କେଜିଏ ସୁନା ସହ ବ୍ୟାଙ୍କ୍‌ ଲକର୍‌ ଉଭାନ୍‌!

କେଜିଏ ସୁନା ସହ ବ୍ୟାଙ୍କ୍‌ ଲକର୍‌ ଉଭାନ୍‌!

Share :

ମାନ୍ୟବର ଓଡ଼ିଶା ହାଇକୋର୍ଟଙ୍କ ଏକ ଐତିହାସିକ ନିଷ୍ପତ୍ତି ଦ୍ୱାରା ବହୁ ଚର୍ଚ୍ଚିତ କାନାରା ବ୍ୟାଙ୍କ ଲକର୍ ଉଭାନ ମାମଲାର ତଦନ୍ତ ଭାର କ୍ରାଇମ ବ୍ରାଞ୍ଚ୍ର ଆର୍ଥନୀତିକ ଅପରାଧ ଶାଖା ବା ଇଓଡବ୍ଲୁକୁ ହସ୍ତାନ୍ତର ହୋଇଛି। ସୂଚନାଯୋଗ୍ୟ ଯେ ଆଇନଜୀବୀ ହିମାଂଶୁ ପଟ୍ଟନାୟକ ଓ ତାଙ୍କ ପତ୍ନୀ ଜ୍ୟୋତ୍ସାରାଣୀ ପଟ୍ଟନାୟକ କଟକସ୍ଥିତ କାନାରା ବ୍ୟାଙ୍କ ଚଣ୍ଡୀଛକ ଶାଖା, କଟକରେ ଏକ ଲକର୍ ଖୋଲିଥିଲେ ଓ ସେହି ଲକର୍‌ରେ ୧ କିଲୋରୁ ଉର୍ଦ୍ଧ୍ୱ ସୁନା ଗହଣା ଏବଂ ଅନେକ ଜରୁରୀ କାଗଜପତ୍ର ରଖିଥିଲେ। ଗହଣା ଓ କାଗଜପତ୍ର ସୁରକ୍ଷିତ ରଖିବା ନିମନ୍ତେ ବ୍ୟାଙ୍କ ଶାଖାରେ ରୀତିମତ ବାର୍ଷିକ ଭଡ଼ା ମଧ୍ୟ ଦେଉଥିଲେ। ମାତ୍ର ୧୬ ନଭେମ୍ୱର ୨୦୧୭ରେ ଶ୍ରୀ ପଟ୍ଟନାୟକ ଲକର୍ ବ୍ୟବହାର କରିବା ନିମନ୍ତେ ବ୍ୟାଙ୍କକୁ ଲକର୍ ଚାବି ନେଇ ଯାଇଥିବାବେଳେ ବ୍ୟାଙ୍କ କର୍ତ୍ତୃପକ୍ଷ କହିଥିଲେ ଯେ ତାଙ୍କ ଲକର୍ ସରେଣ୍ଡର ହୋଇଛି ଓ ବର୍ତ୍ତମାନ ବ୍ୟାଙ୍କ ପରିସରରେ ସେମିତି କୌଣସି ଲକର୍ ନାହିଁ। ମାତ୍ର ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ନିକଟରେ ଏ ବାବଦରେ କୌଣସି କାଗଜପତ୍ର ନଥିଲା। ଆଶ୍ଚର୍ଯ୍ୟଚକିତ ହୋଇ ଶ୍ରୀ ପଟ୍ଟନାୟକ ବ୍ୟାଙ୍କର ଉଚ୍ଚ କର୍ତ୍ତୃପକ୍ଷଙ୍କୁ ସହାୟତା ନିମନ୍ତେ ଲିଖିତ ନିବେଦନ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ତେଣୁ ୩୦ ନଭେମ୍ୱର ୨୦୧୭ ଦିନ କଟକ କ୍ୟାଣ୍ଟନମେଣ୍ଟ ଥାନାରେ ଲିଖିତ ଏତଲା ଦେଇଥିଲେ ଏବଂ ସେହିଦିନ କ୍ୟାଣ୍ଟନମେଣ୍ଟ ଥାନା ପିଏସ କେସ ନମ୍ବର .୧୦୪/୨୦୧୭ ରୁଜୁ ହୋଇଥିଲା। ମାତ୍ର ତଦନ୍ତରେ ଅନେକ ଦିନ ଧରି କୌଣସି ଅଗ୍ରଗତି ନ ହେବାରୁ ୨୧ ମଇ ୨୦୧୮ରେ ଶ୍ରୀ ପଟ୍ଟନାୟକ ଏବଂ ତାଙ୍କ ପତ୍ନୀ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ସିଅରଏଲଏମପି ନମ୍ବର ୫୮୪/୨୦୧୮ ଦାଖଲ କରିଥିଲେ ଏବଂ ସିବିଆଇ ଦ୍ୱାରା ମାମଲାରେ ତଦନ୍ତ ପାଇଁ ନିବେଦନ କରିଥିଲେ। ଶୁଣାଣୀବେଳେ ରାଜ୍ୟ ସରକାର ଓ ପୋଲିସ୍ ବିଭାଗ ତାଙ୍କ ପକ୍ଷ ରଖିଥିଲେ ମାତ୍ର ବ୍ୟାଙ୍କ କର୍ତ୍ତୃପକ୍ଷ ଅନୁପସ୍ଥିତ ରହିଥିଲେ। ମାନ୍ୟବର ନ୍ୟାୟମୂର୍ତ୍ତୀ ଦେବବ୍ରତ ଦାଶ ତା ୦୮.୦୮.୨୦୧୯ରିଖରେ ତାଙ୍କ ନିର୍ଦ୍ଦେଶ ଦ୍ୱାରା କ୍ୟାଣ୍ଟନମେଣ୍ଟ ପୋଲିସ୍ ଷ୍ଟେସନଠାରୁ କ୍ରାଇମ ବ୍ରାଞ୍ଚ ଆର୍ଥନୀତିକ ଅପରାଧ ଶାଖା ବା ଇଓଡବ୍ଲୁକୁ ମାମଲାର ତଦନ୍ତର ଦାୟିତ୍ୱ ଦେଇଥିଲେ। ଆବେଦନକାରି ହିମାଂଶୁ ପଟ୍ଟନାୟକଙ୍କ ପକ୍ଷରୁ ଓକିଲ ଜୟଦୀପ ପାଲ ମାମଲାଟିର ପରିଚାଳନା କରିଥିଲେ।

Share :