ଶାନ୍ତିର୍ଭବତୁ, ସ୍ୱସ୍ତିର୍ଭବତୁ, ଶୁଭାନୀର୍ଭବତୁ!

ଶାନ୍ତିର୍ଭବତୁ, ସ୍ୱସ୍ତିର୍ଭବତୁ, ଶୁଭାନୀର୍ଭବତୁ!

Share :

ଦେବେନ୍ଦ୍ର ପୃଷ୍ଟି (୧୦.୧୧.୧୯ରେ ପ୍ରକାଶ ପାଇଥିଲା ଏହି ଆଲେଖ୍ୟ।) ଜମି ପରିମାଣ ବା କ୍ଷେତ୍ରଫଳ ଦୃଷ୍ଟିରୁ ଭାରତ ହେଉଛି ବିଶ୍ୱର ସପ୍ତମ ବୃହତ୍ତମ ଦେଶ। କିଲୋମିଟର ହିସାବରେ ଏହାର କ୍ଷେତ୍ରଫଳ ହେଉଛି ୩୨ ଲକ୍ଷ ୮୭ ହଜାର ୨୬୩ ବର୍ଗ କିଲୋମିଟର। ଏକର ହିସାବରେ ଏହା ହେବ ୮୧ କୋଟି ୨୩ ଲକ୍ଷ ଏକର। ଏହା ଭିତରେ ଶହେ କୋଟି ହିନ୍ଦୁଙ୍କ ମାଲିକାନାରେ କେତେ ଜମି ଥିବ? କେତେ ଜମି ଥିବ ପ୍ରାୟ ୨୦ କୋଟି ମୁସଲମାନଙ୍କ ପାଖରେ? ତଥାପି, ମାତ୍ର ୨.୭୭ ଏକର ଜମି ପାଇଁ ଭାରତବର୍ଷର ଏହି ଦୁଇ ବୃହତ ସଂପ୍ରଦାୟ ମଧ୍ୟରେ ପ୍ରାୟ ୫୦୦ ବର୍ଷ ହେଲା ଲାଗି ରହିଛି ବିବାଦ ଓ ବିଦ୍ୱେଷ। ଦେଶରେ ଉଭୟ ସଂପ୍ରଦାୟର ଅଛି ହଜାର ହଜାର ମନ୍ଦିର ଓ ମସଜିଦ। ମାତ୍ର, ଏଇ ଗୋଟିଏ ମନ୍ଦିର ବା ମସଜିଦ ପାଇଁ ସମୟ ଅଟକି ଯାଇଛି ଷୋଡ଼ଶ ଶତାବ୍ଦୀରେ। ଏହି ଗୋଟିଏ ମନ୍ଦିର/ମସଜିଦ ପାଇଁ ଭାରତବର୍ଷରେ ଘଟିଗଲାଣି କେତେ ଦଙ୍ଗା, କେତେ ଜଳାପୋଡ଼ା, କେତେ ହତ୍ୟା ଓ କେତେ ଧର୍ଷଣ। କେତେ ପରିବାର ଉଜିଡ଼ିଛି, କେତେ ଗାଁ ହୋଇଯାଇଛି ଜନଶୂନ୍ୟ, କେତେ ସଂପତ୍ତି ହଡ଼ପ ଓ କେତେ ମାଲିମକଦ୍ଦମା। ଏବେ ଏହି ବିବାଦରେ ସବୁଦିନ ପାଇଁ ପୂର୍ଣ୍ଣଚ୍ଛେଦ ପଡ଼ିବ କି? ଇତିହାସକୁ ପଛରେ ପକେଇ କାଳର ଗତିରେ ଆଗକୁ ବଢ଼ିବ କି ଭାରତବର୍ଷ? ସବୁଦିନ ପାଇଁ ବନ୍ଦ ହେବ କି ଧର୍ମ ଓ ସଂପ୍ରଦାୟର ରାଜନୀତି? ୨୦୧୯ ନଭେମ୍ବର ୯ ତାରିଖ ପୂର୍ବାହ୍ନରେ ସୁପ୍ରିମ କୋର୍ଟ ଅଯୋଧ୍ୟା ରାମ ମନ୍ଦିର-ବାବ୍ରି ମସଜିଦ ସଂପତ୍ତି ବିବାଦରେ ଚୂଡ଼ାନ୍ତ ରାୟ ପ୍ରକାଶ କରିବା ପରେ ଏହିସବୁ ପ୍ରସଙ୍ଗ ଉପରେ ସବୁ ସ୍ତରରେ ଆତ୍ମକୈନ୍ଦ୍ରିକ, ଧର୍ମକୈନ୍ଦ୍ରିକ ଓ ସମାଜ ତଥା ଦେଶକୈନ୍ଦ୍ରିକ ସମୀକ୍ଷା ହେବା ଦରକାର। ସମୀକ୍ଷା ହେବା ଦରକାର ଏଭଳି ଏକ ବିବାଦ ଲାଗି ରହିଲେ କେଉଁ ସଂପ୍ରଦାୟର କି ଲାଭ? କେଉଁ ସହରର, ରାଜ୍ୟର ଓ ଦେଶର କି ଫାଇଦା? ଦେଶର