ଅହିଂସା- ନବୀନଙ୍କ ପରମ ପ୍ରତାରଣା

ଅହିଂସା- ନବୀନଙ୍କ ପରମ ପ୍ରତାରଣା

ଦେବେନ୍ଦ୍ର ପୃଷ୍ଟି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଥରେ ଭାରତୀୟ ସମ୍ବିଧାନର ମୁଖବନ୍ଧରେ ‘ଅହିଂସା’ ଶବ୍ଦ ଯୋଡ଼ିବା ପାଇଁ ପ୍ରସ୍ତାବ ଦେଇଛନ୍ତି। ସେ ତାଙ୍କର ନୂଆଦିଲ୍ଲୀ ଗସ୍ତ କାଳରେ ଡିସେମ୍ବର ୧୯ ତାରିଖରେ ଏହି ପ୍ରସ୍ତାବ ଦୋହରାଇଛନ୍ତି। ୨୦୧୯ ନିର୍ବାଚନ ପୂର୍ବରୁ ମଧ୍ୟ ସେ ଏଭଳି ଏକ ପ୍ରସ୍ତାବ ଦେଇଥିଲେ। ଭାରତବର୍ଷରେ ଘଟି ଚାଲିଥିବା ବିଭିନ୍ନ ରାଜନୀତିକ ହିଂସାକାଣ୍ଡ, ଭିଡ଼ହତ୍ୟା, ଦଙ୍ଗା, ଧର୍ଷଣ ଓ ହତ୍ୟା ପରି ହିଂସ୍ର ଆଚରଣ ପୃଷ୍ଠଭୂମିରେ ତାଙ୍କର ଏହି ପ୍ରସ୍ତାବ ମହତ୍ୱପୂର୍ଣ୍ଣ ମନେ ହୁଏ। ତେବେ, ଏଭଳି ଏକ ପ୍ରସ୍ତାବ ପଛରେ ତାଙ୍କର ରାଜନୀତିକ ଉଦ୍ଦେଶ୍ୟ ରହିଥିବା ମଧ୍ୟ ସନ୍ଦେହ କରାଯାଇପାରେ। କାରଣ ତାଙ୍କ ପ୍ରସ୍ତାବକୁ ଗ୍ରହଣ କରି ସମ୍ବିଧାନର ମୁଖବନ୍ଧରେ ‘ଅହିଂସା’ ଶବ୍ଦ ଯୋଡ଼ିବା ଓ ଭାରତକୁ ଏକ ଅହିଂସ୍ର ରାଷ୍ଟ୍ରରେ ପରିଣତ କରିବା ମଧ୍ୟରେ ଆକାଶ ପାତାଳ ପ୍ରଭେଦ ରହିଛି। ଏହା ସେ ଜାଣିଛନ୍ତି, ଅନ୍ୟମାନେ ବି ଜାଣିଛନ୍ତି। କାରଣ ଯେଉଁ ଭାରତର ଜନସାଧାରଣ ମୋହନଦାସ କରମଚାନ୍ଦ ଗାନ୍ଧୀଙ୍କୁ ତାଙ୍କର ଅହିଂସା ଅସ୍ତ୍ରର ଶକ୍ତି ପାଇଁ ମହାତ୍ମା ଓ ଜାତିର ଜନକ ଭାବେ ଗ୍ରହ କରି ନେଇଛି ସେଇ ଭାରତର ଲୋକମାନେ ସ୍ୱାଧୀନତାର ଅବ୍ୟବହିତ ପୂର୍ବରୁ ଓ ପରେ ହିଂସାର ବ୍ୟାପକ ପ୍ରୟୋଗ କରିଚାଲିଛନ୍ତି। ଏଥିରୁ ଭାରତର କୌଣସି ରାଜନୀତିକ ଦଳ ମୁକ୍ତ ନାହାନ୍ତି। ଭାରତ ଓ ଏହା ଅନ୍ତର୍ଗତ କୌଣସି ରାଜ୍ୟର ଶାସନ ବ୍ୟବସ୍ଥା ମଧ୍ୟ ଅହିଂସା ନୀତିରେ ଚାଲିନାହିଁ। ଭାରତର ସ୍ୱାଧୀନତା ପାଇଁ ମହାତ୍ମା ଗାନ୍ଧୀ ପ୍ରଦର୍ଶୀତ ଅହିଂସା ମାର୍ଗରେ ଆନ୍ଦୋଳନ କରି ଭାରତବାସୀ ସଫଳ ହୋଇଥିଲେ। ତେବେ, ଏହି ଆନ୍ଦୋଳନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା କଂଗ୍ରେସର ଅନେକ ନେତା ଓ କର୍ମୀ ସ୍ୱାଧୀନତା ପରଠୁଁ ହିଂସାକୁ ଏକ ରାଜନୀତିକ ଅସ୍ତ୍ର ଭାବେ ଅନେକ ଥର ପ୍ରୟୋଗ କରିଥିବା ଇତିହାସ କହେ। ଏକ ସ୍ୱାଧୀନ ରାଷ୍ଟ୍ର ଭାବେ ମଧ୍ୟ ଭାରତ କେବେ ଅହିଂସାକୁ ରାଷ୍ଟ୍ରୀୟ ଆଦର୍ଶ ଭାବେ ଗ୍ରହଣ କରିନାହିଁ। ସେଥିପାଇଁ ସମ୍ବିଧାନରେ ଏହା ନାହିଁ ବୋଧହୁଏ। ଭାରତ ଏକ ରାଷ୍ଟ୍ର ଭାବେ ରାଷ୍ଟ୍ରୀୟ ନିରାପତ୍ତା ପାଇଁ ସୈନ୍ୟ ବାହିନୀ ସଜେଇଛି। ଆଭ୍ୟନ୍ତରୀଣ ନିରାପତ୍ତା ପାଇଁ ଅର୍ଦ୍ଧ ସାମରିକ ବାହିନୀ ଗଠନ କରିଛି। ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରିବାକୁ ପ୍ରତି ରାଜ୍ୟରେ ପୁଲିସ ଓ ସଶସ୍ତ୍ର ପୁଲିସ ବ୍ୟବସ୍ଥା ରହିଛି। ଏସବୁ କ’ଣ ଏକ ସାମ୍ବିଧାନିକ ଅହିଂସ୍ର ରାଷ୍ଟ୍ରରେ ଗ୍ରହଣୀୟ ହୋଇପାରିବ? ସମ୍ବିଧାନ ଯେତେବେଳେ ‘ଅହିଂସା’ କଥା କହିବ ସେତେବେଳେ ରାଷ୍ଟ୍ର ଶାସନର ଆଧାର ମଧ୍ୟ ‘ଅହିଂସା’ ହେବା କଥା। କିନ୍ତୁ ଏବେ ଏହା ଆଉ ସମ୍ଭବ ନୁହେଁ। ଭାରତର ସେନା ଓ ପୁଲିସ ଅହିଂସା ଆଚରଣ ପ୍ରଦର୍ଶନ କରିବାକୁ ପ୍ରତିଷ୍ଠା ହୋଇନାହିଁ। ଅହିଂସା ପ୍ରଦର୍ଶନ ପାଇଁ କୌଣସି ମାରଣାସ୍ତ୍ରର ଆବଶ୍ୟକତା ନାହିଁ। ସେନା ଓ ପୁଲିସ ହିଂସା ଦମନ ଓ ଶତ୍ରୁ ମୁକାବିଲା ପାଇଁ ଉଦ୍ଦିଷ୍ଟ। ଦମନ ଓ ଶତ୍ରୁ ଭଳି ଶବ୍ଦ ଅହିଂସା ଆଦର୍ଶର ପରିପନ୍ଥୀ। ପୃଥିବୀରେ ଏବେ ମାତ୍ର ୨୧ଟି ଦେଶ ନିଜର ସୈନ୍ୟ ବାହିନୀ ରଖି ନାହାନ୍ତି। ତେବେ ଏହି ରାଷ୍ଟ୍ରଗୁଡ଼ିକ ଆକାରରେ ଅନେକ ଛୋଟ। ଏସବୁ ରାଷ୍ଟ୍ରର ଜନସଂଖ୍ୟା ମଧ୍ୟ ବହୁତ କମ୍‌। ସେହିସବୁ ରାଷ୍ଟ୍ର ମଧ୍ୟରେ ଅଛନ୍ତି ଆନ୍ଦୋରା, ଡୋମିନିକା, ଗ୍ରେନେଡ଼ା, କିରିବାଟି, ଲିଚେନଷ୍ଟେନ୍‌, ମାର୍ଶାଲ ଆଇଲାଣ୍ଡ, ମାଇକ୍ରୋନେସିଆ, ନାଉରୁ, ପାଲାଉ, ସେଣ୍ଟ ଲୁସିଆ, ସେଣ୍ଟ ଭିନ୍‌ସେଣ୍ଟ ଆଣ୍ଡ ଗ୍ରେନେଡାଇନ୍‌, ସାମୋଆ, ସୋଲୋମନ ଆଇଲାଣ୍ଡ, ତୁଭାଲୁ ଓ ଭାଟିକାନ ସିଟି। ଏହି ୧୫ଟି ଦେଶର ନିଜର ସେନା ନାହିଁ। ବାକି ୬ଟି ରାଷ୍ଟ୍ରର ସ୍ଥାୟୀ ସେନା ନଥିଲେ ବି ସୀମୀତ ସଂଖ୍ୟକ ସୈନ୍ୟ ଅଛନ୍ତି। ସେହି ଛଅ ରାଷ୍ଟ୍ର ହେଲେ କୋଷ୍ଟାରିକା, ଆଇସଲାଣ୍ଡ, ମରିସସ, ମୋନାକୋ, ପାନାମା ଓ ଭାନାଉତୁ। ତେବେ ଏ ୨୧ ରାଷ୍ଟ୍ର ମଧ୍ୟ ଅହିଂସାକୁ ସେମାନଙ୍କ ସମ୍ବିଧାନର ମୁଖବନ୍ଧରେ ଲିପିବଦ୍ଧ କରିନାହାନ୍ତି। ଅହିଂସା ନିଶ୍ଚୟ ଏକ ଉଚ୍ଚ ଆଦର୍ଶ। ଏହାକୁ ବ୍ୟକ୍ତିମାନଙ୍କ ଭଳି ରାଷ୍ଟ୍ର ମଧ୍ୟ ପାଳନ କରିବା ଉଚିତ। ପ୍ରାଚୀନ କାଳରୁ ଭାରତର ଜ୍ଞାନୀଗୁଣୀ ଲୋକମାନେ ଶାନ୍ତି ଓ ଅହିଂସା ନୀତି ଉପରେ ଗୁରୁତ୍ୱ ଦେଇ ଆସିଛନ୍ତି। ଅହିଂସାରରେ ବିଶ୍ୱାସ କରୁଥିବା ଲୋକମାନେ କଦାପି ପ୍ରତିହିଂସା, ଦମନ, ଯୁଦ୍ଧ ଆଦି ନୀତିକୁ ସମର୍ଥନ କରିବେ ନାହିଁ। ଅହିଂସାର ପ୍ରବକ୍ତାମାନେ ମଧ୍ୟ ମହାତ୍ମା ଗାନ୍ଧୀଙ୍କ ପରି କୌଣସି ସୁରକ୍ଷା କର୍ମୀ ବା ଅଙ୍ଗରକ୍ଷୀ ମୁତୟନ କରିବେ ନାହିଁ। ମହାତ୍ମା ଗାନ୍ଧୀଙ୍କ ମତରେ ମାନସିକ ସ୍ତରରେ ସାହସୀ ନହେଲେ ଜଣେ ଅହିଂସା ଆଚରଣ କରିପାରିବ ନାହିଁ। କାପୁରୁଷମାନେ ହିଂସା ପ୍ରଦର୍ଶନ କରନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ପୁଲିସ ଘେରରେ ରହିବାକୁ ଭଲ ପାଆନ୍ତି। ତାଙ୍କର ଓ ତାଙ୍କ ଘରର ସୁରକ୍ଷା ପାଇଁ ଏକାଧିକ ପ୍ଲାଟୁନ ମୁତୟନ ରହିଛନ୍ତି। ତାଙ୍କ କାର୍‌ ଯୂଥ ଗଲାବେଳେ ପୁଲିସ ଅଧିକାରୀମାନେ ରାସ୍ତା ସଫା କରିଦିଅନ୍ତି। ଏସବୁ ନିତ୍ୟନୈମିତ୍ତିକ ଘଟଣାରୁ ଜଣାପଡ଼େ ନବୀନବାବୁ ତାଙ୍କ ବାପାଙ୍କ ପରି ଦୁଃସାହସୀ ନହେଲେ ବି ମହାତ୍ମା ଗାନ୍ଧୀଙ୍କ ପରି ନୈତିକ ସାହସର ଅଧିକାରୀ ନୁହନ୍ତି। ନହେଲେ ସେ ନବନିର୍ମାଣ କୃଷକ ସଂଗଠନର ଦଶବାର ଜଣ କର୍ମୀଙ୍କୁ ଡରି ସଚିବାଳୟ ସାମ୍ନାରୁ ଗାଡ଼ି ଫେରାଇ ପଛ ଗେଟ୍‌ରେ ଅଫିସ ଯାଇ ନଥାନ୍ତେ। ତାଙ୍କର ନୈତିକ ସାହସ ଥିଲେ ସେ ସେଇଠି ଗାଡ଼ିରୁ ଓହ୍ଲେଇ ସେମାନଙ୍କ କଥା ଶୁଣିଥାନ୍ତେ ଓ ସେମାନଙ୍କୁ ବୁଝେଇଶୁଝେଇ ଆଗକୁ ଯାଇଥାନ୍ତେ। ୨୦୧୯ ନିର୍ବାଚନ ପୂର୍ବରୁ ସାରା ଦେଶେର ମୋଦୀ ବିରୋଧୀ ମେଣ୍ଟ ପାଇଁ ଏକ ଉଦ୍ୟମ ହେଉଥିଲା। ଯେଉଁମାନେ ଏ ଉଦ୍ୟମ କରୁଥିଲେ ସେମାନେ ସମସ୍ତେ ନବୀନବାବୁଙ୍କ ସମର୍ଥନ ଲୋଡ଼ୁଥିଲେ। ନବୀନବାବୁ ସେମାନଙ୍କୁ ଧରାଛୁଆଁ ଦେଉ ନଥିଲେ। କିନ୍ତୁ ସମ୍ବିଧାନରେ ‘ଅହିଂସା’ ଶବ୍ଦ ଯୋଡ଼ିବା କଥା ଉଠେଇ ସେ ଗାନ୍ଧୀ ପରିବାରର କଂଗ୍ରେସ ଓ ଅନ୍ୟ ଅଣବିଜେପି ଶକ୍ତିଙ୍କୁ ଏକ ବାର୍ତ୍ତା ଦେବାକୁ ଚାହୁଁଥିଲେ ଯେ ସେ ଗାନ୍ଧୀଭକ୍ତ, ସାବରକର ବା ଗଡ଼୍‌ସେ ଭକ୍ତ ନୁହନ୍ତି। କିନ୍ତୁ ନିର୍ବାଚନ ପରେ ସେ ଓ ତାଙ୍କ ଦଳ ତୁରନ୍ତ ମୋଦୀ ସରକାର ଏବଂ ବିଜେପି ସହିତ କୌଶଳଗତ ବୁଝାମଣା କରିବାରେ ସଫଳ ହେଲେ। ଏବେ ନାଗରିକତା ସଂଶୋଧନ ଆଇନ ଓ ସମ୍ଭାବ୍ୟ ଜାତୀୟ ନାଗରିକ ପଞ୍ଜିକାକୁ ନେଇ ସମଗ୍ର ଦେଶରେ ସରକାର ବିରୋଧୀ ବାତାବରଣ ସୃଷ୍ଟି ହୋଇଛି। ଏ ଦୁଇଟି ବିରୋଧରେ ସମଗ୍ର ଦେଶରେ ହିଂସାତ୍ମକ ଆନ୍ଦୋଳନ ଚାଲିଛି। ଏହି ଆନ୍ଦୋଳନ ଦେଶରେ ଏକ ନୂଆ ରାଜନୀତିକ ସମୀକରଣ ବା ଅତି କମ୍‌ରେ ଏକ ଅଣବିଜେପି ରାଜନୀତିକ ସାମ୍ମୁଖ୍ୟରେ ପରିଣତ ହେବାର ସମ୍ଭାବନା ବହନ କରୁଛି। ନବୀନବାବୁଙ୍କ ନିର୍ଦ୍ଦେଶରେ ତାଙ୍କ ଦଳର ସାଂସଦମାନେ ସଂସଦରେ ନାଗରିକତା ସଂଶୋଧନ ବିଲ୍‌କୁ ସମର୍ଥନ ଦେଇଥିଲେ। ମାତ୍ର, ଏହା ପରେ ରାଜ୍ୟରେ ମୁସଲମାନ ସଂପ୍ରଦାୟର ଲୋକମାନେ ବିଶାଳ ଶୋଭାଯାତ୍ରା କରିବାରୁ ନବୀନବାବୁ ତାଙ୍କର ଭୋଟବ୍ୟାଙ୍କ ଭାଙ୍ଗିଯିବାର ଆଶଙ୍କା କରି ତୁରନ୍ତ ଘୋଷଣା କଲେ ଯେ ତାଙ୍କ ଦଳ ଏହି ବିଲ୍‌କୁ ସମର୍ଥନ ଦେଇଥିଲେ ବି ଜାତୀୟ ନାଗରିକ ପଞ୍ଜିକାକୁ ସମର୍ଥନ ଦେବ ନାହିଁ। ଓଡ଼ିଶାରେ ନାଗରିକ ପଞ୍ଜିକା କାର୍ଯ୍ୟକାରୀ ହେବ ନାହିଁ ବୋଲି ମଧ୍ୟ ସେ ଘୋଷଣା କଲେ। ଏହା ପରେ ଦିଲ୍ଲୀ ଯାଇଁ ସେ ପୁଣି ଥରେ ‘ଅହିଂସା’ କଥା ଉଠାଇଛନ୍ତି। ଏ କଥା ଉଠେଇ ସେ ଗୋଟିଏ ଗୁଳିରେ ଦୁଇଟି ଶିକାର କରିବାକୁ ଲକ୍ଷ୍ୟ ରଖିଥାଇ ପାରନ୍ତି। ଏବେକାର ପରିସ୍ଥିତିରେ କେନ୍ଦ୍ର ଶାସନରେ ଥିବା ବିଜେପି ନେତୃତ୍ୱାଧୀନ ସରକାରଙ୍କୁ ସେ ବୁଝେଇ ପାରିବେ ଯେ ସେ ନାଗରିକତା ବିରୋଧୀ ଆନ୍ଦୋଳନକୁ ସମର୍ଥନ କରୁନାହାନ୍ତି। ଅନ୍ୟପକ୍ଷରେ ସେ ତାଙ୍କର କଂଗ୍ରେସ ବନ୍ଧୁମାନଙ୍କୁ ମଧ୍ୟ ବୁଝେଇ ପାରିବେ ଯେ ସେ ହେଉଛନ୍ତି ଗାନ୍ଧୀବାଦୀ, ଗଡ଼ସେବାଦୀ ନୁହନ୍ତି। ତେବେ, ଧରାଯାଉ କେନ୍ଦ୍ର ସରକାର ନବୀନବାବୁଙ୍କ କଥା ଶୁଣି ସମ୍ବିଧାନରେ ‘ଅହିଂସା’ ଶବ୍ଦ ଯୋଡ଼ିଲେ। ତାହା କାର୍ଯ୍ୟକାରୀ ହେବ କି? ସମ୍ବିଧାନରେ ପରା ଧର୍ମନିରପେକ୍ଷ ଓ ସମାଜବାଦ କଥା ୫୦ ବର୍ଷ ତଳେ ଯୋଡ଼ା ଯାଇଛି! ଭାରତରେ ସମାଜବାଦ ଅଛି ନା ଭାରତ ସରକାର