ଧର୍ଷଣ ଭଲ ଲାଗୁଛି!

ଧର୍ଷଣ ଭଲ ଲାଗୁଛି!

Share :

ଦେବେନ୍ଦ୍ର ପୃଷ୍ଟି ‘ମହିଳାମାନେ ଯେବେ ରାତିରେ ମୁକ୍ତ ଭାବରେ ବିଚରଣ କରିପାରିବେ ସେହିଦିନ ଆମେ ଭାରତ ସ୍ୱାଧୀନ ହେଲା ବୋଲି କହିପାରିବା।’ ଏକଥା କହିଥିଲେ ଜାତିର ଜନକ ମହାତ୍ମା ଗାନ୍ଧୀ। ମହାତ୍ମାଙ୍କର ଏଇ କଥା ପଦକ ଅନୁଶୀଳନ କଲେ ଆମେ କ’ଣ କହିପାରିବା ଯେ ଭାରତ ସତରେ ସ୍ୱାଦୀନ ହୋଇଛି? ହାଇଦ୍ରାବାଦ ନିକଟରେ ପ୍ରାଣୀ ଚିକିତ୍ସକ ପ୍ରିୟଙ୍କା ରେଡ୍ଡି ଓ ପୁରୀରେ ଜଣେ ଯୁବତୀର ଗଣଦୁଷ୍କର୍ମ ପରେ ପୁଣି ଥରେ ପ୍ରମାଣିତ ହୋଇଛି ଯେ ଭାରତବର୍ଷରେ ଏବେ ବି ନାରୀ ସୁରକ୍ଷିତ ନୁହେଁ। ରାତିରେ କାହିଁକି, ସନ୍ଧ୍ୟାବେଳେ ମଧ୍ୟ ମହିଳାମାନେ ସୁରକ୍ଷିତ ନୁହନ୍ତି। ପ୍ରିୟଙ୍କା ରେଡ୍ଡିଙ୍କୁ ରାତି ପ୍ରାୟ ୯ଟା ସମୟରେ ଯୌନ ରାକ୍ଷସମାନ ଟେକି ନେଇଥିଲେ। ଶାମଶାବାଦ ଟୋଲ୍‌ ଗେଟ୍‌ ନିକଟରେ ପ୍ରିୟଙ୍କା ତାଙ୍କର ସ୍କୁଟି ପାର୍କ କରିବା ସମୟରେ ଚାରି ଜଣ ରାକ୍ଷସ ତାଙ୍କୁ ଦେଖିଥିଲେ ଓ ସେଇଠି ତାଙ୍କୁ ଦୁଷ୍କର୍ମ କରିବା ପାଇଁ ଷଡ଼ଯନ୍ତ୍ର କରିଥିଲେ। ପ୍ରିୟଙ୍କା ସେଠାରୁ ଟ୍ୟାକ୍ସିରେ ତାଙ୍କ ଗନ୍ତବ୍ୟ ସ୍ଥଳକୁ ଯାଇ ଫେରିବା ବେଳକୁ ରାକ୍ଷସମାନେ ତାଙ୍କର ସ୍କୁଟି ଚକାରୁ ପମ୍ପ ବାହାର କରିସାରିଥିଲେ। ସେ ଫେରିବା ପରେ ରାକ୍ଷସମାନେ ତାଙ୍କୁ ସହାୟତା କରିବା ପାଇଁ ଆଗେଇ ଆସିଲେ। ଜଣେ ସ୍କୁଟି ପଙ୍କଚର୍‌ ମରାମତି କରିବାକୁ ବାହାରି ଗଲା। ଅଳ୍ପ ସମୟରେ ଫେରି ଆସି କହିଲା ମେକାନିକ୍‌ ନାହାନ୍ତି। ପ୍ରିୟଙ୍କା ସେତେବେଳକୁ ଡରି ଗଲେଣି। ସେ ଫୋନ୍‌ରେ ସାନ ଭଉଣୀ ସହିତ କଥା ହେବା ଜାଣି ଆଉ ବିଳମ୍ବ ନକରି ରାକ୍ଷସମାନେ ତାଙ୍କ ଉପରେ ଆକ୍ରମଣ କଲେ। ପର ଦିନ ସକାଳୁ ତାଙ୍କର ଦଗ୍ଧ ମୃତଦେହ କିଛି ଦୂରରୁ ମିଳିଲା। ଏ ଘଟଣା ଏବେ ସମଗ୍ର ଭାରତରେ ଚର୍ଚ୍ଚାର ବିଷୟ ହୋଇଛି। ସଂସଦ ସଦସ୍ୟମାନେ ଏନେଇ କ୍ରୋଧିତ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସାଂସଦ ତଥା ବିଗତ ଦିନର ଚିତ୍ରାଭିନେତ୍ରୀ ଜୟା ବଚ୍ଚନ ଏପରି ରାକ୍ଷସମାନଙ୍କୁ ପିଟିପିଟି ହତ୍ୟା କରିବାକୁ ପରାମର୍ଶ ଦେଇଛନ୍ତି। ଠିକ ସେହିପରି କାକଟପୁରର ସେହି ଯୁବତୀ ଜଣକ ଭୁବନେଶ୍ୱରରୁ ଘରକୁ ଯାଉଥିବାବେଳେ ନିମାପଡ଼ାରେ ବସ୍‌ ଫେଲ୍‌ ହୋଇଥିଲେ। ତାଙ୍କୁ ଲିଫ୍ଟ ଦେବାକୁ ଆଗେଇ ଆସିଥିଲେ ଚାରି ଜଣ ରାକ୍ଷସ। ସେମାନେ ତାଙ୍କୁ କାର୍‌ରେ କାକଟପୁରରେ ନେଇ ଛାଡ଼ିଦେବେ ବୋଲି କହି ପୁରୀ ନେଇଯାଇଥିଲେ। ସେଠାରେ ଏକ ପୁଲିସ କ୍ୱାର୍ଟରରେ ତାଙ୍କୁ ଗଣ ଦୁଷ୍କର୍ମ କରାଯାଇଥିଲା। ସୌଭାଗ୍ୟକ୍ରମେ ଯୁବତୀ ଜଣକ ବଂଚି ଯାଇଥିଲେ ଓ ଏ ସଂପର୍କରେ ପୁରୀ କୁମ୍ଭାରପଡ଼ା ଥାନାରେ ଅଭିଯୋଗ କରିଥିଲେ। ଏ ଘଟଣା ବି ଏବେ ଓଡ଼ିଶା ରାଜନୀତିରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି। ଏ ଦୁଇଟି ଘଟଣା ସମଗ୍ର ଭାରତର ଚିତ୍ର ନୁହେଁ। ସବୁଠି ସବୁବେଳେ ଯେ ଏଭଳି ମହିଳାମାନେ ଯୌନ ରାକ୍ଷସମାନଙ୍କ ହାବୁଡ଼ରେ ପଡ଼ୁଛନ୍ତି ତାହା କୁହାଯାଇ ପାରିବ ନାହିଁ। ତେବେ ଏଇ ଦୁଇଟି ଘଟଣାରୁ ଏହା ନିଶ୍ଚିତ ଯେ ଭାରତବର୍ଷରେ ଏଯାଏଁ ମହିଳାମାନେ ରାତିରେ ମୁକ୍ତ ଭାବରେ ବିଚରଣ କରିବାର ପରିବେଶ ସୃଷ୍ଟି ହୋଇନାହିଁ। ରାତିରେ ଏକଲା ମହିଳାମାନେ ଏବେ ବି ଅସୁରକ୍ଷିତ। ଅବଶ୍ୟ ଖାଲି ରାତିରେ କାହିଁକି, ଏଭଳି ଦୁଷ୍କର୍ମ ଘଟଣା ଅନେକ କ୍ଷେତ୍ରରେ ଦିନରେ ମଧ୍ୟ ଘଟୁଛି। ଏଥିପାଇଁ ସବୁବେଳେ ସରକାରଙ୍କୁ ଦୋଷ ଦେଇ ହେବନାହିଁ। ପୁଲିସକୁ ମଧ୍ୟ ନୁହେଁ। ପୁଲିସ କ’ଣ ଭାରତବର୍ଷର ସବୁ ମହିଳାଙ୍କ ପଛେ ପଛେ ଚାଲିବ? ସରକାର କ’ଣ ସବୁ ମହିଳାଙ୍କୁ ନିରାପତ୍ତା ରକ୍ଷୀ ଯୋଗାଇଦେବେ? ଏହା ସମ୍ଭବ ନୁହେଁ। କିଛି ଦୋଷ ସମାଜର, ଦୁଷ୍କର୍ମ ବିରୋଧରେ ଗଣଚେତନା ଜାଗ୍ରତ ନକରିପାରିବାର ବିଫଳତାର ବୋଝ ମୁଣ୍ଡେଇଛି ସମାଜ। କିଛି ଦୋଷ ମଧ୍ୟ ଶାସନର, ଧର୍ଷଣକାରୀଙ୍କ ବିରୋଧରେ ତୁରନ୍ତ ଓ ଉପଯୁକ୍ତ ଦଣ୍ଡବିଧାନ ନକରିପାରିବାର ବିଫଳତାର ବୋଝ ଶାସନ ପାଇଁ ଭାରି ହୋଇଗଲାଣି। ସମାଜ କହିଲେ ଜଣକୁ ବୁଝାଏ ନାହିଁ କି ସରକାର କହିଲେ ଶାସନ ମୁଖ୍ୟଙ୍କୁ ବୁଝାଏ ନାହିଁ। ଏ ଦୁଇଟି ହେଉଛି ବିମୂର୍ତ୍ତ ସଂଗଠନ। କିନ୍ତୁ ଏହାର ସଦସ୍ୟମାନେ ସମସ୍ତେ ମୂର୍ତ୍ତିମନ୍ତ। ସମସ୍ତଙ୍କର ଶିକ୍ଷା, ଦୀକ୍ଷା ଓ ବିଚାରବୋଧ ଯଦି ସମାଜର ମଙ୍ଗଳୋଦ୍ଦିଷ୍ଟ ହୋଇଥାନ୍ତା ତେବେ ହୁଏତ ଏପରି ଘଟୁ ନଥାନ୍ତା। ସେହିପରି ଶାସନର ସ୍ତରେ ସ୍ତରେ ଦାୟିତ୍ୱ ବହନ କରୁଥିବା ସରକାରୀ ଲୋକମାନେ ଯଦି ରାଜଧର୍ମ ପାଳନ କରୁଥାନ୍ତେ ତେବେ ମଧ୍ୟ ଏଭଳି ଦୋଷୀମାନେ ଖସି ଯାଉ ନଥାନ୍ତେ, ଯାହା ଏଭଳି ଦୋଷ କରିବା ପୂର୍ବରୁ ଅନ୍ୟମାନଙ୍କ ମନରେ କିଂଚିତ ହେଲେ ମଧ୍ୟ ଭୀତି ସଂଚାର କରୁଥାନ୍ତା। ତାହା ହେଉ ନାହିଁ। ଯୌନ କାମନା ଦେହଜ। ଶିଶୁ ଅବସ୍ଥାରେ ଏହା ଚିନ୍ତା ଓ ଚେତନା ସ୍ତରକୁ ଆସି ନଥାଏ। ସେଥିପାଇଁ ସେତେବେଳେ ଯୌନ ଏକ କାମନା ଭାବେ ଦେହ ଓ ମନରେ ଉତ୍ତେଜନା ସୃଷ୍ଟି କରେ ନାହିଁ। କିନ୍ତୁ କୈଶୋର ଅବସ୍ଥା ପରେ ପରେ କେହି ଶିଖଉ ନ ଶିଖଉ ଏ ଭାବ ମଣିଷର ଦେହ ଓ ମନକୁ ଆକ୍ରାନ୍ତ କରେ। ଯେଉଁମାନେ ଏ ଭାବକୁ ନିୟନ୍ତ୍ରଣ କରିବାର