ସଙ୍ଘ, ସଙ୍ଘାତ, ସଙ୍ଘର୍ଷ

ସଙ୍ଘ, ସଙ୍ଘାତ, ସଙ୍ଘର୍ଷ

ଦେବେନ୍ଦ୍ର ପୃଷ୍ଟି ଭାରତୀୟ ସମ୍ବିଧାନର ପ୍ରଥମ ଧାରା କହେ, ଇଣ୍ଡିଆ ଦ୍ୟାଟ୍‌ ଇଜ୍‌ ଭାରତ ଶାଲ୍‌ ବି ଏ ୟୁନିଅନ୍‌ ଅଫ୍‌ ଷ୍ଟେଟ୍‌ସ। ଓଡ଼ିଆରେ ଏହାର ଅର୍ଥ ହେଉଛି ରାଜ୍ୟଗୁଡ଼ିକର ସଙ୍ଘ ହେବ ଭାରତ। ସମ୍ବିଧାନର ଅନ୍ୟ ବହୁ ଧାରାରେ ରହିଥିବା ବ୍ୟବସ୍ଥା ମଧ୍ୟ ଏହି କଥା କହେ। ଭାରତ ହେଉଛି ରାଜ୍ୟଗୁଡ଼ିକୁ ନେଇ ଗଠିତ ଏକ ସଙ୍ଘ। ଭାରତର ସାମ୍ବିଧାନିକ ଗଣତନ୍ତ୍ରରେ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସଂପର୍କ, ସମନ୍ୱୟ ଓ ସଂହତି ସ୍ଥାପନ ପାଇଁ ଏହି ସମ୍ବିଧାନରେ ବାସ୍ତବବାଦୀ ବ୍ୟବସ୍ଥା କରାଯାଇଛି। କେନ୍ଦ୍ର ଓ ରାଜ୍ୟ ସରକାରଗୁଡ଼ିକ ମଧ୍ୟରେ କ୍ଷମତାର ଆବଣ୍ଟନ କରାଯାଇଛି। କେନ୍ଦ୍ର ତାଲିକା, ରାଜ୍ୟ ତାଲିକା ଓ ସମବର୍ତ୍ତୀ ବା ସହଗାମୀ ତାଲିକାରେ କେନ୍ଦ୍ର ଓ ରାଜ୍ୟ ସରକାର କି କି କ୍ଷମତା ହାସଲ କରିବେ ତାହାର ବିସ୍ତୃତ ତାଲିକା ପ୍ରଦାନ କରାଯାଇଛି। ଏସବୁ ତାଲିକା ଓ ସମ୍ବିଧାନର ଅନ୍ୟାନ୍ୟ ଅନେକ ଧାରାରେ ଉଲ୍ଲିଖିତ ବ୍ୟବସ୍ଥା ଅନୁସାରେ ରାଜ୍ୟ ବିଷୟଗୁଡ଼ିକରେ ରାଜ୍ୟ ସରକାର ଆଇନ ଓ ଯୋଜନା ଇତ୍ୟାଦି ପ୍ରଣୟନ କରିବେ। କେନ୍ଦ୍ର ବା ସଙ୍ଘ ତାଲିକାରେ ଥିବା ବିଷୟରେ କେନ୍ଦ୍ର ସରକାର ଆଇନ ଓ ଯୋଜନା ପ୍ରଣୟନ କରିବ। ତେବେ କନ୍‌କରେଣ୍ଟ ଲିଷ୍ଟ ବା ସମବର୍ତ୍ତୀ ତାଲିକାରେ ରହିଥିବା ବିଷୟଗୁଡ଼ିକରେ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି କାଏମ ରହିବ। ସମ୍ବିଧାନ ପ୍ରଣେତାମାନେ ରାଜ୍ୟଗୁଡ଼ିକୁ ସ୍ୱତନ୍ତ୍ରତା ପ୍ରଦାନ କରିଥିଲେ ମଧ୍ୟ ଭାରତକୁ ଏକ ରାଷ୍ଟ୍ର ଭାବେ ଗଢ଼ିବା ପାଇଁ କେନ୍ଦ୍ର ସରକାରଙ୍କୁ ଅଧିକ କ୍ଷମତା ପ୍ରଦାନ କରିଛନ୍ତି। ଏହା ବିନା ଭାରତ ଏକ ରାଷ୍ଟ୍ର ନୁହେଁ। ଏହା ମୂଳତଃ ଏକ ବିବିଧ ଭାଷା, ସଂସ୍କୃତି, ଧର୍ମ ଓ ଜାତିକୁ ନେଇ ଗଠିତ ଅନେକ ରାଜ୍ୟର ଏକ ମହାସଙ୍ଘ। ଇଂରାଜୀରେ ଏହାକୁ ଫେଡ଼େରେସନ କୁହାଯାଉଥିଲେ ହେଁ ବାସ୍ତବରେ ଏହା ହେଉଛି ଏକ କନ୍‌ଫେଡ଼େରେସନ। ପ୍ରାଚୀନ କାଳରୁ ଭାରତ ଏହିପରି ଏକ କନ୍‌ଫେଡ଼େରେସନ ବା ମହାସଙ୍ଘ ଥିଲା। ତେଣୁ ଏହାର ଲୋକପ୍ରିୟ ନାମ ହେଉଛି ଭାରତବର୍ଷ, ଖାଲି ଭାରତ ନୁହେଁ। ଭାରତବର୍ଷର ସଦସ୍ୟ ରାଜ୍ୟଗୁଡ଼ିକୁ ସେତେବେଳେ ରାଜ୍ୟ ନୁହେଁ ଦେଶ ଭାବେ ଗ୍ରହଣ କରାଯାଉଥିଲା। ଓଡ଼ିଶାର ପ୍ରାଚୀନ ନାମ ଉତ୍କଳକୁ ଏକ ଦେଶ ଭାବେ କେତେକ ପୁରାଣରେ ବର୍ଣ୍ଣନା କରାଯାଇଛି। ଓଡ଼ିଶାରେ ସଂସ୍କୃତର ଏକ ବହୁ ପ୍ରଚଳିତ ଶ୍ଳୋକାଂଶ ହେଲା, ‘ଉତ୍କଳସ୍ୟ ସମ ଦେଶ ଦେଶ ନାସ୍ତି ମହୀତଳେ’। ଏଠାରେ ଉତ୍କଳକୁ ଦେଶ ଭାବେ ଗ୍ରହଣ କରାଯାଇଛି। କିନ୍ତୁ ଭାରତର ସ୍ୱାଧୀନତା ସଂଗ୍ରାମୀମାନେ ସମଗ୍ର ଭାରତକୁ ଏକ ଦେଶ ଭାବେ ଗ୍ରହଣ କରିଥିଲେ। ସେମାନେ ଭାରତର ସ୍ୱାଧୀନତା ପାଇଁ ଲଢ଼େଇ କରିଥିଲେ। ସ୍ୱାଧୀନତା ପରେ ମଧ୍ୟ ସେମାନେ ଭାରତକୁ ଏକ ରାଷ୍ଟ୍ର ଭାବେ ସୁଦୃଢ଼ କରିବା ପାଇଁ ସାମ୍ବିଧାନିକ ବ୍ୟବସ୍ଥା କରିଥିଲେ। ଏହି ବ୍ୟବସ୍ଥାରେ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସଂପର୍କ ଓ ସଂହତି ରକ୍ଷା କରିବାକୁ ବିଭିନ୍ନ ସର୍ତ୍ତ ଓ ସୂତ୍ର ସ୍ଥିର କରାଯାଇଛି। ଏହାକୁ ମାନି କେନ୍ଦ୍ର ଓ ରାଜ୍ୟ ସରକାର ଚଳିବା ଦରକାର। ନହେଲେ କେନ୍ଦ୍ର-ରାଜ୍ୟ ସଂପର୍କ ଦୁର୍ବଳ ହେବ। ରାଜ୍ୟ ଉପରେ କେନ୍ଦ୍ର ଭାରି ପଡ଼ିବ। ରାଜ୍ୟଗୁଡ଼ିକର ସ୍ୱତନ୍ତ୍ରତା ଲୋପ ପାଇଲେ କେତେବେଳେ ଟାଣୁଆ ରାଜ୍ୟ ନେତାମାନେ ବିଦ୍ରୋହ କରିପାରନ୍ତି। ଆଞ୍ଚଳିକ ଭାବାବେଗକୁ ଭିତ୍ତି କରି କେନ୍ଦ୍ରରୁ ଅଲଗା ହେବା ପାଇଁ ଦାବି ଉଠିପାରେ। କେନ୍ଦ୍ର ଓ ରାଜ୍ୟର ରାଜନୀତିକ ସଙ୍ଘାତ ସଂଘର୍ଷରେ ପରିଣତ ହେଲେ ଭାରତୀୟ ମହାସଙ୍ଘ ବା