ବର୍ଣ୍ଣବୋଧ ପୋଡ଼ି ଦକ୍ଷିଣପନ୍ଥୀ ଚିନ୍ତାଧାରା

ବର୍ଣ୍ଣବୋଧ ପୋଡ଼ି ଦକ୍ଷିଣପନ୍ଥୀ ଚିନ୍ତାଧାରା

Share :

ଦେବ ରଞ୍ଜନ ଓଡ଼ିଆ ବର୍ଣ୍ଣବୋଧ ପୋଡ଼ାଯିବା ଘଟଣା ସତେରେ କେତେ ଦୁଃଖଦ କି କେତେ ସୁଖକର ତାହା ଜାଣିବା ପାଇଁ ମୁଁ ଅନୁରୋଧ କରିବି ଏହି ଲେଖାଟିକୁ ଶେଷ ପର୍ଯ୍ୟନ୍ତ ଆପଣମାନେ ପଢ଼ିବେ। ହୁଏତ ତା’ପରେ ଆପଣ ଟେକାଟିଏ ପକାଇପାରନ୍ତି। ମଧୁସୂଦନ ରାଓଙ୍କ ‘ବର୍ଣ୍ଣବୋଧ’ ଓଡ଼ିଆ ମାଧ୍ୟମରେ ପଢିଥିବା ପ୍ରତ୍ୟେକ ଛାତ୍ର ଓ ଛାତ୍ରୀ ପାଇଁ ମୂଳ ପୁସ୍ତିକା। ଏହା ସହିତ ଆପଣ ଅନ୍ୟାନ ଭାବପ୍ରବଣ ପୂର୍ଣ୍ଣ ଶବ୍ଦକୁ ଯୋଡ଼ି ପାରନ୍ତି । ଏହା ମୋ କ୍ଷେତ୍ରରେ ମଧ୍ୟ ଘଟିଛି। କିନ୍ତୁ ମୁଁ ଯେବେ ପଶ୍ଚିମ ଓଡ଼ିଶାର କୌଣସି ବି ଆଲୋଚନାରେ ବସିଛି ପ୍ରାୟତଃ ଅଣଆନୁଷ୍ଠାନିକ, ସବୁଠି ଆଲୋଚନା ଆରମ୍ଭ ହୁଏ ଅଥବା ସମାପ୍ତି ହୁଏ ଏହି ବର୍ଣ୍ଣବୋଧ ନିକଟରେ। ଏଥିରେ ବର୍ଣ୍ଣିତ ପୋଖରୀ ଅଥବା ସରୋବରକୁ ପଶ୍ଚିମ ଓଡ଼ିଶାରେ ବନ୍ଧ କୁହାଯାଏ। ଏହିପରି ଅନେକ ଶବ୍ଦ ଅଛି ଯାହା ଦୁଇ ଭୌଗୋଳିକ ସୀମାରେ ଥିବା ଶବ୍ଦର ଅର୍ଥ ଭିନ୍ନ ହୋଇଥାଏ। ପଶ୍ଚିମ ଓଡ଼ିଶାରେ ‘ଳ’ର ପ୍ରଚଳନ ନାହିଁ ଯାହା ଉପକୂଳ ଓଡ଼ିଶାରେ ରହିଛି। ନା ବା ନାହିଁ ଶବ୍ଦ ଆମର ପଛରେ ଆସିଲେ ସେଠାରେ ଆଗରେ ଆସେ। ଦୁଃଖର କଥା ଯେ ପଶ୍ଚିମ ଓଡ଼ିଶାର ବେଶ କିଛି ଛାତ୍ରଛାତ୍ରୀ ଅଧିକ ସଂଖ୍ୟାରେ ଏହି ଓଡ଼ିଆ ଭାଷାରେ ଫେଲ୍‌ ହୋଇଥାନ୍ତି। ସେମାନେ ଏହାକୁ ତେଣୁ ଏକ ଉପକୂଳୀୟ ଷଡ଼ଯନ୍ତ୍ର ବୋଲି ମନେକରନ୍ତି। ସେମାନେ ଭାବନ୍ତି ଯେ ପଶ୍ଚିମ ଓଡ଼ିଶା ଉପରେ ଉପକୂଳ ଓଡ଼ିଶାର ଶବ୍ଦକୁ ଲଦି ଦିଆଯାଇଛି। କାରଣ ଗଣିତ, ବିଜ୍ଞାନ, ଇଂରାଜୀରେ ଭଲ କରିଥିବା ଛାତ୍ର/ଛାତ୍ରୀ ଓଡ଼ିଆରେ ଫେଲ୍‌ ହେବା କଦାପି ଅସମର୍ଥତା ନୁହେଁ, ସେମାନେ ସେକଥା ଭାବନ୍ତି ଓ ତାହା ସତ ମଧ୍ୟ। ଏହି ସମସ୍ୟା ଦକ୍ଷିଣ ଓଡ଼ିଶାରେ ଅଧିକ। ଦକ୍ଷିଣ ଓଡ଼ିଶାର ଅନେକ ଆଦିବାସୀ ଭାଷା ସହିତ ଉପକୂଳୀୟ ଓଡ଼ିଆ ଭାଷା ଓ ବର୍ଣ୍ଣବୋଧ ସହିତ କୌଣସି ସମ୍ବନ୍ଧ ନାହିଁ। ତାଙ୍କ ପାଇଁ ଓଡ଼ିଆ ଆମକୁ ଇଂରାଜୀ ଭାଷା ଶିଖିବା ପରି। ତେଣୁ ଦକ୍ଷିଣ ଓଡ଼ିଶାର ଆହୁରି ଅଧିକ ଛାତ୍ରଛାତ୍ରୀ ଓଡ଼ିଆ ଭାଷାରେ ଫେଲ ହେବା ମୋର ନିଜସ୍ଵ ଅନୁଭୂତି ରହିଛି। ଉଦାହରଣ ଦେଉଛି। କାଶୀପୁରର ଝୋଡ଼ିଆ ଭାଷାରେ ‘ପାଣି’ କୁ ‘ହାଣି’ କହିଥାନ୍ତି। ପାଣି ଭଳି ଜୀବନ ରଖିବା ଶବ୍ଦ ବଦଳରେ ଭୁଲରେ ବି ଝୋଡ଼ିଆ ପିଲାଟିଏ ଯଦି ହାଣି ଲେଖିଦେଇଥାଏ ତେବେ କେବଳ ଏକ ମାର୍କ ଊଣାହବ ତାହା ନୁହେଁ ଶିକ୍ଷକ ପୂରା ଖାତାରେ ବି ଶୂନ ଦେଇପାରେ। ଏହା କାହିଁକି ନହେଉଥିବ? ଯେମିତି ଆପଣ ଜାଣି ନାହାନ୍ତି ‘ଗୁସା’ ଏକ ହିନ୍ଦୀ ଶବ୍ଦ ଯାହାର ଅର୍ଥ କ୍ରୋଧ। କିନ୍ତୁ କାଶ୍ମିରୀ ଭାଷାରେ ‘ଗୁସ’ ଶବ୍ଦର ଅର୍ଥ ଗୁହ ଅଥବା ଝାଡ଼ା। ଥରେ କିଛି କାଶ୍ମିରୀ ଯୁବକଙ୍କୁ ଗିରଫ କରିଆଣିବା ପରେ ସେମାନଙ୍କ ମଧ୍ୟରୁ ଜଣେ ‘ଗୁସ’ ଯିବା ପାଇଁ କହିବାପରେ ଯବାନ ତାହାକୁ ‘ଗୁସା’ ହେଉଛି ବୋଲି ବୁଝିଲା। ଏହାପରସ୍ଥିତି କ’ଣ ହୋଇଥିବ? ଆମେ କେହି ପ୍ରତିବାଦ କରୁନାହୁଁ ଯେ କାଶୀପୁରର 50,000 ଝୋଡ଼ିଆ ଆଦିବାସୀଙ୍କୁ ରାଜ୍ୟ ସରକାର କାହିଁକି ଆଦିବାସୀ ତାଲିକାରୁ ବାଦ ଦେଇ ଓବିସି ତାଲିକାରେ ଅନ୍ତର୍ଭୁକ୍ତ କରିଦେଲେ। କାରଣ ଆମେ ସେମାନଙ୍କୁ ଓଡ଼ିଆ ବୋଲି ଗଣୁନାହିଁ। ସେମିତି ସ୍ଥିତି ହେଉଛି ପଶ୍ଚିମ ଓଡିଶା ଓ ଦକ୍ଷିଣ ଓଡ଼ିଶାର