ଶିଳ୍ପ ଯୋଗୁଁ ଭୟଙ୍କର କ୍ଷତିରେ କେନ୍ଦ୍ରାପଡ଼ା, ଜଗତସିଂହପୁର ଲୋକେ

ଶିଳ୍ପ ଯୋଗୁଁ ଭୟଙ୍କର କ୍ଷତିରେ କେନ୍ଦ୍ରାପଡ଼ା, ଜଗତସିଂହପୁର ଲୋକେ

୧- ପାରାଦ୍ୱୀପ ବନ୍ଦରକୁ ଭିତ୍ତିକରି ଆମ କୁଜଙ୍ଗ ମାଟିରେ ୧୫ରୁ ଉର୍ଦ୍ଧ୍ୱ ବୃହତ ଶିଳ୍ପ ପ୍ରତିଷ୍ଠା ହୋଇସାରିଛି। ଏବେ ଆହୁରି ଦେଶୀୟ ଓ ଆନ୍ତର୍ଜାତୀୟ ଶିଳ୍ପ ପ୍ରତିଷ୍ଠା ପାଇଁ ଯୋଜନା କରାଯାଇଛି। ପାରାଦ୍ୱୀପ ବନ୍ଦର, ପାରାଦ୍ୱୀପ ତୈଳ ବିଶୋଧନାଗାର, ପିପିଏଲ୍, ଇଫ୍କୋ, ଏସାର, କାର୍ବନ ଓ ଅନ୍ୟାନ୍ୟ ଶିଳ୍ପମାନଙ୍କରୁ ନିର୍ଗତ ବର୍ଜ୍ୟବସ୍ତୁ କାରଣରୁ ଆମ ଅଂଚଳର ପାଣି, ପବନ ଓ ମାଟି ପ୍ରଦୂଷିତ ହୋଇସାରିଲାଣି। ଫଳନ୍ତି ଗଛରେ ଫଳ ଫଳୁନି, ଗଛପତ୍ର ପୋଡ଼ିଯାଉଛି, ନଦୀର ଜଳ ପ୍ରଦୂଷିତ ହୋଇ ମତ୍ସ୍ୟ ସଂପଦ ବ୍ୟାପକ ନଷ୍ଟ ହେଉଛି। ୨- ଶିଳ୍ପରୁ ନିର୍ଗତ ବିଷାକ୍ତ ବାୟୁ କାରଣରୁ କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା ବ୍ଲକ, ମାର୍ଶାଘାଇ ଓ ପାଟକୁରା ବ୍ଲକ ସମେତ କୁଜଙ୍ଗ-ପାରାଦ୍ୱୀପ ସମଗ୍ର ଅଂଚଳ ବାସିନ୍ଦାଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଗଲାଣି। ବିଗତ ତିନିବର୍ଷ ମଧ୍ୟରେ ଆମ ଅଂଚଳରୁ ପ୍ରାୟ ଏକ ହଜାରରୁ ଉର୍ଦ୍ଧ୍ୱ ଲୋକ ପ୍ରଦୂଷଣ ଜନିତ ରୋଗରେ ମୃତ୍ୟୁ ବରଣ କରିସାରିଲେଣି। କୁଜଙ୍ଗ ପାରାଦ୍ୱୀପ ଅଂଚଳର ୫୦ରୁ ଉର୍ଦ୍ଧ୍ୱ ଗାଁରେ କର୍କଟ, ହୃଦ୍ରୋଗ, ଚର୍ମ ଓ କିଡ଼୍ନି ଫେଲ୍ ରୋଗ ସହିତ ଅନ୍ୟାନ୍ୟ ଦୁରାରୋଗ୍ୟ ବ୍ୟାଧି ମହାମାରୀ ପରି ବ୍ୟାପିବାରେ ଲାଗିଛି। ୩- ଆମ୍ଭେ କୁଜଙ୍ଗ ବାସିନ୍ଦା ବନ୍ଦର ଓ ଶିଳ୍ପ ପ୍ରତିଷ୍ଠା ପାଇଁ ଏଯାବତ୍ ପାଖାପାଖି ୪୫ ହଜାର ଏକର ଚାଷଜମି ସରକାର ଓ ଶିଳ୍ପସଂସ୍ଥା ହାତରେ ଶାଗମାଛ ଦରରେ ଟେକିଦେଇଛୁ। ଆଗକୁ ଆମ ଅଂଚଳର ପ୍ରାୟ ୫୦ ହଜାର ଏକର ଚାଷଜମି ସରକାର ଶିଳ୍ପ ପାଇଁ ଅଧିଗ୍ରହଣ କରିବେ ବୋଲି