ନାଗରିକମାନଙ୍କ ଶିକ୍ଷା ଉପରେ ସେ ବିଶେଷ ଧ୍ୟାନ ଦେଇଥିଲେ । ଶିଶୁଙ୍କ ଅଧିକାର, ଦାୟିତ୍ୱ ଓ ଶିକ୍ଷା ବିଷୟରେ ସଚେତନ କରିବା ଉଦ୍ଦେଶ୍ୟରେ ସାର ଦେଶ ପାଳୁଛି ଏହି ମହାନ ଦିବସ । ଦେଶର ଗୌରବ , ଦେଶ ନିର୍ମାଣରେ ତାଙ୍କ ଭୂମିକା ଓ ଅଙ୍ଗୀକାରବଦ୍ଧତାକୁ ବୁଝିଥିଲେ ସିଏ । ସେହି ମହାନ ରାଷ୍ଟ୍ରନେତାଙ୍କର ଜନ୍ମଦିନକୁ ସାରାଦେଶ ଶିଶୁ ଦିବସ ଭାବେ ପାଳନ କରୁଛି । ଶିଶୁଙ୍କ ଅଧିକାର, ଦାୟିତ୍ୱ ଓ ଶିକ୍ଷା ବିଷୟରେ ସଚେତନ କରିବା ଉଦ୍ଦେଶ୍ୟରେ ସାର ଦେଶ ପାଳିଥାଏ ଏହି ଦିବସ । ଜବାହରଲାଲ ନେହେରୁ ଉତ୍ତର ପ୍ରଦେଶର ଆହ୍ଲାବାଦ ସହରରେ ଏକ କଶ୍ମିରୀ ପଣ୍ଡିତ ପରିବାରରେ ୧୮୮୯ ମସିହା ନଭେମ୍ବର ୧୪ ତାରିଖ ଦିନ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ମୋତିଲାଲ ନେହରୁ ଓ ମାତାଙ୍କ ନାମ ସ୍ୱରୂପାରାଣୀ ଥିଲା । ସେ ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ହୋଇଥିଲେ । ଘରୋଇ ଭାବେ ପ୍ରାଥମିକ ଶିକ୍ଷା ସରିବା ପରେ ସେ ପନ୍ଦର ବର୍ଷ ବୟସରେ ଇଂଲଣ୍ଡ ଚାଲିଯାଇଥିଲେ । କ୍ୟାମ୍ବ୍ରିଜ୍ ଅନ୍ତର୍ଗତ ଟ୍ରିନିଟି କଲେଜରୁ ସ୍ନାତକ ଡିଗ୍ରି ହାସଲ କରିବା ପରେ ଲଣ୍ଡନ୍‌ର ଇନର୍ ଟେମ୍ପଲ୍‌ରେ ଆଇନ ଶିକ୍ଷା ସାରିଥିଲେ । ୧୯୧୨ରେ ଭାରତ ଫେରି ସେ କିଛି ବର୍ଷ ଓକିଲାତି କରିଥିଲେ । ୧୯୧୯ରେ ସେ ଜାତୀୟ କଂଗ୍ରେସରେ ଯୋଗ ଦେଲେ । ସେ ମହାତ୍ମା ଗାନ୍ଧୀଙ୍କ ଦ୍ବାରା ଗଭୀର ଭାବେ ପ୍ରଭାବିତ ହୋଇଥିଲେ। ଦେଶର ସର୍ବପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ସ୍ବାଧୀନ ଭାରତକୁ ବିଶ୍ବରେ ପ୍ରତିଷ୍ଠିତ କରାଇବାରେ ଜବାହରଲାଲ ନେହରୁଙ୍କ ଭୂମିକା ଅବିସ୍ମରଣୀୟ । ସ୍ବାଧୀନତା ଆନ୍ଦୋଳନରେ ତାଙ୍କର ଭୂମିକା ଯେତିକି ଗୁରୁତ୍ବପୂର୍ଣ୍ଣ, ସ୍ବାଧୀନୋତ୍ତର ଭାରତର ଭାଗ୍ୟ ନିର୍ଦ୍ଧାରଣରେ ତାଙ୍କର ଅବଦାନ ସେତିକି ଅବିସ୍ମରଣୀୟ । ସ୍ବାଧୀନତା ଆନ୍ଦୋଳନରେ ସାମିଲ ହୋଇ ସେ ଅନେକ ଥର କାରାବରଣ କରିଥିଲେ । ୧୯୨୯ରେ ପ୍ରଥମ ଥର ସେ ଜାତୀୟ କଂଗ୍ରେସର ସଭାପତି ନିର୍ବାଚିତ ହୋଇଥିଲେ । ୧୯୪୭ ଅଗଷ୍ଟ ୧୫ରେ ସେ ସ୍ବାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ହେଲେ । ଗଣତନ୍ତ୍ର, ସମାଜବାଦ, ଏକତା ଓ ଧର୍ମନିରପେକ୍ଷତା ତାଙ୍କ ରାଜନୀତିର ଚାରିଟି ମୁଖ୍ୟ ସ୍ତମ୍ଭ ଥିଲା । ଭାରତରେ ମୁକ୍ତ, ଗାଣତାନ୍ତ୍ରିକ ଓ ବିବିଧତାପୂର୍ଣ୍ଣ ରାଜନୀତି ବ୍ୟବସ୍ଥାର ପ୍ରତିଷ୍ଠା କରି ପ୍ରତ୍ୟେକଙ୍କ ଜୀବନରେ ଉନ୍ନତି ଆଣିବା ଉପରେ ସେ ସର୍ବାଧିକ ଗୁରୁତ୍ବ ଦେଉଥିଲେ । ଏଥିପାଇଁ ସେ ଜାତି, ଧର୍ମ ଓ ଆର୍ଥିକ ସ୍ଥିତି ନିର୍ବିଶେଷରେ ସଭିଙ୍କର ପ୍ରିୟ ଥିଲେ । ସେ ଦେଶରେ ବିଶାଳ ସରକାରୀ ଶିଳ୍ପ ପ୍ରତିଷ୍ଠା ପାଇଁ ପ୍ରଥମେ ଅଣ୍ଟା ଭିଡ଼ିଥିଲେ । ଜନମାନସରେ ବୈଜ୍ଞାନିକ ଭାବନା ଜାଗ୍ରତ କରାଇବା ଦିଗରେ ସେ କ୍ରିୟାଶୀଳ ଥିଲେ। ତାଙ୍କ ଦ୍ବାରା ସ୍ଥାପିତ ଅନୁଷ୍ଠାନଗୁଡ଼ିକ ଦେଶରେ ଶକ୍ତିଶାଳୀ ତଥା ସକ୍ରିୟ ଗଣତନ୍ତ୍ରର ମୂଳଦୁଆ ପକାଇଥିଲା। ସେହିପରି ଲେଖକ, ଐତିହାସିକ ଓ ବକ୍ତା ଭାବେ ପଣ୍ଡିତ ନେହରୁଙ୍କ ପ୍ରସିଦ୍ଧି ଅନନ୍ୟ। ବନ୍ଦୀ ସମୟରେ ସେ ‘ଦ ଡିସ୍‌କଭରି ଅଫ୍ ଇଣ୍ଡିଆ’ ରଚନା କରିଥିଲେ। ‘ଗ୍ଲିମ୍ପ୍‌ସେସ୍ ଅଫ ଵାର୍ଲଡ୍ ହିଷ୍ଟ୍ରି’, ‘ଆନ୍ଅ ଟୋବାୟୋଗ୍ରାଫି’, ‘ଲେଟର୍ସ ଫ୍ରମ୍ ଏ ଫାଦର୍‌ ଟୁ ହିଜ୍ ଡଟର୍’ ଆଦି ତାଙ୍କର କେତେକ ଲୋକପ୍ରିୟ ପୁସ୍ତକ। ୧୯୫୫ରେ ତାଙ୍କୁ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ‘ଭାରତରତ୍ନ’ ପ୍ରଦାନ କରାଯାଇଥିଲା। ୧୯୬୪ ମେ ୨୭ରେ ଏହି ମହାନାୟକଙ୍କର ପରଲୋକ ଘଟିଥିଲା। ଭାରତୀୟ ଶିଶୁଙ୍କ ପାଇଁ ସେ ଥିଲେ ପ୍ରିୟ ‘ଚାଚା ନେହରୁ’। ଶିଶୁଙ୍କ ପ୍ରତି ନେହରୁଙ୍କ ଅନାବିଳ ସ୍ନେହ ଯୋଗୁଁ ତାଙ୍କର ଜନ୍ମଦିନକୁ ଶିଶୁ ଦିବସ ଭାବେ ପାଳନ କରାଯାଉଛି। ୧୯୬୪ ମସିହା ମଇ ମାସ ୨୭ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା । ନେହେରୁଙ୍କ ଦେହାନ୍ତ ପରେ ପିଲାଙ୍କ ପ୍ରତି ତାଙ୍କ ଭଲ ପାଇବାକୁ ସମ୍ମାନ ଜଣାଇ ତାଙ୍କ ଜନ୍ମଦିବସକୁ ଶିଶୁ ଦିବସ ଭାବେ ପାଳନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଏ ସମ୍ପର୍କରେ ସଂସଦରେ ପ୍ରସ୍ତାବ ପାରିତ କରାଯାଇଥିଲା । ଏହାପରେ ପ୍ରଥମ ଥର ପାଇଁ ୧୯୬୫ରେ ଶିଶୁ ଦିବସ ପାଳନ କରାଯାଇଥିଲା । ୧୯୬୪ ପୂର୍ବରୁ ୨୦ ନଭେମ୍ବରକୁ ଶିଶୁ ଦିବସ ଭାବେ ପାଳନ କରାଯାଉଥିଲା । କାରଣ ମିଳିତ ଜାତିସଂଘ ଦ୍ବାରା ୧୯୫୪ ମସିହାରେ ୨୦ ନଭେମ୍ବରକୁ ଶିଶୁ ଦିବସ ଭାବେ ପାଳନ କରିବା ପାଇଁ ଘୋଷଣା କରାଯାଇଥିଲା । ନେହରୁଙ୍କ କହିବାନୁଯାୟୀ ଛୋଟ ପିଲା ଦେଶର ଭବିଷ୍ୟତ । ସେମାନଙ୍କର ରକ୍ଷଣାବେକ୍ଷଣ କରିବା ସହ ତାଙ୍କୁ ଭଲ ପାଇବା ଦେବା ଉଚିତ୍ । ଯାହାଫଳରେ ସେମାନେ ଭବିଷ୍ୟତରେ ନିଜ ଗୋଡରେ ଛିଡା ହୋଇ ପାରିବେ । ସେ ସୁନ୍ଦର, ନିଷ୍କପଟ, ସରଳ ଓ ନିଷ୍ପାପ । ଶିଶୁ ହେଉଛି ଇଶ୍ୱରଙ୍କ ପ୍ରତିରୂପ । ଜାତିସଂଘର ପୂର୍ବତନ ମହାସଚିବ କୋଫିଆନନ କହିଥିଲେ ଦେଶର ଅଗ୍ରଗତି ବିଷୟରେ ଜାଣିବା ପାଇଁ କୌଣସି ବିଶେଷ, ଅତ୍ୟାଧୁନିକ ଯନ୍ତ୍ରପାତିର ଆବଶ୍ୟକତା ନାହିଁ । ଶିଶୁର ଶାରିରୀକ ଓ ମାନସିକ ବିକାଶ ହେଉଛି ଦେଶ ବିକାଶର ପ୍ରକୃତ ମାପକାଠି । କିନ୍ତୁ ଆଜି ଆମ ଦେଶରେ ପ୍ରତିବର୍ଷ ଅନେକ ପିଲା ଖାଦ୍ୟଅଭାବରୁ ଭିନ୍ନ ରାସ୍ତାରେ ପାଦ ଦେଉଛନ୍ତି । ସେମାନଙ୍କ ଭିତରୁ ଅନେକ ବୈଜ୍ଞାନିକ, ଡାକ୍ତର , ଦାର୍ଶନିକ ହୋଇନଥାନ୍ତେ ବୋଲି କିଏ କହିଥାନ୍ତା ? ଅନେକ ଶିଶୁ ଦାରିଦ୍ର୍ୟ ରୂପକ ଶ୍ମଶାନରେ ସମାଧି ନେଉଛି । ୨୦୧୦ ପରିସଂଖ୍ୟାନ ଅନୁଯାୟୀ ଖାଦ୍ୟାଭାବ ଓ ପୃଷ୍ଟିହୀନତାରେ ଶିଶୁଙ୍କ ମୃତ୍ୟୁ ସଂଖ୍ୟା ୧୮୦ ମିଲିୟନ ହୋଇଥିବା ବେଳେ ଏହାକ ଏକ ତୃତୀୟାଂଶ କେବଳ ଭାରତର ଶିଶୁ । ଶିଶୁଙ୍କ ଭରସାରେ ଦେଶ । ଏକଥାକୁ ଏଡାଇ ଦିଆଯାଇନପାରେ । ଆଜି ପ୍ରକୃତରେ ଭଲ ମଣିଷର ଘୋର ଅଭାବ ରହିଛି । ସବୁଠି ଖୋଜା ଚାଲିଛି ଭଲ ମଣିଷ । ତେବେ ସବୁଠି ପରିବେଶ ବଦଳି ଯାଇଛି । ବିଦ୍ୟାଳୟର ଶୈକ୍ଷିକ ପରିବେଶ ଆଉ ନାହିଁ । ବିଦ୍ୟାଳୟ ଠାରୁ ଆରମ୍ଭ କରି ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ସବୁଠିୁ ମଣିଷ ତିଆରି କାରଖାନା ବଦଳରେ ମନି ମେକିଂ କାରଖାନାରେ ପରିଣତ ହୋଇଛି । ଏଠି ଆଜି ଶିଶୁ ବିଭିନ୍ନ ଉପାୟରେ ପେଷି ହୋଇଯାଉଛି । ନେପୋଲିୟନ ବୋନାପାର୍ଟ କହିଥିଲେ "Women are nothing but machines for producing children" । ଯେଉଁ ସୃଷ୍ଟିରେ ମହିଳାମାନଙ୍କ ପ୍ରତି ଏପରି ଭାବାବେଗ ପୋଷଣ କରାଯାଏ, ସେଠାରେ ଶିଶୁର ବିକାଶ କିପରି ହେବ ତାହା ନିହାତି ଭାବେ ଚିନ୍ତନୀୟ । ଶିଶୁର ପ୍ରଥମ ଶିକ୍ଷକ ହେଉଛି ତା'ର ମା' । ମା ଶିକ୍ଷିତ ହେଲେ ଶିଶୁର ମଧ୍ୟ ବିକାଶ ହେବ । ବିକଶିତ ଦେଶମାନଙ୍କରେ ମାତୃ ଶିକ୍ଷା ସର୍ବାଗ୍ରେ, କିନ୍ତୁ ବିକଶିତ ଦେଶରେ ଆଜି ମଧ୍ୟ ମହିଳାଙ୍କୁ ଘର କାମ କରିବାର ମେସିନ ଭାବେ ପରିଗଣିତ କରାଯାଏ । ସମ୍ଭାବନାମୟ ଶିଶୁମାନେ ଆମ ଜାତିର ଭବିଷ୍ୟତ । ପ୍ରତ୍ୟେକ ଶିଶୁ ଦେବଶିଶୁ । ଶିଶୁମାନେ ଶାନ୍ତ, ସରଳ ଓ ନିରୀହ । ଯେଉଁ ଗ୍ରହ ଯେତେ ଛୋଟ ସେ ସୂର୍ଯ୍ୟଙ୍କର ସେତେ ନିକଟତର । ସେହିପରି ଯେଉଁ ଶିଶୁ ଯେତେ ଛୋଟ, ସେ ଈଶ୍ୱରଙ୍କର ସେତେ ନିକଟତର । କିନ୍ତୁ ସେ ପରାଧୀନ । ବଡ଼ମାନଙ୍କ ଦ୍ୱାରା ନିୟନ୍ତ୍ରିତ । ନିହାତି ଛୋଟ ଶିଶୁ ନିଜ ପାଇଁ କ’ଣ ଭଲ ତାହା ଜାଣନ୍ତି ନାହିଁ । ଟିକିଏ ବୁଦ୍ଧି ଆସିଲେ ନିଜ ପାଇଁ କ’ଣ ମଙ୍ଗଳକର ଜାଣିପାରିଲେ ମଧ୍ୟ କିଛି କରିପାରନ୍ତି ନାହିଁ । କିନ୍ତୁ ଏ ଦୁନିଆଁରେ ଅନେକ କଥା ଜାଣିବା ପାଇଁ ସେମାନେ ସ୍ୱଭାବିକ ଭାବରେ ଆଗ୍ରହୀ ଓ କୌତୂହଳି । ପ୍ରତ୍ୟେକ ଶିଶୁ ମଧ୍ୟରେ ମଣିଷ ସମାଜ ପାଇଁ ଅନେକ ଆଶା ଓ ଅସୁମାରୀ ସ୍ୱପ୍ନର ଝଲକ ଥାଏ । ସେମାନେ ଚଳଚଞ୍ଚଳ ଓ ସକ୍ରିୟ । ସ୍ନେହ, ଆଦର ଓ ଶ୍ରଦ୍ଧାର ବଳୟ ଭିତରେ ଖେଳିବା, ଶିଖିବା ଓ ବଢ଼ିବା ହେଉଛି ସେମାନଙ୍କର ସମୟ । ଆ ଜହ୍ନମାମୁଁ ସରଗ ଶଶୀ, ଡାମରା କାଉରେ ଡାମରା କାଉ. . . ଏ ସବୁ କେବଳ ଶ୍ରୁତିମଧୁର ଗୀତ ନୁହେଁ, ଏଗୁଡ଼ିକ ଭିତର ଦେଇ ଧୀରେ ଧୀରେ ତା’ ଚାରି ପାଖର ପରିବେଶ ସହ ନିଜକୁ ସଂଯୋଜିତ କରିବାକୁ ଶିଖେ । ସମସ୍ତଙ୍କର ସହଯୋଗ ଓ ପାରସ୍ପରିକ ସଂହତି ମଧ୍ୟରେ ସେମାନଙ୍କର ବର୍ତ୍ତମାନ ବିତିବା କଥା । ବୟସ ବଢ଼ିବା ସଙ୍ଗେ ସଙ୍ଗେ ସେମାନେ ନୂଆ ନୂଆ ଅନୁଭୂତି ଅର୍ଜନ କରିଥାନ୍ତି ଓ ଏହା ସେମାନଙ୍କର ଦୃଷ୍ଟିଭଙ୍ଗୀ ବଦଳାଇ ଚାଲିଥାଏ । ସେମାନଙ୍କ ଭିତରେ ଥିବା ଦେବତ୍ୱ ପ୍ରକୃତିର ବିକାଶ ଘଟାଇ ପରିପୂର୍ଣ୍ଣ ମଣିଷ ରୂପେ ଗଢ଼ି ତୋଳିବା ସମାଜର କର୍ତ୍ତବ୍ୟ । ଫିଡୋର ଦୋସ୍ତୋଇଭସ୍କିଙ୍କ ମତରେ "ପିଲାଙ୍କ ସହ ରହିବା ଦ୍ବାରା ଆତ୍ମା ମଧ୍ୟ ​​ସୁସ୍ଥ ହୋଇଯାଏ ।" ଅର୍ଥାତ୍ ପିଲାଙ୍କ ସ୍ବରୂପ ଆତ୍ମାକୁ ପବିତ୍ର କରେ । ତାଙ୍କର ହସ ହସ ମୁହଁ ଆନନ୍ଦ ପ୍ରଦାନ କରେ । ତେଣୁ ଅବହେଳିତ ଶିଶୁମାନଙ୍କ ଯତ୍ନ ବିଶ୍ୱବାସୀଙ୍କର ପ୍ରଥମ କର୍ତ୍ତବ୍ୟ ହେବା