ନ୍ୟାୟିକ ପ୍ରଯୁକ୍ତିବିଦ୍ୟା ଦ୍ବାରା ପଛୁଆ ବର୍ଗର ବିକାଶ ସମ୍ଭବ

ନ୍ୟାୟିକ ପ୍ରଯୁକ୍ତିବିଦ୍ୟା ଦ୍ବାରା ପଛୁଆ ବର୍ଗର ବିକାଶ ସମ୍ଭବ

Share :

ପ୍ରାକ୍ଟିକାଲ ଆକ୍ସନର ୫୦ ବର୍ଷ ପୂର୍ତୀ ଅବସରରେ ସ୍ଥାନୀୟ ଓଡିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ ଅଧୀନସ୍ଥ କଲେଜ ଅଫ ଏଗ୍ରିକଲଚରାଲ ଇଞ୍ଜିନିୟରିଂ ଓ ଟେକନୋଲଜି ବା ସିଏଇଟି ପରିସରରେ ନ୍ୟାୟିକ ପ୍ରଯୁକ୍ତିବିଦ୍ୟା ବା ଟେକ୍ନୋଲଜି ଜଷ୍ଟିସ୍ ଉପରେ ଏକ ଜାତୀୟ ଆଲୋଚନାଚକ୍ର ଆୟୋଜିତ ହୋଇଯାଇଛି । ସିଏଇଟି ସହ ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ରାଜ୍ୟ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ ନ୍ୟାୟିକ ପ୍ରଯୁକ୍ତିବିଦ୍ୟା ବା ଟେକ୍ନୋଲଜି ଜଷ୍ଟିସ୍ ଦ୍ବାରା ପଛୁଆ ବର୍ଗର ଲୋକଙ୍କ ବିକାଶ ସମ୍ଭବ ବୋଲି ମତ ଦେଇଥିଲେ । ଏ ଅବସରରେ ମନ୍ତ୍ରୀ ରାଜଧାନୀର କିଛି ବସ୍ତିରେ ପରୀକ୍ଷାମୂଳକ ଭାବରେ କରାଯାଇଥିବା ଅଭିନବ ସୋଲାର ଉଆଟର ବଲବର ଏକ ମଡେଲକୁ ଆନୁଷ୍ଠାନିକ ଭାବେ ଲୋକାର୍ପଣ କରିବା ସହ ଏହା ଉପରେ ନିର୍ମିତ ପ୍ରାମାଣିକ ଚଳଚ୍ଚିତ୍ରକୁ ମଧ୍ୟ ଉନ୍ମୋଚିତ କରିଥିଲେ । ଅନ୍ୟ ଅତିଥିମାନଙ୍କ ମଧ୍ୟରେ ରାଜ୍ୟ ଯୋଜନା ବୋର୍ଡର ସ୍ବତନ୍ତ୍ର ସଚିବ ସୁଜିତ କୁମାର, ଜାତୀୟ ଆଇନ ବିଶ୍ବବିଦ୍ୟାଳୟର କୁଳପତି ଶ୍ରୀକ୍ରୀଷ୍ଣା ଦେବା ରାଓ, ଓୟୁଏଟିର କୁଳପତି ଡା ମନୋରଞ୍ଜନ କର, ସିଏଇଟିର ମୁଖ୍ୟ ଖଲିଲ ଖାନ୍, ପ୍ରାକ୍ଟିକାଲ ଆକ୍ସନର ଦକ୍ଷିଣ ଏସିଆ ମୁଖ୍ୟ ଅଚ୍ୟୁତ ଲୁଇଟେଲ ଓ ଭାରତ ମୁଖ୍ୟ ଡା ବିରୁପାକ୍ଷ ଦୀକ୍ଷିତ ପ୍ରମୁଖ ଉପସ୍ଥିତ ଥିଲେ । ଓୟୁଏଟିର କୁଳପତି ଡା ମନୋରଞ୍ଜନ କର ଏ ଅବସରରେ ଓୟୁଏଟି ଓ ପ୍ରାକ୍ଟିକାଲ ମିଳିତ ଆନୁକୂଲ୍ୟରେ ‘ରିନୁଏବଲ ଏନର୍ଜୀ’ ବା ଅକ୍ଷୟ ଶକ୍ତି ଉପରେ କ୍ଷୁଦ୍ର ପାଠ୍ୟକ୍ରମର ଘୋଷଣା କରିଥିଲେ । ଏହି ଅବସରରେ ଓୟୁଏଟି ପରିସରରେ ଏକ ପ୍ରଦର୍ଶନୀ ଆୟୋଜିତ କରାଯାଇଥିଲା, ଯାହାକୁ ବିଶ୍ବବିଦ୍ୟାଳୟର କୁଳପତି ଶ୍ରୀ କର ଉଦଘାଟନ କରିଥିଲେ । ପ୍ରାକ୍ଟିକାଲ ଆକ୍ସନ ରାଜଧାନୀର ବସ୍ତିମାନଙ୍କରେ ୨୨୦ ଘରେ ଏକ ଅଭିନବ ସୋଲା ଉଆଟର ବଲବ ଲଗାଇଛନ୍ତି ଯାହାର ଏକ ନମୁନାକୁ ମନ୍ତ୍ରୀ ଲୋକାର୍ପିତ କରିଥିଲେ । ବିନା ବିଦ୍ୟୁତଶକ୍ତିରେ କେବଳ ପାଣିବୋତଲକୁ ବ୍ୟବହାର କରି ତିଆରି ହୋଇଥିବା ଲିଟର ଅଫ୍ ଲାଇଟକୁ ଉପସ୍ଥିତ ଅତିଥି ପ୍ରଶଂସା କରିଥିଲେ । ଏହି ଅବସରରେ ଜଳ-ପରିମଳ, ବର୍ଜ୍ୟବସ୍ତୁ, ଅସିମିତ ଶକ୍ତି ଉତ୍ସ, କୃଷି ଓ ଜଳବାୟୁ ଉପରେ କର୍ମଶାଳା ଅନୁଷ୍ଠିତ ହୋଇଥିଲା, ଯେଉଁଠି ରାଜ୍ୟ ତଥା ରାଜ୍ୟ ବାହାରର ୧୫ରୁ ଅଧିକ ବିଶେଷଞ୍ଜ ନିଜ ବକ୍ତବ୍ୟ ରଖିଥିଲେ । ପ୍ରାକ୍ଟିକାଲ ଆକ୍ସନ ବିଶ୍ବରେ ଟେକନୋଲଜିକୁ ବ୍ୟବହାର କରି ଦାରିଦ୍ର୍ୟ ଦୁରୀକରଣର ପ୍ରୟାସ ଜାରି ରଖିଛି । ଓଡିଶାରେ ସୌର ରଥ, ପବନ-ସୈାର ଚାଳିତ ବିଦ୍ୟୁତ ଶକ୍ତି, ଝରଣାକୁ ବ୍ୟବହାର କରି କ୍ଷୁଦ୍ର ଜଳବିଦ୍ୟୁତ ପ୍ରକଳ୍ପ ମାଧ୍ୟମରେ ଅନେକ ଅପହଂଚ ଇଲାକାରେ ଲୋକଙ୍କ ଜୀବନକୁ ସରସସୁନ୍ଦର କରିପାରିଛି ପ୍ରାକ୍ଟିକାଲ ଆକ୍ସନ ।

Share :