ଏକତା, ଅଖଣ୍ଡତା, ସାର୍ବଭୌମତା, ଶାନ୍ତି ଓ ସାଂପ୍ରଦାୟିକ ସଦଭାବ ପାଇଁ କେତେ ଆବଶ୍ୟକ ଏଭଳି ଏକ ବିବାଦ, ବିତର୍କ, ରାଜନୀତିକ ଦ୍ୱନ୍ଦ୍ୱ ଓ ଆଇନଗତ ଯୁଦ୍ଧ? ଜାତିର ଜନକ ମହାତ୍ମା ଗାନ୍ଧୀ କହିଥିଲେ, ‘ସବୁ କୋର୍ଟ ଉପରେ ଆଉ ଗୋଟେ କୋର୍ଟ ଅଛି, ତାହା ହେଉଛି ବିବେକର କୋର୍ଟ’। ଅଯୋଧ୍ୟା ମନ୍ଦିର-ମସଜିଦ ମକଦ୍ଦମାରେ ସୁପ୍ରିମ କୋର୍ଟ ତାଙ୍କର ରାୟ ଶୁଣାଇ ସାରିଛନ୍ତି। ଏବେ ଦେଶର ସମସ୍ତ ନାଗରିକ, ବିଶେଷ କରି ବିବାଦରତ ଦୁଇ ସଂପ୍ରଦାୟର ତିନି ପକ୍ଷର ମୁଖ୍ୟ କାର୍ପଟଦାରମାନେ ନିଜନିଜର ବିବେକର କୋର୍ଟରେ ଏହି ରାୟର ତର୍ଜମା କରିବା ଉଚିତ ଏବଂ ସମସ୍ତଙ୍କର ମଙ୍ଗଳ ପାଇଁ, ଦେଶର ପ୍ରଗତି ଓ ସାମୂହିକ ବିକାଶ ପାଇଁ ଏହି ରାୟକୁ ସବୁ ପକ୍ଷ ଗ୍ରହଣ କରିବେ ନା ଆଉ କେଇ ଦଶନ୍ଧି ବା ଶତାବ୍ଦୀ ଯାଏଁ ଏହାକୁ ନେଇ ପରସ୍ପର ମଧ୍ୟରେ ହାଣକାଟ, ଦଙ୍ଗାହାଙ୍ଗାମ ଜରିଆରେ କ୍ରୋଧ ଓ ଘୃଣାର ରାଜନୀତି ଅବ୍ୟାହତ ରଖିବେ? କେତେକ ସମାଲୋଚକ ଓ ସମୀକ୍ଷକଙ୍କ ମତରେ ହୋଇପାରେ ଏହା ଏକ ବହୁସଂଖ୍ୟକବାଦୀ ରାୟ। ଆଉ କେତେକଙ୍କ ମତରେ ହୋଇପାରେ ଏହା ଏକ ଆଇନ ଓ ଅଧିକାର ବହିର୍ଭୂତ ରାୟ। କେହି କେହି ମଧ୍ୟ କହିପାରନ୍ତି ଏହା ସଂଖ୍ୟାଲଘୁ ବିରୋଧୀ ରାୟ, ତଥ୍ୟ ଓ ପ୍ରମାଣ ବହିର୍ଭୂତ ବିଶ୍ୱାସବାଦୀ ରାୟ। କିନ୍ତୁ ମାମଲାର ସବୁ ଦିଗରୁ ଏବଂ ବିବାଦରତ ସବୁ ପକ୍ଷର ହିତ ଦୃଷ୍ଟିରୁ ବିଚାର କଲେ ଏହା ନିଶ୍ଚୟ ସ୍ୱୀକାର କରାଯିବ ଯେ ଏହା ହେଉଛି ଏକ ସର୍ବମଙ୍ଗଳକାରୀ ରାୟ, ଇତିହାସ ପରିବର୍ତ୍ତନକାରୀ ରାୟ ଏବଂ ପୁରୋଦୃଷ୍ଟିବାଦୀ ରାୟ। ଏହି ରାୟରେ ବହୁସଂଖ୍ୟକ ହିନ୍ଦୁ ସଂପ୍ରଦାୟର ଭୁଲକୁ ଦର୍ଶାଯାଇଛି, ଅଳ୍ପସଂଖ୍ୟକ ମୁସଲିମଙ୍କ ଅଧିକାରକୁ ମଧ୍ୟ ଅକ୍ଷୁଣ୍ଣ ରଖାଯାଇଛି। କୋର୍ଟ ସ୍ପଷ୍ଟ ଭାବରେ କହିଛନ୍ତି, ୧୯୪୯ରେ ବିବାଦୀୟ ସ୍ଥଳରେ ମୂର୍ତ୍ତି ସ୍ଥାପନ ଓ ୧୯୯୨ରେ ବାବ୍ରି ମସଜିଦ ଧ୍ୱଂସ ଆଇନ ସମ୍ମତ ନଥିଲା। କୋର୍ଟ ଏହା ମଧ୍ୟ କହିଛନ୍ତି ଯେ ପ୍ରତ୍ନତାତ୍ତ୍ୱିକ ତଥ୍ୟ ଅନୁସାରେ ଅଯୋଧ୍ୟାର ସେହି ବିବାଦୀୟ ୨.