ଫଣୀ ଟଙ୍କା ବାଟମାରଣା ହେବ କି?

ଫଣୀ ଟଙ୍କା ବାଟମାରଣା ହେବ କି?

Share :

ଇତିମଧ୍ୟରେ କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ବାତ୍ୟା ଫଣୀ ପାଇଁ ଓଡ଼ିଶାକୁ ୩୩୩୮.୨୨ କୋଟି ଟଙ୍କା ଅତିରିକ୍ତ ସହାୟତା ରାଶି ମଞ୍ଜୁର କରାଯାଇଛି। ଏହା ପୂର୍ବରୁ ଦୁଇ ଥରରେ କେନ୍ଦ୍ର ସରକାର ଏହି ବାତ୍ୟା ପାଇଁ ଓଡ଼ିଶାକୁ ୧୩୪୧ କୋଟି ଟଙ୍କାର ସହାୟତା ଦେଇଥିଲେ। ଏଣୁ ଫଣୀ ସହାୟତା ବାବଦକୁ କେନ୍ଦ୍ର ସରକାର ଓଡ଼ିଶାକୁ ଏଯାଏଁ ୪୭୦୦ କୋଟି ଟଙ୍କା ମଞ୍ଜୁର କଲେଣି। ଓଡ଼ିଶା ସରକାର ମୋଟ ୫୨୦୦ କୋଟି ଟଙ୍କାର କ୍ଷୟକ୍ଷତି ଦର୍ଶାଇଥିଲେ। ସ୍ବରାଷ୍ଟ୍ର ମନ୍ତ୍ରୀଙ୍କ ବୈଠକରେ କେନ୍ଦ୍ର ଅର୍ଥ ଓ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ, କୃଷି ଓ କୃଷକ କଲ୍ୟାଣ, ଗ୍ରାମୀଣ ବିକାଶ ଏବଂ ପଂଚାୟତିରାଜ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂ ତୋମାର ତଥା ଗୃହ, ଅର୍ଥ, କୃଷି ଓ ନୀତି ଆୟୋଗର ଅନ୍ୟାନ୍ୟ ବରି ପଦାଧିକାରୀମାନେ ଉପସ୍ଥିତ ଥିଲେ। ଓଡ଼ିଶାକୁ ଫଣୀ ବାତ୍ୟା ପୂର୍ବରୁ ଏପ୍ରିଲ ୨୯, ୨୦୧୯ରେ ଏସଡିଆରଏଫ ଅନ୍ତର୍ଗତ ଅଗ୍ରୀମ ୩୪୦.୮୭ କୋଟି ଟଙ୍କା ପ୍ରଦାନ କରାଯାଇଥିଲା। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୬.୫.୨୦୧୯ରେ ଓଡ଼ିଶା ଗସ୍ତ କରିଥିଲେ ଏବଂ ତାଙ୍କ ଘୋଷଣା ଅନୁଯାୟୀ ଆଉ ହଜାର କୋଟି ଟଙ୍କା ପ୍ରଦାନ କରାଯାଇଥିଲା। ଏଥି ସହିତ ମୃତ ବ୍ୟକ୍ତିମାନଙ୍କ ନିକଟ ସମ୍ପର୍କୀୟମାନଙ୍କୁ ୨ ଲକ୍ଷ ଟଙ୍କା ଓ ଗୁରୁତର ଆହତ ବ୍ୟକ୍ତିମାନଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ପ୍ରଧାନମନ୍ତ୍ରୀ ରିଲିଫ ଫଣ୍ଡରୁ ପ୍ରଦାନ କରାଯାଇଥିଲା। ଫଣୀ ସମୟରେ କେନ୍ଦ୍ର ସରକାର ଓଡ଼ିଶାରେ ରିଲିଫ ଓ ଉଦ୍ଧାର କାର୍ଯ୍ୟ ଲାଗି ଏନଡିଆରଏଫର ୭୧ଟି ଦଳ, ଭାରତୀୟ ସେନାର ୧୯ ଦଳ, ୯ ଇଞ୍ଜିନିରୟରିଂ ଟାସ୍କ ଫୋର୍ସ, ୨୭ଟି ବିମାନ (ହେଲିକପ୍ଟର) ଏବଂ ୧୬ଟି ଜାହାଜରେ ସେନାର ଯବାନମାନଙ୍କୁ ପଠାଇଥିଲା। ପ୍ରଭାବିତ ଜିଲ୍ଲାମାନଙ୍କରେ ବିଦ୍ୟୁତ୍ ଯୋଗାଣ ଏବଂ ଯୋଗାଯୋଗ ବ୍ୟବସ୍ଥାର ପୁନରୁଦ୍ଧାର