ଛାତ୍ରଛାତ୍ରୀଙ୍କ ସହିତ। ସେମାନଙ୍କ ଭବିଷ୍ୟତ ସହିତ ଆମର ଶିକ୍ଷକମାନେ ବେଶ ଖେଳ ଖେଳିପାରନ୍ତି। ପଶ୍ଚିମ ଓଡ଼ିଶାରେ ‘ଳ’ର ପ୍ରଚଳନ ନଥିବା ହେତୁ ଫଳକୁ ଫଲ, କଳକୁ କଲ କହିଥାନ୍ତି ଓ ଏହି ହେତୁ ଶିକ୍ଷକ ମାର୍କ ଊଣା କରିବା ସ୍ଵାଭାବିକ। କାରଣ ଆମର ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ସରକାରଙ୍କ ଦାୟିତ୍ଵବାନ କର୍ମଚାରୀ ହେତୁ ସରକାରୀ ନିର୍ଦ୍ଦେଶକୁ ମାନିଥାନ୍ତି ଓ ଏହି ଭାଷାଗତ ଅସୁବିଧାକୁ ଓଡ଼ିଆ ଶିକ୍ଷକମାନେ କେବେ ଜାଣିବାକୁ ଚେଷ୍ଟା କରିନଥା’ନ୍ତି। ଓଡ଼ିଶା ସରକାର ମଧ୍ୟ ନିଜ ଆଡୁ ଏକ ନିର୍ଦ୍ଦେଶନାମା ଦେବା ଉଚିତ ଯେ ଏପରି ଅଞ୍ଚଳରେ ପରୀକ୍ଷକମାନେ ସଂବେଦନଶୀଳ ହେବେ ଓ ଉପରୋକ୍ତ ବିଷୟ ପ୍ରତି ଧ୍ୟାନ ଦେବେ। ତାହା ମଧ୍ୟ ହୋଇପାରିନାହିଁ। କାରଣ ଆମର ପ୍ରଶାସକ ଓ ସଚିବମାନେ ଅଷ୍ଟାଦଶ ଶତାବ୍ଦୀର ବ୍ରାହ୍ମଣଭଳି ଅତ୍ୟନ୍ତ ରୁଢ଼ିବାଦୀ, ନିଷ୍ଠୁର ଓ ପରମ୍ପରାଯୁକ୍ତ। ଆମର ନିର୍ବାଚିତ ମନ୍ତ୍ରୀମାନେ ଅତ୍ୟନ୍ତ ପରାଙ୍ଗପୁଷ୍ଟ, ରାଜନୈତିକ ଇଚ୍ଛାଶକ୍ତି ଶୂନ୍ୟ, କେବଳ କାଠ ପିତୁଳା। ତେଣୁ ଏହି ସମସ୍ୟା କେବେ ସମାଧାନ ହୋଇପାରି ନାହିଁ। ଏପରିକି ଭାଷା ଆନ୍ଦୋଳନରେ ସମ୍ପୃକ୍ତ ନେତୃବର୍ଗ ହୁଅନ୍ତୁ ଅଥବା ଉପକୂଳର ଲେଖକ, କବି ଓ ଓଡ଼ିଆ ଅସ୍ମିତାକୁ ନେଇ ସ୍ତମ୍ଭ ଲେଖୁଥିବା ବିଶେଷ ନାଗରିକମାନେ ଏପରି ଅସୁବିଧା ସମ୍ପର୍କରେ ହୁଏତ ଅବଗତ ନୁହନ୍ତି। ନଚେତ ନିଜର ସୁବିଧା ସ୍ଥିତି ହେତୁ ନା ଆଲୋଚନା କରିଛନ୍ତି ନା କେବେ ସରକାରଙ୍କ ଉପରେ ଚାପ ପକାଇବାଲାଗି ଚେଷ୍ଟା କରିଛନ୍ତି। ସେମାନେ କେବେ ସମ୍ବେଦନ ହୋଇ ଏହାକୁ ବିଚାରକୁ ମଧ୍ୟ ନେଇନାହାନ୍ତି। ଏହି