ଆଜି ସିରିଜ ନିର୍ଣ୍ଣାୟକ

ଆଜି ସିରିଜ ନିର୍ଣ୍ଣାୟକ

Share :

ଆଜି ନିର୍ଣ୍ଣୟକ ଲଢେଇ । ତୃତୀୟ ଦିନିକିଆରେ ମୁହାଁମୁହିଁ ହେବେ ଭାରତ ଏବଂ ଦକ୍ଷିଣ ଆଫ୍ରିକା । ଉଭୟ ଦଳ ଗୋଟିଏ ଲେଖାଁଏ ମ୍ୟାଚ ଜିତିଥିବା ବେଳେ ସିରିଜ୍ 1-1ରେ ବରାବର ରହିଛି । ତେଣୁ ଆଜିର ମ୍ୟାଚ ଜିତି ସିରିଜ କବଜା କରିବାକୁ ଉଭୟ ଦଳ ଲକ୍ଷ୍ୟ ରଖିଛନ୍ତି । ପ୍ରଥମ ମ୍ୟାଚରେ ପରାଜିତ ହେବାପରେ ଦ୍ବିତୀୟ ଦିନିକିଆରେ ବିଜୟ ହାସଲ କରି ଭାରତ ଟ୍ରାକ ଫେରିପାଇଛି । ତୃତୀୟ ଦିନିକିଆରେ ମଧ୍ୟ ଉନ୍ନତ ପ୍ରଦର୍ଶନ ମାଧ୍ୟରେ ଦଳ ସିରିଜ କବଜା କରିବାକୁ ରଣନୀତି ପ୍ରସ୍ତୁତ କରିଛି । ଅନ୍ୟପଟେ ଦକ୍ଷିଣ ଆଫ୍ରିକା ମଧ୍ୟ ସିରିଜ ଜିତି ଗସ୍ତ ଶେଷ କରିବାକୁ ପ୍ରସ୍ତୁତି କରିଛି । ଭାରତୀୟ ଦଳ ପାଇଁ ଚିନ୍ତାର କାରଣ ପାଲଟିଛି ବୋଲିଂ ବିଭାଗ । ଗତ ମ୍ୟାଚରେ ମହମ୍ମଦ ସିରାଜଙ୍କୁ ଛାଡ଼ି ଦଳର ଅନ୍ୟ କୌଣସି ବୋଲର ଭଲ ପ୍ରଦର୍ଶନ କରି ନଥିଲେ । ଏହି ମ୍ୟାଚ ଜିତିବାକୁ ଭାରତକୁ ଉଭୟ ବୋଲିଂ ଓ ବ୍ୟାଟିଂ ବିଭାଗରେ ଉଚ୍ଚକୋଟୀର ପ୍ରଦର୍ଶନ ଦେବାକୁ ହେବ । ଅଧିନାୟକ ଶିଖର ଧାୱନଙ୍କ ଫର୍ମ ମଧ୍ୟ ଦଳ ପାଇଁ ଚିନ୍ତା ବଢ଼ାଇ ଦେଇଛି । ତେବେ ଶ୍ରେୟାସ ଆୟର, ସଞ୍ଜୁ ସାମସନ ଓ ଇଶାନ କିଶନ ଜବରଦସ୍ତ ଫର୍ମରେ ରହିଛନ୍ତି । ଗତ ମ୍ୟାଚରେ ଇଶାନ ଅଳ୍ପକେ ନିଜ ଖେଳ ଜୀବନର ପ୍ରଥମ ଅନ୍ତର୍ଜାତୀୟ ଶତକରୁ ବଞ୍ଚିତ ହୋଇଥିବା ବେଳେ ଆଜିର ମ୍ୟାଚରେ ତାହା ପୂରଣ କରିବାକୁ ନିହାତି ଚେଷ୍ଟା କରିବେ । ଗତ ମ୍ୟାଚରେ ଶ୍ରେୟାସ ଆୟର ଶତକ ହାସଲ କରିଥିଲେ । ତେବେ ଦକ୍ଷିଣ ଆଫ୍ରିକା ପାଇଁ ଅଧିନାୟକ ତେମ୍ବା ବାଭୁମାଙ୍କ ଫର୍ମ ଚିନ୍ତାର କାରଣ ପାଲଟିଛି । ସେ ଲଗାତାର ଭାବେ ବିଫଳ ହେବା ଦଳର ଚିନ୍ତା ବଢାଇ ଦେଇଛି । ବୋଲିଂ ବିଭାଗ ଅପେକ୍ଷାକୃତ ଭଲ ପ୍ରଦର୍ଶନ କରୁଥିବା ବେଳେ ଏହି ମ୍ୟାଚ ଜିତିବାକୁ ହେଲେ ଦଳକୁ ବୋଲିଂ, ବ୍ୟାଟିଂ ଓ ଫିଲ୍ଡିଂ ବିଭାଗରେ ମଧ୍ୟ ଉନ୍ନତ ପ୍ରଦର୍ଶନ କରିବାକୁ ହେବ ।

Share :