ଗଣତନ୍ତ୍ର, ଗଣ୍ଡତନ୍ତ୍ର, ଭଣ୍ଡତନ୍ତ୍ର

ଗଣତନ୍ତ୍ର, ଗଣ୍ଡତନ୍ତ୍ର, ଭଣ୍ଡତନ୍ତ୍ର

ଦେବେନ୍ଦ୍ର ପୃଷ୍ଟି (ଲେଖାଟି ୨୦୨୦ ଜାନୁଆରୀ ୨୬ ତାରିଖରେ ଓଡ଼ିଶା ରିପୋର୍ଟରେ ପ୍ରକାଶ ପାଇଥିଲା।) ଆଜି ହେଉଛି ଭାରତର ଗଣତନ୍ତ୍ର ଦିବସ। ୧୯୫୦ ଜାନୁଆରୀ ୨୬ ତାରିଖରେ କାର୍ଯ୍ୟକାରୀ ହୋଇଥିଲା ସ୍ୱାଧୀନ ଭାରତର ସମ୍ବିଧାନ। ସେହିଦିନଠାରୁ ଭାରତକୁ ଏକ ସାର୍ବଭୌମ ଗଣତାନ୍ତ୍ରିକ ରାଷ୍ଟ୍ର ଭାବେ ପ୍ରତିଷ୍ଠାଲାଭ କଲା। ଇତିମଧ୍ୟରେ ବିତିଗଲାଣି ୭୦ ବର୍ଷ। ଆଜିଠାରୁ ୭୧ ବର୍ଷରେ ପଦାର୍ପଣ କରିଛି ଭାରତୀୟ ଗଣତନ୍ତ୍ର। ସେଦିନ ବା ସେହି ସମୟରେ ଯେଉଁମାନେ ଜନ୍ମ ନେଇଥିଲେ ସେମାନେ ଏବେ ଜୀବନର ସାୟାହ୍ନରେ ହିସାବ ନିକାଶ କରୁଥିବେ ଜୀବନ ସଂଗ୍ରାମ ଭିତରେ ସେମାନେ ପାଇଲେ କ’ଣ ହରେଇଲେ କ’ଣ। କେତେ ସଫଳ ସେମାନଙ୍କର ଜୀବନ? କେତେ ବିଫଳ? ପିଲାଛୁଆ ମଣିଷ ହେଲେ ନା ନାହିଁ? ପ୍ରତିଷ୍ଠା ପାଇଲେ ନାହିଁ? ଯେତିକି ସଂପତ୍ତିବାଡ଼ି ଅର୍ଜନ କରିଛି ତାହା ସେମାନଙ୍କ ପାଇଁ ଯଥେଷ୍ଟ ତ? ସେମାନେ ନିଜେ କିଛି ହାସଲ କଲେ ନା ନାହିଁ? ଏମିତି ଅନେକ ପ୍ରଶ୍ନ ଉଙ୍କି ମାରୁଥିବ ୭୦ ବର୍ଷ ବୟସର ଜଣେ ଗୃହକର୍ତ୍ତା ମନରେ। ଭାରତୀୟ ଗଣତନ୍ତ୍ର ସଂପର୍କରେ ମଧ୍ୟ ସେମିତି ପ୍ରଶ୍ନ ଉଠିବା ଦରକାର। ଗୋଟିଏ ଦେଶର ଭବିଷ୍ୟତ ଗଢ଼ିବା ପାଇଁ ସାତ ଦଶନ୍ଧି କିଛି କମ୍‌ ସମୟ ନୁହେଁ। କୁହାଯାଏ, ରାଜନୀତିରେ ଗୋଟିଏ ସପ୍ତାହ ବହୁତ ଲମ୍ବା। ଯାହା ରାଜନୀତି କ୍ଷେତ୍ରରେ ଠିକ ତାହା ରାଷ୍ଟ୍ରନୀତି କ୍ଷେତ୍ରରେ ମଧ୍ୟ ଊଣାଅଧିକେ ଠିକ। ଜଣେ ପ୍ରଧାନମନ୍ତ୍ରୀ ଯଦି ୬୦ ବର୍ଷ ବନା ୬୦ ମାସର ସ୍ଲୋଗାନ ଦେଇ ଲୋକମାନଙ୍କର ଆଶା, ଆକଙ୍‌କ୍ଷା ଓ ସ୍ୱପ୍ନ ବଦଳାଇ ଦେଇପାରନ୍ତି, ତେବେ ୬୦ ମାସ ବା ୫ ବର୍ଷ ଭିତରେ ଦେଶର ଅବସ୍ଥା ବଦଳାଇ ହେବ ବୋଲି ବିଶ୍ୱାସ କରିବା ଆଦୌ ଭୁଲ ନୁହେଁ। ଏଇ ୭୦ ବର୍ଷ ଭିତରେ କେତେ ସୁଦୃଢ଼ ହୋଇଛି ଭାରତର ଗଣତନ୍ତ୍ର? ଜନଗଣଙ୍କର ଗୁରୁତ୍ୱ କେତେ ବଢ଼ିଛି ଗଣତନ୍ତ୍ରରେ? ଗଣତନ୍ତ୍ର ସଂପର୍କରେ ଗଣଦେବତାମାନା କେତେ ସଚେତନ? ଭାରତୀୟ ଗଣତନ୍ତ୍ରର ମୂଳାଧାର ସମ୍ବିଧାନ ସଂପର୍କରେ କେତେ ଜ୍ଞାନ ହାସଲ କରିଛନ୍ତି ଜନତା ଜନାର୍ଦ୍ଦନ? ସେମାନଙ୍କୁ କି ଅଧିକାର ଦେଇଛି ସମ୍ବିଧାନ? କି କର୍ତ୍ତବ୍ୟ ନ୍ୟସ୍ତ କରିଛି ସେମାନଙ୍କ ଉପରେ? ଭାରତୀୟ ସମ୍ବିଧାନ ଜନଗଣଙ୍କୁ ଦେଇଥିବା କେତେ ପ୍ରତିଶ୍ରୁତି କିଭଳି କାର୍ଯ୍ୟକାରୀ ହୋଇଛି? କାହିଁକି ହୋଇନାହିଁ? କିଏ ସେଥିପାଇଁ ଦାୟୀ? ଏସବୁ ବିଷୟରେ ଏବେ ଗଣତନ୍ତ୍ରର ମାଲିକ ଜନତା, ସେବକ ନେତା ଓ ସେବାକାରୀ ବାବୁମାନେ ଗମ୍ଭୀର ଭାବେ ଚିନ୍ତା କରିବାର ଆବଶ୍ୟକତା ରହିଛି। ଚିନ୍ତା ତ ନୁହେଁ ଆତ୍ମସମୀକ୍ଷା କରାଯିବା ଦରକାର। ନିଜ ନିଜ ସ୍ତରରେ ସମସ୍ତେ ନିଜକୁ ପ୍ରଶ୍ନ କରିବା ଦରକାର, ଆମେ ନିଜକୁ ଠକି ନାହୁଁ ତ? ଦେଶ ଓ ଦେଶବାସୀଙ୍କ ସହିତ ପ୍ରତାରଣା କରିନାହୁଁ ତ? ଆଜିର ଏହି ପବିତ୍ର ଦିନରେ ସମସ୍ତେ ଏହି ସଂକଳ୍ପ ଗ୍ରହଣ କରିବା ଉଚିତ। ଆମେ ଆତ୍ମସମୀକ୍ଷା କରିବା, ସମ୍ବିଧାନ ବିଷୟରେ ଜାଣିବା, ଜଣେଇବା ଓ ସମ୍ବିଧାନ ଅନୁସାରେ ସରକାର ଚଳେଇବା। ଯଦି କେବଳ ସେତିକି କରାଯାଏ, ତେବେ ଆମ ଗଣତନ୍ତ୍ରର ଅନେକ ଦୋଷଦୁର୍ବଳତା ଆପେ ଆପେ ଦୂର ହୋଇଯିବ ଓ ଭାରତ ଅଚିରେ ବିଶ୍ୱଗୁରୁ ଭୂମିକାରେ ଅବତୀର୍ଣ୍ଣ ହୋଇପାରିବ। ଆଶା ଓ ଆନନ୍ଦର କଥା ଯେ ଏ ୭୦ ବର୍ଷ ଭିତରେ ଭାରତର ଅନେକ ପଡ଼ୋଶୀ ରାଷ୍ଟ୍ରରେ ଗଣତନ୍ତ୍ର