ଆଗ କାମ ପଛ, ପଛ କାମ ଆଗ

ଆଗ କାମ ପଛ, ପଛ କାମ ଆଗ

ଦେବେନ୍ଦ୍ର ପୃଷ୍ଟି ଓଡ଼ିଶାର ପ୍ରାୟ ୭୨ ପ୍ରତିଶତ ଚାଷ ଜମିକୁ ସବୁଦିନିଆ ଜଳସେଚନ ସୁବିଧା ନାହିଁ। ଏହି କାରଣରୁ ଓଡ଼ିଶାର ଚାଷୀମାନେ ବର୍ଷକ ଛଅ ମାସ ଜମି ପଡ଼ିଆ ପକାଇବାକୁ ବାଧ୍ୟ ହେଉଛନ୍ତି। ରାଜ୍ୟର ସବୁ ବ୍ଲକର ୩୫ ପ୍ରତିଶତ ଜମିକୁ ଜଳସେଚନ ସୁବିଧା ଯୋଗାଇବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଜୁ ଜନତା ଦଳ ୨୦୦୦ ମସିହାରୁ ପ୍ରତିଶ୍ରୁତି ଦେଇ ଆସୁଛି। ଅଥଚ ତାହା ଏଯାଏଁ କାର୍ଯ୍ୟକାରୀ ହୋଇନାହିଁ। ମହାନଦୀ ପାଣି ଛତିଶଗଡ଼ ଚୋରେଇ ନେଇଛି ବୋଲି ଦାବି କରି ଏହି ଦଳର ନେତାମାନେ ୨୦୧୨-୧୩ରୁ ରାଜନୀତି କରି ଆସୁଛନ୍ତି। ହେଲେ ସମୁଦ୍ରକୁ ବୋହି ଯାଉଥିବା ମହାନଦୀର ୭୫ ପ୍ରତିଶତ ଉଦବୃଦ୍ଧ ବର୍ଷା ଜଳ ଅଟକାଇ ଚାଷ ଓ ପାନୀୟ କାର୍ଯ୍ୟରେ ଲଗେଇବା ଦିଗରେ ନବୀନ ପଟ୍ଟନାୟକ କିମ୍ବା ତାଙ୍କ ସରକାରଙ୍କର କୌଣସି ସ୍ୱତନ୍ତ୍ର ଯୋଜନା ନାହିଁ। ରାଜ୍ୟର ଅନ୍ୟ ନଦୀଗୁଡ଼ିକର ଜଳ ଅଟକାଇ ଚାଷ କାର୍ଯ୍ୟରେ ଲଗେଇବାକୁ ମଧ୍ୟ ୨୦ ବର୍ଷ ଭିତରେ ସରକାର କୌଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରିନାହାନ୍ତି। ଚାଷଜମିକୁ ସବୁଦିନିଆ ସେଚ ସୁବିଧା ଯୋଗାଇଦେଲେ ରାଜ୍ୟର କୃଷକମାନଙ୍କର ଆୟ ବୃଦ୍ଧି ହେବା ନିଶ୍ଚିତ। ରାଜ୍ୟର ପ୍ରାୟ ୭୦ ପ୍ରତିଶତ ଲୋକ କୃଷିକୁ ମୁଖ୍ୟ ଜୀବିକା ଭାବେ ଗ୍ରହଣ କରିଛନ୍ତି। ତେଣୁ କୃଷି ଉତ୍ପାଦନ ବଢ଼ିଲେ ରାଜ୍ୟ ଜନସଂଖ୍ୟାର ଏହି ବୃହତ୍ତର ଭାଗର ଆର୍ଥିକ ସଶକ୍ତିକରଣ ହେବା ନିଶ୍ଚିତ। ଏହା ସହିତ ରାଜ୍ୟର ମୋଟ ଘରୋଇ ଉତ୍ପାଦ ମଧ୍ୟ ବୃଦ୍ଧି ପାଇବ। କୃଷି କ୍ଷେତ୍ରରେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଚାଷର ଉନ୍ନତି ହେଲେ ରାଜ୍ୟ ଖାଦ୍ୟଶସ୍ୟ, ପନିପରିବା, ଡାଲି ଓ ତୈଳବୀଜ ଆଦି କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହୋଇପାରିବ। ଏହା