ନୋଟିସ୍ ମଧ୍ୟ ଜାରି କରିସାରିଛନ୍ତି। ଆମ୍ଭେମାନେ ଚାଷ ଓ ଜମି ହରାଇ ଶିଳ୍ପସଂସ୍ଥାରେ ଚାକିରି ପାଇବା ତ ଦୂରର କଥା, ଏବେ ଆମେ ଶିଳ୍ପ ପ୍ରଦୂଷଣ କାରଣରୁ ରୋଗରେ ପଡ଼ି ମରୁଛୁ। ଶିଳ୍ପସଂସ୍ଥା ମାନେ ପାରିପାର୍ଶ୍ୱିକ ଉନ୍ନୟନ ପାଣ୍ଠିରୁ ଅର୍ଥ ଖର୍ଚ୍ଚକରି ଅଂଚଳର ବିକାଶ କରିବାକୁ ଆଇନ ଥିଲେ ମଧ୍ୟ ତାହାକୁ ଉଲ୍ଲଙ୍ଘନ କରାଯାଇଛି। ୪- ଶିଳ୍ପ ସଂଲଗ୍ନ ଅଂଚଳ ବାସିନ୍ଦାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ବିଗୁଡ଼ୁ ଥିବାରୁ ଏଥି ନେଇ ଆମ୍ୱେ ଅଂଚଳବାସୀ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପାଖରେ ଆମ୍ଭମାନଙ୍କର ଜୀବନରକ୍ଷା ପାଇଁ ଉନ୍ନତ ମାନର ହସ୍ପିଟାଲର ଦାବି କରିଆସୁଛୁ। ଗତ ୨୦୧୭ ମସିହାରେ କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରୀ ନିତିନ୍ ଗଡ଼୍କରି ପାରାଦ୍ୱୀପ ଗସ୍ତ ସମୟରେ ଶିଳ୍ପାଂଚଳରେ ଏକ ମେଡ଼ିକାଲ କଲେଜ ଓ ସୁପର ସ୍ପେଶିଆଲିଟି ହସ୍ପିଟାଲ ନିର୍ମାଣ କରିବାକୁ ପାରାଦ୍ୱୀପ ଠାରେ ଏକ ସଭାରେ ଘୋଷଣା କରିଥିଲେ। ଯାହା ଅଂଚଳ ବାସୀଙ୍କୁ ଆଶ୍ୱସ୍ତ କରିଥିଲା। ଏହାପରେ ପାରାଦ୍ୱୀପ ଶିଳ୍ପାଂଚଳରେ ହସ୍ପିଟାଲ୍ ଦାବି ଲଗାତର କରାଯାଇଥିଲେ ମଧ୍ୟ ଦାବିକୁ ଅଣଦେଖା ହୋଇଛି। ୫- ଗତ ୨୦୧୮ ମସିହା ସେପ୍ଟେମ୍ୱର ୧୫ ତାରିଖରେ ଅଂଚଳର ୧୫ହଜାର ଗ୍ରାମବାସୀ କୁଜଙ୍ଗଠାରେ ଏକାଠି ହୋଇ କୁଜଙ୍ଗ ତହସିଲଦାର ଙ୍କ ଜରିଆରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ହସ୍ପିଟାଲ ନିର୍ମାଣ ନେଇ ଦାବିପତ୍ର ପ୍ରଦାନ କରିଥିଲୁ। ସେହିପରି ହସ୍ପିଟାଲ ଦାବି ନେଇ ପ୍ରସ୍ତାବିତ ସ୍ଥାନ ଭୁତମୁଣ୍ଡାଇଠାରେ ଜାତୀୟ ଓ ରାଜ୍ୟ ରାଜପଥରେ ହରତାଳ କରାଯାଇ ଦାବିପତ୍ର ପ୍ରଦାନ କରାଯାଇଛି।