ମ୍ୟାଗୀ ନୁଡ୍‌ଲ୍‌ ନ୍ୟାୟ ବନାମ ଜଖ୍‌ମୀ ଔରତ୍‌

ମ୍ୟାଗୀ ନୁଡ୍‌ଲ୍‌ ନ୍ୟାୟ ବନାମ ଜଖ୍‌ମୀ ଔରତ୍‌

Share :

ଦେବେନ୍ଦ୍ର ପୃଷ୍ଟି ୧୯୯୮ ମସିହାରେ ଏକ ତୃତୀୟ ଶ୍ରେଣୀର ହିନ୍ଦୀ ଫିଲ୍ମ ବେଶ୍‌ ଚର୍ଚ୍ଚାରେ ଥିଲା। ଫିଲ୍ମର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଡିମ୍ପଲ କାପାଡ଼ିଆ। ତାଙ୍କ ସହିତ ରାଜ ବବର, ଅନୂପମ ଖେର, ପୁନୀତ ଇସାର ପ୍ରମୁଖ ଅଭିନେତା କାହାଣୀକୁ ଆଗକୁ ନେଇଥିଲେ। କାହାଣୀ ଅନୁସାରେ ଡିମ୍ପଲ୍‌ କୀରଣ ଦତ୍ତ ନାମ୍ନୀ ଜଣେ ପୁଲିସ ଅଫିସର ଭୂମିକା ନିର୍ବାହ କରିଥିଲେ। ସେ ଶାନ୍ତି ନାମ୍ନୀ ଜଣେ ମହିଳାଙ୍କ ଧର୍ଷକମାନଙ୍କୁ ଧରି ନ୍ୟାୟାଳୟରେ ଦଣ୍ଡିତ କରିବାକୁ ଚାହିଁଥିଲେ। କିନ୍ତୁ ସମସ୍ତ ପ୍ରମାଣ ସତ୍ତ୍ୱେ ବିଚକ୍ଷଣ ଓକିଲଙ୍କ ଯୋଗୁଁ ଆସାମୀମାନେ ନିର୍ଦ୍ଦୋଷରେ ଖଲାସ ହୋଇଥିଲେ। ସୂରଜ ଭୂମିକାରେ ଅଭିନୟ କରିଥିବା ରାଜ ବବରଙ୍କୁ କୀରଣ ଭଲ ପାଉଥିଲେ। ଯେଉଁ ଦିନ ତାଙ୍କ ବିବାହ ପକ୍କା କରିବାକୁ କୀରଣ ସୂରଜଙ୍କ ମା’ଙ୍କୁ ଭେଟିବାକୁ ବାହାରିଛନ୍ତି ଠିକ ସେହିଦିନ ତାଙ୍କ ଘରକୁ ୪ ଜଣ ଗୁଣ୍ଡା ଧସେଇ ପଶି ତାଙ୍କ ସହିତ ଦୁଷ୍କର୍ମ କରିଥିଲେ। ଏଥିରେ କୀରଣ ସଂପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ। କିନ୍ତୁ ସୂରଜ ତାଙ୍କୁ ସାହସ ଦେଇଥିଲେ। ଲଢ଼େଇ କରିବାକୁ ପ୍ରେରଣା ଦେଇଥିଲେ। ଅପରାଧୀମାନେ ଧରା ପଡ଼ିଥିଲେ। ମାତ୍ର, ସମସ୍ତ ପ୍ରମାଣ ସତ୍ତ୍ୱେ ବିଚକ୍ଷଣ ଓକିଲଙ୍କ ଯୋଗୁଁ ବିଚାରପତି କୀରଣଙ୍କୁ ଧର୍ଷଣ କରାଯାଇଥିବା ମାନି ନଥିଲେ। ଓଲଟି କୋର୍ଟ ଶୁଣିଥିଲା ଯେ କୀରଣ ସେହି ୪ ଜଣ ଗୁଣ୍ଡାଙ୍କୁ ଧର୍ଷଣ କରିଥିଲେ। ଅପରାଧୀମାନେ ନିର୍ଦ୍ଦୋଷରେ ଖଲାସ ହୋଇଯାଇଥିଲେ। ଏହା ପରେ କୀରଣଙ୍କ ପ୍ରତି ସମବେଦନାର ସୁଅ ଛୁଟିଥିଲା। ପୂର୍ବରୁ ନ୍ୟାୟ ପାଇ ନଥିବା ଅନେକ ମହିଳା ତାଙ୍କ ସହିତ ଯୋଗ ଦେଇଥିଲେ। ସେମାନେ ଏକଜୁଟ ହୋଇ ଅଦାଲତ ବାହାରେ ଅପରାଧୀମାନଙ୍କୁ ଉପଯୁକ୍ତ ଦଣ୍ଡ ଦେବାକୁ ନିଷ୍ପତ୍ତି ନେଇଥିଲେ। ଯୋଜନା ଅନୁଯାୟୀ କୀରଣ ପୁଲିସ ଫାଇଲ୍‌ରୁ ଧର୍ଷକମାନଙ୍କ ସଂପର୍କରେ ବିସ୍ତୃତ ବିବରଣୀ ସଂଗ୍ରହ କରିଥିଲେ। ସେହି ଧର୍ଷକମାନଙ୍କୁ ସୁନ୍ଦରୀ ମହିଳାମାନେ ଆକର୍ଷିତ କରି ସେମାନଙ୍କ ସହିତ ଥିବା ଜଣେ ଡାକ୍ତରାଣୀଙ୍କ ସହାୟତାରେ ଖାସୁ କରିଦେଉଥିଲେ। ଖାସୁ ହେଉଥିବା ଧର୍ଷକମାନେ ଏକଥା କାହାକୁ କହିପାରୁ ନଥିଲେ। ଖାସୁ ହେବା ପରେ ଜଣେ ପୁରୁଷ ସିଂହ(!) ବିଭିନ୍ନ ବାହାନା କରି ତାଙ୍କ ପତ୍ନୀଙ୍କଠାରୁ ମଧ୍ୟ ନିୟମିତ ଦୂରେଇ ରହୁଥିଲେ। ଆଉ ଜଣଙ୍କର ବାହାଘର ସ୍ଥିର ହୋଇଥିଲେ। କିନ୍ତୁ କନ୍ୟା ପକ୍ଷ ଖବର ପାଇଗଲେ ଯେ ସେ ନପୁଂସକ। କନ୍ୟାପକ୍ଷ ଏକଥା ବରପିତାଙ୍କୁ କହିବାରୁ ସେ ଆଦୌ ବିଶ୍ୱାସ କଲେ ନାହିଁ। ଓଲଟି କହିଲେ, ମୋ ପୁଅ ନାଁରେ ଏକାଧିକ ଧର୍ଷଣ ମାମଲା ରହିଛି, ଆପଣ କହୁଛନ୍ତି ସେ ନପୁଂସକ! ଫିଲ୍ମର ନାଁ ହେଉଛି ଜଖ୍‌ମୀ ଔରତ୍‌। ଆଜିର ଆବଶ୍ୟକତା ହେଉଛି ଏମିତି ଏକ କାହାଣୀର ବାସ୍ତବ ସର୍ଜନା। ଗତକାଲି ୨୦୧୯ ଡିସେମ୍ବର ୬ ତାରିଖରେ ହାଇଦ୍ରାବାଦର ପ୍ରାଣୀ ଚିକିତ୍ସକ ପ୍ରିୟଙ୍କା ରେଡ୍ଡିଙ୍କ ଧର୍ଷଣ ଅଭିଯୋଗରେ ଅଭିଯୁକ୍ତ ୪ ଜଣଙ୍କୁ ପୁଲିସ ଗୁଳି କରି ହତ୍ୟା କରିବା ପରେ ଦେଶବ୍ୟାପୀ ଯେଉଁ ପ୍ରକାର ପ୍ରତିକ୍ରିୟା ପ୍ରକାଶ ପାଇଛି ତାହା ଭାବ ଓ ଆବେଗରେ ଭରପୂର। କିନ୍ତୁ ଏହା ଆଇନସିଦ୍ଧ ନୁହେଁ। ଆଜି ଭାରତର ପ୍ରଧାନ ବିଚାରପତି ଏସଏ ବୋବଦେ କହିଛନ୍ତି ପ୍ରତିଶୋଧ ନ୍ୟାୟ ନୁହେଁ। ଦୁଷ୍କର୍ମ ପୀଡ଼ିତାମାନଙ୍କୁ ନ୍ୟାୟାଳୟରୁ ନ୍ୟାୟ ମିଳୁ ନଥିବାରୁ ବା ନ୍ୟାୟ ମିଳିବାରେ ବହୁ ବିଳମ୍ବ ହେଉଥିବାରୁ ଅନେକ ଲୋକ ଏଭଳି ‘ମ୍ୟାଗୀ ନୁଡ୍‌ଲ ନ୍ୟାୟ’କୁ ସମର୍ଥନ କରୁଛନ୍ତି। ଟୁଇଟର ଓ ଫେସ୍‌ବୁକ୍‌ ଭଳି ସାମାଜିକ ଗଣମାଧ୍ୟମରେ ପ୍ରକାଶ ପାଇଥିବା ବହୁମତ ହେଉଛି ରେପିଷ୍ଟମାନଙ୍କର ଏନ୍‌କାଉଣ୍ଟର ମୃତ୍ୟୁ ଠିକ। ଏପରିକି ଓଡ଼ିଶାର ଆଇନ ମନ୍ତ୍ରୀ ପ୍ରତାପ ଯେନା ମଧ୍ୟ ସାମ୍ବିଧାନିକ ପଦବୀରେ ଥାଇ ସମ୍ବିଧାନ ବିରୋଧୀ ଏପରି ମତକୁ ସମର୍ଥନ କରିଛନ୍ତି। ସଂସଦର ଜଣେ ସାଂସଦ ତ ଏନ୍‌କାଉଣ୍ଟର ପୂର୍ବରୁ ଅଭିଯୁକ୍ତମାନଙ୍କୁ ଲିଞ୍ଚ୍‌ ବା ପିଟିପିଟି ମାରିଦେବାକୁ ଆହ୍ୱାନ ଦେଇଥିଲେ। ଏନ୍‌କାଉଣ୍ଟର ପରେ ତାଙ୍କର ପ୍ରତିକ୍ରିୟା ହେଲା, ଦେର୍‌ ଆୟେ ଦୁରସ୍ତ ଆୟେ। ସେ ହେଲେ ଜୟା ବଚ୍ଚନ। ଏହିପରି ମାମଲାରେ ନ୍ୟାୟପାଳିକା ଉପରେ ଆସ୍ଥା ଓ ବିଶ୍ୱାସ ତୁଟୁଥିବାରୁ ଏପରି ବହୁମତ ପ୍ରକାଶ ପାଇଛି। ତେବେ ଏଥିପାଇଁ ଅନେକ ସମୟରେ ପୁଲିସ ହିଁ ଦାୟୀ। ଜଖ୍‌ମୀ ଔରତ କାହାଣୀ କଥା ଭିନ୍ନ। ଅଧିକାଂଶ କ୍ଷେତ୍ରରେ ପୁଲିସର ଅପାରଗତା, ଅବହେଳା ଓ ଦୁର୍ନୀତି ଯୋଗୁଁ ରେପିଷ୍ଟମାନଙ୍କୁ କାଠଗଡ଼ାରେ ଦଣ୍ଡ ମିଳିପାରୁ ନାହିଁ। ସେସବୁ କ୍ଷେତ୍ରରେ ଧର୍ଷକମାନଙ୍କ ଭିଡ଼ହତ୍ୟା, ଏନ୍‌କାଉଣ୍ଟର ଆଦି ଫାଷ୍ଟ ଫୁଡ଼୍‌ ଇନ୍‌ଷ୍ଟାଣ୍ଟ ନୁଡ୍‌ଲ ପରି ଇନ୍‌ଷ୍ଟାଣ୍ଟ ଜଷ୍ଟିସ ବା ତୁରନ୍ତ ନ୍ୟାୟ ବହୁ ଲୋକଙ୍କୁ ପସନ୍ଦ ହୁଏ। ମାତ୍ର, ସବୁ କ୍ଷେତ୍ରରେ ଧରା ପଡ଼ିଥିବା ଅଭିଯୁକ୍ତ ଯେ ବାସ୍ତବରେ ଦୋଷୀ ତାହା କିଏ ହଲପ୍‌ କରି କହିପାରିବ? ପୁଲିସ କ’ଣ ସବୁବେଳେ ପ୍ରକୃତ ଅପରାଧୀଙ୍କୁ ଧରିଥାଏ? ଅନେକ ସମୟରେ ଜନାକ୍ରୋଶ ଆଡ଼େଇବାକୁ ପୁଲିସ କାହାକୁ ବି ଗିରଫ କରି ଅଭିଯୁକ୍ତ ସଜେଇପାରେ। ଅନେକ ମାମଲାରେ ସେପରି ନଜୀର ରହିଛି। ହାଇଦ୍ରାବାଦ ଏନ୍‌କାଉଣ୍ଟରକୁ ସମର୍ଥନ କରିଥିବା ଅନେକ ଲୋକ ମଧ୍ୟ ସେଭଳି ମସଲାଦାର ଫିଲ୍ମ ଦେଖିଥିବେ। ଓଡ଼ିଶାରେ ତ ଏମିତି ଅନେକ ଘଟଣାର ନଜୀର ଅଛି। ବିନା ଅପରାଧରେ ହତ୍ୟା ଦୋଷରେ ଫୁଲବାଣୀର ଜଣେ ଆଦିବାସୀ ପିଲା ଜୀବନର ୧୮ ବର୍ଷ ଜେଲ୍‌ରେ କାଟିଛି। ଜଣେ ଦୟାବାନ ଓକିଲଙ୍କ ଯୋଗୁଁ ଶେଷରେ ସେ ଖଲାସ ହୋଇଛି। ଏଇ ନିକଟରେ ଖବର ପ୍ରକାଶ ପାଇଥିଲା ଯେ ଜଣେ ଆଦିବାସୀ ମହିଳାର ମୃତ୍ୟୁ ପାଇଁ ତା’ର ସ୍ୱାମୀ ଓ ସଂପର୍କୀୟଙ୍କୁ ପୁଲିସ ଗିରଫ କରି ବହୁ ଦିନ ଜେଲ୍‌ରେ ରଖିଥିଲା। ଦେଖିଲାବେଳକୁ ସେହି ମହିଳା ବଂଚିଛନ୍ତି! ସେ ଯାହା ହେଉ, ଧର୍ଷକମାନଙ୍କ ବିରୋଧରେ ତୁରନ୍ତ ନ୍ୟାୟ ଦାବି କରୁଥିବା ଗୋଷ୍ଠୀ କ’ଣ ହଲପ୍‌ କରି କହିପାରିବେ ଯେ ଏହି ଘଟଣା ସମ୍ଭାବ୍ୟ ଧର୍ଷକମାନଙ୍କୁ ଏତେ ଭୟଭୀତ କରିବ ଯେ ଆଉ କେହି ସେପରି କାମ କରିବେ ନାହିଁ! ଭାରତବର୍ଷରେ ଆଉ କୌଣସି ମହିଳା ଧର୍ଷଣର ଶିକାର ହେବେ ନାହିଁ? ସେଭଳି ଆଶା କରିବା ଏବେ ଅନ୍ତତଃ ବୃଥା। କାରଣ ଭାରତର ପୁଲିସ ଏତେ ଦକ୍ଷ ଓ ନିରପେକ୍ଷ ନୁହେଁ କି ନ୍ୟାୟପାଳିକା ଏତେ ପ୍ରଖର ନୁହେଁ। ୨୦୧୨ ଡିସେମ୍ବର ୧୬ ତାରିଖରେ ଘଟିଥିବା ଦିଲ୍ଲୀ ନିର୍ଭୟା କାଣ୍ଡ ପରେ ଭାରତୀୟ ପିଙ୍ଗଳ କୋଡ଼ରେ ସଂଶୋଧ ହୋଇଛି। ଧର୍ଷକଙ୍କ ପାଇଁ ମୃତ୍ୟୁଦଣ୍ଡର ବ୍ୟବସ୍ଥା ହୋଇଛି। ତା’ ସତ୍ତ୍ୱେ ଧର୍ଷଣ କମିନାହିଁ। ଦୋଷୀ ସାବ୍ୟସ୍ତ ହେବା ହାର ମଧ୍ୟ ବିଶେଷ ବଢ଼ି ନାହିଁ। ଗତ କିଛି ବର୍ଷ ଧରି ଭାରତବର୍ଷର ବର୍ଷକୁ ହାରାହାରି ପ୍ରାୟ ଦେଢ଼ ଲକ୍ଷ ଧର୍ଷଣ ଅଭିଯୋଗ ଦାଏର