ଜଗନ୍ନାଥଙ୍କ ଦ୍ୱାହି! ଓଡ଼ିଆଙ୍କ ଇଷ୍ଟ କିଏ?

ଜଗନ୍ନାଥଙ୍କ ଦ୍ୱାହି! ଓଡ଼ିଆଙ୍କ ଇଷ୍ଟ କିଏ?

ଦେବେନ୍ଦ୍ର ପୃଷ୍ଟି ୨୦୧୫ ନବ କଳେବର ରୀତି ବିଭ୍ରାଟ ଚରମ ସୀମା ଟପିଥିଲା। ଦାରୁ ଚୟନ ପାଇଁ ବନଯାଗ ଯାତ୍ରା ଶଗଡ଼ରେ ହେବା କଥା, ଦାମୀ ଏସୟୁଭିରେ ହୋଇଥିଲା। ସେବାୟତମାନେ ବିଳାସପୂର୍ଣ୍ଣ ଗାଡ଼ିରେ ଦାରୁ ସନ୍ଧାନରେ ବାହାରିଥିଲେ। ବନଯାଗ ଯାତ୍ରା ଶବ୍ଦରୁ ଜଣାପଡ଼ୁଛି ଦାରୁ ପାଇଁ ବନ ବା ସେହିପରି ସ୍ଥାନରୁ ବୃକ୍ଷ ଚୟନ ହେବା କଥା। ମାତ୍ର ହେଲା ସହର ବା ସହର ନିକଟବର୍ତ୍ତୀ ସ୍ଥାନରୁ। ଚତୁର୍ଦ୍ଧା ମୂର୍ତ୍ତିଙ୍କ ମଧ୍ୟରୁ କେବଳ ସୁଦର୍ଶନ ଦାରୁ ଭୁବନେଶ୍ୱର ନିକଟବର୍ତ୍ତୀ କଡ଼ କୁଣ୍ଟୁଣିଆରୁ ହୋଇଥିଲା। ବାକି ତିନି ଠାକୁରଙ୍କ ଦାରୁ ଜଗତସିଂହପୁର ଜିଲ୍ଲାର ପାଖାପାଖି ତିନିଟି ସ୍ଥାନରୁ ହୋଇଥିଲା। କୌଣସି ଓଡ଼ିଆ ସନ୍ଦେହ କଲେ ନାହିଁ। ଦାରୁ ଚୟନରେ ବହୁ ବିଭ୍ରାଟ ହୋଇଥିବା କଥା ପଦାକୁ ଆସିଲା। କେଉଁ ନିମ ଗଛରେ ପେଚା ବସା କରିଥିଲେ। କେଉଁ ନିମ ଗଛରେ ଲୁହା କଣ୍ଟା ପିଟା ଯାଇଥିଲା। କେଉଁ ନିମ ଗଛ ମୂଳେ ମଦ ବୋତଲ ପଡ଼ିଥିଲା। କେଉଁଠି କେହି ପରିଶ୍ରା କରିଥିବା କଥା ଜଣାପଡ଼ିଥିଲା। କୌଣସି ଓଡ଼ିଆ ପ୍ରତିବାଦ କଲେ ନାହିଁ। ବରଂ ପୂର୍ବ ପରମ୍ପରା ନଥିଲେ ମଧ୍ୟ ଦାରୁ-ଶୋଭାଯାତ୍ରା ଅନୁଷ୍ଠିତ ହେଲା ଓ ତାହାକୁ ଲକ୍ଷଲକ୍ଷ ଓଡ଼ିଆ ରାସ୍ତାକଡ଼ରେ ଠିଆ ହୋଇ ଉପଭୋଗ କଲେ, ଲକ୍ଷଲକ୍ଷ ଟଙ୍କା ଦକ୍ଷିଣା ଦେଲେ। ଦାରୁ ଖରାପ ପଡ଼ିଲା। ମୂର୍ତ୍ତି ନିର୍ମାଣ ଠିକ ସମୟରେ ସରିଲା ନାହିଁ। ଘଟ ପରିବର୍ତ୍ତନ ବା ନୂତନ ମୂର୍ତ୍ତିରେ ବ୍ରହ୍ମ ସ୍ଥାପନରେ ଘୋର ବିଭ୍ରାଟ ହେଲା। ୨୦୧୫ ଜୁନ ୧୫ ତାରିଖ ମଧ୍ୟରାତ୍ରରେ ଘଟ ପରିବର୍ତ୍ତନ ହେବା କଥା। ହେଲା ତହିଁ ଆର ଦିନ ମଧ୍ୟାହ୍ନରେ। ଜୁନ୍‌ ୧୬ ତାରିଖ ପ୍ରାୟ ସବୁ ଓଡ଼ିଆ ଖବରକାଗଜ ଲେଖିଥିଲେ ରାତିରେ ବ୍ରହ୍ମ ସ୍ଥାପନା ସରିଛି। ସକାଳୁ ଜଣାପଡ଼ିଲା ହୋଇନାହିଁ। ସବୁ ସଂପାଦକ ଓ ସାମ୍ବାଦିକ ଭାଣ୍ଡିଆ ହେଲେ। କେହି ପ୍ରତିବାଦ କଲେ ନାହିଁ। ଓଡ଼ିଆ ଜାତି ବି ରାଗିଲା ନାହିଁ। ନବ କଳେବର ପାଇଁ ପୁରୀରେ ୫୦ ଲକ୍ଷ ଲୋକଙ୍କ ସମାଗମ ହେବ ବୋଲି ରାଜ୍ୟ ସରକାର ପ୍ରଚାର କରି ସେହି ଅନୁସାରେ ବ୍ୟୟ ଅଟକଳ ପ୍ରସ୍ତୁତ କରିଥିଲେ। କେନ୍ଦ୍ର ଓ ରାଜ୍ୟ ପାଣ୍ଠିରୁ ୨୦୦୦ କୋଟି ଟଙ୍କା ଖର୍ଚ୍ଚ ହେବାର ବ୍ୟବସ୍ଥା ହୋଇଥିଲା। ପୁରୀ ସହରଠାରୁ ୯ କିଲୋମିଟର ଦୂରରେ ୭୦ କୋଟି ଟଙ୍କା ବ୍ୟୟରେ ନୂଆ ବସ୍‌ଷ୍ଟାଣ୍ଡ ତିଆରି ହେଲା। ତାହା ବର୍ଷକୁ ଥରେ ଅଧେ ବ୍ୟବହାର ହେଉଛି। ପାଖରେ ତିଆରି ହେଲା ନୂଆ ପୋଲ। ଜଣେ ରାଜନେତାଙ୍କ ପୁଅଙ୍କ ଆପାର୍ଟମେଣ୍ଟ ବିକ୍ରି ହେଉ ନଥିଲା। ନୂଆ ବସ୍‌ ଷ୍ଟାଣ୍ଡ ଓ ନୂଆ ପୋଲ ପାଇଁ ସବୁ ଚଢ଼ା ଦରରେ ବିକ୍ରି ହୋଇଗଲା। କେହି ଏହା ପଛରେ ଦୁର୍ନୀତିର ଗନ୍ଧ ବାରିଲେ ନାହିଁ। ସମସ୍ତଙ୍କୁ ସବୁ ବାସିଲା। ବଡ଼ଦାଣ୍ଡ ଡ୍ରେନେଜ୍‌ ସମସ୍ୟା ସମାଧାନ କରିବା ପାଇଁ କେଇ କୋଟି ଶ୍ରାଦ୍ଧ ହେଲା। ଏଯାଏଁ ସମସ୍ୟା ଅସମାଧିତ। ନୂଆ ହସ୍‌ପିଟାଲ ହେଲା। କାମରେ ଲାଗୁନି। ଏମିତି କେତେ କ’ଣ ନୂଆ ହେଲା। ସବୁ ଟଙ୍କା ପାଣିରେ ପଡ଼ିଲା। ଓଡ଼ିଆ ଲୋକେ ସହିଗଲେ। କାରଣ, ଜଗନ୍ନାଥ ସେମାନଙ୍କର ଇଷ୍ଟ, ଆରାଧ୍ୟ ଦେବତା। ଜଗନ୍ନାଥଙ୍କ ପ୍ରତି ଓଡ଼ିଆ ଲୋକମାନଙ୍କର