ରାଜଧାନୀରେ ଫୁଟବଲ ଫିଭର

ରାଜଧାନୀରେ ଫୁଟବଲ ଫିଭର

Share :

ରାଜଧାନୀକୁ ଗ୍ରାସିଛି ଫୁଟବଲ୍ ଫିଭର । ଖଚାଖଚ୍ ଭିଡ ଭିତରେ ଆଜିଠୁ ଆରମ୍ଭ ହେବ 17 ବର୍ଷରୁ କମ ମହିଳା ଫିଫା ଫୁଟବଲ ବିଶ୍ବକପ । ଗୋଆରେ ପ୍ରଥମ ମ୍ୟାଚ ମରକୋ ଓ ବ୍ରାଜିଲ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ବେଳେ କଳିଙ୍ଗ ଷ୍ଟାଡିୟମରେ ଦ୍ବିତୀୟ ମ୍ୟାଚରେ ଶକ୍ତିଶାଳୀ ଆମେରିକାକୁ ଭେଟିବ ଆୟୋଜକ ଭାରତ । ଏନେଇ ସମସ୍ତ ପ୍ରସ୍ତୁତି ସରିଛି ବୋଲି କମିଶନରେଟ ପୋଲିସ ତରଫରୁ ପ୍ରକାଶ । ବିଶ୍ବକପ ପାଇଁ ଚାରି ସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । କୋରୋନା ପରେ କଳିଙ୍ଗ ଷ୍ଟାଡିୟମରେ ଫୁଟବଲର ମହାକୁମ୍ଭ ଆରମ୍ଭ ହେବାକୁ ଯାଉଥିବା ବେଳେ ଫୁଟବଲ ପ୍ରେମୀଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି । ବିଶ୍ବକପ୍ ପାଇଁ ଅଂଶଗ୍ରହଣକାରୀ ମୋଟ 16ଟି ଦଳ ଭେନ୍ୟୁରେ ପହଁଞ୍ଚି ସାରିଛନ୍ତି । ଗୋଆ ଏବଂ କଳିଙ୍ଗ ଷ୍ଟାଡିୟମକୁ ଛାଡିଲେ ତୃତୀୟ ଭେନ୍ୟୁ ନଭି ମୁମ୍ବାଇ ରହିଛି । ନଭି ମୁମ୍ବାଇରେ ଆସନ୍ତା ଅକ୍ଟୋବର 30 ରେ ଗ୍ରାଣ୍ଡ୍ ଫାଇନାଲ ଅନୁଷ୍ଠିତ ହେବ । 2017 ରେ ପୁରୁଷ ଦଳ ପରେ ଏବେ ଭାରତରେ 17 ବର୍ଷରୁ କମ ମହିଳା ଦଳ ପ୍ରଥମ ଥର ଲାଗି ଫିଫା ବିଶ୍ବପକରେ ଖେଳିବାକୁ ଯାଉଛି । ବିଶ୍ବକପ ପାଇଁ ପ୍ରାୟ 7 ରୁ 8 ମାସ ହେଲା ଅଭ୍ୟାସ ଜାରି ରଖିଥିଲା ଭାରତୀୟ ଟିମ । ପ୍ରଥମେ ଜାମସେଦପୁର ଏବଂ ପରେ ଭୁବନେଶ୍ବରର କଳିଙ୍ଗ ଷ୍ଟାଡିଅମରେ ପ୍ରସ୍ତୁତି କରିଥିଲା ଦଳ । ଏହି ମେଗା ଇଭେଣ୍ଟ ପାଇଁ ଦଳ ସମ୍ପୂର୍ଣ ଭାବେ ପ୍ରସ୍ତୁତ ରହିଛି ବୋଲି ଭାରତୀୟ ଦଳ ପକ୍ଷରୁ ସୂଚନା ଦିଆଯାଇଛି । ଅନ୍ୟପଟେ ରାଜଧାନୀରେ ଏହି ଗ୍ରାଣ୍ଡ ଇଭେଣ୍ଟ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ କମିଶନରେଟ ପୋଲିସ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ପୋଲିସ କମିଶନର ଏବଂ ଭୁବନେଶ୍ବର ଡିସିପିଙ୍କ ତତ୍ତ୍ବାବଧାନରେ କମିଶନରେଟ ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ କରାଯିବା ସହ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରାଯାଇଛି । ଡ଼ିସିପିଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ 6 ଅତିରିକ୍ତ ଡ଼ିସିପି, 14 ଏସିପି, 30 ଇନିସପେକ୍ଟର୍, 100 ଅଧିକାରୀ, 240 କନେଷ୍ଟବଳ ଓ 15 ପ୍ଲାଟୁନ ଫୋର୍ସ ମୁତୟନ ରହିବେ । ପାର୍କିଂ ଆଉ ଟ୍ରାଫିକକୁ ଗୁରୁତ୍ଵ ଦେବା ସହ ଶାନ୍ତିଶୃଙ୍ଖଳାରେ କିପରି ଖେଳ ପରିଚାଳନା ହେବ ସେଥି ପାଇଁ କମିସନରେଟ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ମଧ୍ୟ କରାଯାଇଛି ।

Share :