ଭାରତବର୍ଷର ଏକତା ଓ ସଂହତି ଦୁର୍ବଳ ହେବାର ଆଶଙ୍କା ରହିଛି। ଜାମ୍ମୁକାଶ୍ମୀର ଓ ଉତ୍ତରପୂର୍ବାଞ୍ଚଳରେ ରହିଥିବା ବିଚ୍ଛିନ୍ନତାବାଦୀ ଶକ୍ତିଗୁଡ଼ିକ ଏହି ଲକ୍ଷ୍ୟ ଓ ଉଦ୍ଦେଶ୍ୟ ନେଇ କାର୍ଯ୍ୟ କରୁଛନ୍ତି। ଅନେକ ସ୍ଥଳେ ଆଞ୍ଚଳିକ ସ୍ୱାଭିମାନ ପ୍ରତିଷ୍ଠା ପାଇଁ କେତେକ ରାଜ୍ୟ କେନ୍ଦ୍ରଠାରୁ ଅଧିକ କ୍ଷମତା ହାସଲ କରିବାକୁ ଦାବି କରିଛନ୍ତି। କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଲାଗି ରହିଥିବା କ୍ଷମତା କନ୍ଦଳର ସମାଧାନ କରିବା ପାଇଁ ବିଭିନ୍ନ ସମୟରେ କେନ୍ଦ୍ର ସରକାର ବିଭିନ୍ନ କମିଶନ ଗଠନ କରିଛନ୍ତି। ୧୯୮୩ ମସିହାର ଗଠିତ ହୋଇଥିବା ସରକାରିଆ କମିଶନ ଏ ନେଇ ବହୁ ସୁପାରିଶ କରିଥିଲେ। ଏହା ପରେ ଗଠନ କରାଯାଇଥିଲା ଜାତୀୟ ସମ୍ବିଧାନ କାର୍ଯ୍ୟକାରିତା ସମୀକ୍ଷା କମିଶନ। ଏହି କମିଶନର ଅନେକ ସୁପାରିଶ ସରକାରିଆ କମିଶନଙ୍କ ସୁପାରିଶ ସହିତ ମେଳଖାଏ। ୨୦୦୭ ମସିହାରେ ମଧ୍ୟ କେନ୍ଦ୍ର-ରାଜ୍ୟ ସଂପର୍କ ନିର୍ଦ୍ଧାରଣ କରିବାକୁ ପୁଞ୍ଚି କମିଶନ ବସିଥିଲା। ଏସବୁ କମିଶନଙ୍କ ସୁପାରିଶ ସତ୍ତ୍ୱେ ଭାରତବର୍ଷରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଏଯାଏଁ ସଂହତି ଓ ସମନ୍ୱୟ ବ୍ୟବସ୍ଥା ସୁଦୃଢ଼ ହୋଇନାହିଁ। ଏବେ ବି ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ବିବାଦ ଓ ବିତର୍କ ଚାଲିଛି। ଅବଶ୍ୟ ଏଭଳି ଅନେକ ବିବାଦ ପଛରେ ରହିଛି ତୁଚ୍ଛା ଦଳୀୟ ରାଜନୀତି। କେନ୍ଦ୍ର ଓ ରାଜ୍ୟରେ ଅଲଗା ଅଲଗା ଦଳର ସରକାର ନିର୍ବାଚିତ ହେଲେ ଦଳୀୟ ରାଜନୀତିକ ସ୍ୱାର୍ଥ ପାଇଁ ଏଭଳି ବିବାଦ ଜନ୍ମ ନେଉଛି। ସେଥିପାଇଁ ଏଭଳି ସମ୍ଭାବନା ଲୋପ କରିବାକୁ ୨୦୧୯ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଡବଲ୍‌ ଇଞ୍ଜିନ୍‌’ ସରକାର କଥା ଉଠାଇଥିଲେ। ତେବେ ଏହି ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ତାଙ୍କ ପ୍ରଥମ ଦଫା କାର୍ଯ୍ୟକାଳ ମଧ୍ୟରେ କୋ-ଅପରେଟିଭ ଫେଡ଼େରାଲାଜ୍‌ମ ବା ସମବାୟଭିତ୍ତିକ ସଂଘବାଦ ଉପରେ ଜୋର୍‌ ଦେଇଥିଲେ। ସେ ନିଜେ ପ୍ରଥମେ ଏକ ରାଜ୍ୟ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଥିବାରୁ କେନ୍ଦ୍ରଠାରୁ ରାଜ୍ୟଗୁଡ଼ିକ କି କି ଆଶା ବା ଅପେକ୍ଷା ରଖିଥାନ୍ତି ଏବଂ କେନ୍ଦ୍ର କିପରି ଅନେକ ସମୟରେ ରାଜ୍ୟର ସ୍ୱାର୍ଥ ବିରୋଧରେ କାର୍ଯ୍ୟ କରେ ସେ ସଂପର୍କରେ ତାଙ୍କର ଅନେକ ଅନୁଭବ ରହିଛି ବୋଲି ସେ କହୁଥିଲେ। ସମବାୟଭିତ୍ତିକ ସଙ୍ଘ କହିଲେ ସେ କ’ଣ ବୁଝନ୍ତି ତାହା ଅଲଗା କଥା, କିନ୍ତୁ ଏହାର ଅର୍ଥ ହେଉଛି ରାଜ୍ୟଗୁଡ଼ିକ ସ୍ୱତନ୍ତ୍ର ଏକକ ଭାବେ ପରସ୍ପର ସହିତ ସହଯୋଗ ଓ ସମନ୍ୱୟ ରକ୍ଷା କରି ଗୋଟିଏ ରାଷ୍ଟ୍ରୀୟ ଏକକରେ ପରିଣତ ହେବେ। ସମ୍ବିଧାନର ଉଦ୍ଦେଶ୍ୟ ମଧ୍ୟ ଏଇଆ। ସମ୍ବିଧାନ ଅନୁସାରେ ଭାରତର ରାଜ୍ୟଗୁଡ଼ିକ କେନ୍ଦ୍ର ସରକାରଙ୍କ କରଦ ରାଜ୍ୟ ନୁହନ୍ତି କି କେନ୍ଦ୍ର ସରକାର ରାଜ୍ୟଗୁଡ଼ିକର ଆର୍ଥିକ ଦୟାର ପାତ୍ର ନୁହନ୍ତି। ତେବେ, ଗତ କିଛି ମାସ ଧରି ଭାରତୀୟ ରାଜନୀତିରେ ପୁଣି ଥରେ କେନ୍ଦ୍ର-ରାଜ୍ୟ ମୁହାଁମୁହିଁ ଅବସ୍ଥାକୁ ଖସି ଆସିଥିବା ଲକ୍ଷ୍ୟ କରାଯାଉଛି। ଏହା ଭାରତୀୟ ମହାସଙ୍ଘ ପାଇଁ ଶୁଭ ସୂଚନା ନୁହେଁ। କେନ୍ଦ୍ର ସରକାରଙ୍କ ପ୍ରସ୍ତାବ କ୍ରମେ ଜାତୀୟ ସଂସଦରେ ଗୃହୀତ ହୋଇ ରାଷ୍ଟ୍ରପତିଙ୍କ ସ୍ୱୀକୃତି ଲାଭ କରିଥିବା ନାଗରିକତା ସଂଶୋଧନ ଆଇନକୁ ନେଇ ଅନେକ ରାଜ୍ୟ ଏବେ କେନ୍ଦ୍ର ବିରୋଧରେ ଆନ୍ଦୋଳନ ଚଳେଇଛନ୍ତି। ରାଜ୍ୟ ବିଧାନସଭାରେ ଏହି ଆଇନ ବିରୋଧରେ ସଂକଳ୍ପ ଗ୍ରହଣ କରିଛନ୍ତି। ନାଗରିକତା ଯଦିଓ ଜାତୀୟ ସରକାରଙ୍କ ବିଷୟ ଏବଂ ଏହି ବିଷୟରେ ଆଇନ ପ୍ରଣୟନ କରିବାର କୌଣସି କ୍ଷମତା ରାଜ୍ୟ ସରକାରଙ୍କର ନାହିଁ, ତଥାପି