ଆବଶ୍ୟକ । ଶିଶୁମାନେ ଦେଶ ଓ ଜାତିର ସବୁଠୁଁ ମୂଲ୍ୟବାନ୍ ସମ୍ପତ୍ତି, ସମ୍ୱଳ ଓ ବିଭୂତି । ସେମାନେ ଅଫୁଟା କଢ଼ । ଅନେକ ସୁନ୍ଦର ସମ୍ଭାବନାରେ ଭରପୁର । ଶିଶୁପିଢ଼ିକୁ ଜ୍ଞାନ, ଶକ୍ତି ଓ ସମ୍ୱଳରେ ବଳିଷ୍ଠ କଲେ ଦେଶ ଶକ୍ତ ହୋଇଥାଏ । ସେମାନଙ୍କର ବ୍ୟକ୍ତିଗତ ବିକାଶ ଓ ସାମାଜିକ ଅବଦାନରେ ଏ ଜାତିର ଭବିଷ୍ୟତ ମୂଳଦୁଆ ମଜବୁତ୍ ହୋଇଥାଏ । ଶିଶୁମାନେ ଯେତେ ବିକଶିତ ଦେଶ ସେତେ ଅଧିକ ଉନ୍ନତ ହୋଇଥାଏ । ସେମାନେ ହେଉଛନ୍ତି ଭବିଷ୍ୟତର କର୍ଣ୍ଣଧାର । ମାତ୍ର ବିଡ଼ମ୍ୱନାର କଥା ଅଧିକାଂଶ ଶିଶୁ ଆଜି ଅବହେଳାର ପାତ୍ର । ଅନେକ କ୍ଷେତ୍ରରେ ସେମାନଙ୍କର ସ୍ଥିତି ଦୋଦୁଲ୍ୟମାନ ଓ ସୁରକ୍ଷା ସଙ୍କଟାପନ୍ନ । ନିଜ ଜୀବନ ଧାରଣ କରିବା ସେମାନଙ୍କ ପକ୍ଷରେ ଅସମ୍ଭବ ହୋଇ ପଡୁଛି । ବିକାଶ କଥା ପଚାରେ କିଏ ? ସେମାନେ ସେମାନଙ୍କର ଅଧିକାରରୁ ବଞ୍ଚିତ । ସଚେତନ ବ୍ୟକ୍ତିମାନେ ଏଥିପାଇଁ ଚିନ୍ତା ପ୍ରକଟ କଲେଣି । ଶିଶୁମାନଙ୍କୁ ସେମାନଙ୍କର ଅଧିକାର ମିଳୁ ବୋଲି ଚାରିଆଡ଼େ ତତ୍ପରତା ପ୍ରକାଶ ପାଇଲାଣି । ଶିଶୁର ଭବିଷ୍ୟତ ଉତ୍ତମ ଓ ଉଜ୍ଜ୍ୱଳ ହେଉ ବୋଲି ବିଶ୍ୱବାସୀ ଅନୁଭବ କଲେଣି । ଶିଶୁଟିଏ ଛୋଟ ହେଲେ ବି ତାକୁ ବୁଝିବା ବଡ଼ମାନଙ୍କ ପକ୍ଷେ ଏତେ ସହଜ କଥା ନୁହେଁ । ସେ କାହାକୁ ଡରେ, କେଉଁ ଖେଳ ଖେଳିବାକୁ ଚାହେଁ, କେଉଁମାନଙ୍କୁ ସେ ତା’ର ପ୍ରିୟ ସାଥୀ ବାଛେ, ଆଉ କାହାକୁ ଆଦର୍ଶ ଭାବି ନିଏ-ଶିଶୁ ପାଇଁ ଏତେ କଥା ଭାବିବାକୁ, ଅନେକ ଅଭିଭାବକଙ୍କ ପାଖରେ ସମୟ ନ ଥାଏ । ଖାଲି ଶିଶୁମାନଙ୍କର ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ଅର୍ଥ ବିନିଯୋଗ କରିଦେଲେ ଚଳିବ ନାହିଁ, ସେମାନଙ୍କ ସମୟୋପଯୋଗୀ ଉପଯୁକ୍ତ ଯତ୍ନ ଓ ତତ୍ତ୍ୱାବଧାନ ଓ ଦିଗ୍‌ଦର୍ଶନ ଅତି ଜରୁରୀ । ଆଜିର ସଚେତନତା କାଲିର ବିକାଶ ପାଇଁ ପଥପ୍ରଦର୍ଶକ । ଏକ ସୁସ୍ଥ ପରିବେଶ ଶିଶୁଟିକୁ ଯେପରି ବିକଶିତ କରିଥାଏ, ଏକ ରୁଗ୍ଣ ପରିବେଶ ତା’ଠାରୁ ଅଧିକ ମାତ୍ରାରେ ବିକଳାଙ୍ଗ କରି ଗଢ଼ି ତୋଳିଥାଏ । ବିଶିଷ୍ଟ ମନୋବିଜ୍ଞାନୀ ୱାଟ୍‌ସନ୍‌ଙ୍କ ମତରେ- “ଶିଶୁର ପରିବର୍ତ୍ତନକୁ ନିୟନ୍ତ୍ରିତ କରି ଯେ କୌଣସି ସାଧାରଣ ଶିଶୁକୁ ଉପଯୁକ୍ତ ତାଲିମ ପ୍ରଦାନ କରି ତାକୁ ଯେ କୌଣସି କ୍ଷେତ୍ରରେ ଶ୍ରେଷ୍ଠ ବିଶେଷଜ୍ଞ କରି ହେବ । ଏପରିକି ତାକୁ ଡାକ୍ତର, ଓକିଲ, ଶିଳ୍ପୀ, ଶ୍ରେଷ୍ଠ ବଣିକ ଏବଂ ଭିକାରୀ ଚୋର ମଧ୍ୟ କରିହେବ । ଶିଶୁମାନେ ସମ୍ମୁଖୀନ ହେଉଥିବା ଜଟିଳତାର ସମାଧାନ ପାଇଁ ଆମେ କେତେ କ’ଣ କରିପାରିଛୁ ତାହା ଆକଳନ କରିବାର ସୁଯୋଗ ଆସିଛି ।” ଶିଶୁମାନଙ୍କର ବିକାଶ ହେବା ଜରୁରୀ ବୋଲି କେବେଠୁଁ ଚିନ୍ତା କରାଗଲାଣି ? ପ୍ରତ୍ୟେକ ଶିଶୁ ସ୍ୱାଧୀନ ଭାବରେ ଜନ୍ମ ଗ୍ରହଣ କରିଛନ୍ତି । ସେମାନଙ୍କର ସମାନ ଅଧିକାର ଓ ବ୍ୟକ୍ତି ସ୍ୱତନ୍ତ୍ରତା ତଥା ଆତ୍ମସମ୍ମାନ ରହିଛି । ଶିଶୁର ଏକ ସ୍ୱତନ୍ତ୍ର ବ୍ୟକ୍ତିତ୍ୱ ଅଛି । ତା’ର ମଧ୍ୟ କିଛି ମାନବିକ ଅଧିକାର ରହିବା ଉଚିତ୍ । ଏ କଥା ବହୁଦିନ ପର୍ଯ୍ୟନ୍ତ କେହି ଚିନ୍ତା କରୁ ନଥିଲେ । ପ୍ରଥମ ବିଶ୍ୱଯୁଦ୍ଧ ପରେ (୧୯୨୪-୧୯୧୮, ନଭେମ୍ୱର) ଏକଥା ଅନୁଭବ କରାଗଲା ଯେ ଶିଶୁମାନେ ହେଉଛନ୍ତି ଜାତୀୟ ଜୀବନଧାରାର ମୂଳ ଉତ୍ସ । ଶିଶୁମାନଙ୍କ ମଧ୍ୟରେ ନିହିତ ଅଛି ରାଷ୍ଟ୍ର ତଥା ବିଶ୍ୱର ଭବିଷ୍ୟତ । କୋମଳ ଶିଶୁମାନଙ୍କ ମଧ୍ୟରେ ନିହିତ ସମ୍ଭାବନା ତାକୁ ପୌଗଣ୍ଡ ଓ କୈଶୋର ମଧ୍ୟ ଦେଇ ଆଗେଇ ନିଏ । ଅଙ୍କୁରିତ ଅବସ୍ଥାରୁ ନେଇ ମୁକୁଳିତ କରିବାରେ ତାହାକୁ କରିଥାଏ ପୁଷ୍ପିତ । ତାକୁ ଭଲ କରି ଗଢ଼ି ତୋଳିଲେ ଜାତି ଆପେ ଆପେ ଗଢ଼ି ହୋଇଯିବ । ପରିଣାମରେ ଶିଶୁ କଲ୍ୟାଣ ଦିଗରେ ପୃଥିବୀର ସମସ୍ତ ଦେଶ ଆଗଭର ହେଲେଣି । ଆନ୍ତର୍ଜାତିକ ସ୍ତରରେ ଶିଖର ସମ୍ମିଳନୀମାନ ଅନୁଷ୍ଠିତ ହେଲାଣି । ଜାତିସଂଘ ଅଧିନାୟକତ୍ୱରେ (ୟୁନାଇଟେଡ୍‌ ନେସନସ୍‌ ଇଣ୍ଟର୍‌ନେସନାଲ୍‌ ଚିଲ୍‌ଡ୍ରେନସ୍‌ ୱେଲ୍‌ଫେୟାର୍‌ ଫଣ୍ଡ୍ କିମ୍ବା UNICWF), ବିଶ୍ୱସ୍ୱାସ୍ଥ୍ୟ ସଂଗଠନ (ୱାର୍ଲଡ୍ ହେଲ୍‌ଥ ଅର୍ଗାନାଇଜେସନ୍-କିମ୍ବା WHO), ଆନ୍ତର୍ଜାତିକ ଶିକ୍ଷା, ବିଜ୍ଞାନ ଓ ସାଂସ୍କୃତିକ ସଂଗଠନ (ୟୁନାଇଟେଡ୍ ନେସନ୍ସ୍ ଏଜୁକେସନାଲ୍ ସାଇଣ୍ଟିଫିକ୍ ଆଣ୍ଡ୍ କଲ୍ଚରାଲ୍ ଅର୍ଗାନାଇଜେସନ୍ କିମ୍ବା UNESCO), ପୁନଃ ନିର୍ମାଣ ଓ ବିକାଶ ପାଇଁ ଆନ୍ତର୍ଜାତିକ ବ୍ୟାଙ୍କ୍ (ଇଣ୍ଟର୍‌ନେସନାଲ୍‌ ବ୍ୟାଙ୍କ୍‌ ଫର୍‌ ରିକନ୍‌ଷ୍ଟ୍ରକ୍‌ସନ୍‌ ଆଣ୍ଡ୍‌ ଡେଭଲପ୍‌ମେଣ୍ଟ୍‌ କିମ୍ବା IBRD) ଓ ଅନେକ ସ୍ୱେଚ୍ଛାସେବୀ ସଂଗଠନ (ନନ୍-ଗଭର୍ଣ୍ଣମେଣ୍ଟ୍ ଅର୍ଗାନାଇଜେସନ୍ସ କିମ୍ବା NGOs) ଶିଶୁମାନଙ୍କର ବିକାଶ ଦିଗରେ କାର୍ଯ୍ୟ କରି ଚାଲିଛନ୍ତି । ୧୯୨୪ ମସିହାରେ ଜେନିଭାଠାରେ ମିଳିତ ଜାତିସଂଘର ଶିଖର ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ତା’ର ଘୋଷଣା ପତ୍ରରେ ଶିଶୁମାନଙ୍କର ଅଧିକାର ସମ୍ପର୍କରେ କେତୋଟି କଥା କୁହାଯାଇଥିଲା । ଏହି ଅଧିକାରଗୁଡ଼ିକୁ ଲୋକଙ୍କ ପାଖରେ ପହଞ୍ଚାଇ ଶିଶୁ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟ ୧୯୫୬ ମସିହା ଡିସେମ୍ୱର ମାସ ଠାରୁ ଆନ୍ତର୍ଜାତୀୟ ସ୍ତରରେ ଶିଶୁ ଦିବସ ପାଳନ କରାଯିବା ନିମନ୍ତେ ନିଷ୍ପତ୍ତି ନିଆଯାଇଥିଲା । ସେହିଦିନଠାରୁ ଏହି ଦିନଟିକୁ ଲୋକପ୍ରିୟ କରିବା ଉଦ୍ଦେଶ୍ୟରେ ଆନ୍ତର୍ଜାତିକ ଶିଶୁ କଲ୍ୟାଣ ପାଣ୍ଠି ଉଦ୍ୟମ କରିଆସିଛି । ଜାତିସଂଘର ଆନୁକୂଲ୍ୟରେ ପ୍ରତିବର୍ଷ ପ୍ରାୟ ପୃଥିବୀରେ ଦେଢ଼ ଶହ ଦେଶ ଶିଶୁ ଦିବସ ପାଳନ କରି ଆସୁଛନ୍ତି । ୧୯୮୬ ମସିହା ନଭେମ୍ୱର ୨୦ ତାରିଖକୁ ଆନ୍ତର୍ଜାତିକ ଶିଶୁ ଅଧିକାର ଦିବସ ରୂପେ ମାନ୍ୟତା ପ୍ରଦାନ କରାଯାଇଛି । ଏହି ତାରିଖରେ ଜାତିସଂଘର ସାଧାରଣ ବୈଠକରେ ଶିଶୁର ଚାରୋଟି ମୌଳିକ ଅଧିକାର ସଂକ୍ରାନ୍ତରେ ବିଶେଷ ଭାବରେ ଆଲୋଚନା କରାଯାଇଥିଲା । ଏହାର ପ୍ରଥମଧାରାରେ କୁହାଯାଇଛି ୧୮ ବର୍ଷରୁ କମ୍ ବୟସର ମାନବ ହିଁ ଶିଶୁ । ସେହି ଶିଶୁର ଯେଉଁ ଅଧିକାରଗୁଡ଼ିକ ସେଠାରେ ଗୃହୀତ ହୋଇଥିଲା ସେଗୁଡ଼ିକ ହେଉଛି- (୧) ବଞ୍ଚିବାର ଅଧିକାର, (୨) ସୁରକ୍ଷା ବା ନିରାପତ୍ତାର ଅଧିକାର, (୩) ଶିକ୍ଷା ଅଧିକାର ଓ (୪) ନିଜର ମତାମତ ପ୍ରକାଶ କରିବାର ଅଧିକାର । ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ, ବୟସ, ଭାଷା, ଅଭିବାବକ, ସମର୍ଥ, ଅସମର୍ଥ, ଜନ୍ମ ଓ ସ୍ତରଭେଦ ନିର୍ବିଶେଷରେ ସମସ୍ତ ଶିଶୁଙ୍କୁ ଏହି ଅଧିକାରଗୁଡ଼ିକ ପ୍ରାପ୍ତ କରାଇବା ପ୍ରତ୍ୟେକ ଦେଶ ଚେଷ୍ଟା କରିବେ । ମା’ର କୋମଳ ଆଲିଙ୍ଗନ ଭିତରେ ଶିଶୁ ବୁଝେ ଜୀବନର ଲଳିତ ପଦାବଳୀ, ପୁଣି ପିତାର ମଧୁର ଅନୁଶାସନ ଭିତରେ ସେ ଜୀବନର ବାସ୍ତବତା ସହ କ୍ରମେ କ୍ରମେ ପରିଚିତ ହୁଏ । ପରିବାରର ସ୍ନେହ ଆଦର ତଥା ଯତ୍ନ ଶିଶୁର ଜ୍ଞାନ ଆହରଣ ଭିତ୍ତିକୁ ମଜବୁତ୍ କରି ମଣିଷ ପରି ମଣିଷ ହେବାର ପଥକୁ ଉନ୍ମୁକ୍ତ କରାଇଥାଏ । ପ୍ରତ୍ୟେକ ଦେଶ ଜାତୀୟ ଆଇନ୍ ଗଢ଼ି ଶିଶୁର ଏହି ଅଧିକାରକୁ ସାବ୍ୟସ୍ତ କରି ପାରିବେ । ଶିଶୁଟି ଯେପରି ତା’ର ପରିଚୟ ଓ ପାରିବାରିକ ସମ୍ପର୍କ ବଜାୟ ରଖେ ତାହା ଦେଖିବା ପ୍ରତ୍ୟେକ ଦେଶର କର୍ତ୍ତବ୍ୟ ଅଟେ । ଯଦି ବେନିୟମ ଭାବରେ ଶିଶୁଟି ତା’ର ପରିଚୟରୁ ଆଂଶିକ ଭାବେ ବା ସମ୍ପୂର୍ଣ୍ଣ ଭାବେ ବଞ୍ଚିତ ହେଉଥାଏ ତେବେ ତା’ର ପରିଚୟକୁ ଫେରାଇ ଆଣିବା ପାଇଁ ଆବଶ୍ୟକ ହେଉଥିବା ସହାୟତା ଓ ସୁରକ୍ଷା ଦେଶ ଯଥାଶୀଘ୍ର ଯୋଗାଇ ଦେବ । ପୂର୍ବେ ଭୃଣହତ୍ୟାକୁ ବ୍ରହ୍ମହତ୍ୟାର ପାପ ବୋଲି ବିବେଚନା କରାଯାଉଥିଲା । ଏବେ ମାତୃଗର୍ଭରେ କନ୍ୟାଭୃଣ ସଞ୍ଚାର ହେବା ମାତ୍ରେ ଆନନ୍ଦ ବଦଳରେ ବିଷାଦ ଓ ଚିନ୍ତା ଗ୍ରାସି ଯାଉଛି । ଭୃଣରୁ କନ୍ୟା ରୂପ ଧାରଣ କରି ବାହାର ଦୁନିଆଁକୁ ଆସିବାରେ କନ୍ୟା ସନ୍ତାନର ଯେଉଁ ଅଧିକାର ତାହା ପିତାମାତାଙ୍କ ଦୟା ଉପରେ ନିର୍ଭର କରୁଛି । କାରଣ ଆମ ସମାଜ ଏବେ ମଧ୍ୟ ନାନା କୁସଂସ୍କାର ଓ ଅନ୍ଧବିଶ୍ୱାସରୁ ମୁକ୍ତ ନୁହେଁ । “ପୁତ୍ରାର୍ଥେ କ୍ରିୟତେ ଭାର୍ଯ୍ୟା ପିତୃପିଣ୍ଡ ପ୍ରୟୋଜନମ୍” ବୋଲି ମନୁ ଯେଉଁ କଥା କହିଛନ୍ତି ସେଥିରେ ବ୍ୟବହୃତ “ପୁତ୍ରାର୍ଥେ” ମଧ୍ୟରେ କନ୍ୟା ମଧ୍ୟ ଅନ୍ତର୍ଭୁକ୍ତ । କନ୍ୟା ମଧ୍ୟ ପୂର୍ବପୁରୁଷମାନଙ୍କୁ ପିଣ୍ଡ ଦେଇପାରିବ । କିନ୍ତୁ ଖାଲି ଅଶିକ୍ଷିତ ନୁହଁନ୍ତି ଶିକ୍ଷିତ ଲୋକମାନେ ମଧ୍ୟ ଏହି ସାମାଜିକ କୁସଂସ୍କାର ଦ୍ୱାରା ସଂକ୍ରମିତ । ନ ହେଲେ ବାହାରେ ପଡ଼ିଥିବା ଶିଶୁକନ୍ୟାମାନଙ୍କୁ କୁକୁରମାନେ ଏମିତି ଝିଣିଝିଣି ଖାଉ ନଥାନ୍ତେ । ତେବେ ପରିଶେଷରେ ଏତିକି କୁହା ଯାଇପାରେ, ଶିଶୁ ବିକଶିତ ହେଲେ ଦେଶର ବିକାଶ ହେବ । ଆଜିର ଶିଶୁକୁ ଆସନ୍ତାକାଲିର ନାଗରିକ ଭାବେ ଗଡ଼ି ତୋଳିବା ଦାୟିତ୍ବ ବର୍ତ୍ତମାନର ଅଭିଭାବକମାନଙ୍କର । ତେଣୁ ଶିଶୁର ବିକାଶ ଦିଗରେ ଅଭିଭାବକମାନେ ସଚେତନ ହେବା ଆବଶ୍ୟକ । ପ୍ରସିଦ୍ଧ ଆମେରିକୀୟ ପପ୍ ଗାୟକ ମାଇକେଲ ଜାକସନ କହିଥିଲେ, "ଯେତେବେଳେ ମଧ୍ୟ ମୁଁ ଶିଶୁମାନଙ୍କୁ ଦେଖେ, ମୋତେ ଇଶ୍ବରଙ୍କ ସହ ସାକ୍ଷାତ ପରି ଲାଗେ ।" ଏଣୁ ଶିଶୁ ହସିଲେ ଦୁନିଆ ମଧ୍ୟ ହସିଉଠେ ।

Share :