ଫଳରେ ଏସବୁର ଆମଦାନୀ କମିବ, ଆମଦାନୀ କମିଲେ ବାହାରକୁ ପଳାଉଥିବା ଅର୍ଥ ସଂଚୟ ହୋଇପାରିବ। ତାହା ରାଜ୍ୟ ଅର୍ଥନୀତିକୁ ମଧ୍ୟ ସମୃଦ୍ଧ କରିବ। ଦାଦନ ସମସ୍ୟାର ସମାଧାନ ହୋଇପାରିବ। ଲୋକେ ଗାଁ ବିଲରେ ବର୍ଷକ ବାର ମାସ ନିଯୁକ୍ତିର ସୁଯୋଗ ପାଇଲେ ବିଦେଶ ଯାଇଁ ହନ୍ତସନ୍ତ ହେବାକୁ ନିଶ୍ଚୟ ପସନ୍ଦ କରିବେ ନାହିଁ। ଚାଷୀ ପାଖରେ ଦି’ ପଇସା ହେଲେ ସେ ତାହାର ପିଲାମାନଙ୍କୁ ପାଠ ପଢ଼େଇ ପାରିବ, ସେମାନଙ୍କ ସ୍ୱାସ୍ଥ୍ୟର ଆବଶ୍ୟକ ଯତ୍ନ ନେଇପାରିବ। ଏହା ଫଳରେ ମନ୍ଦପୁଷ୍ଟି ଓ ରକ୍ତହୀନତା ସମସ୍ୟା ମଧ୍ୟ ଦୂର ହୋଇପାରିବ। ଅଥଚ ରାଜ୍ୟ ସରକାର ଏଯାଏଁ ଜଳସେଚନ ସୁବିଧା ସୃଷ୍ଟିକୁ ଅଗ୍ରାଧିକାର ଦେଇନାହାନ୍ତି। ରାଜ୍ୟର ୭୦ ପ୍ରତିଶତ ଲୋକ କୃଷି ଉପରେ ନିର୍ଭରଶୀଳ ହୋଇଥିବାରୁ କୃଷିଜାତ ଦ୍ରବ୍ୟର ସଂରକ୍ଷଣ ମଧ୍ୟ ରାଜ୍ୟ ସରକାରଙ୍କ ତାଲିକାରେ ଅଗ୍ରାଧିକାର ପାଇବା କଥା। କିନ୍ତୁ ସରକାର ସେ କଥା ଭୁଲି ଯାଇଛନ୍ତି କହିଲେ ଚଳେ। ରାଜ୍ୟରେ ଆଳୁ ଓ ପିଆଜର ସଂରକ୍ଷଣ ବ୍ୟବସ୍ଥା ଅଭାବରୁ ରାଜ୍ୟବାସୀ ପ୍ରତି ବର୍ଷ କୋଟିକୋଟି ଟଙ୍କା କ୍ଷତି ସହୁଛନ୍ତି। ପ୍ରତିବର୍ଷ ରାଜ୍ୟରେ ଆଳୁ ଓ ପିଆଜ ସଂକଟ ସୃଷ୍ଟି ହେଉଛି। ଅନ୍ୟ ପନିପରିବା ଓ ଫଳ ସଂରକ୍ଷଣ ପାଇଁ ମଧ୍ୟ ରାଜ୍ୟରେ ଆଦୌ ଶୀତଳ ଭଣ୍ଡାର ନାହିଁ କହିଲେ ଚଳେ। ଏ ସରକାରଙ୍କ ପୂର୍ବରୁ ରାଜ୍ୟରେ ଖୋଲିଥିବା ପ୍ରାୟ ଶହେ ଶୀତଳ ଭଣ୍ଡାର ଏବେ ଅଚଳ। ତେଣୁ ଚାଷୀ ତା’ର ଆଳୁ, ପିଆଜ ଓ ପରିବା ସଂରକ୍ଷିତ ରଖିପାରୁ ନାହିଁ। ଶୀତଳ ଭଣ୍ଡାର ବିନା ପନିପରିବା ପଚେଇବା ଅପେକ୍ଷା ଚାଷୀ ତାହାକୁ ଅତି କମ୍‌ ଦାମରେ ବିକ୍ରି କରିଦେଉଛି। ଏଥିରେ ଚାଷୀର କ୍ଷତି, ଖାଉଟିର ମଧ୍ୟ କ୍ଷତି। ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ଶୀତଳ ଭଣ୍ଡାର ଓ ଅନ୍ୟାନ୍ୟ ପରିବା ସଂରକ୍ଷଣ ସୁବିଧା ଖୋଲିବା ମଧ୍ୟ ରାଜ୍ୟ ସରକାରଙ୍କ ଅଗ୍ରାଧିକାର ତାଲିକାରେ ନାହିଁ। ରାଜ୍ୟର ୩୦ ପ୍ରତିଶତରୁ ଅଧିକ ଲୋକ ଏବେ ବି ବିଶୁଦ୍ଧ ପାନୀୟ ଜଳ ସୁବିଧାରୁ ବଂଚିତ। ଏଥିପାଇଁ ପ୍ରତିବର୍ଷ ବର୍ଷା ଦିନେ ଏହି ଲୋକମାନେ ପ୍ରଦୂଷିତ ଜଳ ପିଇବାକୁ ବାଧ୍ୟ ହେଉଛନ୍ତି। ତା’ ଫଳରେ ସେମାନେ ନାନାଦି ପ୍ରକାର ରୋଗରେ ପଡ଼ି ଖର୍ଚ୍ଚାନ୍ତ ହେବା ସଙ୍ଗେସଙ୍ଗେ ରୋଜଗାର ହରାଉଛନ୍ତି। ଏହି ବର୍ଗର ଲୋକମାନେ ରାଜ୍ୟର ମୁଖ୍ୟ ଶ୍ରମବଳର ଅଂଶବିଶେଷ ହୋଇଥିବାରୁ ସେମାନେ ରୋଗବ୍ୟାଧିରେ ପଡ଼ିଲେ ରାଜ୍ୟର କୋଟିକୋଟି ଶ୍ରମଦିବସ ନଷ୍ଟ ହେଉଛି, ଉତ୍ପାଦନ କମୁଛି। ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ମଧ୍ୟ ରାଜ୍ୟ ସରକାରଙ୍କ ଅଗ୍ରାଧିକାର ତାଲିକାରେ ନାହିଁ। ରାଜ୍ୟର ୩୦ ପ୍ରତିଶତ ଲୋକ ବି ମାଧ୍ୟମିକ ଶିକ୍ଷା ଉପରକୁ ଉଠି ପାରିନାହାନ୍ତି। ତେଣୁ ବାକି ପ୍ରାୟ ୭୦ ପ୍ରତିଶତ ଲୋକ ଆଧୁନିକ ନିଯୁକ୍ତି ବଜାରରେ ଏକରକମ ଅଯୋଗ୍ୟ ହୋଇଯାଇଛନ୍ତି। ଆଜିକାଲିକାର ପ୍ରଯୁକ୍ତିଭିତ୍ତିକ ଶିଳ୍ପ ଓ ବଜାର ବିକାଶ ଯୁଗରେ ଅଧିକ ରୋଜଗାର ପାଇଁ ଉନ୍ନତ ମାନର ଉଚ୍ଚଶିକ୍ଷା ନିହାତି ଆବଶ୍ୟକ। ଏହା ବିହୁନେ ଲୋକେ ବେରୋଜଗାର ରହୁଛନ୍ତି ବା ଏଣୁତେଣୁ କାମ କରି ଅଳ୍ପ କିଛି ରୋଜଗାର କରୁଛନ୍ତି ଯାହା ପରିବାର ପୋଷଣକୁ ନିଅଣ୍ଟ ପଡ଼ୁଛି। ଏହି ଲୋକଙ୍କ ପାଇଁ ରାଜ୍ୟ ସରକାର ନାନାଦି ମାଗଣା ଯୋଜନା କରିଛନ୍ତି। ସେମାନଙ୍କୁ ରୋଜଗାରକ୍ଷମ କରିଥିଲେ ଏସବୁ ମାଗଣା ଯୋଜନାର ଆବଶ୍ୟକତା ନଥାନ୍ତା। ଏ ଟଙ୍କାକୁ ସରକାର ରାଜ୍ୟବାସୀଙ୍କର ସାମୂହିକ ଉନ୍ନତିରେ ଲଗାଇପାରନ୍ତେ। ଉଚ୍ଚଶିକ୍ଷା ଅଭାବରୁ ଏହି ଲୋକମାନେ ରାଜ୍ୟ ଓ ଦେଶର ପରିସ୍ଥିତିକୁ ଠିକ ଭାବେ ଆକଳନ କରିପାରୁ ନାହାନ୍ତି। ତେଣୁ ‘କାନ୍ଦୁ ଥା ଯା ପାଇଲୁ ବାନ୍ଧୁଥା’ ନ୍ୟାୟରେ ବେରୋଜଗାର ଲୋକମାନେ ସରକାରଙ୍କୁ ନିଜର ହର୍ତ୍ତାକର୍ତ୍ତା ଦଇବ ବିଧାତା ଭାବେ ଗ୍ରହଣ କରିଯାଇଛନ୍ତି। ଗଣତନ୍ତ୍ରରେ ଲୋକେ ହିଁ ମାଲିକ ଓ ସରକାର ଲୋକଙ୍କ ଦୟା ଉପରେ ନିର୍ଭରଶୀଳ ରହିବା ପରିବର୍ତ୍ତେ ଲୋକେ ସରକାରଙ୍କ ଉପରେ ନିର୍ଭରଶୀଳ ରହି ଗଣତନ୍ତ୍ରର ମାଲିକା ସ୍ୱତ୍ୱ ହରାଉଛନ୍ତି। ଅଥଚ ଏହି ବର୍ଗର ରାଜ୍ୟବାସୀଙ୍କୁ ଉଚ୍ଚଶିକ୍ଷିତ କରିବା ରାଜ୍ୟ ସରକାରଙ୍କ ଅଗ୍ରାଧିକାର ତାଲିକାରେ ନାହିଁ। ଏ ସରକାରଙ୍କ ଅମଳରେ ରାଜ୍ୟର ଅଧିକାଂଶ କଲେଜରେ ଆବଶ୍ୟକ ସଂଖ୍ୟକ ଅଧ୍ୟାପକ ନାହାନ୍ତି। ଅଧିକାଂଶ କଲେଜରେ ଅଧ୍ୟକ୍ଷ ନାହାନ୍ତି। ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା କ୍ଷେତ୍ରରେ ମଧ୍ୟ ତଦ୍ରୁପ ଅବସ୍ଥା। ଏହି ସ୍ତରରେ ଏବେ ବି ପ୍ରାୟ ୩୦ ହଜାର ଶିକ୍ଷକ ପଦ ଖାଲି। ପାଠବହିର ଘୋର ଅଭାବ। ସ୍କୁଲ ଭିତ୍ତିଭୂମି ଅତ୍ୟନ୍ତ ଦୁର୍ବଳ। ତେଣୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ଦ୍ୱିତୀୟ ଶ୍ରେଣୀ ଅଙ୍କ ଆସୁନାହିଁ। ଭାଷା ଓ ବିଜ୍ଞାନରେ ମଧ୍ୟ ପିଲାଏ ଦୁର୍ବଳ। ରାଜ୍ୟବାସୀଙ୍କର ବାସ୍ତବ ତଥା ସାମଗ୍ରିକ ଉନ୍ନତି ପାଇଁ ରାଜ୍ୟ ସରକାର ଏସବୁ କାର୍ଯ୍ୟ ଉପରେ ଅଗ୍ରାଧିକାର ଦେବା କଥା। କୃଷି, ଜଳସେଚନ, ପାନୀୟ ଜଳ, ଶିକ୍ଷା ଓ ସ୍ୱାସ୍ଥ୍ୟ ଆଦି ମୌଳିକ କ୍ଷେତ୍ରର ଉନ୍ନତି ନହେଲେ ଶହଶହ ବର୍ଷ ଧରି ପଛରେ ପଡ଼ି ରହିଥିବା ଓଡ଼ିଶାର ଆଦିବାସୀ, ଦଳିତ ଓ ପଛୁଆ ବର୍ଗର ଲୋକମାନଙ୍କର ସାମାଜିକ, ରାଜନୀତିକ ଓ ଆର୍ଥିକ ସଶକ୍ତିକରଣ ହୋଇପାରିବ ନାହିଁ। ଲୋକେ ସ୍ୱାବଲମ୍ବୀ ନହେଲେ ସ୍ୱାଭିମାନୀ ଓ ସମୃଦ୍ଧ ହୋଇପାରିବେ ନାହିଁ, ହିତାଧିକାରୀ ହୋଇ ସାରା ଜୀବନ ରହିଯିବେ। ଓଡ଼ିଶା ସରକାର ବୋଧହୁଏ ଏଇଆ ଚାହୁଁଛନ୍ତି। ନହେଲେ ଏସବୁ କାମରେ ପୁଞ୍ଜି ବିନିଯୋଗ ନକରି ଅଧୁନା ଅନାବଶ୍ୟକ କାମରେ କୋଟିକୋଟି ଟଙ୍କା ଖର୍ଚ୍ଚ କରନ୍ତେ ନାହିଁ। ଏବେ ବିଧାନସଭା ତରଫରୁ ବିଧାନସୌଧର ଅତି ନିକଟରେ ଥିବା ବିଧାୟକ କଲୋନି ଭଙ୍ଗାଯାଇ ସେ ଜାଗାରେ ୪୦୦ କୋଟି ଟଙ୍କା ବ୍ୟୟରେ ୧୦ ମହଲା ବିଶିଷ୍ଟ ଏକ ଆପାର୍ଟମେଣ୍ଟ ନିର୍ମାଣ କରିବାକୁ ଉଦ୍ୟମ ଆରମ୍ଭ ହୋଇଛି। ଯେଉଁସବୁ ଘର ଭଙ୍ଗା ଯାଉଛି ତାହା ଜରାଜୀର୍ଣ୍ଣ ନଥିଲା। ସେଥିରେ ବି ବିଧାୟକମାନେ ରହିପାରୁଥିଲେ। ସେସବୁ ଘର ଆହୁରି ୧୦-୧୫ ବର୍ଷ ମଜବୁତ ରହିଥାନ୍ତା। ଏବେ ସେଗୁଡ଼ିକୁ ଭାଙ୍ଗିବାରେ ଟଙ୍କା ଖର୍ଚ୍ଚ ହେବ। ତା’ ଜାଗାରେ ନୂଆ ତିଆରି କରିବାରେ ୪୦୦ କୋଟି ଟଙ୍କା ଖର୍ଚ୍ଚ ହେବ। ନୂଆ ଘରେ ବିଧାୟକମାନେ ରହିବା ଭିତରେ ଭଡ଼ା ବାବଦରେ ମଧ୍ୟ କେଇ କୋଟି ଟଙ୍କା ଶ୍ରାଦ୍ଧ ହେବ। ଏହା ବିଧାନସଭା ବାଚସ୍ପତିଙ୍କ ନିଷ୍ପତ୍ତି ହୋଇଥିଲେ ମଧ୍ୟ ଏ ଟଙ୍କା ରାଜ୍ୟବାସୀଙ୍କର ଓ ରାଜ୍ୟ ସରକାରଙ୍କ ଅନୁମୋଦନ କ୍ରମେ ତାହା ବିଧାନସଭାକୁ ଦିଆଯାଇଛି। ଠିକ ସେହିପରି ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଚଉପାଖ ସୌନ୍ଦର୍ଯ୍ୟକରଣ ନାମରେ ୭୦୦ କୋଟି ଟଙ୍କା ଖର୍ଚ୍ଚ ହେଉଛି। ସେଠି କୋଟିକୋଟି ଟଙ୍କା ଖର୍ଚ୍ଚରେ ତିଆରି ହୋଇଥିବା ଘରସବୁ ଭଙ୍ଗା ଯାଇ ନୂଆ ତିଆରି ହେବ। ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ଚାରି କଡ଼େ ମଧ୍ୟ ସମାନ ପ୍ରକାର ସୌନ୍ଦର୍ଯ୍ୟକରଣ କାମ ହେବ ବୋଲି ଭଙ୍ଗାଭଙ୍ଗି ଆରମ୍ଭ ହୋଇଛି। ଏଠି ବି ୭୦୦ କୋଟି ଟଙ୍କା ଖର୍ଚ୍ଚ ଅଟକଳ ହୋଇଛି। ଏଇସବୁ କାମ ଏବେ ଓଡ଼ିଶା ସରକାରଙ୍କ ଅଗ୍ରାଧିକାର ଲାଭ କରିଛି। ସେଥିପାଇଁ ଓଡ଼ିଶା ସରକାରଙ୍କ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏବଂ ତାଙ୍କ ‘ମୋ ସରକାର’ଙ୍କ ମୁଖ୍ୟ ତଥା ତାଙ୍କ ସଚିବ ପାଣ୍ଡିଆନବାବୁ ବହୁତ ବ୍ୟସ୍ତ। କେବେ ଏ ‘ମୋ ସରକାର’ ସେଚ ସୁବିଧା ବିହୁନେ ପଡ଼ିଆ ପଡ଼ୁଥିବା ଜମିରେ, ପାଠ ପଢ଼ି ନପାରି ନିଯୁକ୍ତି ବଜାରେ ବାହାରେ ସରକାରଙ୍କୁ ଭିକ ମାଗୁଥିବା ଲୋକଙ୍କ ପାଖରେ ପହଂଚିବେ ତାହା ଭବିଷ୍ୟତ କହିବ। (ସୌ-ଓଡ଼ିଶା ରିପୋର୍ଟର)

Share :