ଏପରି ଏକ ଉନ୍ନତମାନର ହସ୍ପିଟାଲ ନିର୍ମାଣ ପାଇଁ ବିଗତ ଦିନରେ ସ୍ଥାନୀୟ ବିଧାୟକ ଓ ସାଂସଦ ମଧ୍ୟ ସରକାରଙ୍କୁ ଦାବି ଜଣାଇ ଅଛନ୍ତି। ହେଲେ ଏହି ଦାବି ନେଇ ସମସ୍ତେ ନୀରବ ରହିଅଛନ୍ତି ଓ ଅଂଚଳବାସୀଙ୍କ ଦାବିକୁ ଉଭୟ ସରକାର ଓ ଶିଳ୍ପସଂସ୍ଥାମାନେ ଅଣଦେଖା କରୁଅଛନ୍ତି। ୬- ୨୦୧୮ ମସିହା ସେପ୍ଟେମ୍ୱର ୧୫ ତାରିଖରେ ବନ୍ଦର ଓ ଶିଳ୍ପସଂସ୍ଥା ମେଡ଼ିକାଲ ନିର୍ମାଣ କରିବା ଦାବିରେ ସମାବେଶ କରାଯିବାର ସକାଳୁ ପାରାଦ୍ୱୀପ ବନ୍ଦର ପକ୍ଷରୁ ଖବର ପ୍ରକାଶ ପାଇଲା ଯେ, ବନ୍ଦରର ନିଜସ୍ୱ ହସ୍ପିଟାଲ୍କୁ ଉନ୍ନତିକରଣ କରାଯାଇ ସୁପର ସ୍ପେଶିଆଲିଟି ହସପିଟାଲରେ ପରିବର୍ତ୍ତନ କରାଯିବ ଓ ଏଥିନେଇ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଛି। ମାତ୍ର ଏହା ବନ୍ଦରର ଚକ୍ରାନ୍ତ ଥିଲା। ସେହିପରି ଗତ ତା: ୨୯.୧୧.୨୦୧୯ ରିଖରେ ବିଶାଳ ୧୮ କି.ମି. ବ୍ୟାପି ମାନବ ଶୃଙ୍ଖଳ ୧୫୦୦୦ ଲୋକଙ୍କୁ ନେଇ ଆନ୍ଦୋଳନ କରାଯିବା ପରେ ପୁନଃଶ୍ଚ ଗତ ତା: ୦୬.୧୨.୨୦୧୯ ରିଖରେ ମଧ୍ୟ ଗଣମାଧ୍ୟମରେ ପ୍ରକାଶ ପାଇଛି ଯେ ସୁପର ସ୍ପେଶିଆଲିଟି ହସପିଟାଲ ଓ ମେଡ଼ିକାଲ କଲେଜ ପାରାଦ୍ୱୀପ ବନ୍ଦର ଡିସେମ୍ୱର ଶେଷ ସୁଧା ଟେଣ୍ଡର ପଡିବ ବୋଲି ନିଷ୍ପତି କରିଛି। ବନ୍ଦରର ଏଭଳି ଉଦ୍ୟମ କେବଳ ଭୂଆଁ ବୁଲାଇବା ପାଇଁ ଉଦ୍ଦିଷ୍ଟ। ପାରାଦ୍ୱୀପ ବନ୍ଦର ପରିସରରେ ସୁପର ସ୍ପେଶିଆଲିଟି ହସପିଟାଲ ଓ ମେଡ଼ିକାଲ କଲେଜ ନିର୍ମାଣ କେବେ ସମ୍ଭବ ନୁହେଁ। ଏଥି ନିମନ୍ତେ ପର୍ଯ୍ୟାପ୍ତ ସ୍ଥାନ ମଧ୍ୟ ନାହିଁ। ବନ୍ଦର ଓ ବନ୍ଦରକୁ ଭିତି କରି ଗଢ଼ିଉଠିଥିବା ଶିଳ୍ପ ସଂସ୍ଥା ଗୁଡ଼ିକ ବଢ଼ି ବଢ଼ି ଏବେ ପାରାଦ୍ୱୀପରୁ କୁଜଙ୍ଗ ଓ କୁଜଙ୍ଗରୁ ବାଲିତୁଠ ପର୍ଯ୍ୟନ୍ତ ଜମି ଅଧିଗ୍ରହଣ ହୋଇ ଲମ୍ୱି ଚାଲିଛି। ବନ୍ଦରର ଧୂଳି ଧୂଆଁ ପ୍ରଦୂଷଣ ଅଂଚଳ ବାହାରେ ଶିଳ୍ପାଂଚଳ ସଂଲଗ୍ନ ୪ ଜିଲ୍ଲାର ସଂଯୋଗ ସ୍ଥଳି ଭୂତମୁଣ୍ଡାଇ ଠାରେ ଯେହେତୁ ଆଂଚଳିକ ସୁରକ୍ଷା ସମିତି