ହେତୁ ଆକ୍ରମଣର ବିମ୍ବ ହେଲା ବର୍ଣ୍ଣବୋଧ ଓ ଏହା ଉପରେ ବିରକ୍ତି କୋଶଳ ଅଞ୍ଚଳରେ ବଢିବା ସ୍ଵାଭାବିକ । ‘ବର୍ଣ୍ଣବୋଧ’କୁ ପୋଡ଼ିବା କଦାପି ପ୍ରତିକ୍ରିୟା ପ୍ରକାଶ କରିବାର ରାସ୍ତା ନୁହେଁ। ଅନ୍ୟର ଯେ ଏଥିପ୍ରତି ଭାବନା ରହିଛି ତାହାକୁ ଆଘାତ ଦେବା ଯେ ଅନୁଚିତ, ଏ କଥାକୁ କିନ୍ତୁ ପୋଡ଼ିବା କାର୍ଯ୍ୟକରିଥିବା ବ୍ୟକ୍ତିମାନେ ବୁଝିନାହାନ୍ତି ବା ଆଘାତ ଦେବାଲାଗି ଜାଣିକରି କରିଛନ୍ତି। ଯଦି ଜାଣିକରି କରିଛନ୍ତି ତେବେ ଅପରାଧ ତ କହିବିନି। କହିବି ଏହା ଏକ ମାନସିକ ବିକୃତି ଓ ଏହାକୁ ଭୁଲିଯିବା ପାଇଁ ଅନୁରୋଧ କରିବି। ଯଦି ମୁଁ ଅପରାଧୀ କୁହେ ତେବେ ମୁଁ ତ କହିବି ଯେ ଏହି ପୋଡ଼ିବା ଓ ଏହି ମାଧ୍ୟମରେ ଅନ୍ୟକୁ ଆଘାତ ଦେବାର ପ୍ରକ୍ରିୟା ଏହି ଦେଶରେ ଦକ୍ଷିଣପନ୍ଥୀମାନେ ଆରମ୍ଭ କରିଥିଲେ। ସେମାନେ ଏହିଭଳି ସଂଖ୍ୟାଲଘୁଙ୍କ ଧର୍ମଗ୍ରନ୍ଥ କୋରାନ ଓ ବାଇବେଲ ପୋଡ଼ି ସଂଖ୍ୟାଲଘୁଙ୍କୁ ଆଘାତ ଦେଇଛନ୍ତି। ଏହିଭଳି ପ୍ରତିବାଦ କରିବାର ରାସ୍ତା କେବେ ଭାରତୀୟ ବାମପନ୍ଥୀ ବିଚାରରେ ନାହିଁ। ଦକ୍ଷିଣପନ୍ଥୀଙ୍କ ଏଭଳି କାର୍ଯ୍ୟ ଅପରାଧଭୁକ୍ତ ହୋଇଥିଲେ ମଧ୍ୟ କେବେ ଦୋଷୀ ସାବ୍ୟସ୍ତ ହୋଇ ଦଣ୍ଡିତ ହେବାର ଉଦାହରଣ ନାହିଁ। କନ୍ଧମାଳ ହିଂସାରେ ତ ଆମେ ଅନେକ ଉଦାହରଣ ପାଇଲେ ଯେଉଁଠି ଖ୍ରୀଷ୍ଟିୟାନ ଲୋକେ ଭାବନାତ୍ମକ ଭାବରେ ବର୍ଣ୍ଣନା କଲେ, ‘ସେମାନେ ଆମ ବାଇବେଲ ପୋଡ଼ିଦେଲେ, ଯୀଶୁଙ୍କ ଫଟୋକୁ ଚିରିଦେଲେ ଇତ୍ୟାଦି’। କିନ୍ତୁ କେହି ଦଣ୍ଡିତ ହେଲେ ନାହିଁ। ବର୍ଣ୍ଣବୋଧ ପୋଡ଼ିବାକୁ ଅପରାଧଭୁକ୍ତ କରିବା ଭାଷାକ୍ଷେତ୍ରରେ ବୋଝ ଭାବୁଥିବା ଅନେକ ପଶ୍ଚିମ ଓଡ଼ିଶାର ସାଥୀଙ୍କୁ ପୁଣି ସନ୍ଦେହୀ ଓ ସମ୍ଭାବ୍ୟ ଅପରାଧୀ ତାଲିକାଭୁକ୍ତ କରିଦେବା ଓ ସେମାନଙ୍କ ସ୍ଥିତିକୁ ବୁଝିବାର ରାସ୍ତାକୁ ବନ୍ଦ କରିଦେବା ସହିତ ସମାନ ହେବ। ଭାରତୀୟ ଆଇନ ବ୍ୟବସ୍ଥା ସମସ୍ତଙ୍କ ସମାନ ନହୋଇ ବରଂ ସଂଖ୍ୟାଗରିଷ୍ଠ ପାଇଁ ଭିନ୍ନ ଓ ଦୁର୍ବଳଙ୍କ ପାଇଁ ଭିନ୍ନ ହୋଇଆସିଛି। ଏ କ୍ଷେତ୍ରରେ ଉପକୂଳ ଅଞ୍ଚଳର ଲେଖକ/ଲେଖିକା, କବି ଓ ସ୍ତମ୍ଭକାରମାନଙ୍କର ନୈତିକ ଦାୟିତ୍ଵ ହେଉଛି ସରକାରଙ୍କ ଉପରେ ଚାପ ସୃଷ୍ଟି କରିବା ଓ ଓଡ଼ିଆ ଭାଷାକୋଷକୁ ଆହୁରି ବ୍ୟାପକ କରିବା ଯାହାଦ୍ୱାରା ଉପରୋକ୍ତ ପ୍ରତିକ୍ରିୟା ପୁଣି ଆଗ୍ରହ ଓ ପ୍ରେମରେ ବଦଳିପାରିବ। ସେମାନେ ପୁଣି ଓଡ଼ିଆ ଅସ୍ମିତା ସହିତ ସାମିଲ ହୋଇଯିବେ। ଓଡ଼ିଆ ଭାଷା ଅନେକ ପାଠକ ଓ ପାଠିକା ଏହାଦ୍ବାରା ପାଇପାରିବ। ମୁଁ ମୁଖ୍ୟତଃ ଓଡ଼ିଆ ଭାଷାରେ ସ୍ତମ୍ଭ ଲେଖେ, ଗଳ୍ପ ଲେଖେ ଓ ଉପକୂଳୀୟ ଓଡ଼ିଆରେ ସ୍ଵପ୍ନ ଦେଖେ। ଏବେ ଆପଣ ଚିନ୍ତା କରନ୍ତୁ ମୋ ସହିତ ଆପଣ ଯିବେ ନା ମୋତେ ଆଘାତ ଦେବେ। (ସଂପାଦୀକୟ ମତ- ଏ ଆଲେଖ୍ୟର ମତ ଲେଖକଙ୍କର ସଂପୂର୍ଣ୍ଣ ନିଜସ୍ବ। ଯଦି କେହି ଏହି ମତ ଖଣ୍ଡନ କରି ଲେଖା ପଠାନ୍ତି ତେବେ ସାମାନ୍ୟକଥନ.କମ୍‌ ତାହାକୁ ସ୍ବାଗତ କରିବ। ତେବେ ଏଠାରେ ଗୋଟିଏ କଥା ସ୍ପଷ୍ଟ ହେବା ଉଚିତ ଯେ ଓଡ଼ିଆରେ ଓଡ଼ିଶା ଶାସନ ଚଳାଇବାକୁ କୁନ୍ଥ କୁନ୍ଥୁ ହେଉଥିବା ସରକାର ଓଡ଼ିଆ ଭାଷା ଆଇନର ନିୟମ ବିଜ୍ଞପ୍ତି ଜାରି କରିବା ପରେ ବର୍ଣ୍ଣବୋଧ ପୋଡ଼ା ଖବର ପଦାକୁ ଆସିଛି। ମତେ ଲାଗୁଛି ଏହା ପଛରେ ପ୍ରାଶାସନିକ ଷଡ଼ଯନ୍ତ୍ର ବି ଥାଇପାରେ, ଓଡ଼ିଆ ଭାଷା ଆଇନକୁ କାର୍ଯ୍ୟକାରୀ ନକରାଇବାର ଉଦ୍ଦେଶ୍ୟରେ।) debasar11@yahoo.co.in, cell: 9437762272

Share :