ଲୋକସଭା ସଦସ୍ୟ ସଂଖ୍ୟା ୧୩୩୦ ହେବା କଥା

ଲୋକସଭା ସଦସ୍ୟ ସଂଖ୍ୟା ୧୩୩୦ ହେବା କଥା

Share :

ଦେବେନ୍ଦ୍ର ପୃଷ୍ଟି ଭାରତୀୟ ସଂସଦର ନିମ୍ନ ସଦନ ଲୋକସଭାର ସଦସ୍ୟ ସଂଖ୍ୟା ଜନସଂଖ୍ୟା ଅନୁପାତରେ ବୃଦ୍ଧି ପାଇବା ଆବଶ୍ୟକ ବୋଲି ମତ ଦେଇଛନ୍ତି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ। ଇଣ୍ଡିଆ ଫାଉଣ୍ଡେସନର ଅଟଳ ବିହାରୀ ବାଜପେୟୀ ସ୍ମାରକୀ ବକ୍ତୃତାମାଳାରେ ଉଦବୋଧନ ସେ କହିଛନ୍ତି ଯେ ଭାରତର ଲୋକସଭା ସଦସ୍ୟ ସଂଖ୍ୟା ଅତିକମରେ ୧୦୦୦ ହେବା ଉଚିତ। ସେ ତାଙ୍କ ଯୁକ୍ତି ସପକ୍ଷରେ କହିଛନ୍ତି ଯେ ଭାରତରେ ଶେଷ ଥର ପାଇଁ ୧୯୭୧ ଜନ ଗଣନା ଆଧାରରେ ୧୯୭୭ ମସିହାରେ ଲୋକସଭା ନିର୍ବାଚନ ମଣ୍ଡଳୀ ସଂଖ୍ୟା ବଢ଼ି ୫୪୩ ହୋଇଥିଲା। ସେତେବେଳେ ଭାରତର ଜନସଂଖ୍ୟା ୫୫ କୋଟି ଥିଲା ବୋଲି ଗଣନା କରାଯାଇଥିଲା। ଏବେ ଭାରତର ଜନସଂଖ୍ୟା ଦୁଇ ଗୁଣ ହୋଇଗଲାଣି। ତେଣୁ ଲୋକସଭା ପ୍ରତିନିଧିଙ୍କ ସଂଖ୍ୟା ମଧ୍ୟ ଦୁଇ ଗୁଣ ବଢ଼ିବା ଦରକାର ବୋଲି ସେ ମତ ଦେଇଛନ୍ତି। ତାଙ୍କର ଏହି ମତ ଏବେ ଭାରତର ଶାସନ ଭାର ସମ୍ଭାଳୁଥିବା ବିଜେପି ନେତୃତ୍ୱାଧୀନ ଏନଡିଏ ସରକାରର ମତ ସହିତ ମେଳ ଖାଉଛି। ବର୍ତ୍ତମାନର ସରକାର ମଧ୍ୟ ଲୋକସଭାରେ ଆସନ ସଂଖ୍ୟା ବୃଦ୍ଧି କରିବାକୁ ଉଦ୍ୟମ ଚଳାଇଛନ୍ତି। ଏହା ଏକ ସ୍ୱାଗତଯୋଗ୍ୟ ଉଦ୍ୟମ। ଭାରତବର୍ଷର ଅନ୍ୟ ସମସ୍ତ ଦଳ ମଧ୍ୟ ସରକାର ଏବଂ ପୂର୍ବତନ ରାଷ୍ଟ୍ରପତିଙ୍କ ମତ ସହିତ ଏକମତ ହେବା ଉଚିତ। ତାହା ହେଲେ ଭାରତରେ ବୃଦ୍ଧି ପାଇଥିବା ଜନଗଣଙ୍କୁ ଲୋକସଭାରେ ଅଧିକ ପ୍ରତିନିଧିତ୍ୱ ମିଳିବ। ଭାରତର ଲୋକସଂଖ୍ୟା ଏବେ ପ୍ରାୟ ୧୩୩ କୋଟି। ୧୯୭୭ ମସିହାରେ ଯଦି ୫୫ କୋଟି ଲୋକଙ୍କ ପାଇଁ ଲୋକସଭାରେ ୫୪୩ ସଦସ୍ୟଙ୍କ ପାଇଁ ବ୍ୟବସ୍ଥା ହୋଇଥିଲା ସେହି ହିସାବରେ ଏବେ ଲୋକସଭା ସଦସ୍ୟଙ୍କ ସଂଖ୍ୟା ୧୩୩୦ ହେବା କଥା। ପ୍ରତି ୧୦ ଲକ୍ଷ ଲୋକଙ୍କ ପାଇଁ ଗୋଟିଏ ଲୋକସଭା ନିର୍ବାଚନ ମଣ୍ଡଳୀ ସ୍ଥିର କରାଯିବା ଉଚିତ। ଏବେ କିନ୍ତୁ ପ୍ରାୟ ପ୍ରତି ୨୪.୫ ଲକ୍ଷ ଲୋକଙ୍କ ପାଇଁ ଗୋଟିଏ ଲୋକସଭା ନିର୍ବାଚନ ମଣ୍ଡଳୀ ରହିଛି। ଅର୍ଥାତ ଜଣେ ଲୋକସଭା ସଦସ୍ୟ ପ୍ରାୟ ୨୪.୫ ଲକ୍ଷ ଲୋକଙ୍କର ପ୍ରତିନିଧିତ୍ୱ କରୁଛନ୍ତି। ଏହା ଫଳରେ ସେ ସବୁ ଲୋକଙ୍କ ଦୁଃଖଦୁର୍ଦ୍ଦଶା ସଂପର୍କରେ ଅବଗତ ହେବା ଏବଂ ତାହାର ସମାଧାନ କରିବା ସମ୍ଭବ ହେଉନାହିଁ। ଜଣେ ସାଂସଦ କଦାଚିତ ଗୋଟିଏ କାର୍ଯ୍ୟ ଅବଧିରେ ଏତେ ଲୋକଙ୍କ ସହିତ ମିଶିବା ସମ୍ଭବ ନୁହେଁ। ଶାସନର ସୁବିଧା ଦୃଷ୍ଟିରୁ ଯେପରି ଛୋଟ ଛୋଟ ରାଜ୍ୟ, ଛୋଟ ଛୋଟ ଜିଲ୍ଲା ଓ ମଣ୍ଡଳ ଆଦି ଗଠନ କରାଯାଉଛି ସେହିପରି ଜନସଂଖ୍ୟା ଅନୁପାତରେ ଛୋଟ ଛୋଟ ଲୋକସଭା ନିର୍ବାଚନ ମଣ୍ଡଳୀ ସ୍ଥିର ହେଲେ ଗଣତନ୍ତ୍ର ଅଧିକ ଲୋକାଭିମୁଖୀ ହେବ। ସେହି ଅନୁସାରେ ରାଜ୍ୟଗୁଡ଼ିକର ବିଧାନସଭା ନିର୍ବାଚନ ମଣ୍ଡଳୀ ମଧ୍ୟ ବୃଦ୍ଧି ପାଇବା ଦରକାର। ବିଶ୍ୱର ଅନ୍ୟ ଶକ୍ତିଶାଳୀ ଗଣତନ୍ତ୍ରଗୁଡ଼ିକର ସଂସଦରେ ଅପେକ୍ଷାକୃତ କମ୍‌ ଲୋକସଂଖ୍ୟାର ପ୍ରତିନିଧିତ୍ୱ କରୁଛନ୍ତି ଜଣେ ଜଣେ ସାଂସଦ। ଇଂଲଣ୍ଡର ଜନସଂଖ୍ୟା ଏବେ ୫.