ହିନ୍ଦୁତ୍ୱ ରାଜନୀତିକ ସଂକ୍ରମଣ!

ହିନ୍ଦୁତ୍ୱ ରାଜନୀତିକ ସଂକ୍ରମଣ!

ଦେବେନ୍ଦ୍ର ପୃଷ୍ଟି ଦିନାକେତେ କୁହାଯାଉଥିଲା ଆମ୍‌ ଆଦମୀ ପାର୍ଟି ପ୍ରମୁଖ ଅରବିନ୍ଦ କେଜ୍ରିୱାଲ ଭାରତୀୟ ରାଜନୀତିର ବିଷୟ ବଦଳେଇ ଦେଇଥିଲେ। ସେତେବେଳେ ତାହା ହିଁ ଥିଲା ବାସ୍ତବତା। ଆନ୍ନା ହଜାରେଙ୍କ ଦୁର୍ନୀତି ବିରୋଧୀ ଭାରତ ଆନ୍ଦୋଳନରୁ ଜନ୍ମ ନେଇଥିବା ଆମ୍‌ ଆଦମୀ ପାର୍ଟି ଦିଲ୍ଲୀ ନିର୍ବାଚନରେ ସଫଳତା ଅର୍ଜନ କରିବା ପରେ ସମଗ୍ର ଦେଶରେ ବିକଳ୍ପ ରାଜନୀତି ସପକ୍ଷରେ ଅଭୂତପୂର୍ବ ଆଗ୍ରହ ସୃଷ୍ଟି ହୋଇଥିଲା। ସେତେବେଳେ ଅଧିକାଂଶ ଭାରତୀୟ ଅରବିନ୍ଦ କେଜ୍ରିୱାଲଙ୍କ ଭିତରେ ଭାରତୀୟ ରାଜନୀତିର ମୋଡ଼ ବଦଳାଇବା କ୍ଷମତା ଅଛି ବୋଲି ବିଶ୍ୱାସ କରୁଥିଲେ। କିନ୍ତୁ ୨୦୧୪ ସାଧାରଣ ନିର୍ବାଚନରେ ତାଙ୍କ ଦଳର ପରାଜୟ ଓ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ଭାରତୀୟ ଜନତା ପାର୍ଟିର ଅଭୂତପୂର୍ବ ସଫଳତା ବିକଳ୍ପ ରାଜନୀତିର ସନ୍ଧାନରେ ଥିବା ଲୋକମାନଙ୍କର ମୋଡ଼ ବଦଳାଇ ଦେଇଥିଲେ। କେଜ୍ରିୱାଲ ଯେପରି ଦୁର୍ନୀତି ବିରୋଧରେ ଲଢ଼େଇ କରିବା ପାଇଁ ଦଳ ଗଠନ କରିଥିଲେ ଠିକ ସେହିପରି ନରେନ୍ଦ୍ର ମୋଦୀ ଉପା ସରକାରଙ୍କ ସମୟରେ ହୋଇଥିବା ଦୁର୍ନୀତିକୁ ପ୍ରସଙ୍ଗ କରି ରାଷ୍ଟ୍ରୀୟ କ୍ଷମତା ଦଖଲ କରିଥିଲେ। ସେହି ନିର୍ବାଚନରେ ଦୁର୍ନୀତି ସହିତ ବିକାଶ ଥିଲା ମୋଦୀଙ୍କ ମନ୍ତ୍ର। ଦେଶର ଅଧିକାଂଶ ଜନତା ମୋଦୀଙ୍କ ଗୁଜରାଟ ମଡେଲ ଆକର୍ଷଣରେ ତାଙ୍କ ନେତୃତ୍ୱ ସପକ୍ଷରେ ଭୋଟ ଦେଇଥିଲେ। କିନ୍ତୁ ୨୦୧୯ ନିର୍ବାଚନ ବେଳକୁ ନିଜେ ମୋଦୀ ତାଙ୍କ ରାଜନୀତିର ମୋଡ଼ ବଦଳାଇ ଦେଇଥିଲେ। ଦୁର୍ନୀତି ଓ ବିକାଶ ପଛକୁ ହଟିଥିଲା, ଆଗକୁ ଆସିଥିଲା ଦେଶପ୍ରେମ ଓ ହିନ୍ଦୁତ୍ୱ। ସୀମାପାର ଆତଙ୍କବାଦ, ପାକିସ୍ତାନର ଭାରତ ବିରୋଧୀ ଆଭିମୁଖ୍ୟକୁ ଆଧାର କରି ମୋଦୀ ଦ୍ୱିତୀୟ ଥର ପାଇଁ କ୍ଷମତା ଦଖଲ କରିଥିଲେ। ଏହା ପରେ ତିନ୍‌ ତଲାକ୍‌, ବାବ୍ରି ମସଜିଦ ମାମଲା, ୩୭୦ ଧାରା ଉଚ୍ଛେଦ, ନାଗରିକତା ଆଇନ ଆଦିକୁ ଅସ୍ତ୍ର କରି ସମଗ୍ର ଦେଶରେ ମୋଦୀ ଓ ତାଙ୍କ ନେତୃତ୍ୱାଧୀନ ଭାରତୀୟ ଜନତା ପାର୍ଟି ଭାରତୀୟ ରାଜନୀତିର ବିଷୟ ବଦଳାଇବା ଉଦ୍ୟମ କରିଥିଲେ ଏବଂ ଏଥିରେ ସେ ଅନେକାଂଶରେ ସଫଳ ମଧ୍ୟ ହୋଇଛନ୍ତି। ଏ ସଂପର୍କରେ ଦୁଇଟି ରାଜ୍ୟର ଉଦାହରଣ ଦିଆଯାଇପାରେ। ଦୁଇଟି ଯାକ ରାଜ୍ୟର ସରକାର ମୋଦୀ ଓ ତାଙ୍କର ଭାରତୀୟ ଜନତା ପାର୍ଟି ରାଜନୀତିର ତୀବ୍ର ବିରୋଧୀ ଭାବେ ଜଣାଶୁଣା। ଏ ଦୁଇଟି ରାଜ୍ୟ ହେଲେ ଓଡ଼ିଶା ଓ ଦିଲ୍ଲୀ। ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ରାଜନୀତିକ ଜୀବନର ଆରମ୍ଭରୁ ଭାରତୀୟ ଜନତା ପାର୍ଟି ବା ବିଜେପି ସହିତ ଥିଲେ ମଧ୍ୟ ୨୦୦୯ ନିର୍ବାଚନ ସମୟରୁ ନିଜର ଅଲଗା ରାସ୍ତା ବାଛି ନେଇଛନ୍ତି। ସେହି ନିର୍ବାଚନର ପ୍ରାୟ ବର୍ଷକ ପୂର୍ବରୁ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା ଘଟଣା ଘଟିଥିଲା। ତାଙ୍କ ହତ୍ୟାକାଣ୍ଡକୁ କେନ୍ଦ୍ର କରି କନ୍ଧମାଳରେ ସୃଷ୍ଟି ହୋଇଥିବା ଉତ୍ତେଜନା ଥମି ନଥିବାବେଳେ ଲକ୍ଷ୍ମଣାନନ୍ଦଙ୍କ ଶବ ଶୋଭାଯାତ୍ରା କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମତି ଦେଇଥିଲେ। ତାଙ୍କର ଏହି ସାଂପ୍ରଦାୟିକ ନିଷ୍ପତ୍ତି କନ୍ଧମାଳରେ ସାଂପ୍ରଦାୟିକ ଦଙ୍ଗା ସୃଷ୍ଟି କରିଥିଲା। ଏଥିରେ ବହୁ ଲୋକ ମୃତାହତ ହେବା ସହିତ ହଜାର ହଜାର ଲୋକ ବାସହରା ହୋଇଥିଲେ। ଅନେକ ଲୋକ ଭୟରେ କନ୍ଧମାଳ ଛାଡ଼ି ଅନ୍ୟ ଆଡ଼େ ପଳାଇଥିଲେ। ସେତେବେଳେ ନବୀନବାବୁ ବିଜେପି ହାତ ଛାଡ଼ି ନଥିଲେ। କିନ୍ତୁ ଏହାର ପ୍ରାୟ ବର୍ଷକ ପରେ ଆସନ ଭାଗବଣ୍ଟାକୁ କେନ୍ଦ୍ର କରି ନବୀନବାବୁ ବିଜେପି ହାତ ଛାଡ଼ିଦେଲେ ଆଉ ତା’ ପରେ ସଫେଇ ଦେଲେ ଯେ ତାଙ୍କ ଦେହର ପ୍ରତ୍ୟେକ ହାଡ଼ ହେଉଛି ଧର୍ମନିରପେକ୍ଷ। ସେହି ଧର୍ମ ନିରପେକ୍ଷ ନବୀନ ପଟ୍ଟନାୟକ ଓ ତାଙ୍କ ନେତୃତ୍ୱାଧୀନ ବିଜୁ ଜନତା ଦଳ ସରକାର ଓଡ଼ିଶାରେ ହିନ୍ଦୁ ଭୋଟରଙ୍କୁ ସନ୍ତୁଷ୍ଟ କରିବା ପାଇଁ ଧର୍ମ-ରାଜନୀତି ଆରମ୍ଭ କରିଛନ୍ତି। ୨୦୧୯ ନିର୍ବାଚନରେ ମୋଦୀଙ୍କ ସଫଳତା ପରେ ବିଜୁ ଜନତା ଦଳ ସରକାର ରାଜ୍ୟରେ ବିଭିନ୍ନ ମନ୍ଦିରର ଉନ୍ନତିକରଣ ପାଇଁ ଗୋଟେ ପରେ ଗୋଟେ ନିଷ୍ପତ୍ତି ଘୋଷଣା କରିଚାଲିଛନ୍ତି। ବାରିପଦାର ଅମ୍ବିକା ମନ୍ଦିର, ପୁରୀର ଜଗନ୍ନାଥ ମନ୍ଦିର, ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର, କୋଣାର୍କର ସୂର୍ଯ୍ୟ ମନ୍ଦର ପରେ ସମ୍ବଲପୁରର ସମଲେଶ୍ୱରୀ ମନ୍ଦିର ଚତୁର୍ପାର୍ଶ୍ୱ ବିକାଶ ପାଇଁ ରାଜ୍ୟ ସରକାର ଘୋଷଣା କରିଛନ୍ତି। ଏସବୁ ପ୍ରକଳ୍ପରେ ସହସ୍ରାଧିକ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଅଟକଳ କରାଯାଇଛି। ଏହି ତାଲିକାରେ ଗଞ୍ଜାମ ଜିଲ୍ଲାର ତାରାତାରିଣୀ ମନ୍ଦିର ସମେତ ଯାଜପୁରର ବିରଜା ମନ୍ଦିର, କେନ୍ଦୁଝର ଘଟଗାଁର ତାରିଣୀ ମନ୍ଦିର ଆଦି ଯୋଡ଼ାହୋଇ ପାରେ। ରାଜ୍ୟର ଅନ୍ୟ ଜିଲ୍ଲାର ଲୋକପ୍ରିୟ ମନ୍ଦିର ଓ ଧର୍ମାନୁଷ୍ଠାନଗୁଡ଼ିକର ବିକାଶ ପାଇଁ ମଧ୍ୟ ରାଜ୍ୟ ସରକାର ଘୋଷଣା କରିପାରନ୍ତି। ଏହା ସହିତ ନବୀନ ପଟ୍ଟନାୟକଙ୍କ ଦଳ ପୁଣି ଥରେ ବିଜେପିର ନିକଟତର ହୋଇ କେନ୍ଦ୍ରର ମୋଦୀ ସରକାରଙ୍କ ତିନ୍‌ ତଲାକ୍‌, ୩୭୦ ଧାରା ଉଚ୍ଛେଦ ଓ ନାଗରିକତା ସଂଶୋଧନ ସଂପର୍କୀତ ବିଲ୍‌ଗୁଡ଼ିକୁ ମଧ୍ୟ ସମର୍ଥନ କରିଛନ୍ତି। ନବୀନଙ୍କର ଏହି ପରିବର୍ତ୍ତନ ଯେ କେବଳ ନରେନ୍ଦ୍ର ମୋଦୀ ଓ ଭାରତୀୟ ଜନତା ପାର୍ଟିର ପ୍ରଭାବ ତଥା ଲୋକପ୍ରିୟତା ଯୋଗୁଁ ସମ୍ଭବ ହୋଇଛି ତାହା ନିଃସନ୍ଦେହ। କାରଣ ସତରେ ଯଦି