ଅଜବ ଆନୁଗତ୍ୟ ରହିଛି। ତାଙ୍କ ନାଁରେ ମିଛ କହିଲେ ବି ଲୋକେ ବିଶ୍ୱାସ କରନ୍ତି। ତାଙ୍କ ରୀତିନୀତିରେ ବିଭ୍ରାଟ ହେଲେ ବି ଲୋକେ ‘ସବୁ ଜଗାର ଇଚ୍ଛା’ ବୋଲି କହି ଚଳେଇ ନିଅନ୍ତି। ସରକାର ଜଗନ୍ନାଥଙ୍କ ନାଁରେ ଦୁର୍ନୀତି କଲେ। ସେବାୟତ ନୀତି ବିଭ୍ରାଟ କଲେ। ଲୋକଙ୍କୁ ବୁଝାଇ ଦିଆଗଲା, ଜଗନ୍ନାଥ ସବୁ ବୁଝିବେ। ନୂଆ ଠାକୁର ଭାରି ରାଗି। ସେ ସମସ୍ତଙ୍କୁ ଦଣ୍ଡ ଦେବେ। ଦୋଷୀମାନେ ଦଣ୍ଡ ପାଇବେ କ’ଣ ସରକାରଙ୍କଠାରୁ ପୁରସ୍କାର ପାଇଲେ। ଲୋକେ କିଛି ବୁଝିଲେ ନାହିଁ। ଏହାର କେଇ ବର୍ଷ ପୂର୍ବରୁ ଏଇ ସରକାରଙ୍କ ସମୟରେ ଗୋଟେ ବିଦେଶୀ ବେପାରୀ ସଂସ୍ଥାକୁ ପୁରୀରେ ଥିବା ଜଗନ୍ନାଥଙ୍କ ଅମୃତ ମଣୋହି ଜମି ଟେକି ଦିଆଗଲା। ରାଜ୍ୟ ସାରା ଲୋକ ପାଟି ଫିଟେଇଲେ ନାହିଁ। ଜଗନ୍ନାଥଙ୍କୁ ଏତେ ଭକ୍ତି! ପୁରୀର ମୁଷ୍ଟିମେୟ ଲୋକ ପ୍ରତିବାଦ କଲେ। ପ୍ରଥମେ ଲୋକପାଳ ଓ ପରେ ହାଇକୋର୍ଟ ଜମି ଆବଣ୍ଟନ ଖାରଜ କରିବାରୁ ଜମି ରହିଗଲା। ନହେଲେ ଯାଇଥିଲା। ଜଗନ୍ନାଥଙ୍କ ନାମରେ ଥିବା ହଜାର ହଜାର କୋଟି ଟଙ୍କାର ସଂପତ୍ତି ହଡ଼ପ ହେଉଛି। ହଡ଼ପ କରୁଛନ୍ତି କତିପୟ ଓଡ଼ିଆ। ହଡ଼ପରେ ସହଯୋଗ କରୁଛନ୍ତି ଓଡ଼ିଶା ସରକାର। ଓଡ଼ିଆ ଜାତି ନୀରବ, ନିଷ୍କ୍ରିୟ। ଡଜନେ ଉପରେ ଗ୍ରାନାଇଟ୍‌ ପାହାଡ଼, ମାଙ୍କଡ଼ା ପଥର ଖଣି, ୬୦ ହଜାର ଏକର ଉପରେ ଜମି ଉପରେ ଜବରଦଖଲକାରୀଙ୍କ ଆଧିପତ୍ୟ। ବେଆଇନ ଚାଷ, ବେଆଇନ ଖଣି, ବେଆଇନ ବ୍ୟବସାୟ, କୋଟିକୋଟି ଟଙ୍କାର ମୁନାଫା- ଜଗନ୍ନାଥ କିଛି ପାଉ ନାହାନ୍ତି। ଓଡ଼ିଆ ଜାତି ଘରେ ଶୋଇଛି। ଉତ୍ତର ପ୍ରଦେଶ ଅଯୋଧ୍ୟାରେ ମାତ୍ର ୨.