ବୁଦ୍ଧି ବନ୍ଦରୁ ତାଲା ବନ୍ଦ!

ବୁଦ୍ଧି ବନ୍ଦରୁ ତାଲା ବନ୍ଦ!

Share :

ଦେବେନ୍ଦ୍ର ପୃଷ୍ଟି କଥାଟିଏ କହୁଁ, କଥାଟିଏ କହୁଁ। କିସ କଥା ? ବେଙ୍ଗୁଲି କଥ॥ କି ବେଙ୍ଗୁଲି ? କାଠ ବେଙ୍ଗୁଲି କି କାଠ ? ଘଣା କାଠ କି ଘଣା ? ଆଖୁ ଘଣା କି ଆଖୁ ? କନ୍ତାରି ଆଖୁ କି କନ୍ତାରି ? ବୁଢ଼ୀ ମେନ୍ତାରୀ କି ବୁଢ଼ୀ ? ଧୋକଡ଼ ବୁଢ଼ୀ କି ଧୋକଡ଼ ? ପାତିମାଙ୍କଡ଼ କି ପାତି ? ରଜାଙ୍କ ପାତି କି ରଜା ? ଖଣ୍ଡ ଖଜା କି ଖଣ୍ଡ ? ମିରିଗ ମୁଣ୍ଡ କି ମିରିଗ ? ଝାଡ଼ ମିରିଗ କି ଝାଡ଼ ? କଣ୍ଟା ବାଡ଼ କି କଣ୍ଟା ? କାନକୋଳି କଣ୍ଟା ଲୁଗାରେ ଲାଗେ ଝଟାପଟା । ଅଧିକ ଦିନ ହୋଇନି। ମାତ୍ର ଦୁଇ ଦିନ ତଳର କଥା। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ କହିଲେ, ଆଗରୁ ଯେମିତି ଅନେକ ଜୀବାଣୁ ଓ ଭୂତାଣୁ ସହିତ ଆମେମାନେ ରହି ଆସିଛନ୍ତି ଠିକ ସେମିତି ଏ କରୋନା ଭୂତାଣୁ ସହିତ ବି ଆମକୁ ସବୁ ଦିନ ପାଇଁ ରହିବାକୁ ପଡ଼ିପାରେ। ସମାନ କଥା କହୁଛନ୍ତି ଓଡ଼ିଶା ସରକାରଙ୍କ କରୋନା ଯୁଦ୍ଧର ବୈଷୟିକ ମୁଖପାତ୍ର ଡାକ୍ତର ଜୟନ୍ତ ପଣ୍ଡା। ହର୍ଡ ଇମ୍ୟୁନିଟି ବିକାଶ କରିବାକୁ ହେବ। ଯେତେ ଅଧିକ ଲୋକଙ୍କୁ ଭୂତାଣୁ ସଂକ୍ରମଣ ହେବ ସେତେ ଅଧିକ ଲୋକଙ୍କ ଦେହରେ ଆଣ୍ଟିବଡ଼ି ଶକ୍ତିଶାଳୀ ହେବ। ତାହା ସେମାନଙ୍କ କରୋନା ଭୂତାଣୁ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବ। ଓଡ଼ିଶା ଆରଏମଆରି ମୁଖ୍ୟ ଡକ୍ଟର ସଂଘମିତ୍ରା ପତି ମଧ୍ୟ ସମାନ ପ୍ରକାର କଥା କହୁଛନ୍ତି। କରୋନା ଭୂତାଣୁ ଥିଲା ଓ ରହିବ। ଠିକ କଥା। ଏମାନେ ସମସ୍ତେ ଡାକ୍ତର। ଏମାନଙ୍କ କଥାକୁ ବିଶ୍ୱାସ କରାଯାଇ ପାରେ। କିନ୍ତୁ ସେମାନେ ଏକଥା ଆଗରୁ କାହିଁକି କହୁ ନଥିଲେ? ସେମାନଙ୍କ ସହ ଏ ବିଷୟରେ କେହି ପରାମର୍ଶ କରିନଥିଲେ ନା