ସ୍ମାର୍ଟ ସିଟି- ଦୁର୍ନୀତିର ଅନ୍ୟ ଏକ ନାଁ

ସ୍ମାର୍ଟ ସିଟି- ଦୁର୍ନୀତିର ଅନ୍ୟ ଏକ ନାଁ

Share :

ଅନ୍ୟ ସହରଗୁଡ଼ିକର ପ୍ରସ୍ତାବ ତୁଳନାରେ ଭୁବନେଶ୍ବରର ପ୍ରସ୍ତାବ ସବୁଠୁଁ ଭଲ ଲାଗିଲା । ତେଣୁ ଏହା ସ୍ମାର୍ଟି ସିଟି ତାଲିକାର ପ୍ରଥମ ସ୍ଥାନ ଅଧିକାର କଲା । ଏହାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କଠାରୁ ଆରମ୍ଭ କରି ତାଙ୍କ ସରକାରର ମୁଣ୍ଡିଆଳମାନେ କୋଟିନିଧି ପାଇଲା ପରିକା ଆନନ୍ଦଉତ୍ସବ ପାଳନ କଲେ । ସତେ ଯେମିତି ଏହା ସେମାନଙ୍କ ଘର କଥା ! ବାସ୍ତବରେ ଠିକ୍ ସେଇଆ । ନବୀନ ପଟ୍ଟନାୟକଙ୍କ ନେତୃତ୍ବ ଓ ମୁଖ୍ୟମନ୍ତ୍ରିତ୍ବର ସୁଯୋଗ ନେଇ ଅନେକ ନେତା, ବାବୁ, ବ୍ୟବସାୟୀ ଓ ଠିକାଦାର ଓଡ଼ିଶାକୁ ନିଜ ଘରସଂପତ୍ତିରେ ପରିଣତ କରିଛନ୍ତି । ସ୍ମାର୍ଟ ସିଟି ପାଇଁ ଖର୍ଚ୍ଚ ହେବାକୁ ଥିବା ୪.୫ ହଜାର କୋଟି ଟଙ୍କା ଏହିପରି କିଛି ଲୋକଙ୍କ ଘରକୁ ଯିବ, ବ୍ୟକ୍ତିଗତ ସଂପିତ୍ତିରେ ସଂଯୁକ୍ତ ହେବ । ଭୁବନେଶ୍ବର ସ୍ମାର୍ଟ ସିଟି ହେବ ନାହିଁ । ସ୍ମାର୍ଟ ହେବେ ଏହି ଯୋଜନାର କାର୍ଯ୍ୟାନ୍ବୟନରେ ସଂପୃକ୍ତ ନେତା, ବାବୁ, ବ୍ୟବସାୟୀ ଓ ଠିକାଦାରଗଣ । ସାଢ଼ ଚାରି ହଜାର କୋଟି ଟଙ୍କାର ଯେଉଁ ପ୍ରସ୍ତାବ ପାଇଁ କେନ୍ଦ୍ର ସରକାର ଭୁବନେଶ୍ବରକୁ ସ୍ମାର୍ଟ ସିଟି ତାଲିକାର ଏକ ନମ୍ବର ସ୍ଥାନରେ ରଖିଛନ୍ତି ତାହା ସମଗ୍ର ଭୁବନେଶ୍ବର ପାଇଁ ଉଦ୍ଦିଷ୍ଟ ନୁହେଁ । ଶିଶୁ ଭବନ ଛକରୁ ମହର୍ଷି କଲେଜ ଛକ ପର୍ଯ୍ୟନ୍ତ ଜନପଥର ମୁଖ୍ୟତଃ ପଟକୁ ସ୍ମାର୍ଟ କରିବା ପାଇଁ ୪.୧ ହଜାର କୋଟ ଖର୍ଚ୍ଚ କରିବାକୁ ନବୀନ ସରକାର ପ୍ରସ୍ତାବ ଦେଇଛନ୍ତି । ଭୁବନେଶ୍ବରର ବାକି ଅଂଚଳକୁ ସ୍ମାର୍ଟ କରିବାକୁ ଖର୍ଚ୍ଚ ହେବ ମାତ୍ର ୪୦୦ କୋଟି ଟଙ୍କା । ଏଥିରେ ଭୁବନେଶ୍ବର ସହର ସମାନୁପାତିକ ଓ ନ୍ୟାୟସଙ୍ଗତ ଭାବେ ସ୍ମାର୍ଟ ହେବ ନା ସ୍ମାର୍ଟ ସିଟି ନାଁରେ ବିକାଶର ଆବୁ ଫଳିବ? ପୂର୍ବତନ ପ୍ରଶାସକ ତଥା ରାଜ୍ୟର ଜଣେ ଆଗ ଧାଡ଼ିର ବୁଦ୍ଧିଜୀବୀ ଭାବେ ଜଣାଶୁଣା ପ୍ରସନ୍ନ କୁମାର ମିଶ୍ର ତାଙ୍କ ଫେସବୁକ୍ କାନ୍ଥରେ ଭୁବନେଶ୍ବରର ସ୍ମାର୍ଟ ସିଟି ଯୋଜନା ନେଇ ଯେଉଁ ତଥ୍ୟ କିଛି ଉପସ୍ଥାପନ କରିଛନ୍ତି ସେଥିରୁ ଏହା ଏ ବାବଦ ବିପୁଳ ଅର୍ଥ ଯେ ବାଟମାରଣାରେ ହଜିଯିବ ତାହା ଜଳଜଳ ହୋଇ ଦିଶୁଛି । ଭୁବନେଶ୍ବର ସହରର ଯେଉଁ ଖଣ୍ଡଟି ପୂର୍ବରୁ ଶହଶହ କୋଟି ଟଙ୍କାର ସରକାରୀ ଖର୍ଚ୍ଚରେ ସ୍ମାର୍ଟ ହୋଇସାରିଛି ତାହାକୁ ଆଉ କେତେ ଅଧିକ ସ୍ମାର୍ଟ କରାଯିବ? ଆଉ ଯେଉଁ ଭୁବନେଶ୍ବର ଖଣ୍ଡ ବିଲକୁଲ ସ୍ମାର୍ଟ ହୋଇ ନାହିଁ ତାହା କେବେ ସ୍ମାର୍ଟ ହେବ? ଭୁବନେଶ୍ବର ମହାନଗର ନିଗମର ମୋଟ କ୍ଷତ୍ରଫଳ ହେଉଛି ୪୬ ହଜାର ଏକର ବା ୧୮୬ ବର୍ଗ କିମି । ଏଇ ସହରରେ ସ୍ଥାୟୀ ଭାବେ ୮.୪୧ ଲକ୍ଷ ଲୋକ ବସବାସ କରୁଛନ୍ତି । ସେମାନଙ୍କ ମଧ୍ୟରୁ ବସ୍ତିବାସିନ୍ଦାଙ୍କ ସଂଖ୍ୟା ହେଉଛି ୩ ଲକ୍ଷରୁ ଅଧିକ । ସେମାନେ ସହରର ୪୩୬ଟି ବସ୍ତିରେ ଥିବା ୮୧ ହଜାର ଘରେ ବସବାସ କରୁଛନ୍ତି । ଅନ୍ୟମାନଙ୍କର ବୈଧ ଓ ପ୍ରାଧିକୃତ ଘର ଅଛି । ଭୁବନେଶ୍ବର ମହାନଗର ନିଗମ ପ୍ରାୟ ୭୯ ହଜାର ଘର ଉପରେ ହୋଲ୍ଡିଯ ଟିକସ ଧାର୍ଯ୍ୟ କରିଛି । ଏତିକି ଘର ପ୍ରାଧିକୃତ ବୋଲି ବିଚାର କରିବାକୁ ହେବ । ଭୁବନେଶ୍ବର ସହର ଭିତରେ ରହିଛି ୯୧୫ କିଲୋମିଟରର ରାସ୍ତା, ସେଥିରୁ ୫୬୩ କିଲୋମିଟରର ରାସ୍ତା ହେଉଛି ପିଚୁ । ସହରରେ ସର୍ବମୋଟ ୧୧ଟି ସୁଲଭ ଶୌଚଳାଳୟ, ୬ଟି ସାଧାରଣ ପାଇଖାନା, ୯ଟି ସାଧାରଣ ପରିଶ୍ରାଗାର, ଗୋଟିଏ ମାତ୍ର ପଶୁ ଚିକିତ୍ସାଳୟ, ଗୋଟିଏ କର୍ମଜୀବୀ ମହିଳା ନିବାସ, ଗୋଟିଏ ଯାତ୍ରୀ ନିବାସ ଓ ୭ଟି କଲ୍ୟାଣ ମଣ୍ଡପ ରହିଛି । ସ୍ମାର୍ଟ ସିଟି ଅଭିଯାନ ଅଧୀନରେ ଏସବୁ ପରିସଂଖ୍ୟାନ ବଢ଼ିବ କେତେଏ ଛିଡ଼ିବ କେତେ? ସେନେଇ କିଛି ଯୋଜନା ଅଛି କି? ମହାନଗର ନିଗମର ବାର୍ଷିକ ବଜେଟ ପରିମାଣ ହେଉଛି ପ୍ରାୟ ୫୦୦ କୋଟି ଟଙ୍କା । ସେଥିରୁ ୩୦୦ କୋଟି ଟଙ୍କା ହେଉଛି ସରକାରୀ ଅନୁଦାନ । ଏହି ପରିସ୍ଥିତି ଓ ଦୃଶ୍ୟ ଭିତରେ ସରକାର ଯୋଜନା କରିଛନ୍ତି ସ୍ମାର୍ଟ ସିଟି ଅଭିଯାନ ଅଧୀନରେ ଏକ ଟାଉନ ସେଣ୍ଟର ବା ସ୍ମାର୍ଟ ସିଟି ଡିଷ୍ଟ୍ରିକ୍ଟ ଗଠନ କରିବେ । ଏହି ସିଟି ଡିଷ୍ଟ୍ରିକ୍ଟ ପାଇଁ ସରକାର ଜାଗା ଚିହ୍ନଟ କରିଛନ୍ତି । ତାହା ଶିଶୁ ଭବନ ଛକରୁ ମହର୍ଷି କଲେଜ ଛକ ମଧ୍ୟରେ ରହିଥିବା ଜନପଥର ଓ ରେଳ ଧାରଣା ମଝିରେ ଥିବା ପ୍ରାୟ ୬୭୦ ଏକର ପରିମିତ ଜମିରେ ଗଢ଼ାଯିବ । ଏହି ଅଂଚଳ ହେଉଛି ମୋଟ ଭୁବନେଶ୍ବରର ମାତ୍ର ୧.୫ ପ୍ରତିଶତ ଅଂଶ । ଜନପଥ, ଉଦ୍ୟାନ ମାର୍ଗ ଓ ମହର୍ଷି କଲେଜ ରାସ୍ତା ମଝିରେ ଥିବା ରାଜମହଲ ଛକ, ମାଷ୍ଟର କ୍ୟାଣ୍ଟିନ ଛକ, ଅଶୋକା ମାର୍କେଟ, ରେଳ ଷ୍ଟେସନ, ଖାରବେଳ ନଗର ଅଂଚଳକୁ ସରକାର ଅଧିକ ସ୍ମାର୍ଟ କରିବାକୁ ପ୍ରାୟ ୪୧୦୦ କୋଟି ଟଙ୍କା ଖର୍ଚ୍ଚ କରିବେ । ଏହି ପରିସୀମା ଭିତରେ ଅଛନ୍ତି ଲାଲଚାନ୍ଦ ଜୁଏଲର୍ସ, ମାରିଅନ ହୋଟେଲ, ହୋଟେଲ ହିନ୍ଦୁସ୍ଥାନ ଇଣ୍ଟର୍ନେସନାଲ, ସ୍ବସ୍ତି ହୋଟେଲ, ଆର୍ଯ୍ୟ ପ୍ୟାଲେସ ହୋଟେଲ, କେଶରୀ ହୋଟେଲ, ଝୁନଝୁନବାଲା ଗାର୍ଡେନ, ନରୁଲା ଆଇସ କ୍ରିମ ଫ୍ୟାକ୍ଟ୍ରି ନାଁରେ ଚାଲିଥିବା ଅନେକ ବହୁ ରାଷ୍ଟ୍ରୀୟ କମ୍ପାନୀଙ୍କ କାର୍ଯ୍ୟାଳୟ, ଶ୍ରୀରାମ ଶ ମିଲ ପରିସରରେ ଖୋଲିଥିବା କେତେକ ବଡ଼ବଡ଼ ବ୍ୟବସାୟ ପ୍ରତିଷ୍ଠାନ, ଚନ୍ଦ୍ରମା ଆପାର୍ଟମେଣ୍ଟ ସମେତ ଅନେକ ପ୍ରଭାବଶାଳୀଙ୍କ ଘର ଓ ଆପାର୍ଟମେଣ୍ଟ, କେତେ ଜଣ ପୂର୍ବତନ ମୁଖ୍ୟ ଶାସନ ସଚିବ ଓ ଅନ୍ୟ ପ୍ରଭାବଶାଳୀ ଅଫିସର ଏବଂ ନେତାଙ୍କ ଘର ଓ ବ୍ୟାବସାୟିକ ପ୍ରତିଷ୍ଠାନ ଅବସ୍ଥିତ । ସେମାନେ ଏସବୁ ବ୍ୟାବସାୟିକ ପ୍ରତିଷ୍ଠାନରୁ ବାର୍ଷିକ କୋଟିକୋଟି ଟଙ୍କାର ମୁନାଫା ଅର୍ଜନ କରୁଛନ୍ତି । କିନ୍ତୁ ଜନ ସାଧାରଣଙ୍କୁ ସେହି ଅନୁସାରେ ସେବା ଓ ସୁବିଧା ଦେଉ ନାହାନ୍ତି । ସ୍ବସ୍ତି ଓ ମାରିଅନ ହୋଟେଲ ନିଜର ଗ୍ରାହକ ଓ ଅତିଥିଙ୍କ ପାଇଁ ସ୍ବତନ୍ତ୍ର ପାର୍କିଂ ବ୍ୟବସ୍ଥା କରି ନାହାନ୍ତି । ସରକାରୀ ଜାଗାକୁ ସେମାନେ ନିଜର ପାର୍କିଂ ପ୍ଲେସରେ ପରିଣତ କରିଛନ୍ତି । ସେହିପରି ବିଗ ବଜାର, ଶ୍ରୀୟା ସିନେମା କଂପ୍ଲେକ୍ସ, ଲାଲଚାନ୍ଦ ଆଦି ବ୍ୟାବସାୟିକ ପ୍ରତିଷ୍ଠାନ ବାର୍ଷିକ କୋଟିକୋଟି ଟଙ୍କାର ଲାଭ ଅର୍ଜନ କରୁଥିଲେ ମଧ୍ୟ ସର୍ବସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ରାସ୍ତାକୁ ପାର୍କିଂ ଭାବେ ବ୍ୟବହାର କରୁଛନ୍ତି । ମୁଖ୍ୟତଃ ବ୍ୟବସାୟୀଙ୍କ ଯୋଗୁଁ ଏହି ଅଂଚଳରେ ଟ୍ରାଫିକ ସମସ୍ୟା ଲାଗି ରହିଛି । ଏବେ ସ୍ମାର୍ଟ ସିଟି ଯୋଜନାରେ ସରକାର ସମ୍ଭବତଃ ଏହିଭଳି କିଛି ଧନୀ ଓ ସମ୍ଭ୍ରାନ୍ତଙ୍କ ଜମି ଓ କୋଠାକୁ ଶହଶହ କୋଟି ଟଙ୍କା ଖର୍ଚ୍ଚ କରି ଅଧିଗ୍ରହଣ କରିବେ ନତୁବା ସରକାରୀ ଅର୍ଥରେ ସେମାନଙ୍କ ବ୍ୟବସାୟ ବୃଦ୍ଧି ପାଇଁ ଅଧିକ ସୁବିଧା କରାଯିବ । ଏହି ବଡ଼ବଡ଼ ବ୍ୟବସାୟୀଙ୍କ ଗରାଖଙ୍କ ପାଇଁ ମାଗଣା ବାଇ-ଫାଇ, କାର୍ ପାର୍କିଂ ଓ ପାଇଖାନା ଓ ପରିସ୍ରାଗାର ଇତ୍ୟାଦି ବ୍ୟବସ୍ଥା ହେଲେ ତାହା ସହରକୁ ସ୍ମାର୍ଟ କରିବ ନା ଏଇ ବ୍ୟବସାୟୀଙ୍କୁ ତାହା ଭୁବନେଶ୍ବରର ଅନ୍ୟ ପ୍ରାନ୍ତରେ ବସବାସ କରୁଥିବା ଏବଂ ବ୍ୟବସାୟ ଚଳାଇଥିବା ଲୋକମାନେ ଅନୁସନ୍ଧାନ କରିବା ଉଚିତ । (ଓଡ଼ିଶା ସରକାରଙ୍କ ଭୁବନେଶ୍ବର ସ୍ମାର୍ଟ ସିଟି ଯୋଜନା ସଂପର୍କରେ ଜାଣିବାଶୁଣିବା ମହଲରୁ ତଥ୍ୟ ଓ ସୂଚନା ମିଳିଲେ ସାମାନ୍ୟକଥନ.କମ୍ ସ୍ବଚ୍ଛ ଓ ନିରପେକ୍ଷ ଭାବେ ତାହାକୁ ଉପସ୍ଥାପନ କରିବାକୁ ସଂକଳ୍ପବଦ୍ଧ ।)

Share :