ଅନ୍ଧେରା କାଏମ୍‌ ରହେ!

ଅନ୍ଧେରା କାଏମ୍‌ ରହେ!

ଦେବେନ୍ଦ୍ର ପୃଷ୍ଟି ଡାହାଣୀ ସନ୍ଦେହରେ ମହିଳାଙ୍କୁ ନିର୍ମମ ହତ୍ୟା। ଗୁଣିଗାରେଡ଼ି ସନ୍ଦେହରେ ପରିବାରର ୫ ଜଣଙ୍କୁ ନୃଶଂସ ଭାବେ ହତ୍ୟା। ଗୁଣିଗାରେଡ଼ି ସନ୍ଦେହରେ ୬ ଜଣଙ୍କୁ ନିଷ୍ଠୁର ନିର୍ଯାତନା। ଜରରେ ମଲା ପିଲା, ପଡ଼ୋଶୀକୁ ହାଣି ହତ୍ୟା। ଏମିତି ସବୁ ଖବରକାଗଜ ଶୀର୍ଷକ ବା ଟିଭି ହେଡ୍‌ଲାଇନ ଓଡ଼ିଶା ପାଇଁ ବିରଳ ନୁହେଁ। ପ୍ରାୟ ପ୍ରତି ମାସରେ ଏମିତି ଦି’ ଚାରିଟା ଖବର ପଢ଼ିବାକୁ, ଦେଖିବାକୁ ବା ଶୁଣିବାକୁ ମିଳିଥାଏ। ଏକବିଂଶ ଶତାବ୍ଦୀର ପ୍ରଥମ ଦୁଇ ଦଶନ୍ଧି ବିତିବାକୁ ବସିଲାଣି। ମଣିଷ ଯାଇଁ ମଙ୍ଗଳ ଗ୍ରହରେ ପହଂଚିଲାଣି। ସୂର୍ଯ୍ୟର ସନ୍ଧାନ କରିବାକୁ ବି ଏଇ ମଣିଷ ଜାତି ରକେଟ ଛାଡ଼ି ସାରିଛି। ଭାରତ ବି ଚନ୍ଦ୍ର ଓ ମଙ୍ଗଳ ଅଭିଯାନରେ ସାମିଲ ହୋଇଛି। ଖ୍ରୀଷ୍ଟୀୟ ତ୍ରୟୋଦଶ ଶତାବ୍ଦୀରୁ ଆରମ୍ଭ କରି ଏଯାବତ ବିଜ୍ଞାନ ଓ ପ୍ରଯୁକ୍ତିର ଜୟଯାତ୍ରା ଅବ୍ୟାହତ ରହିଛି। ସୃଷ୍ଟିର ରହସ୍ୟ ଭେଦ କରିବାକୁ ମଣିଷ ଈଶ୍ୱର କଣିକା ଉପରେ ମଧ୍ୟ ଗବେଷଣା ଅବ୍ୟାହତ ରହିଛି। ଶକ୍ତି, ବସ୍ତୁ, ବଳ, ସ୍ଥାନ, କାଳ ଓ ପାତ୍ର ଆଦି ବିଜ୍ଞାନ ଓ ଦର୍ଶନର ଅନେକ ବିଷୟ ବୁଝିବା ଓ ବୁଝେଇବା ଏବେ ସହଜ। ସହଜଲଭ୍ୟ ମଧ୍ୟ ଜ୍ଞାନ ଓ ବିଜ୍ଞାନ ସଂପର୍କୀତ ତଥ୍ୟ ଓ ସୂଚନା। ଏବେ ସାରା ପୃଥିବୀରେ ସୂଚନା ଓ ପ୍ରଯୁକ୍ତିର ବିପ୍ଳବ। ଲୋକଙ୍କ ହାତରେ ସ୍ମାର୍ଟ ମୋବାଇଲ ଫୋନ। କର୍‌ଲୋ ଦୁନିଆ ମୁଠି ମେଁ। ତଥାପି ଓଡ଼ିଶାରେ ଅଛି ଅନେକ ଅନ୍ଧାରୀ ମୂଲକ। ତଥାପି ଏସବୁ ଅନ୍ଧାରୀ ମୂଲକରେ ରାଜୁତି କରୁଛି ଅନ୍ଧବିଶ୍ୱାସ। ଅନ୍ଧବିଶ୍ୱାସର ବଶବର୍ତ୍ତୀ ଲୋକମାନେ ଡାହାଣୀ ଓ ଗୁଣିଗାରେଡ଼ି ସନ୍ଦେହରେ ହତ୍ୟା କରୁଛନ୍ତି ନିରୀହ ମଣିଷମାନଙ୍କୁ। ପିଲା, ବୁଢ଼ା, ବୁଢ଼ୀ କେହି ବାଦ ପଡ଼ୁ ନାହାନ୍ତି ଅନ୍ଧବିଶ୍ୱାସର ଜାନ୍ତବ ଆକ୍ରମଣରୁ। ନିର୍ଯାତନା ବି ନିର୍ମମ। ଅସ୍ୱୀକାର କରନ୍ତି ନାହିଁ ଓଡ଼ିଶା ସରକାର। ଓଡ଼ିଶାରେ ଡାହାଣୀ ସନ୍ଦେହରେ ହତ୍ୟା ପରି ହିଂସାକାଣ୍ଡ ଘଟୁଥିବାରୁ ଏହା ନିବାରଣ କରିବା ଉଦ୍ଦେଶ୍ୟରେ ୨୦୧୩ ମସିହାରେ ରାଜ୍ୟ ବିଧାନସଭାରେ ଗୃହୀତ ହୋଇଛି ଏକ ଆଇନ। ରାଜ୍ୟପାଳ ମଧ୍ୟ ଏହାକୁ ମଂଜୁରୀ ପ୍ରଦାନ କରିଛନ୍ତି। କିନ୍ତୁ ୬ ବର୍ଷ ହେଲାଣି ରାଜ୍ୟ ସରକାର ଏହି ଆଇନ ସଂପର୍କୀତ ନିୟମ ପ୍ରଣୟନ କରୁ ନଥିବାରୁ ଏହା ଏଯାଏଁ କାର୍ଯ୍ୟକାରୀ ହୋଇନାହିଁ। ଏ ଆଇନ କାର୍ଯ୍ୟକାରୀ ହେଲେ ଯେ ଏ ପ୍ରକାର ଅନ୍ଧାର ହଟିଯିବ ତାହାର କିଛି ଗ୍ୟାରେଣ୍ଟି ନାହିଁ। ଏହା ପୂର୍ବରୁ ଅନେକ ଅସାମାଜିକ ଓ ଅବୈଜ୍ଞାନିକ କାର୍ଯ୍ୟକଳାପ ବିରୋଧରେ ଅନେକ ଆଇନ ହୋଇଛି। ତଥାପି ସେସବୁ କାର୍ଯ୍ୟ ଚାଲିଛି। ହତ୍ୟା ଏକ ଅପରାଧ ବୋଲି ସମସ୍ତେ ଜାଣନ୍ତି। ତଥାପି ଏହା ଚାଲିଛି। ଧର୍ଷଣ ଏକ ଅପରାଧ ବୋଲି ସମସ୍ତେ ଜାଣନ୍ତି। ତଥାପି ଏହା ଚାଲିଛି। ଏ ଦୁଇଟି ଅପରାଧ ପାଇଁ ମୃତ୍ୟୁଦଣ୍ଡର ବ୍ୟବସ୍ଥା ବି ରହିଛି। ଡାହାଣୀ ସନ୍ଦେହରେ ହତ୍ୟା ପାଇଁ ବି ଭାରତୀୟ ପିଙ୍ଗଳ କୋଡ଼ର ଏହି ଦଣ୍ଡ ବିଧାନ ଲାଗୁ ହୋଇପାରିବ। ଯେଉଁମାନେ ଡାହାଣୀ ଓ ଗୁଣିଗାରେଡ଼ି ସନ୍ଦେହରେ ହତ୍ୟା କରୁଛନ୍ତି ବା ଲୋକମାନଙ୍କୁ ନିର୍ଯାତନା ଦେଉଛନ୍ତି ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଓ ଦଣ୍ଡବିଧାନ ପାଇଁ ପ୍ରଚଳିତ ଆଇନରେ ମଧ୍ୟ ବ୍ୟବସ୍ଥା ଅଛି। ତେବେ, ଶାସନ ଓ ପ୍ରଶାସନ ଅନେକ ସମୟରେ ଅନେକ ଆଇନ କାର୍ଯ୍ୟକାରୀ କରିବାରେ ବିଫଳ ହେଉଥିବାରୁ ଦୋଷୀମାନେ ଉପଯୁକ୍ତ ପରିମାଣର ଦଣ୍ଡ ନପାଇ ଖସି ଯାଉଛନ୍ତି। ତେଣୁ ଅପରାଧୀ ମନରେ ଆଇନ ପ୍ରତି ଭୟ ରହୁନାହିଁ। ସେ ପୁଣି ଅପରାଧ କରିବାକୁ ପରୋକ୍ଷରେ ପ୍ରୋତ୍ସାହନ ପାଉଛି। ଗଣମାଧ୍ୟମରେ ପ୍ରକାଶ ପାଉଥିବା ରିପୋର୍ଟ ଅନୁସାରେ ଡାହାଣୀ ଓ ଗୁଣିଗାରେଡ଼ି ସନ୍ଦେହରେ ଓଡ଼ିଶାରେ ପ୍ରାୟ ପ୍ରତି ବର୍ଷ ହାରାହାରି ୭୦-୮୦ ହତ୍ୟାକାଣ୍ଡ ଘଟୁଛି। ଚଳିତ ବର୍ଷ ପ୍ରଥମ ୯ ମାସ ମଧ୍ୟରେ ୪୦ ପାଖାପାଖି ଏପରି ହତ୍ୟାକାଣ୍ଡ ଘଟି ସାରିଲାଣି। ୨୦୧୮ ମସିହାରେ ୩୯, ୨୦୧୭ ମସିହାରେ ୩୬ ଓ ୨୦୧୬ ମସିହାରେ ୫୮ଟି ହତ୍ୟାକାଣ୍ଡ ଘଟିଥିଲା। ଏକ ପରିସଂଖ୍ୟାନ ଅନୁସାରେ ୨୦୦୯-୧୫ ମଧ୍ୟରେ ଏହି କାରଣରୁ ରାଜ୍ୟରେ ୩୫୫ଟି ହତ୍ୟାକାଣ୍ଡ ଘଟିଥିଲା। ଏସବୁ ସରକାରୀ ପରିସଂଖ୍ୟାନ। ବାସ୍ତବରେ ଏପରି ଅନେକ ହତ୍ୟାକାଣ୍ଡ ପୁଲିସ ନଜର ବାହାରେ ରହିଯାଉଛି। ଓଡ଼ିଶାର ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ରାୟଗଡ଼ା, ମାଲକାନଗିରି, ନୟାଗଡ଼, ଗଜପତି, ଗଞ୍ଜାମ, ବାଲେଶ୍ୱର ଆଦି ଜିଲ୍ଲାରେ ସାଧାରଣତଃ ଏଭଳି ଅନ୍ଧବିଶ୍ୱାସର ଅନ୍ଧାରୀ ଶାସନ ଚାଲିଛି। କାହା ପୁଅକୁ ଜର ହେଲେ ଲୋକେ ତାକୁ ଡାକ୍ତରଖାନା ନନେଇ ଝଡ଼ାଫୁଙ୍କା କରାଉଛନ୍ତି, ଚେଙ୍କ ଦେଉଛନ୍ତି। ଯଦି ପିଲାଟି ମରିଗଲା ତେବେ ଅଭିଯୋଗ ହେଉଛି ଗାଁର କେହି ଗୁଣି କରି ମାରିଦେଲା। ଗାଁରେ କାହାକୁ ରୋଗ ହେଲେ ବା କେହି କୌଣସି ରୋଗରେ ମରିଗଲେ ଏଭଳି ସନ୍ଦେହ ଉଗ୍ରରୂପ ଧାରଣ କରୁଛି। ବିଜ୍ଞାନ ଓ ପ୍ରଯୁକ୍ତିର ଯୁଗରେ କାହିଁକି ଘଟୁଛି ଏପରି ହତ୍ୟାକାଣ୍ଡ ଏବଂ ନିର୍ଯାତନା? କାରଣ ନିଶ୍ଚୟ ଆଇନର ଅଭାବ ନୁହେଁ। ଅନେକ ଆଇନ ଅଛି ଏସବୁ କାଣ୍ଡକାରଖାନା ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ। କାରଣ ହେଉଛି ଶିକ୍ଷା ଓ ସଚେତନତାର ଅଭାବ, ବିଜ୍ଞାନ ସମ୍ମତ ଡାକ୍ତରୀ ସ୍ୱାସ୍ଥ୍ୟ ସେବାର ଅଭାବ। ସଂପ୍ରତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଦାୟିତ୍ୱରେ ଥିବା ନବୀନ ପଟ୍ଟନାୟକ କେଉଁ ଗାଁମୂଲକର ଅଶିକ୍ଷିତ ବ୍ୟକ୍ତି ନୁହନ୍ତି। ସେ ଡୁନ୍‌ ସ୍କୁଲରେ ପାଠ ପଢ଼ିଥିଲେ କଲେଜ ଜୀବନ କଟିଛି ଦିଲ୍ଲୀରେ। ତାଙ୍କୁ ୫୪ ବର୍ଷ ବୟସ ହେବା ଯାଏଁ ବା ଓଡ଼ିଶା ରାଜନୀତିରେ ପ୍ରବେଶ କରିବା ପର୍ଯ୍ୟନ୍ତ ସେ ଭାରତ ଓ ବିଶ୍ୱର ବହୁ ଜ୍ଞାନୀଗୁଣୀ ଲୋକଙ୍କ ସହିତ ମିଶୁଥିଲେ। ପଢ଼ାପଢ଼ି କରୁଥିଲେ। ଲେଖାଲେଖି ମଧ୍ୟ କରିଛନ୍ତି। ଆଉ କେଇ ମାସ ପରେ ଓଡ଼ିଶାର ଶାସନ କ୍ଷମତାରେ ସେ ପୂରଣ କରିବେ ୨୦ ବର୍ଷ। ତଥାପି ତାଙ୍କ ଶାସନ ଓଡ଼ିଶାର ଏସବୁ ଅନ୍ଧାରୀ ମୂଲକରେ ଶିକ୍ଷା ଓ ସଚେତନତାର ଆଲୋକ ବିଞ୍ଚିପାରି ନାହିଁ। ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ ଓ ରାୟଗଡ଼ା ଆଦି ଆଦିବାସୀ ଅଧ୍ୟୁସିତ ଜିଲ୍ଲା ହେଉଛି ଓଡ଼ିଶାର ଖଣିର ଭଣ୍ଡାର। ଏସବୁ ଜିଲ୍ଲାରେ ଭରି ରହିଥିବା ପ୍ରାକୃତିକ ସଂପଦ ହାତେଇବାକୁ ଡେରା ପକେଇଛନ୍ତି ଦେଶୀ ବିଦେଶୀ ଅନେକ ବଡ଼ ବଡ଼ କମ୍ପାନୀ। ସେସବୁ କମ୍ପାନୀଙ୍କ ସହିତ ସରକାରଙ୍କ ସଂପର୍କ ବଡ଼ ମଧୁର। କମ୍ପାନୀଗୁଡ଼ିକର ସିଏସଆର ବା ଔଦ୍ୟୋଗିକ ସାମାଜିକ ଉତ୍ତରଦାୟିତ୍ୱ ରହିଛି। ସରକାରଙ୍କର ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ମଧ୍ୟ ଅଛି। ତଥାପି କାହିଁକି ମିଳୁ ନାହିଁ ଉପଯୁକ୍ତି ଶିକ୍ଷା? କାହିଁକି ମିଳୁ ନାହିଁ ଉପଯୁକ୍ତି ସ୍ୱାସ୍ଥ୍ୟ ସେବା? କାହିଁକି ଏବେ ବି ଲୋକମାନେ ଭାବୁଛନ୍ତି ଯେ ଗୁଣିଗାରେଡ଼ି ପ୍ରଭାବରେ ରୋଗ ଓ ମୃତ୍ୟୁ ହେଉଛି ବୋଲି? ଏହା କ’ଣ ସରକାରଙ୍କ ବିଫଳତା ନୁହେଁ? ସରକାର କ’ଣ ଭାବୁଛନ୍ତି ଡାହାଣୀର ମୂର୍ତ୍ତି ବସେଇ ସମାଜରୁ ଅନ୍ଧବିଶ୍ୱାସ ଦୂର କରାଯାଇ ପାରିବ? ସରକାର କ’ଣ ଚାହାନ୍ତି ନାହିଁ ଏଭଳି ଅନ୍ଧବିଶ୍ୱାସ ଓ ତଜ୍ଜନିତ ନିର୍ଯାତନା ଓ ହତ୍ୟା ଦୂର ହେଉ ବୋଲି? ସରକାର ଚାହାନ୍ତି ନାହିଁ ଆଦିବାସୀ ଅଞ୍ଚଳର ଲୋକମାନେ ଶିକ୍ଷିତ ଓ ଅଗ୍ରଣୀ ହୁଅନ୍ତୁ ବୋଲି? ତେବେ କାହିଁ ସେ ଦିଗରେ ଉଦ୍ୟମ ଓ ଅଭିଯାନ? ଏଭଳି ଅଞ୍ଚଳରେ ‘ମୋ ସରକାର‘ର ମାନେ କ’ଣ? ମାନେ କ’ଣ ‘ମୋ ସ୍କୁଲ’ ଓ ଅନ୍ୟାନ୍ୟ ‘ମୋ’ ଯୋଜନାର? ଯଦି ଶାସନ ଓ ପ୍ରଶାସନ ଓଡ଼ିଶାର ଏସବୁ ଅନ୍ଧାରୀ ମୂଲକରୁ ଅନ୍ଧବିଶ୍ୱାସ ଦୂର କରିପାରିବେ ନାହିଁ ତେବେ କ’ଣ ଏହି ଅନ୍ଧାର କାଏମ ରହିବ? ହତ୍ୟା ଓ ନିର୍ଯାତନାର ଧାରା ବନ୍ଦ ହେବ ନାହିଁ? (ସୌ-ଓଡିଶା ରିପୋର୍ଟଟର)

Share :