ଗଣତନ୍ତ୍ର ଆଉ ଭଲ ଲାଗୁନି!

ଗଣତନ୍ତ୍ର ଆଉ ଭଲ ଲାଗୁନି!

Share :

ଦେବେନ୍ଦ୍ର ପୃଷ୍ଟି ସାମ୍ୟବାଦର ପ୍ରବର୍ତ୍ତକ କାର୍ଲ ମାର୍କ୍ସ କହିଥିଲେ, ସମାଜବାଦକୁ ସଡ଼କ ହେଉଛି ଗଣତନ୍ତ୍ର। ଗଣତନ୍ତ୍ରର ଏକ ଚରିତ୍ର ହେଉଛି ସାମ୍ୟବାଦ। ଏହା ଭୋଟର ବା ଜନଗଣଙ୍କ ସମାନତାରେ ବିଶ୍ୱାସ କରେ। ଗଣତନ୍ତ୍ରରେ ସବୁ ଲୋକଙ୍କର ସମାନ ଅଧିକାର ରହିଛି, ସମସ୍ତଙ୍କର ଭୋଟ ବା ମତର ମୂଲ୍ୟ ସମାନ। ସମାଜବାଦ ଆର୍ଥିକ ଅସମାନତାର ବିରୋଧୀ। ସମାଜବାଦ ଜରିଆରେ ଲୋକଙ୍କ ମଧ୍ୟରେ ଆର୍ଥିକ ସମାନତା ପ୍ରତିଷ୍ଠା ହେବାର ସମ୍ଭାବନା ରହିଛି। ଉଭୟ ଗଣତନ୍ତ୍ର ଓ ସମାଜବାଦ ପାଇଁ କାର୍ଲ ମାର୍କ୍ସଙ୍କର ଏହି ଉକ୍ତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ମାତ୍ର, ତାଙ୍କ କଥା ଯଦି ସତ ହୋଇଥାନ୍ତା, ତେବେ ବିଶ୍ୱରେ ଏବେ ସୁଦ୍ଧା ପ୍ରାୟ ସବୁ ଦେଶରେ ଗଣତନ୍ତ୍ର ଜରିଆରେ ସମାଜବାଦ ସୁଦୃଢ଼ ହୋଇସାରିଥାନ୍ତା। ମାତ୍ର ଏବେ ବିଶ୍ୱର ଅଧିକାଂଶ ଦେଶରେ ଗଣତାନ୍ତ୍ରିକ ପଦ୍ଧତିରେ ସରକାର ନିର୍ବାଚିତ ହେଉଥିଲେ ବି ପ୍ରାୟ ସବୁଠି ପୁଞ୍ଜିବାଦର ରାଜୁତି। ଖୁବ ଅଳ୍ପ ଦେଶରେ ସମାଜବାଦୀ ଆର୍ଥନୀତିକ ଢାଞ୍ଚା ରହିଛି। ତାହା ମଧ୍ୟ ଅବକ୍ଷୟମାଣ। ବିଶ୍ୱର ବଡ଼ ବଡ଼ ଗଣତନ୍ତ୍ର ଏହାର ଉଦାହରଣ। କେବଳ ବଡ଼ ନୁହେଁ ସଫଳ ଗଣତନ୍ତ୍ରର ଉଦାହରଣ ଭାବେ ପରିଗୃହୀତ ଆମେରିକା, ଇଂଲଣ୍ଡ, ଭାରତ, କାନାଡ଼ା, ଅଷ୍ଟ୍ରେଲିଆ, ବ୍ରାଜିଲ, ଫ୍ରାନ୍ସ, ଇଂଲଣ୍ଡ ଆଦି ଦେଶରେ ସମାଜବାଦର ଚିହ୍ନବର୍ଣ୍ଣ ନାହିଁ। ଏସବୁ ସଫଳ ଗଣତନ୍ତ୍ରରେ ପୁଞ୍ଜିବାଦ ହିଁ ଅର୍ଥନୀତିର ତନ୍ତ୍ର, ମନ୍ତ୍ରୀ ଓ ଯନ୍ତ୍ର ସବୁ କିଛି ହୋଇସାରିଛି। ପୁଞ୍ଜିବାଦ ଜରିଆରେ ବିଶ୍ୱରେ ବିକାଶର ଗତି ତ୍ୱରାନ୍ୱିତ ହେଉଛି ବୋଲି କୁହାଯାଉଛି। ପୁଞ୍ଜିବାଦ ଜରିଆରେ ସମୃଦ୍ଧିର ବେଗ ଓ ହାର ବୃଦ୍ଧି ପାଉଛି ବୋଲି କଳଣା କରାଯାଉଛି। ପୁଞ୍ଜିବାଦ ଜରିଆରେ ଗଣତନ୍ତ୍ର ମଧ୍ୟ ସୁଦୃଢ଼ ଓ ଲୋକପ୍ରିୟ ହେଉଛି ବୋଲି ପ୍ରଚାର ଚାଲିଛି। ତଥାପି, କାହିଁକି କେଜାଣି ସମଗ୍ର ବିଶ୍ୱରେ ଗଣତନ୍ତ୍ର ପ୍ରତି ଆସ୍ଥା ତୁଟିବାରେ ଲାଗିଛି। କେମ୍ବ୍ରିଜ ବିଶ୍ୱବିଦ୍ୟାଳୟ ତରଫରୁ ପ୍ରକାଶ ପାଇଥିବା ଏକ ଅନୁଧ୍ୟାନ ରିପୋର୍ଟ ଅନୁସାରେ ସମଗ୍ର ବିଶ୍ୱରେ ଏବେ ଗଣତାନ୍ତ୍ରିକ ମାନ୍ଦାବସ୍ଥା ଚାଲିଛି। ଗଣତନ୍ତ୍ର ଉପରୁ ଅଧିକରୁ ଅଧିକ ଲୋକଙ୍କ ବିଶ୍ୱାସ ଓ ଭରସା ତୁଟିବାରେ ଲାଗିଛି। ୧୯୯୫ ମସିହାରୁ ୨୦୨୦ ମଧ୍ୟରେ ପ୍ରାୟ ୧୫୪ଟି ଦେଶର ଅନ୍ୟୁନ ୪୦ ଲକ୍ଷ ଲୋକଙ୍କ ନେଇ କରାଯାଇଥିବା ୨୫ଟି ସର୍ବେକ୍ଷଣ ରିପୋର୍ଟକୁ ମିଳାଇ ଏହି ବିଶ୍ୱବିଦ୍ୟାଳୟ ଏକ ରିପୋର୍ଟ ପ୍ରସ୍ତୁତ କରିଛି। ଏହି ରିପୋର୍ଟ ଅନୁସାରେ ପୃଥିବୀର ପ୍ରାୟ ୫୭.୫ ପ୍ରତିଶତ ଲୋକ ପ୍ରଚଳିତ ଗଣତନ୍ତ୍ର ନେଇ ସନ୍ତୁଷ୍ଟ ନାହାନ୍ତି। ଏହି ରିପୋର୍ଟ ଅନୁସାରେ ବିଂଶ ଶତାବ୍ଦୀର ଶେଷ ଦଶନ୍ଧି ବା ୧୯୯୦ ଦଶକରୁ ବିଶ୍ୱର ବହୁ ଦେଶରେ ଅଧିକରୁ ଅଧିକ ଲୋକ ଗଣତନ୍ତ୍ର ନେଇ ଅସନ୍ତୋଷ ପ୍ରକାଶ କରିଚାଲିଛନ୍ତି। ଆମରିକା, ଇଂଲଣ୍ଡ, ଅଷ୍ଟ୍ରେଲିଆ, ମେକ୍ସିକୋ ଓ ବ୍ରାଜିଲ ଭଳି ବଡ଼ ବଡ଼ ଗଣତନ୍ତ୍ରରେ ଗଣତନ୍ତ୍ର ବିରୋଧରେ ଅଧିକ ଲୋକ ମତ ପ୍ରକାଶ କରିଛନ୍ତି। ଏସବୁ ଦେଶ ବିକଶିତ ଓ ସମୃଦ୍ଧ। କିନ୍ତୁ ଡେନମାର୍କ, ସୁଇଜରଲାଣ୍ଡ, ନରୱେ ଓ ନେଦରଲାଣ୍ଡ ଭଳି ଛୋଟ ଛୋଟ ଦେଶରେ ଗଣତନ୍ତ୍ର ପ୍ରତି ଲୋକମାନଙ୍କର ଆସ୍ଥା ଓ ବିଶ୍ୱାସ ପ୍ରାୟ ଅତୁଟ ରହିଛି। ଏସବୁ ଦେଶ ମଧ୍ୟ ବିକଶିତ ଓ ସମୃଦ୍ଧ। ବିଶ୍ୱ ଗଣତନ୍ତ୍ର ପ୍ରତି ଏହି ଅନିଚ୍ଛାଭାବକୁ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟର ଏହି ରିପୋର୍ଟରେ ‘ଗଣତାନ୍ତ୍ରିକ ପ୍ରତ୍ୟାବର୍ତ୍ତନ’ ଭାବେ ବର୍ଣ୍ଣନା କରାଯାଇଛି। ତେବେ, କାହିଁକି ଏହି ପ୍ରତ୍ୟାବର୍ତ୍ତନ? ଆମେରିକାର ଭୂତପୂର୍ବ ରାଷ୍ଟ୍ରପତି ଆବ୍ରାହମ ଲିଙ୍କନଙ୍କ ଭାଷାରେ ‘ଗଣତନ୍ତ୍ର ହେଉଛି ଲୋକଙ୍କ ପାଇଁ ଲୋକଙ୍କ ଦ୍ୱାରା ଲୋକଙ୍କ ଶାସନ’। ସେହି ଆମେରିକାର ଅନ୍ୟ ଜଣେ ପୂର୍ବତନ ରାଷ୍ଟ୍ରପତି ରୋନାଲ୍ଡ ରିଗାନଙ୍କ ଭାଷାରେ, ‘ଗଣତନ୍ତ୍ର ପାଇଁ ପ୍ରାଣତ୍ୟାଗ କରିବାର ମୂଲ୍ୟ ଅଛି, କାରଣ ଏଯାଏଁ ବାହାରିଥିବା ସବୁଠାରୁ ସମ୍ମାନଜନକ ଶାସନ ବ୍ୟବସ୍ଥା ହେଉଛି ଗଣତନ୍ତ୍ର’। ଗ୍ରୀକ ଦାର୍ଶନିକ ଆରିଷ୍ଟୋଟ୍‌ଲ ମଧ୍ୟ କହିଥିଲେ, ‘ଗଣତନ୍ତ୍ରରେ ଧନୀଙ୍କ ତୁଳନାରେ ଗରୀବ ଲୋକମାନେ ଅଧିକ କ୍ଷମତାର ଅଧିକାରୀ ହେବେ, କାରଣ ଗରୀବଙ୍କ ସଂଖ୍ୟା ଅଧିକ ଓ ଗଣତନ୍ତ୍ରରେ ସଂଖ୍ୟାଧିକଙ୍କ ଶାସନ ଚାଲେ’। ଯଦି ଏହା, ତେବେ ଏଇ କିଛି ବର୍ଷ ଭିତରେ କ’ଣ ଏମିତି ହେଲା ଯେ ଗଣତନ୍ତ୍ର ଲୋକମାନଙ୍କୁ ଆଉ ଭଲ ଲାଗୁ ନାହିଁ? ସେମାନେ କ’ଣ ଗଣତନ୍ତ୍ରଠାରୁ ଆଉ କୌଣସି ଅଧିକ ଭଲ ଶାସନ ବ୍ୟବସ୍ଥା ବାହାର