ଜାଲ୍‌ ଥିଲା ନୋଟ୍‌ବନ୍ଦିର ଜାଲ!

ଜାଲ୍‌ ଥିଲା ନୋଟ୍‌ବନ୍ଦିର ଜାଲ!

ଦେବେନ୍ଦ୍ର ପୃଷ୍ଟି ୨୦୨୦ ଫେବୃଆରୀ ୧୨ ତାରିଖରେ ଓଡ଼ିଶାର ଯାଜପୁର ରୋଡ଼ ଅଞ୍ଚଳରୁ ୪.୭୬ ଲକ୍ଷ ଟଙ୍କାର ଜାଲ୍‌ନୋଟ୍‌ ଜବତ ହୋଇଛି। ଏହି କାରବାର ସହିତ ସଂପୃକ୍ତ ଏକ ଦଳକୁ ପୁଲିସ ଗିରଫ କରିବା ସହିତ ସେମାନଙ୍କ ନିକଟରୁ ଜାଲ୍‌ନୋଟ୍‌ ଛପାରେ ବ୍ୟବହୃତ କେତେକ ଯନ୍ତ୍ରପାତି ଜବତ କରାଯାଇଛି। ଏହାର ୨ ଦିନ ପୂର୍ବରୁ ମୁମ୍ବାଇର ଛତ୍ରପତି ଶିବାଜୀ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଜଣେ ଲୋକଠାରୁ ୨୩.୮୬ ଲକ୍ଷ ଟଙ୍କାର ଜାଲି ୨୦୦୦ ଟଙ୍କିଆ ନୋଟ୍‌ ଜବତ ହୋଇଥିଲା। ତା’ର ତିନି ଦିନ ପୂର୍ବରୁ ଗୁଜରାଟର ଖେଡ଼ା ଜିଲ୍ଲା ଅନ୍ତର୍ଗତ ନାଦିଆଦ ଅଞ୍ଚଳରୁ ୧୭.୬୬ ଲକ୍ଷ ଟଙ୍କା ମୂଲ୍ୟର ନୋଟ୍‌ ଜବତ ହୋଇଥିଲା। ଜବତ ସବୁ ଯାକ ନୋଟ୍‌ ନୂଆ ୫୦୦ ଟଙ୍କିଆ ଥିଲା। ୨୦୨୦ ଜାନୁଆରୀ ୨୦ ତାରିଖରେ କଟକର ଷ୍ଟେଟ୍‌ ବ୍ୟାଙ୍କର ଏକ ଶାଖା ତରଫରୁ ପୁଲିସରେ ଅଭିଯୋଗ ହେଲା ଯେ ସତ୍ୟଜିତ ପଣ୍ଡା ନାମକ ଜଣେ ଲୋକ ବ୍ୟାଙ୍କରେ ୧.୬ ଲକ୍ଷ ଟଙ୍କା ମୂଲ୍ୟର ନକଲି ୨୦୦୦ ଟଙ୍କିଆ ନୋଟ୍‌ ଜମା କରିଛି। ୨୦୧୭ ନଭେମ୍ବର ୮ ତାରିଖର ବିମୁଦ୍ରାୟନ ରାତି ପରେ ବି ଏଭଳି ଜାଲିନୋଟ୍‌ ଧରାପଡ଼ିବା ଘଟଣା ବନ୍ଦ ହୋଇନାହିଁ। ବରଂ ଅନେକ ଲୋକ ଅତି ସହଜରେ ନୂଆ ୨୦୦୦ ଓ ୫୦୦ ଟଙ୍କିଆ ନୋଟ୍‌ର ନକଲି ସଂସ୍କରଣ ଛାପି ବଜାରକୁ ଛାଡ଼ୁଛନ୍ତି। କିଛି ଧରା ପଡ଼ୁଛି, କିଛି ପଡ଼ୁନାହିଁ। ଯେଉଁ ଜାଲ୍‌ ନୋଟ୍‌ ଏଯାଏଁ ଧରା ପଡ଼ିନାହିଁ ତାହା ବଜାରରେ ଚଳୁଥିବ ନହେଲେ କାହାର ନିରୀହ ବିଶ୍ୱାସରେ ତାହାର ସଂପତ୍ତି ହୋଇ ଗଚ୍ଛିତ ଥିବ, ଯାହା ଦିନେ ତା’ ପାଇଁ ବିପତ୍ତିର କାରଣ ହୋଇପାରେ। ଇତିମଧ୍ୟରେ ଅନେକେ ନିରୀହ ଲୋକ ବି ନିଜ ଅଜାଣତରେ ଏଭଳି ଜାଲ୍‌ କାରବାରର ଶିକାର ହୋଇଥିବେ। ଅସଲି ପରିଶ୍ରମର ନକଲି ମଜୁରୀ ପାଇ ହନ୍ତସନ୍ତ ହୋଇଥିବେ। ଯେଉଁମାନେ ଏଭଳି ଦୁଃଖଯନ୍ତ୍ରଣା ଭୋଗ କରିଥିବେ ବା ଆଗକୁ କରିବେ ସେମାନଙ୍କୁ କିଏ କିପରି କ୍ଷତିପୂରଣ ଦେବ? ସେମାନଙ୍କ ପ୍ରତି ରାଷ୍ଟ୍ରର କ’ଣ କିଛି କର୍ତ୍ତବ୍ୟ ନାହିଁ? ୨୦୧୬ ନଭେମ୍ବର ୮ ତାରିଖ ରାତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହଠାତ ସେ ସମୟରେ ପ୍ରଚଳିତ ୧୦୦୦ ଓ ୫୦୦ ଟଙ୍କିଆ ନୋଟ୍‌ ଅଚଳ କରିଦେଲେ। କହିଲେ, ଦେଶରୁ ଦୁର୍ନୀତି ଓ କଳାଧନ ହଟେଇବାକୁ ଏହି ପଦକ୍ଷେପ ନିଆଯାଇଛି। ପଡ଼ୋଶୀ ଦେଶ ଜାଲ୍‌ ନୋଟ୍‌ ବ୍ୟବହାର କରି ଆତଙ୍କବାଦର ପ୍ରସାରଣ କରୁଛି। ଏହି ନିଷ୍ପତ୍ତି ଯୋଗୁଁ ଜାଲ୍‌ନୋଟ୍‌ କାରବାର ବନ୍ଦ ହୋଇଯିବ, ଆତଙ୍କବାଦ ମଧ୍ୟ ଲୋପ ପାଇବ। ଏ ନିଷ୍ପତ୍ତି ଯୋଗୁଁ କିଛି ଲୋକଙ୍କୁ କଷ୍ଟ ହେବ। ତେବେ ରାଷ୍ଟ୍ର ନିର୍ମାଣର ଏହି ଯଜ୍ଞନରେ ସମସ୍ତେ କିଛି କିଛି ତ୍ୟାଗ କରିବାକୁ ସେ ଟେଲିଭିଜନ ମାଧ୍ୟମରେ ଦେଶବାସୀଙ୍କୁ ଆହ୍ୱାନ ଦେଇଥିଲେ। ପ୍ରଧାନମନ୍ତ୍ରୀଙ୍କର ଏହି ଘୋଷଣା ପରେ ଦେଶରେ କି ପ୍ରକାର ପରିସ୍ଥିତି ସୃଷ୍ଟି ହେଲା, ବ୍ୟାଙ୍କ ଆଗରେ କେମିତି ଧାଡ଼ି ଲାଗିଲା, ବଜାରରେ କାରବାର କିପରି ମାନ୍ଦା ହୋଇଗଲା, ଖୁଚୁରା ନିବେଶ କେମିତି ପ୍ରଭାବିତ ହେଲା, ଦରକାର ଥିଲେ ବି ଲୋକେ କେମିତି ଆବଶ୍ୟକ ଜିନିଷ କିଣିପାରିଲେ ନାହିଁ, କେତେ ବାହାଘର ଭାଙ୍ଗିଲା, କେତେ ମଉଚ୍ଛବ ମଳିନ ହେଲା ତାହାର ଚିତ୍ର ଦେଖିଛି ସମାଜ, ହିସାବ ରଖିଛି ଗଣମାଧ୍ୟମ। ସେତେବେଳେ ଯେଉଁମାନେ ଯୁକ୍ତି କରୁଥିଲେ ଯେ କଳାଧନ ହଟେଇବା ପାଇଁ ୧୦୦୦ ଟଙ୍କିଆ ନୋଟ୍‌ ଅଚଳ କରି ୨୦୦୦ ଟଙ୍କିଆ ନୋଟ୍‌ ଛାପିବା କି ପ୍ରକାର ବୁଦ୍ଧି? ସେମାନଙ୍କୁ ସରକାରଙ୍କ ଭକ୍ତ ଓ ସ୍ତାବକମାନଙ୍କ ଉତ୍ତର ଥିଲା, ଏ ନୋଟ୍‌ ଜାଲ୍‌ ହୋଇପାରିବ ନାହିଁ। ଏଥିରେ ଅନେକ ନିରାପତ୍ତା ଅଛି। ଏପରିକି ସାମାଜିକ ଗଣମାଧ୍ୟମରେ ଭକ୍ତବାହିନୀ ତରଫରୁ ଦାବି ହେଲା ଯେ ଏଥିରେ ସୂକ୍ଷ୍ମ ଚିପ୍ସ ଖଞ୍ଜା ଯାଇଛି। ଏହି ନୋଟ୍‌କୁ ଯେଉଁଠି ଲୁଚେଇଲେ ବି ଧରାପଡ଼ିବ। ଏହି ଚିପ୍ସ ଓ ଅନ୍ୟାନ୍ୟ ନିରାପତ୍ତା ପାଇଁ ଏହାକୁ ଜାଲ୍‌ କରାଯାଇ ପାରିବ ନାହିଁ। ଏହି ନୋଟ୍‌ କାରବାର ସଂପର୍କରେ ଯେହେତୁ ସରକାର ସବୁ ଜାଣିଯିବେ ତେଣୁ ଏହାକୁ ଲାଞ୍ଚାଦି ବ୍ୟାପାରରେ ବ୍ୟବହାର କରାଯାଇ ପାରିବ ନାହିଁ। ତେଣୁ ଦୁର୍ନୀତି କମିଯିବ। ଜାଲ୍‌ ନୋଟ୍‌ ଅଭାବରେ ଆତଙ୍କବାଦୀମାନେ ଜଳ ବାହାରେ ମାଛ ପରି ଛଟପଟ ହେବେ, ଚଳିପାରିବେ ନାହିଁ କି ଆତଙ୍କବାଦର ନେଟୱର୍କ ଚଳେଇପାରିବେ ନାହିଁ। ଏପରି ବହୁ କଥା ସେତେବେଳେ ଶୁଣାଯାଉଥିଲା। ବଜାରରେ ବ୍ୟସ୍ତତା ବଢ଼ିବାରୁ, କୋଟିକୋଟି ଲୋକ ହଇରାଣ ହରକତ ହେବାରୁ, ବ୍ୟାଙ୍କ ଆଗ ଧାଡ଼ିରେ ଠିଆ ହୋଇ କେତେକ ଲୋକଙ୍କ ଜୀବନ ଚାଲିଯିବାରୁ ଦିନେ ପ୍ରଧାନମନ୍ତ୍ରୀ ପୁଣି ଥରେ ମୁହଁ ଖୋଲିଲେ ଓ କହିଲେ, ମାତ୍ର ୫୦ ଦିନ ସମୟ ଦିଅନ୍ତୁ, ଯଦି ତାଙ୍କ ନିଷ୍ପତ୍ତି ଭୁଲ ବୋଲି ସାବିତ ହେବ ତେବେ ତାଙ୍କୁ ଜୀଅନ୍ତ ଜାଳି ଦିଅନ୍ତୁ। ପ୍ରଧାନମନ୍ତ୍ରୀ ସିନା ନିଜର ଗଭୀର ଆତ୍ମ ବିଶ୍ୱାସ ଯୋଗୁଁ ସେପରି କହିଦେଲେ, ଲୋକେ କ’ଣ ସତରେ ସେପରି କରନ୍ତେ? ଭାରତର ଲୋକେ ଅତ୍ୟନ୍ତ ସହନଶୀଳ। ସେମାନେ ସବୁ ସହିଗଲେ। ଏବେ କିନ୍ତୁ ବିମୁଦ୍ରାୟନର ତିନି ବର୍ଷ ତିନି ମାସ ପରେ ଦେଖାଯାଉଛି କଳାଧନ, ଦୁର୍ନୀତି, ଜାଲ୍‌ ନୋଟ୍‌ କାରବାର ଓ ଆତଙ୍କବାଦ ସବୁ ଯେମିତି ଚାଲିଥିଲା ସେମିତି ଚାଲିଛି। କିଛି ବନ୍ଦ ହୋଇନାହିଁ। ଲାଗୁଛି ଯେମିତି ଏସବୁ ବନ୍ଦ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯେଉଁ ଜାଲ ବିଛାଇଥିଲେ ତାହା ଜାଲ୍‌ ଥିଲା। ଯେଉଁମାନେ ହଇରାଣ ହେବା କଥା ସେମାନେ ହେଲେନି, ବରଂ ଯେଉଁମାନଙ୍କ ପାଇଁ ଏହି ନିଷ୍ପତ୍ତି ଭଲ ହେବ ବୋଲି କୁହାଗଲା ସେମାନେ ହନ୍ତସନ୍ତରେ ପଡ଼ିଲେ। ଯେଉଁଥିପାଇଁ ଏବେ ସୁଦ୍ଧା ସୁଧୁରି ନାହିଁ ଅର୍ଥନୀତି। ନୋଟବନ୍ଦିରୁ ମାନ୍ଦାବସ୍ଥା, ମାନ୍ଦାବସ୍ଥାରୁ ମୋଦୀ-ମନ୍ଦି। ବିରୋଧୀ ଦଳଗୁଡ଼ିକ ବିଜେପିର ’ମୋଦୀ ହୈ ତୋ ମୁମ୍‌କିନ୍‌ ହୈ’ ସ୍ଲୋଗାନକୁ ଅପଭ୍ରଂଶ କରି ‘ମୋଦୀ ହୈ ତୋ ମନ୍ଦି ହୈ’ରେ ପରିଣତ କରିବା ରାଜନୀତିକ ଉଦ୍ଦେଶ୍ୟ ପ୍ରଣୋଦିତ ହୋଇଥାଇ ପାରେ, ତେବେ ବିମୁଦ୍ରାୟନ ଯୋଗୁଁ ଯେ ଆଉ କିଛି ନହେଲେ ମଧ୍ୟ ଜାଲ୍‌ ନୋଟ୍‌ କାରବାର ବନ୍ଦ ହୋଇନାହିଁ ତାହା ଦିବାଲୋକ ପରି ସ୍ପଷ୍ଟ ହୋଇଯାଇଛି। ନୋଟ୍‌ବନ୍ଦି ପରେ ଓଡ଼ିଶା ପରି ପଛୁଆ ରାଜ୍ୟରେ ମଧ୍ୟ ଦୁର୍ନୀତି ବନ୍ଦ ହୋଇନାହିଁ। ଏଠି ତଳୁ ଉପର ଯାଏଁ ଲାଞ୍ଚ କାରବାର ଚାଲିଛି। ନୂଆ ୨୦୦୦ ଓ ୫୦୦ ଟଙ୍କିଆ ନୋଟ୍‌ରେ ବି କେହି ଲାଞ୍ଚ ନେବାକୁ ଭୟ କରୁ ନାହାନ୍ତି। ଇତିମଧ୍ୟରେ ଆଇଏଏସ ଅଫିସରଙ୍କ ସମେତ ଓଡ଼ିଶା ସରକାରଙ୍କର ଅନେକ ଅଫିସର ଓ ତଳସ୍ତରର କର୍ମଚାରୀ ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସରେ ଧରା ପଡ଼ିଲେଣି। ସେମାନଙ୍କୁ ନୋଟ୍‌ର କୌଣସି ଚିପ୍ସ ଧରାଇନାହିଁ, ଧରାଇଛି ଭିଜିଲାନ୍ସର ଫନ୍ଦି। କଳାଧନ ସବୁ ବ୍ୟାଙ୍କକୁ ଫେରି ଯାଇଛି। ଯଦି କେଉଁ ଦୁର୍ଗମ ଅଞ୍ଚଳରେ କିଛି ପୁରୁଣା ନୋଟ୍‌ ରହିଯାଇଛି ତେବେ ତାହା ହେଉଛି ନୋଟବନ୍ଦି କଥା ଜାଣି ପାରିନଥିବା ଆଦିବାସୀଙ୍କର। ସେମାନେ ନିଜର କଷ୍ଟ ଅର୍ଜିତ ଧନ ହିଁ ହରେଇଛନ୍ତି। ସେ ଧନ ତାଙ୍କର କଳା ନଥିଲା, ଧଳା ଥିଲା। ଆଉ ନୋଟ୍‌ବନ୍ଦି ଓ ୩୭୦ ଧାରା ଉଚ୍ଛେଦ ହେବା ପରେ ମଧ୍ୟ କାଶ୍ମୀରରେ ଆତଙ୍କବାଦ ବନ୍ଦ ହୋଇନାହିଁ। ନକ୍ସଲମାନେ ମଧ୍ୟ ସେମାନଙ୍କ କାର୍ଯ୍ୟକଳାପ ବନ୍ଦ କରିନାହାନ୍ତି। ସେମାନଙ୍କ ପାଖରେ ଏବେ ବି ପହଞ୍ଚୁଛି ଅସଲି ହେଉ ବା ନକଲି ନୋଟ୍‌। ସେଥିରେ ପରିଚାଳିତ ହେଉଛି ଆତଙ୍କବାଦ। ଜାତୀୟ କ୍ରାଇମ ରେକର୍ଡ଼ ବ୍ୟୁରୋ ବା ଏନସିଆରବି ଅନୁସାରେ ୨୦୧୭ରେ ଯେତେ ଜାଲିନୋଟ୍‌ ଜବତ ହୋଇଥିଲା ତାହାର ୫୩.୩ ପ୍ରତିଶତ ଥିଲା ୨୦୦୦ ଟଙ୍କିଆ। ୨୦୧୮ ବର୍ଷରେ ଜବତ ହୋଇଥିବା ଜାଲିନୋଟ୍‌ର ୬୧ ପ୍ରତିଶତ ଥିଲା ଏହି ମୂଲ୍ୟର ନୋଟ୍‌। ଏ ଦୁଇ ବର୍ଷରେ ଦେଶରେ ଜବତ୍‌ ହୋଇଥିଲା ମୋଟ ୪୬.୦୬ କୋଟି ଟଙ୍କାର ଜାଲ୍‌ନୋଟ୍‌। ଏହାର ୫୬.୩୧ ପ୍ରତିଶତ ଥିଲା ୨୦୦୦ ଟଙ୍କିଆ ନୋଟ୍‌। ଆଉ ଏଇ ଦୁଇ ବର୍ଷରେ ସର୍ବାଧିକ ଜାଲ୍‌ନୋଟ୍‌ ଜବତ ହୋଇଥିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିଜ ରାଜ୍ୟ ଗୁଜରାଟରେ। ସେଠାରେ ଏ ଦୁଇ ବର୍ଷରେ ୩୪,୬୮୦ ଖଣ୍ଡ ଜଲ୍‌ ନୋଟ୍‌ ଧରାପଡ଼ିଥିଲା। ମୂଲ୍ୟ ଥିଲା ୬.୯୩ କୋଟି ଟଙ୍କା। ନୋଟ୍‌ବନ୍ଦିର ବହୁ ଦିନ ପରେ ନୁହେଁ, ନୋଟବନ୍ଦି ପରେ ପରେ ହିଁ ବଜାରେ ଖେଳି ଯାଇଥିଲା ଜାଲ୍‌ ନୋଟ୍‌। ସରକାରୀ ତଥ୍ୟ ଅନୁସାରେ ୨୦୧୬ ନଭେମ୍ବର ୮ ତାରିଖ ପରେ ସେହି ବର୍ଷ ବାକି ରହିଥିବା ୫୩ ଦିନ ଭିତରେ ଦେଶରେ ଧରା ପଡ଼ିଥିଲା ୨୨୭୨ ଖଣ୍ଡ ୨୦୦୦ ଟଙ୍କିଆ ନୋଟ୍‌। ତେବେ କ’ଣ ଏହି ସନ୍ଦେହ ନିରର୍ଥକ ଯେ ଜାଲ୍‌ ନୋଟ୍‌ ବନ୍ଦ କରିବା ପାଇଁ ପକା ଯାଇଥିବା ନୋଟ୍‌ବନ୍ଦିର ଜାଲ ବି ଜାଲ୍‌ ଥିଲା?

Share :