ହସପିଟାଲ ନିର୍ମାଣ ଦାବି କରୁଛି, ଏହି ଦାବି ଓ ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ ବନ୍ଦର କର୍ତୃପକ୍ଷଙ୍କ ପ୍ରରୋଚନାରେ ଏପରି ପ୍ରଚାର କରାଯାଉଛି। ତେଣୁ ବନ୍ଦର ଓ ତତ୍ ସଂଲଗ୍ନ ସମସ୍ତ ଶିଳ୍ପ ସଂସ୍ଥାମାନେ ତୁରନ୍ତ ଭୂତମୁଣ୍ଡାଇ ଠାରେ ସୁପର ସ୍ପେଶିଆଲିଟି ହସପିଟାଲ ଓ ମେଡ଼ିକାଲ କଲେଜ ନିର୍ମାଣ କରିବାକୁ ଦାବି କରୁଛୁ। ୭- ଗତ ତା.୨୯.୧୧.୨୦୧୯ରିଖ(ଶୁକ୍ରବାର) ଆମ୍ଭେ ଶିଳ୍ପ ପ୍ରଭାବିତ ଗ୍ରାମବାସୀ ଭୁତମୁଣ୍ଡାଇଠାରେ ସୁପର ସ୍ପେଶିଆଲିଟି ହସ୍ପିଟାଲ ଓ ମେଡ଼ିକାଲ କଲେଜ ଦାବିକରି ଭୁତମୁଣ୍ଡାଇଠାରୁ ପାରାଦ୍ୱୀପ ଅତିରିକ୍ତ ଜିଲ୍ଲାପାଳ ମହୋଦୟଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଦୀର୍ଘ ୧୮ କି.ମି. ବ୍ୟାପି ହାତ ଧରାଧରି ହୋଇ ଛିଡ଼ାହୋଇ ମାନବ ଶୃଙ୍ଖଳ କରି ଗଣତାନ୍ତ୍ରୀକ ପ୍ରକ୍ରିୟାରେ ପୁନଶ୍ଚ ଦାବିପତ୍ର ପ୍ରଦାନ କରିଅଛୁ। ଏହି ଦାବିପତ୍ର ମହାମହିମ ରାଷ୍ଟ୍ରପତି, ମାନ୍ୟବର ପ୍ରଧାନମନ୍ତ୍ରୀ, ମାନ୍ୟବର ରାଜ୍ୟପାଳ (ଓଡ଼ିଶା), ମାନ୍ୟବର ମୁଖ୍ୟମନ୍ତ୍ରୀ,(ଓଡ଼ିଶା), ମାନ୍ୟବର କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରୀ, ମାନ୍ୟବର କେନ୍ଦ୍ର ଶିଳ୍ପମନ୍ତ୍ରୀ, ମାନ୍ୟବର କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ, ମାନ୍ୟବର ବିରୋଧି ଦଳ ନେତା (ଓଡ଼ିଶା ବିଧାନସଭା), ମାନ୍ୟବର ରାଜ୍ୟ ଶିଳ୍ପମନ୍ତ୍ରୀ (ଓଡ଼ିଶା ସରକାର), ମାନ୍ୟବର ସଚ୍ଚିବ, ସ୍ୱାସ୍ଥ୍ୟ ବିଭାଗ (ଓଡ଼ିଶା ସରକାର), ମାନ୍ୟବର ରାଜ୍ୟ ମୁଖ୍ୟ ଶାସନ ସଚ୍ଚିବ, ମାନ୍ୟବର ଆର୍.ଡ଼ି.ସି, କଟକ, ମାନ୍ୟବର ଏମ୍.