ହେଉଛି। ମାତ୍ର ୩୧ ପ୍ରତିଶତ ମାମଲାରେ ଚୂଡ଼ାନ୍ତ ରାୟ ଶୁଣାଯାଉଛି। ତାହା ପୁଣି ତଳ କୋର୍ଟରେ। ଉପରକୁ ଉପରକୁ ଆଉ ଦି’ ତିନି ପାହ୍ୟାର କୋର୍ଟ ରହିଛି। ତେବେ କ’ଣ ମହିଳାମାନେ ଏପରି ହୀନ ଅପରାଧକୁ ଉପଭୋଗ କରିବେ? ଅପରାଧୀମାନେ ଦଣ୍ଡ ପାଇବେନି? କି ଦଣ୍ଡ ପାଇଲେ ଧର୍ଷକମାନେ ଜୀବନରେ ଆଉ କେବେ ବି ଧର୍ଷଣ କରିପାରିବେନି? ଏଭଳି ପ୍ରଶ୍ନର ଉତ୍ତର ହୁଏତ ଜଖ୍‌ମୀ ଔରତ ଫିଲ୍ମରେ ଥାଇପାରେ। କିନ୍ତୁ, ଯୌନ-ଅସମର୍ଥ ହୋଇଯାଇଥିବା ଜଣେ ପୁରୁଷ ହତ୍ୟା କରିପାରିବ ତ? ତାହାର ଇନ୍‌ଷ୍ଟାଣ୍ଡ ଜଷ୍ଟିସ୍‌ ପୁଣି କ’ଣ? ଆଉ ଏକ ହତ୍ୟା? ଏ କାହାଣୀରେ ପୂର୍ଣ୍ଣଚ୍ଛେଦ ପଡ଼ିବ ନାହିଁ। କାରଣ ସମାଜର ସବୁ ଲୋକ ଗୋଟିଏ ଶିକ୍ଷା ଓ ସଂସ୍କାରରେ ବଢ଼ି ନାହାନ୍ତି। ମଣିଷକୁ ମଣିଷ ଭାବେ ଦେଖିବାକୁ, ମାତୃଜାତିକୁ ସମ୍ମାନ ଦେବାକୁ, ଆଇନ ମାନିବାକୁ, ଦଣ୍ଡବ୍ୟବସ୍ଥାକୁ ଭୟ କରିବାକୁ କିଛି ଲୋକ ଭୁଲି ଯାଇଥାନ୍ତି। ହିନ୍ଦୁ ସମାଜରେ ବିଭିନ୍ନ ଅପରାଧ ପାଇଁ ପରଜନ୍ମରେ ଭିନ୍ନ ଭିନ୍ନ ଦଣ୍ଡ ସଂପର୍କରେ ଅବତାରଣା ଅଛି। କେତେ ଲୋକ ଭୟ କରୁଛନ୍ତି? ସେଥିପାଇଁ, ଆଇନର ଶାସନ ହିଁ ଏକମାତ୍ର ସମାଧାନ। ନହେଲେ ଜଙ୍ଗଲୀ ଶାସନ ଚାଲିବ। ଆଇନ ଆଗରେ ଭାବପ୍ରବଣତା, ଆବେଗ ଆଦି ଗୁରୁତ୍ୱ ବହନ କରେ ନାହିଁ। ଆଇନ କେବଳ ପ୍ରମାଣ ଖୋଜେ। ପୁଲିସ ଯଦି ଅଳ୍ପ ସମୟରେ ପ୍ରମାଣ ସଂଗ୍ରହ କରିବାକୁ ଦକ୍ଷ, ଓକିଲ ଯଦି ଦୋଷୀଠୁଁ ଅଧିକ ଟଙ୍କା ପାଇବାର ଲୋଭ ସମ୍ବରଣ କରେ ଏବଂ ବିଚାରପତି ଯଦି ‘ନ୍ୟାୟର ଏନ୍‌କାଉଣ୍ଟର’ ନକରିବାକୁ ଦୃଢ଼ ପ୍ରତିଜ୍ଞ ତେବେ ଆଇନର ଶାସନଠାରୁ ଆଉ ଅଧିକ ନ୍ୟାୟସଙ୍ଗତ ସମାଜ କିଛି ହୋଇନପାରେ। (ସୌ- ଓଡ଼ିଶା ରିପୋର୍ଟର)

Share :