ପାଇଁ କେନ୍ଦ୍ର ସମସ୍ତ ପ୍ରକାରର ସହାୟତା ପ୍ରଦାନ କରିଥିଲା। ଏଥି ସହିତ ଏହି ଉଚ୍ଚସ୍ତରୀୟ ବୈଠକରେ କର୍ଣ୍ଣାଟକ ଓ ହିମାଚଳ ପ୍ରଦେଶକୁ ମଧ୍ୟ ମରୁଡ଼ି, ବରଫପାତ ଏବଂ ଭୂଡ୍ଡଳନ ପାଇଁ ସହାୟତା ରାଶି ମଞ୍ଜୁର କରାଯାଇଛି। ଏହି ୩ଟି ରାଜ୍ୟକୁ କେନ୍ଦ୍ରୀୟ ବିପର୍ଯ୍ୟୟ ପ୍ରଶମନ ଅନୁଦାନ ରାଶି(ଏନଡିଆରଏଫ)ରୁ ମୋଟ ୪୪୩୨.୧୦ କୋଟି ଟଙ୍କାର ଅତିରିକ୍ତ କେନ୍ଦ୍ରୀୟ ସହାୟତା ପ୍ରଦାନ କରାଯାଇଛି। ମରୁଡ଼ି ପାଇଁ କର୍ଣ୍ଣାଟକକୁ ୧୦୨୯.୩୯ କୋଟି ଏବଂ ଭୂଡ୍ଡଳନ ଓ ବରଫପାତ ଲାଗି ହିମାଚଳ ପ୍ରଦେଶକୁ ୬୪.୪୯ କୋଟି ଟଙ୍କା ପ୍ରଦାନ କରାଯାଇଛି। ପୂର୍ବରୁ କେନ୍ଦ୍ର ଦ୍ୱାରା ଏହି ରାଜ୍ୟମାନଙ୍କୁ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ଅନୁଦାନ ରାଶି (ଏସଡିଆରଏଫ) ଅନ୍ତର୍ଗତ ସହାୟତା ରାଶି ପ୍ରଦାନ କରାଯାଇଥିଲା। ତେବେ ଏନଡିଆରଏଫ ଅନ୍ତର୍ଗତ ଏହି ଅତିରିକ୍ତ ସହାୟତା ରାଶି ପୁନଶ୍ଚ ପ୍ରଦାନ କରାଯାଇଛି। ୨୦୧୮-୧୯ରେ କେନ୍ଦ୍ର ଏସଡିଆରଏଫ ଅନ୍ତର୍ଗତ ୨୪ଟି ରାଜ୍ୟକୁ ମୋଟ ୯୬୫୮ କୋଟି ଅର୍ଥ ମଞ୍ଜୁର କରାଯାଇଥିବା ବେଳେ ୨୦୧୯-୨୦ରେ ବର୍ତ୍ତମାନ ସୁଦ୍ଧା ୬୧୦୪ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଓଡ଼ିଶାକୁ ଫଣୀ ବାବଦରେ ମିଳିଥିବା ୪୭୦୦ କୋଟି ଟଙ୍କା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଭୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଧନ୍ୟବାଦ ଜଣେଇଛନ୍ତି। ତେବେ ଏହି ପାଣ୍ଠିର ସଦୁପଯୋଗ ନେଇ ବିଭିନ୍ନ ମହଲରେ ସନ୍ଦେହ ସୃଷ୍ଟି ହୋଇଛି। ରାଜ୍ୟର ଶାସନ କଳ ସହିତ ସଂପୃକ୍ତ କେତେକ ନେତା ଓ ବାବୁ ବିପର୍ଯ୍ୟୟକୁ ଏକ ବ୍ୟବସାୟ ଭାବେ ଗ୍ରହଣ କରି ସେଥିରୁ ପ୍ରଚୁର ମୁନାଫା କମେଇବାକୁ ଯୋଜନା କରିଥାନ୍ତି। ସେଥିପାଇଁ ରିଲିଫ୍ ସାମଗ୍ରୀ କିଣାରେ ଦୁର୍ନୀତି ହୋଇଥାଏ। ଏହାର ଅଡିଟ ହୁଏ ନାହିଁ। କ୍ଷୟକ୍ଷତି ଆକଳନ ଅଧିକ କରି ଅଧିକ ପାଣ୍ଠି ମଞ୍ଜୁର କରାଇ ତାହାକୁ ହଡ଼ପ କରାଯାଏ। ଫଣୀ ଟଙ୍କାରୁ ମଧ୍ୟ ସେହି ଢଙ୍ଗରେ ହଜାରେ ଦି’ ହଜାରେ କୋଟି ଟଙ୍କା ହଡ଼ପ ହେବ ବୋଲି ଆଶଙ୍କା କରାଯାଉଛି।

Share :