କାନ୍ଦ ସରିନି ପାକିସ୍ତାନର

କାନ୍ଦ ସରିନି ପାକିସ୍ତାନର

Share :

"ପାକିସ୍ତାନ ଜିତିବ ଆଉ" "ନା ନା ଭରସା ରଖ, ବିରାଟ କୋହଲି ଅଛନ୍ତି ପରା" "ହଁ ଯେ, କିନ୍ତୁ 6 ବଲରୁ 16 ରନ କିଛି ଅଧିକା ହେଇ ଯାଉନି ନା" "ଇୟେ କଣ .. ଏଟା ତ ନୋ ବଲ" "ଆଣ୍ତ୍ ଇଣ୍ତିଆ ଓନ ଦ ମ୍ୟାଚ" ଆପଣମାନେ ଯଦି ଗତ ଭାରତ ପାକିସ୍ତାନ ମ୍ୟାଚ ଦେଖିଥିବେ, ତେବେ ନିହାତି ଭାବେ ଏହି ସବୁ ଧାଡ଼ିଗୁଡ଼ିକ ସହ ନିଜକୁ ଯୋଡ଼ି ପାରୁଥିବେ । ଗୋଟିଏ ନୋ ବଲ ପୁରା ମ୍ୟାଚକୁ ବଦଳାଇ ଦେଇଥିଲା । ନୋ ବଲ ନ ହୋଇଥିଲେ ବୋଧେ ଭାରତରେ ଆଜି ଦୀପାବଳି ବଦଳରେ ଅମାବାସ୍ୟାର ଘୋର ଅନ୍ଧକାରକୁ ପାଳନ କରାଯାଇ ଥାଆନ୍ତା । ହୁଏତ ବିରାଟ କୋହଲିଙ୍କୁ ପନୌତିର ରୂପ ଦିଆଯାଇ ଥାଆନ୍ତା । ହୁଏତ ପୁଣି ଥରେ ଭାରତୀୟ ଦଳର ସମୀକ୍ଷା ଆରମ୍ଭ ହୋଇଯାଇ ଥାଆନ୍ତା । କିନ୍ତୁ କୁହାଯାଏ ନା ଅନ୍ତ ଭଲା ତୋ ସବ ଭଲା .. ମେଲବର୍ଣ୍ଣର ବିଶାଳ ଷ୍ଟାଡ଼ିୟମ, 90, 243 ଦର୍ଶକ, ଭାରତ ପାକିସ୍ତାନ ମ୍ୟାଚ ଓ ରୋମାଞ୍ଚକର ଶେଷ ଓଭର । ବିଜୟ ଓ ପରାଜୟ ମଧ୍ୟରେ ମାତ୍ର 6 ଟି ବଲ୍ ଓ 16 ରନ୍ । ପାକିସ୍ତାନ ପକ୍ଷରୁ ମହମ୍ମହ ନୱାଜ ବୋଲର୍ ଓ ଭାରତ ପକ୍ଷରୁ କ୍ରିଜରେ ଥିଲେ ବିରାଟ କୋହଲି, ହାର୍ଦ୍ଦିକ ପାଣ୍ତ୍ୟା । ଅସମ୍ଭବ ଲାଗୁଥିବା ମ୍ୟାଚକୁ ଏକରକମ ଜିତିବାର ଦ୍ବାରଦେଶରେ ପହଞ୍ଚି ଯାଇଥିଲା ଭାରତ । ପ୍ରଥମ ବଲରେ ହାର୍ଦ୍ଦିକ ପାଣ୍ତ୍ୟାଙ୍କୁ ଆଉଟ କରି ଭାରତକୁ ପୁଣିଥରେ ବ୍ୟାକଫୁଟକୁ ଠେଲି ଦେଇଥିଲେ ନୱାଜ । ବର୍ତ୍ତମାନ ମାତ୍ର 5 ଟି ବଲରୁ 16 ରନର ଆବଶ୍ୟକ ଥିଲା । କ୍ରିଜକୁ ଆସିଥିଲେ ଦୀନେଶ କାର୍ତ୍ତିକ । ଦ୍ବିତୀୟ ବଲରେ ମାତ୍ର 1 ରନ ନେଇ ପାରିଥିଲେ ଦୀନେଶ । 4 ବଲ ଓ 14 ରନ .. ତୃତୀୟ ବଲ ମଧ୍ୟ ପାକିସ୍ତାନ ସପକ୍ଷରେ ଯାଇଥିଲା । ମାତ୍ର ଦୁଇ ରନ ନେଇଥିଲେ କୋହଲି । କିନ୍ତୁ ବିବାଦୀୟ ଚତୁର୍ଥ ବଲରେ ଛକା ମାରିଥିଲେ ବିରାଟ । ଛକା ମାରିବା ପରେ ଅମ୍ପାୟାର ଏହାକୁ ନୋ ବଲ ଡାକିଥିଲେ । କୋହଲିଙ୍କ ଅଣ୍ଟା ଉପରକୁ ଏହି ବଲ ଥିବାରୁ ଏହାକୁ ନୋ ବଲ ଡାକିଥିଲେ ଅମ୍ପାୟାର । ଏଣୁ ଚତୁର୍ଥ ବଲରୁ ଭାରତକୁ 7 ରନ ମିଳିବା ସହ ଗୋଟିଏ ଫ୍ରି ହିଟ୍ ମଧ୍ୟ ମିଳି ଯାଇଥିଲା । ଚାପର ମୁକାବିଲା କରି ନପାରି ପର ବଲକୁ ୱାଇଡ ବଲ ପକାଇଥିଲେ ନୱାଜ । 19.4 ଓଭରରେ କୋହଲି ବୋଲ୍ଡ ହୋଇଥିଲେ ମଧ୍ୟ ଏହା ଫ୍ରି ହିଟ ଥିବାରୁ 3 ରନ ଚୋରାଇ ନେଇଥିଲେ କୋହଲି । ଓଭରର ପଞ୍ଚମ ବଲରେ ଦୀନେଶ କାର୍ତ୍ତିକ ଆଉଟ ହୋଇ ଯାଇଥିଲେ । କ୍ରିଜକୁ ଆସିଥିଲେ ଅଶ୍ବିନ । ଗୋଟିଏ ବଲରୁ 2 ରନ ଦରକାର ଥିବା ବେଳେ ୱାଇଡ ବଲ ପକାଇଥିଲେ ନୱାଜ । ଏହା ପର ବଲରେ ଚୌକା ମାରି ଭାରତକୁ ବିଜୟ ଭେଟି ଦେଇଥିଲେ ଅଶ୍ବିନ । ମ୍ୟାଚ ସରି ଯାଇଥିଲା କିନ୍ତୁ ସେତେବେଳକୁ ବିବାଦ ମଧ୍ୟକୁ ପଶି ସାରିଥିଲା ସେ ନୋ ବଲ .. ତେବେ ପ୍ରଶ୍ନ ଉଠେ ଯେ, ସତରେ କଣ ଅମ୍ପାୟରଙ୍କ ଦ୍ବାରା ଭୁଲ ହୋଇଥିଲା ? କି ସେ ଜାଣି ଜାଣି ଏପରି କରିଥିଲେ ? ଫ୍ରି ହିଟ ଦିଆଯିବା କଣ ଜରୁରୀ ଥିଲା ? କଣ ଏହାର ସତ୍ୟତା ? ଏନେଇ ଆଇସିସିର ନିୟମ କଣ କହୁଛି ? ଫ୍ରି ହିଟରେ ବୋଲ୍ଡ ହେବା ପରେ ମଧ୍ୟ କୋହଲି 3 ରନ ନେଇ ଯାଇଥିଲେ । ଏହାକୁ ନେଇ ଆରମ୍ଭ ହୋଇ ଯାଇଥିଲା ତୁମ୍ବି ତୋଫାନ । ପାକିସ୍ତାନ କ୍ରିକେଟରମାନେ ଅମ୍ପାୟରଙ୍କ ପାଖେ ଫେରାଦ୍ ଦେଇଥିଲେ ଏହା ଡେଡ ବଲ ଥିବାକୁ 3 ରନ କିପରି ମିଳିଲା ? ଅନ୍ତରାଷ୍ଟ୍ରୀୟ କ୍ରିକେଟରମାନେ ମଧ୍ୟ ନିଜ ଟ୍ବିଟର ଆକାଉଣ୍ଟରେ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଅଷ୍ଟ୍ରେଲୀୟ କ୍ରିକେଟର ବ୍ରାଡ ହଗ୍ କହିଛନ୍ତି, ନୋ ବଲକୁ କେଉଁଥି ପାଇଁ ରିଭ୍ୟୁ କରାଯାଇ ନଥିଲା ? ଫ୍ରି ହିଟରେ କୋହଲି ବୋଲ୍ଡ ହେବା ପରେ ମଧ୍ୟ ଏହାକୁ କାହିଁକି ଡେଡ ବଲ ଭାବେ ଘୋଷଣା କରାନଗଲା ? ନ୍ୟୁଜିଲାଣ୍ତର କ୍ରିକେଟର ଜିମି ନିଶମ ମଜା କରି ନିଜ ଟ୍ବିଟର ଆକାଉଣ୍ଟରେ ଲେଖିଥିଲେ, ମ୍ୟାଚ ଆରମ୍ଭ ପୂର୍ବରୁ ସମସ୍ତ ଖେଳାଳୀଙ୍କର ଅଣ୍ଟାର ଉଚ୍ଚତାକୁ ମାପି ନେବା ଆବଶ୍ୟକ । ସେହିପରି ପାକିସ୍ତାନୀ କ୍ରିକେଟର ସୋଏବ ଅଖତର ଲେଖିଥିଲେ, ଅମ୍ପାୟରଭାଇମାନେ, ଆଜି ରାତିରେ ଖାଇବା ବେଳେ ଏହି ନୋ ବଲ କଥା ନିହାତି ଭାବେ ଥରେ ଚିନ୍ତା କରନ୍ତୁ । ଏହି ବଲ ପରେ ପାକିସ୍ତାନ ଅଧିନାୟକ ବାବର ଆଜମ ମଧ୍ୟ ଅମ୍ପାୟରଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ । ତେବେ ଏନେଇ ଆଇସିସିର ନିୟମ କଣ କହୁଛି ଆସନ୍ତୁ ଜାଣିବା । ଆଇସିସି ନିୟମ 41.7.1 ରେ କୁହା ଯାଇଛି, ବ୍ୟାଟର ଆହତ ହୁଅନ୍ତୁ କିମ୍ବା ନ ହୁଅନ୍ତୁ, ଅଣ୍ଟା ଉପରେ ବଲ ରହିଲେ ଏହାକୁ ନୋ ବଲ ଭାବେ ଘୋଷଣା କରାଯିବ । ସେହିପରି ଫ୍ରି ହିଟ ବଲରେ ଆଉଟକୁ ନେଇ ଆଇସିସିର ନିୟମ କୁହେ ଯେ, କେବଳ ରନ ଆଉଟ, ଡବଲ ହିଟ କିମ୍ବା ଅବଷ୍ଟ୍ରକ୍ସନ ଇନ ଦ ଫିଲ୍ଡରେ ହିଁ ଜଣେ ବ୍ୟାଟର ଆଉଟ ହୋଇ ପାରିବ । କିନ୍ତୁ ବିରାଟ କୋହଲି ଏପରି କୌଣସି ଉପାୟରେ ମଧ୍ୟ ଆଉଟ ହୋଇ ନଥିଲେ । ଏଣୁ ସେ 3 ରନ ନେବାରେ କୌଣସି ଭୁଲ ମଧ୍ୟ ନାହିଁ । ନିୟମ ଭିତରେ ରହି ଭାରତକୁ ମ୍ୟାଚ ଜିତାଇ ଥିବାରୁ ବିରାଟ କୋହଲି ନିଶ୍ଚିତ ଭାବେ ପ୍ରଶଂସିତ ..

Share :