୬ କୋଟି। ସେଠା ସଂସଦର ନିମ୍ନ ସଦନ ହାଉସ ଅଫ୍‌ କମନ୍ସର ସଦସ୍ୟ ସଂଖ୍ୟା ହେଉଛି ୬୫୦। ଅର୍ଥାତ ହାରାହାରି ପ୍ରାୟ ୮.୫ ଲକ୍ଷ ଲୋକଙ୍କ ପାଇଁ ଜଣେ ସାଂସଦ। ଠିକ ସେହିପରି ଆମେରିକା କଂଗ୍ରେସ ବା ସଂସଦର ନିମ୍ନ ସଦନ ହାଉସ ଅଫ୍‌ ରିପ୍ରେଜେଣ୍ଟେଟିଭ ବା ପ୍ରତିନିଧି ସଭାର ସଦସ୍ୟ ସଂଖ୍ୟା ହେଉଛି ୪୩୫। ସେଠାର ଲୋକସଂଖ୍ୟା ହେଉଛି ୩୨.୭୨ କୋଟି। ଫ୍ରାନ୍ସର ଜନସଂଖ୍ୟା ହେଉଛି ୬.୭ କୋଟି। ସେଠି ଜାତୀୟ ଆସେମ୍ବ୍ଲିର ପ୍ରତିନିଧି ସଂଖ୍ୟା ହେଉଛି ୫୭୭ ଏବଂ ଉଚ୍ଚ ସଦ ସିନେଟର ସଦସ୍ୟ ସଂଖ୍ୟା ୩୪୮। ଜର୍ମାନୀର ଲୋକସଂଖ୍ୟା ୮.୨୮ କୋଟି। ସେଠା ସଂସଦର ସଦସ୍ୟ ସଂଖ୍ୟା ୫୯୮। କାନାଡ଼ାର ଲୋକସଂଖ୍ୟା ୩.୭୩ କୋଟି। ସେଠା ସଂସଦର ସଦସ୍ୟ ସଂଖ୍ୟା ୩୩୮। ଅଷ୍ଟ୍ରେଲିଆର ୨.୪୮ କୋଟି ଲୋକଙ୍କ ପାଇଁ ସଂସଦର ନିମ୍ନ ସଦନ ପ୍ରତିନିଧି ସଭାରେ ୧୫୧ ଜଣ ସଦସ୍ୟ ପ୍ରତିନିଧିତ୍ୱ କରନ୍ତି। ସେଠା ସିନେଟର ସଦସ୍ୟ ସଂଖ୍ୟା ହେଉଛି ୭୬। ଭାରତର ପଡ଼ୋଶୀ ପାକିସ୍ତାନର ଲୋକସଂଖ୍ୟା ହେଉଛି ୧୯.୭ କୋଟି। ସେଠାର ଜାତୀୟ ଆସେମ୍ବ୍ଲି ବା ସଂସଦର ସଦସ୍ୟ ସଂଖ୍ୟା ୩୪୨। ବାଂଲାଦେଶର ୧୬.୪୭ କୋଟି ଲୋକଙ୍କ ପାଇଁ ଜାତୀୟ ସଂସଦରେ ପ୍ରତିନିଧିତ୍ୱ କରନ୍ତି ୩୫୦ ସାଂସଦ। କମ୍ୟୁନିଷ୍ଟ ଚୀନର ୧୩୯ କୋଟି ଲୋକଙ୍କର ପ୍ରତିନିଧିତ୍ୱ କରନ୍ତି ୨୯୮୦ ସାଂସଦ। ଏବେ ରୁଷିଆର ଲୋକସଂଖ୍ୟା ହେଉଛି ୧୪.