ଧର୍ମନିରପେକ୍ଷ? ଭାରତର ଧର୍ମନିରପେକ୍ଷ ରାଜନୀତି କରୁଥିବା ଦଳ ଖୋଜିଲେ ବି ମିଳିବେ କି ନାହିଁ ସନ୍ଦେହ। ଏଭଳି ସ୍ଥିତିରେ ‘ଅହିଂସା’ ନବୀନବାବୁଙ୍କ ପାଇଁ ଏକ ରାଜନୀତିକ କୌଶଳ ଭାବେ କାମ ଦେଇପାରେ। ତା’ ବ୍ୟତିତ ତାଙ୍କର ଅଧିକ ମହତ ଉଦ୍ଦେଶ୍ୟ କିଛି ଥିଲା ପରି ଲାଗୁ ନାହିଁ। ମହତ ଉଦ୍ଦେଶ୍ୟ ଥିଲେ ସେ ତାଙ୍କର ବିଜେଡି କର୍ମୀଙ୍କୁ ନେଇ ହିଂସାତ୍ମକ ଆନ୍ଦୋଳନ ବିରୋଧରେ ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେଇଥାନ୍ତେ, ଶାନ୍ତି ଶୋଭାଯାତ୍ରା ବାହାର କରିଥାନ୍ତେ, ହିଂସା ବ୍ୟାପିଥିବା ଅଂଚଳରେ ପ୍ରେମ ଓ ଶାନ୍ତିର ବାର୍ତ୍ତା ପ୍ରଚାର କରିଥାନ୍ତେ। ସେ ଯଦି ସତରେ ଅହିଂସାର ପୂଜାରୀ ହୋଇଥାନ୍ତେ ତେବେ ହିଂସାକାଣ୍ଡ ସହିତ ସଂପୃକ୍ତ କୌଣସି ବ୍ୟକ୍ତିଙ୍କୁ ସେ ତାଙ୍କ ଦଳରେ ଗ୍ରହଣ କରିନଥାନ୍ତେ, ସେମାନଙ୍କୁ ଦଳୀୟ ପ୍ରାର୍ଥୀ କରିନଥାନ୍ତେ କି ନିଜ ମନ୍ତ୍ରିମଣ୍ଡଳର ସଦସ୍ୟ ଭାବେ ଚୟନ କରିନଥାନ୍ତେ। ନବୀନ ଶାସନରେ ଘଟିଥିବା କଳିଙ୍ଗନଗର ଗୁଳିକାଣ୍ଡ ପରି ଅନେକ ଘଟଣା ମଧ୍ୟ ତାଙ୍କ ‘ଅହିଂସା’ ନୀତି କିଭଳି ଏକ ପ୍ରତାରଣା ତାହା ପଦାରେ ପକାଇଛି। ମହାତ୍ମା ଗାନ୍ଧୀ ସୁଭାଷ ବୋଷଙ୍କୁ ଭଲ ପାଉଥିଲେ ମଧ୍ୟ ତାଙ୍କର ଉଗ୍ରବାଦୀ ରାଜନୀତିକୁ ସମର୍ଥନ ନକରିବାରୁ ନେତାଜୀ ଗାନ୍ଧୀଙ୍କୁ ସମ୍ମାନ ପ୍ରଦର୍ଶନ ପୂର୍ବକ କଂଗ୍ରେସ ସଭାପତି ପଦ ଜିତି ମଧ୍ୟ ଛାଡ଼ିଥିଲେ। ସେତେବେଳେ ଗାନ୍ଧୀ କଂଗ୍ରେସର ସ୍ୱାର୍ଥ ଦେଖି ନଥିଲେ କି ନେତାଜୀ ତାଙ୍କର ସ୍ୱାର୍ଥ। ଉଭୟେ ଥିଲେ ନିଜନିଜ ନୀତିରେ ଅଟଳ ବିଶ୍ୱାସୀ, ନିଷ୍ଠାପର ଦେଶପ୍ରେମୀ। (ସୌ-ଓଡ଼ିଶା ରିପୋର୍ଟର)

Share :