ଚିଟ୍‌ ଫଣ୍ଡ ଠକଇ- ପାଣିରେ ପଡ଼ିଲା ନୋଟ୍‌ ଓ ଭୋଟ୍‌!

ଚିଟ୍‌ ଫଣ୍ଡ ଠକଇ- ପାଣିରେ ପଡ଼ିଲା ନୋଟ୍‌ ଓ ଭୋଟ୍‌!

ଦେବେନ୍ଦ୍ର ପୃଷ୍ଟି ଓଡ଼ିଶା ସରକାରଙ୍କ ନାକ ତଳେ ଚାଲିଥିଲା ଚିଟ୍‌ ଫଣ୍ଡ କାରବାର। ଚିଟ୍‌ ଫଣ୍ଡ କାରବାର ଉପରେ ନଜର ରଖିବାକୁ ଆରବିଆଇ ଓ କେନ୍ଦ୍ର ସରକାରରୁ ଏକାଧିକ ଚିଠି ପାଇଥିଲେ ଓଡ଼ିଶା ସରକାର। ସରକାର କିଛି କରି ନଥିଲେ। ଓଲଟି ଅର୍ଥତତ୍ତ୍ୱ, ଆସ୍ଥା, ସି ଶୋର୍‌, ଗ୍ରୀନ ରେ ପରି ଅନେକ ଚିଟ୍‌ ଫଣ୍ଡ ସଂସ୍ଥା ସହିତ ପ୍ରତ୍ୟକ୍ଷ ସଂପର୍କରେ ଥିଲେ ବିଜୁ ଜନତା ଦଳର ଅନେକ ଜନ ପ୍ରତିନିଧି ଓ କାର୍ଯ୍ୟକର୍ତ୍ତା। ରାଜ୍ୟ ସରକାର ମଧ୍ୟ ଅନେକ ଚିଟ୍‌ ଫଣ୍ଡ ସଂସ୍ଥା ସହିତ ବ୍ୟାବସାୟିକ ସଂପର୍କ ଯୋଡ଼ିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କଠାରୁ ଆରମ୍ଭ କରି ତାଙ୍କ ସରକାର ବହୁ ମନ୍ତ୍ରୀ ବହୁ ଚିଟ୍‌ ଫଣ୍ଡ ସଂସ୍ଥାର ବ୍ୟାବସାୟିକ ଓ ପ୍ରଚାର କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସରକାରଙ୍କ ସୁରକ୍ଷା ଓ ନେତାଙ୍କ ପ୍ରୋତ୍ସାହନ ଫଳରେ ଚିଟ୍‌ ଫଣ୍ଡ ସଂସ୍ଥାଗୁଡ଼ିକ ରାଜ୍ୟର ପ୍ରାୟ ୨୦ ଲକ୍ଷ ଲୋକଙ୍କଠାରୁ ୨୦ ହଜାର କୋଟିରୁ ଅଧିକ ଟଙ୍କା ଠକି ନେଲେ। ଏ ଠକେଇ ଧରା ପଡ଼ିବା ପରେ ମଧ୍ୟ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରି ସୁପ୍ରିମ କୋର୍ଟରେ ସିବିଆଇ ତଦନ୍ତକୁ ବିରୋଧ କଲେ। କ୍ରାଇମ ବ୍ରାଞ୍ଚ ତଦନ୍ତ କଥା କହିଲେ। କ୍ରାଇମ ବ୍ରାଞ୍ଚ ତଦନ୍ତରେ କେହି ବଡ଼ ଦୋଷୀ ଧରାହେଲେ ନାହିଁ। ସୁପ୍ରିମ କୋର୍ଟଙ୍କ ଆଦେଶକ୍ରମେ ସିବିଆଇ ତଦନ୍ତ ଆରମ୍ଭ ହେଲା। ସେଥିରେ ବିଜେଡିର ଅନେକ ନେତାଙ୍କ ସମେତ ବହୁ ଅପରାଧୀ ଧରାପଡ଼ିଲେ। ରାଜ୍ୟ ସରକାର ମଧ୍ୟ ବଡ଼ ଅପରାଧୀଙ୍କୁ ଧରିବା ଓ ଜମାକାରୀ ଚିହ୍ନଟ କରି ଟଙ୍କା ଫେରାଇବା ଆଳରେ ୨୦୧୩ ମସିହାରେ ଜଣିକିଆ ବିଚାର ବିଭାଗୀୟ କମିଶନ ଗଠନ କଲେ। ଟଙ୍କା ଫେରାଇବା ପାଇଁ ୩୦୦ କୋଟି ଟଙ୍କାର କର୍ପସ ଫଣ୍ଡ ଘୋଷଣା ହେଲା। ଇତିମଧ୍ୟରେ ୭ ବର୍ଷ ବିତିଗଲା। ଦି’ ବର୍ଷ ହେଲାଣି ସିବିଆଇ ତଦନ୍ତ ବନ୍ଦ। ଗିରଫ ହୋଇଥିବା ଅନେକ ଅଭିଯୁକ୍ତ ଜାମିନ୍‌ ପାଇସାରିଛନ୍ତି। ଏବେ କମିଶନ ଅଫିସ ମଧ୍ୟ ଅଚଳ। କମିଶନରେ ସତ୍ୟପାଠ ଦାଖଲ କରିଥିଲେ ପ୍ରାୟ ୧୫ ଲକ୍ଷ ଲୋକ। କମିଶନ ଚିହ୍ନଟ କରିଛନ୍ତି ପ୍ରାୟ ୫ ଲକ୍ଷ କ୍ଷୁଦ୍ର ଜମାକାରୀ। ଟଙ୍କା ଫେରି ପାଇଛନ୍ତି ମାତ୍ର ୨ ହଜାର। ବାକି ସମସ୍ତେ ଭକୁଆ। ମୋଟାମୋଟି ଏଇ ହେଉଛି ରାଜ୍ୟ ରାଜନୀତିରେ ଚହଳ ସୃଷ୍ଟି କରିଥିବା ଚିଟ୍‌ ଫଣ୍ଡ ଦୁର୍ନୀତିର ତଦନ୍ତ ଫଳାଫଳ। ୧୯୭୮ ମସିହାରେ କେନ୍ଦ୍ର ସରକାର ପ୍ରଣୟନ କରିଥିଲେ ପ୍ରାଇଜ୍‌ ଚିଟ୍‌ ଆଣ୍ଡ ମନି ସର୍କୁଲେସନ ବ୍ୟାନିଂ ଆକ୍ଟ। ଏହି ଆଇନ ଅନୁସାରେ ସବୁ ପ୍ରକାର ଚିଟ୍‌ ଫଣ୍ଡ କାରବାର ନିଷିଦ୍ଧ ବା ବେଆଇନ ଘୋଷିତ ହୋଇଥିଲା। ଏହା ପରଠାରୁ ଓଡ଼ିଶାରେ ଏହି କାରବାର ହେଉନଥିଲା କହିଲେ ଚଳେ। କିନ୍ତୁ ୨୦୦୦ ମସିହାରେ ବିଜେଡି-ବିଜେପି ମେଣ୍ଟର ନେତା ଭାବେ ନବୀନ ପଟ୍ଟନାୟକ ରାଜ୍ୟର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେବା ପରେ ସମବାୟ ବିଭାଗର ପ୍ରୋତ୍ସାହନମୂଳକ ଆଇନର ସହାୟତା ନେଇ ରାଜ୍ୟରେ ଛତୁ ଫୁଟିଲା ଭଳି ଅନେକ ଚିଟ୍‌ ଫଣ୍ଡ ସଂସ୍ଥା କାୟା ବିସ୍ତାର କରିଥିଲେ। ଅନ୍ୟ ରାଜ୍ୟର କେତେକ ଅସାଧୁ ଚିଟ୍‌ ଫଣ୍ଡ ସଂସ୍ଥା ମଧ୍ୟ ଓଡ଼ିଶାରେ ଶାଖା ଖୋଲି ନିରୀହ ଜମାକାରୀଙ୍କଠାରୁ କୋଟିକୋଟି ଟଙ୍କାର ଜମା ସଂଗ୍ରହ କରିଥିଲେ। ସେତେବେଳେ ବ୍ୟାଙ୍କଗୁଡ଼ିକ ସ୍ଥାୟୀ ଜମା ଉପରେ ସର୍ବାଧିକ ୯ ପ୍ରତିଶତ ସୁଧ ଦେଉଥିଲାବେଳେ ଏହିପରି ଠକ ସଂସ୍ଥାଗୁଡ଼ିକ ୩୦-୪୦ ପ୍ରତିଶତ ସୁଧ ଦେବାର ପ୍ରତିଶ୍ରୁତି ଦେଉଥିଲେ, ୩-୫ ବର୍ଷ ଭିତରେ ଜମାଟଙ୍କା ଦୁଇ ଗୁଣ ହୋଇଯିବ ବୋଲି ଲୋକଙ୍କୁ ବୁଝାଇ ଦିଆଯାଉଥିଲା। ଏପରି ସଂସ୍ଥାଗୁଡ଼ିକ ସହିତ ରାଜ୍ୟର ବହୁ ମନ୍ତ୍ରୀ, ସାଂସଦ ଓ ବିଧାୟକ ଜଡ଼ିତ ଥିବା ଗଣମାଧ୍ୟମର ବିଭିନ୍ନ ରିପୋର୍ଟରେ ପ୍ରକାଶ ପାଇବା ପରେ ଲୋକେ ସେମାନଙ୍କୁ ବିଶ୍ୱାସ କରୁଥିଲେ ଓ ସେହି ବିଶ୍ୱାସରେ ଲକ୍ଷଲକ୍ଷ ଲୋକ ଜୀବନର ସମସ୍ତ ସଂଚୟ ଏପରି ଚିଟ୍‌ ଫଣ୍ଡ ସଂସ୍ଥାରେ ଜମା କରି ଏଣିକି ସାରା ଜୀବନ ଆରାମରେ ଚଳିପାରିବେ ବୋଲି ଧରି ନେଇଥିଲେ। କିନ୍ତୁ ଖୁବ ଶୀଘ୍ର ସେମାନଙ୍କର ମୋହଭଙ୍ଗ ଘଟିଥିଲା। ଲୋକେ ସର୍ବସ୍ୱାନ୍ତ ହୋଇଥିଲେ। ଆରାମରେ ବିରାମ ଲାଗିଥିଲା। ଅଶାନ୍ତି, ଅସ୍ଥିରତା ଓ ଆଶଙ୍କାରେ ଭରି ଯାଇଥିଲା ଜୀବନ। ଜମାଟଙ୍କା ନଫେରିବାରୁ ଅନେକ ଲୋକ ଥାନାରୁ ଆରମ୍ଭ କରି ପ୍ରଶାସନ ନିକଟରେ ଅଭିଯୋଗ କଲେ। ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ପ୍ରାଥମିକ ତଦନ୍ତରୁ ଅନେକ ରହସ୍ୟ ଉନ୍ମୋଚିତ ହେଲା। କିନ୍ତୁ ରାଜ୍ୟ ସରକାର କୌଣସି ସଂସ୍ଥା ବିରୋଧରେ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ନାହିଁ, କୌଣସି ଅଭିଯୁକ୍ତଙ୍କଠାରୁ ଟଙ୍କା ଫେରସ୍ତ ନେବାର ବ୍ୟବସ୍ଥା କଲେ ନାହିଁ। କେବଳ କ୍ରାଇମ ବ୍ରାଞ୍ଚ ତଦନ୍ତ ଘୋଷଣା କରି ପାଲା ଦେଖିଲେ। କ୍ରାଇମ ବ୍ରାଞ୍ଚ ଚଢ଼ାଉ ସମୟରେ ଅନେକ କଥା ପଦାକୁ ଆସିଲା। ତଥାପି କାର୍ଯ୍ୟାନୁଷ୍ଠାନ ଶୂନ। ତେଣୁ ଏହି ଦୁର୍ନୀତିର ସିବିଆଇ ତଦନ୍ତ ଦାବିରେ ସୁପ୍ରିମ କୋର୍ଟରେ ଜନସ୍ୱାର୍ଥ ମାମଲା ହେଲା। ସୁପ୍ରିମ କୋର୍ଟରେ କୋଟିକୋଟି ଟଙ୍କା ଖର୍ଚ୍ଚ କରି ରାଜ୍ୟ ସରକାର ଚିଟ୍‌ ଫଣ୍ଡ ତଦନ୍ତକୁ ବିରୋଧ କଲେ। ହେଲେ କୋର୍ଟ ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ। ସିବିଆଇ ତଦନ୍ତ ନିର୍ଦ୍ଦେଶ ପରେ ରାଜ୍ୟ ସରକାର ୨୦୧୩ ମସିହାରେ ଜଣିକିଆ ବିଚାର ବିଭାଗୀୟ ତଦନ୍ତ ଘୋଷଣା କଲେ। ଟର୍ମସ ଅଫ୍‌ ରେଫରେନ୍ସରେ ଦୋଷୀ ଚିହ୍ନଟ କରିବା କଥା କୁହାଗଲା। ସବୁ ଜମାକାରୀ ଚିହ୍ନଟ କଥା ମଧ୍ୟ ମୂଳ ବିଜ୍ଞପ୍ତିରେ ଉଲ୍ଲେଖ ଥିଲା। କିନ୍ତୁ ୨୦୧୫ ମସିହାରେ ରାଜ୍ୟ ସରକାର ଟର୍ମସ ଅଫ୍‌ ରେଫରେନ୍ସ ବଦଳାଇ ଦେଲେ। ପରେ ପୁଣି ବଡ଼ ଜମାକାରୀଙ୍କୁ ଛାଡ଼ି କେବଳ ଛୋଟ ଜମାକାରୀ ଚିହ୍ନଟ କରିବା କଥା ରହିଲା। ପ୍ରଥମେ ବିଚାରପତି ପାତ୍ର ଥିଲେ କମିଶନ ଅଧ୍ୟକ୍ଷ। ତାଙ୍କ ଦେହାନ୍ତ ପରେ ବିଚାରପତି ଏମଏମ ଦାସ ସେହି ପଦରେ ନିଯୁକ୍ତ ହେଲେ। ଇତିମଧ୍ୟରେ କମିଶନ ୭ଟି ଅନ୍ତରୀଣ ରିପୋର୍ଟ ଦାଖଲ କରିସାରିଛନ୍ତି। ଦାଖଲ ୧୫ ଲକ୍ଷ ଉପରେ ସତ୍ୟପାଠରୁ ୮ ଲକ୍ଷ ଯାଞ୍ଚ କରିଛନ୍ତି। ପ୍ରାୟ ୫ ଲକ୍ଷ ଜମାକାରୀ ଚିହ୍ନଟ କରିଛନ୍ତି। ରାଜ୍ୟରେ ୫୦୦ ଉପରେ ଚିଟ୍‌ ଫଣ୍ଡ ସଂସ୍ଥା କାରବାର କରୁଥିଲେ ବୋଲି ଜାଣି ପାରିଛନ୍ତି। ରାଜ୍ୟ ସରକାରଙ୍କ ଅପାରଗତା, ଅବହେଳା ଓ ଅନେକ କ୍ଷେତ୍ରରେ ସଂପୃକ୍ତିରେ ଏପରି ବଡ଼ ଧରଣର ଗଣ-ଠକେଇ ହୋଇଛି ବୋଲି ସ୍ପଷ୍ଟ ହେବା ପରେ ଜମାକାରୀମାନେ ସଂଗଠିତ ହେଲେ, ଆନ୍ଦୋଳନ କଲେ। ସରକାର ଆନ୍ଦୋଳନକାରୀଙ୍କ ନେତାଙ୍କୁ ନିଜ ପଟକୁ ନେଇଗଲେ। ଆନ୍ଦୋଳନ ଏକରକମ ଫସରଫାଟିଲା। ଏହା ଭିତରେ ବିଜୁ ଜନତା ଦଳ ୨୦୧୪ ଓ ୨୦୧୯ ମସିହାରେ ଅନୁଷ୍ଠିତ ଦୁଇ ଦୁଇଟି ସାଧାରଣ ନିର୍ବାଚନ ଜିତିଲେ। ରାଜ୍ୟ ଓ ଜାତୀୟ ସ୍ତରର ରାଜନୀତିକ ସମୀକରଣ ବଦଳିଗଲା। ଏହା ପରେ ସିବିଆଇ ତଦନ୍ତ ବନ୍ଦ। ଏବେ ବିଚାର ବିଭାଗୀୟ ତଦନ୍ତ ଅଫିସରେ ତାଲା। କମିଶନଙ୍କ କାର୍ଯ୍ୟକାଳ ବୃଦ୍ଧି ହେଲା ନାହିଁ। ତେଣୁ କମିଶନ ଆଉ ତଦନ୍ତ କରିବେ ନାହିଁ ବୋଲି ନୋଟିସ ମାରି ସାରିଲେଣି। ସରକାର ଚାପରେ ପଡ଼ି କମିଶନଙ୍କ କାର୍ଯ୍ୟକାଳ ବଢ଼େଇଲେ ବି ଦୋଷୀ ଧରାପଡ଼ି ଦଣ୍ଡ ପାଇବେ ଓ ଜମାକାରୀ ଟଙ୍କା ଫେରସ୍ତ ନେବେ, ଏ ଆଶା ଆଉ ନାହିଁ କହିଲେ ଚଳେ। କାରଣ କମିଶନଙ୍କ ଟର୍ମସ ଅଫ୍‌ ରେଫରେନ୍ସରେ ଦୋଷୀ ଚିହ୍ନଟ ପରିବର୍ତ୍ତେ କ୍ଷୁଦ୍ର ଜମାକାରୀ ଚିହ୍ନଟ ଉପରେ ଗୁରୁତ୍ୱ ଦିଆଯାଇଛି ଏବଂ ଚିଡ୍ନଟ ସମସ୍ତ ଜମାକାରୀ ଏଯାଏଁ ଟଙ୍କା ଫେରିପାଇ ନାହାନ୍ତି। ସରକାର ଫେରାଇଲେ ବି କର୍ପସ ଫଣ୍ଡରେ ଏତେ ପାଣ୍ଠି ନାହିଁ। ରାଜ୍ୟରୁ ପ୍ରାୟ ୨୦ ହଜାର କୋଟି ଟଙ୍କା ଠକି ନିଆଯାଇଥିବାବେଳେ ସରକାର ମାତ୍ର ୩୦୦ କୋଟି ଟଙ୍କାର କର୍ପସ ପାଣ୍ଠି ଘୋଷଣା କରିଛନ୍ତି। ଚିଟ୍‌ ଫଣ୍ଡ ସଂସ୍ଥାରେ ରାଜ୍ୟର ପ୍ରାୟ ୨୦ ଲକ୍ଷ ଟଙ୍କା ଜମା ରଖିଥିଲେ ମଧ୍ୟ କମିଶନ ଏଯାଏଁ ମାତ୍ର ୫ ଲକ୍ଷଙ୍କୁ ଚିହ୍ନଟ କରିଛନ୍ତି। ଏଭଳି ପରିସ୍ଥିତିରେ କିଏ କେତେ ଟଙ୍କା ଫେରି ପାଇବେ? କେନ୍ଦ୍ର ସରକାର ମଧ୍ୟ ଇତିମଧ୍ୟରେ ପ୍ରାଇଜ୍‌ ଚିଟ୍‌ ଆଣ୍ଡ ମନି ସର୍କୁଲେସନ ବ୍ୟାନିଂ ଆଇନ ଥାଉଁଥାଉ ଅନ୍ୟ ଏକ ଆଇନ ପ୍ରଣୟନ କରିଛନ୍ତି। ତାହାକୁ ବ୍ୟାନିଂ ଅଫ୍‌ ଅନରେଗୁଲେଟେଡ୍ ଡିପୋଜିଟ୍‌ ସ୍କିମ୍‌ ଆଇନ ୨୦୧୯ କୁହାଯାଉଛି। ଏହି ଆଇନ ଅନୁସାରେ ଚିଟ୍‌ ଫଣ୍ଡ ସଂସ୍ଥାଗୁଡ଼ିକର ସଂପତ୍ତି ବ୍ୟାଜ୍ୟାପ୍ତ ହୋଇପାରିବ। ସେହି ବ୍ୟାଜ୍ୟାପ୍ତ ସଂପତ୍ତିରୁ ମିଳିବାକୁ ଥିବା ଅର୍ଥକୁ ଜମାକାରୀଙ୍କୁ ଫେରାଇ ହେବ। ଦୋଷୀ ସାବ୍ୟସ୍ତ ଅପରାଧୀମାନେ ୧ ବର୍ଷରୁ ଆରମ୍ଭ କରି ୧୦ ବର୍ଷ ଯାଏଁ ଜେଲ୍‌ଦଣ୍ଡ ପାଇବେ। ସ୍ଥଳ ବିଶେଷରେ ସେମାନଙ୍କଠାରୁ ୫୦ କୋଟି ଟଙ୍କା ଯାଏଁ ଫାଇନ୍‌ ଆଦାୟ ହେବ। କିନ୍ତୁ ଏତେସବୁ ହେବ କେମିତି? ତଦନ୍ତ ହେଲେ ତ? ସିବିଆଇ ତଦନ୍ତ ବନ୍ଦ। କମିଶନ ତଦନ୍ତ ବି ବନ୍ଦ। ଜମାକାରୀ ଏବେ ହତାଶ ହେବା ନିଶ୍ଚିତ। ନୋଟ୍‌ ତ ଗଲା, ଭୋଟ୍‌ ବି ଗଲା!

Share :