ମରୁଡ଼ି ସତ୍ତ୍ବେ ବଢ଼ିଲା କେମିତି ଧାନ ସଂଗ୍ରହ?

ମରୁଡ଼ି ସତ୍ତ୍ବେ ବଢ଼ିଲା କେମିତି ଧାନ ସଂଗ୍ରହ?

Share :

ଓଡ଼ିଶାରେ ଏଥର ଭୟଙ୍କର ମରୁଡ଼ି ପଡ଼ିଥିବା ନେଇ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ରିପୋର୍ଟ ଦେଇଛନ୍ତି | ୨୦୧୫ ଅକ୍ଟୋବର ମାସରୁ ରାଜ୍ୟରେ ଶତାଧିକ କୃଷକ ଆତ୍ମହତ୍ୟା କରିବା ପରେ ରାଜ୍ୟ ସରକାର ଏଭଳି ଏକାଧିକ ମରୁଡ଼ି ରିପୋର୍ଟ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରି ବିଭିନ୍ନ ପର୍ଯ୍ୟାୟରେ ମୋଟ ଉପରେ ୨୫୦୦ କୋଟିରୁ ଅଧିକ ଟଙ୍କାର ସହାୟତା ଲୋଡ଼ିଛନ୍ତି | କେନ୍ଦ୍ର କାହିଁକି ଓଡ଼ିଶାକୁ ମରୁଡ଼ି ସହାୟତା ଦେବାରେ ବିଳମ୍ବ କରିଛି ବୋଲି ପ୍ରଶ୍ନ କରି ରାଜନୀତିକ ଫାଇଦା ନେବାକୁ ଉଦ୍ୟମ ହୋଇଛି | ରାଜ୍ୟ ସରକାରଙ୍କ ରିପୋର୍ଟ ଅନୁସାରେ ସ୍ବଳ୍ପ ବୃଷ୍ଟିପାତ ଯୋଗୁଁ ରାଜ୍ୟର ପ୍ରାୟ ୨୮ଟି ଜିଲ୍ଲାରେ ଭୟଙ୍କର ମରୁଡ଼ି ପଡ଼ିଛି | ମରୁଡ଼ି ଯୋଗୁଁ ପ୍ରାୟ ୪୩ ପ୍ରତିଶତ ଧାନ ଅମଳ କମିଥିବା ଆକଳନ କରାଯାଇଛି |ଏପରସ୍ଥଳେ ରାଜ୍ୟରେ ଗତ ବର୍ଷ ତୁଳନାରେ ଧାନ ସଂଗ୍ରହ ପରିମାଣ କେମିତି ବଢ଼ିଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ଭଳି ଏକ ତଥ୍ୟ | ଫେବୃଆରୀ ୧୨ ତାରିଖ ଦିନ କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଉତ୍ପାଦନ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ରାମ ବିଳାସ ପାଶ୍ବାନ ଭୁବନେଶ୍ବର ଆସିଥିଲେ | ସେ ରାଜ୍ୟ ସରକାରଙ୍କ ଦ୍ବରା ପ୍ରଦତ୍ତ ପରିସଂଖ୍ୟାନ ଉଦ୍ଧାର କରି ରାଜ୍ୟରେ ଧାନ ସଂଗ୍ରହ ସନ୍ତୋଷଜନକ ବୋଲି ମତ ପ୍ରକାଶ କରିଥିଲେ | ସେ କହିଥିଲେ ଯେ ଓଡ଼ିଶାରେ ଗତ ବର୍ଷ ଫେବୃଆରୀ ମାସ ମଧ୍ୟରେ ୧୫.୦୬ ଲକ୍ଷ ଟନ ଧାନ ସଂଗୃହୀତ ହୋଇଥିଲାବେଳେ ୨୦୧୬ ବର୍ଷର ଏହି ସମୟ ମଧ୍ୟରେ ୧୬.୦୭ ଲକ୍ଷ ଟନ୍ ଧାନ ସଂଗୃହୀତ ହୋଇଛି | ଅର୍ଥାତ ଗତ ବର୍ଷ ତୁଳନାରେ ଏହି ସମୟ ମଧ୍ୟରେ ରାଜ୍ୟରେ ପ୍ରାୟ ଏକ ଲକ୍ଷ ଟନ୍ ଅଧିକ ଧାନ ସଂଗୃହୀତ ହୋଇଛି | ରାଜ୍ୟରେ ଭୟଙ୍କର ମରୁଡ଼ି ପଡ଼ିଥିବାବେଳେ ଏତେ ଧାନ କେଉଁଠୁ ଆସିଲା ବୋଲି ସ୍ବାଭାବିକ ଭାବେ କେହି କେହି ପ୍ରଶ୍ନ କରିପାରନ୍ତି | ମରୁଡ଼ି ପାଇଁ ରାଜ୍ୟରେ ଖାଦ୍ୟଶସ୍ୟ ଅମଳ ପ୍ରାୟ ୪୩ ପ୍ରତିଶତ କମିବ ବୋଲି ଖୋଦ ରାଜ୍ୟ ସରକାର ପୂର୍ବରୁ ରିପୋର୍ଟ ପ୍ରସ୍ତୁତ କରିଛନ୍ତି | ରାଜ୍ୟରେ ଏବର୍ଷ ପ୍ରାୟ ୧୦୦ ଲକ୍ଷ ଟନ ଖାଦ୍ୟ ଶସ୍ୟ ଅମଳ ହେବ ବୋଲି ପୂର୍ବରୁ ଆଶା କରାଯାଉଥିଲା | କିନ୍ତୁ ମରୁଡ଼ି ଯୋଗୁଁ ତାହା ୫୭ ଲକ୍ଷ ଟନକୁ ଖସିଯିବ ବୋଲି ରାଜ୍ୟ ସରକାର ସଂଶୋଧିତ ରିପୋର୍ଟରେ ଉଲ୍ଲେଖ କରିଛନ୍ତି | କେନ୍ଦ୍ର ସରକାରଙ୍କୁ ଓଡ଼ିଶା ସରକାର ପଠାଇଥିବା ରିପୋର୍ଟ ଅନୁସାରେ ରାଜ୍ୟର ୩୦ ଜିଲ୍ଲାରୁ ୨୮ ଜିଲ୍ଲାର ୨୩୫ ବ୍ଲକ ଅନ୍ତର୍ଗତ ୩୮୩୨ ଗ୍ରାମ ପଂଚାୟ ଓ ୫୫ ପୌର ସଂସ୍ଥାର ୪୧୨ ଉଆର୍ଡ଼ରେ ଥିବା ୨୯୧୭୬ ଗାଁର ୧୫,୩୫,୯୦୨ ହେକ୍ଟର ଜମିରେ ମରୁଡ଼ି ପଡ଼ିଛି | ଏସବୁ ଅଂଚଳରେ ମରୁଡ଼ି ଯୋଗୁଁ ୩୩ ପ୍ରତିଶତ ଧାନ ଉତ୍ପାଦନ କମିଛି ବୋଲି ରାଜ୍ୟ ସରକାର କେନ୍ଦ୍ରକୁ ପଠାଇଥିବା ରିପୋର୍ଟରେ ଉଲ୍ଲେଖ କରିଥିଲେ | ଏବେ କୁହାଯାଉଛି ଯେ ଖାଦ୍ୟଶସ୍ୟ ଅମଳ ୪୩ ପ୍ରତିଶତ କମିବ | ଖାଦ୍ୟଶସ୍ୟ କହିଲେ ଧାନ ସହିତ ଯଅ, ବାଜରା ଓ ମାଣ୍ଡିଆ ସହିତ ଡାଲି ଜାତୀୟ ଶସ୍ୟକୁ ମଧ୍ୟ ବୁଝାଏ | ଯଦି ମରୁଡ଼ି ରିପୋର୍ଟ ସତ ତେବେ ଅମଳର ଦୁଇ ମାସ ଭିତରେ ୧୬ ଲକ୍ଷ ଟନ ଧାନ ସଂଗୃହୀତ ହେଲା କିପରି? ଏ ଧାନ କ’ଣ ଚାଷୀ ବିକିଛନ୍ତି ନା ମିଲର୍ ? ରାଜ୍ୟରେ ପ୍ରାୟ ତିନି ଦଶନ୍ଧି ଧରି ଚାଲିଥିବା ଧାନ ଓ ଚାଉଳର ରିସାଇକ୍ଲିଂ ଦୁର୍ନୀତି ପାଇଁ ଏଭଳି ପରିସଂଖ୍ୟାନ ପେଶ୍ କରାଯାଇଛି କି ? ବର୍ଷକ ପୂର୍ବର ହାରାହାରି ହିସାବ ଅନୁଯାୟୀ ରାଜ୍ୟରେ ୭୦ ଲକ୍ଷ ଟନ୍ ଧାନ ଅମଳ ହେଉଥିବାବେଳେ ପ୍ରାୟ ୪୫ ଲକ୍ଷ ଟନ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟଧାର୍ଯ୍ୟ ହୋଇଥାଏ | ଏହି ଲକ୍ଷ୍ୟ କେବେ ବି ହାସଲ ହୁଏ ନାହିଁ | ପ୍ରତିବର୍ଷ ଚାଷୀମାନେ ମଣ୍ଡି ଓ ସମିତିକୁ ଦୋଷ ଦେଇଥାନ୍ତି ଓ ଅଭାବୀ ବିକ୍ରି ଅଭିଯୋଗ କରିଥାନ୍ତି | ଅନେକ ବିଧାୟକ ମଧ୍ୟ ବିଧାନସଭାରେ ଏହି ଦାବି ଉଠାଇଥାନ୍ତି | ଏବର୍ଷ ମରୁଡ଼ି ସତ୍ତ୍ବେ ଓଡ଼ିଶା ସରକାର ତାଙ୍କର ଧାନ ସଂଗ୍ରହ ଲକ୍ଷ୍ୟ କମ୍ କରି ନାହାନ୍ତି କି ଜିଲ୍ଲାଗୁଡ଼ିକରୁ ଧାନ ସଂଗ୍ରହ ଅବ୍ୟବସ୍ଥା ନେଇ ରିପୋର୍ଟ ଆସିବା ବନ୍ଦ ହୋଇନାହିଁ | ସରକାରଙ୍କ ସଂଶୋଧିକ ଆକଳନ ଅନୁଯାୟୀ ମରୁଡ଼ି ଯୋଗୁଁ ଏବର୍ଷ ସର୍ବାଧିକ ୪୫ ଲକ୍ଷ ଟନ୍ ଧାନ ଅମଳ ହେବ | ଯଦି ଅମଳ ଏତିକି ବିକିବାକୁ ବଳିବ କେତେ ? ଏସ୍ଥଳେ ଫେବୃଆରୀ ସୁଦ୍ଧା ଅଧିକ ୧ ଲକ୍ଷ ଟନ୍ ଧାନ ସଂଗୃହୀତ ହେବାର ରହସ୍ୟ କ’ଣ ସତରେ ଅବୁଝା ? ପ୍ରତିବର୍ଷ ଧାନ ଓ ଚାଉଳର ରିସାଇକ୍ଲିଂ କରୁଥିବା ମିଲର ଓ ସାଧାରଣ ବଣ୍ଟନ ବ୍ୟବସ୍ଥାର ଅଧିକାରୀମାନଙ୍କ ମିଳିତ ଉଦ୍ୟମରେ ଏହା ନିୟମିତ ଦୁର୍ନୀତିର ଅନ୍ୟ ଏକ ଅଧ୍ୟାୟ ନୁହେଁ ତ’ ? ବାସ୍ତବରେ ଧାନ ସଂଗ୍ରହୀତ ହୋଇଛି ନା କେବଳ ଖାତାପତ୍ରରେ ପରିମାଣ ବଢ଼ାଇ ଦିଆଯାଇଛି ? ମିଲରଙ୍କୁ ଧାନ ଦିଆଗଲେ ସିନା ଦୁର୍ନୀତି ପାଇଁ ବାଟ ଫିଟିବ ? ସେମାନେ ଯେତେ ଅଧିକ ଧାନ ନେବେ ସରକାର ସେମାନଙ୍କୁ ସେତେ ଅଧିକ ପରିବହନ ଖର୍ଚ୍ଚ ଓ ମିଲିଂ ଖର୍ଚ୍ଚ ଦେବେ | ଏ ଖର୍ଚ୍ଚ କୋଟିରେ ହିସାବ ହୁଏ |

Share :