‘ଚରିତ୍ର ଓ ବୌଦ୍ଧିକ କ୍ଷମତା ଓଡିଆ ଲୋକଙ୍କ ପୁଞ୍ଜି’

‘ଚରିତ୍ର ଓ ବୌଦ୍ଧିକ କ୍ଷମତା ଓଡିଆ ଲୋକଙ୍କ ପୁଞ୍ଜି’

Share :

ନୂଆଦିଲ୍ଲୀ/ଭୁବନେଶ୍ୱର,ଡିସେମ୍ୱର ୧୫: ଏକବିଂଶ ଶତାବ୍ଦୀରେ ଓଡିଶା ଭାରତର ୧ ନମ୍ୱର ରାଜ୍ୟ ତଥା ପୃଥିବୀର ଏକ ଅଗ୍ରଣୀ ଅଂଚଳ ହେଉ ଏବଂ ଓଡିଶାର ପୁରୁଷାର୍ଥ ରଖୁଥିବା ପ୍ରବାସୀ ଓଡିଆ ଏହି ସମାଜର ଅଗ୍ରଦୂତ ହୁଅନ୍ତୁ ବୋଲି ରବିବାର ନୂଆଦିଲ୍ଲୀ ଠାରେ ଆୟୋଜିତ ପ୍ରବାସୀ ଓଡିଆ ଉତ୍ସବ ୨୦୧୯ରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀ ପ୍ରଧାନ କହିଛନ୍ତି ଯେ ସମୟ ବଦଳିବା ଅନୁସାରେ ସମସ୍ତଙ୍କ ଭୂମିକା ଓ ଦାୟିତ୍ୱ ମଧ୍ୟ ବଦଳିଛି। ଓଡିଶାର ବିଭିନ୍ନ ପ୍ରାନ୍ତରୁ ଆସି ଦିଲ୍ଲୀରେ ଓଡିଆ ଲୋକମାନେ ବିଭିନ୍ନ କ୍ଷେତ୍ରରେ କୀର୍ତି ସ୍ଥାପନ କରିଛନ୍ତି। ଆଜି ଏହାକୁ ବ୍ୟାପକ କରିବାର ଆବଶ୍ୟକତା ଅଛି। ଲେଖାପଢା ଓ ଜ୍ଞାନରେ ସର୍ବାଭାରତୀୟ ସ୍ତରରେ ଓଡିଆ ଲୋକମାନେ ସୁନାମ ଆଣିପାରିଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡିଆ ଲୋକଙ୍କ ପୁଞ୍ଜି ହେଉଛି ଚରିତ୍ର ଓ ବୌଦ୍ଧିକ କ୍ଷମତା। ଓଡିଆ ଲୋକଙ୍କ ଚରିତ୍ରରେ ପରିଶ୍ରମ, ସାଧୁତା ଓ ସମ୍ୱେଦନଶୀଳତା ଅଛି। ଯାହା ଆଜିର ବସ୍ତୁବାଦୀ ଦୁନିଆରେ ଦୁଃମୂଲ୍ୟ। ସଂପ୍ରତି ଓଡିଶା ବିଶ୍ୱରେ ସମ୍ପନ୍ନତାର ଚରମ ସୀମାକୁ ଯାଇଛି। ସେହିଭଳି ଏକବିଂଶ ଶତାବ୍ଦୀ ଜ୍ଞାନ ଆଧାରିତ ହେବ। ଏହି ସମୟରେ ଓଡିଆ ଲୋକମାନେ ଓଡିଶା ପାଇଁ ବଡ କଳ୍ପନା କରିବାର ଆବଶ୍ୟକତା ରହିଛି। ତେଣୁ ଏବେ ନିଜ ଅଂଚଳ ପାଇଁ ସମସ୍ତଙ୍କର କିଛି ଦାୟିତ୍ୱ ନେବାର ସମୟ ଆସିଛି। ଓଡିଆ ଜାତିକୁ ବିଶ୍ୱରେ ପରିଚିତ କରିବାର ଦାୟିତ୍ୱ କେବଳ ଦିଲ୍ଲୀ ଏବଂ ଭୁବନେଶ୍ୱରରେ ଥିବା ସରକାରଙ୍କର ନୁହେଁ ସମଗ୍ର ଓଡିଆ ଜାତିର। ଓଡିଶାର ଛେନାପୋଡ, ଆରିସା ପିଠା, ପଖାଳ, ଆମ୍ୱୁଲ, ସୋରିଷ ତରକାରୀ ମାଛ, ସମ୍ୱଲପୁରୀ ଶାଢୀ, ଖୋଦ୍ଧାର୍ ଗାମୁଛା, ଏ ସବୁକୁ ବିଶ୍ୱରେ କିଏ ପହଁଚାଇବ ? ଏକବିଂଶ ଶତାବ୍ଦୀରେ ଓଡିଶାର ସମସ୍ତ ଲୋକ ଏକାଠୀ ହୋଇ ଓଡିଶାର ଏହି ସବୁ ଜିନିଷକୁ ବିଶ୍ୱରେ ପହଁଚାଇବାର ଆବଶ୍ୟକତା ରହିଛି। ତେବେ ଯାଇ ଓଡିଶା ବିଶ୍ୱରେ ଅଧିକରୁ ଅଧିକ ପରିଚୟ ଲାଭ କରିପାରିବ। ଯେଉଁ ସମାଜ ଯେତେ ପ୍ରଗତିଶୀଳ, ସମ୍ୱେଦନଶୀଳ, ଭାବନାତ୍ମକ ସେ ଜାତି ସେତେ ବଡ ହୋଇପାରିବ। ଏକବିଂଶ ଶତାବ୍ଦୀରେ ଓଡିଆ ଲୋକମାନେ ଏକାଠୀ ହେବା ଦରକାର। ଓଡିଶାକୁ ଏଥର ଦୁନିଆ ପାଖକୁ ନେବ ା ଏଥିପାଇଁ ସମସ୍ତଙ୍କ ମନରେ ଆତ୍ମବିଶ୍ୱାସ ଦେବାକୁ ହେବ ବୋଲି ଶ୍ରୀ ପ୍ରଧାନ କହିବା ସହ ଓଡିଆ ଲୋକକୁ ଆର୍ଥିକ ସମ୍ପନ୍ନ କରିବାର ଅଛି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି।

Share :