ଗୋଠପାଟଣା ସରକାରୀ ଜମିରେ ଫ୍ଲାଟ କରି ୨୦୦ କୋଟି ଲୁଟ୍‌!

ଗୋଠପାଟଣା ସରକାରୀ ଜମିରେ ଫ୍ଲାଟ କରି ୨୦୦ କୋଟି ଲୁଟ୍‌!

Share :

ଭୁବନେଶ୍ୱର ଉପକଣ୍ଠ ଭୁବନେଶ୍ୱର ତହସିଲ ଓ ବ୍ଲକ ଅନ୍ତର୍ଗତ ମୌଜା ଗୋଠପାଟଣାଠାରେ ଆକ୍ରକ୍ସ ରିୟଲକନ୍‌ ନାମକ ଏକ ବିଲ୍ଡ଼ର ସଂସ୍ଥା ଦ୍ୱାରା ଆକ୍ରୋପୋଲିସ୍ ନାମକ ଏକ ପ୍ରକଳ୍ପ ବେଆଇନ୍ ଭାବେ କରାଯାଇଛି ବୋଲି ଜଟଣୀ ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟ ଅଭିଯୋଗ କରିଛନ୍ତି। ଏହି ବେଆଇନ ପ୍ରକଳ୍ପର ୮୦୦ ଫ୍ଲାଟ୍‌ ବିକି ସଂପୃକ୍ତ ସଂସ୍ଥା ପ୍ରାୟ ୨୦୦ କୋଟି ଟଙ୍କା ଅର୍ଜନ କରିଥିବା ହିସାବ ହେଉଛି। ସେହି ଟଙ୍କାରୁ କିଛି ସରକାରୀ ବାବୁ ଓ ନେତାଙ୍କ ମଧ୍ୟରେ ବଣ୍ଟନ ହୋଇଥିବା ସନ୍ଦେହ କରାଯାଉଛି। ବିଧାୟକ ରାଉତରାୟ କହିଛନ୍ତି ଯେ, ଆକ୍ରୋଶ ବିଲ୍ଡ଼ର ଦ୍ୱାରା ଅନୁସୂଚିତ ଜାତି ଓ ଜନଜାତି, ସରକାରୀ କାଜୁ ଜଙ୍ଗଲ ଓ ଜଙ୍ଗଲ, ମୟୂର ଅଭୟାରଣ୍ୟ ଜମିକୁ ହଡ଼ପ କରି ୪୦ ଏକର ଜାଗାରେ ୬ ମହଲା ବିଶିଷ୍ଟ ୮୦୦ ଫ୍ଲାଟ କରାଯାଇଥିବା ବେଳେ ରାଜ୍ୟ ସରକାର ନୀରବଦ୍ରଷ୍ଟା ସାଜିଛନ୍ତି। ତତ୍କାଳୀନ ମୁଖ୍ୟମନ୍ତ୍ରୀ ଭୂମିହୀନମାନଙ୍କୁ ଜାଗା ଯୋଗାଇ ଦେଇଥିଲେ। ଏହି ପ୍ରକ୍ରିୟାରେ ଯେଉଁ ଅନୁସୂଚିତ ଜାତି ଓ ଜନଜାତିମାନେ ଜାଗା ପାଇଥିଲେ ସେହି ଜାଗାକୁ ଚଞ୍ଚକତା କରି ହାତେଇବାରେ ଏହି ବିଲ୍ଡ଼ର୍ସ ସଫଳ ହୋଇଛନ୍ତି। ଏଥିରେ ତତ୍କାଳୀନ ଚନ୍ଦକା ଡିଏଫ୍‌ଓ, ଭୁବନେଶ୍ୱର ବିଡ଼ିଓ ଓ ତହସିଲ୍‌ଦାର ଏବଂ ଆଡ଼ିସନାଲ ତହସିଲ୍‌ଦାରଙ୍କର ପ୍ରଚ୍ଛନ୍ନ ହାତ ରହିଛି। ଏପରିକି ରାଜ୍ୟ ସରକାରୀ ଦଳର ରାଜନେତାମାନେ ମଧ୍ୟ ଏହି ଦୁର୍ନୀତିରେ ସାମିଲ୍ ହୋଇଛନ୍ତି। ଶ୍ରୀ ରାଉତରାୟଙ୍କ ଅଭିଯୋଗ ଅନୁସାରେ ଏହାକୁ ବୈଧ କରିବା ପାଇଁ ସମସ୍ତ କାଗଜ ପତ୍ର ଜାଲିଆତି କରାଯାଇଛି। ଜଙ୍ଗଲ ଜମିକୁ ଚଞ୍ଚକତା କରି ଘରବାରିରେ ପରିଣତ କରାଯାଇଛି। ଏଠାରେ ଥିବା ପଥର ଖଣିର ପଥରସବୁକୁ ମଧ୍ୟ ଲୁଟ୍ କରାଯାଇଛି। ଏବେ ଫ୍ଲାଟସବୁ ବିକ୍ରି ହୋଇଗଲାଣି। ମୁହଁ ବନ୍ଦ ରଖିବା ପାଇଁ କେତେକ ସରକାରୀ ଉଚ୍ଚପଦସ୍ଥ ଅଫିସର ଏବଂ ରାଜନେତାଙ୍କୁ ମଧ୍ୟ ଫ୍ଲାଟ ଉପହାର ଦିଆଯାଇଛି। ଭୁବନେଶ୍ୱରର ଏକ ତାରକା ହୋଟେଲରେ ଫ୍ଲାଟ ବିକ୍ରି ମେଳା କରାଯାଇ ଏହି ଫ୍ଲାଟଗୁଡ଼ିକ ବିକ୍ରି ହୋଇଥିଲା ଏବଂ ସେଠାକୁ ଉଚ୍ଚପଦସ୍ଥ ଅଫିସରମାନଙ୍କୁ ଡକାଇ ଆପ୍ୟାୟିତ କରାଯାଇଥିଲା। ଗୋଠପାଟଣାରେ ଗୋଟିଏ ଗୋଟିଏ ଦୁଇ ଶୋଇବା ଘର ବିଶିଷ୍ଟ ବା ଟୁବିଏଚକେ ଫ୍ଲାଟର ଦାମ ଅନ୍ୟୁନ ୨୫ ଲକ୍ଷ ଟଙ୍କାରେ ବିକ୍ରି ହୋଇଥିବ। ଗୋଠପାଟଣାରେ ସରକାରୀ ଜମିରେ ତିଆରି ହୋଇଥିବା ସବୁ ଫ୍ଳାଟ ବିକି ଆକ୍ରକ୍ସ ବିଲ୍ଡ଼ର ମାଲାମାଲ ହୋଇଥିବା ସ୍ଥଳେ ରାଜ୍ୟ ସରକାର ନୀରବ ବସିଛନ୍ତି। ଏଠାରେ ପ୍ରକାଶଥାଉ କି, ତତ୍କାଳୀନ ଖୋର୍ଦ୍ଧା ଜିଲ୍ଲାପାଳ ଏବଂ ଉପଜିଲ୍ଲାପାଳ ଏହି ଘଟଣାରେ ହସ୍ତକ୍ଷପ କରିବାରୁ କିଛିଦିନ ପାଇଁ ସବୁ ବନ୍ଦବାନ୍ଦ ହୋଇଯାଇଥିଲା। ମାତ୍ର ସରକାରୀ ଦଳର ବରିଷ୍ଠ ରାଜନେତା ଏବଂ ଉଚ୍ଚପଦସ୍ଥ ଅଫିସରଙ୍କ ଚାପରେ ପୁଣି କାମ ଆରମ୍ଭ ହୋଇଗଲା, ସବୁ ଦୁର୍ନୀତି ଘୋଡ଼ାଇ ହୋଇଗଲା। ତତ୍କାଳୀନ ଖଣ୍ଡଗିରି ସବ୍ ରେଜିଷ୍ଟ୍ରାର ସମସ୍ତ ଆଇନ୍ କାନୁନ୍ ଏବଂ ବିଧି ବ୍ୟବସ୍ଥ୍ାକୁ ଉଲଂଘନ କରି ଫ୍ଲାଟ ରେଜେଷ୍ଟ୍ରି କରାଇଛନ୍ତି। କେବଳ ଗୋଠପାଟଣାରେ ନୁହେଁ, ରାଜଧାନୀ ଭୁବନେଶ୍ବର ଉପକଣ୍ଠରେ ଏହିଭଳି ଭାବେ ଅନେକ ସରକାରୀ, ଦଳିତ ଓ ଜଙ୍ଗଲ ଜମି ଦଖଲ କରି ଅନେକ ବଡ଼ବଡ଼ ଅପାର୍ଟମେଣ୍ଟ ପ୍ରକଳ୍ପ ଗଢ଼ି ଉଠିଛି। ଏଭଳି ବେଆଇନ କାରବାର ବିରୋଧରେ ରାଜ୍ୟ ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ସେହିଭଳି କାରବାର ସହିତ ସଂପୃକ୍ତ ବ୍ୟକ୍ତିଙ୍କୁ ଶାସକ ଦଳ ଟିକେଟ ଦେଇ ବିଧାୟକ ଭାବେ ଜିତାଇ ଆଣିଛନ୍ତି।

Share :