୭୭ ଏକର ଜମିରେ ୧୨୦୦ ଶତାବ୍ଦୀ ଯାଏଁ ଏକ ମନ୍ଦିର ଥିଲା। ୧୬୦୦ ଶତାବ୍ଦୀରେ ସେହି ଜମି ଉପରେ ନୂଆ କରି ନିର୍ମିତ ହେଲା ଏକ ମସଜିଦ। କିନ୍ତୁ ୧୨୦୦ରୁ ୧୬୦୦ ମଧ୍ୟରେ ଥିବା ୪୦୦ ବର୍ଷ ଭିତରେ ସେହି ମନ୍ଦିରର ସ୍ଥିତି କ’ଣ ଥିଲା ସେ ସଂପର୍କରେ କିଛି ପ୍ରମାଣ ନାହିଁ। ପ୍ରମାଣ ମଧ୍ୟ ନାହିଁ କେହି ୧୬୦୦ ଶତାବ୍ଦୀରେ ସେହି ମନ୍ଦିରକୁ ଭାଙ୍ଗି ତା’ ଉପରେ ମସଜିଦ ନିର୍ମାଣ କରିଥିବାର। କୋର୍ଟଙ୍କ ରାୟରେ ଏହା ମଧ୍ୟ ଉଲ୍ଲେଖ ଅଛି ଯେ ୧୯୯୦ ଦଶକରେ ଏହି ମନ୍ଦିର/ମସଜିଦରେ ପୂଜା କରିବାର ପ୍ରାଶାସନିକ ଅନୁମତି ବେଆଇନ ଥିଲା। ଇତିହାସ ଅନୁସାରେ ୧୮୫୬-୫୭ ଯାଏଁ ମୁସଲିମ ଧର୍ମାବଲମ୍ବୀମାନେ ସେଠାରେ ନମାଜ ପଡ଼ୁଥିଲେ। ସେତେବେଳକୁ ଭାରତର ଶାସନ କ୍ଷମତା ମୋଗଲମାନଙ୍କ ହାତରୁ ବ୍ରିଟିଶମାନଙ୍କ ହାତକୁ ଚାଲିଯାଇଥିଲା। ସେହି ସମୟରେ ହୋଇଥିଲା ସିପାହୀ ବିଦ୍ରୋହ, ବ୍ରିଟିଶ ରାଜ୍‌ ବିରୋଧରେ ଏକଜୁଟ ହୋଇ ଲଢ଼ିଥିଲେ ହିନ୍ଦୁ ଓ ମୁସଲମାନ। ଏବଂ ସେହି ଇତିହାସ ଅନୁସାରେ ହିଁ ଏହା ପରଠୁଁ ଦୁଇ ସଂପ୍ରଦାୟ ମଧ୍ୟରେ ଏହି ମନ୍ଦିର/ମସଜିଦକୁ ନେଇ ସୃଷ୍ଟି ହୋଇଥିଲା ବିବାଦ। ହିନ୍ଦୁ ବିଶ୍ୱାସ ଅନୁସାରେ ସେଠି ତ୍ରେତୟା ଯୁଗର ରାମଚନ୍ଦ୍ର ଜନ୍ମଗ୍ରହଣ କରିଥିଲେ, ତାଙ୍କ ପାଇଁ ସେଠାରେ ମନ୍ଦିର ତୋଳା ଯାଇଥିଲା। ମୁସଲିମଙ୍କ ବିଶ୍ୱାସ ହେଲା ତାହା ହେଉଛି ଏକ ମସଜିଦ, ସେମାନେ ସେଠି ପିଢ଼ି ପରେ ପିଢ଼ି ନମାଜ ପଡ଼ିଛନ୍ତି। ୨୦୧୦ ମସିହାରେ ଆହ୍ଲାବାଦ ହାଇକୋର୍ଟ ରାଷ୍ଟ୍ରୀୟ ସ୍ୱୟଂସେବାକ ସଙ୍ଘ ସମର୍ଥୀତ ବିଶ୍ୱ ହିନ୍ଦୁ ପରିଷଦର ରାମ ଜନ୍ମଭୂମି ନ୍ୟାସ କମିଟି, ନିର୍ମୋହୀ ଆଖଡ଼ା ଏବଂ ସୁନ୍ନି ୱାକଫ୍‌ ବୋର୍ଡ଼ ମଧ୍ୟରେ ଚାଲିଥିବା ମକଦ୍ଦମାର ବିଚାର କରି ବିବାଦୀୟ ଜମିକୁ ସମାନ ତିନି ଭାଗରେ ବାଣ୍ଟିବାର ରାୟ ଦେବାରେ ଏହାକୁ ସୁପ୍ରିମ କୋର୍ଟରେ ଚାଲେଞ୍ଜ କରାଯାଇଥିଲା। ସେହି ମାମଲାର ରାୟ ଏବେ ପ୍ରକାଶ ପାଇଛି। ଏହା ପୂର୍ବରୁ ସୁପ୍ରିମ କୋର୍ଟ ଏହି ମାମଲାରେ ୨୦୧୧ ମସିହାରେ ଏକ ମୋଡ଼ ବୁଲେଇଲା ଭଳି