ମୋ ସରକାର’ କା’ ସରକାର?

ମୋ ସରକାର’ କା’ ସରକାର?

Share :

ଦେବେନ୍ଦ୍ର ପୃଷ୍ଟି ଏବେ ଚାଲିଛି ‘ମୋ ସରକାର’, ଆଗରୁ ଚାଲିଥିଲା ‘ତାଙ୍କ ସରକାର’! ଓଡ଼ିଶା ସରକାରଙ୍କ ନୂଆ କାର୍ଯ୍ୟକ୍ରମ ‘ମୋ ସରକାର’ ଆରମ୍ଭ ହେବା ପରେ ବିଭିନ୍ନ ମହଲରେ ଏମିତି ଏକ ଚର୍ଚ୍ଚା ହେବା ସ୍ୱାଭାବିକ। ଏହାକୁ ବିପକ୍ଷ ଦଳଗୁଡ଼ିକ ସମାଲୋଚନା କରିବା ମଧ୍ୟ ଅସ୍ୱାଭାବିକ ନୁହେଁ। ସରକାର ଯେତେବେଳେ ଯାହା କରନ୍ତି ସେଥିରୁ ଖୁଣ ବାହାର କରିବା ବିରୋଧୀଙ୍କ ଧର୍ମ। ଅବଶ୍ୟ ସଜ ମାଛରେ ପୋକ ପକାଇବା ଗୁଣ ଭଲ ନୁହେଁ, ତାହା ଶାସକର ହେଉ ବା ବିପକ୍ଷର। ଓଡ଼ିଶା ସରକାରଙ୍କର ‘ମୋ ସରକାର’ କାର୍ଯ୍ୟକ୍ରମ ଜରିଆରେ ଯଦି ଶାସନ ଓ ପ୍ରଶାସନ ଲୋକମାନଙ୍କର ନିକଟତର ହୋଇପାରିଲା ତେବେ ଭଲ। ଯଦି ଏହି କାର୍ଯ୍ୟକ୍ରମ ଜରିଆରେ ଶାସନ ଓ ପ୍ରଶାସନ ଲୋକମାନଙ୍କର ଆଶା ଆକାଙ୍‌କ୍ଷା ପୂରଣ କରିପାରିଲା ତାହା ହେଲେ ଆହୁରି ଭଲ। ଆହୁରି ବି ଯଦି ଲୋକମାନଙ୍କର ମତାମତ ଆଧାରରେ କିମ୍ବା ତୃଣମୂଳ ସ୍ତରର ବାସ୍ତବ ସ୍ଥିତି ଆକଳନ କରି ଶାସନ କଳରେ ରହିଥିବା ତ୍ରୁଟିର ସଂଶୋଧନ କରାଯାଏ ତେବେ ତ ଅତି ଉତ୍ତମ। କିନ୍ତୁ ଏସବୁ ହେବ କି? ଯଦି ଏସବୁ ଏ କାର୍ଯ୍ୟକ୍ରମର ପ୍ରକୃତ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ତେବେ ସେଥିପାଇଁ ଏତେ ପ୍ରଚାର କାହିଁକି? କାହିଁକି ପୁଣି ମୁଖ୍ୟମନ୍ତ୍ରୀ ଲୋକମାନଙ୍କ ସହ କଥା ହେବେ ବୋଲି ଘୋଷଣା କରିବା ପରେ ସେ ସମସ୍ତଙ୍କ ସହ କଥା ହେବେ ନାହିଁ ବୋଲି ସ୍ପଷ୍ଟୀକରଣ? ପରେ ପରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ପଦରେ ଥିବା ବ୍ୟକ୍ତିଙ୍କର ୫-ଟି ସଚିବ ଭାବେ କେତେକ ଜିଲ୍ଲା ସ୍ତରୀୟ ଅଫିସ ଓ ଡାକ୍ତରଖାନା ଗସ୍ତ ଏବଂ ଗଣମାଧ୍ୟମ ଜରିଆରେ ଏହାର ବ୍ୟାପକ ପ୍ରଚାର। ଏହା ଏକ ବିଜ୍ଞାପନ ବା ପ୍ରଚାର ଭେଳିକି ନୁହେଁ ତ? ଏଭଳି ଏକ କାର୍ଯ୍ୟକ୍ରମ ଜରିଆରେ ‘ମୋ ସରକାର’ କାହା ସରକାରର ଧାରଣା ସୃଷ୍ଟି କରିବ? ଲୋକଙ୍କର ନା ନବୀନଙ୍କର ନା ସଚିବଙ୍କର? ଲୋକେ ବୁଝିବା ଦରକାର ଯେ ଗଣତନ୍ତ୍ରରେ ‘ମୋ ସରକାର’ ମାନେ କାହାର ସରକାର? ଭାରତୀୟ ସମ୍ବିଧାନ ଅନୁସାରେ ଏବଂ ଗଣତନ୍ତ୍ରର ମୌଳିକ ନୀତି ଅନୁସାରେ ସବୁ ସରକାର ଲୋକଙ୍କର। ଆମେରିକାର ଭୂତପୂର୍ବ ରାଷ୍ଟ୍ରପତି ଆବ୍ରାହମ ଲିଙ୍କନ୍‌ଙ୍କର ସେଇ ବିଖ୍ୟାତ ଉକ୍ତିକୁ ରାଜନୀତି ବିଜ୍ଞାନର ଛାତ୍ର ଓ ଗଣତନ୍ତ୍ରରେ ବିଶ୍ୱାସ କରୁଥିବା ନେତାମାନେ କେବେ ଭୁଲି ନଥିବେ, ଭୁଲିବା ମଧ୍ୟ ଉଚିତ ନୁହେଁ। ସେ କହିଥିଲେ, ‘ଗଣତନ୍ତ୍ର ହେଉଛି ଲୋକଙ୍କର, ଲୋକଙ୍କ ଦ୍ୱାରା ଓ ଲୋକଙ୍କ ପାଇଁ ସରକାର।’ ଓଡ଼ିଶାରେ ଭାରତୀୟ ସମ୍ବିଧାନ ଅନୁସାରେ ଗାଣତନ୍ତ୍ରିକ ଶାସନ ବ୍ୟବସ୍ଥା ପ୍ରଚଳିତ। ତେଣୁ ଓଡ଼ିଶା ସରକାର ହେଉଛି ଓଡ଼ିଶା ଲୋକମାନଙ୍କର ସରକାର। ଏହା କୌଣସି ବ୍ୟକ୍ତିର ସରକାର ନୁହେଁ। ଯଦିଓ ଅନେକ ସମୟରେ ଗଣମାଧ୍ୟମର ତ୍ରୁଟିପୂର୍ଣ୍ଣ ବର୍ଣ୍ଣନାକୁ ଆଧାର କରି ଅନେକ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ସରକାରଙ୍କୁ ‘ମୋ ସରକାର’ ଭାବେ ଉପସ୍ଥାପିତ କରିଛନ୍ତି। ରାଜ୍ୟ ବିଧାନସଭାର ବଜେଟ ଅଧିବେଶନର ଶୁଭାରମ୍ଭ କରି ରାଜ୍ୟପାଳ ଓଡ଼ିଶା ସରକାରଙ୍କୁ ‘ମୋ ସରକାର’ ଭାବେ ଉପସ୍ଥାପିତ କରିବା ପରେ ଅନେକ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ‘ମୋ ସରକାର’ ଏମିତି କରିଛି, ସେମିତି କରିଛି ବୋଲି କହିଛନ୍ତି। ଏସବୁ ବିଧାନସଭା ବିତର୍କର