ଅତ୍ୟନ୍ତ ଦୁର୍ବଳ ହୋଇଯାଇଛି। ପାକିସ୍ତାନରେ ଗଣତନ୍ତ୍ର ଆଢ଼ୁଆଳରେ ସାମରିକ ଶାସନ ଚାଲିଛି। ଏ ୭୦ ବର୍ଷରୁ ୪୦ ବର୍ଷ ଉପରେ ପାକିସ୍ତାନରେ ସିଧାସଳଖ ସାମରିକ ଶାସନ ଥିଲା। ବ୍ରହ୍ମଦେଶ ଏଇ ନିକଟରେ ସାମରିକ ଶାସନରୁ ମୁକ୍ତ ହୋଇଛି। ମାଳଦ୍ୱୀପ ମଧ୍ୟ ସେନା ଶାସନର ସ୍ୱାଦ ଚାଖିଛି। ନେପାଳରେ ରାଜତନ୍ତ୍ର ପରେ ଗଣତନ୍ତ୍ର ପ୍ରତିଷ୍ଠା ହୋଇଥିଲେ ବି ଅସ୍ଥିରତା ଲାଗି ରହିଛି। ଶ୍ରୀଲଙ୍କାରେ ରାଷ୍ଟ୍ରପତିମୂଳକ ଗଣତନ୍ତ୍ର ଏକଛତ୍ରବାଦୀ ଶାସନରେ ପରିଣତ ହୋଇ ପୁଣି ସେଠୁ ଫେରିଛି। ବାଂଲାଦେଶରେ ମଧ୍ୟ ସାମରିକ ବିଦ୍ରୋହ ଜରିଆରେ ଶାସନ କ୍ଷମତା ଅକ୍ତିଆର କରାଯାଇଛି, ପୁଣି ଗଣତନ୍ତ୍ର ଫେରିଛି। ଚାରି ପଟରେ ଗଣତନ୍ତ୍ରର ଗଣସଂହାର କରାଯାଇଥିବାବେଳେ ଭାରତବର୍ଷର ଗଣତନ୍ତ୍ର ତିଷ୍ଠିଛି, ଚର୍ଚ୍ଚିଲଙ୍କ ଭବିଷ୍ୟତବାଣୀ ସତ ହୋଇନାହିଁ। ଏହା କମ୍‌ ଆଶ୍ୱାସନାର କଥା ନୁହେଁ। ସବୁ ଦୋଷ ଓ ଦୁର୍ବଳତା ଭିତରେ ଭାରତର ଗଣତନ୍ତ୍ର ବଜାୟ ରହିବା ଆମ ପାଇଁ ସବୁଠୁ ବଡ଼ ସଫଳତାର କଥା। ଏଇ ୭୦ ବର୍ଷ ଭିତରେ ଭାରତ ଚନ୍ଦ୍ର ଓ ମଙ୍ଗଳରେ ପହଂଚିଛି, ଆଣବିକ ପରୀକ୍ଷା କରିଛି, ଅଣୁ ଅସ୍ତ୍ର ହାସଲ କରିଛି, ପାକିସ୍ତାନକୁ ତିନି ତିନିଟି ଯୁଦ୍ଧରେ ପରାସ୍ତ କରିଛି, ହକି ଓ କ୍ରିକେଟ ବିଶ୍ୱକପ୍‌ ବିଜୟୀ ହୋଇଛି, ଶାନ୍ତି, ସେବା ଓ ସାହିତ୍ୟ ପାଇଁ ଏକାଧିକ ନୋବେଲ୍‌ ପାଇଛି। କିନ୍ତୁ ଦାରିଦ୍ର୍ୟ ଓ ଅଶିକ୍ଷା ଦୂର କରିପାରିନାହିଁ। ଏବେ ବି ଭାରତର ୨୨ ପ୍ରତିଶତ ଲୋକ ନିରକ୍ଷର, ୨୩ ପ୍ରତିଶତ ଲୋକ ଦରିଦ୍ର। ଏଇ ଦରିଦ୍ର ଓ ନିରକ୍ଷର ଲୋକଙ୍କ ଭୋଟରେ ହିଁ ଗଢ଼ାଯାଉଛି ସରକାର। ମୁଖ୍ୟତଃ ଏଇ ବର୍ଗର ଲୋକମାନେ ହିଁ ଗଣତନ୍ତ୍ରର