ନବୀନଙ୍କ କଥା ଓ କାମରେ ଅନେକ ଫରକ

ନବୀନଙ୍କ କଥା ଓ କାମରେ ଅନେକ ଫରକ

ଦେବେନ୍ଦ୍ର ପୃଷ୍ଟି ୨୦୧୯ ଡିସେମ୍ବର ୧୦ ତାରିଖ ଥିଲା ବିଶ୍ୱ ମାନବାଧିକାର ଦିବସ। ସେହି ଦିନ ଓଡ଼ିଶା ମାନବାଧିକାର କମିଶନଙ୍କ ତରଫରୁ ରାଜଧାନୀ ଭୁବନେଶ୍ୱରରେ ଏକ ସଭା ଆୟୋଜିତ ହୋଇଥିଲା। ଏହି ସଭାକୁ ଉଦବୋଧନ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସଭାରେ ପୌରୋହିତ୍ୟ କରିଥିଲେ ରାଜ୍ୟ ମାନବାଧିକାର କମିଶନର ଅଧ୍ୟକ୍ଷ ବିଚାରପତି ବିପି ଦାସ। ଅନ୍ୟତମ ଅତିଥି ଥିଲେ ସୁପ୍ରିମ କୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଗୋପାଳ ବଲ୍ଲଭ ପଟ୍ଟନାୟକ। ସଭାରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ଢାଞ୍ଚାଗତ ଅସମାନତା ଓ ବହିଷ୍କରଣର ଶିକାର ହୋଇଥିବା ଲୋକମାନଙ୍କର ମାନବାଧିକାରର ସୁରକ୍ଷା ପାଇଁ ଆମେ ସମସ୍ତେ ନିଜକୁ ଉତ୍ସର୍ଗ କରିବା ଦରକାର। ତାଙ୍କ ସରକାର କିପରି ବ୍ୟକ୍ତିଗତ ସ୍ୱାଧୀନତା ଓ ମର୍ଯ୍ୟାଦା ଉପରେ ଗୁରୁତ୍ୱ ଦେଉଛନ୍ତି ଓ କାହାରିକୁ ମୌଳିକ ସୁବିଧାରୁ ବଂଚିତ ରଖିବାକୁ ଚାହାନ୍ତି ନାହିଁ ସେ ସଂପର୍କରେ ଉଲ୍ଲେଖ କରିବା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମିଳିତ ଜାତିସଂଘର ସାଧାରଣ ପରିଷଦ ଦ୍ୱାରା ଗୃହୀତ ବିଶ୍ୱ ମାନବାଧିକାର ଘୋଷଣାନାମାର ଭୂୟସୀ ପ୍ରଶଂସା କରିଥିଲେ। ଏହି ଘୋଷଣାନାମା କିପରି ଜାତି, ଧର୍ମ, ବର୍ଣ୍ଣ ଓ ରାଷ୍ଟ୍ରୀୟତା ନିର୍ବିଶେଷରେ ସବୁ ମଣିଷଙ୍କ ମାନବିକ ଅଧିକାରର ସୁରକ୍ଷା ଉପରେ ଜୋର୍‌ ଦେଇଛି ତାହା ବର୍ଣ୍ଣନା କରିଥିଲେ। ଏହି ଘୋଷଣାନାମା କିପରି ଲିଙ୍ଗ-ନିରପେକ୍ଷ ତାହା ମଧ୍ୟ ସେ ପ୍ରକାଶ କରିଥିଲେ। ସଭାରେ ତାଙ୍କର ଭାଷଣ ଯିଏ ଶୁଣିଥିବ ବା ଏ ସଂକ୍ରାନ୍ତ ଖବର କୌଣସି ଗଣମାଧ୍ୟମରେ ପଢ଼ିଥିବ ବା ଦେଖିଥିବ ସେ ନିଶ୍ଚୟ ବିଶ୍ୱାସ କରିବ ଯେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହେଉଛନ୍ତି ମାନବାଧିକାରର ଜଣେ ନିଷ୍ଠାବାନ ପ୍ରବକ୍ତା। ସେ କାହାରି ମାନବାଧିକାର ଉଲ୍ଲଙ୍ଘନ କରିବାକୁ ଚାହାନ୍ତି ନାହିଁ। ବରଂ ଜାତି, ଧର୍ମ, ବର୍ଣ୍ଣ ଓ ଲିଙ୍ଗ ଭେଦରେ ସମସ୍ତଙ୍କର ମାନବାଧିକାରର ସୁରକ୍ଷା ପାଇଁ ସେ ନିଜକୁ ଉତ୍ସର୍ଗ କରିଛନ୍ତି। କିନ୍ତୁ ଠିକ ଏହାର ଗୋଟିଏ ଦିନ ପରେ ଡିସେମ୍ବର ୧୧ ତାରିଖରେ ତାଙ୍କ ପୌରୋହିତ୍ୟରେ ପରିଚାଳିତ ବିଜୁ ଜନତା ଦଳର ରାଜ୍ୟସଭା ସଦସ୍ୟମାନେ ଭାରତୀୟ ସଂସଦର ବରିଷ୍ଠ ସଦନରେ ହଜାର ହଜାର ଲୋକଙ୍କ ମାନବାଧିକାର ଉଲ୍ଲଙ୍ଘନ କରିବାକୁ ଯାଉଥିବା କେନ୍ଦ୍ର ସରକାରଙ୍କ ନାଗରିକତା ସଂଶୋଧନ ବିଲ୍‌ ସପକ୍ଷରେ ଭୋଟ ଦେଲେ। ପୂର୍ବରୁ ଲୋକସଭାରେ ମଧ୍ୟ ଏହି ଦଳର ସଦସ୍ୟମାନେ ଏହି ବିଲ୍‌କୁ ସମର୍ଥନ କରିଥିଲେ। ବିଜୁ ଜନତା ଦଳର ସାଂସଦମାନେ କ’ଣ ନବୀନ ପଟ୍ଟନାୟକଙ୍କ ଅନୁମତି ନନେଇ ଏହି ବିଲ୍‌କୁ ସମର୍ଥନ କରିଥିଲେ? ନା ଏହି ବିଲ୍‌ ଆଇନରେ ପରିଣତ ହେଲେ କାହାର ମାନବାଧିକାର କ୍ଷୁଣ୍ଣ ହେବ ନାହିଁ ବୋଲି ନବୀନ ଓ ତାଙ୍କ ଦଳର ସାଂସଦମାନେ ଦୃଢ଼ ନିଶ୍ଚିତ ଅଛନ୍ତି? ନବୀନଙ୍କ ଭାଷାରେ ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ ଓ ରାଷ୍ଟ୍ରୀୟତା ନିର୍ବିଶେଷରେ ସମସ୍ତଙ୍କର ମାନବାଧିକାରର ସୁରକ୍ଷା କରାଯିବା ଦରକାର। ସେଥିପାଇଁ ସମସ୍ତେ ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ କରିବା ଦରକାର। ଏହି କ’ଣ ତାଙ୍କର ଉତ୍ସର୍ଗୀକୃତ ମନୋଭାବ? ନବୀନ ପଟ୍ଟନାୟକଙ୍କ ବିଜୁ ଜନତା ଦଳ ପରି କେତେକ ଦଳର ସମର୍ଥନ ଭିତ୍ତିରେ କେନ୍ଦ୍ର ସରକାରଙ୍କ ନାଗରିକତା ସଂଶୋଧନ ବିଲ୍‌ ସଂସଦର ଉଭୟ ସଦନର ଅନୁମୋଦନ ଲାଭ କରିଛି। ଏହି ବିଲ୍‌ ରାଷ୍ଟ୍ରପତିଙ୍କ ସ୍ୱୀକୃତି ପାଇବା ପରେ ଆଇନରେ ପରିଣତ ହେବ। ଏହାକୁ ସୁପ୍ରିମ କୋର୍ଟରେ ଚାଲେଞ୍ଜ କରାଗଲେ ସୁପ୍ରିମ କୋର୍ଟ ତାହାକୁ ଅବୈଧ ଓ ଅସାମ୍ବିଧାନିକ ଘୋଷଣା କରିବେ କି ନାହିଁ ତାହା ଅଲଗା କଥା, ମାତ୍ର ଏବେ ଏହା ବିରୋଧରେ ଉତ୍ତରପୂର୍ବାଂଚଳର ସବୁଠୁ ବଡ଼ ରାଜ୍ୟ ଆସାମରେ ନିଆଁ ଜଳୁଛି। ଲୋକମାନେ ଏହି ବିଲ୍‌ ବିରୋଧରେ ଜୋରଦାର ଆନ୍ଦୋଳନ ଚଳେଇଛନ୍ତି। ଆସାମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭାରତୀୟ ଜନତା ପାର୍ଟିର ଶାସନ ଚାଲିଛି। ତଥାପି ଆସାମ ଆନ୍ଦୋଳନ ପ୍ରଶମନରେ ବିଫଳ ହୋଇଛନ୍ତି। ଅନେକ ସହରରେ କର୍ଫ୍ୟୁ, ସେନା ଛାଉଁଣୀ, ପୁଲିସର ଫ୍ଲାଗମାର୍ଚ୍ଚ ମଧ୍ୟରେ ତିନି ଦିନ ହେଲାଣି ଲୋକଙ୍କ ଦ୍ୱାରା ପୋଡ଼ାଜଳା ଅବ୍ୟାହତ ରହିଛି। ଉତ୍ତ୍ୟକ୍ତ ଜନତା ଶାସକ ଦଳର ବିଧାୟକଙ୍କ ଘରେ ନିଆଁ ଲଗେଇ ଦେଇଛନ୍ତି। ରାଜ୍ୟର ପ୍ରାୟ ସମସ୍ତ ଆଂଚଳିକ ଭାଷାର ଖବରକାଗଜରେ ଏହି ବିଲ୍‌ ବିରୋଧରେ ବିଷୋଦଗାର କରାଯାଇଛି। ଏହାକୁ ଆସାମବାସୀ ପ୍ରାଣ ଦେଇ ବିରୋଧ କରିବାକୁ ଅନେକ ସଂପାଦକୀୟରେ ଆହ୍ୱାନ ଦିଆଯାଇଛି। ଅସାମର ଲୋକମାନେ ଏହି ବିଲ୍‌କୁ ବିରୋଧ କରିବାର କାରଣ ହେଲା ସେମାନେ ଆଶଙ୍କା କରୁଛନ୍ତି ଯେ ଏହା ଆଇନ ଭାବେ କାର୍ଯ୍ୟକାରୀ ହେଲେ ଆସାମର ଜାତୀୟ ଚରିତ୍ର ବଦଳିଯିବ। ବଂଗଳାଦେଶରୁ ଯେଉଁ ଅଣମୁସଲମାନ ଲୋକମାନେ ଆସାମକୁ ଅନୁପ୍ରବେଶ କରି ବର୍ଷବର୍ଷ ହେଲା ବସବାସ କରୁଛନ୍ତି ସେମାନଙ୍କୁ ନାଗରିକତା ମିଳିଲେ ତାହାର ପ୍ରଭାବ ଆସାମର ଭାଷା, ସଂସ୍କୃତି ଓ ସମାଜ ଉପରେ ପଡ଼ିବ। ରାଜ୍ୟର କେତେକ ଅଞ୍ଚଳରେ ବଙ୍ଗଭାଷୀ ପୂର୍ବବଙ୍ଗୀ ବା ବଂଗଳାଦେଶୀଙ୍କ ସଂଖ୍ୟା ଅଧିକ ହୋଇଯିବ। ତା’ ଫଳରେ ସେହିସବୁ ଅଞ୍ଚଳର ରାଜନୀତିକ ଭାରସାମ୍ୟ ମଧ୍ୟ ବଦଳିଯିବ। ତେବେ ନବୀନବାବୁ ସେଦିନ ଯେଉଁ ଲୋକମାନଙ୍କର ମାନବାଧିକାର କଥା କହିଛନ୍ତି ସେମାନେ ଏମାନେ ନୁହନ୍ତି। ନାଗରିକତା ସଂଶୋଧନ ବିଲ୍‌ ଆଇନରେ ପରିଣତ ହେଲେ ଆସାମର ମୂଳବାସିନ୍ଦାମାନଙ୍କର ସାମାଜିକ, ସାଂସ୍କୃତିକ ଓ ରାଜନୀତିକ ପରିଚୟ ପ୍ରଦୂଷିତ ହେବା ଗୁରୁତର ମାନବାଧିକାର ଉଲ୍ଲଙ୍ଘନ ନୁହେଁ। କିନ୍ତୁ ଏହି ବିଲ୍‌ରେ ରହିଥିବା ବ୍ୟବସ୍ଥା ଅନୁସାରେ ସମାନ ସର୍ତ୍ତ ପୂରଣ କରୁଥିଲେ ବି କେବଳ ବିଦେଶାଗତ ଅଣମୁସଲମାନ (ମୁଖ୍ୟତଃ ପାକିସ୍ତାନ, ବଂଗଳାଦେଶ ଓ ଆଫଗାନିସ୍ତାନରୁ ଆସିଥିବା ହିନ୍ଦୁ, ବୌଦ୍ଧ, ଜୈନ, ଶିଖ, ପାର୍ସୀ ଓ ଖୀରସ୍ତାନ) ଲୋକମାନଙ୍କୁ ନାଗରିକ ମାନ୍ୟତା ମିଳିବ। ନାଗରିକତା ସଂଶୋଧନ ବିଲ୍‌କୁ ବିରୋଧ କରୁଥିବା ଦଳ ଓ ନେତାମାନଙ୍କର ଯୁକ୍ତି ହେଲା ଏହି ବିଲ୍‌ ନାଗରିକତା ପ୍ରଦାନ କରିବାକୁ ଯାଇଁ ଧାର୍ମିକ ବିଭେଦ ସୃଷ୍ଟି କରିବ। ଭରତୀୟ ସମ୍ବିଧାନର ଚରିତ୍ର ହେଉଛି ଧର୍ମନିରପେକ୍ଷ। ଏହା ଜାତି, ଧର୍ମ, ବର୍ଣ୍ଣ, ବର୍ଗ, ଲିଙ୍ଗ ନିର୍ବିଶେଷରେ ସମସ୍ତଙ୍କୁ ସମାନତା ଅଧିକାର ପ୍ରଦାନ କରିଛି। ସେହି ଦୃଷ୍ଟିରୁ ଧର୍ମ ଭିତ୍ତିରେ ନାଗରିକତା ପ୍ରଦାନ କରାଗଲେ ତାହା ଧର୍ମନିରପେକ୍ଷ ଓ ସମାନତା ନୀତିର ବିରୁଦ୍ଧାଚରଣ କରିବ। ଏହା ବାଦ, ବୁଦ୍ଧିଜୀବୀ ଓ ମାନବାଧିକାର କର୍ମୀମାନଙ୍କର ଯୁକ୍ତି ହେଲା, କେନ୍ଦ୍ର ସରକାର ଏହି ବିଲ୍‌କୁ କାର୍ଯ୍ୟକାରୀ କଲେ ପାକିସ୍ତାନ, ବଂଗଳାଦେଶ ଓ ଆଫଗାନିସ୍ତାନରୁ ଭାରତକୁ ପଳାଇ ଆସି ବହୁ ବର୍ଷ ହେଲା ଜୀବନ ଜୀବିକା ନିର୍ବାହ କରୁଥିବା ହଜାର ହଜାର ଲୋକଙ୍କର ମାନବାଧିକାର ଉଲ୍ଲଙ୍ଘନ ହେବ। ତାଙ୍କରି ସାଙ୍ଗରେ ଭାରତ ପଳାଇ ଆସିଥିବା ଅଣମୁସଲମାନ ଲୋକମାନେ ଭାରତର ନାଗରିକ ହେବେ ଅଥଚ ସେମାନେ ହୋଇପାରିବେ ନାହିଁ। ଯଦି ଏଭଳି ଅନେକ ଲୋକ ଭାରତର ନାଗରିକ ହୋଇନପାରନ୍ତି ତେବେ ସେମାନେ ଦେଶହୀନ ହୋଇଯିବେ। ସେମାନେ ଯେକୌଣସି କାରଣରୁ ନିଜ ଦେଶ ଓ ଭିଟାମାଟି ଛାଡ଼ି ଭାରତ ପଳାଇ ଆସିଛନ୍ତି। ଭାରତରେ ମଧ୍ୟ ବହୁ ବର୍ଷ ହେଲା ରହି ଗୁଜୁରାଣ ମେଣ୍ଟାଉଛନ୍ତି। ଏବେ ସେମାନଙ୍କୁ ଦେଶହୀନ କରିବା ନିଶ୍ଚୟ ନିଷ୍ଠୁରତା ଓ ଅମାନବିକତା ପର୍ଯ୍ୟାୟଭୁକ୍ତ ହେବ। ମାନବାଧିକାର ପ୍ରବକ୍ତା ସାଜିଥିବା ନବୀନବାବୁଙ୍କ ବିଜୁ ଜନତା ଦଳ କିନ୍ତୁ ଏହି ବିଲ୍‌କୁ ସମର୍ଥନ କରିଛି, ହଜାର ହଜାର ମୁସଲମାନଙ୍କର ମାନବାଧିକାର ଉଲ୍ଲଙ୍ଘନକୁ ସମର୍ଥନ କରିଛି। ୨୦୦୯ ମସିହାରେ ଧର୍ମନିରପେକ୍ଷତାର ଦ୍ୱାହି ଦେଇ ନବୀନବାବୁ ଯେତେବେଳେ ଭାରତୀୟ ଜନତା ପାର୍ଟିର ହାତ ଛାଡ଼ିଥିଲେ ସେତେବେଳେ ତାଙ୍କୁ ଅଯାଚିତ ସମର୍ଥନ ଯୋଗାଇ ଦେଇଥିବା କଂଗ୍ରେସ, କମ୍ୟୁନିଷ୍ଟ, ଏନସିପି ଓ ଜେଏମଏମ ଦଳଗୁଡ଼ିକ ଏହି ବିଲ୍‌କୁ ବିରୋଧ କରିଥିବାବେଳେ ବିଜେଡିର ସମର୍ଥନ କେନ୍ଦ୍ର ସରକାରଙ୍କୁ ସହାୟତା କରିଛି। କାହାର ମାନବାଧିକାରର ସୁରକ୍ଷା କରିବା ପାଇଁ ବିଜୁ ଜନତା ଦଳ ଏହା କରିଛି ତାହା ନବୀନବାବୁ କହି ନାହାନ୍ତି କି ତାଙ୍କର ଦଳର କୌଣସି ସାଂସଦ ସ୍ପଷ୍ଟ କରିନାହାନ୍ତି। ବି.ଦ୍ର.- ଯେଉଁ ଦିନ ଏହ ବିଲ୍‌ ରାଜ୍ୟସଭାରେ ଗୃହୀତ ହେଲା ଠିକ ସେହିଦିନ ଭାରତର ସ୍ୱରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରୟ ରାଜ୍ୟସଭାରେ ଏକ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି ଯେ ୨୦୧୬ରୁ ୨୦୧୮ ମଧ୍ୟରେ ପାକିସ୍ତାନରୁ ଆସିଥିବା ୧୫୯୫ ଓ ଆଫଗାନିସ୍ତାରୁ ଆସିଥିବା ୩୯୧ ଜଣ ଶରଣାର୍ଥୀଙ୍କୁ ଭାରତର ନାଗରିକତା ପ୍ରଦାନ କରାଯାଇଛି। ସେହିପରି ୨୦୧୯ ଡିସେମ୍ବର ୬ ମଧ୍ୟରେ ୪୦ ଜଣ ଆଫଗାନି ଓ ୭୧୨ ଜଣ ପାକିସ୍ତାନୀ ପ୍ରବାସୀଙ୍କୁ ଭାରତର ନାଗରିକତା ପ୍ରଦାନ କରାଯାଇଛି। ୨୦୧୮ ମସିହାରୁ ପାକିସ୍ତାନ, ବଂଗଳାଦେଶ ଓ ଆଫଗାନିସ୍ତାନରୁ ଭାରତ ପଳାଇ ଆସିଥିବା ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ପାର୍ସୀ ଓ ଖୀରସ୍ତାନୀଙ୍କୁ ଭାରତର ନାଗରିକତା ପ୍ରଦାନ ପ୍ରକ୍ରିୟା ଆରମ୍ଭ ହୋଇଛି ଓ ଏହି ସମୟ ମଧ୍ୟରେ ୯୨୭ ଜଣ ହିନ୍ଦୁ ଓ ଶିଖଙ୍କୁ ଭାରତୀୟ ନାଗରିକ ଭାବେ ସ୍ୱୀକୃତି ମିଳିଛି। ଯଦି ନାଗରିକତା ସଂଶୋଧନ ଆଇନ ବିନା ବି କେନ୍ଦ୍ର ସରକାର ଏପିର ବହିରାଗତ ଅଣମୁସଲମାନଙ୍କୁ ଭାରତର ନାଗରିକ ଭାବେ ଗ୍ରହଣ କରିପାରୁଛନ୍ତି ତେବେ ଏଭଳି ଏକ ସଂଶୋଧନର ଆବଶ୍ୟକତା କ’ଣ ସେ ବିଷୟରେ ବି ବିଜେଡି ସାଂସଦମାନେ ପ୍ରଶ୍ନ ପଚାରି ନାହାନ୍ତି। କାହାର ମାନବାଧିକାର ସୁରକ୍ଷା ପାଇଁ ନବୀନବାବୁ ନିଜେ ଏଯାଏଁ ଏହି ବିଲ୍‌ ସଂପର୍କରେ ପ୍ରତିକ୍ରିୟା ପ୍ରକାଶ କରିନାହାନ୍ତି ତାହା ମଧ୍ୟ ସେ ସ୍ପଷ୍ଟ କରିନାହାନ୍ତି। (ସୌ-ଓଡ଼ିଶା ରିପୋର୍ଟର)

Share :