ଚଟୁ ଆଇଁଷ ବେଣ୍ଟ ନିରାମିଷ!

ଚଟୁ ଆଇଁଷ ବେଣ୍ଟ ନିରାମିଷ!

ଦେବେନ୍ଦ୍ର ପୃଷ୍ଟି ଓଡ଼ିଶାରେ ନାଗରିକତା ସଂଶୋଧନ ଆଇନ ବିରୋଧରେ ସଂଖ୍ୟାଲଘୁ ସଂପ୍ରଦାୟ ଶୋଭାଯାତ୍ରା କରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାତୀୟ ନାଗରିକ ପଞ୍ଜିକାକୁ ବିରୋଧ କରିବା ଚଟୁ ଆଇଁଷ ବେଣ୍ଟ ନିରାମିଷ ପରି କଥା ହୋଇଛି। ତାଙ୍କ ଭାଷାରେ ତାଙ୍କର ବିଜୁ ଜନତା ଦଳ ସଂସଦର ଉଭୟ ଗୃହରେ ନାଗରିକତା ସଂଶୋଧନ ଆଇନକୁ ସମର୍ଥନ କରିବା ସମୟରେ ଦଳୀୟ ସାଂସଦମାନେ ଏହା ସ୍ପଷ୍ଟ କରିଥିଲେ ଯେ ସେମାନେ ଜାତୀୟ ନାଗରିକ ପଞ୍ଜିକାକୁ ସମର୍ଥନ କରନ୍ତି ନାହିଁ। ତାଙ୍କ ଦଳର ଏହି ନୀତି ସ୍ପଷ୍ଟ। ଏଥିରେ କୌଣସି ପରିବର୍ତ୍ତନ ହୋଇନାହିଁ। ନାଗରିକତା ସଂଶୋଧନ ଆଇନ ଦ୍ୱାରା ଭାରତୀୟ ନାଗରିକମାନଙ୍କର କୌଣସି କ୍ଷତି ହେବାର ନାହିଁ। ଏହା ବିଦେଶୀଙ୍କ ପ୍ରତି ପ୍ରଯୁଜ୍ୟ। ତେଣୁ ଏହି ଆଇନ ଯୋଗୁଁ ଭାରତର କୌଣସି ନାଗରିକ ଭୟଭୀତ ହେବାର ଆବଶ୍ୟକତା ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ତାଙ୍କର ଏହି ସ୍ପଷ୍ଟୀକରଣ ସଂଖ୍ୟାଲଘୁ ସଂପ୍ରଦାୟକୁ କେତେ ସନ୍ତୁଷ୍ଟ କରିବ, ସେମାନଙ୍କ ଭୟ ଓ ଆଶଙ୍କା ଦୂର କରିବ, ତାହା ଅଲଗା କଥା। ମାତ୍ର, ତାଙ୍କର ଏଭଳି ବୟାନରୁ ସେ ନିଜେ ଯେ ନାଗରିକତା ସଂଶୋଧନ ଆଇନ ବା ସିଏଏ ଏବଂ ଜାତୀୟ ନାଗରିକ ପଞ୍ଜିକା ବା ଏନଆରସି ନେଇ ସ୍ପଷ୍ଟ ଓ ସଂଶୟମୁକ୍ତ ନୁହନ୍ତି ତାହା ସ୍ପଷ୍ଟ ହୋଇଯାଇଛି। ପ୍ରଥମ କଥା ହେଉଛି ଜାତୀୟ ନାଗରିକ ପଞ୍ଜିକା ଏଯାଏଁ ସମଗ୍ର ଦେଶରେ ଲାଗୁ ହୋଇନାହିଁ। ସମଗ୍ର ଦେଶରେ ଏହା ଲାଗୁ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭାରତୀୟ ଜନତା ପାର୍ଟି ଦୃଢ଼ ମତ ପୋଷଣ କରିଛି। ନିଜେ ସ୍ୱରାଷ୍ଟ୍ର ମନ୍ତ୍ରୀ ତଥା ବିଜେପି ସଭାପତି ଅମିତ ଶାହ ଅନେକ ଥର ଘୋଷଣା କରିଛନ୍ତି। ଏଇ ନିକଟରେ ସେ ପଶ୍ଚିମ ବଙ୍ଗରେ ଏକ ସାଧାରଣ ସଭାରେ ଏହି ଘୋଷଣା କରିଥିଲେ। ଏହା ବିରୋଧରେ ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସ୍ୱର ଉତ୍ତୋଳନ କରିଛନ୍ତି। ହରିଆନାର ବିଜେପି ମୁଖ୍ୟମନ୍ତ୍ରୀ ମନୋହର ଖଟ୍ଟାର, ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସଙ୍କ ସମେତ ବିଜେପିର ଗୋଆ ଓ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ମଧ୍ୟ ଜାତୀୟ ନାଗରିକ ପଞ୍ଜିକା ବା ଏନଆରସି ଲାଗୁ କରିବା ସପକ୍ଷରେ ମତବ୍ୟକ୍ତ କରିଛନ୍ତି। ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶରେ ଏବେ କେବଳ ଆସାମରେ ଏନଆରସି କାର୍ଯ୍ୟକାରୀ ହେଉଛି। ଏହା ବି ସେଠାରେ ବିବାଦୀୟ ପରିସ୍ଥିତି ସୃଷ୍ଟି କରିଛି। ସେଠାରେ ଏନଆରସି ପ୍ରକାଶ ପାଇବା ପରେ ୧୯ ଲକ୍ଷ ଲୋକ ଏଥିରୁ ବାଦ ପଡ଼ିବାରୁ ତାହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ସେଥିପାଇଁ ସେଥିରେ ଆଉ ଥରେ ସଂଶୋଧନ କରାଯିବ ବୋଲି ଆସାମ ସରକାର ପ୍ରତିଶ୍ରୁତି ଦେଇଛନ୍ତି। ଏବେ ବୁଝିବା ଏନଆରସି କ’ଣ? ଏହା ହେଉଛି ନାଗରିକମାନଙ୍କର ଏକ ରେଜିଷ୍ଟର ବା ପଞ୍ଜିକା। ଏହି ପଞ୍ଜିକାରେ ଭାରତର ନାଗରିକମାନଙ୍କର ତାଲିକା ପଞ୍ଜିକୃତ ହେବ। ଦେଶ ସ୍ୱାଧୀନ ହେଲା ପରେ ୧୯୫୧ ମସିହାରେ ପ୍ରଥମ ଜନଗଣନା ହୋଇଥିଲା। ଏହା ପରେ ଜାତୀୟ ସ୍ତରରେ ନାଗରିକ ପଞ୍ଜିକା ପ୍ରସ୍ତୁତ ହୋଇଥିଲା। ମାତ୍ର, ତା’ ପରଠାରୁ ଏହି ପଞ୍ଜିକାରେ ଆଉ ସଂଶୋଧନ କି ପରିବର୍ତ୍ତନ ହୋଇନାହିଁ। ଆସାମରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ସଂଖ୍ୟା ବୃଦ୍ଧି ପାଇବା ପରେ ସେଠାରୁ ନାଗରିକ ପଞ୍ଜିକା ସପକ୍ଷରେ ଦାବି ଉଠିଥିଲା। ତାହାର କାରଣ ହେଲା ଅନେକ ଅନୁପ୍ରବେଶକାରୀଙ୍କ ନାମ ବିଭିନ୍ନ ସମୟରେ ଭୋଟର ତାଲିକାରେ ଚଢ଼ିଥିଲା। ରାଜନୀତିକ ଦୃଷ୍ଟିକୋଣରୁ ସେମାନଙ୍କୁ ଭୋଟର ତାଲିକାରୁ ବାଦ ଦେବାକୁ ଏପରି ଏକ ପଞ୍ଜିକା ପାଇଁ ଦାବି ହୋଇଥିଲା। ଏ ସଂପର୍କୀତ ଏକ ମାମଲାର ବିଚାର କରି ସୁପ୍ରିମ କୋର୍ଟ ଆସାମରେ ଜାତୀୟ ନାଗରିକ ପଞ୍ଜିକା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ପଞ୍ଜିକା ପ୍ରକାଶ ପାଇବା ପରେ ସେଥିରୁ ଆସାମର ୧୯ ଲକ୍ଷ ଲୋକ ବାଦ ପଡ଼ିଥିବା ଜଣାପଡ଼ିଲା। ଏହି ଲୋକମାନେ ଏହା ବିରୋଧରେ ମେଳି ବାନ୍ଧିଥିଲେ। ଏବେ ଏହା ବିବାଦୀୟ ହୋଇ ରହିଛି। ଏହା ସଂପୂର୍ଣ୍ଣ ଯଥାର୍ଥ ଯେ ଭାରତ ଭଳି ଏକ ବିଶାଳ ଦେଶରେ ନାଗରିକମାନଙ୍କର ଏକ ତାଲିକା ରହିବା ଜରୁରୀ। ଏହି ଉଦ୍ଦେଶ୍ୟରେ କଂଗ୍ରେସ ନେତୃତ୍ୱାଧୀନ ଉପା ସରକାର ସମୟରେ ଜାତୀୟ ଜନସଂଖ୍ୟା ପଞ୍ଜିବା ବା ଏନପିଆର ପାଇଁ ନିଷ୍ପତ୍ତି ହୋଇଥିଲା। କିନ୍ତୁ ତାହା ଏଯାଏଁ କାର୍ଯ୍ୟକାରୀ ହୋଇନାହିଁ। ଜାତୀୟ ଜନସଂଖ୍ୟା ପଞ୍ଜିବା ହେଉ ବା ଜାତୀୟ ନାଗରିକ ପଞ୍ଜିକା- ଜାତୀୟ ସ୍ତରରେ ଏଭଳି ଏକ ରେଜିଷ୍ଟରର ଆବଶ୍ୟକତା ନିଶ୍ଚୟ ରହିଛି। ଭାରତ ସରକାର ଯଦି ଭାରତର ନାଗରିକମାନଙ୍କୁ ଚିହ୍ନଟ ନକରିବେ ତେବେ କିଏ କରିବ? ଭାରତର ନାଗରିକମାନେ କିଏ ଚିହ୍ନଟ ନହେଲେ କାହା ପାଇଁ ସରକାର ବିଭିନ୍ନ କଲ୍ୟାଣମୂଳକ ଯୋଜନା କାର୍ଯ୍ୟକାରୀ କରିବେ? ଭାରତ ସରକାର କାହା ଭୋଟ ବା ଜନମତ ଆଧାରରେ ଗଢ଼ା ହେବ? ଭାରତର ନାଗରିକମାନେ ଭାରତ ସରକାର ବାଛିବେ ନା ଅବୈଧ ଅନୁପ୍ରବେଶକାରୀଙ୍କ ଭୋଟ୍‌ ଭାରତ ସରକାର ଗଠନରେ ନିର୍ଣ୍ଣାୟକ ହେବ? ଭାରତର ଯେକୌଣସି ନାଗରିକ ନିଶ୍ଚୟ ମତ ଦେବେ ଯେ କେବଳ ଭାରତର ନାଗରିକମାନଙ୍କର ଭାରତ ସରକାର ଗଠନ କରିବାର ଅଧିକାର ରହିଛି। ଅନ୍ୟମାନେ ଏଥିରେ ଅଂଶଗ୍ରହଣ କରିବା ବା ଭାରତ ସରକାର ଗଠନରେ ଭୂମିକା ନିର୍ବାହ କରିବା ନିଶ୍ଚୟ ଭାରତର ସାର୍ବଭୌମତାର ଉଲ୍ଲଙ୍ଘନ ହେବ। ଅନେକ ସମୟରେ ଭାରତର ସଚ୍ଛିଦ୍ର ବା ମୁକୁଳା ସୀମାର ସୁଯୋଗ ନେଇ ପଡ଼ୋଶୀ ରାଷ୍ଟ୍ରଗୁଡ଼ିକରୁ ଅନେକ ଲୋକ ଭାରତ ସୀମାକୁ ଅନୁପ୍ରବେଶ କରୁଛନ୍ତି ଏବଂ ଭାରତୀୟ ପ୍ରଶାସନର ଦୁର୍ବଳତା ଓ ଦୁର୍ନୀତିର ସୁଯୋଗ ନେଇ ଭାରତରେ ଜମିଜମା ମାଲିକାନା ସ୍ୱତ୍ୱ ହାସଲ କରୁଛନ୍ତି। ଥରେ ଭାରତରେ ଜମି ମାଲିକ ହୋଇଗଲେ ତେଣିକି ରାସନ କାର୍ଡ଼ ଓ ଭୋଟର ପରିଚୟ ପତ୍ର ପାଇବାରେ ଅସୁବିଧା ହେଉନାହିଁ। ସ୍ଥାନୀୟ ରାଜନେତା ଓ ରାଜସ୍ୱ କର୍ମଚାରୀମାନେ ଅନେକ ସମୟରେ ଏଭଳି ଅନୁପ୍ରବେଶକାରୀଙ୍କ ପ୍ରତି କୋହଳ ଆଭିମୁଖ୍ୟ ପ୍ରଦର୍ଶନ କରୁଛନ୍ତି। ଏହିଭଳି ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରି ବହିଷ୍କାର କରିବା ନିମନ୍ତେ ପୂର୍ବରୁ ବାଜପେୟୀ ସରକାରଙ୍କ ସମୟରେ ଉଦ୍ୟମ ହୋଇଥିଲା। ଓଡ଼ିଶାରେ ସେତେବେଳେ ୧୫୦୦ ଉପରେ ଅନୁପ୍ରବେଶକାରୀ ଚିହ୍ନଟ ହୋଇଥିଲେ। କିନ୍ତୁ ରାଜନୀତିକ ଚାପରୁ ସେତେବେଳେ ସେମାନଙ୍କୁ ଦେଶାନ୍ତର କରାଯାଇ ନଥିଲା। ସେତେବେଳେ ବିଜେପି ପ୍ରତିନିଧି ଭାବେ ନବୀନ ପଟ୍ଟନାୟକଙ୍କ ମେଣ୍ଟ ସରକାରରେ ମନ୍ତ୍ରୀ ଥିବା ଅରବିନ୍ଦ ଢାଲି ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କ ସହଯୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବୁଝେଇ ଓଡ଼ିଶାରେ ଏହାର କାର୍ଯ୍ୟକାରିତାକୁ ଅଟକାଇ ଦେଇଥିଲେ। ଦେଶର ଅନ୍ୟ ରାଜ୍ୟଗୁଡ଼ିକରେ ମଧ୍ୟ ଏହା କାର୍ଯ୍ୟକାରୀ ହୋଇନଥିଲା। ଏବେ ବା ଆଗକୁ ଯଦି ସମଗ୍ର ଦେଶରେ ଜାତୀୟ ନାଗରିକ ପଞ୍ଜିକା କାର୍ଯ୍ୟକାରୀ ହୁଏ ତେବେ ଏଭଳି ଅନେକ ଅନୁପ୍ରବେଶକାରୀଙ୍କ ସମେତ ଦେଶର ଅନେକ ମୂଳବାସିନ୍ଦା ମଧ୍ୟ ଏହି ତାଲିକାରୁ ବାଦ ପଡ଼ିବାର ଆଶଙ୍କା ରହିଛି। କାରଣ ଆଦିବାସୀ, ଦଳିତ ଓ ପଛୁଆ ବର୍ଗର ଅନେକ ଗରୀବ ଶ୍ରେଣୀର ଲୋକଙ୍କ ନିକଟରେ ନିଜର ନାଗରିକତା ପ୍ରମାଣିତ କରିବା ପାଇଁ ଆବଶ୍ୟକ ଦଲିଲ ଦସ୍ତାବିଜ୍‌ ରହି ନଥିବାର ସମ୍ଭାବନା ଅଧିକ। ଯେଉଁମାନଙ୍କର ଜମିବାଡ଼ି ନାହିଁ, ଯେଉଁମାନେ ପାଠ ପଢ଼ି ନାହାନ୍ତି, ଯେଉଁମାନଙ୍କର କୌଣସି ବୈଧ ଉତ୍ତରାଧିକାର ଦଲିଲ ନାହିଁ ସେମାନେ କିପରି ନିଜକୁ ଭାରତର ନାଗରିକ ଭାବେ ପ୍ରମାଣିତ କରିବେ? କୌଣସି କାରଣରୁ ଯେଉଁମାନଙ୍କର ଭୋଟର ତାଲିକାରେ ନାମ ଉଠିନାହିଁ, କୌଣସି ସରକାରୀ ଯୋଜନାର ହିତାଧିକାରୀ ହୋଇନାହାନ୍ତି ସେମାନେ କିପରି ନିଜକୁ ଭାରତର ଲୋକ ହିସାବରେ ପ୍ରମାଣ ଦେବେ? ଏସବୁ ଥିଲେ ମଧ୍ୟ ଏହା ସଂପୃକ୍ତ ଲୋକମାନଙ୍କର ନାଗରିକତାକୁ ସିଦ୍ଧ କରିବ ନାହିଁ। ସେଥିପାଇଁ ସେମାନଙ୍କର ବଂଶାନୁକ୍ରମ ଲୋଡ଼ା ହେବ। ଭାରତର ଗରୀବ ଶ୍ରେଣୀର କେତେ ଲୋକଙ୍କ ନିକଟରେ ନିଜର ବାପ, ଗୋସାପ, ଅଣଗୋସାପ ଓ ପଣଗୋସାପଙ୍କ ଭାରତୀୟତା ନେଇ ବୈଧ ଦଲିଲ ଦସ୍ତାବିତ ରହିଛି? ଏସବୁ ସରକାରୀ ଅଫିସରୁ ସଂଗ୍ରହ କରିବା ଓ ତାହାକୁ ଏନଆରସି ଅଫିସରେ ଦାଖଲ କରି ନାଗରିକତା ହାସଲ କରିବା ଏଇଭଳି ଅନେକ ଗରୀବ ଲୋକଙ୍କ ପାଇଁ ନିଶ୍ଚୟ ଏକ ସମସ୍ୟା, ବ୍ୟୟ ଓ ସମୟ ସାପେକ୍ଷ ବ୍ୟାପାର। ଏହି କାରଣରୁ ବୋଧହୁଏ ନବୀନ ପଟ୍ଟନାୟକ ଏହା ବିରୋଧରେ ମତ ପ୍ରକାଶ କରିଛନ୍ତି। ତେବେ, ଏହାର ଅର୍ଥ କ’ଣ ଏହା ନୁହେଁ ଯେ ନବୀନବାବୁ ଏହି ଆଳରେ ଓଡ଼ିଶାରେ ଅନୁପ୍ରବେଶକାରୀମାନେ ପୂର୍ବପରି ସବୁ ପ୍ରକାର ସୁବିଧା ଓ ସୁରକ୍ଷା ପାଆନ୍ତୁ ବୋଲି ଚାହୁଁଛନ୍ତି? ଏହା କେତେ ଯଥାର୍ଥ? ତେବେ, ଜାତୀୟ ସ୍ତରରେ ଏନଆରସି ଲାଗୁ କରିବା ପୂର୍ବରୁ ମୋଦୀ ସରକାର ନାଗରିକତା ସଂଶୋଧନ ଆଇନ ପ୍ରଣୟନ କରିଛନ୍ତି। ଏହି ଆଇନ ବଳରେ ଅନେକ ଶରଣାର୍ଥୀ ଓ ଅନୁପ୍ରବେଶକାରୀଙ୍କୁ ନାଗରିକତା ପ୍ରଦାନ କରାଯିବ। ଏହି ଆଇନ ବଳରେ ଏହି ସୁବିଧା ପାଇବେ ହିନ୍ଦୁ, ବୌଦ୍ଧ, ଜୈନ, ଶିଖ, ପାର୍ସୀ ଓ ଖୀରସ୍ତାନ ଆଦି ଛଅଟି ଧର୍ମର ଲୋକ। ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶରୁ ପଳାଇ ଆସିଥିବା ଏହି ଛଅ ଧର୍ମର ଲୋକମାନେ ଭାରତରେ ପାଂଚ ବର୍ଷ ରହିଥିଲେ ବି ସେମାନଙ୍କୁ ଭାରତର ନାଗରିକ ଭାବେ ଗ୍ରହଣ କରାଯିବ। କିନ୍ତୁ ଏହି ଆଇନରେ ମୁସଲମାନଙ୍କ କଥା ଉଲ୍ଲେଖ ନଥିବାରୁ ସେମାନେ ପାଂଚ ଦଶନ୍ଧି ରହିଥିଲେ ବି ଏହି ଆଇନ ଅନୁସାରେ ଭାରତର ନାଗରିକ ହୋଇପାରିବେ ନାହିଁ। ଅବଶ୍ୟ ସେମାନେ ଅନ୍ୟ ଆଇନ ବାଟରେ ଭାରତର ନାଗରିକ ହେବାକୁ ଦାବି ଓ ଦରଖାସ୍ତ କରିପାରିବେ ବୋଲି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏକ ବେସରକାରୀ ଟିଭି ଚାନେଲକୁ ସାକ୍ଷାତକାର ଦେଇ କହିଛନ୍ତି। ୧୯୫୫ର ମୂଳ ନାଗରିକତା ଆଇନ ଅନୁସାରେ ୧୯୫୦ ଜାନୁଆରୀ ୨୬ ତାରିଖ ସୁଦ୍ଧା ଓ ଏହା ପରେ ଅଦ୍ୟାବଧି ଯେଉଁମାନେ ଭାରତରେ ରହୁଛନ୍ତି ସେମାନେ ଭାରତର ନାଗରିକ ହୋଇପାରିବେ। ମାତ୍ର ସେଥିପାଇଁ ସେମାନଙ୍କୁ ତାହା ପ୍ରମାଣିତ କରିବାକୁ ହେବ। ପ୍ରମାଣ ବାବଦରେ ବାପା ଓ ମା’ଙ୍କ ନାଗରିକତା ସଂପର୍କୀତ ଦଲିଲ ଦସ୍ତାବିଜ୍ ଆବଶ୍ୟକ। ତାହା କେଉଁଠୁ ମିଳିବ? ଏଣୁ ଏହି ବର୍ଗର ଅନେକ ଲୋକ ନିଜର ଭାରତୀୟତା ପ୍ରମାଣିତ ନକରିପାରିବାର ଆଶଙ୍କା ରହିଛି। ଏଭଳି ଲୋକଙ୍କ ମଧ୍ୟରୁ ହିନ୍ଦୁ, ବୌଦ୍ଧ, ଜୈନ, ଶିକ, ପାର୍ସୀ ଓ ଖୀରସ୍ତାନମାନଙ୍କୁ ସଂଶୋଧିତ ଆଇନ ଅନୁସାରେ ନାଗରିକତା ପ୍ରଦାନ କରାଗଲେ ବାକି ରହିଯିବେ ମୁସଲମାନ। ଅସନ୍ତୋଷର ମୂଳ କାରଣ ଏଇ ଆଶଙ୍କା, ଅନିଶ୍ଚିତତା ଓ ସଂଶୟ। ନବୀନବାବୁ ଓ ତାଙ୍କ ଦଳ ଏହା ବୁଝି ବିଚାରି ନାଗରିକତା ସଂଶୋଧନ ଆଇନକୁ ସମର୍ଥନ କରିଛନ୍ତି କି ନାହିଁ ତାହା ସେମାନେ ଜାଣିଥିବେ। ମାତ୍ର, ଏହି ଆଇନ ବା ସିଏଏ ଓ ଜାତୀୟ ନାଗରିକ ପଞ୍ଜିକା ଯେ ପରସ୍ପର ସହ ସମ୍ବନ୍ଧିତ ଏହା ସ୍ପଷ୍ଟ। ଅବଶ୍ୟ ଏବେ ଯାଏ ନାଗରିକ ପଞ୍ଜିକା ଲାଗୁ ହେବ କି ନାହିଁ ନିଷ୍ପତ୍ତି ହୋଇନାହିଁ, ଯଦିଓ ଉଦ୍ଦେଶ୍ୟ ସେଇଆ ଅଛି। ଯଦି ଏହା ଲାଗୁ ହୁଏ ତାହା କିପରି ଆଇଁଷ ହେବ ଓ ଏବେ ଲାଗୁ ହୋଇଥିବା ଆଇନ କିପରି ନିରାମିଷ ତାହା ନବୀନବାବୁ ସ୍ପଷ୍ଟ କରିବା ଉଚିତ। (ସୌ-ଓଡ଼ିଶା ରିପୋର୍ଟର)

Share :