ଭାରତର ଦମଦାର ବିଜୟ

ଭାରତର ଦମଦାର ବିଜୟ

Share :

ଦିଲ୍ଲୀ ଅରୁଣ ଜେଟଲୀ ଷ୍ଟାଡିୟମ୍‌ରେ ଭାରତର ଦମଦାର ପ୍ରଦର୍ଶନ । ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ତଥା ଅନ୍ତିମ ଦିନିକିଆକୁ ୭ ୱିକେଟରେ ଜିତି ନେଇଛି ଟିମ୍ ଇଣ୍ଡିଆ । ଏହି ବିଜୟ ସହ ୨-୧ ରେ ସିରିଜ ବିଜୟୀ ହୋଇଛି ଭାରତ । ଗତକାଲି ଖେଳା ଯାଇଥିବା ଏହି ନିର୍ଣ୍ଣାୟକ ଦିନିକିଆକୁ ଏକପାଖିଆ ଭାବେ ଜିତି ନେଇଛି ଟିମ୍ ଇଣ୍ଡିଆ । ଭାରତର ଦମଦାର ବୋଲିଂ ପ୍ରଦର୍ଶନ ବଳରେ ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ମାତ୍ର ୯୯ ରନରେ ଅଲଆଉଟ ହୋଇଯାଇଥିଲା । ୧୦୦ ରନର ବିଜୟ ଲକ୍ଷ୍ୟ ନେଇ ଭାରତ ଅତି ସହଜରେ ୧୯.୧ ଓଭରରେ ୩ ୱିକେଟ୍‌ ହରାଇ ଜିତି ନେଇଥିଲା । ଭାରତୀୟ ବୋଲର କୁଲଦୀପ ଯାଦବଙ୍କୁ ସର୍ବାଧିକ ୪ଟି ୱିକେଟ୍‌ ମିଳିଥିବା ବେଳେ ଶୁଭମାନ ଗିଲ୍ ୪୯ ରନ କରିଥିଲେ । ତେବେ ବୋଲିଂରେ ଜଲୱା ଦେଖାଇଥିବା କୁଲଦୀପ ଯାଦବଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଘୋଷଣା କରାଯାଇଥିବା ବେଳେ ମହମ୍ମଦ ସିରାଜଙ୍କୁ ମ୍ୟାନ ଅଫ ଦି ସିରିଜ ଘୋଷଣା କରାଯାଇଛି । ୧୦୦ ରନର ଛୋଟ ବିଜୟ ଲକ୍ଷ୍ୟକୁ ପିଛା କରିଥିବା ଭାରତର ଦୁଇ ଓପନର ଅଧିନାୟକ ଶିଖର ଧାଓ୍ଵନ ଏବଂ ଶୁଭମାନ ଗିଲ୍ ୪୨ ରନ ଯୋଡିଥିଲେ। ଧାଓ୍ଵନ ୮ ରନ କରି ବିଦାୟ ନେଇଥିଲେ । ଇଶାନ କିଷନ ମଧ୍ୟ (୧୦) ଅଧିକ ସମୟ କ୍ରିଜରେ ତିଷ୍ଠି ପାରିନଥିଲେ । ୫୮ ରନରେ ଭାରତ ୨ଟି ଓ୍ଵିକେଟ୍ ହରାଇବା ପରେ ଶୁଭମାନ ଗିଲ୍ ଏବଂ ଶ୍ରେୟସ ଆୟର ଦଳକୁ ସହଜ ବିଜୟ ଦେଇଛନ୍ତି । ଶେଷ ବେଳକୁ ଭାରତକୁ ଜିତିବା ପାଇଁ ୩ ରନ ଆବଶ୍ୟକ ଥିବା ବେଳେ ଗିଲ୍ ଆଉଟ୍ ହୋଇ ଯାଇଥିଲେ । ସେ ୫୭ ବଲ୍‌ରୁ ୮ ଚୌକା ସହ ୪୯ ରନ କରି ମାତ୍ର ଏକ ରନ ପାଇଁ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ । ଶ୍ରେୟାସ ଆୟର ୨୮ ରନର ଅପରାଜିତ ଇନିଂସ ଖେଳି ଦଳକୁ ୭ ଓ୍ଵିକେଟ୍‌ରେ ଜିତାଇଥିଲେ । ଭାରତ ୧୯.୧ ଓଭରରେ ୧୦୫ ରନ କରି ୭ ଓ୍ଵିକେଟ୍‌ରେ ବିଜୟ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ସଞ୍ଜୁ ସାମସନ ୨ ରନ କରି ଅପରାଜିତ ଥିଲେ ।

Share :