ପି., ଜଗତସିଂହପୁର, ମାନ୍ୟବର ବିଧାୟକ ପାରାଦ୍ୱୀପ, ମାନନୀୟ ଜଗତସିଂହପୁର ଜିଲ୍ଲାପାଳ, ମାନନୀୟ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଓ ମାନନୀୟ ଅଧ୍ୟକ୍ଷ, ପାରାଦ୍ୱୀପ ବନ୍ଦର ମହୋଦୟଙ୍କୁ ଅତିରିକ୍ତ ଜିଲ୍ଲାପାଳ ପାରାଦ୍ୱୀପଙ୍କ ଜରିଆରେ ପ୍ରଦାନ କରିଅଛୁ। ବିଗତ ଦୁଇବର୍ଷ ହେଲା ଅଂଚଳର ପ୍ରଦୂଷଣ ସ୍ଥିତି ଅତ୍ୟନ୍ତ ସଂଗୀନ ହୋଇପଡ଼ିଛି। ବତ୍ତମାନ ପାରାଦ୍ୱୀପ ଶିଳ୍ପାଂଚଳ ରେଡ୍ ଜୋନ୍ ରେ ପରିଣତ ହୋଇଛି। ପାରାଦ୍ୱୀପ କ୍ରିଟିକାଲ ଏରିଆ ଘୋଷଣା ହୋଇଥିଲେ ମଧ୍ୟ ପ୍ରଦୂଷଣ ରୋକିବା ପାଇଁ ବିଭାଗ କୌଣସି ପଦକ୍ଷେପ ନେଉନାହାଁନ୍ତି କିମ୍ୱା ସରକାର ଶିଳ୍ପ ଉପରେ ଅଂକୁଶ ଲଗାଉ ନାହାନ୍ତି। ପାରାଦ୍ୱୀପ-କୁଜଙ୍ଗ ଅଂଚଳର ସ୍ଥିତି ଯାହା, ସେଠାରେ ନୂଆ ଶିଳ୍ପ କରାଯିବା କଥା ନୁହଁ କିନ୍ତୁ ବର୍ତମାନ ସରକାର ଆହୁରି ଅନେକ ଶିଳ୍ପ ପ୍ରତିଷ୍ଠା କରିବାକୁ ଚୁକ୍ତି ସ୍ୱାକ୍ଷର କରିଅଛନ୍ତି। ଆମ୍ୱେ ଶିଳ୍ପ ପ୍ରଭାବିତ ଗ୍ରାମବାସୀ ଶିଳ୍ପ ପ୍ରଗତିକୁ ବିରୋଧ କରୁନାହୁଁ, କିନ୍ତୁ ଶିଳ୍ପ ନାମରେ ଯେପରି ବିନାଶ ଲିଳା ଚାଲୁଅଛି ତାହାକୁ ବିରୋଧ କରୁଛୁ। ଆମ୍ଭ ମାନଙ୍କର ସ୍ୱାସ୍ଥ୍ୟ ରକ୍ଷା ପାଇଁ ଉଭୟ କେନ୍ଦ୍ର, ରାଜ୍ୟ ସରକାର, ପାରାଦ୍ୱୀପ ବନ୍ଦର ଓ ଶିଳ୍ପ ସଂସ୍ଥାମାନେ ଯଦ୍ୟପି ସୁପର ସ୍ପେଶିଆଲିଟି ହସ୍ପିଟାଲ୍ ଓ ମେଡ଼ିକାଲ କଲେଜ ନିର୍ମାଣ ନକରନ୍ତି, ତାହେଲେ ସମସ୍ତ ଶିଳ୍ପକୁ ତାଲା ପକାଇବାକୁ କଠୋର ନିସ୍ପତି ଗ୍ରାମବାସୀ ନେବେ ବୋଲି ବିନମ୍ରତାର ସହିତ ଜଣାଉଅଛୁ। ଆପଣଙ୍କ ବିଶ୍ୱସ୍ତ ଆଂଚଳିକ ସୁରକ୍ଷା ସମିତିର ସଦସ୍ୟ ଓ ଗ୍ରାମବାସୀମାନେ ରଘୁନାଥ ସାହୁ, ପ୍ରକାଶଚନ୍ଦ୍ର ତ୍ରିପାଠୀ, ଶ୍ରୀବହ୍ଲବ କର, ସଂଜୟ କୁମାର ସ୍ୱାଇଁ, ସଂଜୟ କୁମାର ବେହେରା, ଆଲୋକ ସାହୁ, ପ୍ରମୋଦ କୁମାର ଜେନା, ବାବୁରାମ ଚୌଧୁରୀ, ଶଶିକାନ୍ତ ମହାନ୍ତି, ମିନର୍ଭା ପରିଡ଼ା, ଜାନକୀ ମହାରଥା, ଦେବେନ୍ଦ୍ର ମହାନ୍ତି, ଦେବବାଳା ମହାପାତ୍ର, ଜ୍ୟୋର୍ତିମୟୀ ସ୍ୱାଇଁ, ସୌଦାମିନୀ ସ୍ୱାଇଁ

Share :