କଲେଣି କି? ନା ଗଣତନ୍ତ୍ରଠାରୁ ଏକଛତ୍ରବାଦ ବା ପୁରୁଣା ରାଜତନ୍ତ୍ର ଭଲ ବୋଲି ଲୋକେ ଅନୁଭବ କରୁଛନ୍ତି? ଡେନମାର୍କ, ସୁଇଜରଲାଣ୍ଡ, ନରୱେ ଓ ନେଦରଲାଣ୍ଡରେ ଗଣତନ୍ତ୍ର ଉପରେ ଲୋକମାନଙ୍କର ଆସ୍ଥା ଓ ବିଶ୍ୱାସ ଅତୁଟ ଥିବାବେଳେ ଆମରିକା, ଇଂଲଣ୍ଡ, ବ୍ରାଜିଲ, ମେକ୍ସିକୋ, ଜାପାନ, ସ୍ପେନ ଓ ଗ୍ରୀସ ଭଳି ଦେଶରେ ଗଣତନ୍ତ୍ର ବିରୋଧରେ ଲୋକମାନଙ୍କର ଅସନ୍ତୋଷ ବୃଦ୍ଧି ପାଇଛି। ଏଇ ତୁଳନାରୁ ଗଣତନ୍ତ୍ର ଉପରେ କାହିଁକି ଲୋକଙ୍କ ଆସ୍ଥା ଓ ବିଶ୍ୱାସ ତୁଟିଯାଉଛି ତାହା ସହଜରେ ବୁଝାଯାଇପାରେ। ୟୁରୋପ ମହାଦେଶର ଡେନମାର୍କ, ସୁଇଜରଲାଣ୍ଡ, ନରୱେ ଓ ନେଦରଲାଣ୍ଡ ହେଲେ ଆକାରରେ ଛୋଟ ଛୋଟ ଦେଶ। ଏ ଚାରିଟି ଯାକ ଦେଶରେ ଖଣିଜ ସଂପଦ ଓ ଶିଳ୍ପ ସାମ୍ରାଜ୍ୟ ନାହିଁ କହିଲେ ଚଳେ। ପ୍ରାକୃତି ସଂପଦର ପରିପୋଷଣୀୟ ବ୍ୟବହାର ଏବଂ ଲୋକଙ୍କ ମଧ୍ୟରେ ଆର୍ଥିକ ସମାନତା ପ୍ରତିଷ୍ଠା କରିବା ପାଇଁ ଚାରିଟି ଯାକ ଦେଶରେ ବହୁ ପ୍ରଗତିଶୀଳ ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ଚାରିଟି ଦେଶର ମୁଣ୍ଡ ପିଛା ଆୟ ଅନ୍ୟ ବହୁ ଦେଶ ତୁଳନାରେ ଯଥେଷ୍ଟ ଅଧିକ। ଏହି ଚାରିଟି ଦେଶରେ ସାମାଜିକ ନିରାପତ୍ତା ବ୍ୟବସ୍ଥା ଅଧିକ ପ୍ରଗତିଶୀଳ ଓ ଫଳପ୍ରସୂ। ଏସବୁ ଦେଶରେ ବ୍ୟକ୍ତି ସ୍ୱାଧୀନତା ସର୍ବାଧିକ। ଏସବୁ ଦେଶରେ ମୁକ୍ତ ବିଚାର ଓ ମୁକ୍ତ ଜୀବନଶୈଳୀ ପ୍ରତି ସରକାର ସର୍ବାଧିକ ସହନଶୀଳ। ଏସବୁ ଦେଶର ଶାସନ କଳରେ ଦୁର୍ନୀତି ଓ ବିଳାସ ନାହିଁ କହିଲେ ଚଳେ। ଏହି ଚାରି ଦେଶ ତୁଳନାରେ ଗଣତନ୍ତ୍ର ପ୍ରତି ଅନାସ୍ଥା ଭାବ ବୃଦ୍ଧି ପାଉଥିବା ଦେଶଗୁଡ଼ିକରେ ଦୁର୍ନୀତି, ବିଳାସ, ଅସମାନତା, ଭେଦାଭେଦ ଆଦି ଅଧିକ ଦୃଶ୍ୟମାନ ଓ ପରିବ୍ୟାପ୍ତ। ଯେଉଁ ଶାସନ ବ୍ୟବସ୍ଥାରେ ଲୋକମାନେ ଆର୍ଥିକ, ସାମାଜିକ, ରାଜନୀତିକ ଓ ସାଂସ୍କୃତିକ ଭେଦାଭେଦର ଶିକାର ହେଉଛନ୍ତି, ସ୍ୱାଧୀନ ମତବ୍ୟକ୍ତ କରିବାର ସୁଯୋଗ ସଂକୁଚିତ ହେଉଛି, ଦୁର୍ନୀତି ଓ ଅସହିଷ୍ଣୁତା ବୃଦ୍ଧି ପାଉଛି ସେସବୁ ବ୍ୟବସ୍ଥାକୁ ଲୋକମାନେ ନାପସନ୍ଦ କରିବା ସ୍ୱାଭାବିକ। ଗଣତନ୍ତ୍ର ଏହିପରି ଭେଦାଭେଦ ଓ ଦମନମୂଳକ ଶାସନ ନୀତି ବିରୋଧରେ ଏକ ମହୌଷଧି ଭାବେ ଉଦ୍ଭାବିତ ହୋଇଥିଲା। ସ୍ୱାଧୀନତା, ସମାନତା ଓ ଭ୍ରାତୃତ୍ୱଭାବ ଥିଲା ଗଣତନ୍ତ୍ରର ମୂଳମନ୍ତ୍ର। ପ୍ରାଚୀନ ଭାରତର ଜନପଦ ଶାସନ ବ୍ୟବସ୍ଥା ହେଉ ତ ପ୍ରାଚୀନ ଗ୍ରୀସର ରିପବ୍ଲିକ, ସବୁଠି ଥିଲା ଏହି ମୂଲ୍ୟବୋଧର ପ୍ରତିଷ୍ଠା। ପରେ ଏଥିରେ ଅବକ୍ଷୟ ଘଟିଲା। ରାଜତନ୍ତ୍ର ଓ ଏକଛତ୍ରବାଦ କାୟା ବିସ୍ତାର କଲା। ମାତ୍ର, ପରେ ପୁଣି ଥରେ ଗଣତନ୍ତ୍ର-ଦର୍ଶନର ପୁନରୁଦ୍ଧାର କଲେ ହବ୍ସ, ଲକ୍‌ ଓ ରୁଷୋ। ଏହି ରାଜନୀତିକ ଦାର୍ଶନିକମାନଙ୍କ ଚିନ୍ତା ଓ ଆଦର୍ଶର ଭିତ୍ତିଭୂମି ଉପରେ ପ୍ରତିଷ୍ଠିତ ଗଣତନ୍ତ୍ର ବିଶ୍ୱବ୍ୟାପୀ ଆଦୃତ ହେଲା। ମାତ୍ର, ଏଇ ଦୁଇଟି ଶତାବ୍ଦୀ ମଧ୍ୟରେ ଏହି ଗଣତନ୍ତ୍ର ଏବେ ପ୍ରତ୍ୟାବର୍ତ୍ତନ ପଥରେ। ବିଶ୍ୱର ଅନେକ ରାଷ୍ଟ୍ରରେ ଏବେ ଗଣତନ୍ତ୍ରକୁ ବାହାନା କରି ଶାସନ କରୁଛନ୍ତି ବହୁ ସାମରିକ ଏକଛତ୍ରବାଦୀ, ଆର୍ଥନୀତିକ ସାମ୍ରାଜ୍ୟବାଦୀ ଓ ରାଜନୀତିକ ପୁଞ୍ଜିବାଦୀ ଶକ୍ତି। ବିଶ୍ୱ ଗଣତନ୍ତ୍ର ଏବେ ସୁଦ୍ଧା ବିଶ୍ୱ ତାପନ ଓ ପାଗ ପରିବର୍ତ୍ତନ ସମସ୍ୟାର ଉପଯୁକ୍ତ ମୁକାବିଲା କରିବାରେ ବିଫଳ ହୋଇଛି। ଏହି ଦୁଇଟି ସମସ୍ୟା ବିଶ୍ୱର ସର୍ବାଧିକ ଲୋକଙ୍କ ଜୀବନ ଓ ଜୀବିକା ପ୍ରତି ବିପଦ ସୃଷ୍ଟି କରିଛି। ବିଶ୍ୱ ଗଣତନ୍ତ୍ର ଏବେ ସୁଦ୍ଧା ବିଶ୍ୱରୁ ଆର୍ଥିକ ଅସମାନତା ଦୂର କରିପାରି ନାହିଁ। ଦାରିଦ୍ର୍ୟ, ଅଶିକ୍ଷା ଓ ବ୍ୟାଧି ଏବେ ବି ବିଶ୍ୱର ବୃହତ୍ତର ଜନ ସମୁଦାୟକୁ ଆର୍ଥିକ, ରାଜନୀତିକ ଓ ସାଂସ୍କୃତିକ କ୍ଷେତ୍ରରେ ଦୁର୍ବଳ କରି ରଖିଛି। ଏବେ ବି ବିଶ୍ୱର ଏକ ବୃହତ୍ତର ଜନଗୋଷ୍ଠୀ ଶୁଦ୍ଧ ପାନୀୟ ଜଳ ଓ ଦି’ ଓଳା ପେଟପୂରା ପୁଷ୍ଟିକର ଆହାରର ଅଭାବ ବୋଧ କରୁଛନ୍ତି। ଗଣତାନ୍ତ୍ରିକ ପୁଞ୍ଜିବାଦ ସୁଦୃଢ଼ ହେବା ସଙ୍ଗେ ବୃଦ୍ଧି ପାଉଥିବା ଶିଳ୍ପାୟନ ଓ ସହରାୟନରୁ ଉତ୍ପନ୍ନ ପରିବେଶ ପ୍ରଦୂଷଣ ବିଶ୍ୱର ବୃହତ୍ତର ଜନ ସମାଜର ଅଧିକରୁ ଅଧିକ କ୍ଷତି କରିଚାଲିଥିଲେ ମଧ୍ୟ ଗଣତନ୍ତ୍ର ତାହାର ପ୍ରତିରୋଧ କରିପାରିନାହିଁ। ଗଣତନ୍ତ୍ର ସତ୍ତ୍ୱେ ଦୂର ହୋଇନାହିଁ ଯୁଦ୍ଧ ଓ ଅଶାନ୍ତି, ବରଂ ଯୁଦ୍ଧର ଭୟାବହତା ବୃଦ୍ଧି ପାଇଚାଲିଛି। ତା’ ସାଙ୍ଗକୁ ମାଡ଼ି ଚାଲିଛି ଆତଙ୍କବାଦ, ଗଣତନ୍ତ୍ର ଏହାର ମୂଳୋତ୍ପାଟନ କରିବାରେ ବିଫଳ ହୋଇଛି। ପୁଞ୍ଜିବାଦୀ ଗଣତନ୍ତ୍ର ଜରିଆରେ ବିଶ୍ୱରେ ମାଡ଼ି ଚାଲିଛି ‘ଏକ ବିଶ୍ୱ ଏକ ବଜାର ଓ ଏକ ସଂସ୍କୃତି’ର ସଭ୍ୟତା। ଏହା ଯେପରି ବିଶ୍ୱର ଜୈବିକ ବିବିଧତା ପ୍ରତି ବିପଦପୂର୍ଣ୍ଣ ସାବ୍ୟସ୍ତ ହୋଇଛି ଠିକ ସେହିପରି ଭାଷା, ସଂସ୍କୃତି, ଖାଦ୍ୟ, ପୋଷାକ, ବୃତ୍ତି