ପେଟ୍ରୋଲ କ’ଣ ଦ୍ରବ୍ୟ ନୁହେଁ?

ପେଟ୍ରୋଲ କ’ଣ ଦ୍ରବ୍ୟ ନୁହେଁ?

Share :

ଦେବେନ୍ଦ୍ର ପୃଷ୍ଟି ୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ଗୋଟିଏ ସ୍ଲୋଗାନ ଅତ୍ୟନ୍ତ ଲୋକପ୍ରିୟ ହୋଇଥିଲ। ସ୍ଲୋଗାନଟି ହେଉଛି, ‘ବହତ୍‌ ହୁଇ ମହଙ୍ଗାଇ କି ମାର୍‌, ଅବ୍‌ କି ବାର୍‌ ମୋଦୀ ସରକାର’। ସେତେବେଳେ ପରିସ୍ଥିତି ସେଇଆ ଥିଲା। ସାଧାରଣ ଲୋକଙ୍କ ପାଇଁ ଦରବୃଦ୍ଧି ଅସହ୍ୟ ବୋଧ ହେଉଥିଲା। ସେହି ସମୟରେ ଖାଦ୍ୟଦ୍ରବ୍ୟର ଦରବୃଦ୍ଧି ସହିତ ପେଟ୍ରୋଲ ଓ ଡିଜେଲ ଦର ମଧ୍ୟ ବହୁ ପରିମାଣରେ ବୃଦ୍ଧି ପାଇଥିଲା। ଏହାକୁ ସେତେବେଳେ ବିପକ୍ଷରେ ଥିବା ଭାରତୀୟ ଜନତା ପାର୍ଟିର ନେତାମାନେ ଏକ ସଫଳ ରାଜନୀତିକ ପ୍ରସଙ୍ଗରେ ପରିଣତ କରିଥିଲେ। ନିର୍ବାଚନ ସମୟରେ ଏହା କାମ ଦେଇଥିଲା। ଲୋକେ ସରକାର ବଦଳେଇ ଦେଲେ। ମାତ୍ର, ୬୦ ମାସରେ ୬୦ ବର୍ଷର ରୋଗ ଭଲ କରିବାର ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଥିବା ସରକାରଙ୍କ ଅମଳରେ ମଧ୍ୟ ‘ମହଙ୍ଗାଇ’ ବା ଦରବୃଦ୍ଧି ଏକ ପ୍ରସଙ୍ଗ ହୋଇ ରହିଛି। ସରକାର ଏହାର ସମାଧାନ କରିପାରି ନାହାନ୍ତି। ଇତିମଧ୍ୟରେ ଭାରତ ସରକାର ଆଳୁ, ପିଆଜ, ଡାଲି ଓ ଖାଇବା ତେଲକୁ ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରୁ ବାଦ ଦେବାରୁ ଏସବୁର ଦର ବଢ଼ି ଯାଇଛି। ଏହା ସହିତ ପେଟ୍ରୋଲ ଓ ଡିଜେଲ ଦର ମଧ୍ୟ। ଅନ୍ତର୍ଜାତୀୟ ବଜାରରେ ତୈଳ ଦର ଅନେକ କମ୍‌ ଥିଲେ ମଧ୍ୟ ଭାରତରେ ପେଟ୍ରୋଲ ଓ ଡିଜେଲ ଦର କମୁ ନାହିଁ। ବରଂ ବଢ଼ି ଚାଲିଛି। ଏହାର ପରୋକ୍ଷ ପ୍ରଭାବ ଖାଦ୍ୟଦ୍ରବ୍ୟ ଉପରେ ପଡ଼ୁଛି। ଏବଂ ଆଗକୁ ଆହୁରି ଅଧିକ ପଡ଼ିବାର ଆଶଙ୍କା ରହିଛି। କାରଣ ଆଗକୁ ଡିଜେଲ ଦରବୃଦ୍ଧିକୁ ଆଳ କରି ପରିବହନ କମ୍ପାନୀଗୁଡ଼ିକ ମଧ୍ୟ ମାଲ୍‌ଭଡ଼ା ବୃଦ୍ଧି କରିବାକୁ ଅଡ଼ି ବସିବାର ସଂକେତ ଦେଲେଣି। ସରକାର ଟ୍ରକ ଇତ୍ୟାଦିର ଭଡ଼ାବୃଦ୍ଧି ନକଲେ ଚକାବନ୍ଦ ଆନ୍ଦୋଳନ ବି ହୋଇପାରେ। ତାହାର ପ୍ରଭାବ ବି ବଜାର ଦର ଉପରେ ପଡ଼ିବ। ଉପା ସରକାର ସମୟରେ ପେଟ୍ରୋଲିୟମ ବା ଅଶୋଧିତ ତୈଳ ଦର ଅନ୍ତର୍ଜାତୀୟ ବଜାରରେ ବ୍ୟାରେଲ ପିଛା ସର୍ବାଧିକ ୧୨୮ ଡଲାରରେ ପହଂଚିଥିଲା। ତେବେ ୨୦୧୪ ନିର୍ବାଚନ ସମୟକୁ ତାହା ୯୮.୮୯ ଡଲାରକୁ ଖସି ଆସିଥିଲା। ସେହି ସମୟରେ ଦେଶରେ ପେଟ୍ରୋଲି ଦର ଲିଟର ପିଛା ୭୧ ଟଙ୍କା ଥିଲା। କେନ୍ଦ୍ରରେ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହେବା ପରେ ତାଙ୍କ କପାଳକୁ ଅନ୍ତର୍ଜାତୀୟ ବଜାରରେ ପେଟ୍ରୋଲିୟମ ଦର କ୍ରମାଗତ ଭାବେ ହ୍ରାସ ପାଇଲା। ବ୍ରେଣ୍ଟ ଦର ଅନୁସାରେ ୨୦୧୫ରେ ସର୍ବାଧିକ ୫୨.୩୨ ଡଲାର, ୨୦୧୬ରେ ୪୩.୭୪ ଡଲାର, ୨୦୧୭ରେ ୫୪.୧୫ ଡଲାର, ୨୦୧୮ରେ ୭୧.୧୯ ଡଲାର, ୨୦୧୯ରେ ୬୪.୩୭ ଡଲର ଏବଂ ୨୦୨୦ରେ ୩୮.୨ ଡଲାରକୁ ଖସିଛି। ୨୦୨୦ର ମେ ମାସ ମଧ୍ୟରେ ଅନ୍ତର୍ଜାତୀୟ ବଜାରରେ ଏମିତି ପରିସ୍ଥିତି ସୃଷ୍ଟି ହୋଇଥିଲା ଯେ ଅଶୋଧିତ ପେଟ୍ରୋଲିୟମ ଦର ବ୍ୟାରେଲ ପିଛା ୦ ଡଲାରକୁ ଖସିଥିଲା। ଏହା ସତ୍ତ୍ୱେ ଭାରତୀୟ ଖାଉଟୀଙ୍କ ପାଇଁ ଦର କମି ନଥିଲା। ବିଶ୍ୱ ବଜାରେ ପେଟ୍ରୋଲିୟମ ଦର ଶୂନ ହୋଇଯାଇଥିଲେ ମଧ୍ୟ ଭାରତରେ ପେଟ୍ରୋଲ ଦର କମିବା ପରିବର୍ତ୍ତେ ବୃଦ୍ଧି ପାଇଚାଲିଛି। ଏବେ ଏହା ଲିଟର ପିଛା ୮୦ ଟଙ୍କା। ବଜାରର ତଥ୍ୟ ଅନୁସାରେ ୨୦୧୪ରେ ବିଶ୍ୱ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୧୦୯ ଡଲାର ଥିଲାବେଳେ ଭାରତରେ ପେଟ୍ରୋଲ ଦର ଲିଟର ପିଛା ୭୧.୫୧ ଟଙ୍କା ଓ ଡିଜେଲ ଦର ୫୭.୨୮ ଟଙ୍କା ଥିଲା। ଅଥଚ ୨୦୨୦ ଜୁନ୍‌ ସୁଦ୍ଧା ବିଶ୍ୱ ବଜାରରେ ଅଶୋଧିତ ତୈଳ ଦର ବ୍ୟରେଲ ପିଛା ୩୮ ଡଲାର ଥିଲାବେଳେ ଭାରତରେ ଉଭୟ ପେଟ୍ରୋଲ ଓ ଡିଜେଲ ୮୦ ଟଙ୍କା ଛୁଇଁଛି। ଏହି ୬ ବର୍ଷ ମଧ୍ୟରେ କେବଳ ୨୦୧୫ ମସିହାରେ ଦୁଇ ତିନି ମାସ ପାଇଁ ପେଟ୍ରୋଲ ଦର ଲିଟର ପିଛା ୫୬-୬୫ ମଧ୍ୟରେ ସୀମିତ ଥିଲା। ବାକି ସମୟ ତକ ପେଟ୍ରୋଲ ଦର ୭୦ ଉପରେ ରହିଛି। ଏଭଳି ସ୍ଥିତି ନେଇ ସରକାରଙ୍କ ପକ୍ଷରୁ ଦିଆଯାଉଥିବା ଅନେକ ସଫେଇ ମଧ୍ୟରେ ଗୋଟିଏ କାରଣ ହେଉଛି ସରକାରଙ୍କ ହାତରେ ତୈଳ ଦର ନିୟୟନ୍ତ୍ରଣ କ୍ଷମତା ନାହିଁ। ତୈଳ କମ୍ପାନୀମାନେ ଏହା ନିର୍ଦ୍ଧାରଣ କରନ୍ତି। ତେବେ ଭାରତର ସମସ୍ତ ପ୍ରଧାନ ତୈଳ କମ୍ପାନୀ ହେଉଛନ୍ତି ଭାରତ ସରକାରଙ୍କ ନିୟନ୍ତ୍ରଣାଧୀନ। ଏହି ତୈଳ କମ୍ପାନୀଗୁଡ଼ିକ ତୈଳଦର ବୃଦ୍ଧିହ୍ରାସ ଘୋଷଣା କରୁଥିଲେ ମଧ୍ୟ ଏହା ପରେ ବଢ଼ି ଚାଲିଥିବା ଏକ୍ସାଇଜ୍‌ ଟିକସ ଭାରତ ସରକାର ଲାଗୁ କରିଥାନ୍ତି। ସେହିପରି ରାଜ୍ୟ ସରକାରଗୁଡ଼ିକ ଏହା ଉପରୁ ଭାଟ୍‌ ଆଦାୟ କରିଥାନ୍ତି। ଏହା ମଧ୍ୟ ନିୟମିତ ବ୍ୟବଧାନରେ ବଢ଼ି ଚାଲିଛି। ଏବେ ପ୍ରତି ଲିଟର ପେଟ୍ରୋଲ ଉପରୁ କେନ୍ଦ୍ର ସରକାର ପ୍ରାୟ ୩୨ ଟଙ୍କାର ଏକ୍ସାଇଟ୍‌ ଡ୍ୟୁଟି ଓ ରାଜ୍ୟ ସରକାର ୧୮ ଟଙ୍କାର ଭାଟ୍‌ ଆଦାୟ କରିଥାନ୍ତି। କେତେକ ରାଜ୍ୟରେ ଏକ ଲିଟର ପେଟ୍ରୋଲ ଉପରୁ ୨୫ ଟଙ୍କା ଯାଲଁ ଭାଟ୍‌ ଆଦାୟ କରିଥାନ୍ତି। ଡିଜେଲ ଉପରେ ପୂର୍ବରୁ ପେଟ୍ରୋଲଠାରୁ କମ୍‌ ଏକ୍ସାଇଜ୍‌ ଡ୍ୟୁଟି ଓ ଭାଟ୍‌ ଲାଗୁ ଲାଗୁ ହେଉଥିଲା। ଏବେ କିନ୍ତୁ ଏହା ପ୍ରାୟ ସମାନ ହୋଇଗଲାଣି। ୨୦୧୪ରେ ପେଟ୍ରୋଲ ଉପରେ ଏକ୍ସାଇଜ୍‌ ଡ୍ୟୁଟି ଥିଲା ଲିଟର ପ୍ରତି ୯.୪୮ ଟଙ୍କା ଓ ଡିଜେଲ ଉପରେ ୩.୫୬ ଟଙ୍କା। ଏବେ ଏହା ଯଥାକ୍ରମେ ୩୨.୦୦ ଟଙ୍କା ଓ ୩୧.୮୩ ଟଙ୍କା। ଭାରତରେ ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧିର ଅନ୍ୟ ଏକ କାରଣ ଦର୍ଶାଇଥାନ୍ତି ସରକାରୀ ପକ୍ଷ। ତାହା ହେଉଛି ଅନ୍ତର୍ଜାତୀୟ ବିନିମୟ ମୁଦ୍ରା ଡଲାର ତୁଳନାରେ ଭାରତୀୟ ବିନିମୟ ମୁଦ୍ର ଟଙ୍କାର ମୂଲ୍ୟହ୍ରାସ। ୨୦୧୪ ମସିହାରେ ୧ ଡଲାରର ବିନିମୟ ମୂଲ୍ୟ ୫୯.୪୪ ଟଙ୍କା ଥିଲାବେଳେ ତା’ପରଠାରୁ ଏହା କ୍ରମାଗତ ଭାବେ ବୃଦ୍ଧି ପାଇ ଏବେ ପ୍ରାୟ ୭୧ ଟଙ୍କାରେ ପହଞ୍ଚିଛି। ଅଶୋଧିତ ତୈଳ ଆମଦାନି ବାବଦରେ ଭାରତ ସରକାର ଡଲାର ପ୍ରଦାନ କରିଥାନ୍ତି। ତେଣୁ ଭାରତରେ ପେଟ୍ରୋଲ ଦର ଟଙ୍କା ଆକାରରେ ଅଧିକ ହୋଇଯାଏ। ତେବେ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ ନପାଇବା ବରଂ ବୃଦ୍ଧି ପାଇବାର ଦାୟିତ୍ୱ ହେଉଛି କେନ୍ଦ୍ର ସରକାରଙ୍କର। କେନ୍ଦ୍ର ସରକାର ଏମିତି ଅର୍ଥନୀତି ପ୍ରଚଳନ କରିବା ଦରକାର ଯାହା ଫଳରେ ଭାରତୀୟ ମୁଦ୍ରାର ମୂଲ୍ୟ ଓ ଗ୍ରହଣୀୟତା ଅନ୍ତର୍ଜାତୀୟ ବଜାରରେ ବୃଦ୍ଧି ପାଇବ। ତାହା ଏଯାଏଁ ହୋଇନାହିଁ। ଭାରତରେ ପେଟ୍ରୋଲ ଓ ଡିଜେଲ ଦର ଅସଙ୍ଗତିର ଅନ୍ୟ ଏକ କାରଣ ହେଉଛି, ଏହା ଏଯାଏଁ ଜିଏସଟି ବା ଦ୍ରବ୍ୟ ଓ ସେବା କର ପରିସରଭୁକ୍ତ ହୋଇନାହିଁ। କୌଣସି ରାଜ୍ୟ ସରକାର ତାହା ଦାବି କରିନାହାନ୍ତି କି କେନ୍ଦ୍ର ସରକାର ସେ ଦିଗରେ ନିଷ୍ପତ୍ତି ଗ୍ରହଣ କରିନାହାନ୍ତି। ୨୦୧୭ ଜୁଲାଇ ପହିଲାରେ ସମଗ୍ର ଦେଶରେ ଜିଏସଟି ଲାଗୁ ହେଲା। ସେତେବେଳେ ସରକାର କହିଲେ ଯେ ଏକ ଦେଶ, ଏକ ବଜାର, ଏକ ଟିକସ। କିନ୍ତୁ ବାସ୍ତବରେ ଏଯାଏଁ ଦେଶରେ ଏକ ଟିକସ ବ୍ୟବସ୍ଥା ଲାଗୁ ହୋଇନାହିଁ। ଏକେ ତ ଜିଏସଟିରେ ଏବେ ବି ୫ଟି ସ୍ଲାବ ବା ୫ ପ୍ରକାର ଟିକସ ହାର ରହିଛି, ଦୁତିଏ ପେଟ୍ରୋ ଉତ୍ପାଦଗୁଡ଼ିକ ଏଯାଏଁ ଜିଏସଟି ପରିସରଭୁକ୍ତ ହୋଇନାହିଁ। ଏହା ଉପରୁ ପୂର୍ବ ପରି ଏକ୍ସାଇଜ୍‌ ଡ୍ୟୁଟି, ଭାଟ୍‌ ଓ ବିଭିନ୍ନ ପ୍ରକାର ସେସ୍‌ ଓ ସରଚାର୍ଜ ଆଦାୟ ହେଉଛି। ଯଦି ସରକାର ପେଟ୍ରୋଲ ଓ ଡିଜେଲକୁ ଜିଏସଟି ପରିସରଭୁକ୍ତ କରନ୍ତେ ତେବେ ଏହାର ଉତ୍ପାଦନ ଖର୍ଚ୍ଚ ଉପରେ ସର୍ବାଧିକ ୨୮ ପ୍ରତିଶତ ଟିକସ ଲାଗୁ ହେବ। ବିଶ୍ୱ ବଜାରରୁ ବ୍ୟାରେଲ୍‌ ପିଛା ୩୮ ଡଲାରରେ ପେଟ୍ରୋଲିୟମ କିଣି ତାହାକୁ ବିଶୋଧିତ କରାଗଲା ପରେ ବଜାରକୁ ପେଟ୍ରୋଲ ଓ ଡିଜେଲ ଆଦି ଉତ୍ପାଦନ ବିକ୍ରି ପାଇଁ ଯାଏ। ବିଶୋଧନ ପରେ ପେଟ୍ରୋଲ ଉତପ୍‌ଦନ ଖର୍ଚ୍ଚ ଲିଟର ପିଛା ୩୦-୩୨ ଟଙ୍କା ହିସାବ ହୁଏ। ଏହା ଉପରେ ସର୍ବାଧିକ ଜିଏସଟି ୨୮ ପ୍ରତିଶତ ଲାଗୁ ହେଲେ ବିକ୍ରି ଦର ଲିଟର ପ୍ରତି ୪୦ ଟଙ୍କା ହେବ। ତାହା ଉପରେ ଡିଲର କମିଶନ ଓ ପରିବହନ ଖର୍ଚ୍ଚ ଯୋଡ଼ିଲେ ପେଟ୍ରୋଲ ଲିଟର ସର୍ବାଧିକ ୪୫ ଟଙ୍କାରେ ବିକ୍ରି ହୁଅନ୍ତା। କିନ୍ତୁ ଏବେ ଦର ହେଉଛି ୮୦ ଟଙ୍କା। ସରକାର କହିପାରନ୍ତି, ଏହା ଏକ ପ୍ରଦୂଷଣକାରୀ ପଦାର୍ଥ। ପୁଣି ଭାରତର ବିକାଶ ପାଇଁ ଅର୍ଥ ଦରକାର। ତେଣୁ ଏହି ପ୍ରଦୂଷଣକାରୀ ପଦାର୍ଥ ଉପରୁ ଅଧିକ ଟିକସ ଆଦାୟ କରାଯିବା ନ୍ୟାୟସଙ୍ଗତ। ଏ ଯୁକ୍ତିରେ ଦମ୍‌ ଅଛି। ତେବେ, ସତରେ ଏହି ଟଙ୍କାରେ ବିକାଶ ହେଉଛି ନା ରାଜନୀତି? ଏହି ଟିକସରେ ଦେଶର ଅର୍ଥନୀତି ସୁଦୃଢ଼ ହେଉଛି ନା ସରକାରୀ କର୍ମଚାରୀ ତୋଷଣ ଚାଲିଛି ତାହା ବି ଏକ ପ୍ରଶ୍ନ। ସପ୍ତମ ବେତନ କମିଶନ ସୁପାରିଶ ଲାଗୁ ହେବା କ’ଣ ଦେଶର ବିକାଶ? ସରକାରଙ୍କ କୋହଳ ବ୍ୟବସ୍ଥାର ସୁଯୋଗ ନେଇ ବହୁ ବଡ଼ ବଡ଼ କମ୍ପାନୀ ଲକ୍ଷ ଲକ୍ଷ କୋଟି ଟଙ୍କାର ଟିକସ ଓ ଋଣ ଅର୍ଥ ଫାଙ୍କି ଦେଉଛନ୍ତି। ତାହା ଆଦାୟ କରା ନଯାଇ ପେଟ୍ରୋଲ ଓ ଡିଜେଲ ଉପରେ ଟିକସ ବୃଦ୍ଧି କରିବା ଶୋଷଣ ପର୍ଯ୍ୟାୟଭୁକ୍ତ ହୋଇପାରେ। ସରକାର ଏହା ବିଚାର କରିବା ଦରକାର।

Share :