କ’ଣ? ଡକ୍ଟର ହର୍ଷ ବର୍ଦ୍ଧନ ବହୁ ବର୍ଷ ତଳୁ ଡାକ୍ତରୀକୁ ପାର୍ଟଟାଇମ ଓ ପଲିଟିକ୍ସକୁ ଫୁଲ୍‌ ଟାଇମ୍‌ ସେବା ଭାବେ ଗ୍ରହଣ କରି ନେଇଛନ୍ତି। ତେଣୁ ତାଙ୍କର ଆଉ ପୁରୁଣା ପାଠ ମନେ ପଡ଼ୁନଥିବ। କିନ୍ତୁ ତାଙ୍କ ବ୍ୟତିତ ଦେଶରେ ତ ଆହୁରି ବହୁ ଖ୍ୟାତନାମା ସ୍ୱାସ୍ଥ୍ୟ ବିଶେଷଜ୍ଞ ଅଛନ୍ତି! ଇମ୍ୟୁନୋଲୋଜିଷ୍ଟ ବା ରୋଗ ପ୍ରତିରୋଧକ ଶକ୍ତି ବିଶେଷଜ୍ଞ, ଭାଇରୋଲୋଜିଷ୍ଟ ବା ଭୂତାଣୁ ସଂକ୍ରମଣ ବିଶେଷଜ୍ଞ, ଏପିଡେମିଲୋଜିଷ୍ଟ ବା ସଂକ୍ରାମକ ରୋଗ ବିଶେଷଜ୍ଞ, ଛାତି ରୋଗ ବିଶେଷଜ୍ଞ, ଫୁସ୍‌ଫୁସ୍‌ ରୋଗ ବିଶେଷଜ୍ଞ...ଏମତି ବହୁ ପ୍ରକାର ବିଶେଷଜ୍ଞ। ସେହିପରି ସାମାଜିକ ଓ ଆର୍ଥନୀତିକ କ୍ଷେତ୍ରରେ ମଧ୍ୟ ବହୁ ବିଶେଷଜ୍ଞ ରହିଛନ୍ତି। ଚିକିତ୍ସା ବିଜ୍ଞାନ, ସମାଜ ବିଜ୍ଞାନ ଓ ଅର୍ଥଶାସ୍ତ୍ରରେ ଭାରତର ବହୁ ଗବେଷକ ବିଶ୍ୱ ସ୍ତରୀୟ ପ୍ରତିଷ୍ଠା ଅର୍ଜନ କରିଛନ୍ତି। ମୂଳରୁ ସେମାନଙ୍କ ସହ ପରାମର୍ଶ କରାଯାଇଥିଲେ ପରିସ୍ଥିତି ଆଜି ଭିନ୍ନ ହୋଇଥାନ୍ତା। ହୁଏତ ଏମିତି ଏକ ଭୂତାଣୁକୁ ଡରି ଦେଶ ସାରା ତାଲାବନ୍ଦ କରିବାକୁ ପଡ଼ି ନଥାନ୍ତା। କରୋନା ବିରୋଧରେ ଲଢ଼ିବାକୁ ଯଥେଷ୍ଟ ପାଣ୍ଠି ନଥିବାବେଳେ ତାଲାବନ୍ଦ ଜନିତ ସମସ୍ୟା ମୁକାବିଲା କରିବାରେ ଲକ୍ଷଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେଲା। ଏ ଖର୍ଚ୍ଚ ସତ୍ତ୍ୱେ ବି ଲୋକଙ୍କ ଦୁଃଖ ଦୂର ହେଲା ନାହିଁ। ବରଂ ବଢ଼ିଲା। ସମସ୍ୟା ବଢ଼ିବା ପରେ ଏବେ ସରକାର କହୁଛନ୍ତି ଭୂତାଣୁ ସହ ରହିବାକୁ ହେବ! ଏ ତ ଗଲା ଭାରତ ସରକାରଙ୍କ କଥା। ଏଠି ଆମ ଓଡ଼ିଶାରେ ବି ସେଇ କଥା। ଆମ ମୁଖ୍ୟମନ୍ତ୍ରୀ ସବୁବେଳେ ସବୁ କଥାରେ ନାଁ ନେବାକୁ ଆଗଭର। ଆଗଚଲା ଭଳି ସେ ହିଁ ଭାରତବର୍ଷରେ ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ କରୋନା ବିରୋଧରେ ତାଲାବନ୍ଦ ଘୋଷଣା କରିଥିଲେ। ତାଙ୍କ ଲୋକମାନେ କହିଲେ ନବୀନବାବୁଙ୍କଠାରୁ ଶିଖି ନରେନ୍ଦ୍ରବାବୁ ସାରା ଭାରତରେ ତାଲାବନ୍ଦ ଲାଗୁ କଲେ। ହେଲା ଯେ ତେବେ ତାଲାବନ୍ଦ କ’ଣ ନିହାତି ଦରକାର ଥିଲା? ଦରକାର ଥିଲା ଯଦି ଏବେ ଉଠିବ କାହିଁକି? କରୋନା ଭୂତାଣୁ ବଂଶ କ’ଣ ଲୋପ ପାଇଲାଣି କି? କହୁଥିଲେ ପରା ଏ ଯୁଦ୍ଧରେ ଆମର ବିଜୟ ସୁନିଶ୍ଚିତ। କରୋନା ହାରିବ, ମଣିଷ ଜିତିବ! କରୋନା ତ ହାରିନାହିଁ, ବରଂ ଆମେ ତା’ ସହିତ ସନ୍ଧି କରିବାକୁ ବସିଲୁଣି! ଏବେ ଶାନ୍ତିପୂର୍ଣ୍ଣ ସହାବସ୍ଥାନର ବାଟ ବାହାର କରୁଛୁ। ଆମ ନବୀନବାବୁଙ୍କ ସରକାର ସ୍ୱାସ୍ଥ୍ୟ ବିଷୟରେ ପରାମର୍ଶ ଦେବାକୁ ୨୦୧୭ ମସିହାରେ ଦେଶର ଜଣେ ଯଶସ୍ୱୀ ସଂକ୍ରାମକ ରୋଗ ବିଶେଷଜ୍ଞ ଡାକ୍ତର କେ. ଶ୍ରୀନାଥ ରେଡ୍‌ଡିଙ୍କୁ ଉପଦେଷ୍ଟା ଭାବେ ନିଯୁକ୍ତ କରିଥିଲେ। ତାଙ୍କୁ କ୍ୟାବିନେଟ ପାହ୍ୟା ଦିଆଯାଇଥିଲା। କିନ୍ତୁ ୨୦୨୦ କରୋନା ଭୂତାଣୁ ସଂକ୍ରମଣର ମୁକାବିଲା ନେଇ ତାଙ୍କ ସହିତ ସରକାର ଆରମ୍ଭରୁ ପରାମର୍ଶ କରିନଥିଲେ। ଏକଥା ସୋଶାଲ ମିଡିଆ ଓ ମୁଖ୍ୟ ମିଡିଆରେ ଚର୍ଚ୍ଚା ହେବାରୁ ମେ ମାସ ପ୍ରାରମ୍ଭରେ ମୁଖ୍ୟମନ୍ତ୍ରୀ ତାଙ୍କ ସହ ଭିଡ଼ିସ କନ୍‌ଫରେନ୍ସ କଲେ। ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ତାଲାବନ୍ଦ ଘୋଷଣା ହୋଇଥିଲା ମାର୍ଚ୍ଚ ୨୨ ତାରିଖରେ, ୫ ଜିଲ୍ଲାରେ। କରୋନା ଭୂତାଣୁ ସଂକ୍ରମଣ ଏକ ସ୍ୱାସ୍ଥ୍ୟ ପ୍ରସଙ୍ଗ। ଏହା ବିରୋଧରେ ଯୁଦ୍ଧ କଲେ କରୁଛନ୍ତି ଡାକ୍ତର, ନର୍ସ ଓ ଅନ୍ୟ ଡାକ୍ତରୀ ଷ୍ଟାଫ୍‌। ସ୍ୱାଭାବିକ ଭାବେ ଏଇ ଯୁଦ୍ଧରେ ସେମାନଙ୍କର ସେନାପତି ହେବା କଥା ଜଣେ ବରିଷ୍ଠ ଡାକ୍ତର କିମ୍ବା ଅଭିଜ୍ଞ ଚିକିତ୍ସା ବିଜ୍ଞାନୀ। କିନ୍ତୁ ହେଲେ କିଏ? ରାଷ୍ଟ୍ର ସ୍ତରରେ ପ୍ରଧାନମନ୍ତ୍ରୀ ଓ ରାଜ୍ୟ ସ୍ତରରେ ମୁଖ୍ୟମନ୍ତ୍ରୀ। ଏଇମାନେ ହିଁ ଘୋଷଣା କଲେ ତାଲାବନ୍ଦ। ତାଲାବନ୍ଦ ଘୋଷଣା କରିବା ପଛରେ ଅବଶ୍ୟ ସେମାନଙ୍କର ମନ୍ଦ ଉଦ୍ଦେଶ୍ୟ ନଥିଲା। ସେମାନେ ଭାବିଥିଲେ ତାଲାବନ୍ଦ କରି, ଲୋକମାନଙ୍କୁ ନିଜନିଜ ଘରେ ଆବଦ୍ଧ ରଖି ଭୂତାଣୁ ସଂକ୍ରମଣ ରୋକିହେବ। ସେହି ସମୟ ଭିତରେ କରୋନାକ୍ରାନ୍ତଙ୍କ ଚିକିତ୍ସା ନିମନ୍ତେ ଦେଶ ପ୍ରସ୍ତୁତ ହୋଇଯିବ। ମାତ୍ର, ଦେଖାଗଲା, କରୋନା-କ୍ଷତିଠାରୁ ତାଲାବନ୍ଦ-କ୍ଷତି ବୁକେଇଗଲା। ତେଣୁ ଜାନ୍‌ ହୈ ଜାହାନ ହୈ କଥା ଜାନ୍‌ ଭି ଜାହାନ୍‌ ଭି ରେ ବଦଳିଲା। ପ୍ରଥମ ୨୧ ଦିନର ତାଲାବନ୍ଦ ପରେ ତାଲାବନ୍ଦ-୨ ଘୋଷଣା ହେଲା ସିନେ ଗୁଡ଼େ କଟକଣା କୋହଳ ହେଲା। ଏବେ ତାଲାବନ୍ଦ ଥିଲେ ବି ଭିତରେ ସବୁ ଖୋଲିଲାଣି। ବଡ଼ ବଡ଼ କମ୍ପାନୀଙ୍କ କଳକାରଖାନା ତ ମୂଳରୁ ଚାଲିଥିଲା- ଖଣି ବନ୍ଦ ନଥିଲା, ଇସ୍ପାତ ଓ ଆଲୁମିନିୟମ ଶିଳ୍ପ ବନ୍ଦ ନଥିଲା, ତାପଜ ବିଦ୍ୟୁତ କାରଖାନା ବନ୍ଦ ନଥିଲା। ପେଟ୍ରୋଲିୟମ ଖଣି ଓ କାରଖାନା ବନ୍ଦ ନଥିଲା। ବନ୍ଦର ବନ୍ଦ ନଥିଲା। ବନ୍ଦ ଥିଲେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ। ବନ୍ଦ ଥିଲା କେବଳ ବଜାର। ଧୀରେ ଧୀରେ ବଜାର ବି ଖୋଲିଲା। ମଲ୍‌ ଓ ମାର୍କେଟ କଂପ୍ଲେକ୍ସକୁ ଛାଡ଼ି ଅନ୍ୟ ସବୁ ଦୋକାନା ଖୋଲିଲେ। ଏପ୍ରିଲ ୧୨ ତାରିଖରୁ ରେଳ ଓ ୧୫ ତାରିଖରୁ ବିମାନ ବି ଚାଲୁଛି। ଏଯାଏଁ ବନ୍ଦ ରହିଛି କେବଳ ଉଠା ଦୋକାନ, ଗରୀବ ଲୋକଙ୍କ ସ୍ୱଳ୍ପ ରୋଜଗାରର ଅସ୍ଥାୟୀ ସାଧନ। ତାଲାବନ୍ଦ ଭିତରେ କରୋନା ଭୂତାଣୁ ପେଷିହେଇ ମଲା ନାହିଁ। ପେଷି ହେଲେ ଶ୍ରମିକ, କୃଷକ, କାରିଗର, ଛୋଟ ଦୋକାନୀ। ଆଜି ଅର୍ଥାତ ୨୦୨୦ ମେ ୧୧ ତାରିଖ ପୂର୍ବାହ୍ନ ୧୧ଟା ସୁଦ୍ଧା ଦେଶରେ କରୋନାକ୍ରାନ୍ତଙ୍କ ସଂଖ୍ୟା ୬୭,୨୫୯ରେ ପହଂଚିଛି। ସେମାନଙ୍କ ମଧ୍ୟରୁ ଭଲ ହେଲେଣି ୨୦,୯୬୯, ମରିଛନ୍ତି ମାତ୍ର ୨,୨୧୨। କିନ୍ତୁ ଦେଶରେ ନିଯୁକ୍ତି ହରେଇଲେଣି ପ୍ରାୟ ୨୦ କୋଟି। ସେମାନେ ବେକାର। ସେମାନଙ୍କର ଜୀବନ ଓ ଜୀବିକା କରୋନାକ୍ରାନ୍ତ! ସେହିପରି ଓଡ଼ିଶାରେ କରୋନା ପଜିଟିଭ ସଂଖ୍ୟା ଆଜି ସକାଳ ସୁଦ୍ଧା ୩୯୧, ସୁସ୍ଥ ହେବା ସଂଖ୍ୟା ୬୮ ଓ ମୃତ୍ୟୁସଂଖ୍ୟା ୩ରେ ପହଂଚିଛି। କିନ୍ତୁ ରାଜ୍ୟ ଭିତରେ ପ୍ରାୟ ୧୨ ଲକ୍ଷ ଓଡ଼ିଆ ଛୋଟ ବ୍ୟବସାୟୀଙ୍କ ଦୋକାନ ବନ୍ଦ, ରାଜ୍ୟ ବାହାରେ ଦହଗଞ୍ଜ ହେଉଛନ୍ତି ଆଉ ୧୨ ଲକ୍ଷ ଓଡ଼ିଆ ଦେଶାନ୍ତରୀ ଶ୍ରମିକ। ଏମାନେ ସମସ୍ତେ ସହୁଛନ୍ତି ତାଲାବନ୍ଦର ଦୁର୍ବିସହ ପୀଡ଼ା। କରୋନା ସଂକ୍ରମଣର ପୀଡ଼ା ବି ଏତେ କଷ୍ଟକର ନୁହେଁ। ଏହା ଏକ ସାଧାରଣ ସର୍ଦ୍ଦି ପରି ରୋଗ। ଅନେକ ସମୟରେ ଭୂତାଣୁ ଦେହରେ ଥିଲେ ବି ରୋଗ ହେଉନାହିଁ। ତଥାପି ଆମେ ତାକୁ ଡରି ଦେଶରେ ତାଲା ପକେଇଛୁ। ଠିକ ଶିବଙ୍କ ଶନି ଦଶା ପରି। ଶିବଙ୍କୁ ଥରେ ଶନିଦଶା ପଡ଼ିଲା। ଏକଥା ନାରଦ କେଉଁଠୁ ଶୁଣି ଶିବଙ୍କୁ ଖବର ଦେଲେ। କହିଲେ, ଶନି ଆପଣଙ୍କର ଏସା କରିବ ତେସା କରିବ। ଶିବ ହସିଲେ, କହିଲେ ଶନି କ’ଣ ମୋ ଶକ୍ତି ବିଷୟର ଜାଣିନାହିଁ! ମୁଁ ମହେଶ୍ୱର। ମୋର ସିଏ କ’ଣ କରିବ! ଏହା କହି ଶିବ ଅନ୍ତର୍ଦ୍ଧାନ ହୋଇଗଲେ ଓ ସାତ ତାଳ ପାଣି ତଳେ ସାତ ତାଳ ପଙ୍କ ତଳେ ଯାଇଁ ଆତ୍ମଗୋପନ କଲେ, ଠିକ ଆଜିର ଗୃହାବଦ୍ଧ ହେବା ଭଳି। କେଇ ଦିନ ପରେ ଶନି ଚଳନ ଶେଷ ହେବା ପରେ ଶିବ ସେଠୁ ବାହାରି ନାରଦଙ୍କୁ କହିଲେ, ଦେଖିଲୁ, ଶନି ମୋର କିଛି କରିପାରିଲା ନାହିଁ। ମୁଁ ଯେମିତି ଥିଲି ସେମିତି ଅଛି! ନାରଦ କହିଲେ, ଆଉ କ’ଣ କରିଥାନ୍ତା! ଆପଣଙ୍କ ଭଳି ମହାଯୋଗୀଙ୍କୁ ଶନି ଡରରେ ଏତେ ଦିନ ଯାଏଁ ଲୁଚିବାକୁ ପଡ଼ିଲା! ୟା’ଠାରୁ ଅଧିକ ବଡ଼ ଦଶା ଆଉ କ’ଣ ହେଇଥାନ୍ତା? ମୋ କଥାଟି ସଇଲା, ଫୁଲ ଗଛଟି ମଇଲା! (ସୌ- ଓଡ଼ିଶା ରିପୋର୍ଟର)

Share :