ଓ ବେଉସା ଆଦି କ୍ଷେତ୍ରରେ ପୂର୍ବରୁ ରହିଥିବା ବିବିଧତାକୁ ମଧ୍ୟ ବିଲୋପ କରିଚାଲିଛି। ଏହି ପ୍ରକ୍ରିୟାରେ ଅଧିକରୁ ଅଧିକ ଲୋକ କ୍ଷତିଗ୍ରସ୍ତ ହେଉଛନ୍ତି। ବିଶେଷକରି ଆଫ୍ରିକା, ଏସିଆ ଓ ଲାଟିନ ଆମେରିକାର ଅଧିକାଂଶ ଲୋକ ଏବେ ଗଣତାନ୍ତ୍ରିକ ପୁଞ୍ଜିବାଦର ପ୍ରଭାବରେ ଦୟନୀୟ ଦୁର୍ଦ୍ଦଶା ଭୋଗ କରିବାକୁ ବାଧ୍ୟ ହେଉଛନ୍ତି। ପୁଞ୍ଜିବାଦ ଜରିଆରେ ସାମାଜିକ ସମୃଦ୍ଧିର ସ୍ୱପ୍ନ ସାକାର ହୋଇନାହିଁ। ବରଂ ବିଗତ ତିନି ଦଶନ୍ଧି ମଧ୍ୟରେ ବୈଶ୍ୱିକ ସ୍ତରରେ ଅନୁଭୂତ ହୋଇଛି ତିନି ତିନିଟି ଆର୍ଥିକ ମାନ୍ଦାବସ୍ଥା, ଯାହାର ସଫଳ ପ୍ରତିରୋଧ କରିପାରି ନାହିଁ ଗଣତନ୍ତ୍ର। ବେକାରୀ ଓ ବେରୋଜଗାରୀ, ହିଂସା ଓ ଅପରାଧ, ବିଦ୍ୱେଷ ଓ ବିଭାଜନ ଆଦି ଦୂର କରିବ କ’ଣ ଏସବୁକୁ ଅଧିକ ଉତ୍କଟ କରିଚାଲିଛି ଗଣତନ୍ତ୍ର। ବୋଧହୁଏ ଗଣତନ୍ତ୍ରର ଏହି ବିଫଳତା ପାଇଁ ଏହାର ଲୋକପ୍ରିୟତା କମି ଚାଲିଛି। ଏହା ଏକ ବିଡ଼ମ୍ବନା। ଏହାଠାରୁ ଅଧିକ ବିଡ଼ମ୍ବନା ହେବ ଗଣତନ୍ତ୍ର ପରିବର୍ତ୍ତେ ଏକଛତ୍ରବାଦ। ଆରିଷ୍ଟୋଟ୍‌ଲ କହିଥିଲେ ରିପବ୍ଲିକ ଗଣତନ୍ତ୍ରରେ ଏବଂ ଗଣତନ୍ତ୍ର ସ୍ୱୈରତନ୍ତ୍ରରେ ପରିଣତ ହୁଏ। ମହାତ୍ମା ଗାନ୍ଧୀଙ୍କ ଭାଷାରେ, ‘ସ୍ୱୈରାଚାର କି ସ୍ୱାଧୀନତା ଓ ଗଣତନ୍ତ୍ର ନାମରେ ଯଦି ଲୋକମାନଙ୍କର ଜୀବନ ଯାଏ, ପିଲାମାନେ ଅନାଥ ହୁଅନ୍ତି, ବହୁ ଲୋକ ବାସ ଓ ବୃତ୍ତି ହରାନ୍ତି ତେବେ କେଉଁ ଶାସନ ଅଧୀନରେ ଏପରି ହେଲା ଏହି ଲୋକଙ୍କ ପାଇଁ ସେଥିରେ ପ୍ରଭେଦ କ’ଣ?’ (ସୌ- ଓଡ଼ିଶା ରିପୋର୍ଟର)

Share :