ସାଧୁତାର ଉଦାହରଣ ସାଜିଲେ ପୁଲିସ ଇନ୍ସପେକ୍ଟର

ସାଧୁତାର ଉଦାହରଣ ସାଜିଲେ ପୁଲିସ ଇନ୍ସପେକ୍ଟର

Share :

  ହେମାଙ୍ଗ ରାଉଳ   ବ୍ରହ୍ମପୁର୍ ପୋଲିସ୍ ଜିଲ୍ଲାରେ ପୋଲିସକୁ ଲାଞ୍ଚଦେବା ଘଟଣା ପ୍ରଥମ ନୁହେଁ | କିନ୍ତୁ ଲାଞ୍ଚ ନନେଇ ଭିଜିଲାନ୍ସରେ ଧରାଇବା ଘଟଣା ପ୍ରଥମଥର ପାଇଁ ଦେଖିବାକୁ ମିଳିଛି ଯାହାକୁ ଜନସାଧାରଣରେ ପ୍ରଶଂସା କରାଯାଇଛି | ସୂଚନାନୁଯାୟୀ, ବଡ଼ବଜାର୍ ଥାନା ଅନ୍ତର୍ଗତ ଫୁଲସୁନ୍ଦରି ସାହିରେ ଏବଂ ଗୋଷାଣିନୂଆଗାଁ ଥାନା ଅନ୍ତର୍ଗତ ହଳଦିଆପଦର ଠାରେ ବଡ଼ ଧରଣର ଗୁଟଖା କାରଖାନା ଚାଲିଥିବା ବଡ଼ବଜାର୍ ଥାନା ଅଧିକାରୀ ସୁରେଶ୍ କୁମାର ତ୍ରିପାଠୀ ବିଶେଷ ସୂତ୍ରରୁ ଖବର ପାଇ ଟିମ୍ ସହ ଫେବୃଆରୀ ୧୭ ତାରିଖ ମଙ୍ଗଳବାର ଭୋର୍ ସାଢ଼େ ୪ ଘଣ୍ଟା ସମୟରେ ଫୁଲସୁନ୍ଦରି ସାହି ଏବଂ ହଳଦିଆପଦର ସ୍ଥିତ ଗୋଦାମରେ ଚଢ଼ାଉ କରି ବିପୂଳ ପରିମାଣରେ ଗୁଟଖା ସହି ଗୁଟଖା ପ୍ରସ୍ତୁତି ସାମଗ୍ରୀ ଜବତ କରିଥିଲେ | ଉକ୍ତ ଦୁଇ ଗୁଟଖା କାରଖାନା ଟାଉନ୍ ଥାନା ଅନ୍ତର୍ଗତ ଗାନ୍ଧୀନଗର ପ୍ରଥମ ଲାଇନ୍ ସ୍ଥିତ ମାଁ ବିରଜା ପ୍ରଡ଼କ୍ଟସ ମାଲିକ କେ. ରବୀନ୍ଦ୍ର କୁମାର ପାତ୍ରଙ୍କ ଦ୍ବାରା ବେଆଇନ୍ ଭାବେ ଚାଲିଥିବା ପୋଲିସ୍ ଜାଣିବାକୁ ପାଇଥିଲା | ପୋଲିସ୍ ଅଭିଯୁକ୍ତ ଶ୍ରୀ ପାତ୍ରଙ୍କୁ ଗୁଟଖା ପ୍ରସ୍ତୁତି ଏବଂ ଗୋଦାମରେ ରଖିବା ପାଇଁ ଆବଶ୍ୟକ କାଗଜପତ୍ର ମାଗିଥିଲେ | ତେବେ ଶ୍ରୀ ପାତ୍ର କାଗଜପତ୍ରର କିଛି ନକଲ ଦେଖାଇଥିଲେ ଯାହାଫଳରେ ଥାନା ଅଧିକାରୀ ଉକ୍ତ ଗୁଟଖା ଏବଂ ଏହାର ପ୍ରସ୍ତୁତିରେ ବ୍ୟବହୃତ ଜିନିଷକୁ ଜଗି ରହିବା ପାଇଁ କିଛି ପୋଲିସ୍ ଷ୍ଟାଫଙ୍କୁ ନିର୍ଦ୍ଦେଶ ଦେବାସହ ଅଭିଯୁକ୍ତ ଶ୍ରୀ ପାତ୍ରଙ୍କୁ ଓରିଜିନାଲ୍ ଡ଼କୁ୍ମେଣ୍ଟ ମାଗିଥିଲେ | ଶ୍ରୀ ପାତ୍ର ଡ଼କୁ୍ମେଣ୍ଟ ଦେବା ପରିବର୍ତ୍ତେ ବଡ଼ବଜାର୍ ଥାନା ଅଧିକାରୀଙ୍କ ଚାମ୍ବର୍କୁ ଯାଇ ଗୁଟଖା ଏବଂ ଗୁଟଖା ସାମଗ୍ରୀକୁ ଛାଡ଼ିଦେବା ଏବଂ ତାଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ପାଇଁ ୨ ଲକ୍ଷ ଟଙ୍କା ଲାଞ୍ଚ ଯାଚିଥିଲେ | ତେବେ ଥାନା ଅଧିକାରୀ ଲାଞ୍ଚ ଟଙ୍କା ଫେରାଇ ନିଅ ନଚେତ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଥିଲେ | କିନ୍ତୁ ଅଭିଯୁକ୍ତ ତାଙ୍କୁ ଲାଞ୍ଚ ନେବା ପାଇଁ ବାଧ୍ୟ କରିଥିଲେ | ଯାହାଫଳରେ ଥାନା ଅଧିକାରୀ ଅଭିଯୁକ୍ତଙ୍କୁ ରାତି ୧୦ ଘଣ୍ଟା ସମୟରେ ଥାନାକୁ ଆସି ଲାଞ୍ଚଦେବା ପାଇଁ କହିଥିଲେ | ଏହାପରେ ଥାନା ଅଧିକାରୀ ଭିଜିଲାନ୍ସ୍ ବିଭାଗକୁ ଖବର ଦେଇଥିଲେ ବ୍ରହ୍ମପୁର୍ ଭିଜିଲାନ୍ସ୍ ଟିମ୍ ରାତି ପ୍ରାୟ ସାଢ଼େ ୧୦ ଘଣ୍ଟା ସମୟରେ ଯୋଜନା ମୁତାବକ ଛକି ରହିଥିବା ବେଳେ ଅଭିଯୁକ୍ତ ଶ୍ରୀ ପାତ୍ର ଥାନା ଅଧିକାରୀଙ୍କୁ ୨ ଲକ୍ଷ ଟଙ୍କା ଲାଞ୍ଚ ଦେବା ସମୟରେ ଗିରଫ୍ କରିବା ସହ ଲାଞ୍ଚ ଟଙ୍କା ଜବତ କରିଥିଲେ | ଏହି ଘଟଣା ପରେ ସ୍ପଷ୍ଟ ହୋଇଛି ଯେ, ପୋଲିସ୍ ବିଭାଗରେ ବର୍ତ୍ତମାନ୍ ମଧ୍ୟ ଏଭଳି କିଛି ପୋଲିସ୍ ଅଧିକାରୀ ଅଛନ୍ତି ଯାହାଙ୍କୁ ନେଇ ପୋଲିସ୍ ବିଭାଗ ଗର୍ବ ଅନୁଭବ କରିବେ ବୋଲି ବ୍ରହ୍ମପୁର୍ ଭିଜିଲାନ୍ସ ଏସପି ମନୋରଂଜନ ପଣ୍ଡା କହିବା ସହ ପ୍ରଶଂସା କରିବାକୁ ପଛାଇନାହାଁନ୍ତି | ଆଇନ୍ ଅନୁଯାୟୀ ଜଣେ ବ୍ୟବସାୟୀ ସାଦା ପୁଡ଼ିଆ ଏବଂ ଜର୍ଦା