ମନ୍ତବ୍ୟ ଦେଇଥିଲେ। କୋର୍ଟ କହିଥିଲେ ଯେ ମସଜିଦ ଇସଲାମ୍‌ ଧର୍ମର ଏକ ଅବିଚ୍ଛେଦ୍ୟ ଅଂଶ ନୁହେଁ। ସୁପ୍ରିମ କୋର୍ଟ ଯେଉଁ କଥା କହିନଥିଲେ, ତାହା ମଧ୍ୟ ଏହାଠାରୁ ଅଧିକ ସତ- ମନ୍ଦିର ମଧ୍ୟ ହିନ୍ଦୁ ଧର୍ମର ଏକ ଅବିଚ୍ଛେଦ୍ୟ ଅଂଶ ନୁହେଁ। ଜଣେ ଲୋକ ମନ୍ଦିର ନଯାଇ, ପୂଜା ନକରି ମଧ୍ୟ ହିନ୍ଦୁ ହୋଇପାରେ। ସେହିପରି ଜଣେ ଲୋକ ମସଜିଦରେ ନମାଜ ନପଡ଼ି ମଧ୍ୟ ମୁସଲମାନ ହୋଇପାରେ। ତଥାପି, ଏହି ମନ୍ଦିର ଓ ମସଜିଦକୁ ଉଭୟ ସଂପ୍ରଦାୟର ଲୋକମାନେ ନିଜିନିଜ ଧର୍ମ ଓ ବିଶ୍ୱାସ ଭିତ୍ତିରେ ନିଜର ବୋଲି ଦାବି କରୁଥିଲେ। ସୁପ୍ରିମ କୋର୍ଟ ତାଙ୍କର ଆଜିର ରାୟରେ ଏକଥା ସ୍ପଷ୍ଟ କରିଦେଇଛନ୍ତି ଯେ କୋର୍ଟ କୌଣସି ବିଶ୍ୱାସ ଭିତ୍ତିରେ ରାୟ ଦିଅନ୍ତି ନାହିଁ, କୋର୍ଟ ରାୟର ଭିତ୍ତି ହେଉଛି ଆଇନ ଓ ପ୍ରମାଣ। ପ୍ରତ୍ନତାତ୍ତ୍ୱିକ ପ୍ରମାଣ ଅନୁସାରେ ସେଠାରେ ମସଜିଦ ପୂର୍ବରୁ ମନ୍ଦିର ଥିଲା, ଯଦିଓ ଗତ ପ୍ରାୟ ୪୦୦ ବର୍ଷ ଧରି ସେଠାରେ ମସଜିଦ ହିଁ ଥିଲା। ଏହି ପୃଷ୍ଠଭୂମିରେ କୋର୍ଟ ଉଭୟ ପକ୍ଷକୁ ନ୍ୟାୟ ପ୍ରଦାନ କରିବା ପାଇଁ ବିବାଦୀୟ ୨.୭୭ ଏକର ଜମିକୁ ହିନ୍ଦୁ ପକ୍ଷଙ୍କୁ ଦେବାକୁ ନିର୍ଦ୍ଦେଶ ଦେଇଥିବାବେଳେ ଅଯୋଧ୍ୟାର ପ୍ରମୁଖ ସ୍ଥାନରେ ମସଜିଦ ନିର୍ମାଣ ପାଇଁ ମୁସଲିମ ପକ୍ଷଙ୍କୁ ୫ ଏକର ଜମି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ମାତ୍ର, ବିବାଦରତ ତିନି ପକ୍ଷଙ୍କୁ ଏହି ମନ୍ଦିର ଓ ମସଜିଦ ନିର୍ମାଣ ଓ ନିୟନ୍ତ୍ରଣର ଦାୟିତ୍ୱ ଦେଇନାହାନ୍ତି ସୁପ୍ରିମ କୋର୍ଟ। ସେଥିପାଇଁ ଦୁଇଟି ସ୍ୱତନ୍ତ୍ର ଟ୍ରଷ୍ଟ ଗଠନ କରିବାକୁ କୋର୍ଟ ଭାରତ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ରାୟରେ କୋର୍ଟ ନିର୍ମୋହୀ ଆଖଡ଼ାର ସେବାୟତ ଦାବିକୁ ଖାରଜ କରିବା ସହିତ ସୁନ୍ନି ୱାକଫ୍‌ ବୋର୍ଡ଼ର ମାଲିକାନା ସ୍ୱତ୍ୱ ଦାବିକୁ ମଧ୍ୟ ଖାରଜ କରିଛନ୍ତି। ପୃଥିବୀର ଏହି ବହୁ ଚର୍ଚ୍ଚିତ, ବହୁ ବିବଦାୟ ଓ ବହୁ ପ୍ରଲମ୍ବିତ ସଂପତ୍ତି ମକଦ୍ଦମାର ସମାଧାନ ପାଇଁ ଏହାଠାରୁ ଆଉ ଭଲ ରାୟ କିଛି ହୋଇନପାରେ। ଏଥିରେ ମୁସଲିମ ପକ୍ଷ ସେମାନଙ୍କ ମସଜିଦ ଜମି ହରେଇଥିଲେ ମଧ୍ୟ ତାହାର ପ୍ରାୟ ଦୁଇ ଗୁଣ ଜମି ପାଇବେ। ଏହା ନିଶ୍ଚୟ ନ୍ୟାୟର କଥା। ଏବେ ଦୁଇ ସଂପ୍ରଦାୟ ଏହି ରାୟକୁ ସର୍ବାନ୍ତକରଣରେ ଗ୍ରହଣ କରିବା ସହିତ ସରକାର ପୂର୍ବରୁ ଅଧିଗ୍ରହଣ କରିଥିବା ମନ୍ଦିର/ମସଜିଦ ସଂଲଗ୍ନ ୬୭ ଏକର ଜମିରେ ଏକ ଜାତୀୟ ସଂହତି ବିଶ୍ୱବିଦ୍ୟାଳୟ ନିର୍ମାଣ କରିବା ଉଚିତ। ଦେଶର ପ୍ରାୟ ସମସ୍ତ ରାଜନୀତିକ ଦଳ ଏହି ରାୟକୁ ସମର୍ଥନ କରିଛନ୍ତି। ସମର୍ଥନ କରିଛନ୍ତି ସମସ୍ତ ବିବାଦୀୟ ପକ୍ଷ। ଆଶା କରାଯାଏ ୩୦ ବର୍ଷ ତଳେ ନଭେମ୍ବର ୯ ତାରିଖରେ ବର୍ଲିନ ପ୍ରାଚୀର ଭାଙ୍ଗି ଲୋକେ ଯେପରି ଦୁଇ ଜର୍ମାନୀକୁ ଏକ କରିଥିଲେ ସେହିପରି ଭାରତବର୍ଷର ଏହି ବହୁ ପୁରାତନ ବିବାଦର ଅନ୍ତ ହେବ ଏବଂ ଦେଶର ଦୁଇ ବୃହତ ସଂପ୍ରଦାୟ ମଧ୍ୟରେ ସାଂପ୍ରଦାୟିକ ସଦଭାବ ଓ ଭ୍ରାତୃତ୍ୱ ପ୍ରତିଷ୍ଠା ହେବ ଏବଂ ସେମାନଙ୍କ ମିଳିତ ଉଦ୍ୟମରେ ଭାରତ ହେବ ଏକବିଂଶ ଶତାବ୍ଦୀର ଆଧ୍ୟାତ୍ମିକ ଓ ଆର୍ଥନୀତିକ ଗୁରୁ। ଏହି ପରିପ୍ରକ୍ଷୀରେ ବୃହଦାରଣ୍ୟକ ଉପନିଷଦର ସେହି ପୁରୁଣା ପ୍ରାର୍ଥନାଟି ଆଉ ଥରେ ଗାନ କରାଯାଇପାରେ : ସର୍ବେଷାଂ ସ୍ୱସ୍ତିର୍ଭବତୁ, ସର୍ବେର୍ଷା ଶାନ୍ତିର୍ଭବତୁ, ସର୍ବେଷାଂ ପୂର୍ଣ୍ଣଂଭବତୁ, ସର୍ବେଷାଂ ମଙ୍ଗଳଂଭବତୁ। ଓଁ ଶାନ୍ତିଃ ଶାନ୍ତିଃ ଶାନ୍ତିଃ। (୧୮.୧୦.୧୯ରେ ପ୍ରକାଶ ପାଇଥିଲା ନିମ୍ନ ଆଲେଖ୍ୟ।) ଧର୍ମ-ରାଜନୀତିରେ ପୂର୍ଣ୍ଣଚ୍ଛେଦ ପଡ଼ିବ! ଦେବେନ୍ଦ୍ର ପୃଷ୍ଟି ରାମାୟଣ ଏକ ଐତିହାସିକ ଦଲିଲ ନୁହେଁ। ଏହା ଏକ ପୁରାଣ। ପୁରାଣକୁ ଆଧୁନିକ ଇତିହାସକାରମାନେ ଇତିହାସ ବୋଲି ମାନନ୍ତି ନାହିଁ। ରାମାୟଣ ଅନୁସାରେ ରାମ ଅଯୋଧ୍ୟାରେ ଜନ୍ମ ହୋଇଥିଲେ। ସେ ଅଯୋଧ୍ୟା ଉତ୍ତର ପ୍ରଦେଶରେ କି ଓଡ଼ିଶାର ନୀଳଗିରିରେ ତାହା ଏକ ବିବାଦୀୟ ପ୍ରଶ୍ନ। ଅବଶ୍ୟ ଭାରତବର୍ଷର ବହୁ ହିନ୍ଦୁ ବିଶ୍ୱାସ କରନ୍ତି ଯେ ଅଯୋଧ୍ୟା ହିଁ ରାମଚନ୍ଦ୍ରଙ୍କ ଜନ୍ମସ୍ଥାନ। ତେବେ ଅଯୋଧ୍ୟାର ବିବାଦୀୟ ସ୍ଥାନରେ ଯେ ଏକ ମନ୍ଦିର ଥିଲା ତାହାର ପ୍ରମାଣ ଅଛି। ଭାରତୀୟ ପ୍ରତ୍ନତାତ୍ତ୍ୱିକ ଗବେଷଣା ସଂସ୍ଥା ବା ଏଏସଆଇ ଏବଂ କେତେକ ସ୍ୱାଧୀନ ଗବେଷକଙ୍କ ପ୍ରତ୍ନତାତ୍ତ୍ୱିକ ଖନନରୁ ଏ ସଂପର୍କରେ ଅନେକ ପ୍ରମାଣ ମିଳିଛି। ଷୋଡ଼ଶ ଶତାବ୍ଦୀ ପୂର୍ବରୁ ସେଠାରେ ଏକ ମନ୍ଦିର ଥିଲା। ସେହି ମନ୍ଦିରର ଅନେକ ପ୍ରମାଣ ଏବେ ବି ବାବ୍ରି ମସଜିଦ ତଳେ ଚାପି ହୋଇରହିଛି, ଖନନ ପ୍ରକ୍ରିୟାରେ କିଛି ପଦାକୁ ବାହାରିଛି। ଇତିହାସର ଏହି ପ୍ରମାଣ ଓ କିମ୍ବଦନ୍ତୀର କାହାଣୀ ସତ୍ତ୍ୱେ ସେଠାରେ ଉଭୟ ମନ୍ଦିର ଓ ମସଜିଦ ଅବହେଳିତ ଅବସ୍ଥାରେ ରହିଥିଲା। ଦଶନ୍ଧି ଦଶନ୍ଧି ଧରି ସେଠି ନା ହିନ୍ଦୁମାନେ ରାମଙ୍କ ପୂଜା କରୁଥିଲେ ନା ମୁସ୍‌ଲିମ୍‌ମାନେ ନମାଜ ପଡ଼ୁଥିଲେ। ତାହା ଥିଲା ଏକ ପରିତ୍ୟକ୍ତ ଆବର୍ଜନାମୟ ସ୍ଥାନ। ଭାରତବର୍ଷରେ ହିନ୍ଦୁତ୍ୱ ରାଜନୀତିର ଉତ୍ଥାନ ଓ ପ୍ରଗତି ସହିତ ରାମ ମନ୍ଦିର ଓ ବାବ୍ରି ମସଜିଦ ବିବାଦ ଉଗ୍ର ରୂପ ଧାରଣ କରି ଉଭୟ ସଂପ୍ରଦାୟ ମଧ୍ୟରେ ବିଭେଦ, ବିଦ୍ୱେଷ ଓ ବିବାଦର ପ୍ରାଚୀର ଛିଡ଼ା କଲା। ଧର୍ମ ଭିତ୍ତିରେ ଭାରତ ବିଭାଜନ, କାଶ୍ମୀର କଳି, ସୀମାପାର ଆତଙ୍କବାଦ, ଧର୍ମନିରପେକ୍ଷ ରାଜନୀତି ନାଁରେ ସଂଖ୍ୟାଲଘୁ ତୁଷ୍ଟୀକରଣ ଆଦି ଅନେକ ପ୍ରସଙ୍ଗ ଯୋଗୁଁ ଏହି ବିଭେଦ, ବିଦ୍ୱେଷ ଓ ବିବାଦ କ୍ରମେ ଘନୀଭୂତ ହେଲା। ଏହି ସମୟ ମଧ୍ୟରେ ସାଧାରଣ ଏକ ଜମି ବିବାଦ ଦେଶର ସବୁଠୁ ସ୍ପର୍ଶକାତର ମାମଲାରେ ପରିଣତ ହୋଇ ଏବେ ସୁପ୍ରିମ କୋର୍ଟଙ୍କ ଚୂଡ଼ାନ୍ତ ରାୟର ଅପେକ୍ଷା କରିଛି। ଏହି ରାୟ କ’ଣ ହେବ, କାହା ସପକ୍ଷରେ ଯିବ, ତାହା କେହି ଜାଣନ୍ତି ନାହିଁ। ତେବେ, ଗଣମାଧ୍ୟମରେ ପ୍ରକାଶିତ କେତେକ ରିପୋର୍ଟ ଅନୁସାରେ ସୁପ୍ରିମ କୋର୍ଟ ଯାହା ବି ରାୟ ଦେବେ ତାହା ଉଭୟ ବାଦୀ ଓ ବିବାଦୀଙ୍କୁ ସନ୍ତୁଷ୍ଟ କରିବାର ସମ୍ଭାବନା ରହିଛି। କାରଣ, ସମ୍ଭବତଃ ସୁପ୍ରିମ କୋର୍ଟ ମନ୍ଦିରର ପୂର୍ବସ୍ଥିତି ନେଇ ପ୍ରତ୍ନତାତ୍ତ୍ୱିକ ରିପୋର୍ଟ ଓ ମସଜିଦ ଧ୍ୱଂସ ପାଇବାର ଐତିହାସିକ ପ୍ରମାଣ ସତ୍ତ୍ୱେ କୋର୍ଟଙ୍କ ନିଯୁକ୍ତ ମଧ୍ୟସ୍ଥ କମିଟିର ରିପୋର୍ଟ ଆଧାରରେ ରାୟ ଦେଇପାରନ୍ତି। ମୁସଲିମ ପକ୍ଷ ସୁନ୍ନି ୱାକଫ୍‌ ବୋର୍ଡ଼ କାଳେ ମଧ୍ୟସ୍ଥ କମିଟିକୁ ପ୍ରସ୍ତାବ ଦେଇଛନ୍ତି ଯେ ସେମାନେ ବିବାଦୀୟ ଜମି ଉପରୁ ଦାବି ପ୍ରତ୍ୟାହାର କରିବେ। ବିବାଦୀୟ ୨.