ମୃତ୍ୟୁଦଣ୍ଡ ଜରୁରୀ- ଅପରାଧୀର ନା ଅପରାଧର?

ମୃତ୍ୟୁଦଣ୍ଡ ଜରୁରୀ- ଅପରାଧୀର ନା ଅପରାଧର?

ଦେବରଂଜନ ଭାରତରେ ହୁଏତ ଜଣେ ବି କେହି ବିଶ୍ଵାସ କରୁନଥିବେ ଯେ ହାଇଦ୍ରାବାଦ ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତ ଚାରି ଅପରାଧୀ ସତେରେ ପୁଲିସକୁ ଆକ୍ରମଣ କରିବା ହେତୁ ନିଜର ଜୀବନ ଦେଲେ। ବିଚାରାଧୀନ କଏଦୀଙ୍କୁ କୌଣସି ଆଇନ ସହାୟତା ନଦେଇ ଅର୍ଦ୍ଧ ରାତ୍ରିରେ ସଶସ୍ତ୍ର ପୁଲିସ ବାହିନୀ ଦ୍ଵାରା ନିକାଞ୍ଚନ ସ୍ଥାନକୁ ନେଇ ଗୁଳି କରିବା ପରେ ଆତ୍ମସୁରକ୍ଷାର ରଙ୍ଗ ଦେବା, ଆମ ଆଇନ ଓ ବିଚାର ପଦ୍ଧତିରେ ଯେ ବହୁତ ଫାଙ୍କ ରହିଛି ସେକଥାକୁ ପରୋକ୍ଷରେ ହାଇଦ୍ରାବାଦ ପୁଲିସ ନିଜେ ପ୍ରମାଣିତ କରିଛି। ପୁଲିସର ଏତାଦୃଶ କାର୍ଯ୍ୟ ପ୍ରତି ସନ୍ଦେହର ଅନ୍ୟ ଏକ କାରଣ ହେଲା ଯେ ନକ୍ସଲବିରୋଧୀ ଅପରେସନ ନାମରେ ସବୁଠାରୁ ଅଧିକ ଲୋକଙ୍କୁ ହତ୍ୟା ଏହି ଆନ୍ଧ୍ର ପୁଲିସର ଗ୍ରେ ହାଉଣ୍ଡ ଦ୍ଵାରା ହିଁ ଘଟିଛି। ସନ୍ଦେହର ମାତ୍ରା ଯେତେ ଅଧିକ ହେବ ବିଚାର ବିଭାଗ ସେତିକି ଭରୋସାତ୍ମକ ହୋଇପାରିବ। ଏବେ ଦେଖିବାର କଥା ଯେ ଏକ ବିଚାରାଧୀନ କଏଦୀର ଅସୁରକ୍ଷିତ ଜୀବନ ସାଙ୍ଗକୁ ପୁଲିସର ଆତ୍ମରକ୍ଷାର ସଫେଇ ଉପରେ ତେଲେଙ୍ଗାନା ହାଇକୋର୍ଟ ଓ ଜାତୀୟ ମାନବିକ ଅଧିକାର କମିଶନ କ’ଣ ପଦକ୍ଷେପ ନେଉଛନ୍ତି। ସମାଜର ଅଶିକ୍ଷିତ ଦିନମଜୁରିଆ ବର୍ଗ ଅପରାଧୀ ନିଶ୍ଚିତ ଚାହେ ନିର୍ଭୟା ଘଟଣା ହେଉ ଅଥବା ହାଇଦ୍ରାବାଦ ଘଟଣା, ଏଠାରେ ମହିଳା ଜଣକ ଯେତେବେଳେ କର୍ମଜୀବୀ ମଧ୍ୟବିତ୍ତ ପରିବାରର ଓ ଅପରାଧୀମାନେ ସମାଜର ଦୁର୍ବଳ ବର୍ଗର ସେତେବେଳେ ଏହାକୁ ଅତ୍ୟଧିକ ସଂବେଦନଶୀଳ ପ୍ରସଙ୍ଗ କରିଦିଆଯାଇପାରୁଛି। ଫଳରେ ଅପରାଧୀକୁ ନୂତନ ଆଇନରେ ମୃତ୍ୟୁଦଣ୍ଡ ମିଳିବା ନିଶ୍ଚିତ ହୋଇଯାଉଛି। କିନ୍ତୁ ଯେଉଁଠି ଘଟଣାର ଚରିତ୍ରମାନେ ବିପରୀତ ଅର୍ଥାତ ଧର୍ଷିତା ଜଣକ ସମାଜର ଅବହେଳିତ ବର୍ଗର ଓ ଅପରାଧୀ ଜଣକ ସମାଜର ପ୍ରଭାବଶାଳୀ ବ୍ୟକ୍ତିତ୍ବ ସେଠାରେ ଜନତା ଏଭଳି ପ୍ରତିକ୍ରିୟାଶୀଳ ହେଉନାହାନ୍ତି। ଆମ ସମାଜର ଆଜି ଏକ ଭାବନା ଦୃଢୀଭୂତ ହେବାରେ ଲାଗିଛି ଯେ ସମାଜର ଗରିବ ଓ ଅଶିକ୍ଷିତ ଦିନ ମଜୁରିଆ ବର୍ଗ ସମସ୍ତେ ସମ୍ଭାବ୍ୟ ଅପରାଧୀ। ଏହି ବର୍ଗ ଭିତରେ ଡ୍ରାଇଭର, ହେଲପର, ମେକାନିକ, ଛୋଟ ବ୍ୟବସାୟୀ, ଅଟୋ ଡ୍ରାଇଭର, ପରିବା ଦୋକାନୀ ଇତ୍ୟାଦି ଆସୁଛନ୍ତି ଓ ଏହି ମାନସିକତା ତିଆରି କରାଯାଉଛି ମୁଖ୍ୟତଃ ସହରୀ ମଧ୍ୟମବର୍ଗୀ ଦ୍ଵାରା ଯେଉଁମାନଙ୍କ ମଧ୍ୟରେ ହୁଏତ ଅଛନ୍ତି ଓକିଲ, ସାମ୍ବାଦିକ, ଚାକିରିଆ, ଡାକ୍ତର ଓ ଅନ୍ୟ ମଧ୍ୟମ ବର୍ଗ। ଧାର୍ମିକ ଆଧାରରେ ଯେଉଁଭଳି ସଂଖ୍ୟାଲଘୁ ମୁସଲମାନଙ୍କୁ ‘ଆତଙ୍କବାଦୀ’ ସଜାଇଦିଆଗଲା ସେହିଭଳି ଶ୍ରେଣୀ ଆଧାରରେ ଏକ ମାନସିକତା କ୍ରମଶଃ ଦୃଢୀଭୂତ ହେଉଛି ଯେ ବସ୍ତି ଅଥବା ନିମ୍ନ ଅଞ୍ଚଳରେ ରହୁଥିବା ସମସ୍ତ ବାସିନ୍ଦା ଅପରାଧୀ ହୋଇଥିବେ ନିଶ୍ଚିତ। ଯେବେ କୌଣସି ଅପରାଧରେ ସେମାନଙ୍କୁ ଗିରଫ କରାଯାଉଛି ସେତେବେଳେ ଧରିନିଆଯାଉଛି ଯେ ପୁଲିସର ଅନୁସନ୍ଧାନ ନିଶ୍ଚିତ ସତ ଓ ସେମାନଙ୍କର ମୃତ୍ୟୁଦଣ୍ଡ ଜରୁରୀ। ଅନ୍ୟପଟରେ ସମାଜର ପ୍ରଭାବଶାଳୀ ବ୍ୟକ୍ତି ନିଜ ବିପକ୍ଷରେ ଦୁଷ୍କର୍ମ ଅଭିଯୋଗ ଆସିଲେ ଦାମିକିୟା ଓକିଲଙ୍କ ନିଯୁକ୍ତି ଦ୍ଵାରା ଜାମିନ ପାଉଛନ୍ତି, କାରଣ ସେଠାରେ ପୀଡ଼ିତା ଜଣକ ଗରିବ ଶ୍ରେଣୀର ଓ ତାହାର ଚରିତ୍ର ନଚେତ ଉଦ୍ଦେଶ୍ୟ ସମ୍ପର୍କରେ ଅତି ଶୀଘ୍ର ‘ସନ୍ଦେହ’ ତିଆରି କରିଦିଆଯାଇ ପାରୁଛି। ଏଠାରେ ମଧ୍ୟ ସେହି ଶ୍ରେଣୀ ମାନସିକତା କାମ କରୁଛି। ଏହି ହେତୁ ଜିଲ୍ଲା କୋର୍ଟରେ ଦୁର୍ବଳ ଅପରାଧୀକୁ ମୃତ୍ୟୁଦଣ୍ଡ ଶୁଣାଯାଉଥିଲା ବେଳେ ପ୍ରଭାବଶାଳୀ ଅପରାଧୀକୁ ଜେଲ ଦଣ୍ଡ (ଯଥା କଠୁଆ ଧର୍ଷଣ ଓ ହତ୍ୟା ମାମଲା) ଦିଆଯାଉଛି ଯାହା ହୁଏତ ପରବର୍ତ୍ତୀ କୋର୍ଟରେ କୋହଳ ମଧ୍ୟ ହୋଇଯାଇପାରେ ଯାହା ଖରଲାଞ୍ଜି କ୍ଷେତ୍ରରେ ହେଲା। ଯେଉଁ ବିଳମ୍ବିତ ନ୍ୟାୟ କଥା କୁହାଯାଉଛି ବିଚାର ପ୍ରକ୍ରିୟାକୁ ବିଳମ୍ଭ କରାଇବା ପଛରେ ବହୁ ସମୟରେ ପୁଲିସ ଓ ଓ ପବ୍ଲିକ ପ୍ରସିକ୍ୟୁଟରଙ୍କ ଭୂମିକା ରହୁଛି। ସରକାରୀ ଅନୁଷ୍ଠାନର ନ୍ୟାୟିକ ବିଚାର ହୁଏନାହିଁ ସ୍ଵାଧୀନ ଭାରତର ପ୍ରଥମ ଦିନରୁ ଧର୍ଷଣ ଓ ହତ୍ୟା ଏହାର ଇତିହାସ ସହିତ ଯୋଡି ହୋଇଯାଇଛି। ଦେଶ ବିଭାଜନ ସମୟର ହିଂସା, ସମ୍ପ୍ରଦାୟିକ ହିଂସା, ଦଳିତଙ୍କ ଉପରେ ହିଂସା, କମ୍ୟୁନିଷ୍ଟ ଆନ୍ଦୋଳନ ଓ ଜମି ଆନ୍ଦୋଳନ ଉପରେ ଅର୍ଦ୍ଧ ସାମରିକ ବାହିନୀ ଓ ପୁଲିସର ଦମନ ଇତ୍ୟାଦି ସମୟରେ ଦୁର୍ବଳ ବର୍ଗର ନାରୀ ସରକାରୀ ଯବାନଙ୍କ ଧର୍ଷଣ ଓ ହିଂସାର ସହଜ ଲକ୍ଷ୍ୟ ହୋଇଆସିଛି। ଏପରି ଅପରାଧର କେବେ କୌଣସି ସ୍ଥାନରେ ନ୍ୟାୟିକ ଯାଞ୍ଚ ମଧ୍ୟ ହୁଏନାହିଁ। ସାମ୍ପ୍ରଦାୟିକ ହିଂସାରେ ଅପରାଧୀ ଜଣକ ଯେହେତୁ ସରକାରୀ ଦଳର ହୋଇଥାନ୍ତି ତେଣୁ ସରକାରୀ ସମର୍ଥନ ତାଙ୍କୁ ମଧ୍ୟ ମିଳିଥାଏ। କମ୍ୟୁନିଷ୍ଟ ଆନ୍ଦୋଳନ ସମୟରେ ଯବାନମାନେ ଆନ୍ଦୋଳନକୁ-ଖତମ-କରିଦେବା ସରକାରୀ ନିଷ୍ପତ୍ତିର ସୁଯୋଗ ନେଇ ଅତି ନାରକୀୟ କାଣ୍ଡ କରିଛନ୍ତି। ସେହି ପୀଡ଼ିତା ଜଣକ କ’ଣ ମହିଳା ନଥିଲେ ନା ସେମାନେ ଏ ଦେଶର ନାଗରିକ ନୁହନ୍ତି? ଜନତା ଯେବେ ସରକାରଙ୍କ ସହିତ ମିଶି କୌଣସି ଅପରାଧକୁ କେବଳ ଏକ ଆଇନ ଶୃଙ୍ଖଳା ପରିସ୍ଥିତି ଭାବରେ ଧରିନିଅନ୍ତି ସେତେବେଳେ ସରକାର ନିଜର ଦାୟିତ୍ବରୁ ଓହରିଯିବା ସହଜ ହୋଇଯାଇଥାଏ। ଜନତାଙ୍କୁ ବିଭ୍ରାନ୍ତ କରିବା ଲାଗି ମିଡିଆରେ ନାରୀର ଆଚରଣ, ପୋଷାକ, ଧର୍ମ ପ୍ରତି ବିମୁଖତା ଇତ୍ୟାଦିକୁ ସରକାରୀ ସ୍ତରର ମନ୍ତ୍ରୀ ବା ସରକାରୀ ବାବାମାନେ ଦାୟୀ କରି ଧର୍ଷଣ ଏହି ହେତୁ ବଢୁଥିବାର ଯୁକ୍ତି କରିଥାନ୍ତି। ଆଜି ପ୍ରଶଂସା ନେଉଥିବା ହାଇଦ୍ରାବାଦ ପୁଲିସ ବିଭାଗର ପୂର୍ବତନ ମୁଖ୍ୟ ଥରେ ମହିଳାଙ୍କ ‘ଫେଶନ ଡିଜାଇନ’ ହେତୁ ଧର୍ଷଣ ଅପରାଧ ବଢୁଥିବା କଥା ଯୁକ୍ତି ଦର୍ଶାଇ ବିବାଦୀୟ ହୋଇଥିଲେ। ସମାଜର ଏହି ରୂଢିବାଦୀ ଚିନ୍ତାଧାରା ହେତୁ ଲୋକଙ୍କ ଟିପ୍ପଣୀକୁ ସମୁଖୀନ ହୋଇନପାରି ସମୟ ସମୟରେ ପୀଡିତା ଆତ୍ମହତ୍ୟା ମଧ୍ୟ କରିଥାନ୍ତି। କିନ୍ତୁ ନାରୀର ଆଚରଣ ଓ ପୋଷାକ ଆଦିକୁ ଦାୟୀ କରୁଥିବା ସେହି ସରକାରୀ ବ୍ୟକ୍ତିକୁ ଆତ୍ମହତ୍ୟା ଲାଗି ପ୍ରବର୍ତ୍ତାଇବା ଅପରାଧରେ (ଆଇପିସିର ଧାରା 306 ଅନୁସାରେ) ଦଣ୍ଡିତ କରାଯାଏନାହିଁ। ସରକାର ଏଭଳି ଆଲୋଚନାକୁ ବରଂ ପ୍ରଶ୍ରୟ ଦେଇଥା’ନ୍ତି। ଦୁଷ୍କର୍ମ ସେହି ସମାନ ଅପରାଧ ଧର୍ଷଣ ଅପରାଧ ନାରୀ ଉପରେ ପୁରୁଷ ଦ୍ଵାରା ହେଉଥିବା ଅନ୍ୟ ଅପରାଧମାନଙ୍କ ଭଳି ଏକ ଅପରାଧ। ଏକ ପୁରୁଷ ପ୍ରାଧାନ ସମାଜରେ ନାରୀ ଜନ୍ମରୁ ଏଭଳି ହିଂସାର ଶିକାର ହେଉଛି। ସେହିଭଳି ଜାତିଗତ ହିଂସାରେ ଦଳିତଙ୍କ ଘର ଜାଳିଦେବା ଓ ହତ୍ୟା କରିବା, ଭିଡ ହିଂସାରେ ସଂଖ୍ୟାଲଘୁଙ୍କୁ ହତ୍ୟା କରିବା, ଆଦିବାସୀକୁ ଜମିରୁ ଉଚ୍ଛେଦ କରିବା ଗୁଳି କରିବା ବା ଏନକାଉଣ୍ଟର କରିବା ଧର୍ଷଣ ଓ ହତ୍ୟାଠାରୁ କୌଣସି ପ୍ରକାରରେ କମ ଅପରାଧ ନୁହେଁ। ଧର୍ଷଣ ଓ ହତ୍ୟାର ଶିକାର ହୋଇଥିବା ନାରୀ ଭଳି ଦଳିତ, ଆଦିବାସୀ ଓ ସଂଖ୍ୟାଲଘୁ ବ୍ୟକ୍ତିଜଣକ ମଧ୍ୟ ଉଚ୍ଚ ଜାତି ସଶସ୍ତ୍ର ଅନୁଷ୍ଠାନ ହାତରେ ନିଜ ଜୀବନ ହାରିବା ହେତୁ ତା’ ଉପରେ ନିର୍ଭର କରୁଥିବା ପରିବାରର ଅନ୍ୟ ସମସ୍ତ ସଦସ୍ୟଙ୍କୁ ଅତିଦୁର୍ଦ୍ଦିନରେ ଛାଡିଦେଇଯାଏ। ଅଥଚ ଧର୍ଷଣକୁ ଏ ସବୁର ଶୀର୍ଷରେ ରଖିବାରୁ ଜଣାପଡୁଛି ଯେ ନାରୀର ଇଜ୍ଜତ ଅତୀତର ପୁରୁଷକୈନ୍ଦ୍ରିକ ସମାଜରେ ଯେମିତି ବଳିଷ୍ଠ ଭାବରେ ଦେଖାଯାଉଥିଲା ଆଜି ବି ସେହିଭଳି ଦେଖାଯାଉଛି। କାହିଁକି? ଦଳିତ, ସଂଖ୍ୟାଲଘୁ , ଆଦିବାସୀମାନେ କଣ ଏହି ସମାଜର ଅବିଚ୍ଛେଦ୍ୟ ଅଙ୍ଗ ନୁହନ୍ତି ଯେମିତି ନାରୀ? ଧର୍ଷଣକୁ କେବଳ ଗୁରୁତ୍ଵ କାହିଁକି, ସମାଜ ଏ ବିଷୟରେ ଚିନ୍ତାକରୁନାହିଁ। ମାନସିକତାରେ ପରିବର୍ତ୍ତନ ଜରୁରୀ ଧର୍ଷଣ କେବଳ ଏକ ଆଇନ ଶୃଙ୍ଖଳାର ସମସ୍ୟା ନୁହେଁ। ଏହା ଏକ ଅପରାଧ ମାନସିକତା। କ୍ରାଇମ ରେକର୍ଡ ବ୍ୟୁରୋ ତଥ୍ୟ ଅନୁସାରେ (2016) ପ୍ରାୟେ 95% ଘଟଣାରେ ଅପରାଧୀକୁ ପୀଡ଼ିତା ଜଣକ ଜାଣିଥା’ନ୍ତି। ଏହି ହେତୁ ପୁରୁଷର ନାରୀ ପ୍ରତି ମାନସିକତା ତା’ର ପରିବାର ଓ ସମାଜ ମଧ୍ୟରୁ ଜନ୍ମ ସମୟରୁ ତିଆରି ହୋଇଆସୁଛି। ଯଦି ଅପରାଧୀର ଜାତି ଦେଖାଯିବ ତେବେ ହୁଏତ ଆଦିବାସୀ ଓ ଦଳିତ ବର୍ଗର ଧର୍ଷଣକାରୀର ସଂଖ୍ୟା ନିଶ୍ଚିତ କମ ଆସିବ। ଏହାକୁ ଆମର ସମାଜ ଓ ସରକାର ଉଭୟ ଅଣଦେଖା କରିଚାଲିଛନ୍ତି। ପୂର୍ବର ଅନେକ ଆଦିବାସୀ ସମାଜଠାରୁ ଆମର ଯେ ଶିଖିବାର ଅଛି ସେ କଥା ଏ ସମାଜ ସ୍ଵୀକାର କରୁନାହିଁ। ଦୀର୍ଘ ସତୁରୀ ବର୍ଷ ମଧ୍ୟ ଏକ ଲମ୍ବା ସମୟ। ଆମ ସମାଜର ଏଭଳି ଅନେକ ପରମ୍ପରା, ଚଳଣି, ଧର୍ମ ବିଶ୍ଵାସ ରହିଛି ଯାହା ନାରୀକୁ ଦ୍ଵିତୀୟ ଶ୍ରେଣୀର ନାଗରିକ ଭାବରେ ଦେଖେ। ଧର୍ମର ପରମ୍ପରା ପୁରୁଷ ତିଆରି କରିଥାଏ ଓ ତାହାକୁ ପାଳନ କରିବାର ଦାୟିତ୍ଵ ନାରୀ ଉପରେ ନ୍ୟସ୍ତ ଥାଏ। ଆମ ଶିକ୍ଷା ପଦ୍ଧତି ସେଭଳି ବୈଜ୍ଞାନିକ ଚିନ୍ତାଧାରାର ନହୋଇପାରିବା ହେତୁ ଆଜି ପୁରୁଷର ମାନସିକତା ସେହି ପଚାଶ ଦଶକ ପାଖରେ ଅଟକି ଯାଇଛି। ଯେତେବେଳେ ଜନତା ଏହାକୁ ଆଇନ ଶୃଙ୍ଖଳା ସମସ୍ଯା ଭାବି ଅପରାଧୀକୁ ଦଣ୍ଡ ଦେବା କଥା କହୁଛନ୍ତି ସେତେବେଳେ ସରକାର ତୁରନ୍ତ ସାମିଲ ହୋଇଯାଉଛନ୍ତି। ଏଥିରେ ସରକାର ନିଜକୁ ଉତ୍ତରଦାୟୀ ମନେନକରିବା ହେତୁ ଓ ନିଜ ଅନୁଷ୍ଠାନର ବ୍ୟକ୍ତିମାନଙ୍କୁ ସୁରକ୍ଷା ଦେଇଚାଲିବା ହେତୁ ହୁଏତ ଧର୍ଷଣ ଓ ହତ୍ୟା ଭଳି ଅପରାଧ ଆଗାମୀ ପଚାଶ ବର୍ଷ ମଧ୍ୟ ଏ ଦେଶରେ ରହିଥିବ। ମୋ- ୯୪୩୭୭୬୨୨୭୧

Share :