ବ୍ୟବସାୟୀ ଅଲଗା ଅଲଗା ଭାବେ ପ୍ରସ୍ତୁତ କରିପାରିବେ | ତେବେ ଏହି ଦୁଇ ସାମଗ୍ରୀକୁ ମିଶାଇ ଗୁଟଖା ପ୍ରସ୍ତୁତ ହେଉଥିବାରୁ ବ୍ୟବସାୟୀ ମାନେ ଆଇନରେ ରହିଥିବା ଏହି ଫାଙ୍କରୁ ଫାଇଦା ଉଠାଉଥିବା ବଡ଼ବଜାର୍ ଥାନା ଅଧିକାରୀ ସୁରେଶ୍ କୁମାର ତ୍ରିପାଠୀ ପ୍ରକାଶ କରିଛନ୍ତି |  ବ୍ରହ୍ମପୁର୍ ଏସପି ଏବଂ ବିଭିନ୍ନ ଥାନା ଅଧିକାରୀ ବ୍ରହ୍ମପୁର୍ ସହରରୁ କଳାବଜାରୀ ସାମ୍ରାଜ୍ୟକୁ ଧ୍ବଂସ କରିବାକୁ ସଂକଳ୍ପବଦ୍ଧ | କିନ୍ତୁ ଏଥିରେ ଜନସାଧାରଣଙ୍କ ସହଯୋଗ ଆବଶ୍ୟକ | ସେହିଭଳି କେବଳ ପୋଲିସ୍ ନୁହେଁ ବରଂ ଅବକାରୀ ବିଭାଗ ଏବଂ ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ପକ୍ଷରୁ ମଧ୍ୟ ଯାଞ୍ଚ କରାଯିବା ଆବଶ୍ୟକ ବୋଲି ସେ କହିଛନ୍ତି |  ତେବେ ଆଜିର ଘଟଣାରୁ ସ୍ପଷ୍ଟ ହୋଇଛି ଯେ, ବିଭିନ୍ନ ସାମଗ୍ରୀର କଳାବଜାରୀର ସହର ବ୍ରହ୍ମପୁରରେ ଏଭଳି କାର୍ଯ୍ୟରେ ଲିପ୍ତଥିବା ବ୍ୟକ୍ତିବିଶେଷଙ୍କୁ ଏଥିପୂର୍ବରୁ ପ୍ରୋତ୍ସାହନ ଦେଇ ଆସୁଥିବା ଲାଞ୍ଚଖୋର୍ ଅଧିକାରୀମାନଙ୍କୁ ଚିହ୍ନଟ କରିବା ସମୟ ମଧ୍ୟ ଆସିଛି ଯାହାଫଳରେ ଆଉ କେହି ଥାନାକୁ ଆସି ପୋଲିସ୍ ଅଧିକାରୀଙ୍କୁ ଲକ୍ଷଲକ୍ଷ ଟଙ୍କା ଲାଞ୍ଚ ଦେବାକୁ ସାହାସ କରିବେ ନାହିଁ ଏବଂ ପୋଲିସକୁ ଅଙ୍ଗୁଳି ନିର୍ଦ୍ଦେଶ କରିବାକୁ ମଧ୍ୟ ସାହାସ କରିବେ ନାହିଁ | ସେହିଭଳି ଯଦି ଶତକଡ଼ା ୧୦ ଭାଗ ସରକାରୀ ଅଧିକାରୀ ଯଦି ଦୁର୍ନୀତି ବିରୂଦ୍ଧରେ ଆଗେଇ ଆସିବେ ତେବେ ସମାଜରୁ ଦୁର୍ନୀତି ମୂଳପୋଛ ନହେଲେ ମଧ୍ୟ  ହ୍ରାସ ପାଇବ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି |

Share :