ହେବ କି ଅସ୍ତମଙ୍କ ସୂର୍ଯ୍ୟୋଦୟ!

ହେବ କି ଅସ୍ତମଙ୍କ ସୂର୍ଯ୍ୟୋଦୟ!

Share :

ସ୍ବଦେଶୀ ମେଘ ମହ୍ଲାର ପୃଷ୍ଟି ଭାରତ ସତର ବର୍ଷରୁ କମ୍ ମହିଳା ଫିଫା ବିଶ୍ବକପ ଆୟୋଜନ କରୁଛି, ବହୁତ ଭଲ କଥା । କିନ୍ତୁ ଆପଣମାନେ ଜାଣନ୍ତି କି, ଭାରତୀୟ ଅଧିନାୟକ ଅସ୍ତମ ଓରାଁଓଙ୍କ ସୂର୍ଯ୍ୟ ଆଜି ଯାଏଁ ବୁଡ଼ିକି ଅଛି । ଏପଟେ ଭୁବନେଶ୍ବରରେ ବର୍ଣ୍ଣାଢ୍ୟ ଉଦଘାଟନ ଚାଲିଥିଲା ବେଳେ ସେପଟେ ଅସ୍ତମଙ୍କ ଘରେ ଟିଭିଟିଏ ନଥିଲା ଖେଳ ଦେଖିବାକୁ । ଏପଟେ ଅସ୍ତମଙ୍କ ନାମରେ ରାସ୍ତା ତିଆରି ଚାଲିଥିଲା ବେଳେ ସେପଟେ ସେହି ରାସ୍ତାରେ, ଟଙ୍କା 300 ପାଇଁ ମୂଲ ଲାଗି ଖଟୁଥିଲେ ଅସ୍ତମଙ୍କ ବାପା, ମା । ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ, ନିଜ ବଳିଷ୍ଠ ନେତୃତ୍ବ ତଥା ଖେଳୁଆଡ଼୍ ମନୋଭାବ ପାଇଁ ବିଶ୍ବର କୋଟି କୋଟି ଲୋକଙ୍କ ହୃଦୟ ଜିତୁଥିବା ଅସ୍ତମଙ୍କ ଘରେ ଟିଭି ମଧ୍ୟ ନଥିଲା । କଳିଙ୍ଗ ଷ୍ଟାଡ଼ିୟମରେ ଚାଲିଥିବା ଖେଳ ଦେଖିବା ପାଇଁ ଉଦଘାଟନୀ ଦିନ ସରକାରୀ ବାବୁମାନେ ଅସ୍ତମଙ୍କ ଘରକୁ ଟିଭି ନେଇ ଯାଇଥିଲେ । ଅସ୍ତମଙ୍କ କାହାଣୀ ଲୋକଲୋଚନକୁ ଆସିବା ପରେ ଏବେ ତାଙ୍କ ଗାଁକୁ ରାସ୍ତା ତିଆରି ଚାଲିଛି । କିନ୍ତୁ ବିଡ଼ମ୍ବନାର ବିଷୟ ଏହା ଯେ, ସେ ରାସ୍ତାରେ ମଧ୍ୟ ଅସ୍ତମଙ୍କ ବାପା ମା ହିଁ ମୂଲ ଲାଗୁଛନ୍ତି । କାହା ପାଇଁ ଅସ୍ତମଙ୍କ କାହାଣୀ ସଂଘର୍ଷପୂର୍ଣ୍ଣ ଓ ପ୍ରେରଣାଦାୟୀ ହୋଇପାରେ, କିନ୍ତୁ ଏହି ବାସ୍ତବତାକୁ ଯେ କେହି ଅସ୍ବୀକାର କରିଦେବ, ଏ ସାହାସ ମଧ୍ୟ କାହା ପାଖେ ନାହିଁ । ଆଜି ମଧ୍ୟ ଦଳିତ ଓ ଆଦିବାସୀଙ୍କ ଉପରେ ସରକାରଙ୍କ ନଜର ପଡ଼ୁନାହିଁ । ଆଜି ବି ସେମାନେ ଅବହେଳିତ ଓ ଉପେକ୍ଷିତ ଅବସ୍ଥାରେ ରହିଛନ୍ତି । ରାଞ୍ଚିଠାରୁ ମାତ୍ର 250 କିମି ଦୂରରେ ଆସ୍ତମଙ୍କ ଘର, ଜିଲ୍ଲା ଗୁମଲା । ଝାଡ଼ଖଣ୍ତ ନିହାତି ଅଜଣା, ମଫସଲ ଗାଁରେ ଅସ୍ତମଙ୍କ ଘର । ବିଷ୍ଣୁପୁର ବ୍ଲକର ଅତି ଅପରିଚିତ ଗାଁ ଗୋରାତୋଳାରେ ଅସ୍ତମଙ୍କ ଜନ୍ମ । ସେଠାରେ ହିଁ ବଡ଼ ହୋଇଛନ୍ତି ସେ । 5 ଭାଇ ଭଉଣୀ । ଅସ୍ତମଙ୍କ ମାଆ ତାରାଦେବୀ ଓ ବାପା ହୀରାଲାଲ ଉଭୟ ଦିନ ମଜୁରିଆ । ଘରେ ବିଦ୍ୟୁତ୍ ସଂଯୋଗ ନାହିଁ । ଗାଁକୁ ଯିବାକୁ ରାସ୍ତା ମଧ୍ୟ ନାହିଁ । ନିଜ ପେଟ କାଟି 4 ଝିଅ ଓ ଗୋଟିଏ ପୁଅକୁ ବଡ଼ କରିଛନ୍ତି । ଓଳିଏ ଖାଇ ଆଉ ଓଳିଏ ଉପାସ ରହି ଝିଅର ସ୍ବପ୍ନକୁ ସାକାର କରିଛନ୍ତି ସେମାନେ । ତ୍ୟାଗର ଅନନ୍ୟ ନିଦର୍ଶନ ଦେଇ ଝିଅକୁ ଆଜି ସତର ବର୍ଷରୁ କମ୍ ଭାରତୀୟ ମହିଳା ଫୁଟବଲ ଦଳର ଅଧିନାୟିକା କରେଇ ପାରିଛନ୍ତି । ଅସ୍ତମ ଉଚ୍ଚତମ ଶିଖରରେ ପହଞ୍ଚିବା ପରେ ଯାଇ ଝାଡ଼ଖଣ୍ତ ସରକାରଙ୍କ ଦୃଷ୍ଟି ତାଙ୍କ ଗ୍ରାମରେ ପଡ଼ିଛି । ବିଦ୍ୟୁତ୍ ବେଗରେ ରାସ୍ତା କାମ ଆରମ୍ଭ ହୋଇ ଯାଇଛି । ତେବେ ଝିଅ ନାମରେ ତିଆରି ହେଉଥିବା ରାସ୍ତାରେ ବାପା ମା ଖଟୁଛନ୍ତି ବୋଲି ଗୁମଲା ପ୍ରଶାସନ ପାଖରେ ଖବର ମଧ୍ୟ ନାହିଁ । ଏହି ଦୃଶ୍ୟ ଏବେ ସମଗ୍ର ଭାରତବର୍ଷକୁ ଆନ୍ଦୋଳିତ କରିଛି । ଅସ୍ତମଙ୍କ ଗ୍ରାମର ଅଧିକାଂଶ ଲୋକ ଶ୍ରମିକ ଶ୍ରେଣୀୟ । କେବଳ ଅସ୍ତମଙ୍କ ଗାଁ ନୁହେଁ, ଆଖପାଖ ଅଞ୍ଚଳରେ ମଧ୍ୟ ବିକାଶ ଆଜି ବି ଦିବାସ୍ବପ୍ନ ପରି । ଏତେ ଦୁଃଖ ଓ ଯନ୍ତ୍ରଣା ମଧ୍ୟରେ ମଧ୍ୟ କଠିନ ଅଧ୍ୟବସାୟ ଓ ପରିଶ୍ରମ ବଳରେ ଅସ୍ତମ ଆଜି ଭାରତୀୟ ଦଳର ଅଧିନାୟିକା ହୋଇ ପାରିଛନ୍ତି । ଏନେଇ ଖବର ପ୍ରକାଶ ପାଇବା ପରେ ଅସ୍ତମଙ୍କ ଖେଳ ଦେଖିବାକୁ ତାଙ୍କ ଗ୍ରାମରେ ସରକାରଙ୍କ ତରଫରୁ ବ୍ୟବସ୍ଥା କରା ଯାଇଛି । ଲୋକନିନ୍ଦା ଓ ଅପଯଶରୁ ବର୍ତ୍ତିବା ପାଇଁ ତରବରିଆ ଭାବେ ଏକ 43 ଇଞ୍ଚର ଟେଲିଭିଜନ ସେଟ୍ ଉପହାର ସ୍ବରୂପ ଦିଆ ଯାଇଛି । ନିକଟ ଭବିଷ୍ୟତରେ 2 କୋଟି ଟଙ୍କା ବ୍ୟୟରେ ଅସ୍ତମଙ୍କ ଗ୍ରାମରେ ଏକ ଷ୍ଟାଡିୟମ ନିର୍ମାଣ କରାଯିବ ବୋଲି ସରକାରଙ୍କ ତରଫରୁ ଘୋଷଣା କରା ଯାଇଛି । ଟେଲିଭିଜନରେ ଝିଅକୁ ଦେଖି ନିଜ କୋହ ସମ୍ଭାଳି ପାରୁନାହାଁନ୍ତି ବାପା ମା । ନିଜ ଭାବନାକୁ ପ୍ରକାଶ କରିବାକୁ ଶବ୍ଦ ମଧ୍ୟ ପାଉ ନାହାଁନ୍ତି । ଝିଅ ପାଇଁ ଏପରି ଉନ୍ନତି ହେଉଥିବାର ଦେଖି ବେଶ ଗର୍ବ ଅନୁଭବ କରୁଛନ୍ତି । ଝିଅର ସଫଳତା ନେଇ ଉଭୟ ବାପା ମା ଙ୍କ ଛାତି କୁଣ୍ଢେମୋଟ ହୋଇ ଯାଉଛି । ସୂଚନାଯୋଗ୍ୟ, ଅସ୍ତମଙ୍କ ବାପା