ହଇଓ ଦାରିଦ୍ର୍ୟ! ତୁମେ ଯାଉନ କାହିଁକି?

ହଇଓ ଦାରିଦ୍ର୍ୟ! ତୁମେ ଯାଉନ କାହିଁକି?

ଦେବେନ୍ଦ୍ର ପୃଷ୍ଟି ଘରେ ଯଦି ଖାଦ୍ୟାଭାବ ଅଛି, ଦାରିଦ୍ର୍ୟ ରହିଛି, ତେବେ ଆଗ ଘରର ପିଲାମାନଙ୍କୁ ପେଟପୂରା ଖାଇବାକୁ ଦେଇ ପରେ ଖାଆନ୍ତି ବାପାମା’। ଏହା କେବଳ ଓଡ଼ିଆ ଘରର ଚଳଣି ନୁହେଁ, ଭାରତୀୟ ପରିବାରଗୁଡ଼ିକ ମଧ୍ୟ ଏଇଆ କରିଥାନ୍ତି। ଭାରତର ପାରିବାରିକ ସଂସ୍କୃତିରେ ପିଲାମାନଙ୍କର ଲାଳନପାଳନ ଓ ସ୍ୱାସ୍ଥ୍ୟ ଅଧିକ ଗୁରୁତ୍ୱ ପାଇଥାଏ। ବୟସ୍କ ଲୋକଙ୍କର ଦେହପା ଖରାପ ହେଲେ ସେମାନେ ସାଙ୍ଗେସାଙ୍ଗ ଡାକ୍ତରଖାନା ଯାଇ ନଥାନ୍ତି। କିନ୍ତୁ ପିଲାର ଦେହ ଖରାପ ହେଲେ ଅଭାବୀ ଘର କଂସାବାସନ ବନ୍ଧା ପକେଇ ଡାକ୍ତର ଦେଖାଇଥାନ୍ତି। ବୟସ୍କ ଲୋକମାନେ ବରଂ ସପ୍ତାହରେ ଥରେ ଦେହରେ ତେଲ ଲଗାନ୍ତୁ, ପିଲାମାନଙ୍କୁ ଦୈନିକ ତେଲ ଲଗେଇ ଗାଧୋଇ ଦିଅନ୍ତି। ବର୍ଷକ ସାରା ପରିବାରର ବୟସ୍କ ଲୋକଙ୍କର ନୂଆ ପୋଷାକ ନହେଉ ପଛେ ପ୍ରଥମାଷ୍ଟମୀ, ରଜ, କୁମାର ପୂର୍ଣ୍ଣିମା ଆଦି ପର୍ବପର୍ବାଣୀରେ ପିଲାମାନଙ୍କର ପୋଷାକ କିଣାକୁ ଗୁରୁତ୍ୱ ଦିଆଯାଏ। ଯେଉଁ ପରିବାର ଘୋର ଦାରିଦ୍ର୍ୟଗ୍ରସ୍ତ ସେମାନଙ୍କ କଥା ଅଲଗା। କିନ୍ତୁ ଅଭାବୀ ହୋଇଥିଲେ ମଧ୍ୟ ବାପାମା’ମାନେ ପିଲାଙ୍କ ଅଭାବ ଦୂର କରିବାକୁ ପାରୁପର୍ଯ୍ୟନ୍ତ ଚେଷ୍ଟା କରିଥାନ୍ତି। ତଥାପି ଭାରତବର୍ଷରେ ଶିଶୁପିଲାମାନଙ୍କର ଅଭିବୃଦ୍ଧି-ସଂକଟ ଅବ୍ୟାହତ ରହିଛି। ନିକଟରେ ପ୍ରକାଶ ପାଇଥିବା ଗ୍ଲୋବାଲ୍‌ ହଙ୍ଗର ଇଣ୍ଡେକ୍ସ ବା ବିଶ୍ୱ କ୍ଷୁଧା ସୂଚକାଙ୍କରେ ଭାରତର ସ୍ଥାନ ୧୦୭ ଦେଶ ମଧ୍ୟରେ ୧୦୨ରେ ରହିଛି। ଏହି ସୂଚକାଙ୍କ ଅନୁସାରେ ଭାରତରେ ଭୋକ ଏବେ ଏକ ଆହ୍ୱାନ। ପାକିସ୍ତାନ (୯୪), ବାଂଲାଦେଶ (୮୮) ଓ ଶ୍ରୀଲଙ୍କା (୬୬) ଏହି ତାଲିକାରେ ଭାରତଠାରୁ ଯଥେଷ୍ଟ ଉପରେ ଅଛନ୍ତି। ରିପୋର୍ଟର ଏକ ପରିସଂଖ୍ୟାନ ଅନୁସାରେ ଭାରତର ମାତ୍ର ୯.୬ ପ୍ରତିଶତ ୬-୨୩ ମାସ ବୟସର ଶିଶୁ ସର୍ବନିମ୍ନ ଆବଶ୍ୟକ ଖାଦ୍ୟ ଖାଇବାକୁ ପାଇଥାନ୍ତି। ଏହାର ଅର୍ଥ ବାକି ପ୍ରାୟ ୯୦ ପ୍ରତିଶତ ଏହି ବୟସର ଶିଶୁ ଆବଶ୍ୟକ ପରିମାଣର ପୁଷ୍ଟି ପାଇ ନଥାନ୍ତି। ସେଥିପାଇଁ ସେମାନଙ୍କର ଉଚ୍ଚତା ଅନୁସାରେ ଓଜନ ବଢ଼େ ନାହିଁ। ଅନେକ କ୍ଷେତ୍ରରେ ସେମାନଙ୍କ ଉଚ୍ଚତା ମଧ୍ୟ ବଢ଼େ ନାହିଁ। ବିଶ୍ୱ କ୍ଷୁଧା ସୂଚକାଙ୍କ ଅନୁସାରେ ଭାରତବର୍ଷରେ ଶିଶୁମାନଙ୍କର ଉଚ୍ଚତା ଓ ଓଜନ ଅନୁପାତ ବା ଚାଇଲ୍ଡ ୱେଷ୍ଟିଂ ରେଟ୍‌ ହେଉଛି ୨୦.୮ ପ୍ରତିଶତ। ଏହା ହେଉଛି ସମଗ୍ର ବିଶ୍ୱରେ ସର୍ବାଧିକ। ସେହିପରି ଚାଇଲ୍ଡ ଷ୍ଟଣ୍ଟିଂ ରେଟ୍‌ ବା ଶିଶୁ ଉଚ୍ଚତାରେ ନବଢ଼ିବା ହାର ହେଉଛି ୩୮.୯ ପ୍ରତିଶତ। ଏହା ମଧ୍ୟ ଅତ୍ୟନ୍ତ ଅଧିକ। ଏଭଳି କାହିଁକି? ଭାରତର ଅଧିକ ସଂଖ୍ୟକ ପରିବାରରେ ଯଦି ଦାରିଦ୍ର୍ୟ ନାହିଁ, ଖାଦ୍ୟଭାବ ନାହିଁ, ତେବେ ପରିବାରର ଶିଶୁମାନେ କାହିଁକି ଉପଯୁକ୍ତ ଆହାର ଖାଇବାକୁ ପାଉନାହାନ୍ତି? କାହିଁକି ସେମାନଙ୍କର ଶାରୀରିକ, ମାନସିକ ଓ ବୌଦ୍ଧିକ ବିକାଶ ହାର ମନ୍ଥର ବା ନିମ୍ନ? ଭାରତରୁ ଖାଦ୍ୟାଭାବ ଓ ଦାରିଦ୍ର୍ୟ ଦୂର କରିବାକୁ ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହରୁଙ୍କଠାରୁ ଆରମ୍ଭ କରି ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଯାଏଁ ଅନେକ ରାଷ୍ଟ୍ରନୀତିଜ୍ଞ ଓ ଯୋଜନାକାର ଅନେକ ଯୋଜନା ଓ କାର୍ଯ୍ୟକ୍ରମ ଗ୍ରହଣ କରିଛନ୍ତି। ନେହରୁଙ୍କ ସମୟରେ ଗ୍ରୋ ମୋର୍‌ ଫୁଡ଼୍‌ ବା ଅଧିକ ଖାଦ୍ୟ ଫଳାଅ ଏକ ସର୍ବ ଭାରତୀୟ କାର୍ଯ୍ୟକ୍ରମ ଥିଲା। ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କ ସମୟରେ ଗରିବୀ ହଟାଅ ଏକ ଜାତୀୟ ସ୍ଲୋଗାନର ରୂପ ନେଇଥିଲେ। ତାଙ୍କ ସମୟର ବିଂଶସୂତ୍ରୀ କାର୍ଯ୍ୟକ୍ରମ, ଆଇଆରଡିପି ଓ ଇଆରଆରପି ଆଦି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ଥିଲା ରୋଜଗାର ବୃଦ୍ଧି ଓ ଦାରିଦ୍ର୍ୟ ଦୂରୀକରଣ। ଏହି ଉଦ୍ଦେଶ୍ୟରେ ବିଭିନ୍ନ ପ୍ରଧାନମନ୍ତ୍ରୀଙ୍କ ସମୟରେ ଆରମ୍ଭ ହୋଇଥିଲା ପ୍ରଧାନମନ୍ତ୍ରୀ ରୋଜଗାର ଯୋଜନା, ନିୟୂତ କୂପ ଯୋଜନା, ଡ୍ୱାକ୍ରା, ଟ୍ରାଇସେମ୍‌, ସିଉ ଆଦି ଅନେକ ଯୋଜନା। ଭାରତବର୍ଷରୁ ଦାରିଦ୍ର୍ୟ ହଟେଇ ଜାତୀୟ ଅର୍ଥନୀତିକୁ ସୁଦୃଢ଼ କରିବା ସଙ୍ଗେସଙ୍ଗେ ବୃହତ ଅଭିବୃଦ୍ଧି ହାର ହାସଲ କରିବାକୁ ପ୍ରଧାନମନ୍ତ୍ରୀ ନରସିଂହ ରାଓ, ଡକ୍ଟର ମନମୋହନ ସିଂହ, ଅଟଳ ବିହାରୀ ବାଜପେୟୀ ଓ ନରେନ୍ଦ୍ର ମୋଦୀଙ୍କ ସମୟରେ ଜଗତୀକରଣ, ଉଦାରୀକରଣ, ଘରୋଇକରଣ ଆଦି ଆର୍ଥନୀତିକ ସଂସ୍କାର କାର୍ଯ୍ୟକ୍ରମକୁ ଯଥେଷ୍ଟ ଗୁରୁତ୍ୱ ଦିଆଯାଇଛି। ନରସିଂହ ରାଓଙ୍କ ସମୟରେ ଆରମ୍ଭ ହୋଇଥିବା ଏଲପିଜି (ଲିବରାଇଜେସନ, ପ୍ରାଇଭେଟାଇଜେସନ ଓ ଗ୍ଲୋବାଲାଇଜେସନ) ଅର୍ଥନୀତିକ ପ୍ରକ୍ରିୟାକୁ ବାଜପେୟୀ, ମନମୋହନ ସିଂହ ଓ ନରେନ୍ଦ୍ର ମୋଦୀ ଅଧିକ ଦ୍ରୁତ ଓ ତ୍ୱରାନ୍ୱିତ କରାଯାଇଛି। ତଥାପି କାହିଁକି ଭାରତରୁ ଭୋକିଲାଙ୍କ ସଂଖ୍ୟା ହଟୁ ନାହିଁ? କାହିଁକି ଦାରିଦ୍ର୍ୟ ହେଉନି? ଯଦିଓ ଭାରତ ସରକାରଙ୍କ ବିଭିନ୍ନ ସମୟର ଦାବି ଅନୁଯାୟୀ ଭାରତର ଅଭିବୃଦ୍ଧି ହାର ବଢ଼ିଛି, ଶିଳ୍ପ ଉତ୍ପାଦନ ବଢ଼ିଛି ଓ ରୋଜଗାର ସୁଯୋଗ ମଧ୍ୟ ବୃଦ୍ଧି ପାଇଛି। ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କ ଗରିବୀ ହଟାଓ ସ୍ଲୋଗାନ ପରେ ପ୍ରାୟ ପାଞ୍ଚ ଦଶନ୍ଧି ବିତିଗଲାଣି। ଅନେକ ପ୍ରଧାନମନ୍ତ୍ରୀ ଆସିଲେଣି ଓ ଗଲେଣି। ଦେଶରେ କୋଟିପତିଙ୍କ ସଂଖ୍ୟା ଅନେକ ବଢ଼ିଲାଣି। ଶିଳ୍ପ ଓ ବ୍ୟବସାୟ ସଂଖ୍ୟା ମଧ୍ୟ ସେହି ଅନୁସାରେ ବଢ଼ିଛି। ଦେଶର ଅନେକ ଉଦ୍ୟୋଗପତି ବହୁ ରାଷ୍ଟ୍ରୀୟ କମ୍ପାନୀ ପ୍ରତିଷ୍ଠା କରି