ମତଦାତା। ଶିକ୍ଷିତ ଓ ସଚେତନ ଲୋକଙ୍କ ଅଂଶୀଦାରି ଏବେ ବି କମ୍‌। ଏହା ଭାରତୀୟ ଗଣତନ୍ତ୍ରର ଏକ ପ୍ରମୁଖ ବିଫଳତା। ଗଣତନ୍ତ୍ର ଏମିତି ଏକ ଶାସନ ପଦ୍ଧତି ଯାହା କେବଳ ଶିକ୍ଷିତ ଓ ସଚେତନ ସମାଜରେ ସଫଳ ହୋଇପାରେ। ଯେଉଁ ଦେଶ ଯେତେ ଅଧିକ ଶିକ୍ଷିତ ଓ ସଚେତନ ସେଠାରେ ଗଣତନ୍ତ୍ର ସେତେ ଅଧିକ ସଫଳ ଓ ସୁଦୃଢ଼। ଭାରତବର୍ଷରେ ମୋଟ ଭୋଟରଙ୍କ ମଧ୍ୟରୁ ଭୋଟ ଦିଅନ୍ତି ପ୍ରାୟ ୭୦ ପ୍ରତିଶତ। ପ୍ରାର୍ଥୀଙ୍କ ସଂଖ୍ୟାର ସୀମା ନାହିଁ। ପାଞ୍ଚରୁ ଅଧିକ ପ୍ରାର୍ଥୀ ହେଲେ ୭୦ ଭୋଟରୁ ୧୫-୨୦ ଭୋଟ ପାଇଲେ ବି ’ଆଗ କିଏ ଗୁଳା ଛୁଇଁଲା’ ନୀତିରେ ବିଜୟୀ ଘୋଷିତ ହେବେ। ସେଇ ୧୫-୨୦ ଭୋଟ ପାଇଥିବା ପ୍ରାର୍ଥୀ ହିଁ ସମସ୍ତଙ୍କର ପ୍ରତିନିଧି ହେବାର ଦାୟିତ୍ୱ ପାଆନ୍ତି, ତୁଲାନ୍ତି କେତେ ତାହା ସମସ୍ତେ ଜାଣନ୍ତି। ଗଣଙ୍କର ପ୍ରତିନିଧି ଦଳ ବା ଦଳୀୟ ନେତାଙ୍କର ସେବା ଓ ଦାୟିତ୍ୱ ବହନ କରନ୍ତି। ଭୋଟର ବା ଜନତାଙ୍କ ପ୍ରତି ଆନୁଗତ୍ୟ ନୁହେଁ ଦଳ ଓ ଦଳୀୟ ନେତାଙ୍କ ପ୍ରତି ଆନୁଗତ୍ୟ ସେମାନଙ୍କର ପ୍ରଧାନ କର୍ତ୍ତବ୍ୟ ହୋଇଯାଏ। ଭାରତୀୟ ସମ୍ବିଧାନର କୌଣସିଠାରେ ରାଜନୀତିକ ଦଳ କଥା ଉଲ୍ଲେଖ ନଥିଲେ ମଧ୍ୟ ନିର୍ବାଚନ କମିଶନ ଓ ଜନ ପ୍ରତିନିଧି ଆଇନର ଫାଙ୍କରେ ଏହା ହିଁ ଚାଲିଛି। ସଂଖ୍ୟାଲଘୁ ଭୋଟରେ ବିଜୟୀ ନେତାମାନେ ସଂଖ୍ୟାଧିକଙ୍କ ଉପରେ ଶାସନ କରୁଛନ୍ତି। ଏଯାଏଁ ଭାରତର କୌଣସି ସରକାର ପ୍ରକୃତ ବହୁମତ ବା ୫୧ ପ୍ରତିଶତ ଜନସମର୍ଥନ ପାଇ ଗଢ଼ା ଯାଇନାହିଁ। ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ଜନିତ ଅନୁକମ୍ପା ଲହରରେ ୧୯୮୪ ନିର୍ବାଚନରେ କେବଳ ରାଜୀବ ଗାନ୍ଧୀଙ୍କ କଂଗ୍ରେସ ୪୯ ପ୍ରତିଶତ ଭୋଟ ପାଇଥିଲା। ତାହା ବି ଶତକଡ଼ା ହିସାବରେ ବହୁମତ ନୁହେଁ। ଅନ୍ୟ ସବୁ ସରକାର ୩୦-୪୦ ପ୍ରତିଶତ ଭୋଟର ସମର୍ଥନରେ ଗଢ଼ାଯାଇଛି। ଏହିଭଳି ଭାବେ ଇତିମଧ୍ୟରେ ୧୩ ଜଣ ପ୍ରଧାନମନ୍ତ୍ରୀ ନିର୍ବାଚିତ ହେଲେଣି। ସେମାନଙ୍କ ସରକାର ଏଯାଏଁ ସମ୍ବିଧାନରେ ଦିଆଯାଇଥିବା ଅନେକ ପ୍ରତିଶ୍ରୁତି ପାଳନ କରିନାହାନ୍ତି। ସମ୍ବିଧାନର ମୁଖବନ୍ଧରେ ଥିବା ‘ସମାଜବାଦୀ ଧର୍ମନିରପେକ୍ଷ ଗଣତାନ୍ତ୍ରିକ’ ଦେଶ ପରିକଳ୍ପନାରୁ ଏବେ ବି ଅନେକ ଦୂରରେ ଭାରତବର୍ଷ। ଦେଶରେ ଚାଲିଛି ପୁଞ୍ଜିବାଦୀ ଅର୍ଥନୀତି, ସାଂପ୍ରଦାୟିକ ରାଜନୀତି ଓ ଦଳତାନ୍ତ୍ରିକ ସରକାର। ସମ୍ବିଧାନର ୧୪ ଧାରାରେ ଦେଶରେ ବସବାସ କରୁଥିବା ସମସ୍ତ ଲୋକଙ୍କୁ ସମାନ ପ୍ରକାର ଆଇନ ସୁରକ୍ଷା ମିଳିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି। କିନ୍ତୁ ଏବେ ନାଗରିକତା ଆଇନରେ ଏକ ନିର୍ଦ୍ଦିଷ୍ଟ ଧର୍ମର ଲୋକଙ୍କୁ ବାଦ ଦିଆଯାଇଛି। ଏହା ସମାନତା ନୁହେଁ। ସମ୍ବିଧାନର ୧୭ ଧାରାରେ ଅସ୍ପୃଶ୍ୟତାର ଉଚ୍ଛେଦ ହେଲା ବୋଲି ଲେଖାଯାଇଛି। କିନ୍ତୁ ତାହା ଭାରତ ବାହ୍ୟ ମଳମୁକ୍ତ ଦେଶ ହେଲା ଭଳି ଘୋଷଣା ପରି ଡାହା ମିଛ ହୋଇଯାଇଛି। ଏବେ ବି ଭାରତରେ ଛୁଆଁ-ଅଛୁଆଁ ଭେଦଭାବ ରହିଛି। ସମ୍ବିଧାନର ୧୮ ଧାରା ଅନୁସାରେ ସାମରିକ ଓ ଶୈକ୍ଷିକ ଉପାଧି ବ୍ୟତିତ ଅନ୍ୟ କୌଣସି ଉପାଧି ଦିଆଯିବ ନାହିଁ କି କେହି ଗ୍ରହଣ କରିବେ ନାହିଁ। କିନ୍ତୁ ପଦ୍ମ ଓ ଭାରତ ରତ୍ନ ଆଦି ପୁରସ୍କାର ଏବେ ଉପାଧିରେ ପରିଣତ ହୋଇଛି। ସମ୍ବିଧାନର ୨୩ ଧାରାରେ କୁହାଗଲା ମଣିଷ ଚାଲାଣ ବା ହ୍ୟୁମାନ ଟ୍ରାଫିକିଂ ଏବଂ ଭିକ୍ଷାବୃତ୍ତି ଉଚ୍ଛେଦ ହେବ। ଏବେ ବି ବହୁ ମହିଳାଙ୍କୁ ଅନୈତିକ କାର୍ଯ୍ୟରେ ନିୟୋଜିତ କରାଯାଉଛି, ଭିକାରୀ ଭାରତର ସବୁ ମନ୍ଦିର ଓ ସହରରେ ଭରପୂର। ସମ୍ବିଧାନର ଚତୁର୍ଥ ପରିଚ୍ଛଦ ଅନ୍ତର୍ଗତ ୩୭ ଧାରାରେ କୁହାଗଲା ଏହି ପରିଚ୍ଛଦର ଧାରା ଉପରେ କୋର୍ଟରେ ମକଦ୍ଦମା କରାଯିବ ନାହିଁ, ମାତ୍ର ଏସବୁ ଧାରା ହେଉଛି ଶାସନର ମୌଳିକ ଆଧାର। ଅଥଚ ୩୮ ଧାରାରେ ଆର୍ଥିକ ଅସମାନତା ଦୂର କରି ଏକ ସମାନତା ଭିତ୍ତିକ ସମାଜ ଗଠନ କରିବାର ପ୍ରତିଶ୍ରୁତି ଏଯାଏଁ ପୂରଣ ହୋଇନାହିଁ। ବରଂ ସରକାରଙ୍କ ନୀତି ଓ କାର୍ଯ୍ୟକ୍ରମ ଜରିଆରେ ଆର୍ଥିକ ଓ ଆୟ ଅସମାନତା ବୃଦ୍ଧି ପାଇଚାଲିଛି। ଏବେ ଦେଶର ମାତ୍ର ୧ ପ୍ରତିଶତ ଧନୀଙ୍କ ହାତରେ ୭୦ ପ୍ରତିଶତ ଗରୀବଙ୍କ ସଂପତ୍ତିଠାରୁ ୪ ଗୁଣ ଅଧିକ ସଂପତ୍ତି ରହିଛି। ସମ୍ବିଧାନର ୩୯ ଧାରାରେ କୁହାଗଲା ସାଧାରଣ ସଂପତ୍ତି ଉପରେ ସାଧାରଣଙ୍କ ଅଧିକାର ରହିବ, ସଂପତ୍ତି ଯେପରି କାହା କାହା ପାଖରେ ବା ନିର୍ଦ୍ଦିଷ୍ଟ ବର୍ଗରେ କେନ୍ଦ୍ରୀଭୂତ ନହେବ ତାହା ନିଶ୍ଚିତ କରାଯିବ। କିନ୍ତୁ ଏବେ ଫଳ ଦିଶୁଛି ଓଲଟା। ଅଳ୍ପ ଲୋକ ଧନୀ, ଅଧିକ ଲୋକ ଗରୀବ। ସାଧାରଣ ସଂପତ୍ତି ଉପରେ ଶିଳ୍ପ ଓ ବ୍ୟବସାୟର ଅଧିକାର ପକ୍କା। ସମ୍ବିଧାନର ୪୪ ଧାରା କହିଲା ଦେଶରେ ସବୁ ଲୋକଙ୍କ ପାଇଁ ଗୋଟିଏ ଆଇନ ବା ୟୁନିଫର୍ମ ସିଭିଲ କୋଡ଼୍‌ ହେବ। ତାହା ଏଯାଏଁ ହୋଇନାହିଁ। ସମ୍ବିଧାନର ୪୬ ଧାରା ଅନୁସାରେ ତଫସିଲଭୁକ୍ତ ଜାତି, ତଫସିଲଭୁକ୍ତ ଉପଜାତି ଓ ସଂଖ୍ୟାଲଘୁଙ୍କ ଶିକ୍ଷା ବିକାଶ କରାଯିବ। ଏବେ ବି ଏହି ତିନି ଗୋଷ୍ଠୀର ଲୋକ ଶିକ୍ଷା କ୍ଷେତ୍ରରେ ସର୍ବାଧିକ ପଛୁଆ। ସମ୍ବିଧାନର ୪୮ ଧାରା ଅନୁସାରେ ପରିବେଶ, ଜଙ୍ଗଲ, ବନ୍ୟଜନ୍ତୁଙ୍କ ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯିବ। କିନ୍ତୁ ଏବେ ଶିଳ୍ପ ପାଇଁ ଆଗ ବଳି ପଡ଼ୁଛନ୍ତି ପରିବେଶ, ଜଙ୍ଗଲ ଓ ବନ୍ୟଜନ୍ତୁ। ସମ୍ବିଧାନର ୫୦ ଧାରା କହିଲା ନ୍ୟାୟପାଳିକ ଓ କାର୍ଯ୍ୟ ନିର୍ବାହୀ ଅଲଗା ହେବେ। ଏବେ ବି ସୁପ୍ରିମ କୋର୍ଟ ବିଚାରପତି ନିଯୁକ୍ତିରେ କେନ୍ଦ୍ର ସରକାରଙ୍କ ଭୂମିକା ଅଛି। ସମ୍ବିଧାନର ୫୧ ଧାରାରେ ନାଗରିକଙ୍କ ଉପରେ ନ୍ୟସ୍ତ କରାଯାଇଥିବା କୌଣସି କର୍ତ୍ତବ୍ୟ କେହି ପ୍ରାୟ ପାଳନ କରୁନାହାନ୍ତି। ନଦୀ, ନାଳ, ହ୍ରଦ ଆଦିର ସୁରକ୍ଷା ନକରି ସେଗୁଡ଼ିକୁ ପୋତି ଘର କରିବାରେ ବ୍ୟସ୍ତ ସବୁ ବର୍ଗ ଓ ବୃତ୍ତିର ଧନୀ। ସମ୍ବିଧାନର ୨୪୩-ଏ ଧାରା ଅନୁସାରେ ପଞ୍ଚାୟତ ପାଇଁ ଗ୍ରାମସଭା ରାଜ୍ୟର ବିଧାନସଭା ଭଳି କାମ କରିବ। ଏବେ ତାହା ପ୍ରକ୍ସିରେ ଚାଲିଛି। ସମ୍ବିଓନର ୨୪୩-ଏସ୍‌ ଧାରା ଅନୁସାରେ ପ୍ରତି ପୌରାଞ୍ଚଳରେ ଗଠିତ ହେବ ୱାର୍ଡ଼ କମିଟି। ଏଯାଏଁ ଓଡ଼ିଶା ଭଳି ରାଜ୍ୟରେ ତାହା ଗଢ଼ା ଯାଇନାହିଁ। ଆଉ ତ ଆଉ ସମ୍ବିଧାନ ଅନୁସାରେ ପ୍ରତି ୫ ବର୍ଷରେ ପୌର ନିର୍ବାଚନ ହେବା ବାଧ୍ୟତାମୂଳକ ହୋଇଥିଲେ ହେଁ ଓଡ଼ିଶାରେ ଦେଢ଼ ବର୍ଷ ହେଲାଣି ନିର୍ବାଚିତ ପୌରସଂସ୍ଥା ନାହିଁ। କହିବାକୁ ଗଲେ ଭାରତର ଗଣତନ୍ତ୍ର ଅଶିକ୍ଷା ଓ ଦାରିଦ୍ର୍ୟ ଯୋଗୁଁ ଅଜ୍ଞାନ ବା ମୂର୍ଖଙ୍କ ତନ୍ତ୍ରରେ ପରିଣତ ହୋଇଛି। ଅଧିକାଂଶ ଭୋଟରଙ୍କ ଭୋଟ କିଣିପାରୁଥିବା ଲୋକମାନେ ସରକାର ଗଢ଼ୁଛନ୍ତି ଏବଂ ସେମାନେ ଦେଶରେ ଯେଉଁ ତନ୍ତ୍ର ଚଳେଇଛନ୍ତି ତାହା ଭଣ୍ଡତନ୍ତ୍ରର ଚରିତ୍ର ଆହରଣ କରିଛି। ଏବେ ଗଣତନ୍ତ୍ରକୁ ଗଣ୍ଡ ଓ ଭଣ୍ଡଙ୍କ ତନ୍ତ୍ରରୁ ମୁକ୍ତ କରିବାର ବେଳ ଉପନୀତ। ଦେଶର ସମସ୍ତ ଶିକ୍ଷିତ ଓ ସଚେତନ ନାଗରିକ, ଅଧିକ ବିଳମ୍ବ ହେବା ପୂର୍ବରୁ ଏ ଦିଗରେ କାର୍ଯ୍ୟ କରିବା ଉଚିତ।

Share :