ଏହି କେନ୍ଦ୍ରୀୟ ଆଇନକୁ ରାଜ୍ୟରେ କାର୍ଯ୍ୟକାରୀ କରାଇ ନଦେବା ପାଇଁ ଚେତାବନୀ ଦିଆଯାଉଛି। ଜାତୀୟ ସଂସଦର ଆଇନ ବିରୋଧରେ ବିଧାନସଭାରେ ସଂକଳ୍ପ ଗ୍ରହଣ କରିବା ସମ୍ବିଧାନ ବିରୋଧୀ ହୋଇଥିଲେ ମଧ୍ୟ ପଶ୍ଚିମ ବଙ୍ଗ, କେରଳ ଓ ପଞ୍ଜାବ ଆଦି ସରକାର ଏପରି କରିଛନ୍ତି। ମହାରାଷ୍ଟ୍ର, ମଧ୍ୟ ପ୍ରଦେଶ, ଛତିଶଗଡ଼ ଆଦି ରାଜ୍ୟ ମଧ୍ୟ ଏହି ଆଇନ ବିରୋଧରେ ମତ ପ୍ରକାଶ କରିଛନ୍ତି। କଂଗ୍ରେସ ଶାସିତ ୧୧ ରାଜ୍ୟ ଏହା ବିରୋଧରେ ସଂକଳ୍ପ ଗ୍ରହଣ କରିବାକୁ ସଂକେତ ଦେଇଛନ୍ତି। ନାଗରିକତା ସଂଶୋଧନ ଆଇନ ପରି ଜାତୀୟ ନାଗରିକ ପଞ୍ଜିକା ଓ ଜାତୀୟ ଜନସଂଖ୍ୟା ପଞ୍ଜିକାକୁ ନେଇ ମଧ୍ୟ ଅନେକ ରାଜ୍ୟ କେନ୍ଦ୍ରଠାରୁ ଭିନ୍ନ ମତ ପୋଷଣ କରିଛନ୍ତି। ଓଡ଼ିଶା ସରକାର ନାଗରିକ ଆଇନକୁ ସମର୍ଥନ କରିଥିଲେ ମଧ୍ୟ ନାଗରିକ ପଞ୍ଜିକାକୁ ବିରୋଧ କରୁଛନ୍ତି। ଏଭଳି ଟଣାଓଟରାମୂଳକ କେନ୍ଦ୍ର-ରାଜ୍ୟ ରାଜନୀତିକ ସଂଘର୍ଷ ସମୟରେ କେରଳ, ପଶ୍ଚିମ ବଙ୍ଗ ଓ ପୁଡୁଚେରୀରେ ରାଜ୍ୟପାଳ ଓ ରାଜ୍ୟ ମୁଖ୍ୟମନ୍ତ୍ରୀ ବା ରାଜ୍ୟ ସରକାର ମଧ୍ୟରେ ବିବାଦ ଅଶୋଭନୀୟ ପର୍ଯ୍ୟାୟରେ ପହଂଚିଛି। ପଶ୍ଚିମ ବଙ୍ଗ ରାଜ୍ୟପାଳ ଜଗଦୀପ ଧନକର ଓ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସରକାର ମଧ୍ୟରେ ବିବାଦ ଲାଗି ରହିଛି। ମମତାଙ୍କ ଅନୁଗତ ରାଜନୀତିକ କର୍ମୀମାନେ ରାଜ୍ୟପାଳ ଧନକରଙ୍କୁ ଅପଦସ୍ତ କରିବାରେ ଲାଗିଛନ୍ତି। ଏପରିକି ନିଜେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ରାଜ୍ୟପାଳଙ୍କ ସୌଜନ୍ୟମୂଳକ ଆମନ୍ତ୍ରଣକୁ ଗ୍ରହଣ ନକରି ତାଙ୍କ ପ୍ରତି ରହିଥିବା ନିଜ ମନୋଭାବର ପରିଚୟ ଦେଇଛନ୍ତି। କେରଳରେ ରାଜ୍ୟପାଳ ଆରିଫ ମହମ୍ମଦ ଖାଁଙ୍କର କୌଣସି ପ୍ରସ୍ତାବକୁ ସମ୍ମାନ ଦେଉନାହାନ୍ତି ରାଜ୍ୟର ବାମ ଗଣତାନ୍ତ୍ରିକ ମେଣ୍ଟ ସରକାର। ନାଗରିକତା ଆଇନ ନେଇ ବିଧାନସଭାର ସଂକଳ୍ପ ଗ୍ରହଣକୁ ରାଜ୍ୟପାଳ ଆରିଫ ମହମ୍ମଦ ଖାଁ ନାପସନ୍ଦ କରିବାରୁ ବିଧାନସଭାରେ ସେ ପଢ଼ିବାକୁ ଥିବା ଭାଷଣରେ ସଂଶୋଧନ କରିବା ପାଇଁ ସେ ଦେଇଥିବା ପ୍ରସ୍ତାବକୁ କେରଳ ସରକାର ଗ୍ରହଣ କରିନାହାନ୍ତି। ନିୟମ ଅନୁସାରେ ରାଜ୍ୟପାଳଙ୍କ ବିଧାନସଭା ଭାଷଣ ରାଜ୍ୟ ସରକାର ଚୂଡ଼ାନ୍ତ କରିବେ। ସେହପରି ପୁଡୁଚେରୀ ରାଜ୍ୟପାଳ କିରଣ ବେଦୀ ଓ ମୁଖ୍ୟମନ୍ତ୍ରୀ ଭି. ନାରାୟଣସ୍ୱାମୀଙ୍କ ସରକାର ମଧ୍ୟରେ ବିବାଦ ଲାଗି ରହିଛି। ବିବାଦ ଏଭଳି ସ୍ତରକୁ ଗତି କରିଛି ଯେ ପଦ୍ମ ପୁରସ୍କାର ବିଜେତା ଦୁଇ ମହାନ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ରାଜ ଭବନରେ ଅନୁଷ୍ଠିତ ଏକ ଉତ୍ସବ ଅଧାରୁ ଫେରି ଯାଇଛନ୍ତି ମୁଖ୍ୟମନ୍ତ୍ରୀ ନାରାୟଣସ୍ୱାମୀ। ସାଂପ୍ରତିକ ରାଜନୀତିରେ ଏଭଳି ଅନେକ ଉଦାହରଣ ରହିଛି। କେଇ ଦିନ ତଳେ ମହାରାଷ୍ଟ୍ରରେ ରାଜ୍ୟପାଳ ଯେପରି ବଡ଼ି ଭୋରରୁ ସରକାର ଗଠନ କଲେ ତାହା ମଧ୍ୟ ଏକ ସୁସ୍ଥ ସାମ୍ବିଧାନିକ ପରମ୍ପରା ନୁହେଁ। ଅନେକ ସମୟରେ ଦଳୀୟ ରାଜନୀତି ଯୋଗୁଁ ଏଭଳି ସଂଘାତ କ୍ରମେ ସଂଘର୍ଷରେ ପରିଣତ ହେଉଛି। ଭାରତବର୍ଷର ଏକତା ଓ ଅଖଣ୍ଡତା ପାଇଁ, ବିଶେଷକରି ଭାରତୀୟ ରାଷ୍ଟ୍ର ପାଇଁ ବିଶ୍ୱ ଦରବାରରେ ଏକ ଅନନ୍ୟ ସ୍ୱତନ୍ତ୍ର ସ୍ଥାନ ହାସଲ କରିବା ଦିଗରେ ଏଭଳି ବିବାଦ ସବୁ ଅନ୍ତରାୟ ସୃଷ୍ଟି କରିପାରେ। ଏଭଳି ବିବାଦ ମଧ୍ୟ ଭାରତର ଜନଗଣଙ୍କ ସର୍ବାଙ୍ଗୀନ ବିକାଶରେ ପ୍ରତିବନ୍ଧକ ସୃଷ୍ଟି କରିବ। ତେଣୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଗୁଡ଼ିକ ଏବେ ଏକାଠି ବସି ନିଜନିଜ ମଧ୍ୟରେ କି ପ୍ରକାର ସଂପର୍କ ରହିବ ଓ କିଏ କେଉଁ କ୍ଷମତାର ଅଧିକାରୀ ତା’ ଉପରେ ଆଉ ଥରେ ବିଚାର ବିମର୍ଶ କରନ୍ତୁ ଓ ନିଜନିଜ ପାଇଁ ଲକ୍ଷ୍ମଣ ରେଖା ସ୍ଥିର କରନ୍ତୁ। (ସୌ-ଓଡ଼ିଶା ରିପୋର୍ଟର)

Share :