ପଞ୍ଚାୟତକୁ ଓଡ଼ିଶା ସରକାରଙ୍କ ପ୍ରତାରଣା

ପଞ୍ଚାୟତକୁ ଓଡ଼ିଶା ସରକାରଙ୍କ ପ୍ରତାରଣା

Share :

ଦେବେନ୍ଦ୍ର ପୃଷ୍ଟି ୨୦୨୦ ମାର୍ଚ୍ଚ ୨ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସି ରାଜ୍ୟର ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକୁ ସଶକ୍ତ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିବା ରାଜ୍ୟର କେତେକ ପ୍ରମୁଖ ମୁଦ୍ରଣମାଧ୍ୟମରେ ପ୍ରକାଶ ପାଇଛି। ସଂପ୍ରତି ରାଜ୍ୟ ବିଧାନସଭାର ବଜେଟ ଅଧିବେଶନର ସତ୍ରାବସାନ ହୋଇନଥିବାରୁ ଏହି କ୍ୟାବିନେଟ ବୈଠକ ସଂପର୍କରେ ବିଧିବଦ୍ଧ ଭାବେ ମୁଖ୍ୟ ଶାସନ ସଚିବ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିନାହାନ୍ତି। ତଥାପି, କେତେକ ପ୍ରମୁଖ ଖବରକାଗଜରେ ଏହି ତଥ୍ୟ ବିସ୍ତୃତ ଭାବରେ ପ୍ରକାଶ ପାଇଛି। ଏହି ରିପୋର୍ଟକୁ ଯଦି ବିଶ୍ୱାସନୀୟ ଭାବେ ଗ୍ରହଣ କରାଯାଏ ତେବେ ବୁଝିବାକୁ ହେବ ଯେ ମୁଖ୍ୟମନ୍ତ୍ରୀ ଭାବେ ୨୦ ବର୍ଷ ପୂରଣ କରୁଥିବା ବିଜେଡି ନବୀନ ପଟ୍ଟନାୟକଙ୍କର ଦୁଇ ଦଶନ୍ଧି ପରେ ପଞ୍ଚାୟତ କଥା ମନେ ପଡ଼ିଲା। ମାର୍ଚ୍ଚ ତାରିଖ ହେଉଛି ବିଜୁ ଜନତା ଦଳର ତଥାକଥିତ ଆଦର୍ଶ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ। ସେହି ଦିନଟିକୁ ରାଜ୍ୟରେ ପଞ୍ଚାୟତିରାଜ ଦିବସ ଭାବେ ପାଳନ କରାଯାଏ। ଚଳିତ ବର୍ଷ ବିଜୁ ଜନତା ଦଳ ସପ୍ତାହ ବ୍ୟାପୀ ବିଜୁ ଜୟନ୍ତୀ ପାଳନ କରିବାକୁ ନିଷ୍ପତ୍ତି ନେଇଛି। ରାଜ୍ୟରେ ପଞ୍ଚାୟତିରାଜ ବ୍ୟବସ୍ଥାର ସଶକ୍ତିକରଣ ଦିଗରେ ବିଜୁ ପଟ୍ଟନାୟକଙ୍କ ଅବଦାନ ରହିଥିବାରୁ ସେହି ବାର୍ତ୍ତା ପ୍ରେରଣ କରିବାକୁ ବିଜେଡି ସରକାର ହୁଏତ ପଞ୍ଚାୟତ ସଶକ୍ତିକରଣ ପାଇଁ ନିଷ୍ପତ୍ତି ନେଇଥାଇପାରନ୍ତି। ମାତ୍ର, ରାଜ୍ୟ ସରକାରଙ୍କର ଏହି ନିଷ୍ପତ୍ତି ବହ୍ୱାଡ଼ମ୍ବରେ ଲଘୁକ୍ରିୟାରେ ପରିଣତ ହୋଇପାରେ। ତାହାର ସୂଚନା ମଧ୍ୟ ଗଣମାଧ୍ୟମ ରିପୋର୍ଟରେ ରହିଛି। ରାଜ୍ୟ ସରକାର ଯଦି ସତରେ ପଞ୍ଚାୟତଗୁଡ଼ିକୁ କ୍ଷମତା ହସ୍ତାନ୍ତର କରି ସଶକ୍ତ କରିବାକୁ ଚାହୁଁଥାନ୍ତେ ତେବେ ସମ୍ବିଧାନର ୭୩ତମ ସଂଶୋଧନ ଅନୁଯାୟୀ ଅତିକମ୍‌ରେ ୨୯ଟି ବିଭାଗର କ୍ଷମତା, ପାଣ୍ଠି ଓ କର୍ମଚାରୀ ହସ୍ତାନ୍ତର କରିଥାଆନ୍ତେ। ସେଥିପାଇଁ କୌଣସି ଆନ୍ତଃବିଭାଗୀୟ ମନ୍ତ୍ରୀ ସ୍ତରୀୟ କମିଟି ଗଠନ କରିବାର ଆବଶ୍ୟକତା ନଥିଲା। ଅର୍ଥ ମନ୍ତ୍ରୀ, ପଂଚାୟତିରାଜ ମନ୍ତ୍ରୀ, ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରମୁଖଙ୍କୁ ନେଇ ଏଥିନିମନ୍ତେ ଯେଉଁ କମିଟି ଗଠନ କରାଯାଇଛି ତାହା କେବଳ ଧର୍ମକୁ ଆଖିଠାର ଭଳି। ଏହି କମିଟି କେତେ ଦିନ ମଧ୍ୟ କ୍ଷମତା ହସ୍ତାନ୍ତର ବା କ୍ଷମତାର ବିକ୍ରେନ୍ଦ୍ରୀକରଣ ପାଇଁ ନିଷ୍ପତ୍ତି ନେବେ ତାହା ସ୍ପଷ୍ଟ ନୁହେଁ। କମିଟିରୁ ସୁପାରିଶକୁ ଯେ ରାଜ୍ୟ ସରକାର ମାନିବେ ତାହା ମଧ୍ୟ ସ୍ପଷ୍ଟ ନୁହେଁ। ସବୁଠୁଁ ବଡ଼ କଥା ହେଲା, ସମ୍ବିଧାନର ୭୩ତମ ସଂଶୋଧନ ଅନୁସାରେ ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକୁ ଅତି କମ୍‌ରେ ୨୯ଟି ବିଭାଗର କ୍ଷମତା, ପାଣ୍ଠି ଓ କର୍ମଚାରୀ ହସ୍ତାନ୍ତର କରିବାର ବ୍ୟବସ୍ଥା ରହିଥିବାବେଳେ ନବୀନବାବୁଙ୍କ କ୍ୟାବିନେଟ ତନ୍ମଧ୍ୟରୁ କେବଳ ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା, ପ୍ରାଥମିକ ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ଅଙ୍ଗନବାଡ଼ି କେନ୍ଦ୍ର ଓ ପଶୁ ଚିକିତ୍ସାଳୟର ରକ୍ଷଣାବେକ୍ଷଣ ଓ ଉନ୍ନତିକରଣ କାର୍ଯ୍ୟ ହସ୍ତାନ୍ତର କରିବାକୁ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏହାର ଅର୍ଥ କେବଳ ସ୍କୁଲ ଓ ଡିସପେନସାରି କୋଠାର ମରାମତି କାମ ପଞ୍ଚାୟତକୁ ମିଳିବ। ଏଥିରେ ମଧ୍ୟ କିଛି ନୂତନତା ନାହିଁ। ଗାଁର ଥିବା ସ୍କୁଲ କୋଠାର ମରାମତି କାମ ଏବେ ବି ବ୍ଲକ ବା ମଣ୍ଡଳ ପଞ୍ଚାୟତ ବା ପଞ୍ଚାୟତ ସମିତି ଜରିଆରେ କରାଯାଉଛି। ପଞ୍ଚାୟତ ସମିତି ଏହି କାର୍ଯ୍ୟ ପଂଚାୟତ ଜରିଆରେ କରାଉଛି। ତେଣୁ ନବୀନବାବୁଙ୍କ ସରକାର ପଞ୍ଚାୟତ ସଶକ୍ତିକରଣ ନାମରେ ପୁଣି ଏକ ଭେଳିକି କରିବାକୁ ଯାଉଛନ୍ତି ବୋଲି ବୁଝିବାକୁ ହେବ। ୧୯୯୨ ମସିହାରେ ପ୍ରଣୀତ ହୋଇଥିଲା ସମ୍ବିଧାନର ୭୩ତମ ସଂଶୋଧନ ଆଇନ। ଏହାର କେଇ ମାସ ପୂର୍ବରୁ ବିଜୁ ପଟ୍ଟନାୟକଙ୍କ ସରକାର ଓଡ଼ିଶାରେ ଏପରି ଏକ ଆଇନ ପ୍ରଣୟନ କରିଥିଲେ। ତେବେ କେନ୍ଦ୍ର ସରକାରଙ୍କ ଆଇନ ଲାଗୁ ହେବା ପରେ ଓଡ଼ିଶାରେ ମଧ୍ୟ ସେହି ଆଇନ ଅନୁସାରେ ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକୁ ସାମ୍ବିଧାନିକ ମାନ୍ୟତା ମିଳିଯାଇଛି। କିନ୍ତୁ ଏହି ଆଇନ ପ୍ରଣୀତ ହେବାର ୨୮ ବର୍ଷ ପରେ ମଧ୍ୟ ଏଯାଏଁ ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକ ଏହି ଆଇନ ଅନୁସାରେ ବିଭିନ୍ନ ବିଭାଗର କ୍ଷମତା, ପାଣ୍ଠି ଓ କର୍ମଚାରୀ ବଳ ଯୋଗାଇ ଦିଆଯାଇ ନାହିଁ। ରାଜ୍ୟ ସରକାର ବିଭିନ୍ନ ବିଭାଗର ସଚିବ ଓ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳମାନଙ୍କ ଜରିଆରେ ପଞ୍ଚାୟତଗୁଡ଼ିକୁ ହସ୍ତାନ୍ତର ହେବାକୁ ଥିବା ଅଧିକାଂଶ ବିଭାଗର କ୍ଷମତା ଉପଭୋଗ କରୁଛନ୍ତି। ସେଥିରେ ପଞ୍ଚାୟତ ପ୍ରତିନିଧିମାନଙ୍କର କୌଣସି ଅଧିକାର ନାହିଁ। ସମ୍ବିଧାନର ୭୩ତମ ସଂଶୋଧନ ପରେ ଯୋଡ଼ାଯାଇଥିବା ଏକାଦଶ ପରିଚ୍ଛଦରେ ୨୯ଟି ବିଭାଗର କ୍ଷମତା କଥା ଉଲ୍ଲେଖ ରହିଛି। ଏହିସବୁ ବିଭାଗର କ୍ଷମତା ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକୁ ହସ୍ତାନ୍ତର କରିବା ପାଇଁ ସମ୍ବିଧାନର ୨୪୩(ଛ) ଧାରାରେ ବ୍ୟବସ୍ଥା ହୋଇଛି। ଏହି ଧାରା ଅନୁସାରେ ୧. କୃଷି, କୃଷି ସଂପ୍ରସାରଣ, ୨. ଭୂ-ବିକାଶ ବା ଜମି ଉନ୍ନତିକରଣ, ଭୂ-ବନ୍ଦୋବସ୍ତ, ଭୂ-ସଂସ୍କାର, ମୃତ୍ତିକା ସଂରକ୍ଷଣ, ୩. କ୍ଷୁଦ୍ର ଜଳସେଚନ, ଜଳ ପରିଚାଳନା, ଜଳଛାୟା