ରେକର୍ଡ଼ରେ ଅଛି। ତେବେ ବାସ୍ତବରେ ସରକାର ହେଉଛି ଓଡ଼ିଶା ଲୋକଙ୍କର। ସେମାନଙ୍କ ଭୋଟ୍‌ ଓ ନୋଟ୍‌ରେ ସରକାର ଗଢ଼ାହୁଏ ଓ ଚାଲେ। ଯେଉଁ ଲୋକମାନେ ଭାବୁଛନ୍ତି ଯେ ସେମାନେ ସରକାରଙ୍କ ଦ୍ୱାରା ଚାଲୁଛନ୍ତି ସେମାନେ ହୁଏତ ଭିନ୍ନକ୍ଷମ ଓ ଅଳସୁଆଙ୍କ ପରି ବାଧ୍ୟବଶତଃ ପରାଙ୍ଗପୁଷ୍ଟ ନହେଲେ ଦୁର୍ନୀତିଗ୍ରସ୍ତ। ଏହି ଦୃଷ୍ଟିକୋଣରୁ ଓଡ଼ିଶା ସରକାରଙ୍କ ‘ମୋ ସରକାର’ କହିଲେ ମୂଳତଃ ଓଡ଼ିଶା ଲୋକଙ୍କ ସରକାରକୁ ବୁଝାଏ। ସେହି ଲୋକଙ୍କର ନିକଟତର ହେବାକୁ ଏହା ଏକ କାର୍ଯ୍ୟକ୍ରମ ବୋଲି ଶାସକ ଦଳର ନେତା ଓ ସରକାରୀ ଅଧିକାରୀମାନେ ସଫେଇ ଦେଇଛନ୍ତି। ଯଦି ସେମାନଙ୍କର ସଫେଇକୁ ଗ୍ରହଣ କରାଯାଏ ତେବେ ସେମାନେ କହିଥିବା କଥାର ଭିନ୍ନ ଅର୍ଥ ମଧ୍ୟ ବାହାରି ପାରିବ। ବିରୋଧୀଙ୍କ ଭାଷାରେ ୨୦ ବର୍ଷ ପରେ ଯଦି ‘ମୋ ସରକାର’ ତେବେ ଏଯାଏଁ କାହା ସରକାର ଚାଲିଥିଲା? ଏ ପ୍ରଶ୍ନ ମଧ୍ୟ ଅତ୍ୟନ୍ତ ଗୂଢ଼। ଓଡ଼ିଶାର ଭୋଟରମାନଙ୍କ ଭାଷାରେ ଏହା ନବୀନବାବୁଙ୍କ ସରକାର। ନବୀନବାବୁ ମଧ୍ୟ ଡାକ୍ତର ଦାମୋଦର ରାଉତ ପ୍ରମୁଖ କେତେ ଜଣ ନେତାଙ୍କ ଜଟିଳ ପ୍ରଶ୍ନର ଉତ୍ତରରେ କହିବାକୁ ବାଧ୍ୟ ହୋଇଛନ୍ତି ଯେ ଏହା ହେଉଛି ମୋ ସରକାର ଓ ମୁଁ ହିଁ ସବୁ ନିଷ୍ପତ୍ତି ନିଏ। ଏବେ ମଧ୍ୟ ବିରୋଧୀଙ୍କ ସମାଲୋଚନାର ଜବାବ ଦେବାକୁ ଯାଇଁ ସେ କହିଛନ୍ତି ଯେ ‘ମୋ ସରକାର’ କାର୍ଯ୍ୟକ୍ରମରେ ଜିଲ୍ଲା ଗସ୍ତ କରିବାକୁ ମୁଁ ହିଁ ସଚିବଙ୍କୁ ପଠାଇଛି। ଏହା ଆମର ଏକ କୌଶଳ। ହୋଇପାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାହା କହୁଛନ୍ତି ତାହା ସତ। ତେବେ ଏ କୌଶଳ ୨୦ ବର୍ଷ ପରେ କାହିଁକି? ସେ ତ ଶିକ୍ଷିତ ଲୋକ। ଲେଖକ ମଧ୍ୟ। ଆମେରିକା ଭଳ ଅନେକ ଦେଶ ଆଡ଼େ ବୁଲାବୁଲି କରିଛନ୍ତି। ବଡ଼ ବଡ଼ ଲୋକଙ୍କ ସହିତ ତାଙ୍କର ସଂପର୍କ। ଗଣତନ୍ତ୍ର ଲୋକମାନଙ୍କର ସରକାର ଓ ଲୋକମାନଙ୍କ ମତ ଅନୁସାରେ ଚାଲେ ବୋଲି ବୁଝିବାକୁ ତାଙ୍କୁ କାହିଁକି ୨୦ ବର୍ଷ ଲାଗିଲା? ଆଉ ଯଦି ସେ ବୁଝିଥିଲେ ଯେ ତାଙ୍କ ସରକାର ହେଉଛି ଲୋକଙ୍କ ସରକାର ତେବେ କାଳିଆ ଓ ଏଇ ମୋ ସରକାର ପରି ଅନେକ କାର୍ଯ୍ୟକ୍ରମ ଆରମ୍ଭ କରିବା ପୂର୍ବରୁ ସେ କ’ଣ ଲୋକମାନଙ୍କର ମତାମତ ନେଇଥିଲେ? ଲୋକଙ୍କ ମତ ଓ ଦାବି ଅନୁସାରେ କ’ଣ ୨୦ ବର୍ଷ ହେଲା ସରକାର ସବୁ ନିଷ୍ପତ୍ତି ନେଇଛନ୍ତି? ନବୀନବାବୁଙ୍କ ସରକାର କ’ଣ ଯାଜପୁରର କଳିଙ୍ଗନଗରରେ ଜମିହରା ଆଦିବାସୀମାନଙ୍କର ସରକାର ନଥିଲା? ସେଠି ସେମାନଙ୍କ କଥା ନଶୁଣି ସରକାର କାହିଁକି ଗୁଳି ଚଳେଇଲେ ୧୪ ଜଣଙ୍କୁ ହତ୍ୟା କରିଥିଲେ? ଓଡ଼ିଶା ସରକାର କ’ଣ ନିୟମଗିରିର ଡଙ୍ଗରିଆ କନ୍ଧମାନଙ୍କର ନୁହେଁ। ସେଠା ଲୋକଙ୍କ ମତାମତକୁ ଉପେକ୍ଷା କରି କାହା ସରକାର ବକ୍ସାଇଟ୍‌ ପାଇଁ ନିୟମଗିରି ଧ୍ୱଂସ କରିବାକୁ ଏକାଧିକ ସନ୍ଦେହଜନକ ପଦକ୍ଷେପ ଗ୍ରହଣ କରିଛନ୍ତି? ଚିଟ୍‌ ଫଣ୍ଡ ଦୁର୍ନୀତିରେ କ୍ଷତିଗ୍ରସ୍ତ ଓଡ଼ିଶାବାସୀଙ୍କୁ ନ୍ୟାୟ ଦେବା ପରିବର୍ତ୍ତେ କେଉଁ ସରକାରଙ୍କ ସୁରକ୍ଷା ପାଇଁ ନବୀନବାବୁଙ୍କ ସରକାର ସୁପ୍ରିମ କୋର୍ଟରେ ସିବିଆଇ ତଦନ୍ତ ଦାବିକୁ ବିରୋଧ କରିଥିଲେ? ଖଣି ଦୁର୍ନୀତିର ସିବିଆଇ ତଦନ୍ତ ଦାବିକୁ ମଧ୍ୟ ତାଙ୍କ ସରକାର ଅନ୍ୟ କେଉଁ ସରକାର କଥାରେ ପଡ଼ି ବିରୋଧ କରିଥିଲେ? ଏକଥା ମଧ୍ୟ ସୂର୍ଯ୍ୟାଲୋକ ପରି ସତ ଯେ ଓଡ଼ିଶାର ଲୋକମାନେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜୁ ଜନତା ଦଳର ଶଙ୍ଖ ଚିହ୍ନକୁ ବାରମ୍ବାର ଅଧିକ ସଂଖ୍ୟାରେ ଭୋଟ୍‌ ଦେଇ ସରକାର ଗଠନର