କଳା ଓ କୌଶଳ ଶିକ୍ଷା କରିଥାନ୍ତି ସେମାନେ ଦୁଷ୍କର୍ମ କରନ୍ତି ନାହିଁ। ଯେଉଁମାନେ ଚିନ୍ତା ଓ ଚେତନା ରହିତ ଭାବେ ଯୌନ ଉତ୍ତେଜନାର ବଶବର୍ତ୍ତୀ ହୁଅନ୍ତି ସେମାନେ ଯୌନ ରାକ୍ଷସରେ ପରିଣତ ହୁଅନ୍ତି। ସେତେବେଳେ ସେମାନେ ହିତାହିତ ଜ୍ଞାନ ଭୁଲି ଯାଆନ୍ତି। ସମାଜ ଓ ଶାସନର ଶିକ୍ଷା, ସଂସ୍କାର ଓ କଟକଣା ଆଦି ପାଶୋରି ପକାନ୍ତି। ଦେହ ଓ ମନର କ୍ଷଣିକ ଉତ୍ତେଜନାକୁ ପ୍ରଶମିତ କରିବାକୁ ଯାଇଁ ଅନ୍ୟର ଦେହ ଓ ମନରେ ନିଆଁ ଜଳେଇ ଦିଅନ୍ତି। ସେ ନିଆଁରେ ଖାଲି ଜଣେ ଜଳେ ନାହିଁ, ସେ ନିଆଁର ଧାସ ସମାଜକୁ ଆହତ ଓ ଶାସନକୁ କ୍ଷତାକ୍ତ କରିପାରେ। ରାଷ୍ଟ୍ର ଓ ରାଷ୍ଟ୍ରୀୟ ବ୍ୟବସ୍ଥାକୁ ବଦନାମ କରେ। ଭାରତବର୍ଷରେ ନାରୀର ମର୍ଯ୍ୟାଦା ଓ ସୁରକ୍ଷାକୁ କାହିଁ କେଉଁ କାଳୁ ଗୁରୁତ୍ୱ ଦିଆଯାଇ ଆସିଛି। ଭାରତୀୟ ସଭ୍ୟତାର ଦୁଇ ମହାକାବ୍ୟ ରାମାୟଣ ଓ ମହାଭାରତର ମୁଖ୍ୟ ବିଷୟବସ୍ତୁ ନାରୀର ମର୍ଯ୍ୟାଦା ଓ ସୁରକ୍ଷା ଉପରେ ପର୍ଯ୍ୟବସିତ। ସୀତା ହରଣ ରାବଣ ମରଣ ଓ ଦ୍ରୌପଦୀ ବସ୍ତ୍ରହରଣ କୁରୁବଂଶ ବିନାଶନର କଥା ହେଉ ବା କିମ୍ବଦନ୍ତୀ ବିଷୟରେ ଅନ୍ୟ କେହି ନହେଲେ ମଧ୍ୟ ବୃହତ୍ତର ହିନ୍ଦୁ ସମାଜ ସଚେତନ। ସୀତାଙ୍କୁ ରାବଣ ଛୁଇଁ ନଥିଲେ। ଦ୍ରୌପଦୀଙ୍କୁ ମଧ୍ୟ ଦୁଷ୍କର୍ମ କରି ନଥିଲେ ଦୁଃଶାସନ କି ଦୁର୍ଯ୍ୟୋଧନ। ତଥାପି ସେମାନଙ୍କୁ ଯୁଦ୍ଧର ଦଣ୍ଡ ଭୋଗ କରିବାକୁ ପଡ଼ିଥିଲା, ଉଭୟ ରାବଣ ଓ କୁରୁବଂଶର ବିନାଶ ହୋଇଥିଲା। ରାଜତନ୍ତ୍ର, ସୁଲ୍‌ତାନତ୍‌ ଓ ଉପନିବେଶ ଦେଇ ସ୍ୱାଧୀନ ଗଣତନ୍ତ୍ରରେ ପରିଣତ ହୋଇଛି ଭାରତ। ଇତିମଧ୍ୟରେ ୭୦ ବର୍ଷ ବିତିଗଲାଣି। ନାରୀ ସୁରକ୍ଷା ପାଇଁ ପ୍ରଣୀତ ହୋଇଛି ଅନେକ ଆଇନ। ୨୦୧୨ ନିର୍ଭୟା ଦୁଷ୍କର୍ମ ଘଟଣା ପରେ ସମଗ୍ର ଦେଶର ଚେତନା-ଜାଗରଣ ଘଟିଥିଲା। ଦେଶର କୋଟିକୋଟି ଜନତା ଏଭଳି ଜଘନ୍ୟ ଦୁଷ୍କର୍ମକାରୀଙ୍କ ବିରୋଧରେ କଠୋର ଦଣ୍ଡବିଧାନ ଦାବି କରିଥିଲେ। ସେଥିପାଇଁ ତତ୍କାଳୀନ ଭାରତୀୟ ସଂସଦରେ ପ୍ରଣୀତ ହୋଇଥିଲା ଏକ କଠୋର ଆଇନ। ଜଘନ୍ୟ ଦୁଷ୍କର୍ମକାରୀଙ୍କୁ ମୃତ୍ୟୁଦଣ୍ଡର ବ୍ୟବସ୍ଥା ହେଲା। ଏହା ପରେ ବି ଥମିନି ଦୁଷ୍କର୍ମ। ବରଂ ବଢ଼ିଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ଏବେ ପୁଣି ପ୍ରିୟଙ୍କା ଦୁଷ୍କର୍ମ ପରେ ଅଧିକ କଠୋର ଆଇନ ପାଇଁ ଦାବି ହୋଇଛି। ଦୁଷ୍କର୍ମକାରୀଙ୍କୁ ସାଧାରଣରେ ପିଟିପିଟି ହତ୍ୟା କରିବାକୁ ସ୍ୱର ଉଠିଛି। ତେବେ, ଏକ ସଭ୍ୟ ଓ ଗଣତାନ୍ତ୍ରିକ ରାଷ୍ଟ୍ରରେ ଭିଡ଼ହତ୍ୟାକୁ ସମର୍ଥନ କରାଯାଇ ପାରିବ ନାହିଁ। କୁକୁର ମଣିଷକୁ କାମୁଡ଼ିଲା ବୋଲି ମଣିଷ କୁକୁରକୁ କାମୁଡ଼ିବା ମଣିଷ ପଣିଆ ନୁହେଁ। କିଏ ଦୁଷ୍କର୍ମ କଲା ବୋଲି ତା’କୁ ସର୍ବସମକ୍ଷରେ ପିଟିପିଟି ହତ୍ୟା କରିବା ଆଇନସିଦ୍ଧ ନୁହେଁ। ସେଭଳି ଆଇନ କେବଳ କେଉଁ ଧର୍ମାନ୍ଧ ରାଷ୍ଟ୍ରରେ ସମ୍ଭବ, ଗଣତନ୍ତ୍ରରେ ନୁହେଁ। ତେବେ, ଏଭଳିସବୁ ଦୁଷ୍କର୍ମ ଘଟଣା ମଧ୍ୟ ଏକ ସଭ୍ୟ ସମାଜ ପାଇଁ ଆଦୌ ଗ୍ରହଣୀୟ ନୁହେଁ। ଏହା ନାରୀ ବିରୋଧରେ ଜଘନ୍ୟ ଅପରାଧ। ନାରୀ ହେଉଛି ସମାଜର ଜନନୀ, ସଂସାରର ଭାରୋତ୍ତଳକ। ତା’ ବିରୋଧରେ ଏଭଳି ଅପରାଧ ସମାଜ ଓ ସଂସାର ବିରୋଧରେ ଅପରାଧ ଭାବେ ଗଣାଯିବା ଉଚିତ। ଏଭଳି ଜଘନ୍ୟ ଅପରାଧ ରୋକିବା ପାଇଁ ପିଲାବେଳୁ ଉଭୟ ପୁଅ ଓ ଝିଅମାନଙ୍କୁ ସାମାଜିକ ସଂସ୍କାର ସହିତ ରାଷ୍ଟ୍ରୀୟ ନୀତି ଓ ଆଇନ ସଂପର୍କରେ ଶିକ୍ଷା ଦିଆଯିବା ଜରୁରୀ। ବାପାମା’ମାନେ ନିଜ ଆଚରଣ ଜରିଆରେ ପିଲାମାନଙ୍କୁ ଏଭଳି ଶିକ୍ଷା ଦେଇପାରିବେ। ସ୍କୁଲ ଓ କଲେଜର ଶିକ୍ଷକ ଓ ଅଧ୍ୟାପକମାନେ ସେଭଳି ସଂସ୍କାର ଓ ଆଦର୍ଶ ପ୍ରତିଷ୍ଠା ପାଇଁ ଉଦାହରଣ ହୋଇପାରିବେ। ନେତାମାନେ ପରସ୍ପର ବିରୋଧରେ ପ୍ରଚାର କମେଇ ଦୁଷ୍କର୍ମ ବିରୋଧରେ ଉଦବୋଧନ ଦେଇପାରିବେ। ନିଜ ଆଚରଣ ଜରିଆରେ ମଧ୍ୟ ସେମାନେ ଅନ୍ୟମାନଙ୍କ ପାଇଁ ସଂଯମୀ ଓ ପବିତ୍ର ଜୀବନର ଉଦାହରଣ ସୃଷ୍ଟି କରିପାରିବେ। ଗଣମାଧ୍ୟମ ଏଭଳି ସବୁ ଅପରାଧକୁ ବିକ୍ରି କରିବା ପାଇଁ ଚାଞ୍ଚଲ୍ୟକର ଖବରରେ ପରିଣତ ନକରି ଏହା ବିରୋଧରେ ରହିଥିବା ଆଇନଗତ ବ୍ୟବସ୍ଥା ଓ ଦଣ୍ଡବିଧି ଇତ୍ୟାଦି ସଂପର୍କରେ ସଚେତନତା ସୃଷ୍ଟି କରିପାରିବେ। ପୁଲିସ ଓ ନ୍ୟାୟପାଳିକା ମଧ୍ୟ ନିରପେକ୍ଷ ଭାବରେ ଏଭଳି ଦୋଷୀମାନଙ୍କୁ ତୁରନ୍ତ ଦଣ୍ଡିତ କରି ସମ୍ଭାବ୍ୟ ଦୁଷ୍କର୍ମକାରୀଙ୍କ ମଧ୍ୟରେ ଭୟ ସଂଚାର କରିପାରିବେ। ବିପରୀତରେ ଯଦି ନେତାମାନେ ଧର୍ଷଣ କରନ୍ତି, ଜନମନ ରଂଜନ ପାଇଁ ଗଣମାଧ୍ୟମରେ ଧର୍ଷଣର ଉପସ୍ଥାପନା କରାଯାଏ, ଆଇନର ଶାସନ କଣା ବା ଅନ୍ଧ ହୋଇ ଦୁଷ୍କର୍ମ-ପୀଡ଼ିତାକୁ ଅଧିକ ଯନ୍ତ୍ରଣା ଦିଏ ଓ ଦୁଷ୍କର୍ମକାରୀକୁ ନିର୍ଦ୍ଦୋଷରେ ଖଲାସ କରେ, ପରିବାର ଓ ଶିକ୍ଷାନୁଷ୍ଠାନ ଯଦି ଭୁଲ ସଂସ୍କାର ଓ ଆଦର୍ଶ ଶିଖାଏ ତେବେ ଏଭଳି ଘଟଣା କମିବ ନାହିଁ, ବରଂ ବଢ଼ିବ। ଏବେ ତାହା ହିଁ ହେଉଛି। ଧର୍ଷଣ ବିରୋଧରେ ବିକ୍ଷୋଭ କରୁଥିବା ମା’ବାପାଙ୍କ ପୁଅ ମଧ୍ୟ ଏହି ଅପରାଧ କରିବାକୁ ପଛାଉନାହିଁ। ପୁଲିସ ଓ ନ୍ୟାୟର ଅଧିକାରୀ, ନେତା ଓ ଗଣମାଧ୍ୟମର ବଡ଼ପଣ୍ଡାମାନେ ମଧ୍ୟ ଏଭଳି ଅପରାଧ କରି ଚର୍ଚ୍ଚାର ପରିସରକୁ ଆସୁଛନ୍ତି। ବୋଧହୁଏ ଏହା ଭଲ ଲାଗୁଛି। (ସୌ- ଓଡ଼ିଶା ରିପୋର୍ଟର)

Share :