ପ୍ରକଳ୍ପ, ୪. ପ୍ରାଣୀ ପାଳନ, ଗୋ-ପାଳନ, କୁକୁଡ଼ା ଚାଷ, ୫. ମାଛଚାଷ, ୬. ସାମାଜିକ ବନୀକରଣ, କୃଷି-ବନ, ୭. ଲଘୁ ବନଜାତ ଦ୍ରବ୍ୟ, ୮. ଖାଦ୍ୟ ପ୍ରକ୍ରିୟାକରଣ ସମେତ କ୍ଷୁଦ୍ର ଶିଳ୍ପ, ୯. ଖଦୀ, ଗ୍ରାମୋଦ୍ୟୋଗ, କୁଟୀର ଶିଳ୍ପ, ୧୦. ଗ୍ରାମ୍ୟ ଗୃହ ନିର୍ମାଣ, ୧୧. ପାନୀୟ ଜଳ ଯୋଗାଣ, ୧୨. ଇନ୍ଧନ ଓ ଗୋ-ଖାଦ୍ୟ, ୧୩. ସଡ଼କ, କଲଭର୍ଟ, ପୋଲ, ଜଳପଥ, ୧୪. ଗ୍ରାମ୍ୟ ବିଦ୍ୟୁତକରଣ, ବିଦ୍ୟୁତ ବଣ୍ଟନ, ୧୫. ଅଣପାରମ୍ପାରିକ ଶକ୍ତି ଉତ୍ସ, ୧୬. ଦାରିଦ୍ର୍ୟ ଦୂରୀକରଣ କାର୍ଯ୍ୟକ୍ରମ, ୧୭. ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା, ୧୮. ବୈଷୟିକ ତାଲିମ ଓ ଧନ୍ଦାମୂଳକ ଶିକ୍ଷା, ୧୯. ପ୍ରୌଢ଼ ଓ ଅଣଆନୁଷ୍ଠାନିକ ଶିକ୍ଷା, ୨୦. ପାଠାଗାର, ୨୧. ସାଂସ୍କୃତିକ କାର୍ଯ୍ୟକ୍ରମ, ୨୨. ହାଟ ଓ ମେଳା, ୨୩. ସ୍ୱାସ୍ଥ୍ୟ ଓ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଡିସପେନ୍‌ସାରି ସମେତ ଡାକ୍ତରଖାନା, ୨୪. ପରିବାର କଲ୍ୟାଣ, ୨୫. ମହିଳା ଓ ଶିଶୁ ବିକାଶ, ୨୬. ଦିବ୍ୟାଙ୍ଗ ଓ ମାନସିକ ବିକୃତଙ୍କ କଲ୍ୟାଣ ସମେତ ସମାଜ କଲ୍ୟାଣ କାର୍ଯ୍ୟକ୍ରମ, ୨୭. ତଫସିଲଭୁକ୍ତ ଜାତି ଓ ତଫସିଲଭୁକ୍ତ ଜନଜାତି ସମେତ ଦୁର୍ବଳ ଶ୍ରେଣୀଙ୍କ କଲ୍ୟାଣ, ୨୮. ସାଧାରଣ ଯୋଗାଣ ବ୍ୟବସ୍ଥା ଓ ୨୯. ସାଧାରଣ ସଂପତ୍ତି ପରିଚାଳନା ଆଦି ବିଭାଗର କ୍ଷମତା, ପାଣ୍ଠି ଓ କର୍ମଚାରୀ ପଞ୍ଚାୟତିରାଜ ସଂସ୍ଥାଗୁଡ଼ିକୁ ହସ୍ତାନ୍ତର ହେବା କଥା। ଏହା ବାଦ ତଫସିଲଭୁକ୍ତ ଅଞ୍ଚଳର ପଞ୍ଚାୟତଗୁଡ଼ିକ ପାଇଁ କେନ୍ଦ୍ର ସରକାର ସ୍ୱତନ୍ତ୍ର ଭାବେ ପଞ୍ଚାୟତିରାଜ ସଂପ୍ରସାରଣ ଆଇନ ବା ପେସା ପ୍ରଣୟନ କରିଛନ୍ତି। ୧୯୯୬ ମସିହାରୁ ସେହି ଆଇନ କାର୍ଯ୍ୟକାରୀ ହେଲାଣି। ମାତ୍ର, ଓଡ଼ିଶାରେ ଏଯାଏଁ ତଫସିଲଭୁକ୍ତ ଚିହ୍ନିତ ଆଦିବାସୀ ଅଧ୍ୟୁସିତ ପଞ୍ଚାୟତଗୁଡ଼ିକରେ ଏହି ଆଇନ ପୂର୍ଣ୍ଣତଃ ଭାବେ କାର୍ଯ୍ୟକାରୀ ହୋଇନାହିଁ। ନବୀନବାବୁଙ୍କ ଅମଳରେ ପଞ୍ଚାୟତିରାଜ ସଂସ୍ଥାଗୁଡ଼ିକୁ କ୍ଷମତା ହସ୍ତାନ୍ତର କରିବା ଦାବିରେ ରାଜ୍ୟର ପଞ୍ଚାୟତ ପ୍ରତିନିଧିମାନେ ଏକାଧିକ ଆନ୍ଦୋଳନ କରିଛନ୍ତି। କିନ୍ତୁ ରାଜ୍ୟ ସରକାର ସେମାନଙ୍କର ଏହି ଦାବିକୁ ଏଯାଏଁ ଗ୍ରହଣ କରିନାହାନ୍ତି। ଏବେ ଶାସନର ୨୦ ବର୍ଷରେ ମୁଖ୍ୟମନ୍ତ୍ରୀଙ୍କର ପଞ୍ଚାୟତିରାଜ ସଂସ୍ଥାଗୁଡ଼ିକୁ କ୍ଷମତାର ବିକେନ୍ଦ୍ରୀକରଣ କଥା ମନେ ପଡ଼ିଛି। ଏହା ପଛରେ ରାଜନୀତିକ କାରଣ ଥାଇପାରେ। ୨୦୧୭ ପଞ୍ଚାୟତ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ଅଭୂତପୂର୍ବ ସଫଳତା ହାସଲ କରିଥିଲା। ସେହି ନିର୍ବାଚନରେ ବିଜେପି ୩୦୬ ଜିଲ୍ଲା ପରିଷଦ ଆସନରେ ବିଜୟୀ ହୋଇଥିବାବେଳେ ବିଜେଡିର ଜିଲ୍ଲା ପରିଷଦ ଆସନ ସଂଖ୍ୟା ୪୬୦କୁ ଖସି ଆସିଥିଲା। ୨୦୧୨ ପଞ୍ଚାୟତ ନିର୍ବାଚନରେ ବିଜେଡି ୬୫୧ ଜିଲ୍ଲା ପରିଷଦ ଆସନ ପାଇଥିବାବେଳେ ବିଜେପି ଜିତିଥିଲା ମାତ୍ର ୩୬ ଆସନ। ସେହିପରି ୨୦୧୯ ଲୋକସଭା ନିର୍ବାଚନରେ ମଧ୍ୟ ବିଜେପିର ଭୋଟହାର ଯଥେଷ୍ଟ ବୃଦ୍ଧି ପାଇଥିଲା। ସେହି ନିର୍ବାଚନରେ ନବୀନବାବୁଙ୍କ ନେତୃତ୍ୱାଧୀନ ବିଜେଡି ପ୍ରାୟ ୧୧୦ ଲକ୍ଷ ଭୋଟ ପାଇଥିବାବେଳେ ବିଜେପି ୯୧ ଲକ୍ଷ ଭୋଟ ପାଇଥିଲା। ଏହି ନିର୍ବାଚନରେ ବିଜେପିର ୮ ଜଣ ପ୍ରାର୍ଥୀ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ବିଧାନସଭାରେ ମଧ୍ୟ ଦଳର ଆସନ ସଂଖ୍ୟା ୨୩କୁ ବୃଦ୍ଧି ପାଇଥିଲା। ନବୀନବାବୁ ଓ ତାଙ୍କ ବିଜୁ ଜନତା ଦଳ ବିରୋଧରେ ଜନ ଅସନ୍ତୋଷ ବ୍ୟାପିଲାଣି ଓ ବିଜେପି ଏକ ଶକ୍ତ ବିକଳ୍ପ ଭାବେ କାୟା ବିସ୍ତାର କଲାଣି, ଏହି ହୃଦବୋଧ ହେବା ପରେ ବୋଧହୁଏ ସେହି ଦଳକୁ ଛକିବା ପାଇଁ ରାଜ୍ୟ ସରକାର ଏଭଳି ଏକ ଚାଲ୍‌ ଚଳେଇପାରିଥାନ୍ତି। ମାତ୍ର, ୭୩ତମ ସମ୍ବିଧାନ ସଂଶୋଧନକୁ ପୂର୍ଣ୍ଣତଃ କାର୍ଯ୍ୟକାରୀ ନକଲେ ଏହା ଯେ ରାଜ୍ୟ ସରକାରଙ୍କର ଏକ ଭେଳିକି ତାହା ସାବ୍ୟସ୍ତ ହେବ।

Share :