ଆର୍ଥିକ ସାମ୍ରାଜ୍ୟର ଅଧିକାର ହେଲେଣି। ଦେଶର ଜିଡିପି ୧୦ ପ୍ରତିଶତ ଛୁଇଁ ୬ ପ୍ରତିଶତକୁ ଖସିଛି। ବିଦେଶୀ ମୁଦ୍ରା ଭଣ୍ଡାର ବୃଦ୍ଧି ପାଇଛି। ଦେଶ ଏବେ ୫ ଲକ୍ଷ କୋଟି ଡଲାର ଅର୍ଥନୀତି ହେବାକୁ ଯାଉଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଦାବି କରୁଛନ୍ତି। ତଥାପି ଦାରିଦ୍ର୍ୟ ଓ ଅଭାବ ହଟିନାହିଁ। କାରଣ କ’ଣ? ଚଳିତ ବର୍ଷ ଅର୍ଥନୀତିରେ ନୋବେଲ୍‌ ପୁରସ୍କାର ବିଜେତା ହୋଇଥିବା ଭାରତୀୟ ମୂଳୋଦ୍ଭବ ଅର୍ଥନୀତିଜ୍ଞ ଅଭିଜିତ ବାନାର୍ଜୀଙ୍କ ଏ ସଂପର୍କରେ ଗବେଷଣା କରିଥିଲେ। ତାଙ୍କ ମତ ଅନୁସାରେ ଭାରତରେ ଅନେକ ସମୟରେ ରାଜନୀତିକ ଦୃଷ୍ଟିକୋଣରୁ ଦାରିଦ୍ର୍ୟ ଦୂରୀକରଣ କାର୍ଯ୍ୟକ୍ରମ କାର୍ଯ୍ୟକାରୀ ହୁଏ, ଦାରିଦ୍ର୍ୟ ହଟେଇବାକୁ ନୁହେଁ। ନେତାମାନଙ୍କ କଳ୍ପନା ଅନୁସାରେ ଦାରିଦ୍ର୍ୟ ହଟେ ନାହିଁ, ସେଥିପାଇଁ ତୃଣମୂଳ ସ୍ତରରେ ଦାରିଦ୍ର୍ୟ ଦୂରୀକରଣ କାର୍ଯ୍ୟକ୍ରମଗୁଡ଼ିକ ସଫଳତାର ସହିତ କାର୍ଯ୍ୟକାରୀ ହେବା ଦରକାର। ସେ ତାଙ୍କ ଗବେଷଣା ସମୟରେ ଅନେକ ପ୍ରଶ୍ନର ଉତ୍ତର ଖୋଜିବାକୁ ଚେଷ୍ଟା କରିଥିଲେ। ତାଙ୍କ ପ୍ରଶ୍ନଗୁଡ଼ିକ ଅତି ସାଧାରଣ ମନେ ହେଉଥିଲେ ମଧ୍ୟ ଭାରତର ଦାରିଦ୍ର୍ୟ ଆକଳନ ପାଇଁ ଅତ୍ୟନ୍ତ ଉପଯୋଗୀ ଓ ଗୁରୁତ୍ୱପୂର୍ଣ୍ଣ। ଉଦାହରଣ ସ୍ୱରୂପ ତାଙ୍କର କେଇଟି ପ୍ରଶ୍ନ ହେଉଛି, ବର୍ଷ ସାରା ଆବଶ୍ୟକ ପୁଷ୍ଟି ପାଉ ନଥିବା ଏକ ପରିବାର ଘରୋଇ ମନୋରଂଜନ ପାଇଁ ଟିଭି ସେଟ୍‌ଟିଏ କାହିଁକି କିଣୁଛି? ଦିନକୁ ଦୁଇ ଓଳି ପେଟପୂରା ଖାଇବାକୁ ପାଉ ନଥିବା ଲୋକମାନେ ପୂଜାପାର୍ବଣରେ ଧାରଉଧାର କରି ଶହଶହ ଟଙ୍କା ଖର୍ଚ୍ଚ କରୁଛନ୍ତି କାହିଁକି? ପିଲାର ସ୍ୱାସ୍ଥ୍ୟ ଓ ଶିକ୍ଷା ସଂପର୍କୀତ ବ୍ୟୟ ତୁଳନାରେ ସାଂସ୍କୃତିକ ଖର୍ଚ୍ଚ ଏତେ ଅଧିକ କାହିଁକି? ତାଙ୍କର ଏହିସବୁ ପ୍ରଶ୍ନ ଭିତରେ ହିଁ ଲୁଚି ରହିଛି