ଆଜି ବିଶ୍ବ ମାନସିକ ସ୍ବାସ୍ଥ୍ୟ ଦିବସ

ଆଜି ବିଶ୍ବ ମାନସିକ ସ୍ବାସ୍ଥ୍ୟ ଦିବସ

Share :

ଗତ କିଛି ବର୍ଷ ହେବ ଏକ ନୂଆ ଶବ୍ଦର ବହୁଳ ବ୍ୟବହାର ଦେଖିବାକୁ ମିଳୁଛି । ତାହା ହେଉଛି ମାନସିକ ରୋଗୀ । କିଛି ବର୍ଷ ତଳେ ହୁଏ ତ ବହୁତ କମ ଲୋକ ଏହି ଶବ୍ଦ ଶୁଣିଥିବେ । କିନ୍ତୁ ଆଜିକାଲି ବ୍ୟସ୍ତବହୁଳ ଦୁନିଆରେ ପ୍ରତ୍ୟେକ ଘରେ ଯେ ମାନସିକ ରୋଗୀ ଥିବେ ଏହା କହିବା ଅତ୍ୟୁକ୍ତି ହେବ ନାହିଁ । ସୁସ୍ଥ ମଣିଷ କହିଲେ ଉଭୟ ଶାରୀରିକ ସହ ମାନସିକ ସୁସ୍ଥତାକୁ ବୁଝାଏ । ଶାରୀରିକ ସୁସ୍ଥତା ପାଇଁ ଆଧୁନିକ ମଣିଷ ଆଜିକାଲି ଜିମର ସହାୟତା ନେଇ ପାରୁଛି । କିନ୍ତୁ ମାନସିକ ସୁସ୍ଥତା ପାଇଁ ସେପରି କୌଣସି ଉପାୟ ନଥିବା ପରି ମନେ ହୁଏ । WHO ତରଫରୁ କରା ଯାଇଥିବା ଏକ ଗବେଷଣାରୁ ଜଣା ପଡ଼ିଛି ଯେ, ବିଶ୍ବର ପାଖାପାଖି 45 କୋଟି ଲୋକ ମାନସିକ ରୋଗ ଦ୍ବାରା ଆକ୍ରାନ୍ତ । ସେ ହିସାବରେ ଦେଖିଲେ ଭାରତରେ ମଧ୍ୟ ମାନସିକ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ି ଚାଲିଛି । ଯାହା ନିହାତି ଭାବେ ଏକ ଚିନ୍ତାର କାରଣ । ଜାତୀୟ ମାନସିକ ସ୍ବାସ୍ଥ୍ୟ ସର୍ଭେକ୍ଷଣ ମୁତାବକ, ଦେଶରେ ପ୍ରାୟ 10 ପ୍ରତିଶତ ଲୋକ ବିଭିନ୍ନ କାରଣ ପାଇଁ ମାନସିକ ରୋଗରେ ଆକ୍ରାନ୍ତ । କରୋନା ମହାମାରୀ ପରେ ଏହି ସଂଖ୍ୟାରେ ଅହେତୁକ ବୃଦ୍ଧି ଘଟିଥିବା ଅନୁମାନ କରାଯାଏ । ଲକ ଡାଉନ ସହ ଲୋକଙ୍କ ଜୀବିକାକୁ ଖୁବ ପ୍ରଭାବିତ କରିଥିଲା କରୋନା । ଅନେକ ଲୋକ ନିଜର ଖାଦ୍ୟ ଗଣ୍ତିଏ ଯୋଗାଡ଼ କରି ପାରିନଥିଲେ । ଏନେକ ନିଜ ପ୍ରିୟଜନଙ୍କୁ ହରାଇଥିଲେ । କେତେକଙ୍କର ଜୀବିକା ଯାଇଥିଲା । ଏସବୁ କରୋନା ପରେ ଭାରତରେ ମାନସିକ ରୋଗୀ ବଢ଼ିବାର ମୁଖ୍ୟ କାରଣ କୁହା ଯାଇପାରେ । ଜାତୀୟ ମାନସିକ ସ୍ବାସ୍ଥ୍ୟ ସର୍ଭେକ୍ଷଣ ରିପୋର୍ଟ ଅନୁଯାୟୀ କରୋନା ପରେ ପାଖାପାଖି 