ନବୀନବାବୁଙ୍କର ହିନ୍ଦୁ ଧର୍ମ ଓ ହିନ୍ଦୁ ଧର୍ମର ମନ୍ଦିରଗୁଡ଼ିକ ପ୍ରତି ପ୍ରୀତି ଥାଆନ୍ତା ତେବେ ତାହା ପ୍ରକାଶ ପାଇଁ ୨୦ ବର୍ଷ ଲାଗି ନଥାନ୍ତା। ସେ ଦୁଇ ଦଶନ୍ଧି ହେଲା ଓଡ଼ିଶାର ମୁଖ୍ୟମନ୍ତ୍ରୀ ପଦରେ ବସିଛନ୍ତି। ଏହି ଦୀର୍ଘ ସମୟ ମଧ୍ୟରେ ଜଗନ୍ନାଥ ଓ ଅନ୍ୟ ମନ୍ଦିରଗୁଡ଼ିକର ବିକାଶ କଥା ତାଙ୍କ ମୁଣ୍ଡରେ ପଶି ନଥିଲା। ଏବେ ବିଜେପିର ହିନ୍ଦୁତ୍ୱବାଦୀ ରାଜନୀତି ଓ ତାହାକୁ ଆଧାର କରି ସଂଗଠିତ ହେଉଥିବା ହିନ୍ଦୁ-ଭୋଟକୁ ଅଟକାଇବାକୁ ଯାଇଁ ସେ ଏପରି ପଥ ପରିବର୍ତ୍ତନ କରିଛନ୍ତି ବୋଲି ଅନୁଶୀଳନ କରାଯାଉଛି। ଠିକ ସେହିପରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ଜଣେ ଧର୍ମନିରପେକ୍ଷ ନେତାର ଭାବମୂର୍ତ୍ତି ବହନ କରନ୍ତି। ୨୦୧୪ ନିର୍ବାଚନ ପୂର୍ବରୁ ସେ ହିନ୍ଦୁତ୍ୱବାଦୀ ଶକ୍ତି ସହିତ ନଯିବାରୁ ତାଙ୍କ ସହିତ ମୂଳରୁ ରହିଥିବା କିରଣ ବେଦୀ ଓ ଜେନେରାଲ ଭିକେ ସିଂହ ପ୍ରମୁଖ ତାଙ୍କଠାରୁ ଅଲଗା ହୋଇ ଭାରତୀୟ ଜନତା ପାର୍ଟିରେ ମିଶିଥିଲେ। ୨୦୧୪ ସାଧାରଣ ନିର୍ବାଚନରେ ଆମ୍‌ ଆଦମୀ ପାର୍ଟି ସର୍ବଭାରତୀୟ ସ୍ତରରେ ଶୋଚନୀୟ ଭାବେ ବିଫଳ ହୋଇଥିଲେ ବି ୨୦୧୫ ନିର୍ବାଚନରେ ଦିଲ୍ଲୀର ୭୦ ବିଧାନସଭା ଆସନରୁ ୬୭ ହାସଲ କରିଥିଲା। କିନ୍ତୁ ୨୦୧୯ ସାଧାରଣ ନିର୍ବାଚନରେ ଦିଲ୍ଲୀର ୭ରୁ ୭ ଲୋକସଭା ଆସନ ବିଜେପି ସପକ୍ଷରେ ଯିବା ପରେ ୨୦୨୦ ବିଧାନସଭା ନିର୍ବାଚନରେ ବିଜେପିର ରାଷ୍ଟ୍ରବାଦୀ ରାଜନୀତିକୁ ଟକ୍କର ଦେବା ପାଇଁ‘ଦେଶଭକ୍ତି’ ଓ ‘ହିନ୍ଦୁତ୍ୱ’କୁ ଅସ୍ତ୍ର କରିଛନ୍ତି କେଜ୍ରୱାଲ। ଏହି ନିର୍ବାଚନ ପାଇଁ ଆମ୍‌ ଆଦମୀ ପାର୍ଟି ପ୍ରକାଶ କରିଥିବା ତାହାର ଇସ୍ତାହାରରେ ସ୍କୁଲ ପାଠ୍ୟକ୍ରମରେ ‘ଦେଶଭକ୍ତି’ ବିଷୟ ସାମିଲ କରିବାକୁ କେଜ୍ରିୱାଲଙ୍କ ଦଳ ପ୍ରତିଶ୍ରୁତି ଦେଇଛି। ତାଙ୍କ ଭଳି ପ୍ରଚଣ୍ଡ ବିଜେପି-ବିରୋଧୀ ନେତାଙ୍କ ପକ୍ଷେ ଏହା ନିଶ୍ଚୟ ଏକ ପଥ ପରିବର୍ତ୍ତନର ସଂକେତ। ଅବଶ୍ୟ ଦେଶଭକ୍ତି କିଛି ନାକରା କଥା ନୁହେଁ। ଗୋଟିଏ ଦେଶର ଏକତା, ଅଖଣ୍ଡତା, ସାର୍ବଭୌମତା ଆଦିର ସୁରକ୍ଷା ପାଇଁ ଦେଶର ପ୍ରତ୍ୟେକ ନାଗରିକଙ୍କଠାରୁ ଦେଶଭକ୍ତି ବା ରାଷ୍ଟ୍ରପ୍ରୀତି ଆଶା କରାଯାଏ। ଯେଉଁମାନେ ଦେଶର ଖାଇ ବିଦେଶର ଗାଆନ୍ତି ଦେଶ ପ୍ରତି ସେମାନଙ୍କର ଆନୁଗତ୍ୟ ନିଶ୍ଚୟ ସନ୍ଦେହଜନକ। ଏଭଳି ଲୋକମାନେ ରାଜନୀତି କରିବା ଦୂରେ ଥାଉ, ଦେଶରେ ରହିବା ମଧ୍ୟ ଉଚିତ ନୁହେଁ। ଭାରତ ଓ ଭାରତୀୟ ସମ୍ବିଧାନ ପ୍ରତି ଅନୁଗତ ନରହି ଭାରତର ରାଜନୀତିକ ଶକ୍ତି ହାସଲ କରିବାକୁ ଲଢ଼େଇ କରିବାର ଅର୍ଥ ଦେଶକୁ ବିଦେଶୀ ଶକ୍ତିଙ୍କ ହାତରେ ବିକିବା ଉଦ୍ୟମ ସହିତ ସମାନ। ସୁଖର କଥା ଆମ୍‌ ଆଦମୀ ପାର୍ଟି ଏହି ପଥରେ ନଯାଇ ଦେଶପ୍ରେମ ପ୍ରତି ବିଶ୍ୱାସ ପ୍ରକଟ କରିଛନ୍ତି। ସେହିପରି ତାଙ୍କ ଦଳ ପୁଣି ଜିତିଲେ ଦିଲ୍ଲୀର ବରିଷ୍ଠ ନାଗରିକଙ୍କ ପାଇଁ ମାଗଣା ‘ତୀଥଯାତ୍ରା’ ଯୋଜନା କରିବ ବୋଲି କହିଛି କେଜ୍ରିୱାଲଙ୍କ ଦଳ। ଏପରି ଏକ କାର୍ଯ୍ୟକ୍ରମ ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ସରକାର ପୂର୍ବରୁ ଆରମ୍ଭ କରିସାରିଛି। ତେବେ, ଦିଲ୍ଲୀ ଓ ଓଡ଼ିଶାର ଏ ଦୁଇ ତୁଙ୍ଗ ରାଜନେତାଙ୍କର ଏହି ପରିବର୍ତ୍ତନ ପଛରେ ଯେ ହିନ୍ଦୁତ୍ୱ ଓ ରାଷ୍ଟ୍ରବାଦୀ ରାଜନୀତିର ଭୟ ଓ ପ୍ରଭାବ ରହିଛି ତାହା ଅନସ୍ୱୀକାର୍ଯ୍ୟ। କେବଳ ଏହି ଦୁଇ ରାଜ୍ୟ ବା ଏହି ଦୁଇ ନେତା ନୁହନ୍ତି, ଭାରତବର୍ଷର ଅନେକ ରାଜ୍ୟର ଆଞ୍ଚଳିକ ନେତାମାନେ ନିଜନିଜର କ୍ଷମତା ପାଇଁ ରାଜନୀତିକ ପଥ ଓ କୌଶଳ ପରିବର୍ତ୍ତନରେ ଲାଗିଛନ୍ତି। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନେତୃତ୍ୱାଧୀନ ସଂଯୁକ୍ତ ଜନତା ଦଳ ନାଗରିକତା ସଂଶୋଧନ ଆଇନକୁ ସଂସଦରେ ସମର୍ଥନ କରିଥିଲେ ମଧ୍ୟ ରାଜ୍ୟର ରାଜନୀତିକ ବାସ୍ତବତା ଦୃଷ୍ଟିକୋଣରୁ ଏହା ଉପରେ ଅଧିକ ବିତର୍କ ଓ ଆଲୋଚନାର ଆବଶ୍ୟକତା ରହିଥିବା ସ୍ୱୀକାର କରିଛି। ତଥାପି ଏହି ଆଇନକୁ ବିରୋଧ କରିଥିବା ଦଳୀୟ ଉପସଭାପତି ପ୍ରଶାନ୍ତ କିଶୋର ଓ ମହାସଚିବ ପବନ ବର୍ମାଙ୍କୁ ନୀତୀଶ ଦଳରୁ ବହିଷ୍କାର କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଖୁସି କରିବା ପାଇଁ ସେ ଏହି ଦୁଇ ନେତାଙ୍କୁ ଦଳରୁ ବହିଷ୍କାର କରିଛନ୍ତି ବୋଲି କୁହାଯାଇପାରେ। ସେହିଭଳି ଅନ୍ୟ ଯେଉଁ ରାଜ୍ୟସ୍ତରୀୟ ଦଳଗୁଡ଼ିକ ହିନ୍ଦୁତ୍ୱ ରାଜନୀତିର ବିରୋଧୀ ସେମାନେ ମଧ୍ୟ ଭୋଟ ବ୍ୟାଙ୍କ ସୁରକ୍ଷିତ ରଖିବାକୁ ରାଷ୍ଟ୍ରବାଦୀ ରାଜନୀତିର କଥା କହିବା ଆରମ୍ଭ କରିଛନ୍ତି। ଭାରତର ପ୍ରାୟ କୌଣସି ରାଜନୀତିକ ଦଳ ବାଲାକୋଟ ସର୍ଜିକାଲ ଷ୍ଟ୍ରାଇକ୍‌ ଓ ୩୭୦ ଧାରା ଉଚ୍ଛେଦ ବିରୋଧରେ ମୁକ୍ତ ମତ ପ୍ରକାଶ କରିନାହାନ୍ତି। ନାଗରିକତା ସଂଶୋଧନ ଆଇନ ବିରୋଧରେ ବହୁ ରାଜ୍ୟରେ ଆନ୍ଦୋଳନ ସଂଗଠିତ ହୋଇଥିଲେ ମଧ୍ୟ ଅନେକ ଦଳ କାଳେ ଲୋକେ ନାପସନ୍ଦ କରିବେ ଏଇ ଆଶଙ୍କାରେ ସେଥିରେ ପ୍ରତ୍ୟକ୍ଷ ଭାବେ ସାମିଲ ହୋଇନାହାନ୍ତି। ଭାରତବର୍ଷର ଅନେକ ରାଜ୍ୟରେ ଏହି ଆନ୍ଦୋଳନ ‘ଆମେ ଭାରତବାସୀ’ ବା ଜନତାଙ୍କ ତରଫରୁ ସଂଗଠିତ ହେଉଥିବାର ବାର୍ତ୍ତା ପ୍ରସାର କରାଯାଉଛି। ଏହା ପଛରେ କୌଣସି ରାଜନୀତିକ ଦଳର ସଂପୃକ୍ତି ନାହିଁ ବୋଲି କୁହାଯାଉଛି। ଯଦିଓ କଂଗ୍ରେସ, ତୃଣମୂଳ କଂଗ୍ରେସ ଓ ବାମପନ୍ଥୀ ନେତାମାନେ ଏହି ଆଇନ ବିରୋଧରେ ଖୋଲାଖୋଲି ମତ ପ୍ରକାଶ କରୁଛନ୍ତି ତଥାପି ସେମାନଙ୍କୁ ସମସ୍ତ ଶ୍ରେୟ ଦେବାକୁ ଆନ୍ଦୋଳନକାରୀମାନେ ପ୍ରସ୍ତୁତ ନାହାନ୍ତି। ଏହା ମୂଳରେ ମଧ୍ୟ ସେହି ଭୋଟ ବ୍ୟାଙ୍କ ରାଜନୀତି ରହିଛି ବୋଲି କୁହାଯାଇପାରେ। (ସୌ- ଓଡ଼ିଶା ରିପୋର୍ଟର)

Share :