୭୭ ଏକର ଜମି ଉପରେ ରାମ ମନ୍ଦିର ନିର୍ମାଣ କରିବାକୁ ସରକାର ତାହା ଅଧିଗ୍ରହଣ କରିପାରନ୍ତି। ପ୍ରତିବଦଳରେ ଅଯୋଧ୍ୟାରେ ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ୭୦ ଉପରେ ମସଜିଦର ପୁନରୁଦ୍ଧାର ପାଇଁ ସରକାର ବ୍ୟବସ୍ଥା କରିବେ। ବିବାଦୀୟ ବାବ୍ରି ମସଜିଦର ପୁନଃନିର୍ମାଣ ପାଇଁ ମଧ୍ୟ ସରକାର ଅନ୍ୟତ୍ର ଜାଗା ଯୋଗାଇଦେବେ। ସୁପ୍ରିମ କୋର୍ଟ ଯଦି ସୁନ୍ନି ୱାକଫ୍‌ ବୋର୍ଡ଼ ମଧ୍ୟସ୍ଥ କମିଟିକୁ ଦେଇଥିବା ଏହି ପ୍ରସ୍ତାବ ଆଧାରରେ ରାୟ ଦିଅନ୍ତି ତେବେ ଉଭୟ ହିନ୍ଦୁ ପକ୍ଷ ଓ ମୁସଲିମ ପକ୍ଷର ଜିତାପଟ ହେବ, ଉଭୟ ପକ୍ଷର ମାନ ରହିବ। ତେବେ ଏପରି ଏକ ରାୟକୁ କେଉଁ ପକ୍ଷ କିଭଳି ଗ୍ରହଣ କରିବେ ତା’ ଉପରେ ଅନେକ କଥା ନିର୍ଭର କରେ। ଯଦି ବି ଉଭୟ ପକ୍ଷ ଏହାକୁ ସୁନାପିଲା ଭଳି ମାନି ନିଅନ୍ତି ଓ ବିବାଦକୁ ଆଉ ଆଗକୁ ନବଢ଼ାଇ ସାଂପ୍ରଦାୟିକ ଏକତା ଓ ସଦ୍ଭାବ ବଜାୟ ରଖି ଉତ୍ସର୍ଗୀକୃତ ଭାବେ ଦେଶଗଠନରେ ସାମିଲ ହୁଅନ୍ତି ତେବେ ଆଧୁନିକ ଭାରତରେ ଏହା ଏକ ଐତିହାସିକ ମୋଡ଼ ଆଣିବ। ରାଜନେତାମାନେ ଚାହିଁଲେ ଏହି ମୋଡ଼ ଦେଇ ସବ୍‌ କା ସାଥ୍‌ ସବ୍‌ କା ବିକାଶ ଦିଗରେ ଦେଶକୁ ଆଗେଇ ନେଇ ପାରିବେ। ସଂଖ୍ୟାଗରିଷ୍ଠ ଓ ସଂଖ୍ୟାଲଘୁଙ୍କ ମଧ୍ୟରେ ସାଂପ୍ରଦାୟିକ ବିଭେଦ ଓ ବିଦ୍ୱେଷ ପରିବର୍ତ୍ତେ ଆର୍ଥନୀତିକ ଓ ସାଂସ୍କୃତିକ ସହଯୋଗ ଏବଂ ସଦ୍‌ଭାବ ସୁଦୃଢ଼ ହେଲେ ଉଭୟ ସଂପ୍ରଦାୟର ପ୍ରଚୁର ଲାଭ ହେବା ସଙ୍ଗେସଙ୍ଗେ ଅନ୍ୟ ସଂପ୍ରଦାୟଗୁଡ଼ିକ ମଧ୍ୟ ଆଶ୍ୱସ୍ତ ହେବେ। ଭାରତରେ ଦଙ୍ଗା ଓ ଭିଡ଼ହିଂସା ବନ୍ଦ ହେଲେ ଦେଶୀ ଓ ବହୁରାଷ୍ଟ୍ରୀୟ ନିବେଶକାରୀମାନେ ମଧ୍ୟ ଏଠାରେ ପୁଂଜି ଖଟେଇବାକୁ ଅଧିକ ଆସ୍ଥାବାନ ହେବେ। ତାହା ନିଯୁକ୍ତି ସୃଷ୍ଟି, ରୋଜଗାର ବୃଦ୍ଧି, ଜିଡିପି ଅଭିବୃଦ୍ଧିରେ ସହାୟକ ହେବ ଏବଂ କେନ୍ଦ୍ର ସରକାରଙ୍କ ଉଦ୍‌ଘୋଷଣା ଅନୁସାରେ ଭାରତ ଅଚିରେ ୫ ଲକ୍ଷ କୋଟି ଡଲାର ଅର୍ଥନୀତିରେ ପରିଣତ ହୋଇ ବିଶ୍ୱର ତୃତୀୟ କି ଚତୁର୍ଥ ଅର୍ଥଶକ୍ତି ଭାବେ ଉଭା ହେବ। ଭାରତର ଦୁଇ ବୃହତ୍‌ ସଂପ୍ରଦାୟ ମଧ୍ୟରେ ଶାନ୍ତି ଓ ସଦଭାବ ଫେରି ଆସିଲେ ଆଇନଶୃଙ୍ଖଳା, ବିଚ୍ଛିନ୍ନତାବାଦ, ଆତଙ୍କବାଦ ଆଦି ଅନେକ ଆନୁସଙ୍ଗିକ ବିଷୟରେ ସରକାର ଖର୍ଚ୍ଚ କରୁଥିବା ହଜାର ହଜାର କୋଟି ଟଙ୍କା ବଂଚିବ ଓ ତାହାକୁ ବିକାଶ ଓ ସମୃଦ୍ଧି ଦିଗରେ ବିନିଯୋଗ କରି ଭାରତକୁ ବିଶ୍ୱରେ ଏକନମ୍ବର ପ୍ରଗତିଶୀଳ ରାଷ୍ଟ୍ରରେ ପରିଣତ କରାଯାଇ ପାରିବ। ତେବେ ପ୍ରଶ୍ନ ହେଉଛି, ଏଇଠି ଶେଷ ହେବ କି ଭାରତବର୍ଷର ଚାଲି ଆସିଥିବା ଧର୍ମ ଓ ବିଶ୍ୱାସର ରାଜନୀତି? ଆଶଙ୍କା ହେଉଛି, ଧର୍ମ ଓ ବିଶ୍ୱାସକୁ ନେଇ ରାଜନୀତି କରୁଥିବା ତତ୍ତ୍ୱଗୁଡ଼ିକ ଅଯୋଧ୍ୟା ବିବାଦ ପରେ ମଥୁରା ଓ ଅନ୍ୟ ବିବାଦଗୁଡ଼ିକୁ ନେଇ ରାଜନୀତି କରିବେ ନାହିଁ ତ? ଶତାବ୍ଦୀ ଓ ଦଶନ୍ଧି ଧରି ବିତିଯାଇଥିବା ଘଟଣାକୁ ନେଇ ହିନ୍ଦୁ ଓ ମୁସଲମାନଙ୍କ ବିବାଦରେ ପୂର୍ଣ୍ଣଚ୍ଛେଦ ପଡ଼ିବା ପରେ ବୌଦ୍ଧ ଓ ହିନ୍ଦୁମାନଙ୍କ ମଧ୍ୟରେ ସମାନ ପ୍ରକାର ବିବାଦ ସୃଷ୍ଟି ହେବ ନାହିଁ ତ? ଜାତି ଓ ଧର୍ମରେ ବିଭକ୍ତ ଭାରତବର୍ଷରେ ଭାଷା ଓ ସଂସ୍କୃତିକୁ ନେଇ କ୍ରମଶଃ କାୟା ବିସ୍ତାର କରୁଥିବା ବିବାଦ ପୁଣି ଥରେ ପ୍ରଗତି ଓ ସମୃଦ୍ଧି ପଥରେ ପ୍ରତିବନ୍ଧକ ଭାବେ ଠିଆ ହେବନି ତ? ଏମିତି ଅନେକ ପ୍ରଶ୍ନ ଓ ଆଶଙ୍କାରେ ପୂର୍ଣ୍ଣଚ୍ଛେଦ ପଡ଼ିବ ଯଦି ଭାରତରେ ଧର୍ମ ଓ ସଂସ୍କୃତିର ରାଜନୀତି କରୁଥିବା ଦଳଗୁଡ଼ିକ ଏ ପନ୍ଥା ପରିବର୍ତ୍ତନ କରି ଶିକ୍ଷା ଓ ସ୍ୱାସ୍ଥ୍ୟ, ନିଯୁକ୍ତି ଓ ରୋଜଗାର ଏବଂ ବିକାଶ ଓ ସମୃଦ୍ଧିର ରାଜନୀତିରେ ମଗ୍ନ ହେବେ। ତା’ ନହେଲେ ଏ ବିବାଦ ପରେ ଅନ୍ୟ ବିବାଦ ସୃଷ୍ଟି ହେବ ଏବଂ ତାହାକୁ ନେଇ ଦେଶର ବିଭିନ୍ନ ଗୋଷ୍ଠୀ ଓ ସଂପ୍ରଦାୟ ଶକ୍ତି ଓ ସଂହତି ସୁଦୃଢ଼ କରିବା ବଦଳରେ ଅପଚୟ କରିବାରେ ନିମଗ୍ନ ରହିବେ। ଏହା ହେବ ଭାରତର ଅନ୍ତହୀନ ଦୁର୍ଦ୍ଦଶାର ଅନ୍ୟ ଏକ ଫର୍ଦ୍ଦ। (ସୌ-ଓଡ଼ିଶା ରିପୋର୍ଟର)

Share :