ଯାଜପୁର ସଂସ୍କୃତି ଓ ବିକାଶ ପରିଷଦ ଆନୁକୁଲ୍ୟରେ ଆଲୋଚନା ସଭା

ଯାଜପୁର ସଂସ୍କୃତି ଓ ବିକାଶ ପରିଷଦ ଆନୁକୁଲ୍ୟରେ ଆଲୋଚନା ସଭା

Share :

ଯାଜପୁର ସଂସ୍କୃତି ଓ ବିକାଶ ପରିଷଦ, ଭୁବନେଶ୍ୱର ଆନୁକୂଲ୍ୟରେ ରାଜଧାନୀର ୟୁନିଟ-୯ ସ୍ଥିତ ଜୟ ଭାରତ ସମ୍ମିଳନୀ କକ୍ଷରେ ଓଡ଼ିଶାର ବରପୁତ୍ର କବି ମଞୁଳ କୃଷ୍ଣପ୍ରସାଦ ବସୁ ଓ ଆଦିନେତା ବିଚିତ୍ରାନନ୍ଦ ଦାସଙ୍କ ପୁଣ୍ୟତିଥି ଓ ବାଗ୍ମୀ ପଣ୍ଡିତ କାମପାଳ ମିଶ୍ରଙ୍କ ଜୟନ୍ତୀ ଅବସରରେ ଏକ ଆଲୋଚନା ସଭା ବିଶିଷ୍ଟ ଆଇନଜୀବୀ ନଟବର ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏହି ଆଲୋଚନା ସଭାରେ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ମନୋରଂଜନ ପାଣିଗ୍ରାହୀ, ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବିଶିଷ୍ଟ ସାହିତ୍ୟିକ ଓ ଶିକ୍ଷାବିତ୍ ପ୍ରଫେସର ରାଜକିଶୋର ମିଶ୍ର, ପ୍ରଫେସର ବାଉରିବନ୍ଧୁ କର, ପଣ୍ଡିତ ସୂର୍ଯ୍ୟମଣି ଖୁଣ୍ଟିଆ ଓ ପ୍ରଫେସର ବିଜୟ କୁମାର ଶତପଥୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଆଲୋଚନା ସଭାରେ ସମ୍ମାନିତ ଅତିଥି ପ୍ରଫେସର ରାଜକିଶୋର ମିଶ୍ର କବିମଞୁଳ କୃଷ୍ଣପ୍ରସାଦ ବସୁଙ୍କ ସାହିତ୍ୟ ସମ୍ପର୍କରେ ଓ ପଣ୍ଡିତ ଡ. ସୂର୍ଯ୍ୟମଣି ଖୁଣ୍ଟିଆ ଆଦିନେତା ବିଚିତ୍ରାନନ୍ଦ ଦାସଙ୍କ ସଂଗ୍ରାମୀ ଜୀବନ ଉପରେ ଆଲୋଚନା କରିଥିବା ବେଳେ ସମ୍ମାନିତ ଅତିଥି ପ୍ରଫେସର ବିଜୟ କୁମାର ଶତପଥି ପଣ୍ଡିତ କାମପାଳ ମିଶ୍ରଙ୍କ ବାଗ୍ମୀତା ସମ୍ପର୍କରେ ବକ୍ତବ୍ୟ ଦେଇଥିଲେ। ଏହି ଶୁଭ ଅବସରରେ ଭାଷାବିତ୍ ଡ. ସୁବ୍ରତ କୁମାର ପୃଷ୍ଟିଙ୍କୁ ଭାରତ ସରକାରଙ୍କ ଦ୍ୱାରା ମହର୍ଷି ବାଦରାୟଣ ଶାସ୍ତ୍ରୀୟ ଭାଷା ସମ୍ମାନ ପାଇବା ପାଇଁ ମନୋନୀତ ହୋଇଥିବାରୁ ତାଙ୍କୁ ସମ୍ୱର୍ଦ୍ଧିତ କରାଯାଇଥିଲା ଏବଂ ଡ. ସବିତା ଜେନାଙ୍କ ରଚିତ ପୁସ୍ତକ ଅଭିମନ୍ୟୁ ସାହିତ୍ୟରେ ପ୍ରେମଭକ୍ତିର ସ୍ୱରୂପ ଉନ୍ମୋଚିତ ହୋଇଥିଲା। ପ୍ରଫେସର ବାଉରୀବନ୍ଧୁ କର ଏହି ପୁସ୍ତକ ସଂପର୍କରେ ବିଷଦ ଆଲୋଚନା କରିଥିଲେ। ପରିଷଦର ସାଧାରଣ ସମ୍ପାଦକ ନୀଳମଣି କର ସଂକ୍ଷିପ୍ତ ବିବରଣୀ ପ୍ରଦାନ କରିଥିବା ବେଳେ ଉପ ସଭାପତି ନୃସିଂହ ଚରଣ ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ। ବିଶିଷ୍ଟ କଣ୍ଠଶିଳ୍ପୀ ଡ. ଅନସୂୟା ନାଥ ଉଦ୍‌ଘାଟନୀ ସଂଗୀତ ଗାଇଥିବା ବେଳେ ଅଧ୍ୟାପିକା ଡ. ସରିତା ପୃଷ୍ଟି ଏହି ଆଲୋଚନା ସଭାକୁ ସଂଯୋଜନା ଓ ପରିଚାଳନା କରିଥିଲେ। ଭୁବନେଶ୍ୱର ତଥା ଯାଜପୁର ଜିଲ୍ଲାର ବହୁ ବୁଦ୍ଧିଜୀବୀ, ସାହିତ୍ୟିକ ଓ ସମାଜସେବୀ ଯୋଗ ଦେଇଥିଲେ। ଆଲୋଚନା ସଭାର ଦ୍ୱିତୀୟ ଅଧିବେଶନରେ କବି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ କବି ବିପିନ ମହାନ୍ତି ସଭାପତିତ୍ୱ କରିଥିବା ବେଳେ ବିଶିଷ୍ଟ କବି ଶ୍ରୀ ପ୍ରଦୀପ କୁମାର ବିଶ୍ୱାଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। କବିତା ପାଠର ସମସ୍ତ କାର୍ଯ୍ୟକ୍ରମକୁ କବି ସୁରେନ୍ଦ୍ର ପାଣିଗ୍ରାହୀ, ଦିଲ୍ଲିପ କୁମାର ବେହୁରା, ଯୋଗେନ୍ଦ୍ର କୁମାର ନାୟକ, ଅଧ୍ୟାପିକା ସୌଦାମିନୀ ବେହେରା ଓ ଶ୍ରୀମତି ଚମକ ଚାନ୍ଦିନୀ ଦାଶ ସଂଯୋଜନା ଓ ପରିଚାଳନା କରିଥିଲେ।

Share :