ହୀରାଲାଲ ମଧ୍ୟ ଜଣେ ଜିଲ୍ଲା ସ୍ତରୀୟ ଫୁଟବଲ ଖେଳାଳୀ ଥିଲେ । କିନ୍ତୁ ପରିବାରର ଆର୍ଥିକ ଅନଗ୍ରସରତା ତାଙ୍କୁ ଆଗକୁ ବଢ଼ିବାକୁ ଦେଇ ନଥିଲା । ନିଜ ଝିଅ ମାଧ୍ୟମରେ ତାଙ୍କର ସ୍ବପ୍ନ ପୂରଣ ହେଉଥିବା କହିଛନ୍ତି ଅସ୍ତମଙ୍କ ବାପା ହୀରାଲାଲ । ଅସ୍ତମଙ୍କ ଆଉ ଜଣେ ଭଉଣୀ ମଧ୍ୟ ଫୁଟବଲ ଖେଳାଳୀ । ବିଶ୍ବକପ୍ ଖେଳୁଥିବା ଭାରତୀୟ ଦଳରେ 6 ଜଣ ଝାଡ଼ଖଣ୍ତ ବାସିନ୍ଦା ବୋଲି ପ୍ରକାଶଯୋଗ୍ୟ । ଜାତିର ପିତା ମହାତ୍ମା ଗାନ୍ଧୀ କହି ଯାଇଛନ୍ତି, ଭାରତର ଆତ୍ମା ଗାଁରେ ହିଁ ରହିଛି । ଗାଁର ବିକାଶ ହେଲେ ହିଁ ଭାରତର ବିକାଶ ସମ୍ଭବ । କିନ୍ତୁ ବିକାଶର ଡିଣ୍ତିମ ପିଟୁଥିବା ସରକାର ଭାରତର ବାସ୍ତବିକତାକୁ ସ୍ବୀକାର କରିବାକୁ ନାରାଜ । କେବଳ ଶିଳ୍ପପତିଙ୍କ ଉତ୍ଥାନରେ ସୀମିତ ହୋଇ ରହିଯାଇଛି ସରକାରଙ୍କ ବିକାଶ । ଭାରତୀୟ ଅର୍ଥନୀତି ଧିରେ ଧିରେ ରସାତଳଗାମୀ ହେବାରେ ଲାଗିଛି । କିନ୍ତୁ ସେପଟେ ଅର୍ଥମନ୍ତ୍ରୀ ସବୁବେଳେ ବିକାଶର ସୁନେଲୀ ସ୍ବପ୍ନ ଦେଖେଇ ଚାଲିଛନ୍ତି । ପେଟ୍ରୋଲ ବଢ଼ୁଛି, ପରିବା ବଢ଼ୁଛି, ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦର ବଢ଼ୁଛି । ସାଧାରଣ ବର୍ଗ ଓ ଶ୍ରମିକ ଶ୍ରେଣୀୟ ଲୋକେ ଖାଇବାକୁ ପାଉ ନାହାଁନ୍ତି । କିନ୍ତୁ ଆମେ ବିଶ୍ବର ତୃତୀୟ ବୃହତ୍ ଅର୍ଥନୀତି ବୋଲି ଡିଣ୍ତିମ ପିଟୁ । ଆମ ପ୍ରଧାନମନ୍ତ୍ରୀ 5 ଟ୍ରିଲିୟନ ଅର୍ଥନୀତିର କଥା କୁହନ୍ତି । ଆମ ବୈଜ୍ଞାନିକ ଚନ୍ଦ୍ରପୃଷ୍ଠକୁ ଯିବାକୁ ସ୍ବପ୍ନ ଦେଖନ୍ତି । ପ୍ରତ୍ୟେକ ସଭାରେ ଆମର ନେତାମାନେ ବିକାଶର ଭାଷଣ ମାରନ୍ତି । କିନ୍ତୁ ଭାରତର ବାସ୍ତବତାକୁ ଦେଖିବାକୁ କାହା ମନରେ ଇଚ୍ଛା କି ଆନ୍ତରିକତା ମଧ୍ୟ ନାହିଁ । ତାଙ୍କ ପାଇଁ ଗାଁର ବିକାଶ ହେଉଥିବା କଥା ଜାଣି ଖୁସି ପ୍ରକାଶ କରିଛନ୍ତି ଅସ୍ତମ । ଆଗକୁ ତାଙ୍କର ଆର୍ଥିକ ଅବସ୍ଥା ସୁଧୁରି ଯିବ ବୋଲି ମଧ୍ୟ ଆଶା ରଖିଛନ୍ତି ସେ । ତେବେ ବର୍ତ୍ତମାନ ନିଜର ସମସ୍ତ ଧ୍ୟାନ ବିଶ୍ବକପରେ କେନ୍ଦ୍ରୀତ କରୁଛନ୍ତି ବୋଲି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।

Share :