20 ପ୍ରତିଶତ ମାନସିକ ରୋଗୀ ଭାରତରେ ବୃଦ୍ଧି ପାଇଛନ୍ତି । ପ୍ରାୟ ସମସ୍ତ ବର୍ଗର ଲୋକଙ୍କ ଉପରେ କରୋନା ମହାମାରୀ କୁପ୍ରଭାବ ପକାଇଛି । ସ୍କୁଲ ଆଦି ଶିକ୍ଷାନୁଷ୍ଠାନ ବନ୍ଦ ରହିବା କାରଣରୁ ଛୋଟପିଲା ତଥା ଛାତ୍ରଛାତ୍ରୀଙ୍କର ମାନସିକ ସ୍ଥିତି ବିଗିଡ଼ିଛି । ଡିପ୍ରେସନ, ଆଙ୍ଗଜାଇଟି ଭଳି ରୋଗ ବଢ଼ି ଚାଲିଛି । ମାନସିକ ଅଶାନ୍ତି କାରଣରୁ ବହୁ ଲୋକ ନିଦ୍ରାହୀନତାର ଶିକାର ହେଉଛନ୍ତି । ନିଶା ସେବନ ବଢ଼ିବା ସହ ଆତ୍ମହତ୍ୟା ପ୍ରବଣତା ମଧ୍ୟ ବଢ଼ିଛି । ତେବେ ଏନେଇ ଆମ ଦେଶ ତଥା ବିଶ୍ବରେ ସଚେତନତାର ଘୋର ଅଭାବ ରହିଛି । ଏହା ହିଁ ମାନସିକ ରୋଗୀ ବଢ଼ିବାର ପ୍ରମୁଖ କାରଣ । ଏହି ରୋଗ ଦ୍ବାରା ଆକ୍ରାନ୍ତ 70 ରୁ 80 ପ୍ରତିଶତ ଚିକିତ୍ସା ପାଉ ନାହାଁନ୍ତି । ମନୋଚିକିତ୍ସଙ୍କର ମଧ୍ୟ ଘୋର ଅଭାବ ରହିଛି । ସର୍ଭେ ଅନୁସାରେ ଦେଶରେ ପ୍ରତି 10 ଲକ୍ଷ ଲୋକଙ୍କ ପାଇଁ ମାତ୍ର 3 ଜଣ ମାନସିକ ଡାକ୍ତର ରହିଛନ୍ତି । ଏଣୁ ଲୋକଙ୍କ ମଧ୍ୟରେ ମାନସିକ ରୋଗକୁ ନେଇ ସଚେତନ କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଅକ୍ଟୋବର 10 କୁ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଓ ବିଶ୍ବ ମାନସିକ ସଂଘର ମିଳିତ ଆନୁକୂଲ୍ୟରେ ବିଶ୍ବ ମାନସିକ ଦିବସ ଭାବେ ପାଳନ କରାଯାଏ । ଏହାର ପ୍ରମୁଖ ଲକ୍ଷ୍ୟ ହେଉଛି ବିଭିନ୍ନ ମାନସିକ ରୋଗର କାରଣ ଓ ନିରାକରଣ ସଂପର୍କରେ ଲୋକଙ୍କ ମଧ୍ୟରେ ସଚେତନତା କରିବା । ମାନସିକ ରୋଗର ଚିକିତ୍ସା ନାହିଁ ବୋଲି ଲୋକଙ୍କ ମନରେ ଥିବା ଭ୍ରାନ୍ତ ଧାରଣାକୁ ଦୂର କରିବା ଏହି ଦିବସର ମୂଳ ଲକ୍ଷ୍ୟ । ଯେଉଁଠାରେ କାରଣ ନିହିତ ସେଠାରେ ନିରାକରଣ ମଧ୍ୟ ନିହିତ । ଏଣୁ ବିନା ସଙ୍କୋଚରେ ମାନସିକ ରୋଗୀ ଡାକ୍ତରଙ୍କ ପରାମର୍ଶ ନେଲେ ଏହି ରୋଗରୁ ନିହାତି ଭାବେ ବାହାରି ପାରିବ ।

Share :