ଭାରତର ଦାରିଦ୍ର୍ୟର ରହସ୍ୟ। ଓଡ଼ିଶା ପାଇଁ ବି ଏସବୁ ପ୍ରଶ୍ନ ଅତ୍ୟନ୍ତ ପ୍ରାସଙ୍ଗିକ। ଓଡ଼ିଶାର ଭୂତପୂର୍ବ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ଭୂସଂସ୍କାର, ଡକ୍ଟର ହରେକୃଷ୍ଣ ମହତାବଙ୍କ କୃଷି ବିକାଶ, ବିଜୁ ପଟ୍ଟନାୟକ, ଜାନକୀ ବଲ୍ଲଭ ପଟ୍ଟନାୟକ ଓ ନବୀନ ପଟ୍ଟନାୟକଙ୍କ ଶିଳ୍ପାୟନ ସହିତ ନାନାଦି ହିତାଧିକାରୀ ଭିତ୍ତିକ ଯୋଜନା ସତ୍ତ୍ୱେ ଓଡ଼ିଶାର ସାମଗ୍ରିକ ଦାରିଦ୍ର୍ୟ ହଟିନାହିଁ। ଏବେ ବି ଲୋକେ ଭୋକ, ରୋଗ ଓ ଋଣର ଯାତନା ସହୁଛନ୍ତି। ମମତାରୁ ହରିଶ୍ଚନ୍ଦ୍ର ଯାଏଁ ଯେତେ ଯୋଜନା କଲେ ମଧ୍ୟ ଦାରିଦ୍ର୍ୟ ହଟୁ ନାହିଁ। କ’ଣ ଏହାର କାରଣ? କାରଣ ହେଉଛି, ଦୁର୍ନୀତି ଓ ଭୋଟବ୍ୟାଙ୍କ ସର୍ବସ୍ୱ ରାଜନୀତି। ସରକାରମାନେ ପ୍ରଚଳନ କରୁଥିବା କାର୍ଯ୍ୟକ୍ରମଗୁଡ଼ିକ ତୃଣମୂଳ ସ୍ତରରେ କିପରି କାର୍ଯ୍ୟକାରୀ ହେଉଛି, ସେଥିରେ ଲୋକମାନଙ୍କର ଆର୍ଥିକ ଓ ଆର୍ଥନୀତିକ ସ୍ଥିତି ସୁଦୃଢ଼ ହେଉଛି କି ନାହିଁ ତାହାର ମୂଲ୍ୟାୟନ ହେଉ ନାହିଁ। ଦରିଦ୍ର ଲୋକକୁ ଧନୀ ଲୋକର ବଜାର ସହିତ ସଂଯୁକ୍ତ କରାଯାଉଛି କିନ୍ତୁ ତା’ର ଧନୀ ହେବାର ସୁଯୋଗକୁ ସଂକୁଚିତ କରାଯାଉଛି। ବରଂ ଦରିଦ୍ରର ସାମୂହିକ ସମ୍ବଳକୁ ବିଭିନ୍ନ ଉପାୟର ହଡ଼ପ କରାଯାଉଛି, ତା’ର ପାରମ୍ପାରିକ ନିଯୁକ୍ତି ସୁଯୋଗ ଛଡ଼େଇ ନିଆଯାଉଛି, ନୂତନ ନିଯୁକ୍ତି ଓ ରୋଜଗାରର ସୁଯୋଗ ସୃଷ୍ଟି କରାଯାଉ ନାହିଁ। ତା’ର ଆୟ କମୁଛି। ସରକାର ହିତାଧିକାରୀ ଭାବେ ଯାହା ଦେଉଛନ୍ତି ତାହା ସରକାରଙ୍କର ଅନ୍ୟ ନୀତି ଯୋଗୁଁ ବଜାର ସଂସ୍କୃତିରେ ଖର୍ଚ୍ଚ ହୋଇଯାଉଛି। ଏଭଳି ରାଜନୀତିକ-ଆର୍ଥନୀତିକ ଶାସନ ସଂସ୍କୃତି ବଳବତ୍ତର ଥିବା ଯାଏଁ ଭାରତରେ ଦାରିଦ୍ର୍ୟ ଇତିହାସରେ ପରିଣତ ହେବ ନାହିଁ। ବରଂ ଏହା ଏହିପରି ଚିରନ୍ତନ ରହିବ। (ସୌ-ଓଡ଼ିଶା ରିପୋର୍ଟର)

Share :