୪୫ କୋଟି। ରୁଷିଆ ସଂସଦର ନିମ୍ନ ସଦନ ଡୁମାର ସଦସ୍ୟ ସଂଖ୍ୟା ହେଉଛି ୪୫୦ ଏବଂ ଉଚ୍ଚ ସଦନ ଫେଡ଼େରାଲ କାଉନ୍ସିଲର ସଦସ୍ୟ ସଂଖ୍ୟା ୧୭୦। ଏହିସବୁ ଦେଶ ତୁଳନାରେ ଭାରତର ସାଂସଦଙ୍କ ସଂଖ୍ୟା ଅନେକ କମ୍‌। ଭାରତ ଏକ ବିବିଧ ଭାଷା, ସଂସ୍କୃତି, ଧର୍ମ, ବୃତ୍ତି ଓ ବର୍ଗର ଦେଶ। ଏଠି ବହୁ ପ୍ରକାର ଆଦିବାସୀ ଅଛନ୍ତି। ସଂଖ୍ୟାଗରିଷ୍ଠ ହିନ୍ଦୁ ଲୋକଙ୍କ ମଧ୍ୟରେ ବହୁ ଜାତିର ଲୋକ ଅଛନ୍ତି। ଏହାର ଭୂଗୋଳ ମଧ୍ୟ ବିବିଧ। କେଉଁଠି ପାହାଡ଼ିଆ, କେଉଁଠି ସମତଳ, କେଉଁଠି ଜଙ୍ଗଲ, କେଉଁଠି ସମୁଦ୍ର ଓ ସନ୍ତସନ୍ତିଆ ଅଞ୍ଚଳକୁ ନେଇ ଗଠିତ ହୋଇଛି ଭାରତବର୍ଷ। ଏତେ ବିଶାଳ ଓ ବିବିଧ ଏଇ ଦେଶର ଜଣେ ଜଣେ ଲୋକସଭା ସଦସ୍ୟ ୧୮-୨୫ ଲକ୍ଷ ଜନସଂଖ୍ୟାର ପ୍ରତିନିଧିତ୍ୱ କରିବା ମାନବିକ ଦୃଷ୍ଟିକୋଣରୁ ସମ୍ଭବ ନୁହେଁ। ଭାରତର ଅନେକ ଦୁର୍ଗମ ଅଂଚଳର ଅଧିବାସୀ ଜୀବନକାଳ ମଧ୍ୟରେ ସେମାନଙ୍କ ସାଂସଦଙ୍କୁ ଦେଖିବାର ସୁଯୋଗ ମଧ୍ୟ ପାଆନ୍ତି ନାହିଁ, ସେମାନଙ୍କୁ ଭେଟିବା ଦୂରେ ଥାଉ। ନିର୍ବାଚନ ଏକ ଜାତୀୟ ଗଣତାନ୍ତ୍ରିକ ପର୍ବ ହୋଇଥିବାରୁ ଏହି ସମୟରେ କେବଳ ଭୋଟ ଗ୍ରହଣ ପାଇଁ ନିର୍ବାଚନ କମିଶନଙ୍କ ନିଯୁକ୍ତ ନିର୍ବାଚନ ଅଧିକାରୀ ଦୁର୍ଗମ ଅଞ୍ଚଳରେ ମଧ୍ୟ ଭୋଟ କେନ୍ଦ୍ର ଖୋଲିଥାନ୍ତି। କିନ୍ତୁ ଏହି ଦୁର୍ଗମ ଭୋଟକେନ୍ଦ୍ର ଅଞ୍ଚଳରେ ନିର୍ବାଚନର ପ୍ରାର୍ଥୀ ଅନେକ ସମୟରେ ପହଂଚିନଥାନ୍ତି। ଏପରିକି ଭୋଟ ପ୍ରଚାର ସମୟ ମଧ୍ୟରେ ବି ଜଣେ ଜଣେ ପ୍ରାର୍ଥୀ ନିଜ ନିର୍ବାଚନ ମଣ୍ଡଳୀର ସବୁ ପଂଚାୟତ ଗସ୍ତ କରିବା ସମ୍ଭବ ହୋଇନଥାଏ। ଲୋକମାନେ ଅନେକ ସମୟରେ ପ୍ରାର୍ଥୀମାନଙ୍କ ବିଷୟରେ ବିସ୍ତୃତ ତଥ୍ୟ ଜାଣିବାର ସୁଯୋଗ ପାଆନ୍ତି ନାହିଁ। ନିର୍ବାଚନ କମିଶନଙ୍କ ଅନେକ ସମୟୋପଯୋଗୀ ପଦକ୍ଷେପ ଫଳରେ ଆଜିକାଲି ପ୍ରାର୍ଥୀମାନଙ୍କ ସଂପର୍କୀତ କିଛି କିଛି ବିବରଣୀ ଗଣମାଧ୍ୟମରେ ପ୍ରକାଶ ପାଉଛି। ତଥାପି ଭାରତର ଅନେକ ଅଞ୍ଚଳରେ ସବୁ ପ୍ରକାର ଗଣମାଧ୍ୟମର ମଧ୍ୟ ପହଞ୍ଚ ନାହିଁ। ଗଣତନ୍ତ୍ରକୁ ଅଧିକ ଲୋକାଭିମୁଖୀ କରିବାକୁ ହେଲେ ଭାରତୀୟ ସଂସଦରେ ଲୋକଙ୍କର ପ୍ରତିନିଧିତ୍ୱ ବୃଦ୍ଧି ପାଇବା ଏହି ଦୃଷ୍ଟିରୁ ନିହାତି ଜରୁରୀ। କମ୍‌ ଲୋକଙ୍କ ପାଇଁ ଅଧିକ ଲୋକ ପ୍ରତିନିଧି କାମ କଲେ ସରକାର ଓ ସରକାରଙ୍କ ମାଲିକ ଜନତାଙ୍କ ମଧ୍ୟରେ ଅଧିକ ସମନ୍ୱୟ ଓ ସଂହତି ପ୍ରତିଷ୍ଠା ହୋଇପାରିବ। ଏହି ହିସାବରେ ଦେଖିଲେ ଓଡ଼ିଶାର ୪.୪ କୋଟି ଲୋକଙ୍କ ପାଇଁ ଲୋକସଭାରେ ଅତି କମ୍‌ରେ ୪୪ ଜଣ ସାଂସଦ ରହିବା କଥା। ଏହି ହିସାବରେ ବିଧାନସଭା ନିର୍ବାଚନ ମଣ୍ଡଳୀ ସ୍ଥିର ହେଲେ ସର୍ବାଧିକ ୨ ଲକ୍ଷ ଲୋକଙ୍କ ପାଇଁ ଜଣେ ଜଣେ ବିଧାୟକ ନିର୍ବାଚିତ ହେବା ଉଚିତ। ସେପରି ହେଲେ ଓଡ଼ିଶା ବିଧାନସଭାର ସଦସ୍ୟ ସଂଖ୍ୟା ୧୪୭ରୁ ବୃଦ୍ଧି ପାଇ ୨୨୦ ହୋଇପାରିବ। ସରକାର ଏବଂ ଦେଶର ସବୁ ରାଜନୀତିକ ଦଳ ଯଦି ସହମତ ହୁଅନ୍ତି ତେବେ ମୋଦୀ ସରକାର ଓ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କର ଏ ସଂପର୍କୀତ ପ୍ରସ୍ତାବ କାର୍ଯ୍ୟକାରୀ ହୋଇପାରିବ। ଏଥିରେ ଗୋଟିଏ ଅସୁବିଧା ହୋଇପାରେ ଆର୍ଥିକ ବୋଝ। ଏତେ ଅଧିକ ନିର୍ବାଚନ ମଣ୍ଡଳୀ ପାଇଁ ନିର୍ବାଚନ ଖର୍ଚ୍ଚ ବୃଦ୍ଧି ପାଇବ। ନିର୍ବାଚିତ ସଦସ୍ୟଙ୍କ ପାଇଁ ମଧ୍ୟ ରାଜକୋଷରୁ ଅଧିକ ବ୍ୟୟ ହେବ। ତେବେ ଲୋକମାନଙ୍କର ଗଣତନ୍ତ୍ରରେ ଲୋକମାନଙ୍କୁ ହାତ ପଆନ୍ତାରେ ପ୍ରତିନିଧି ଯୋଗେଇ ଦେବା ପାଇଁ ଏହି ଖର୍ଚ୍ଚ ଆଦୌ ବାଧକ ହେବ ନାହିଁ। କାରଣ ଏ ଆର୍ଥିକ ବୋଝକୁ କୌଣସି ରାଜନୀତିକ ଦଳ ବହନ କରିବେ ନାହିଁ। ଏହା ଏଇ ଲୋକମାନଙ୍କ ଟିକସ ଅର୍ଥରୁ ଖର୍ଚ୍ଚ ହେବ। ଏବେ ଏହି ଟିକସ ଅର୍ଥର ସିଂହଭାଗ ଶାସନ କଳ ବା ଅମଲାତନ୍ତ୍ର ପାଇଁ ଖର୍ଚ୍ଚ ହେଉଛି। ଆଉ କିଛି ଦୁର୍ନୀତି ବାଟରେ ହଡ଼ପ ହେଉଛି। ସଂସଦ ଓ ବିଧାନସଭାରେ ଅଧିକ ଜନ ପ୍ରତିନିଧି ରହିଲେ ସେମାନେ ଏ ସମସ୍ୟା ଦୂର କରିବାରେ ସହାୟକ ହୋଇପାରନ୍ତି। ତେବେ ସେମାନେ ମଧ୍ୟ ଦୁର୍ନୀତି କଲେ ତାହା ହେବ ଦୁର୍ନୀତିର ବିକେନ୍ଦ୍ରୀକରଣ। ଏହି ପ୍ରକ୍ରିୟାରେ ଏବେ ସରପଂଚଙ୍କ ଯାଏଁ ଦୁର୍ନୀତି ଟଙ୍କାର ଭାଗବଣ୍ଟୁଆରା ହେଲାଣି। ଯେଉଁଥିପାଇଁ ସରପଂଚମାନେ ବି କୋଟିପତି ହେଲେଣି। ସେମାନଙ୍କ ନିର୍ବାଚନ ଖର୍ଚ୍ଚ ମଧ୍ୟ ୧୦-୨୦ ଲକ୍ଷ ଟଙ୍କା ଟପିଲାଣି। ଦୁର୍ନୀତିର ବିକେନ୍ଦ୍ରୀକରଣ ଜରିଆରେ ସରପଂଚ ଓ ଅନ୍ୟ ତୃଣମୂଳ ଜନ ପ୍ରତିନିଧିଙ୍କ ଦୁର୍ନୀତି ଭାଗ କମିଲେ ସେମାନଙ୍କ ମଧ୍ୟରେ କଳହ ଓ ପ୍ରତିଯୋଗିତା ବଢ଼ିପାରେ। ଏହା ଶେଷରେ ଅରାଜକତାରେ ପରିଣତ ହୋଇପାରେ। ତେବେ, ଅଳ୍ପ ଲୋକଙ୍କ ପାଇଁ ଅଧିକ ପ୍ରତିନିଧି ରହିଲେ ଲୋକଙ୍କ ନଜରରୁ ଦୁର୍ନୀତି ଓ କୁପରିଚାଳନା ଲୁଚି ରହିବା ମଧ୍ୟ ସମ୍ଭବ ନୁହେଁ। ଲୋକେ ସେମାନଙ୍କ ପ୍ରତିନିଧିଙ୍କ ପାଖରେ ସହଜରେ ଓ ସୁବିଧାରେ ପହଂଚିପାରିବେ ଓ ନାନାଦି ସମସ୍ୟା ପାଇଁ କୈଫିୟତ ତଲବ କରିପାରିବେ। ତାହା ହେବ ଗଣତନ୍ତ୍ରର ସଫଳତା। (ସୌ-ଓଡ଼ିଶା ରିପୋର୍ଟର)

Share :