ସୁଯୋଗ ଦେଇଛନ୍ତି। କିନ୍ତୁ ଗଲା ୨୦ ବର୍ଷ ଧରି ‘ମୋ ସରକାର’ ଗଠନ ଓ ପରିଚାଳନାରେ ଲୋକମାନଙ୍କର ଭୂମିକା ସେଇଠି ଶେଷ ହୋଇଛି। ଅବଶ୍ୟ କେବଳ ଓଡ଼ିଶାର ଏପରି ଘଟୁନାହିଁ। ଭାରତବର୍ଷର ଅନ୍ୟ ରାଜ୍ୟଗୁଡ଼ିକରେ ବି ଲୋକମାନଙ୍କର ଭୂମିକା ଏତିକିରେ ସୀମିତ। କେନ୍ଦ୍ର ସରକାର ବି ଏହିପରି କେବଳ ନାମକୁ ମାତ୍ର ଲୋକଙ୍କ ସରକାର। ବାସ୍ତବରେ ନିଷ୍ପତ୍ତି ନେଉଛନ୍ତି ସଂଖ୍ୟାଗରିଷ୍ଠ ଦଳର ନେତା ଏବଂ ତାଙ୍କ ମନୋନୀତ କତିପୟ ନେତା ଓ ବାବୁ। ଏବେ ଓଡ଼ିଶାରେ ସେହିପରି ଏକ ‘ମୋ ସରକାର’ ଚାଲିଛି, ଯାହା ହାତଗଣତା ନେତା ଓ ବାବୁଙ୍କ ପରିଚାଳନାଧୀନ। ଏ ଅଭିଯୋଗ ନୂଆ ନୁହେଁ, ନବୀନବାବୁଙ୍କ ପ୍ରଥମ ପାଳି ମୁଖ୍ୟମନ୍ତ୍ରିତ୍ୱ ପରଠୁଁ ଏହି ଅଭିଯୋଗ ଗଡ଼ି ଆସିଛି- ନବୀନବାବୁଙ୍କ ସରକାର ତାଙ୍କ ସରକାର ନୁହେଁ କି ଲୋକଙ୍କ ସରକାର ନୁହେଁ, ତାଙ୍କ ସରକାର ହେଉଛି କେତେକ କମ୍ପାନୀଙ୍କ ସରକାର। ସେହି କତିପୟ କମ୍ପାନୀ କିଛି ନେତା ଓ ବାବୁଙ୍କୁ ହାତ କରି ଓଡ଼ିଶାର ପ୍ରକୃତି ଦତ୍ତ ପ୍ରାଚୁର୍ଯ୍ୟ ଦଖଲ କରିବାକୁ ବଡ଼ବଡ଼ ଲୋକସଂପର୍କ ଓ ଗଣମାଧ୍ୟମ ସଂସ୍ଥା ଜରିଆରେ ‘ମୋ ସରକାର’ ଭେଳିକି ସୃଷ୍ଟି କରିଛନ୍ତି ବୋଲି କୁହାଯାଏ। ସେ ଯାହା ହେଉ, ଏବେ ‘ମୋ ସରକାର’ ଜରିଆରେ ଯାହା ସବୁ କରାଯାଉଛି, ତାହା ହେଉଛି ସରକାରଙ୍କ ମୌଳିକ କାମ। ନେତା ଓ ବାବୁମାନେ ତାହା କରିବାକୁ ହିଁ ନିଯୁକ୍ତ ହୋଇଛନ୍ତି ଓ ଦରମା ପାଉଛନ୍ତି। ଯାହା ସେମାନେ କରିବା ପାଇଁ ନିଯୁକ୍ତ ହୋଇଛନ୍ତି ତାହାକୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଭାବେ ପ୍ରଚାରିତ କରିବା କାହା ଫାଇଦା ପାଇଁ ଓ କାହାକୁ ଭୁତେଇବା ପାଇଁ? (ସୌ-ଓଡ଼ିଶା ରିପୋର୍ଟର)

Share :