୭୭ ଏକର ଏକର ଜମି ପାଇଁ ରାମଭକ୍ତ ଓ ମହମ୍ମଦଭକ୍ତଙ୍କ ମଧ୍ୟରେ କେତେ ମାଲିମକଦ୍ଦମା, କେତେ ବିବାଦ, କେତେ ରାଜନୀତି! ଜଗନ୍ନାଥଙ୍କର ହଜାର ହଜାର ଏକର ଜମି ହଡ଼ପ ହେଲାଣି, ଓଡ଼ିଆଙ୍କର ନିଦ ଭାଙ୍ଗିନି। କ’ଣ ନା ଜଗନ୍ନାଥ ଏମାନଙ୍କର ଇଷ୍ଟ! ଦଶନ୍ଧି ଦଶନ୍ଧି ଧରି ଜଗନ୍ନାଥଙ୍କ ରତ୍ନ ଭଣ୍ଡାର ତନଖି ହେଉନି। ସେଠି ରତ୍ନାଦି ଅଳଙ୍କାର ଅଛି କି ନାହିଁ କେହି ପରଖୁ ନାହାନ୍ତି। ସାପ ଜଗିଛି ବୋଲି କହି ସେବାୟତ ଭୁତେଇ ଦେଉଛନ୍ତି। ସବୁ ଠିକ ଅଛି ବୋଲି କହି ସରକାର ଗାଲୁ ମାରୁଛନ୍ତି। ଚାବି ହଜିଗଲା କହି ଚାଲ୍‌ବାଜି ଚାଲିଲା। ଚାବି ଖୋଜିବାକୁ କମିଶନ ବସିଲା। କମିଶନ ବସୁ ବସୁ ଚାବି ମିଳିଲା। ତାହା ପୁଣି ଡୁପ୍ଲିକେଟ୍‌। ଡୁପ୍ଲିକେଟ୍‌ ଚାବିର କିଛି ପ୍ରମାଣ ନଥିଲା। ଯଦ୍ୟପି ଚାବି ମିଳିଲା, ତାଲା ଖୋଲିଥିଲେ କ’ଣ ପ୍ରଣବ ଅଶୁଦ୍ଧ ହୋଇଥାନ୍ତା? ପୂର୍ବରୁ ଦି’ ଥର ରତ୍ନ ଭଣ୍ଡାର ସୁମାରି ହୋଇଛି। ଆଉ ଥରେ ସୁମାରି କରି ଜିନିଷପତ୍ର ମିଳେଇଥିଲେ ପାପ ହୋଇଥାନ୍ତା କି? ଇଷ୍ଟ କ’ଣ ରାଗିଥାନ୍ତେ? ମୋ ସୁନା କାହିଁକି ଛୁଇଁଲ ବୋଲି ନୋଟିସ୍‌ ଜାରି କରିଥାନ୍ତେ ନା ସୁପ୍ରିମ କୋର୍ଟରୁ ରହିତାଦେଶ ଆଣିଥାନ୍ତେ? ଚତୁର୍ଦ୍ଧାମୂର୍ତ୍ତିଙ୍କ ପାଇଁ କେତେ ଶହ ବର୍ଷ ତଳୁ ତିଆରି ହେଲାଣି ଶ୍ରୀମନ୍ଦିର। ପୁରୀ ଠାକୁର ରାଜାଙ୍କଠାରୁ ଆରମ୍ଭ କରି ଓଡ଼ିଶା ଓ ଓଡ଼ିଶା ବାହାରର ଅନେକ ରାଜା ଶ୍ରୀମନ୍ଦିରକୁ ମହଣ ମହଣ ସୁନା ଦାନ କରିଛନ୍ତି। ନେପାଳ ଓ ପଞ୍ଜାବର ପୂର୍ବତନ ରାଜାମାନେ ବହୁ ହୀରା, ନୀଳା, ମାଣିକ୍ୟ ଆଦି ସମର୍ପଣ କରିଛନ୍ତି। ଦୈନିକ ହଜାର ହଜାର ଭକ୍ତ କେତେ ସୁନା ଓ ଟଙ୍କା ଦାନ କରୁଛନ୍ତି। ନେଉଛି କିଏ, ଖାଉଛି କିଏ? ଏବେ ସରକାର ହିସାବ ଦେଉଛନ୍ତି ମନ୍ଦିରର ଅଛି ମାତ୍ର ୧୨,୮୩୮ ଭରି ସୁନା ଓ ୧୮,୮୧୫ ଭରି ରୁପା। ଆଉ ସବୁ ଗଲା କୁଆଡ଼େ? ପୁରୁଷୋତ୍ତମ ଦେବ କାଞ୍ଚି ବିଜୟରୁ ସଂଗ୍ରହ କରିଥିବା ସମସ୍ତ ସୁନାରୁପା ଓ ରତ୍ନ ଶ୍ରୀମନ୍ଦିରକୁ ଦାନ କରିଥିଲେ ବୋଲି ମାଦଳା ପାଞ୍ଜିରେ ଅଛି। ସେ କ’ଣ କିଛି ଆଣି ନଥିଲେ? ନା ସବୁ ଉଆସରେ ରଖି ମନ୍ଦିରକୁ ଦେଲେ ବୋଲି ପାଞ୍ଜିରେ ଲେଖେଇଦେଲେ? ଏ ଜାତି ହିସାବ ମାଗିନି, ମାଗୁନାହିଁ। ଏବେ ଜଣାପଡ଼ୁଛି ଆଇନ ଓ ନିୟମ ନଥିଲେ ମଧ୍ୟ ଜଗନ୍ନାଥଙ୍କର ପ୍ରାୟ ୬୦୦ କୋଟି ଟଙ୍କା ୟେସ୍‌ ବ୍ୟାଙ୍କରେ ଜମା କରାଗଲା। ତାହା ଏକ ଘରୋଇ ବ୍ୟାଙ୍କ। ନିୟମ ଅନୁସାରେ ଠାକୁରଙ୍କ ପାଣ୍ଠି ଜାତୀୟକରଣ ବ୍ୟାଙ୍କରେ ଜମା ରହିବା କଥା। ୟେସ ବ୍ୟାଙ୍କ ଏବେ ବୁଡ଼ିବା ଭଳି ସ୍ଥିତି। ବର୍ଷକ ଆଗରୁ ଜଣାପଡ଼ିଲା ବ୍ୟାଙ୍କର ଦେବାଳିଆ ଅବସ୍ଥା। ତଥାପି ଓଡ଼ିଶା ସରକାର ଟଙ୍କା ଉଠେଇଲେ ନାହିଁ। ଆନ୍ଧ୍ର ପ୍ରଦେଶର ତିରୁପତି ତିରୁମାଲା ଦେବସ୍ଥାନମ ଟ୍ରଷ୍ଟ ଏକଥା ଜାଣି ବହୁ ପୂର୍ବରୁ ଏହି ବ୍ୟାଙ୍କରେ ରଖିଥିବା ୧୩୦୦ କୋଟି ଟଙ୍କା ଉଠେଇନେଲେ। କିନ୍ତୁ ଓଡ଼ିଶା ସରକାରଙ୍କୁ ସେ ବୁଦ୍ଧି ଦିଶିଲା ନାହିଁ। ଏବେ ଏ ଟଙ୍କା ଜମା ନେଇ ଅନେକ କଥା ପଦାକୁ ଆସୁଛି। କେଉଁ ଅଫିସର ଏହି ନିର୍ଦ୍ଦିଷ୍ଟ ବ୍ୟାଙ୍କରେ ଜଗନ୍ନାଥଙ୍କ ଟଙ୍କା ଜମା କରେଇଥିବାରୁ ଲାଞ୍ଚ ଆକାରରେ ବିଦେଶ ଗସ୍ତର ମଉଜ ନେଇଛନ୍ତି। ସରକାର ଏକଥାର ତଦନ୍ତ ନକରି ରିଜର୍ଭ ବ୍ୟାଙ୍କ ଓ କେନ୍ଦ୍ର ସରକାରଙ୍କୁ ଦୋଷ ଠେଲୁଛନ୍ତି। ଏବେ ବି ଓଡ଼ିଆ ଜାତିର ଚିନ୍ତା ନାହିଁ- ଏଟଙ୍କା ଫେରିବ ନା ବୁଡ଼ିବ? ଯେଉଁ ଅଫିସର ବା ନେତା ଜଗନ୍ନାଥଙ୍କ ସଂପତ୍ତିକୁ ଏପରି ନିଜ ଫାଇଦାରେ ଲଗେଇଛନ୍ତି ସେମାନଙ୍କୁ ଚିହ୍ନଟ କରିବା ପାଇଁ ବି ଓଡ଼ିଆଙ୍କର ଦାବି ଏଯାଏଁ ଉଠିନି। ବ୍ଲକ୍‌ ଓ ପଞ୍ଚାୟତ ଅଫିସରରେ ଟାଉଟରି କରିବାର ବ୍ୟସ୍ତତା ଅନେକ ମୁଖର ଓଡ଼ିଆଙ୍କୁ ମୂକ କରିଦେଇଛି କି କ’ଣ? ଶ୍ରୀମନ୍ଦିର ଓ ତହିଁ ମଧ୍ୟରେ ସହସ୍ରାଧିକ ବର୍ଷ ଧରି ପୂଜା ପାଉଥିବା ଜଗନ୍ନାଥଦି ଚତୁର୍ଦ୍ଧା ମୂର୍ତ୍ତିଙ୍କ ସେବାପୂଜା ଓ ସଂପତ୍ତି ପରିଚାଳନାରେ ଲାଗି ରହିଥିବା ଏହିପରି ଶହଶହ ବିଭ୍ରାଟ, ଅନିୟମିତତା ଓ ଦୁର୍ନୀତି ନେଇ ଓଡ଼ିଆ ଜାତି ଯେପରି ନୀରବ ଓ ନିଷ୍କ୍ରିୟ ସେଥିରୁ ସ୍ୱତଃ ଏକ ଆବେଗର ପ୍ରଶ୍ନ ଉଠେ- ସତରେ କ’ଣ ଓଡ଼ିଆ ଜାତି ଜଗନ୍ନାଥଙ୍କୁ ଇଷ୍ଟ ଭାବେ ଗ୍ରହଣ କରେ? କରୁଥିଲେ ତାଙ୍କର ଏତେ ସଂପତ୍ତି ଲୁଟ୍‌ ହେଉଛି, ଏତେ ଟଙ୍କା ହଡ଼ପ ହେଉଛି, କେହି ପାଟି ଫିଟାନ୍ତେ ନାହିଁ? ସରକାରଙ୍କଠାରୁ କୈଫିୟତ ମାଗନ୍ତେ ନାହିଁ? କୈଫିୟତ ମାଗିବେ କ’ଣ, ସରକାର ଯେପରି ସନ୍ଦିଗ୍ଧ ଅପରାଧୀମାନଙ୍କୁ ପୁରସ୍କାର ଦେଇ ଚାଲିଛି, ଏ ଜାତି ମଧ୍ୟ ସେହିପରି ଏହି ସନ୍ଦିଗ୍ଧମାନଙ୍କୁ କ୍ରମାଗତ ଭାବେ ଦାୟିତ୍ୱ ଅର୍ପଣ କରିଚାଲିଛନ୍ତି। ଏବେ ବୋଧହୁଏ ଏ ଜାତି ଏହାର ଇଷ୍ଟ ବଦଳାଇ ଦେଇଛି। ଏବେ ବୋଧହୁଏ ଜଗନ୍ନାଥ ନୁହନ୍ତି, ଗୋଟିଏ ନିର୍ଦ୍ଦିଷ୍ଟ ରାଜନୀତିକ ଦଳ ଓ ତାହାର ନେତା ହୋଇଛନ୍ତି ଓଡ଼ିଆ ଜାତିର ଇଷ୍ଟ। ଅଳମତି ବିସ୍ତରେଣ। ଜୟ ଜଗନ୍ନାଥ। (ଲେଖାଟି ପ୍ରଥମେ ଓଡ଼ିଶାରିପୋର୍ଟର.ଇନ୍‌ରେ ପ୍ରକାଶିତ)

Share :